Unknown

 

 

 

 

 

 

 

 

 

ମଙ୍ଗଳ ସୂତ୍ର ଓ ଅନ୍ୟାନ୍ୟ ଗଳ୍ପ

ମୂଳରଚନା : ଚକ୍ରବର୍ତ୍ତୀ ରାଜଗୋପାଳାଚାରୀ

ରମେଶ ଚନ୍ଦ୍ର ଧଳ

 

ଉପକ୍ରମଣିକା

 

ସ୍ଵର୍ଗତ କହ୍ନେଇଲାଲ ମାନିକଲାଲ ମୁନ୍‌ସି ଭାରତୀୟ ବିଦ୍ୟାଭବନ ପ୍ରତିଷ୍ଠା କରିଥିଲେ । ବିଦ୍ୟାଭବନର ପ୍ରଥମ ଅବଦାନ ଚକ୍ରବର୍ତ୍ତୀ ରାଜଗୋପାଳାଚାରୀଙ୍କ ରାମାୟଣ ଓ ମହାଭାରତ । ଏହାଛଡ଼ା ଭାରତୀୟ ବିଦ୍ୟାଭବନ, ଭାରତୀୟ ସଂସ୍କୃତି ପରମ୍ପରା ଓ ଇତିହାସ ସମ୍ବନ୍ଧରେ ଅନେକ ପୁସ୍ତକ ପ୍ରକାଶ କଲେଣି । ଆଜି ପର୍ଯ୍ୟନ୍ତ ପ୍ରାୟ ନ’ଶହ ପୁସ୍ତକ ପ୍ରକାଶିତ ହେଲାଣି । କେତେକ ପୁସ୍ତକର ଦଶମ ସଂସ୍କରଣବି ହେଲାଣି । କିନ୍ତୁ ଓଡ଼ିଆ ଭାଷାରେ ବିଦ୍ୟାଭବନର ପ୍ରକାଶିତ ରାଜାଜୀଙ୍କର ରାମାୟଣ, ମହାଭାରତ ଓ ଭଗବଦ୍‍ଗୀତା ଛଡ଼ା ଆଉ କିଛି ପ୍ରକାଶିତ ହୋଇନାହିଁ ।

 

ଭାରତୀୟ ବିଦ୍ୟାଭବନ ଆନୁକୂଲ୍ୟରେ ରାଜାଜୀ ଶତବାର୍ଷିକୀ କମିଟି ଜାତୀୟ ସ୍ତରରେ ଗଠିତ ହୋଇଛି । ସୁଖର କଥା ଓଡ଼ିଶା ସରକାର ମଧ୍ୟ ରାଜ୍ୟସ୍ତରୀୟ କମିଟି ଗଠନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ନୀଳମଣି ରାଉତରାୟ ଏହାର ସଭାପତି । ଏଥିନିମନ୍ତେ ରାଜ୍ୟ ସରକାର ଶତବାର୍ଷିକୀ କମିଟିକୁ ଟ ୨୫୦୦୦ ଙ୍କା ଅନୁଦାନ ଦେଇଛନ୍ତି । ଶତବାର୍ଷିକୀ କମିଟି ରାଜାଜୀଙ୍କ ଲିଖିତ ପୁସ୍ତକ ଓଡ଼ିଆରେ ପ୍ରକାଶ କରିବାକୁ ସ୍ଥିର କଲେ । ରାଜାଜୀ ଶତବାର୍ଷିକୀ କମିଟି, ଓଡ଼ିଶା ଶାଖାର ଏହି ଉଦ୍ୟମ ପ୍ରଶଂସନୀୟ । ଏଥିନିମନ୍ତେ ଭାରତୀୟ ବିଦ୍ୟାଭବନର ଓଡ଼ିଶା ଶାଖାକୁ ପ୍ରକାଶନର ଦାୟିତ୍ଵ ନେବାକୁ ଅନୁରୋଧ କରି କିଛି ଟଙ୍କା ଅଗ୍ରିମ ଦେଲେ । ଓଡ଼ିଶା ଶାଖାର କାର୍ଯ୍ୟ ବିଶେଷ ଅଗ୍ରଗତି କରିନାହିଁ । କେବଳ ସ୍ଥାୟୀ ଗୃହଟିଏ ସରକାରୀ ସାହାଯ୍ୟରେ ନିର୍ମିତ ହୋଇଅଛି-। ସମ୍ବଳର ମଧ୍ୟ ଅଭାବ । ସୁଖର କଥା କେତେକ ବ୍ୟାଙ୍କ୍‍ ପ୍ରକାଶନ ପାଇଁ ଋଣ ଦେବାକୁ ଆଗେଇ ଆସିବାରୁ ବିଦ୍ୟାଭବନ ଏହାର ପ୍ରକାଶନର ଦାୟିତ୍ଵ ନେଇଛି । ଏଥିପାଇଁ ପଞ୍ଜାବ ନାସ୍‍ନାଲ୍ ବ୍ୟାଙ୍କ୍‍କୁ ପ୍ରଥମେ ଧନ୍ୟବାଦ ଦେଉଛି ।

 

ଏହି ପୁସ୍ତକଗୁଡ଼ିକ ସାଧାରଣରେ ଆଦୃତ ହେବ ଏଥିରେ ସନ୍ଦେହ ନାହିଁ । ଏ ଉଦ୍ୟମରେ ସଫଳତା ଲାଭ କଲେ ବିଦ୍ୟାଭବନ, ଓଡ଼ିଶା ଶାଖା ବିଦ୍ୟାଭବନର ଅନ୍ୟାନ୍ୟ ପୁସ୍ତକ ପ୍ରକାଶ କରିବାରେ ଆଗେଇ ଆସିବ ।

 

ବନମାଳୀ ପଟ୍ଟନାୟକ

ସଭାପତି

ଭାରତୀୟ ବିଦ୍ୟାଭବନ, ଭୁବନେଶ୍ଵର କେନ୍ଦ୍ର

Image

 

ଆମ ପକ୍ଷରୁ–

 

ରାଜାଜୀ ଥିଲେ ଜଣେ ଉଚ୍ଚକୋଟୀର ସାହିତ୍ୟିକ । ତାଙ୍କର ଗଳ୍ପଗୁଡ଼ିକ ସତ୍ୟାଶ୍ରୟୀ ଓ ସଂସ୍କାର ଧର୍ମୀ । ସମାଜରେ ନୂତନ ମୂଲ୍ୟବୋଧ ସୃଷ୍ଟି, ବିଭିନ୍ନ ପ୍ରକାରର କୁସଂସ୍କାର ଦୂରୀକରଣ ତଥା ଦେଶରେ ସ୍ଵରାଜ୍ୟ ଆନ୍ଦୋଳନକୁ ଆଗେଇ ନେବା ନିମନ୍ତେ ସେ ମୁଖ୍ୟତଃ ଗଳ୍ପ ରଚନା କରିଥିଲେ । ସମୀକ୍ଷା କରି ଦେଖିଲେ ସ୍ପଷ୍ଟ ହୃଦ୍‌ବୋଧ ହୁଏ ଯେ ବର୍ତ୍ତମାନ ମଧ୍ୟ ସମାଜର ସଂସ୍କାରପାଇଁ ରାଜାଜୀଙ୍କ ଗଳ୍ପଗୁଡ଼ିକର ବିଶେଷ ପ୍ରୟୋଜନ ରହିଛି ।

 

ଆମ ସମାଜରେ ଏବେବି ହରିଜନମାନେ ଅତ୍ୟାଚାରିତ ହେଉଛନ୍ତି । ଦୁର୍ବଳ ଶ୍ରେଣୀର ଲୋକମାନେ ଏବେବି ଅନେକାଂଶରେ ଅବହେଳିତ ଅବସ୍ଥାରେ ଅଛନ୍ତି । ବର୍ତ୍ତମାନର ସମାଜ ମଧ୍ୟ ବହୁ କୁସଂସ୍କାରରେ କଳଙ୍କିତ ।

 

ରାଜାଜୀଙ୍କ ଗଳ୍ପଗୁଡ଼ିକୁ ଆମେମାନେ ଯଥାସାଧ୍ୟ ସରଳ ଭାଷାରେ ଇଂରାଜୀରୁ ଓଡ଼ିଆରେ ଅନୁବାଦ କରିଛୁ ଏବଂ ପୁସ୍ତକଟିର ନାମ “ମଙ୍ଗଳସୂତ୍ର ଓ ଅନ୍ୟାନ୍ୟ ଗଳ୍ପ” ରଖିଛୁ । ଆମର ପ୍ରିୟ ପାଠକମାନେ ଏହି ଗଳ୍ପଗୁଡ଼ିକୁ ଉପଭୋଗ କଲେ ଆମର ଶ୍ରମ ସାର୍ଥକ ହେବ ।

 

ଏହି ଗଳ୍ପଗୁଡ଼ିକ ଅନୁବାଦ କରିବା ନିମନ୍ତେ ଭାରତୀୟ ବିଦ୍ୟାଭବନ ଓଡ଼ିଶା ଶାଖାର ସଭାପତି ଶ୍ରୀଯୁକ୍ତ ବନମାଳୀ ପଟ୍ଟନାୟକ, ବନ୍ଧୁ ଡକ୍ଟର ଭାବଗ୍ରାହୀ ମିଶ୍ର, ଅଧ୍ୟାପକ ଶାନ୍ତନୁକୁମାର ଆଶ୍ଚର୍ଯ୍ୟ ଓ ଆଡ଼୍‍ଭୋକେଟ ଶ୍ରୀ ହାଡ଼ିବନ୍ଧୁ ହାଲି ପ୍ରମୁଖ ଆମକୁ ବିଶେଷ ଉତ୍ସାହିତ କରିଛନ୍ତି । ପାଣ୍ଡୁଲିପି ପ୍ରସ୍ତୁତ କରିବାରେ ଶ୍ରଦ୍ଧେୟା କୁମାରୀ ନୀତା ମହାନ୍ତି ଓ ଶ୍ରୀମାନ ସୁରେନ୍ଦ୍ରକୁମାର କରଣ ଆମକୁ ବହୁ ପରିମାଣରେ ସାହାଯ୍ୟ କରିଛନ୍ତି । ଏ ସମସ୍ତଙ୍କୁ ଆମେ ଧନ୍ୟବାଦ ଜଣାଉଛୁ ।

 

ଗଞ୍ଜେଇଡ଼ିହ

 

ଢେଙ୍କାନାଳ

ରମେଶ ଚନ୍ଦ୍ର ଧଳ

ରଜ ସଂକ୍ରାନ୍ତି

ଶାନ୍ତିଲତା ଧଳ

୧୫ ଜୁନ୍, ୧୯୭୮

 

Image

 

ନୂତନ ସଂସ୍କରଣର ଭୂମିକା

 

ଏହି ଗଳ୍ପଗୁଡ଼ିକ ମଧ୍ୟରୁ ଅଧିକାଂଶ ଗଳ୍ପ, ତାମିଲ ପାଠକମାନଙ୍କ ପାଇଁ ତାମିଲ ଭାଷାରେ ଅନେକ ଦିନ ତଳେ ଲେଖା ହୋଇଥିଲା । ତେଣୁ ଇଂରାଜୀ ଗଳ୍ପ ଉପନ୍ୟାସକୁ ପ୍ରଶଂସା କରିବାକୁ ଶିକ୍ଷା କରିଥିବା ଶିକ୍ଷିତ ସମାଲୋଚକମାନଙ୍କ ପାଇଁ ଏହି ଗଳ୍ପଗୁଡ଼ିକ ଉଦ୍ଦିଷ୍ଟ ନୁହେଁ । ଗଳ୍ପଗୁଡ଼ିକ ଇଂରାଜୀରେ ପଢ଼ିବା ପରେ ମୁଁ ତା’ର ଲେଖକ ବୋଲି ଆଦୌ ଦୁଃଖିତ ନୁହେଁ । ଲେଖକ ହିସାବରେ ସୁନାମ ଅର୍ଜନ କରିବାକୁ ଏହି ଗଳ୍ପଗୁଡ଼ିକ ମୁଁ ଲେଖି ନଥିଲି । ଯେଉଁସବୁ ସର୍ବସାଧାରଣ କାର୍ଯ୍ୟରେ ମୁଁ ବ୍ୟକ୍ତିଗତ ଭାବରେ ଜଡ଼ିତ ଥିଲି, ସେହିସବୁ କାର୍ଯ୍ୟକୁ ଆଗେଇ ନେବା ଏ ଗଳ୍ପ ରଚନାର ଉଦ୍ଦେଶ୍ୟ ଥିଲା । ଅନେକ ମନେ କରନ୍ତି ଗଳ୍ପପାଇଁ ଗଳ୍ପ ଲେଖାଯିବା ଉଚିତ । ଗଳ୍ପ ପ୍ରଚାରଧର୍ମୀ ହେବା ଉଚିତ ନୁହେଁ । ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ରଖି ଏଥିରୁ ଅଧିକାଂଶ ଗଳ୍ପ ଲେଖା ହୋଇଥିଲା ଏବଂ ନିଶ୍ଚିତଭାବେ ସେ ଉଦ୍ଦେଶ୍ୟ ମହତ ଥିଲା । ଯଦିଓ ମୁଁ ମୋର ପ୍ରିୟ କାର୍ଯ୍ୟଗୁଡ଼ିକୁ ଆଗେଇ ନେବା ଉଦ୍ଦେଶ୍ୟରେହିଁ ଗଳ୍ପଗୁଡ଼ିକ ଲେଖିଥିଲି, ତଥାପି ଗଳ୍ପ ଲେଖିଲାବେଳେ ମୁଁ ସତ୍ୟର ଅପ୍ରଳାପ କରିନାହିଁ । ସତ୍ୟପ୍ରତି ନିଷ୍ଠା ନଥିଲେ ଜଣେ ଭଲ ଗଳ୍ପ ମଧ୍ୟ ଲେଖିପାରିବ ନାହିଁ ବୋଲି କୁହାଯାଇଥାଏ । ମୋଟଉପରେ ଏହି ଗଳ୍ପଗୁଡ଼ିକ ସମାଜର କୌଣସି କ୍ଷତି ନ କରି ବରଂ କିଛିଟା ଉପକାର କରିବ ବୋଲି ମୋର ବିଶ୍ଵାସ ।

 

ପାଠକମାନେ ସ୍ମରଣ ରଖିବା ଉଚିତ ଯେ ଅସ୍ପୃଶ୍ୟତା ସମ୍ପର୍କୀୟ ଗଳ୍ପଗୁଡ଼ିକ ମୁଁ ତିରିଶବର୍ଷ ତଳେ ଲେଖିଥିଲି । ସେତେବେଳେ ଜାତିଭେଦ ଉଠାଇବା, ଅସ୍ପୃଶ୍ୟତା ନିବାରଣ କରିବା ଏବଂ ହରିଜନମାନଙ୍କର ଉନ୍ନତିବିଧାନ କରିବା ପ୍ରଭୃତି ଆନ୍ଦୋଳନ ଜୋର୍‌ସୋର୍‍ରେ ଆରମ୍ଭ ହୋଇଥିଲା । ବର୍ତ୍ତମାନ ପରିସ୍ଥିତିର ଅନେକ ପରିବର୍ତ୍ତନ ହୋଇଗଲାଣି । ଅସ୍ପୃଶ୍ୟତା ସେତେବେଳେ କି ଭୟଙ୍କର ଆକାରରେ ସମାଜରେ ପ୍ରଚଳିତ ଥିଲା, ତାହା କେବଳ ସେହି ସମୟର ଲୋକମାନେହିଁ ହୃଦୟଙ୍ଗମ କରିପାରିବେ । ମାତ୍ର ଅନ୍ୟମାନେ ଏହାକୁ ଅତିରଞ୍ଜନ ବୋଲି ମନେ କରି ପାରନ୍ତି ।

 

ମାଡ଼୍ରାସ

ସି. ରାଜଗୋପାଳାଚାରୀ

ଜୁନ୍ ୧୬, ୧୯୬୭

 

Image

 

ରାଜ୍ୟ ରାଜାଜୀ ଜନ୍ମ ଶତବାର୍ଷିକୀ କମିଟି, ଓଡ଼ିଶା ସଭ୍ୟବୃନ୍ଦ

 

ଶ୍ରୀ ନୀଳମଣି ରାଉତରାୟ, ମୁଖ୍ୟମନ୍ତ୍ରୀ ଓଡ଼ିଶା

ସଭାପତି

ଶ୍ରୀ ବନମାଳୀ ପଟ୍ଟନାୟକ, ସଭାପତି, ଭାରତୀୟ ବିଦ୍ୟାଭବନ, ଓଡ଼ିଶା, କାର୍ଯ୍ୟକାରୀ

ସଭାପତି

ଶ୍ରୀ ହରିହର ପଟେଲ, ସାଧାରଣ

ସମ୍ପାଦକ ଓ କୋଷାଧ୍ୟକ୍ଷ

ଡକ୍ଟର ଭାବଗ୍ରାହୀ ମିଶ୍ର

ସମ୍ପାଦକ

ଶ୍ରୀ ଶରତ ଚନ୍ଦ୍ର ମଲ୍ଲିକ

ସମ୍ପାଦକ

ଶ୍ରୀ ଲିଙ୍ଗରଜ ମିଶ୍ର

ସମ୍ପାଦକ

ଡକ୍ଟର ରାମପ୍ରସାଦ ମିଶ୍ର, ଅର୍ଥମନ୍ତ୍ରୀ

ସଭ୍ୟ

ଶ୍ରୀ ପ୍ରଦୀପ୍ତ କିଶୋର ଦାସ, ଶିକ୍ଷା ଓ ସ୍ୱାସ୍ଥ୍ୟମନ୍ତ୍ରୀ

ସଭ୍ୟ

ଶ୍ରୀ ଚିନ୍ତାମଣି ପାଣିଗ୍ରାହୀ, ଏମ୍.ଏଲ୍.ଏ.

ସଭ୍ୟ

ଶ୍ରୀ ବିଶ୍ଵନାଥ ପଣ୍ଡିତ, ଏମ୍.ଏଲ୍.ଏ.

ସଭ୍ୟ

ଶ୍ରୀ ହଳଧର ମିଶ୍ର, ଏମ୍.ଏଲ୍.ଏ.

ସଭ୍ୟ

ଶ୍ରୀ ରାଜବଲ୍ଲଭ ମିଶ୍ର

ସଭ୍ୟ

ଶ୍ରୀ ବସନ୍ତ କୁମାର ପାଣିଗ୍ରାହୀ

ସଭ୍ୟ

ଶ୍ରୀ ଶରତ ଚନ୍ଦ୍ର ମହାପାତ୍ର

ସଭ୍ୟ

ଡକ୍ଟର ହରେକୃଷ୍ଣ ମଲ୍ଲିକ, ଏମ୍.ପି.

ସଭ୍ୟ

ଶ୍ରୀ ହରପ୍ରସାଦ ମହାପାତ୍ର, ଏମ୍.ଏଲ୍.ଏ.

ସଭ୍ୟ

ଶ୍ରୀ ଗୋପାଳ ମିଶ୍ର, ଏ.ବି. ପତ୍ରିକା, ପ୍ରତିନିଧି

ସଭ୍ୟ

ଶ୍ରୀ ଏସ୍.ଏମ୍. ଯୋଶି, ଡେପୁଟି ଡାଇରେକ୍ଟର, ପବ୍ଲିକେଶନ୍‍ସ

ସଭ୍ୟ

 

ପ୍ରକାଶନ କମିଟି

 

ଶ୍ରୀ ବନମାଳୀ ପଟ୍ଟନାୟକ

ଶ୍ରୀ ହରିହର ପଟେଲ

ଡକ୍ଟର ଭାବଗ୍ରାହୀ ମିଶ୍ର

Image

 

ସୂଚୀପତ୍ର

 

୧.

ଅର୍ଦ୍ଧନାରୀ

୨.

କୁବୁଜା ସୁନ୍ଦରୀ

୩.

ଅଶୁଭ ଶଗଡ଼

୪.

ଯୁଇଫୁଲ

୫.

ସାବେସାନ୍ କଫି

୬.

ଭବିଷ୍ୟତ ବାଣୀ

୭.

ଅନୁଶୋଚନା

୮.

ଗୟପ୍‌ପାନ

୯.

ଶାନ୍ତି

୧୦.

ଦେବଯାନୀ

୧୧.

ନିର୍ବାଚନ କାହାଣୀ

୧୨.

ଦେବଗଣଙ୍କ ଆବିର୍ଭାବ

୧୩.

ସରଳ ଶିଶୁ

୧୪.

ସୀତାରାମ

୧୫.

ବାଣ

୧୬.

ଜଗଦୀଶ ଶାସ୍ତ୍ରୀର ସ୍ଵପ୍ନ

୧୭.

ମଙ୍ଗଳସୂତ୍ର

୧୮.

ରାଜୁଲୁ ଚେଟିୟାର୍‍ଙ୍କର ପରିବର୍ତ୍ତନ

୧୯.

ନଡ଼ିଆ ଗଛର ଇଚ୍ଛା

୨୦.

ସଂଘର୍ଷ

୨୧.

ନାଟେସା ଆୟାରଙ୍କ ଦୋଷ

୨୨.

ମୁଁ ଟଙ୍କା ନେବି

୨୩.

ଅଦ୍ଵୈତବାଦ ଉପରେ ଗବେଷଣା

୨୪.

ବିଚାରପତି ଜୟରମନଙ୍କର ପ୍ରାୟଶ୍ଚିତ୍ତ

୨୫.

ମୂଟାନ୍ଦି ପୂଜାରୀ

୨୬.

ଫାଉଡ଼ା–ଧରା ଶିଷ୍ୟ

୨୭.

ମନ୍ତ୍ରୀ ସୀତାରାମାୟାରଙ୍କର ସନ୍ନ୍ୟାସ ଗ୍ରହଣ

୨୮.

ନାଲି ସ୍ଵାମୀୟାର

୨୯.

ସଂଶୋଧିତ ଉତ୍ତରା କାଣ୍ଡ

୩୦.

ବୁନ୍ଦାଏ ବିଷ

୩୧.

ବାଳି ବଧ

୩୨.

ପାପମୋଚନ

୩୩.

କ୍ଷୀର ସାଗର

୩୪.

ପୂଜାଘରର ଛବି

୩୫.

ଗଛର ନିବେଦନ

୩୬.

ଟୋପି ଓ ଶାଢ଼ି

୩୭.

ହଳେ ଚପଲ

Image

 

ଅର୍ଦ୍ଧନାରୀ

 

ସାଲେମ୍ ଜିଲ୍ଲାର କୋକଲାଇ ଗାଁର ଅର୍ଦ୍ଧନାରୀ ଗୋଟିଏ ହରିଜନ ବାଳକ । ଅସ୍ପୃଶ୍ୟ ସେବକ ସଂଘର ସଂପାଦକ ଶ୍ରୀ ମାଲକାନି ତାକୁ ସାଙ୍ଗରେ ଦିଲ୍ଲୀ ନେଇ ଯାଇଥିଲେ । ଦକ୍ଷିଣ ଭାରତରେ ଥିବାବେଳେ ମାଲ୍‌କାନି ଏହି ବାଳକଟିର ବ୍ୟବହାରରେ ପ୍ରୀତ ହୋଇ ସାଙ୍ଗରେ ତାଙ୍କୁ ଦିଲ୍ଲୀ ନେବାଲାଗି ସ୍ଥିର କରିଥିଲେ । ତାକୁ ନେଇ ସେ ସେଠାରେ ଗୋଟିଏ ସ୍କୁଲ୍‍ରେ ଭର୍ତ୍ତି କରି ଦେଇଥିଲେ ଓ ତା’ର ଦେଖାଶୁଣା କରିଥିଲେ । ଦିଲ୍ଲୀର ଜଣେ ସୁପରିଚିତ ବ୍ୟବସାୟୀଙ୍କୁ କହି ତାଙ୍କ ଅନୁଷ୍ଠାନରେ ତାକୁ ଗୋଟିଏ ଚାକିରିରେ ସେ ରଖାଇ ଦେଇଥିଲେ । ମାସକୁ ସେ ଷାଠିଏ ଟଙ୍କା ଦରମା ପାଉଥିଲା । ଅର୍ଦ୍ଧନାରୀ ସଚୋଟ୍ଟ, ଅଧ୍ୟବସାୟୀ ଓ ବ୍ୟକ୍ତିତ୍ଵ ସଂପନ୍ନ ଥିଲା । ତେଣୁ ସେ ବେଶ୍ ଚଳି ଯାଉଥିଲା । ତାକୁ ଚବିଶବର୍ଷ ହେବା ପୂର୍ବରୁ ସେ ମାସକୁ ଶହେ ପଚାଶ ଟଙ୍କା ଦରମା ପାଉଥିଲା । ସେ କାମ କରୁଥିବା ବ୍ୟବସାୟୀ ସଂସ୍ଥାର ବାଙ୍ଗାଲୋର ଶାଖାରେ ଯେତେବେଳେ ଗୋଟିଏ କାମ ଖାଲି ପଡ଼ିଲା ସେମାନେ ଅର୍ଦ୍ଧନାରୀକୁ ମାସକୁ ଦୁଇଶହ ଟଙ୍କା ଦରମାରେ ସେଠାକୁ ପଠାଇ ଦେଲେ ।

 

ବାଙ୍ଗାଲୋରରେ ସେ ଦୁଇବର୍ଷ ବେଶ୍‌ ଫୁର୍ତ୍ତିରେ କଟାଇ ଦେଲା । ତା’ର ଉପର ଅଫିସର ଗୋବିନ୍ଦ ରାଓ ମାଂଚେଷ୍ଟର୍‌ରେ ଦୁଇବର୍ଷ ତାଲିମ ପାଇଥିଲେ । ସେ ଏବଂ ଅର୍ଦ୍ଧନାରୀ ଉଭୟଙ୍କ ବୟସ ପ୍ରାୟ ସମାନ । ସେ ଅର୍ଦ୍ଧନାରୀର ବ୍ୟବହାର କାର୍ଯ୍ୟଦକ୍ଷତା ପାଇଁ ତାକୁ ଭଲ ପାଉଥିଲେ । ଫଳରେ ସେ ଦୁହେଁ ଘନିଷ୍ଠ ବନ୍ଧୁ ହୋଇଗଲେ ।

 

ଗୋବିନ୍ଦ ରାଓଙ୍କର ପଙ୍କଜା ବୋଲି ଗୋଟିଏ ଭଉଣୀ ଥିଲା । ଭାଇ ଭଉଣୀ ପରସ୍ପରକୁ ଖୁବ୍‌ ଭଲ ପାଉଥିଲେ । ପଙ୍କଜାକୁ ଯେତେବେଳେ ମୋଟେ ଦଶବର୍ଷ ସେତେବେଳେ ସେମାନଙ୍କର ବାପା ମରିଯାଇଥିଲେ । ବର୍ତ୍ତମାନ ତା’ର ବୟସ କୋଡ଼ିଏ ଏବଂ ସେ ଅବିବାହିତା । ଭାଇ ଭଉଣୀ ଦୁହେଁ ସାଙ୍ଗ ହୋଇ ଅର୍ଦ୍ଧନାରୀ ଘରକୁ ଯାଆନ୍ତି । ଅର୍ଦ୍ଧନାରୀ ମଧ୍ୟ ବରାବର ସେମାନଙ୍କ ଘରକୁ ଯିବା ଆସିବା କରେ । ପଙ୍କଜା ଓ ଅର୍ଦ୍ଧନାରୀ ପରସ୍ପରକୁ ଭଲ ପାଉଥିବା ଦେଖି ଗୋବିନ୍ଦ ରାଓ ବେଶ୍ ଖୁସି ହୋଇଥିଲେ । ସେ ବେଳେବେଳେ ଭାବୁଥିଲେ ଏ ଦୁହେଁ ବିଭାତୋଳା ହୋଇ ଏଠି ଘର କରି ରହିଲେ କ୍ଷତି କ’ଣ ହୁଅନ୍ତା ?

 

ଦିନେ ଗୋବିନ୍ଦ ଭଉଣୀକୁ ପଚାରିଲେ ପଙ୍କଜା ତୁ’ତୋ ବାହାଘର କଥା କ’ଣ କେବେ ଭାବିଛୁ ? ମୁଁ କିଛି ଭାବିନାହିଁ ବୋଲି ସେ କହିଲା । ହଁ ଆମ ଅର୍ଦ୍ଧନାରୀ ସାଙ୍ଗରେ ତୋର ବାହାଘର ହେଲେ କେମିତି ହୁଅନ୍ତା ? ଏ ପ୍ରସ୍ତାବରେ ତା’ର ଆପତ୍ତି ନଥିଲା । ମାତ୍ର ସେ କିଛି ନ ଶୁଣିଲା ପରି ଅନ୍ୟକଥା ପକାଇଲା । ସପ୍ତାହକ ପରେ କଥାପ୍ରସଙ୍ଗରେ ପୁଣି ସେ ବିବାହ କଥା ଉଠିଲା । ‘କ’ଣ ଗୋପୁ, ମୁଁ ତୋ ପାଖରେ ଅଛି ବୋଲି ତତେ ଖରାପ ଲାଗୁଛି ନା କ’ଣ ତୋ ଉପରେ ବୋଝ ହେଇଛି ? ଏହାକହି ସେ ଟିକେ ହସିଲା । ତା’ପରେ ସେ କାନ୍ଦି ପକାଇଲା । ଝିଅମାନେ, ବିଶେଷତଃ ଯେଉଁମାନଙ୍କର ମା’ ମରିଯାଇଥାଆନ୍ତି ସେମାନେ ସାଧାରଣତଃ ଟିକିଏ ଭାବପ୍ରବଣ ହୋଇଥାଆନ୍ତି ।

 

ଭଉଣୀର ଆଖି ପୋଛି ଦେଇ ସେ କହିଲେ ଗୁଡ଼ାଏ ବାଜେ କଥା କହ ନାହିଁ । ତୁ ମୋ ଉପରେ ବୋଝ ହୋଇନାହୁଁ । କିମ୍ବା ମୋ ପାଖରୁ ଚାଲିଯାଆ ବୋଲି ମୁଁ ଚାହୁଁନାହିଁ । ମୁଁ କେବଳ ଜାଣିବାକୁ ଚାହୁଁଛି ତୁ ବିଭା ହେବାକୁ ଚାହୁଁଛୁ ନା ନାହିଁ । ତୁ ମୋ ପାଖରେ ସବୁଦିନ ରହିପାରୁ । ମା’ ନାହିଁ ବୋଲି ମୁଁ ତୋତେ ଏ ସବୁ ପଚାରୁଛି । ଏଠି ଆଉ କିଏ ଅଛି ଯେ ତୋତେ ତୋର ମତାମତ ପଚାରିବ ?’

 

ପଙ୍କଜା କହିଲା ସମୟ ଆସିଲେ ମୁଁ ବଳେ କହିବି । ବର୍ତ୍ତମାନ ଏ ବିଷୟରେ କାହିଁକି ଆଲୋଚନା ପଡ଼ିଛି ?

 

ତୁମେ ପରସ୍ପରକୁ ପସନ୍ଦ କରୁଛ ବୋଲି ମନେ ହେଉଛି । ଜାତି, ପରିବାର ଇତ୍ୟାଦି ନେଇ ଆମର ତ ସେପରି କୌଣସି ବାଛବିଚାର ନାହିଁ । ତେଣୁ ତୁ ତାକୁ ବିଭା ହେବୁ ନାହିଁ କାହିଁକି ବୋଲି ଭାଇ ପଚାରିଲେ । ଜାତିରୁ ଆମକୁ କ’ଣ ମିଳିବ । ତେବେ ଜାତି କଥା ନେଇ ସେ କ’ଣ ଭାବୁଛନ୍ତି ଆମେ ତ ଏପର୍ଯ୍ୟନ୍ତ ଜାଣି ନାହେଁ । ପଙ୍କଜା କହିଲା ବୋଲି ଗୋବିନ୍ଦ ରାଓ କହିଲେ ସେଥିପାଇଁ ତୁ ବ୍ୟସ୍ତ ହେବାର କିଛି ନାହିଁ, ତୋଭଳି ଝିଅଟିଏ ପାଇଲେ ସେ ନିଶ୍ଚୟ ନିଜକୁ ଭାଗ୍ୟବାନ ମନେ କରିବ । ସେ ମନେମନେ ଧରି ନେଇଥିଲେ ଯେ ଏ ଦୁନିଆରେ ତାଙ୍କ ଭଉଣୀ ସାଙ୍ଗରେ ତୁଳନା ହେଲାପରି ଝିଅ ଆଉ ନାହାଁନ୍ତି ।

 

ଅର୍ଦ୍ଧନାରୀ ଏ ପ୍ରସ୍ତାବ ଶୁଣି ବହୁତ ଖୁସି ହୋଇଗଲା । ମାତ୍ର କିଛି ସମୟ ପରେ ସେ ଗମ୍ଭୀର ହୋଇଯାଇ କହିଲା ‘ଗୋବିନ୍ଦ, ଏହା କିପରି ହେବ ?’

 

ଗୋବିନ୍ଦ ରାଓ ଜାଣିବାକୁ ଚାହିଁଲେ ନ ହେବ କାହିଁକି ? ଅସୁବିଧା କ’ଣ ଅଛି ? ଅର୍ଦ୍ଧନାରୀ କହିଲା ମୋର କି ଜାତି । ତୁମର କି ଜାତି !

 

ଗୋବିନ୍ଦ ରାଓ ହସି ହସି କହିଲେ କ’ଣ ଜାତି କଥା କହୁଛ । ସେ ଜାତିଫାତି ଫାଲତୁ କଥା । କିଏ ବ୍ରାହ୍ମଣ, କିଏ ବ୍ରାହ୍ମଣ ନୁହେଁ ଏକଥା ଅନେକ ଦିନୁ ଆମେ ଭୁଲିଗଲୁଣି । ତୁମେ ଯଦି ପରସ୍ପରକୁ ଭଲ ପାଉଛ ଓ ବିବାହ କରିବାକୁ ସ୍ଥିର କରୁଛ ତେବେ ଜାତିପାଇଁ ବ୍ୟସ୍ତ ହେବାର କୌଣସି କାରଣ ନାହିଁ ।

 

ଅର୍ଦ୍ଧନାରୀ ସେମାନଙ୍କୁ ଆଗରୁ କହିଥିଲା ଯେ ତା’ ଘର କୋଏମ୍ବାଟୁର ଜିଲ୍ଲା ଓ ସେମାନେ ଶୈବ ମୁଦାଲିୟର୍‍ । ଶୈବ ମୁଦାଲିୟର୍‍ମାନେ ନିରାମିଷାଶୀ ଉଚ୍ଚ ଜାତିର ଲୋକ । ହୁଏତ ତାକୁ କେହି ଅପମାନ ଦେଇପାରେ ଏହି ଆଶଙ୍କାରେ ସେ ଯାହା କହିଥିଲା ଭବିଷ୍ୟତରେ ତାହା ଆଉ ପ୍ରତ୍ୟାହାର କରି ନେଇ ପାରି ନଥିଲା । ସେ ପ୍ରକୃତରେ କି ଜାତି ଲୋକ କହିବାକୁ ଲଜ୍ଜାବୋଧ କଲା । ଦିଲ୍ଲୀରେ ଅଳ୍ପ କେତେକେ ତା’ କଥା ଜାଣିଥିଲେ କିନ୍ତୁ ବାଙ୍ଗାଲୋରରେ ତାକୁ ମୋଟେ କେହି ଜାଣି ନଥିଲେ ।

 

ଅର୍ଦ୍ଧନାରୀ ପଚାରିଲା–ପଙ୍କଜାର ମତାମତ କ’ଣ ?

 

ପଙ୍କଜା ତମକୁ ଭଲ ପାଇଲାପରି ମନେ ହେଉଛି । ମୁଁ ତା’ କଥାରୁ ଯାହା ଜାଣିଲି ସେ ଏଥିରେ ରାଜି ।

 

ଅର୍ଦ୍ଧନାରୀ କହିଲା ମୁଁ ନିଜେ ତା’ ମତାମତ ପଚାରି ବୁଝିବା ଉଚିତ ହେବ ନାହିଁ କି ?

 

ଗୋବିନ୍ଦ ରାଓ କହିଲେ ହଁ ତମେ ପଚାରିପାର ।

 

ପ୍ରସ୍ତାବ ଏହିପରି ରହିଲା । ପରିଣତି ଯାହାହେଉ ନା କାହିଁକି ସେ ପଙ୍କଜାକୁ ସତକଥା ନିଶ୍ଚୟ କହିବ ବୋଲି ସଂକଳ୍ପ କଲା । କିନ୍ତୁ ପରେ ସେ ତା’ ସଂକଳ୍ପ ରଖିପାରିଲା ନାହିଁ । ସେ ମନେମନେ ଭାବିଲା ଏକଥା କାହିଁକି ବଳେ ବଳେ ସେମାନଙ୍କୁ ଜଣାଇବି ? ମୁଁ ଯଦି ଗୋବିନ୍ଦ ରାଓ ଓ ପଙ୍କଜାକୁ ସତକଥା କହେ ତେବେ ସେମାନେ ମୋତେ ଘୃଣା କରିବେ । ସେମାନେ କହୁଛନ୍ତି ଜାତିଆଣ ଭାବ ସେମାନଙ୍କର ନାହିଁ । ତଥାପି ସେମାନେ ଯେତେବେଳେ ଜାଣିବେ ଯେ ମୁଁ ଜାତିରେ ପରିଆ ସେମାନେ କଦାପି ରାଜି ହେବେ ନାହିଁ । ତା’ ବ୍ୟତୀତ ସେମାନେ ମୋତେ ଗୋଟେ ମିଛୁଆ ବୋଲି ଭାବିବେ ।

 

ତା’ପରଦିନ ପୁଣି ସେ ଏହି କଥା ଚିନ୍ତା କଲା । ସତ କଥାଟା କହିବାକୁ ଗୋବିନ୍ଦ ରାଓଙ୍କ ଘରକୁ ଗଲା । ପୁଣି ରାସ୍ତାରେ ଯିବାବେଳେ ମନକୁ ମନ କହିଲା ଆମେ ଦୁହେଁ ଯେତେବେଳେ ପରସ୍ପରକୁ ଭଲ ପାଉଛୁ ଏ ଜାତି ପ୍ରଶ୍ନ ନେଇ ଏତେ ବିଚାର କାହିଁକି ପଡ଼ିଛି ? ଏ ଜାତି କିଏ ସୃଷ୍ଟି କଲା ? ଏସବୁ ମିଛ ନୁହେଁ କି ? ମୁଁ କଥାଟାକୁ ଏତେ ବଡ଼ ବୋଲି ବିଚାରିବାର କାରଣ କ’ଣ ଅଛି ? ତାକୁ କହିବା ଦରକାର ବା କ’ଣ ? ତାକୁ ଏସବୁ କହି ପ୍ରସ୍ତାବଟାକୁ ମୋଟାମୋଟି ଭାଙ୍ଗିଦେବି କାହିଁକି ? ସେମାନେ ତ ମୋତେ ମନଖୋଲି କହିଛନ୍ତି–ଜାତିପ୍ରଥାରେ ସେମାନେ ମୋଟେ ଗୁରୁତ୍ଵ ଦିଅନ୍ତି ନାହିଁ । ଏ ଅବସ୍ଥାରେ ମୁଁ ଏ ସବୁ କଥା କାହିଁକି ଉଠାଇବି ? ପ୍ରକୃତ ଘଟଣା ପ୍ରକାଶ ନ କରିବା ଲାଗି ସେ ମନେମନେ ପୁଣି ସିଦ୍ଧାନ୍ତ କଲା ।

 

ସେ ପଚାରିଲା–ପଙ୍କଜା, ତମେ କ’ଣ ସତରେ ମୋତେ ଭଲ ପାଅ ? ଆମେ ତେବେ ବିଭା ହୋଇ ଏକାଠି ଭଲରେ ରହିପାରିବାତ ?

 

ପଙ୍କଜା କହିଲା–“କିନ୍ତୁ ତୁମେ କ’ଣ ଚାହଁ କହୁନ !”

 

କୋକାଲାଇ ଗାଁର ଅଚ୍ଛବ ପରିଆ ସାହିରେ ଅର୍ଦ୍ଧନାରୀର ବାପା ମୁନିଆପ୍‌ପାନ୍ ତା’ ଭାଇ ରଙ୍ଗା ଓ ମା’ କୁପ୍‌ପାୟୀ ରହନ୍ତି । ଦିଲ୍ଲୀ ଓ ବାଙ୍ଗାଲୋରରେ ଥିବାବେଳେ ସେ ସେମାନଙ୍କପାଇଁ ପ୍ରତିମାସରେ ବରାବର କୋଡ଼ିଏ ଟଙ୍କା ଲେଖାଏଁ ପଠାଏ । ଏ ଟଙ୍କା ସେମାନଙ୍କ ପାଇଁ ଖୁବ୍ ବେଶୀ ଓ ଏଥିରେ ସେମାନେ ଖୁବ୍ ଭଲରେ ଚଳୁଥିଲେ । ସେମାନଙ୍କର ପୁଅ କେତେ ରୋଜଗାର କରୁଛି ସେମାନେ ଠିକ୍‍ଭାବେ ଜାଣି ନଥିଲେ କିନ୍ତୁ ମାସକୁ ଏହି କୋଡ଼ିଏଟି ଟଙ୍କା ଲେଖାଏଁ ପାଇ ସେମାନେ ଆପଣାକୁ ଖୁବ୍ ଭାଗ୍ୟବାନ ମନେ କରୁଥିଲେ । ତେବେ ଦୁର୍ଭାଗ୍ୟକୁ ମୁନିଆପ୍‌ପାନ୍‍ର ଟିକେ ବଦଭ୍ୟାସ ରହିଯାଇଥିଲା । ପ୍ରତିମାସରେ ହାତକୁ ଟଙ୍କା ଆସିବାରୁ ତା’ର ସେ ପିଆପିଇ ଅଭ୍ୟାସ ଟିକକ ମଧ୍ୟ ବଢ଼ିଯାଇଥିଲା । ଏ ସବୁ ରଙ୍ଗାକୁ ମୋଟେ ଭଲ ଲାଗୁ ନଥାଏ-। ମାତ୍ର ସେ ତାକୁ ବାରଣ କରିପାରେ ନାହିଁ । ସେ ଗାଁ ସ୍କୁଲ୍‍ରେ ଶିକ୍ଷକତା କରେ ଓ ବିଭା ହୋଇ ନଥାଏ । ବିଭା ହେବାଲାଗି ଗୋଟିଏ ପାତ୍ରୀ ଠିକ୍ କରିବାକୁ ଯେତେବେଳେ ତା’ ମା’ ତା’ ସାଙ୍ଗରେ ଲଗାଏ, ବର୍ତ୍ତମାନ ଥାଉ, ଆଉ କିଛିଦିନ ଯାଉ ଦେଖିବା କହି ସେ କଥାଟାକୁ ଏଡ଼େଇ ଦେଇ ଚାଲିଥାଏ ।

 

ବାଙ୍ଗାଲୋର ବଦଳି ହେଇ ଆସିବା ପରଠୁ ପ୍ରତିବର୍ଷ ସେ ଦୁଇଥର ଘରକୁ ଆସେ । କିନ୍ତୁ ଯେତେବେଳେ ଦେଖେ ବାପ ତା’ର ଖୁବ୍ ପିଉଛି ତାକୁ ଭୀଷଣ ଲାଜ ଲାଗେ । ଘରର ଅପରିଚ୍ଛନ୍ନ ପରିବେଶକୁ ମଧ୍ୟ ସେ ସହ୍ୟ କରି ପାରେ ନାହିଁ । ଦିନେ ଦୁଇଦିନ କୌଣସିମତେ ଗାଁରେ ରହି ଯେତେ ଶୀଘ୍ର ସମ୍ଭବ ସେଠୁ ଚାଲିଆସେ ।

 

ଅର୍ଦ୍ଧନାରୀର ବାଙ୍ଗାଲୋର ଲେଉଟାଣିବେଳେ ସାଙ୍ଗରେ ଘରର ସମସ୍ତଙ୍କୁ ନେବାଲାଗି ତା’ ବାପା ଥରେ ଥରେ ପ୍ରସ୍ତାବ ପକାଏ ।

 

ଅର୍ଦ୍ଧନାରୀ କହେ–‘ବାପ୍‌ରେ ବାପ୍, ତମମାନଙ୍କୁ ମୋ ସାଙ୍ଗରେ ଦେଖିଲେ ନା ! ମୋ ଚାକିରି ଯିବ ।’

 

ରଙ୍ଗା କହେ–‘ନାଇଁ ନାଇଁ ବାପା ଆମମାନଙ୍କର ସେଠିକୁ ଯିବା ଠିକ୍ ହବନି ।’ ସେମାନଙ୍କ ପାଇଁ ସେ ରୀତିମତ ଟଙ୍କା ପଠାଉଥିବାରୁ ତା’ ସାଙ୍ଗରେ ଯିବା ବିଷୟରେ ସେମାନେ ଏତେଟା ଜିଗର କରନ୍ତି ନାହିଁ । ଏହିପରି କିଛିଦିନ ଗଲା ।

 

ବିବାହ ହେଇଯିବା ପରେ ଉତ୍ତର ଭାରତର କୌଣସି ଦୂର ସ୍ଥାନରେ ଯାଇ ରହିବ ବୋଲି ଅର୍ଦ୍ଧନାରୀ ମନେମନେ ସ୍ଥିର କରି ସାରିଥାଏ । ସେମାନେ ତା’ ପ୍ରତି ଯେତେ ଭଲ ବ୍ୟବହାର କଲେ ମଧ୍ୟ ସତକଥା ଯେତେବେଳେ ଜଣା ପଡ଼ିବ ଯେ ସେ ଜାତିରେ ପରିଆ ପରିସ୍ଥିତି କିଭଳି ହବ ତାକୁ ଜଳଜଳ ଦିଶୁଥାଏ । ସେମାନେ ଅବା ଏସବୁ ଧରି ନ ପାରନ୍ତି । ପୁଣି ମନକୁ ମନ କହେ କିନ୍ତୁ ପଙ୍କଜା ଯେତେବେଳେ ମୋ ବାପା ଓ ଅନ୍ୟମାନେ କେମିତି ରହୁଛନ୍ତି, ଚଳୁଛନ୍ତି ଦେଖିବ ପରିସ୍ଥିତି କ’ଣ ହେବ ! ତା’ର ଦୁଶ୍ଚିନ୍ତା ଆହୁରି ବଢ଼ିଯାଏ ଓ ସେ ଭାବେ ସେ ତ ନିଶ୍ଚୟ ଖପା ହୋଇଉଠିବ । ତା’ପରେ ସେ ହୁଏତ ମୋ ମୁହଁ ଚାହିଁବ ନାହିଁ ।’ ଅର୍ଦ୍ଧନାରୀ ବାରମ୍ବାର ଏମିତି ମନକୁ ମନ କଥାବାର୍ତ୍ତା ହୁଏ ଓ ସତକଥାଟା କୌଣସି କାରଣରୁ ପ୍ରକାଶ ନ କରିବା ଲାଗି ସଂକଳ୍ପ କରେ । ଯେତେ ଶୀଘ୍ର ସମ୍ଭବ ବିଭା ହେଇ ଉତ୍ତର ଭାରତର କୌଣସି ମିଲ୍‌କୁ ତାକୁ ବଦଳି କରି ପଠାଇ ଦେବାଲାଗି କମ୍ପାନୀ ଡିରେକ୍ଟର୍‍ମାନଙ୍କୁ ମଧ୍ୟ ସେ ଇତିମଧ୍ୟରେ ଚିଠି ଲେଖାଲେଖିରେ କିଛିଟା ମନ ଦେଇଥିଲା ।

 

ଦିନେ ହଠାତ୍ ପଙ୍କଜା ଅର୍ଦ୍ଧନାରୀକୁ କହିଲା “ତୁମ ମା’ଙ୍କୁ ଦେଖିବାକୁ ମୋର ଭାରି ଇଚ୍ଛା-। ମୁଁ ଓ ମୋ ଭାଇ ସ୍ଥିର କରିଛୁ, ତୁମେ ଗୋଟିଏ ସପ୍ତାହ ଛୁଟିନିଅ । ଆମେ ତିନିଜଣ ମିଶି କୋଏମ୍ବାଟୁର ଉତ୍‌କାମଣ୍ଡ ଓ ଅନ୍ୟାନ୍ୟ ସ୍ଥାନ ବୁଲିବାକୁ ଯିବା । କ’ଣ କହୁଛ ? ଗୋବିନ୍ଦ ରାଓବି କହିଲେ, “ଅଫିସ୍‍ରେ ବର୍ତ୍ତମାନ ସେପରି ବିଶେଷ କାମ ନାହିଁ । ଆସନ୍ତା ମାସର ଦ୍ଵିତୀୟ ସପ୍ତାହରେ ଗଲେ ଆମର କୌଣସି ଅସୁବିଧା ହେବ ନାହିଁ । ଖୁବ୍ ଭଲ ହେବ ।” ଏହା ଶୁଣି ଅର୍ଦ୍ଧନାରୀର ହୃତ୍‌କମ୍ପ ଆରମ୍ଭ ହୋଇଗଲା । ତଥାପି ବେଶ୍ ସଂଯତ ହୋଇ ସେ କହିଲା, “ଆମେ ଖୁସିରେ ଯିବା କିନ୍ତୁ ଆଜି ଗାଁରୁ ଗୋଟେ ଚିଠି ଆସିଛି ଯେ ଆମ ସେଠାରେ ବଡ଼ ଜୋର୍ ହଇଜା ଲାଗିଛି ।”

 

ପଙ୍କଜା ଏ କଥା ଶୁଣି ଡରିଗଲା । ବ୍ୟସ୍ତ ହୋଇ ଉଠିଲା ଆଉ କହିଲା, “କ’ଣ ! ହଇଜା-? ଗାଁ ଛାଡ଼ି ଅନ୍ୟ କୁଆଡ଼େ ଚାଲିଯିବାକୁ ତମେ ସେମାନଙ୍କୁ ଲେଖିଲଣି ନା ନାହିଁ ? ନହେଲେ ଏଠିକି ଚାଲି ଆସିବାକୁ ଲେଖୁନା ।”

 

ଅର୍ଦ୍ଧନାରୀ କହିଲା, “ହଁ ଠିକ୍ ! ଏଇକ୍ଷଣି ତ ମୁଁ ସେମାନଙ୍କୁ ସବୁ ସେଇଆ ଲେଖିଦେବି ବୋଲି ଭାବୁଥିଲି ।”

 

ଏ ଘଟଣା ମୋଟେ ତିନିଦିନ ତଳର କଥା । ସେଦିନ ସେ ରଙ୍ଗାଠାରୁ ଗୋଟିଏ ଚିଠି ପାଇଲା–“ସାନଭାଇ ଅର୍ଦ୍ଧନାରୀକୁ ଆଶୀର୍ବାଦ । ବର୍ତ୍ତମାନ ଏଠି ଗାଁରେ ଭୀଷଣ ହଇଜା ଲାଗିଛି । ଅନେକ ମଲେଣି । ଆମେ ସବୁ ଡରରେ ମରୁଛୁ । ବାପା ପୂର୍ବପରି ପିଆପିଇ ଚଲେଇଛନ୍ତି । ସେ ଆମ କାହା କଥା ଆଉ ଶୁଣୁ ନାହାନ୍ତି । ଏ ମାସରେ ତୁ ଯେଉଁ ଟଙ୍କା ପଠାଇଥିଲୁ ସେତକ ସବୁ ଖର୍ଚ୍ଚ ସରିଲାଣି । ତୁ ଯଦି ଆମକୁ ଆଉ ତିରିଶଟଙ୍କା ପଠାନ୍ତୁ ତେବେ ଏଠି ଘରେ ତାଲା ବନ୍ଦକରି ଦେଇ, ହଇଜା ଛାଡ଼ିଯିବା ପର୍ଯ୍ୟନ୍ତ ଆମେ ଯାଇ ସାଲେମ୍‍ରେ ରହନ୍ତୁ । ଇତି ।

 

ତୋର ସ୍ନେହାଧୀନ ରଙ୍ଗା

 

ଚିଠିପାଇ ଅର୍ଦ୍ଧନାରୀ ବିସ୍ମିତ ଓ ଦୁଃଖିତ ହେଇ ପଡ଼ିଲା । “ଏ ସବୁର ଅର୍ଥ କ’ଣ ହେଇପାରେ ? ମୁଁ ମିଛରେ ଯାହା କହିଦେଲି ସତକୁସତ ତାହା ଫଳିଗଲା ନା କ’ଣ” । ତା’ ମନ ଦୁଡ଼ୁଦୁଡ଼ୁ ହେଲା । ସେ କହିଲା, “ଭଗବାନ ହୁଏତ ମତେ ପରୀକ୍ଷା କରି ଦେଖୁଛନ୍ତି”, ୟା ପରେ ସେ ଆଉ କ’ଣ କରିବ କିଛି ସ୍ଥିର କରି ପାରିଲା ନାହିଁ । ତେବେ ଠିକ୍ କଲା ପରଦିନ ଟଙ୍କା ପଠାଇ ଦେବ ।

 

ସେଦିନ ରାତିରେ ଅର୍ଦ୍ଧନାରୀର ଆଖିକୁ ନିଦ ଆସିଲା ନାହିଁ । ନାନା ଦୁଶ୍ଚିନ୍ତା, ଲଜ୍ଜାକର ଭାବନା ତା’ ମନକୁ ଘାଇଲା କରି ପକାଇଲା । ତା’ରି ଭିତରେ ନିଜ ବାପ କଥା ଯେତେବେଳେ ମନକୁ ଆସୁଥିଲା, ସେ ବିରକ୍ତ ହୋଇ ଉଠୁଥାଏ । ମନ କହୁଥାଏ–ବାପା ହେଲେ ଚାଲିଯା’ନ୍ତେ ହଇଜାରେ ! ମରିଯାଆନ୍ତେ ! ସବୁ ଅପମାନରୁ ରକ୍ଷା ମିଳନ୍ତା । ପର ମୁହୂର୍ତ୍ତରେ ନିଜର ଏହି ଚିନ୍ତାପାଇଁ ସେ ଅବଶ୍ୟ ନିଜକୁ ଧିକ୍‌କାରିଲା । ରାତିସାରା ବିଛଣାରେ ପଡ଼ି ସେ ଏପଟ ସେପଟ ହଉଥାଏ । ସକାଳୁ ଉଠି ଆଗ ଥଣ୍ଡା ପାଣିରେ ଗାଧୋଇ ପଡ଼ିଲା । ଡାକ ଆସିବାବେଳ ହେଲାରୁ ପିଅନ ଚିଠି ନେଇ ଆସିଲା । ଆଶଙ୍କାନୁଯାୟୀ ଗାଁରୁ ଆଉ ଖଣ୍ଡେ ଚିଠି ଆସିଥାଏ । ଥରିଲା ହାତରେ ଚିଠିଟି ଧରି ସେ ପଢ଼ିବାକୁ ଲାଗିଲା ।

 

“ବାପାକୁ ହଇଜା ହେବାର ଲକ୍ଷଣ ଦେଖାଗଲାଣି । ତୋଠୁ କୌଣସି ଟଙ୍କା ପାଇଲୁ ନାହିଁ । ଆମେ ଅସହାୟ ହୋଇ ପଡ଼ିଛୁ । ତୁ ସଙ୍ଗେ ସଙ୍ଗେ ଆ ।” ରଙ୍ଗା । ସେ ଦିନ ମଧ୍ୟ ଅର୍ଦ୍ଧନାରୀ କୌଣସି ଟଙ୍କା ପଠାଇଲା ନାହିଁ । ତା’ ଛାତି ପଥର ପାଲଟି ସାରିଥିଲା । ମନେମନେ କହି ଲାଗିଲା “ମୋ ଜୀବନର ଏକ ଅପମାନଜନକ ପର୍ଯ୍ୟାୟର ପରିସମାପ୍ତି ଏଇଠି ସବୁଦିନ ପାଇଁ ଘଟିଯିବ । ଏହା ମୋ ପ୍ରତି ଭଗବାନଙ୍କର ଆଶୀର୍ବାଦ ଭଳି” ମନେ ହେଉଛି । ବାପା ମା’ ଯଦି ମରିଯାଆନ୍ତି ତେବେ ପଙ୍କଜାକୁ ବିଭା ହେବାରେ ଆଉତ କିଛି ବାଧା ନାହିଁ ।

 

ହଠାତ୍ ସେତିକିବେଳେ ଜଣେ କେହି ସତେକି ଭର୍ତ୍ସନା କଲାପରି କହିଲା, “ଆରେହେ ପାପୀ ! କି ଜଘନ୍ୟ ଚିନ୍ତା କରୁଛୁ” ସେ ମୁହଁ ବୁଲାଇ ଦେଖିଲା ପଙ୍କଜା ତା’ ପଛରେ ଠିଆ ହେଇଛି-। ସେ ଚମକି ଉଠିଲା । ତାକୁ ଲାଗିଲା ସତେ ଅବା ସବୁ ଗୁପ୍ତକଥା ପ୍ରକାଶ ପାଇଗଲା-। କିନ୍ତୁ ତା’ ମନ ଆଉଥରେ ସଫା ହୋଇଗଲା । ସେ ବୁଝି ପାରିଲା କେହି ତାକୁ କିଛି କହିନାହିଁ-। ଯାହା ଶୁଣିଲା ସବୁ ମନର ଭ୍ରମ ମାତ୍ର । କିଞ୍ଚିତ୍ ଶାନ୍ତ ହୋଇ ସେ ପଙ୍କଜାକୁ ପଚାରିଲା “କିଛି ଶବ୍ଦ ନ କରି ତମେ କେମିତି ଚୁପ୍‍ଚାପ୍ ଭିତରକୁ ଆସିଗଲ ?”

 

ପଙ୍କଜା ହସିଲା ଓ କହିଲା “ମୁଁ ତ ତିନିଥର କବାଟରେ ଠକ୍ ଠକ୍ କଲି । ସେଇଠୁ ଭିତରକୁ ଆସିଲି । ତମେ ଅନ୍ୟମନସ୍କ ଥିଲ ତେଣୁ ମୁଁ ଆସିଲି ନ ଆସିଲି କେମିତି ଜାଣନ୍ତ ?”

 

ଅର୍ଦ୍ଧନାରୀ ଉତ୍ତର ଦେଲା “ମୋତେ ଗାଁକୁ ଯିବାକୁ ହେବ” । ପଙ୍କଜା ବ୍ୟସ୍ତ ହୋଇ ପଡ଼ିଲା–“ହଁ ତୁମର ଅନେକ ଆଗରୁ ଗାଁକୁ ଯିବା ଉଚିତ ଥିଲା । ତୁମେ ଯଦି ଗାଁକୁ ଯାଅ ତେବେ ସେଠି ଖୁବ୍ ସାବଧାନ ହୋଇ ରହିବ । ବିଶେଷତଃ ତମର ସେଠି କିଛି ଖିଆପିଆ କରିବା ଉଚିତ ନୁହେଁ ।”

 

ସେହିଦିନ ରାତିରେ ଅର୍ଦ୍ଧନାରୀ ସାଲେମ୍‍ ଗଲା । କିନ୍ତୁ ସିଧା ଗାଁକୁ ଯିବା ପରିବର୍ତ୍ତେ ସେ ବାଟରେ ଅଟକି ଗଲା । ଚାରିଦିନ ପରେ ଯାଇ ସେ ଗାଁରେ ପହଞ୍ଚିଲା । ସେ ପହଞ୍ଚିଲାବେଳକୁ ତା’ ମା’ ଓ ଭାଇ ରଙ୍ଗା ଆଗପଛ ହୋଇ ସେପୁରକୁ ଚାଲିଯାଇ ସାରି ଥାଆନ୍ତି । କିନ୍ତୁ ମଦୁଆ ବାପା ରୋଗରୁ ରକ୍ଷା ପାଇ ଭଲ ହୋଇ ବସିଥାଏ ।

 

ଅର୍ଦ୍ଧନାରୀକୁ ତା’ ବାପା ବିକଳ ହୋଇ କହିଲା–“ବାପ ! ତୁ ମୋତେ ସାଙ୍ଗରେ ନେଇଯାଆ । ୟା ପରେ ମୁଁ ଆଉ ଏଠି କେମିତି ରହିବି ?” ଅର୍ଦ୍ଧନାରୀ କିନ୍ତୁ ବାପା କଥା କାନକୁ ନେଲା ନାହିଁ । ସେ ତା’ ନିଜ ସିଦ୍ଧାନ୍ତରେ ଦୃଢ଼ ରହିଥାଏ । ବାପକୁ ବୁଝେଇ ସୁଝେଇ କହିଲା–“ତମ ଲାଗି ମୁଁ ବହୁତ ଟଙ୍କା ପଠାଇବି । ତମେ ଏଇଠି ରହ । ମୋ ସଙ୍ଗେ ଯିବା କଥା କହ ନାଇଁ । ମୁଁ ତୁମକୁ ସଙ୍ଗରେ ନେଇ ପାରିବି ନାହିଁ ।” ତା’ ପରଦିନ ବାପ ହାତରେ ଗୋଟିଏ ଦଶ ଟଙ୍କିଆ ନୋଟ୍ ଧରାଇ ଦେଇ ସେ ସାଲେମ୍ ଫେରି ଆସିଲା ।

 

“ସତରେ ମୁଁ କେତେ ବଡ଼ ଭୁଲ କଲି ।” ବାଟରେ ହଠାତ୍‌ କେଜାଣି କାହିଁକି ତାକୁ ପୁଣି ସେଇ ପୁରୁଣା ଚିନ୍ତା ଘାରିଲା ଆଉ ସେ ଅନବରତ କହିବାକୁ ଲାଗିଲା “ମୁଁ ନିଜେ ମୋ ମା’ ଓ ଭାଇକୁ ମାରିଛି । ସତରେ ମୁଁ କାହିଁକି ଏମିତି କଲି ? ମୋଠାରୁ କ’ଣ ବଡ଼ ନରାଧମ ଆଉ କେହି ଅଛି ? ମୋ ବାପାଙ୍କୁ ମଧ୍ୟ ଏପରି ଭାବରେ ମୁଁ କିପରି ଛାଡ଼ିଦେଇ ଆସି ପାରିଲି ? ମୁଁ ପଙ୍କଜାକୁ କ’ଣ କହିବି ?”

 

ଏହିପରି ଭାବି ଭାବି ସେ ରାତିରେ ରେଳରେ ଆଉ ଶୋଇ ପାରିଲା ନାହିଁ । ବାଙ୍ଗାଲୋରରେ ପହଞ୍ଚି ଯନ୍ତ୍ର ଚାଳିତ ପରି ସେ ତା’ ନିଜ ବସାରେ ପହଞ୍ଚିଲା । ବସାରେ ଭିତରୁ ଖିଡ଼ିକି ଦେଇ ସେ ବିଛଣାରେ ପଡ଼ିଗଲା । ସେ ଫେରିଲାଣି ବୋଲି ଗୋବିନ୍ଦ ରାଓ କିମ୍ବା ପଙ୍କଜାକୁ ସମ୍ବାଦ ଦେଲାନାହିଁ । ନିଜେ ଅଫିସ୍‍କୁ ମଧ୍ୟ ଗଲାନାହିଁ ।

 

ସେଦିନ ରାତିରେ ସେ ତା’ ଜିନିଷପତ୍ର ଧରି ରେଳଷ୍ଟେସନ୍‍କୁ ଆସି ସେଠୁ ଟିକେଟ କରି ପୁଣି ସାଲେମ୍ ଗଲା ।

 

ସାଲେମ୍‍ରେ ପହଞ୍ଚି ସେ ଶୁଣିଲା ଯେ କୋକାଲାଇରେ ଜଣେ ଅଛବ ଜାତିର ଲୋକ କୂଅକୁ ଡେଇଁପଡ଼ି ଆତ୍ମହତ୍ୟା କରିଛି । ତା’ ମନକୁ ପାପ ଛୁଇଁଲା । କୋକାଲାଇରେ ପହଞ୍ଚିବା ପରେ ଆଉ କିଛି ବୁଝିବାକୁ ତା’ର ବାକି ନଥିଲା । ମରିଥିବା ଲୋକଟି ତା’ରି ବାପ ।

 

ଥାନାରେ ମଦୁଆ ମୁନିଆପ୍‌ପାନ୍‍ର ମୃତ୍ୟୁର କାରଣ ନେଇ ଅନୁସନ୍ଧାନ ଚାଲିଛି ବୋଲି କେହି ଜଣେ କହିଲା । ସେ ଥାନାକୁ ନ ଯାଇ ସମସ୍ତଙ୍କ ଅଜଣାରେ ସାଲେମ୍‍ ଫେରି ସେଠାରୁ ବାଙ୍ଗାଲୋର ରେଳ ଧରି ଚାଲିଗଲା ।

 

ସେଦିନ ଅର୍ଦ୍ଧନାରୀର ସ୍ଵର ଅଦ୍ଭୁତ ଶୁଭୁଥିଲା–“ପଙ୍କଜା, ତୁମେ ମୋତେ ନିଶ୍ଚୟ କ୍ଷମା କରିବାକୁ ଚେଷ୍ଟା କରିବ ।” ପଙ୍କଜା କହିଲା–“ସେ ତ ପରକଥା ଆଗ କହିଲ ସାଲେମ୍‍ ଖବର–”

 

ସେ ଉତ୍ତର ଦେଲା–“ସେମାନେ ସମସ୍ତେ ମରିଯାଇଛନ୍ତି ଏବଂ ମୋରି ଅବହେଳାରୁ ସେମାନେ ମରିଛନ୍ତି । ବର୍ତ୍ତମାନ ମୋର ଜୀବନ ପ୍ରତି ଆଉ କୌଣସି ମମତା ନାହିଁ । ମୁଁ ମୋ କାମରୁ ଇସ୍ତଫା ଦେଇ ଗାଁକୁ ଚାଲିଯାଉଛି । ତୁମେ ମୋତେ ଭୁଲିଯାଅ ପଙ୍କଜା ! ପଙ୍କଜା ତାକୁ ଆବାକାବା ହୋଇ ଚାହିଁବାକୁ ଲାଗିଲା । ତା’ପରେ ଆତଙ୍କିତ ହୋଇ ଭାଇକୁ ଡାକିବାପାଇଁ ସେ ଦୌଡ଼ି ପଳାଇଲା ।

 

ଅର୍ଦ୍ଧନାରୀକୁ ଜ୍ଵର । ଭୀଷଣ ଜ୍ଵର । ଡାକ୍ତର ପ୍ରଥମେ କହିଲେ ତାକୁ ଟାଇଫଏଡ଼୍ ହୋଇଛି । କିନ୍ତୁ ପରେ କହିଲେ ସେ ଜ୍ଵର ମସ୍ତିଷ୍କର । ମାସେ ପର୍ଯ୍ୟନ୍ତ ବିଛଣାରେ ପଡ଼ି ରହିଲା ଅର୍ଦ୍ଧନାରୀ । ଦୀର୍ଘ ଏକମାସ ଧରି ଗୋବିନ୍ଦ ଓ ପଙ୍କଜା ତା’ ପାଖେପାଖେ ରହି ତା’ର ସେବା ଯତ୍ନ କଲେ । ଚତୁର୍ଥ ସପ୍ତାହରେ ତା’ର ଜ୍ଵର କମିଲା । ଡାକ୍ତର କହିଲେ ବ୍ୟସ୍ତ ହେବାର ଆଉ କୌଣସି କାରଣ ନାହିଁ ।

 

ଖୁବ୍‌ ଶୀଘ୍ର ସେ ଭଲ ହୋଇ ନିଜେ ବିଛଣାରେ ବସିପାରିଲା । ଯେଉଁଦିନ ତା’ ପାଟି ଫିଟିଲା ସେଦିନ ସେ ହଠାତ୍ ଚମକେଇ ଦେଲା ସମସ୍ତଙ୍କୁ–“ମୁଁ ଗୋଟେ ପରିଆ । ଆରେ ମୁଁ ଗୋଟାଏ ପାପୀ । ମୁଁ ସତରେ ଗୋଟାଏ ଅଛବ । ଘୋର ପାପୀ, ମିଥ୍ୟାବାଦୀ ମୁଁ ! ଶୁଣୁଛ ? ଶୁଣ ତେବେ–ମୁଁ ତୁମକୁ ବିବାହ କରିପାରିବି ନାହିଁ । ତମକୁ ଭଗବାନଙ୍କ ରାଣ । ତୁମେ ଏ ପାପୀ ପରିଆ ମିଥ୍ୟାବାଦୀକୁ ଭୁଲିଯାଅ !” ପଙ୍କଜା ସବୁ ଶୁଣିଲା । ଧାରେ ମିଠା ହସ ତଥାପିବି ମୁହଁରେ ତା’ର ଲାଗି ରହିଥିଲା । ‘ତୁମେ କି ଜାତିର ଲୋକ ସେଥିରେ ମୋର କ’ଣ ଯାଏଁ ଆସେ’ ? ଆମେ ପରସ୍ପରକୁ ଛାଡ଼ି ଚାଲିଯିବାର କୌଣସି କାରଣ ନାହିଁ ବୋଲି ସେ ଅର୍ଦ୍ଧନାରୀକୁ ବୁଝାଇବାକୁ ଲାଗିଲା । କିନ୍ତୁ ଅର୍ଦ୍ଧନାରୀ ମୋଟେ ତା’ କଥାରେ ରାଜି ହେଲା ନାହିଁ । ସେ କହିଲା ମୁଁ ଜାଣେ ତୁମେମାନେ ମୋ ଜାତି ଉପରେ ଗୁରୁତ୍ଵ ଦେଇ ନପାର, କିନ୍ତୁ ମୁଁ ଜଣେ ହତ୍ୟାକାରୀ । ମୁଁ ମୋ ବାପା ଓ ମା’କୁ ହତ୍ୟା କରିଛି କହି ସେ ଆଉଥରେ ସେହି ସେହି ପୁରୁଣା କଥା ସବୁ ଘୋଷିବାକୁ ଲାଗିଲା ।

 

ପୂରା ଭଲ ହୋଇଯିବା ପରେ ଅର୍ଦ୍ଧନାରୀ ତା’ କାମରୁ ଇସ୍ତଫା ଦେଇଦେଲା ଏବଂ ତା’ର ଜନ୍ମମାଟି କୋକାଲାଇ କୋଳକୁ ଫେରି ଆସିଲା । ତା’ପରେ ସେ ସେଠାରେ ବାବାଜି ହୋଇ ଠାକୁରାଣୀ ମାରିଆମ୍ମାନ୍ ମନ୍ଦିରରେ ଗୋଟିଏ ସ୍କୁଲ୍ ପରିଚାଳନା କରିଥିଲେ ।

Image

 

କୁକୁଜା ସୁନ୍ଦରୀ

 

“ତା’ର କ’ଣ ନ ହେଲା, ସେଥିପାଇଁ ଆମେ କାହିଁକି ବ୍ୟସ୍ତ ହେବା ? ଏ ସବୁ ଧନ୍ଦାରେ ହାତଦେବା ବିପଜ୍ଜନକ । ତୁ ମୋ କଥା ଶୁଣ୍ । ଏ କାମରେ ମାତ ନାହିଁ ।”

“କମୁ ! ବିପଦର କୌଣସି କାରଣ ନାହିଁ । ସେ ଆମର ହସ୍ତାକ୍ଷର ଚିହ୍ନିନାହିଁ । ସେ ଯଦି ବା ଜାଣିପାରିଲା ସେଠୁ କ’ଣ ବା ହେଇଯିବ । ଟିକେ ମଜା କରିବା ?” “ଠିକ୍ ଅଛି । ତୁ ତେବେ ନିଜେ ଲେଖେ । ଲେଖିବାକୁ ମୋ କଲମ ଚଳୁନାହିଁ ।” “ତେବେ ତୁ ମୋତେ କଲମଟାଦେ । ମୁଁ ଲେଖିବି । ଲେଖିବାରେ ଅସୁବିଧା କ’ଣ ହେଉଛି ?”

ଏହି ସବୁ କଥାବାର୍ତ୍ତା ବୀରଶାଲିଙ୍ଗମ୍ ଛାତ୍ରୀ ନିବାସରେ ଗୋଟିଏ କୋଠରୀରେ ଚାଲିଥିଲା । କମଳା ଓ କାମତ୍ ଦୁହେଁ ବି.ଏ. ପଢ଼ୁଥିଲେ । ସେ ଦୁହେଁ ମିଶି ବଦମାସି କରି ଏଇ ବେନାମି ଚିଠିଟି ଲେଖିଥିଲେ ।

ଗୀତା ପ୍ରସଙ୍ଗ ଶିରୋମଣି ନରସିଂହ ଶାସ୍ତ୍ରୀଙ୍କୁ ଆମର ଅଭିନନ୍ଦନ ।

ମହାଶୟ, ଆମେ ବୀରଶାଲିଙ୍ଗମ୍ ଛାତ୍ରୀନିବାସର ଯୁବତୀ ଝିଅମାନେ ଆପଣଙ୍କ ନିକଟରେ ଆମର ଏହି ଦରଖାସ୍ତ ପେସ୍ କରୁଅଛୁ ।

ଆପଣ ଯେଉଁ ଉଦ୍ଦେଶ୍ୟରେ ଆପଣଙ୍କର ଉଚ୍ଚପଦବୀ ତ୍ୟାଗ କରିଛନ୍ତି; ଭଗବାନଙ୍କ ପ୍ରତି ଅନୁରକ୍ତି ହେତୁ ସର୍ବସାଧାରଣଙ୍କୁ ଆମର ଧର୍ମଶାସ୍ତ୍ର ବୁଝାଇ ଧର୍ମକାର୍ଯ୍ୟ କରୁଛନ୍ତି ସେଥିଲାଗି ଆମେ ଆପଣଙ୍କର ପ୍ରଶଂସା କରୁଛୁ । ଗତ ରବିବାର ଦିନ ବସନ୍ତ ହଲ୍‌ରେ ଆପଣ ଯେପରି ଉଚ୍ଚକୋଟୀର ବ୍ୟାଖ୍ୟା କଲେ ତା’ର ସମତୁଲ ହେବା ପରି ବ୍ୟାଖ୍ୟା ଆମେ ପୂର୍ବରୁ କେବେ ଶୁଣି ନଥିଲୁ । ଏପର୍ଯ୍ୟନ୍ତ ଆପଣଙ୍କ ପରି କେହି ଗୀତା ଅବା ଉପନିଷଦ ଏତେ ଚମତ୍କାରଭାବେ ବୁଝାଇ ନଥିଲେ । କିନ୍ତୁ ବଡ଼ ବିଚିତ୍ର କଥା ଆପଣ ଯେଉଁ ସତ୍ୟ ସର୍ବସାଧାରଣଙ୍କୁ ଏପରି ଚମତ୍କାରଭାବେ ବୁଝାଇଛନ୍ତି ତାହା ଆପଣ ନିଜପାଇଁ ପ୍ରୟୋଗ କରୁ ନାହାନ୍ତି । ଏହାର କାରଣ କ’ଣ ?

ସେଦିନ ଆପଣ ଆପଣଙ୍କର ବକ୍ତୃତାରେ ଆମେ ଆମମାନଙ୍କର ଚିନ୍ତାକୁ କାମ ସୃଷ୍ଟି କରୁଥିବା ପଦାର୍ଥମାନଙ୍କଠାରୁ ଦୂରରେ କିପରି ରଖିବା ଉଚିତ ତାହା ଚମତ୍କାରଭାବେ ବୁଝାଇ କହିଥିଲେ । ଠିକ୍ କଇଁଛ ଯେପରି ନିଜକୁ ଆପଣା ଖୋଳପା ଭିତରେ ଲୁଚାଇ ରଖେ, ପଞ୍ଚଇନ୍ଦ୍ରିୟକୁ ଅଶ୍ଵପରି ମନେ କରି ସେମାନଙ୍କୁ ଲଗାମ ଟାଣି ସେହିପରି ନିୟନ୍ତ୍ରଣ କରିବା ଉଚିତ । ନଚେତ୍ ଅନିୟନ୍ତ୍ରିତ ହୋଇ ସେମାନେ ଆମପାଇଁ ବିପଦ ସୃଷ୍ଟି କରାଇବେ ବୋଲି କହିଥିଲେ । କିନ୍ତୁ ଆପଣ ନିଜେ ଯେଉଁ ଉପଦେଶମାନ ଦେଲେ ତାହା ନିଜେ ପାଳନ କରୁ ନାହାନ୍ତି କାହିଁକି ? ଆପଣ ସେଦିନ ଦୀର୍ଘ ଦୁଇଘଣ୍ଟା ଧରି ବକ୍ତୃତା ଦେଲେ । ସେଠାରେ ଉପସ୍ଥିତ ଥିବା ଝିଅମାନଙ୍କ ପ୍ରତି ଥରେ ହେଲେ ଦୃଷ୍ଟିନିକ୍ଷେପ କଲେ ନାହିଁ । ସେଦିନ ଆପଣଙ୍କୁ ଯେଉଁମାନେ ଦେଖିଛନ୍ତି ସେମାନେ, ଆପଣ ଗେରୁଆ ବସ୍ତ୍ର ପିନ୍ଧି ନଥିଲେବି ଆପଣଙ୍କୁ ଜଣେ ସନ୍ନ୍ୟାସୀ ବୋଲି ଧରି ନେଇଛନ୍ତି । କିନ୍ତୁ ଗତ ଦୁଇଦିନ ହେଲା ଆପଣଙ୍କର ବ୍ୟବହାର ଆପଣଙ୍କର ଭଦ୍ର ବ୍ୟକ୍ତିତ୍ଵର ଯଥାର୍ଥତା ପ୍ରତିପାଦନ କରୁ ନାହିଁ । ଆପଣ ଅତି ନିର୍ମମଭାବେ ସତ୍‌ପଥରୁ ବିଚ୍ୟୁତ ହୋଇ ପଡ଼ୁଛନ୍ତି ଓ ନର୍କକୁଣ୍ଡରେ ପଡ଼ିଗଲା ପରି ମନେ ହେଉଛି । ଆପଣଙ୍କ ନିଜର ଆଖି ଉପରେ ମଧ୍ୟ ଆପଣଙ୍କର ନିୟନ୍ତ୍ରଣ ଥିଲା ପରି ମନେ ହେଉନାହିଁ । ଆମ ଭିତରୁ କେତେକ ଆପଣଙ୍କ ବିରୁଦ୍ଧରେ ଅଧ୍ୟକ୍ଷାଙ୍କୁ ମଧ୍ୟ ଜଣାଇବାକୁ ଠିକ୍ କରିଥିଲେ ।

ମାତ୍ର ଆପଣଙ୍କୁ ଅଯଥା ଅପମାନିତ କରିବା ଉଚିତ ହେବ ନାହିଁ ଭାବି ଆମେମାନେ ଆପଣଙ୍କୁ ଏହି ପତ୍ର ଲେଖୁଛୁ । ଆପଣଙ୍କ ସ୍ତ୍ରୀଙ୍କର ମୃତ୍ୟୁପରେ ସାଧାରଣତଃ ପୁରୁଷମାନେ ଯାହା କରିଥାଆନ୍ତି ଆପଣ ସେପରି କଲେ ନାହିଁ କାହିଁକି ? ପୁଣି ଥରେ ବିବାହ କଲେ ନାହିଁ କାହିଁକି ? ଦୟାକରି ଆମକଥା ଶୁଣନ୍ତୁ । ଆପଣ ଆଉ ଗୀତା ଉପରେ ଗୁଡ଼ାଏ ବକ୍ତୃତା ମାରନ୍ତୁ ନାହିଁ । ଘରକୁ ଯାଇ ବିଭା ହୋଇ ରୁହନ୍ତୁ । ଆପଣଙ୍କୁ ସେପରି କିଛି ବୟସ ହୋଇ ଯାଇନାହିଁ । ଆମେ ଭାବୁଛୁ ଆପଣଙ୍କୁ ପଚାଶବର୍ଷବି ହୋଇ ନଥିବ । ଆମେ ଆପଣଙ୍କ ପାଇଁ ଝିଅଟିଏବି ବାଛିଚୁ । ରେନିଗୁଣ୍ଟା ଜଂକସନର ପାଖ ଷ୍ଟେସନ୍‍ ବାଙ୍କିପୁରମ୍ ଦକ୍ଷିଣ ଗଳିରେ ଗୋଟିଏ ବଡ଼ଘର ଅଛି । ସେଠାରେ ଗୋବିନ୍ଦାରିୟା ରୁହନ୍ତି । ତାଙ୍କର ବାଇଶବର୍ଷର ଗୋଟିଏ ଝିଅ ଅଛି । ଆପଣ ଯଦି ରାଜି ହେବେ ତେବେ ତା’ ସାଙ୍ଗରେ ଆମେ ପ୍ରସ୍ତାବ ପକାଇବୁ । ଆପଣଙ୍କ ମତାମତ ଆମକୁ ସଙ୍କେତଦ୍ଵାରା ଜଣାଇ ଦେବେ । ଆପଣ ଯଦି ଛାତତଳେ ଆପଣଙ୍କ ସିଲ୍କ ଧଡ଼ିଥିବା ଉତ୍ତରୀୟକୁ ଦୌଡ଼ି ଉପରେ ପକାଇ ତା’ ଉପରେ ଆପଣଙ୍କ ଛତାକୁ ଝୁଲାଇ ଦେବେ, ତେବେ ଆମେମାନେ ଏଠାରୁ ଦେଖି ପାରିବୁ । ଏହା ଦେଖି ଆମେ ବୁଝିବୁ ଯେ ଏ ପ୍ରସ୍ତାବରେ ଆପଣ ସମ୍ମତି ପ୍ରଦାନ କରୁଛନ୍ତି । ଏତିକି ଜାଣି ସାରିବା ପରେ ଆମେ ପ୍ରୟୋଜନୀୟ ବ୍ୟବସ୍ଥା କରିବୁ । ମତାମତ ଦେବାଲାଗି ଆମେ ଝିଅଘର ଲୋକଙ୍କ ସଙ୍ଗେ ବ୍ୟବସ୍ଥା କରିବୁ ।

ଏ ପ୍ରସ୍ତାବକୁ ନାହିଁ କରିଦେଇ ଆପଣଙ୍କର ସୁନାମରେ କଳଙ୍କ ଲଗାନ୍ତୁ ନାହିଁ । ଦୟାକରି ଛାତ ଉପରେ ଠିଆ ହୋଇ ଆଖି ମାରନ୍ତୁ ନାହିଁ ।

। ଇତି ।

ବୀରଶାଲିଙ୍ଗମ୍ ଛାତ୍ରୀନିବାସର ଛାତ୍ରୀଗଣ

 

ମହାଜନପୁରମ୍‌ର ନରସିଂହ ଶାସ୍ତ୍ରୀ ଦୀର୍ଘ ବାରବର୍ଷ କାଳ କୃତିତ୍ଵର ସହ ସବ୍‌ଜଜ୍‍ଭାବେ କାମ କଲାପରେ ଗୋଟାଏବର୍ଷ ଜଜ୍‌ରୂପେ କାମ କରିଥିଲେ । ତାଙ୍କର ସ୍ତ୍ରୀ ଦୀର୍ଘ ପନ୍ଦରବର୍ଷ ନିଃସନ୍ତାନ ରହିବା ପରେ ବାହାଘରର ଷୋଳବର୍ଷରେ ତାଙ୍କର ଗୋଟିଏ ଝିଅ ଜନ୍ମ ହୋଇଥିଲା । ସମସ୍ତ ପ୍ରକାର ଡାକ୍ତରୀ ସାହାଯ୍ୟ ଓ ଚିକିତ୍ସା ଯେପରି ମିଳିବ ସେଥିପାଇଁ ସବୁପ୍ରକାର ବ୍ୟବସ୍ଥା ସେ କରିଥିଲେ । କିନ୍ତୁ ପିଲାଜନ୍ମ ହେବାର ସତରଦିନ ପରେ ଡାକ୍ତରଙ୍କର ସମସ୍ତ ଚେଷ୍ଟା ସତ୍ତ୍ୱେ ସୂତିକା ଜ୍ଵରରେ ସ୍ତ୍ରୀଙ୍କର ମୃତ୍ୟୁ ହୋଇଗଲା ।

 

ତାଙ୍କ ବିଧବା ବଡ଼ଭଉଣୀ ତାଙ୍କ ପାଖରେ ରହୁଥିଲେ । ସେ ଝିଅଟିକୁ ଅତି ଆଦରରେ ଲାଳନପାଳନ କଲେ । ସେ ସାନଭାଇକୁ ଆଉଥରେ ବିବାହ କରିବା ଲାଗି ବରାବର ଲଗାଉଥିଲେ ମାତ୍ର ଭାଇ, ଭଉଣୀର ପ୍ରସ୍ତାବରେ ଆଦୌ ରାଜି ହୋଇ ନଥିଲେ । ସେ ନିଷ୍ଠାପୂର୍ଣ୍ଣ ଜୀବନଯାପନ କରୁଥିଲେ । ଅଫିସ୍ କାମ ଓ ଧର୍ମ ସଂକ୍ରାନ୍ତୀୟ ବହି ପଢ଼ାରେ ତାଙ୍କର ସମସ୍ତ ସମୟ ଅତିବାହିତ ହେଉଥିଲା ।

 

ନରସିଂହ ଶାସ୍ତ୍ରୀଙ୍କର ଦୁର୍ଭାଗ୍ୟର ଅବସାନ ଏତିକିରେ ହୋଇ ନଥିଲା । ତାଙ୍କ କଥା ନ ଶୁଣି ମାର୍ଗଶିର ଏକାଦଶୀ ଉତ୍ସବ ଦେଖିବାପାଇଁ ଶ୍ରୀ ରଙ୍ଗମ୍ ଯିବାଲାଗି ବଡ଼ଭଉଣୀ ଲଗାଇଥିଲେ-। ସେଠାରେ ହଇଜାରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା । ସେତେବେଳେ ସାନ ଝିଅଟିକୁ ଦୁଇବର୍ଷ ମଧ୍ୟ ହୋଇ ନଥିଲା ।

 

ପୁଣି ଥରେ ଯେଉଁମାନଙ୍କର ବିବାହଯୋଗ୍ୟା ଝିଅ ଥିଲେ ସେମାନେ ବିବାହ ପ୍ରସ୍ତାବ ଧରି ଆମର ଏହି ଶାସ୍ତ୍ରୀଙ୍କ ପାଖକୁ ଆସିଥିଲେ । ପିଲାଟି ଲାଗି ସେ ଅନ୍ତତଃ ବିବାହ କରିବା ଉଚିତ ବୋଲି ସେମାନେ ତାଙ୍କୁ କହିଲେ । ଶାସ୍ତ୍ରୀ କେବଳ ବିବାହ କରିବାକୁ ଯେ ମନା କରି ଦେଇଥିଲେ ସେ କଥା ନୁହେଁ, ସେ ଚାକିରିରୁ ମଧ୍ୟ ଇସ୍ତଫା ଦେଇ ସାରିଥିଲେ । ତାଙ୍କର ଆଧୁନିକ ଓ ପୁରାତନ ଶାସ୍ତ୍ର ସମ୍ବନ୍ଧରେ ଅତ୍ୟଧିକ ଜ୍ଞାନ ଥିବା ହେତୁ ସେ ତାହା ବ୍ୟାଖ୍ୟା କରି ବେଶ୍ ସୁନାମ ଅର୍ଜନ କରିଥିଲେ । ସଙ୍ଗୀତ ଶୁଣିବାପାଇଁ ଲୋକଙ୍କର ଯେପରି ଭିଡ଼ ଜମେ ମାନ୍ଦ୍ରାଜରେ ତାଙ୍କ ଧର୍ମ ସଂକ୍ରାନ୍ତୀୟ, ବକ୍ତୃତା ଶୁଣିବାଲାଗି ସେହିପରି ଲୋକ ରୁଣ୍ଡ ହୁଅନ୍ତି । ଜାତିଧର୍ମ ନିର୍ବିଶେଷରେ ପୁରୁଷ, ସ୍ତ୍ରୀ, ଜ୍ଞାନୀ, ଅଜ୍ଞାନୀ ତାଙ୍କୁ ଆଗ୍ରହର ସହିତ ଶୁଣନ୍ତି । ତାଙ୍କୁ ଲୋକମାନେ ଗୀତା ପ୍ରସଙ୍ଗ ଶିରୋମଣି ଅର୍ଥାତ୍ ଗୀତା ଉପରେ ଭାଷଣ ଦେଉଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ରତ୍ନ ବୋଲି କହୁଥିଲେ । ଏହିପରି କେତେମାସ ବିତିଗଲା । ଅତୀତ ଜୀବନର କର୍ମଫଳ ଏଡ଼ିଦେଇ ହେବ କି ? ଯେଉଁ ଲୋକଟି ଦୀର୍ଘଦିନ ଧରି ଏପରି ନିଷ୍ଠାପୂର୍ଣ୍ଣ ଜୀବନ ଅତିବାହିତ କରିଥିଲା ସେ ହଠାତ୍ ଗତ ବୁଧବାର ରାତିରେ ନିର୍ବୋଧ ହୋଇ ପଡ଼ିଲା ।

 

ସେ ବୀରଶାଲିଙ୍ଗମ୍ ଛାତ୍ରୀନିବାସର ପଛ ଗଳିରେ ଏକ ଛାତ ଘରେ ରହୁଥିଲେ । ବେଳେବେଳେ ଏକ ସମୟରେ ଶାସ୍ତ୍ରୀ ଏବଂ ଝିଅମାନେ ସେମାନଙ୍କ ନିଜ ନିଜ ଛାତ ଉପରେ ଠିଆ ହୋଇଥିବାର ଦେଖାଯାଏ । ବେଳେବେଳେ ଶାସ୍ତ୍ରୀଙ୍କ ଆଖି ସେମାନଙ୍କ ଉପରେ ପଡ଼ିଯାଏ । ଲାଗଲାଗ ହୋଇ ଦୁଇ ତିନିଦିନ ଏହି ଘଟଣା ଘଟିବାକୁ ଲାଗିଲା । ଝିଅମାନଙ୍କୁ ଏହା ଭଲ ଲାଗି ନଥିଲା ଓ ଫଳରେ ସେମାନେ ଉପରେ ବର୍ଣ୍ଣିତ ବେନାମି ଚିଠିଟି ତାଙ୍କୁ ପଠାଇଥିଲେ ।

 

–୨–

 

ପୋଷ୍ଟ୍ ପିଅନ କବାଟରେ ଖଟ୍‍ଖଟ୍ କଲା । ସେ ନିଜେ ଯାଇ ତା’ଠୁ ଚିଠିଟି ଆଣିଥିଲେ-। ସେ ଚିଠିଟିକୁ ପଢ଼ି ରାଗରେ ଫିଙ୍ଗିଦେବା ଉପରେ । ହଠାତ୍ ଏପରି ଅପମାନଜନକ ପତ୍ର ପାଇ ସେ ବ୍ୟସ୍ତ ହୋଇ ଉଠିଲେ ।

 

କିଛି ସମୟ ଲାଗି ସେ ଚିନ୍ତାମଗ୍ନ ହୋଇ ବସି ତା’ପରେ ଚିଠିଟିକୁ ନଷ୍ଟ କରିଦେବା ପରିବର୍ତ୍ତେ ଯତ୍ନର ସହିତ ଭାଙ୍ଗିଭୁଙ୍ଗି ନିଜ ବ୍ୟାଗ୍‌ରେ ରଖିଦେଲେ ।

 

ଦୁଃଖରେ ସେ ଭାଙ୍ଗିପଡ଼ିଲେ । ତାଙ୍କ ଶପଥ ମିଥ୍ୟାରେ ପରିଣତ ହେଲା । ତାଙ୍କର ସମସ୍ତ ଜ୍ଞାନ ଅକାରଣ ହୋଇଗଲା । ସେ ମନରେ ଅତିମାତ୍ରାରେ ଆଘାତ ପାଇଲେ । ଏ ଅପମାନକୁ କିପରି ବରଦାସ୍ତ କରିବେ ସେ ଭାବି ପାରିଲେ ନାହିଁ ।

 

ଅନ୍ୟମନସ୍କଭାବେ ସେ ଗୋଟିଏ ବହି ଉଠାଇ ନେଇ ପଢ଼ିବାକୁ ଚେଷ୍ଟା କଲେ କିନ୍ତୁ ତାହା ପଢ଼ିବା ସମ୍ଭବ ହେଲା ନାହିଁ । ଏହି ଅପମାନ କଥା ସେ ମୋଟେ ଭୁଲି ପାରିଲେ ନାହିଁ । ହେ ଭଗବାନ୍, ମୁଁ କ’ଣ ଖରାପ ହୋଇ ଯାଉଛି ? ସୀତାରାମ୍, ସୀତାରାମ୍ କହି ତାଙ୍କୁ କ୍ଷମା କରିବା ଲାଗି ସେ ଆପଣାର ପ୍ରିୟ ଠାକୁରଙ୍କୁ ଡାକିଲେ ।

 

ସେ ଦିନ ରାତିରେ ତାଙ୍କୁ ମୋଟେ ନିଦ ହେଲା ନାହିଁ । ତାଙ୍କର ମୃତ ସ୍ତ୍ରୀ ଓ ଭଉଣୀକୁ ସେ ମନେ ପକାଇଲେ । ସେ ମାଡ଼୍ରାସ୍ ଛାଡ଼ି ତାଙ୍କ ନିଜ ଗାଁକୁ ଚାଲିଯିବେ ବୋଲି ସ୍ଥିରକଲେ । କିନ୍ତୁ ଆଗାମୀ ରବିବାର ଦିନ ଚନ୍ଦ୍ରାଦି ପେଟର ବଡ଼ ଲୁଗା ବ୍ୟବସାୟୀ ରାମନାଥନ୍ ଚେଟିୟାର୍‍ଙ୍କ ଘରେ ଗୀତା ଉପରେ ସେ ଭାଷଣ ଦେବେ ବୋଲି ପୂର୍ବରୁ ସ୍ଥିର ହୋଇ ଯାଇଛି । ତାହା ସେ କିପରି ବନ୍ଦ କରି ଦେଇ ପାରିବେ ? ସେ କିପରି ବା ବକ୍ତୃତା ଦେଇ ପାରିବେ ? ସାଂପ୍ରତିକ ସମସ୍ୟାଗୁଡ଼ିକ ସମ୍ପର୍କରେ ଚିନ୍ତାକରି ସେ ରାତିସାରା ଉଜାଗର ରହିଲେ ।

 

–୩–

 

ଛାତ୍ରୀମାନେ ହତାଶ ହେଲେ । ସେମାନେ ଶିରୋମଣିଙ୍କ ଛାତ ଉପରେ ତାଙ୍କ ଉତ୍ତରୀୟ ଓ ଛତାର ସଂକେତ ଦେଖିଲେ ନାହିଁ । ତା’ ପରଦିନ ମଧ୍ୟ କୌଣସି ସଂକେତ ଦେଖାଗଲା ନାହିଁ । ସେମାନଙ୍କର ଯୋଜନା ଫେଲ୍ ମାରି ଯିବାର ଦେଖି ସେମାନେ ଦୁଃଖିତ ହେଲେ ।

 

କମଳା କହିଲା କାମତ୍‌ଚି ଆମେ ଆଉ ଦିନେ ଅପେକ୍ଷା କରିବା ।

 

କାମତ୍‌ଚି କହିଲା ଶିରୋମଣି ବେଶ୍ ଚାଲାକଲୋକ । ସେ ଠକେଇରେ ପଡ଼ିବେ ନାହିଁ-

 

ତୁ କ’ଣ ବାଜି ପକାଇବୁ ?

 

‘ଦୁଇଟଙ୍କା’

 

କମଳା କହିଲା ଠିକ୍ ଅଛି । ତୁ ମୋତେ ଦୁଇଦିନ ସମୟ ଦେ । ତୃତୀୟ ଦିନ ରାତିରେ ଶାସ୍ତ୍ରୀ ଛାତ ଉପରେ ବସି ମୁକ୍ତ ଆକାଶକୁ ଚାହିଁଛନ୍ତି ।

 

“ଏହି ମହାନ୍ ବିଶ୍ଵରେ ମୁଁ ସାମାନ୍ୟ ଧୂଳିକଣା ମାତ୍ର । କୌଣସିରୂପେ ମୋର ସ୍ଥିତି ରଖି ଚଳୁଛି । ମୁଁ କିପରି ସମ୍ପୂର୍ଣ୍ଣରୂପେ ମୋର ଏହି କ୍ଷୁଦ୍ରତା ବିଷୟ ଅନୁଭବ କରିବି ଏବଂ ଆପଣାର କ୍ଷୁଦ୍ରତାର ନିନ୍ଦା କରିବି ? ମୋର ସମ୍ଭ୍ରମ କିମ୍ବା ଭୟ ଆପଣଙ୍କୁ କୌଣସି ପ୍ରଭାବିତ କରୁ ନାହିଁ । ହେ’ ପ୍ରଭୁ ମୋତେ ରକ୍ଷା କରନ୍ତୁ” କହି ସେ କାନ୍ଦିବାକୁ ଲାଗିଲେ । ଏହିପରି ହତାଶ ଅବସ୍ଥାରେ ସେ ଦୀର୍ଘ ସମୟ ରହିବା ପରେ ତାଙ୍କୁ ନିଦ ହୋଇ ଯାଇଥିଲା । ସ୍ଵପ୍ନରେ ତାଙ୍କ ମୃତ ସ୍ତ୍ରୀ ତାଙ୍କୁ ଦେଖାଦେଲେ, ଗୋଟିଏ ଥାଳିଆରେ ପାନ ଗୁଆ ଦେଇ ସ୍ୱାମୀଙ୍କୁ ହତାଶ ନ ହେବାକୁ କହି ସେ ଅନ୍ତର୍ଦ୍ଧାନ ହେଇଗଲେ । ଏହି ସ୍ୱପ୍ନ ପରେ ତାଙ୍କ ମନ କେତେକାଂଶରେ ସଫା ହୋଇଗଲା । ସ୍ୱପ୍ନରେ ନାରୀ ଦର୍ଶନ ଶୁଭ ଲକ୍ଷଣ । ଯେକୌଣସି କାମପାଇଁ ଏହା ଶୁଭଙ୍କର । ସେ ନିଜକୁ ବୁଝାଇଲେ ଯେ ତାଙ୍କ ମୃତ ସ୍ତ୍ରୀ ତାଙ୍କୁ ଆଉଥରେ ବିଭା ହେବା ନିମନ୍ତେ କହିଗଲେ । ସେ ଝିଅମାନେ ଯାହା କହିଛନ୍ତି ଠିକ୍ କହିଛନ୍ତି । ସମୟ ହେବା ପୂର୍ବରୁ ଜଣେ ଆପଣାର ପ୍ରବୃତ୍ତିକୁ ଚାପି ରଖିବା ଉଚିତ ନୁହେଁ । ମନ ଯେତେବେଳେ ନିର୍ମଳ ନୁହେଁ ସେତେବେଳେ ପ୍ରବୃତ୍ତିକୁ ଚାପି ରଖିବା ମୂଲ୍ୟହୀନ । ଅହମିକା ହେତୁ ଆମ ଶାସ୍ତ୍ରଗୁଡ଼ିକୁ ମୁଁ ଅବହେଳା କରି ଆସିଛି । ଆଉଥରେ ବିଭାହେବା ଉଚିତ ବୋଲି ସେ ମନେମନେ ଠିକ୍ କଲେ । ଝିଅମାନଙ୍କ ଦୃଷ୍ଟାମି ଭିତରେ ସେ ଭଗବାନଙ୍କର ନିର୍ଦ୍ଦେଶ ଦେଖି ପାରିଲେ ।

 

ତା’ପର ଦିନ ତାଙ୍କର ସିଲ୍କ ଧଡ଼ିଥିବା ଉତ୍ତରୀୟକୁ ସେ ଦୌଡ଼ିରେ ପକାଇ ତା’ ଉପରେ ଛତାଟିକୁ ଓହଳାଇ ଦେଲେ ।

 

ଛାତ୍ରୀ ନିବାସରେ ଖୁବ୍ ଆନନ୍ଦ ଉନ୍ମାଦନା ଦେଖା ଦେଲା । କମଳା ଓ କମୁ ଖୁସିରେ ନାଚିବାକୁ ଲାଗିଲେ ।

 

କମଳା କହିଲା–“ମୋ ଦୁଇଟଙ୍କା ମୋତେ ଦେ ।” କାମାତ୍‌ଚି କହିଲା–“ଠିକ୍ ଅଛି । ତୁ ତୋ ଟଙ୍କା ନେବୁ । ଏବେ ତୁ ବାଙ୍କିପୁରମ୍ ଯାଆ ।”

 

–୪–

 

ବାଙ୍କିପୁରମ୍‌ରେ ଗୋବିନ୍ଦାରିୟା ଜଣେ ଧନୀଲୋକ । ସେଠିକାର ଗୋଟିଏ ଶିକ୍ଷିତ ପରିବାରରେ ତାଙ୍କ ଜନ୍ମ ଓ ସେ ନିଜେବି ଜଣେ ବିଦ୍ଵାନ ଲୋକ । ତାଙ୍କର ସୁନ୍ଦରୀ ବୋଲି ଗୋଟିଏ ଝିଅ । ତାଙ୍କର ପୁଅ ନଥିଲେ । ସେ ନିଜର ଝିଅକୁ ଅନେକ ସଂସ୍କୃତ ପାଠ ପଢ଼ାଇଥିଲେ । ତାକୁ ଯେତେବେଳେ ବାରବର୍ଷ ହେଲା ସେତେବେଳେ ସେ ଝିଅକୁ ବିଭାଦେବା ଲାଗି ଗୋଟିଏ ପାତ୍ର ଖୋଜିବାକୁ ଲାଗିଲେ । ସେତିକିବେଳେ ତାକୁ ଖୁବ୍ ଜ୍ଵର ହେଲା । ଫଳରେ ତା’ର ଗୋଟିଏ ଗୋଡ଼ ଛୋଟା ହୋଇଗଲା ଓ ପିଠି ବଙ୍କା ହୋଇଗଲା । କୌଣସି ଚିକିତ୍ସା ତାକୁ ଭଲ କରି ପାରିଲା ନାହିଁ । ତାଙ୍କ ଅବିବାହିତା ଝିଅକୁ ଯେ ଏପରି ଦାଋଣ ଦୁଃଖ ପଡ଼ିପାରେ ତାହା ଗୋବିନ୍ଦାରିୟାଙ୍କ ସ୍ତ୍ରୀଙ୍କର ସବୁଠୁ ବଡ଼ ଦୁଃଖର କାରଣ ଥିଲା । ସେହି କଥା ଭାବି ଭାବି ସେ ଅସୁସ୍ଥ ହୋଇ ପଡ଼ିଲେ ଓ ଶେଷରେ ତାଙ୍କର ମୃତ୍ୟୁ ହେଲା ।

 

ଗୋବିନ୍ଦାରିୟା ନିଜ ଝିଅକୁ ଶାସ୍ତ୍ର ନିର୍ଦ୍ଦେଶାନୁସାରେ ବିଭା ଦେବାପାଇଁ ସବୁ ପ୍ରକାର ଉଦ୍ୟମ କଲେ । ଅନେକ ଟଙ୍କା ଯୌତୁକର ପ୍ରତିଶ୍ରୁତି ମଧ୍ୟ ଦେଲେ । ମାତ୍ର କେହି ଏପରି ଏକ ଛୋଟୀ ବିକଳାଙ୍ଗୀ କନ୍ୟାକୁ ବିଭା ହେବା ନିମନ୍ତେ ରାଜି ହେଲେ ନାହିଁ । ଝିଅଟି ଖୁବ୍ ସାହସୀ ଥିଲା, ସେ ଆପଣାର ଦୁର୍ଭାଗ୍ୟକୁ ଗ୍ରହଣ କରି ନେଇଥିଲା ଓ ତା’ପାଇଁ ବ୍ୟସ୍ତ ନହେବା ଲାଗି ତା’ର ବାପାଙ୍କୁ ବୁଝାଉଥିଲା । ସେ ତାମିଲ ଓ ସଂସ୍କୃତ ସାହିତ୍ୟ ଅଧ୍ୟୟନ କରି ବେଶ୍ ଖୁସିରେ ସମୟ କଟାଉଥିଲା ।

 

ସୁନ୍ଦରୀ ବିକଳାଙ୍ଗ ହୋଇ ପଡ଼ିଥିଲେ ମଧ୍ୟ ଘରର ସମସ୍ତ କାମ କରୁଥିଲା । ଝିଅର ନାମକରଣ ସୁନ୍ଦରୀ ହେବାବେଳେ ସେ ଯେ ଦିନେ ଏଭଳି ବିକଳାଙ୍ଗ ହେବ ସେ କଥା ତା’ର ମା’ ଭୁଲ୍‌ରେ କଳ୍ପନାବି କରି ନଥିଲେ । ଯଥାର୍ଥରେ ତା’ର ରୂପ ଅନୁସାରେ ତା’ର ନାମକରଣ ହୋଇଥିଲା । ତାଙ୍କର ସମସ୍ତ ସମ୍ପର୍କୀୟ ପିଲାମାନଙ୍କ ତୁଳନାରେ ସେ ଅଧିକ ସୁନ୍ଦରୀ ଥିଲା ବୋଲି ତା’ର ମା’ ମନେ କରିଥିଲେ । ପିଲାଟିର ରଙ୍ଗ ବୋଧହୁଏ ମଇଳା ଥିଲା । କିନ୍ତୁ ମଇଳା ରଙ୍ଗ ହେଲେ କ’ଣ ହେବ ତା’ ନାକ କପାଳ ଭ୍ରୂଲତାଗୁଡ଼ିକ ଛବି ଆଙ୍କିଲା ପରି ସୁନ୍ଦର ଥିଲା । ଗୋଡ଼ ଓ କୁଜକୁ ବାଦ୍ ଦେଇ ତାକୁ ଚାହିଁଲେ ସେ ତା’ର ସମସାମୟିକ ଯେକୌଣସି ସୁନ୍ଦରୀ ଝିଅ ପରି ଦିଶୁଥିଲା । ସେ ବିକଳାଙ୍ଗ ହୋଇ ଯାଇଥିଲେ ମଧ୍ୟ ତା’ର ନାଁ ସେହିପରି ରହିଯାଇଥିଲା ।

 

କିନ୍ତୁ ବାଙ୍କିପୁରମ୍‌ରେ ଏହି ସୁନ୍ଦର ନାଁଟି ଭିନ୍ନ ଅର୍ଥ ବୁଝାଉଥିଲା । ସୁନ୍ଦରୀ କହିଲେ ସମସ୍ତେ କୁଜୀକୁ ବୁଝୁଥିଲେ ।

 

ବେନାମି ଚିଠିର ଲେଖିକା କମଳା ବାଙ୍କିପୁରମ୍‌ର ଜଣେ ବଡ଼ ଧନୀ ଲୋକର ଆଦରର ଝିଅ ଥିଲା । ସେ ସୁନ୍ଦରୀର ବାନ୍ଧବୀ, ବରାବର ଗୋବିନ୍ଦାରିୟାଙ୍କ ଘରକୁ ଯାଆସ କରୁଥିଲା ।

 

“କମଳା ଏତ ଛୁଟି ସମୟ ନୁହେଁ । କ’ଣ ଛୁଟି ହେଇଛି ? ତୁ କିପରି ଆସିଲୁ ?” ବୋଲି ଗୋବିନ୍ଦାରିୟା ପଚାରିଲେ ।

 

ସେ କହିଲା–“ମଉସା, ସୁନ୍ଦରୀପାଇଁ ମୁଁ ଗୋଟିଏ ପାତ୍ର ଠିକ୍ କରିଛି । ତୁମେ ନିଶ୍ଚୟ ଏ ପ୍ରସ୍ତାବରେ ସ୍ୱୀକୃତି ଦେବ ।”

 

ସେ ତାଙ୍କ ହତଭାଗିନୀ ଝିଅଟିକୁ ଉପହାସ କରୁଛି ଭାବି ପ୍ରଥମେ ଗୋବିନ୍ଦାରିୟା, କ୍ଷୁବ୍ଧ ହୋଇ ଉଠିଲେ । ତା’ପରେ କମଳା ସବୁ କଥା ତାଙ୍କୁ କହିଲା ।

 

ସବୁ ଶୁଣି ସାରିବା ପରେ ଗୋବିନ୍ଦାରିୟା ପୁଣି ଦୁଃଖିତ ହୋଇ ପଡ଼ିଲେ । କହିଲେ “ଏ ସବୁ ଗୋଟିଏ ଛୋଟ ଝିଅର କାରବାର । ସେ ସୁନ୍ଦରୀକୁ ବିଭାହେବା ଲାଗି କିପରି ରାଜିହେବ ? ମୋ ଦୁର୍ଭାଗ୍ୟ ଏତେ ଶୀଘ୍ର ଦୂର ହେବ ନାହିଁ ।”

 

କମଳା କହିଲା–‘ମଉସା ସେ ବର୍ତ୍ତମାନ ଆମ ହାତମୁଠାରେ । ମୁଁ ତାଙ୍କୁ ନିଶ୍ଚୟ ରାଜି କରାଇବି ।’

 

“ତୁ ଭାରି ସାହସୀ କମଳା କିନ୍ତୁ ଭଗବାନ କେବଳ ମୋତେ ସାହାଯ୍ୟ କରି ପାରିବେ” କହି ସେ ଅତି ବିକଳ ହୋଇ କାନ୍ଦି ଉଠିଲେ ।

 

ସୁନ୍ଦରୀ ତା’ ବାପାଙ୍କୁ ତା’ ଲାଗି ମୋଟେ ବ୍ୟସ୍ତ ନହେବାପାଇଁ ବୁଝାଇଲା ।

 

ତା’ ପରଦିନ ଗୋଟିଏ ଗାଡ଼ି ଆସି ତାଙ୍କ ଘର ପାଖରେ ପହଞ୍ଚିବାର ସେମାନେ ଶୁଣିଲେ । ନରସିଂହ ଶାସ୍ତ୍ରୀ ଧୀରେ ଧୀରେ ତାଙ୍କ ଗାଡ଼ିରୁ ଓହ୍ଲାଇଲେ ।

 

କମଳା ତାଙ୍କୁ ଗୋଟିଏ ଆଧୁନିକ ଭାରତୀୟ ଝିଅପରି ସାହସର ସହିତ ଘର ଭିତରକୁ ପାଛୋଟି ନେଇଗଲା ।

 

ନରସିଂହ ଶାସ୍ତ୍ରୀ କମଳାକୁ ପ୍ରଥମେ ଦେଖିଥିଲେ ଏବଂ ତାକୁ ପାତ୍ରୀ ବୋଲି ଭାବି ନେଇ ନିଜକୁ ଅତି ଭାଗ୍ୟବାନ ମନେ କରି ଖୁବ୍ ଖୁସି ହୋଇ ଘର ଭିତରକୁ ଯାଇଥିଲେ । କିନ୍ତୁ ଯେତେବେଳେ ପରିସ୍ଥିତି ବୁଝିଲେ ଓ ସୁନ୍ଦରୀକୁ ଦେଖିଲେ ସେ ଅତିମାତ୍ରାରେ ହତାଶ ହୋଇ ପଡ଼ିଲେ । କ୍ଷଣକପାଇଁ ସେ ବିବ୍ରତ ହୋଇ ଉଠିଲେ । ମୁହଁରେ ତାଙ୍କର ବିରକ୍ତି ଭାବ ପ୍ରତିଫଳିତ ହୋଇ ଉଠିଲା । କିନ୍ତୁ ସେ ନିଜକୁ ନିୟନ୍ତ୍ରଣ କରିନେଲେ । ତାଙ୍କର ପାଣ୍ଡିତ୍ୟ ଅର୍ଥହୀନ ନଥିଲା । ତାହା ତାଙ୍କ କାମରେ ଆସିଲା ।

 

ସେ ମାଡ଼୍ରାସରୁ ବାହାରିବାବେଳେ ଏକପ୍ରକାର ଆଧ୍ୟାତ୍ମିକ ନିଷ୍କାମ ଭାବ ଅନୁଭବ କରୁଥିଲେ । ସେ ଭାବୁଥିଲେ ସେ ଯାହାକିଛି କରୁଛନ୍ତି ଭଗବାନଙ୍କ ନିର୍ଦ୍ଦେଶ ପାଇ କରୁଛନ୍ତି । ତେଣୁ ସେ ସୁନ୍ଦରୀକୁ ଦେଖି ମନକୁମନ କହିଲେ ଠିକ୍ ଅଛି ଏହା ମୋର ପରୀକ୍ଷାର ବେଳ । ଏହି ପରୀକ୍ଷାରେ ମୁଁ ନିଶ୍ଚୟ ସଫଳ ହେବି । ଶାସ୍ତ୍ର ଓ ପାଣ୍ଡିତ୍ୟ ପ୍ରତି ଅବମାନନାଜନିତ ପାପପାଇଁ ଏହା ମୋର ପ୍ରାୟଶ୍ଚିତ୍ତ । ଏହି ଝିଅ ଯାହା ପ୍ରତି ଭାଗ୍ୟ ଏପରି ନିର୍ଦ୍ଦୟ ହୋଇଛି ମୁଁ ଯଦି ତାକୁ ଆଶ୍ରୟ ଦେଇ ପାରିଲି ତେବେ ମୁଁ ନିଜକୁ ଭାଗ୍ୟବାନ ମନେ କରିବି । ପ୍ରଥମେ ତାଙ୍କର ଯେଉଁ ଘୃଣାଭାବ ହୋଇଥିଲା ତାହାଦୂର ହୋଇଗଲା ।

 

କମଳା ସେତିକିରେ ଚୁପ୍ ରହିଲା ନାହିଁ । ସେ ଚାଲାକି କରି ସୁନ୍ଦରୀର ବିଭିନ୍ନ ବିଷୟରେ ଅଧ୍ୟୟନ ବିଶେଷତଃ ସଂସ୍କୃତରେ ଥିବା ତା’ର ପାଣ୍ଡିତ୍ୟ ସମ୍ପର୍କରେ ଜଣାଇ ଦେଲା । ଶାସ୍ତ୍ରୀ ଏକଥା ଶୁଣି ଖୁସିହେଲେ । ସୁନ୍ଦରୀ ଯେତେବେଳେ କଥା କହିବାକୁ ଆରମ୍ଭ କଲା ସେତେବେଳେ ତା’ର ଦେହ ଅଦୃଶ୍ୟ ହୋଇଗଲା ଓ ଆତ୍ମା କେବଳ ଦେଖାଗଲା ପରି ମନେହେଲା-। ସେ ନିଶ୍ଚିତ ହୋଇଗଲେ ଯେ ତାଙ୍କ ଝିଅ ଲକ୍ଷ୍ମୀପାଇଁ ସେ ଜଣେ ଉପଯୁକ୍ତା ମା’ ହେଇ ପାରିବ-। ସେ କହିଲେ–“ଅପବିତ୍ରତା ହେତୁ ମୋର ଆତ୍ମା କଳଙ୍କିତ ହୋଇ ପଡ଼ିଥିଲା ତାହା ବିକଶିତ ହୋଇ ଉଠିବ । ଏକ ଉନ୍ନତ ପର୍ଯ୍ୟାୟରେ ପହଞ୍ଚିବ । ଦେହ ଓ ଆତ୍ମା ଦୁଇଟା ସ୍ଵତନ୍ତ୍ର ଜିନିଷ । ଏ କଥା ମୁଁ ଏପର୍ଯ୍ୟନ୍ତ ଅନୁଭବ କରି ନଥିଲି, ଏପର୍ଯ୍ୟନ୍ତ ମୁଁ ଅଜ୍ଞାନ ଅନ୍ଧକାର ମଧ୍ୟରେ ରହିଛି । ମୋତେ ପ୍ରକୃତ ଜ୍ଞାନର ସନ୍ଧାନ କରିବାକୁ ହେବ । ଯେଉଁ ବିକଳାଙ୍ଗ ଦେହ ଆତ୍ମାକୁ ଘେରି ରହିଛି ତାହା ଆତ୍ମାର ସୌନ୍ଦର୍ଯ୍ୟ ନଷ୍ଟ କରିପାରେ ନାହିଁ । ଆତ୍ମା ଏକ ସ୍ଵତନ୍ତ୍ର ସତ୍ତା, ଏହା ଚିର ସୁନ୍ଦର ଓ ଆନନ୍ଦର ଉତ୍ସ । ଏହାହିଁ ଆମର ଶାସ୍ତ୍ର ଆମକୁ ଶିକ୍ଷା ଦେଇଥାଏ ।” ତା’ପରେ ସେ ଅଧ୍ୟୟନ କରିଥିବା ସମସ୍ତ ପ୍ରକାର ବେଦାନ୍ତ ଦର୍ଶନ ସ୍ମରଣ କରିବାକୁ ଲାଗିଲେ ।

 

କଥାବାର୍ତ୍ତା ସରିଗଲା । ବିବାହ ସ୍ଥିର ହୋଇଗଲା । ଗୋବିନ୍ଦାରିୟାଙ୍କ ଆନନ୍ଦ କହିଲେ ନ ସରେ । “ତୁମେ ମୋ ଜ୍ଵାଇଁ ନୁହ, ତୁମେ ଜଣେ ଦେବଦୂତ ମୋତେ ରକ୍ଷା କରିବାକୁ ଆସିଛ ।” ଏହା କହି ସେ ଶାସ୍ତ୍ରୀଙ୍କ ପାଦ ଛୁଇଁଲେ । ଶାସ୍ତ୍ରୀ ଜଣେ ମହାପୁରୁଷ ପରି ତାଙ୍କର ମନେ ହେଲା । ତାଙ୍କ ମୃତ ସ୍ତ୍ରୀଙ୍କ କଥା ଭାବି ସେ ଲୁହ ଚାପି ରଖିପାରିଲେ ନାହିଁ । ସେ ଅସ୍ଥିର ହୋଇ କାନ୍ଦିବାକୁ ଲାଗିଲେ । କମଳା କହିଲା–“ମଉସା ତୁମର କାନ୍ଦିବା ଉଚିତ ନୁହେଁ । ଏ ଶୁଭ ଅବସରରେ ତୁମର ଖୁସି ହେବା ଉଚିତ ।”

 

“ଝିଅ ତୁ ଆୟୁଷ୍ମତୀ ହୁଅ । ତୋର ସବୁ ମଙ୍ଗଳ ହେଉ” କହି ଗୋବିନ୍ଦାରିୟା କମଳାକୁ ଗୋଟିଏ ଥାଳିରେ ନଡ଼ିଆ ଓ ପାନପତ୍ର ଦେଲେ ‘କଲେଜ ପଢ଼ା ଝିଅର ଆଖି ଦୁଇଟି ମଧ୍ୟ ସଜଳ ହୋଇ ଉଠିଲା ।

 

ସେ ଛାତ୍ରୀନିବାସକୁ ଫେରି କାମତ୍‌ଚିକୁ କହିଲା–“ଆମର ଗୀତା ଶିରୋମଣି ଜଣେ ଖୁବ୍ ଭଲଲୋକ । ଆମେ ତାଙ୍କୁ କେବଳ ପରିହାସ କରି ଅପମାନିତ କରିବାକୁ ଭାବିଥିଲେ । କିନ୍ତୁ ସତକୁସତ ତାଙ୍କ ବାହାଘର ଠିକ୍ ହୋଇଗଲା ।” ତା’ପରେ ସେ କିପରି ବେନାମି ଚିଠି ଦେଇଥିଲେ ତାହା ସାଙ୍ଗମାନଙ୍କ ଆଗରେ ବର୍ଣ୍ଣନା କରିଥିଲା ।

 

ସେ କହିଲା ବିଭାଘର ତିରୁପତି ମନ୍ଦିରରେ ହେବ ଏବଂ ନିରାଡ଼ମ୍ବର ଭାବରେ ଦିନକ ଭିତରେ ସରିବ । ମୋତେ ବିବାହରେ ଯୋଗ ଦେବାକୁ ପଡ଼ିବ । ମୋତେ ଯିବାକୁ ଗୋବିନ୍ଦାରିୟା ବାରମ୍ବାର କହିଛନ୍ତି । ମୁଁ ନ ଗଲେ ଚଳିବ ନାହିଁ ।

 

କମଳା କହିଲା–“ଆମକୁ ନିଶ୍ଚୟ ଛୁଟି ମିଳିବ । ବିବାହକୁ ଆମେ ନିଶ୍ଚୟ ଯିବା” । କାମତ୍‌ଚି କହିଲା–“ତୁ ଯଦି ଯିବୁ ତେବେ ମୁଁ ବି ଯିବି ।”

 

ଆଉ ଦୁଇଜଣ ଝିଅ ସେମାନଙ୍କ ସାଙ୍ଗରେ ଯିବାକୁ ବାହାରିଲେ ସେମାନେ ସମସ୍ତେ ଖୁସିରେ ସାଙ୍ଗ ହୋଇ ତିରୁପତିରେ ନରସିଂହ ଶାସ୍ତ୍ରୀଙ୍କ ବିବାହ ଉତ୍ସବରେ ଯୋଗ ଦେବାକୁ ସ୍ଥିର କଲେ ।

 

‘ବୁଢ଼ା ବାହାଘର ଚମତ୍କାର ଭାବରେ ହେବ ।’ ସମସ୍ତେ ଏଇ କଥା କହିଲେ ଏବଂ ଉତ୍କଣ୍ଠିତ ହୋଇ ସେଇଦିନକୁ ଅପେକ୍ଷା କରି ରହିଲେ ।

 

ଏ ସମ୍ବାଦ ମାଡ଼୍ରାସରେ ପ୍ରଚାରିତ ହୋଇଗଲା । ବିଭିନ୍ନ ଧର୍ମ ସଂସ୍ଥାମାନଙ୍କରେ ଏହା ଚହଳ ପକାଇ ଦେଲା । ଆମେ ଶୁଣୁଛୁ ଶିରୋମଣି ଶାସ୍ତ୍ରୀ ବିବାହ କରିବେ । ଝିଅଟିର ବୟସ କେତେ ? ତା’ ଘର କେଉଁଠି ବୋଲି ଅନେକ ପଚାରିଲେ । କେତେକ କହିଲେ ତାକୁ ଆଠବର୍ଷ ଓ ଆଉ କେତେକ କହିଲେ ତାକୁ ବାରବର୍ଷ ହେବ । ଆଉ ଅନେକ କହିଲେ ବେଶ୍ ବଡ଼ଝିଅଟିଏ, ଟ୍ରାମ୍, ବସ୍, ଏଠିସେଠି ସବୁଠି ଏହି ଆଲୋଚନା ଚାଲିଲା । ସମାଜ ସଂସ୍କାରକମାନେ ଭାରି ବିଚଳିତ ହୋଇ ଉଠିଲେ ।

 

ଅଲୱାରପେଟ୍‌ରେ ଥିବା ନାରୀମାନଙ୍କର ସମାନ ଅଧିକାର ସଂସ୍ଥା ହଠାତ୍ ମିଳିତ ହୋଇ ପଇଁଚାଳିଶବର୍ଷ ବୟସରୁ ବେଶି ବୟସର ଲୋକମାନଙ୍କର ବିବାହ ବନ୍ଦ ହେଉ ବୋଲି ଏକ ଦୃଢ଼ ପ୍ରସ୍ତାବ ଗ୍ରହଣ କରିନେଲେ । ଆଲୋଚନା ପରେ ବିବାହ ବୟସ ସୀମା ଅଣଚାଶକୁ ବଢ଼ାଇଦେବା ଉଚିତ ବୋଲି ସଂଶୋଧନ କରାଯାଇଥିଲା । ଯଦି କନ୍ୟାର ବୟସ ପଇଁତିରିଶ ହୋଇଥାଏ, ତେବେ କୌଣସି ବୟସ ସୀମା ରଖା ନ ଯିବାକୁ ମଧ୍ୟ ସ୍ଥିର ହୋଇଗଲା ।

 

ଦୁଇବର୍ଷ ବିତିଗଲା । କାବେରୀ ନଦୀକୂଳରେ ଗୋଟିଏ ଛୋଟ ଗାଁର ଦୃଶ୍ୟ । ନରସିଂହ ଶାସ୍ତ୍ରୀଙ୍କ ସାନଝିଅ ଲକ୍ଷ୍ମୀ ତା’ ମା’କୁ ପଚାରିଲା “ମା’ତୁ ଦେଖିବାକୁ ସୁନ୍ଦରୀ ନୁହେଁ ବୋଲି ସେମାନେ ସମସ୍ତେ କହୁଛନ୍ତି । ତୁ’ତ ଦେଖିବାକୁ ବେଶ୍ ଭଲ । ସେମାନେ ଏପରି କାହିଁକି କହୁଛନ୍ତି-।”

 

ଝିଅଟିର ସାବତ ମା’ ସୁନ୍ଦରୀ କହିଲା “ମୋ ସୁନାଝିଅ ମୋ ପିଠିକୁ ଚାହାଁ ସେଟା ଧନୁ ପରି ବଙ୍କା ହେଇ ଯାଇନାହିଁ ? ଅନ୍ୟମାନଙ୍କର ପିଠି ସିଧା । ମୁଁ ମୋ ହାତରେ ଭରାଦେଇ ଚାଲେ-। ସେଥିପାଇଁ ମୋତେ ଯିଏ ଦେଖେ ସେ ଥଟ୍ଟା କରେ ।”

 

“ମା’ ତୋ ପିଠିକୁ କ’ଣ କାଟେ ?”

 

“ନା ମୋ ପିଠିକୁ କାଟେ ନାହିଁ ।”

 

“ତୁ ନଇଁ ପଡ଼ିଥିବାରୁ କ୍ଷତି କ’ଣ ହେଉଛି ? ବାଛୁରୀବି ତୋରି ପରି ଚାଲୁଛି । ସେ ଦେଖିବାକୁ କ’ଣ ସୁନ୍ଦର ନୁହେଁ ?”

 

ଘରକୁ ପଶୁ ପଶୁ ନରସିଂହ ଶାସ୍ତ୍ରୀ ପଚାରିଲେ “ଲକ୍ଷ୍ମୀ କ’ଣ କହୁଛି ?” ସୁନ୍ଦରୀ କହିଲା–“ଲକ୍ଷ୍ମୀ କହୁଛି ମୁଁ ଦେଖିବାକୁ ବାଛୁରୀ ପରି ସୁନ୍ଦର ।”

 

ଲୋକମାନେ ଯେ ମୋତେ ଅସୁନ୍ଦରୀ କହୁଛନ୍ତି ତାହା ଠିକ୍ ନୁହେଁ ବୋଲି ସେ କହୁଛି, ତୁମ ମତ କ’ଣ ?’

 

ଶାସ୍ତ୍ରୀ କହିଲେ “ଲକ୍ଷ୍ମୀ ଯାହା କହୁଛି ତା’ ସାଙ୍ଗରେ ମୁଁ ଏକମତ” । ବାପାକୁ ଆସିବା ଦେଖି ଲକ୍ଷ୍ମୀ ଅଧିକ କଥାବାର୍ତ୍ତା କରିବାକୁ ଲାଗିଲା । ସେ ମା’ ଆଗରେ ଠିଆ ହୋଇ କହିଲେ “ମା’, ଦେଖ ମୁଁ ଯେତେବେଳେ ତୋତେ ଦେଖୁଛି ସେତେବେଳେ ତୋ ଦେହ ମୁଁ ଦେଖିପାରୁ ନାହିଁ-।”

 

ସୁନ୍ଦରୀ କହିଲା “ତୁ ଯଦି ତୋ ଆଖି ଭଲଭାବେ ଖୋଲି ଚାହିଁବୁ ତେବେ ମୋ ଦେହ ଦେଖିପାରିବୁ ।”

 

ଲକ୍ଷ୍ମୀ କହିଲା “ନାଇଁ ମା’ ତୁ ଯାହା କହୁଛୁ ଠିକ୍ ତାହା ନୁହେଁ । ମୁଁ ଯଦି ତୋ ଦେହ ଦେଖୁଛି ତୋତେ ଦେଖିପାରୁ ନାହିଁ । ତୋତେ ଦେଖିଲେ ତୋ ଦେହ ଦେଖି ପାରୁନାହିଁ” । ଶାସ୍ତ୍ରୀ ପଚାରିଲେ–“ସୁନ୍ଦରୀ ଲକ୍ଷ୍ମୀ କ’ଣ କହୁଛି ଅନୁଭବ କରି ପାରୁଛ ତ ?”

 

ସୁନ୍ଦରୀ କହିଲେ–“ପିଲାଟା ଗୁଡ଼ାଏ ବାଜେ କଥା ବକୁଛି । ତା’ କଥାରେ କୌଣସି ଅର୍ଥ ନାହିଁ ।”

 

ନରସିଂହ ଶାସ୍ତ୍ରୀ ପିଲାଟିକୁ କୁଣ୍ଢାଇ ଧରି ଆନନ୍ଦରେ ଅଧୀର ହୋଇ ପଡ଼ିଲା ପରି ମନେ ହେଲା ।

 

ସେ କହିଲେ, “ସୁନ୍ଦରୀ ଆଜି ଲକ୍ଷ୍ମୀର କଥା ଶୁଣି ଉପନିଷଦର ଗୋଟିଏ ଶ୍ଳୋକର ଅର୍ଥ ସ୍ପଷ୍ଟ ହୋଇ ଉଠିଲା । ଉପନିଷଦର ଶ୍ଳୋକଗୁଡ଼ିକ ମଧ୍ୟ ପିଲାଙ୍କ କଥା ପରି ସରଳ ।”

 

ସୁନ୍ଦରୀ କହିଲେ–“କିପରି ? କୁହତ ମୁଁ ଟିକେ ଶୁଣେ” ।

 

ଶ୍ଳୋକଟି ହେଲା ମଣିଷର ଆତ୍ମା ଆଖିକୁ ଦେଖାଯାଏ । “ମୁଁ ଯେତେବେଳେ ପ୍ରଥମେ ତୁମକୁ ଦେଖିଲି ମୁଁ ଭାବିଲି ମୁଁ ସେ ଶ୍ଳୋକର ଅର୍ଥ ଏକପ୍ରକାର ବୁଝି ପାରିଲି । ମାତ୍ର ପିଲାଟି ଯାହା କହିଲା ତାହା ମୋତେ ଅଧିକ ସ୍ପଷ୍ଟ ମନେ ହେଉଛି । ଯେତେବେଳେ ଦୁଇଜଣ ପରସ୍ପରକୁ ପ୍ରକୃତରେ ଭଲ ପାଇ ଥାଆନ୍ତି ସେମାନଙ୍କ ମଧ୍ୟରେ ଥିବା ଦେହ ଅଦୃଶ୍ୟ ହୋଇଯାଏ । ସେମାନେ ପରସ୍ପରର ଦେହ ନ ଦେଖି ପରସ୍ପରର ଆତ୍ମାକୁ ଦେଖନ୍ତି । ଲକ୍ଷ୍ମୀ ସେଇ କଥା କହୁଛି । ଉପନିଷଦ ମଧ୍ୟ ତାହାହିଁ କହେ । ଲକ୍ଷ୍ମୀ କହିଲା । ତୁମେ କହୁଥିଲ ଦେହ ଓ ଆତ୍ମା ଭିନ୍ନ ଭିନ୍ନ ଜିନିଷ ।

 

ଶାସ୍ତ୍ରୀ କହିଲେ ତାହା ଆଂଶିକ ସତ୍ୟ । ଚାହାଁ, ମୁଁ ବର୍ତ୍ତମାନ ତୋତେ ଦେଖୁଛି । ମୁଁ ଏଠି ଦେହ ଅର୍ଥ କହୁ ନାହିଁ । ମୋ ସମ୍ମୁଖରୁ ତାହା ଅଦୃଶ୍ୟ ହୋଇ ଯାଇଛି । ତୋ ଆଖି, ନାକ, ମୁହଁ ସବୁ ଅଦୃଶ୍ୟ ହେଇ ଯାଉଛି । କେବଳ ତୁ ରହିଯାଇଛୁ ।

 

ସେହି ‘ବ୍ୟକ୍ତିତ୍ଵ’ଟି କେବଳ ଆଖିକୁ ଦେଖାଯାଏ ।

 

ସୁନ୍ଦରୀ ମଧ୍ୟ ଉପନିଷଦ ଅଧ୍ୟୟନ କରିଥିଲେ । ସେମାନେ ଉପନିଷଦକୁ ଭିନ୍ନଭାବେ ବ୍ୟାଖ୍ୟା କରନ୍ତି । ସେ କହିଲେ ଜ୍ଞାନୀ ଯେତେବେଳେ ତା’ର ଆଖି ବୁଜେ ଓ ଗଭୀର ଧ୍ୟାନ ରତ ରହେ ସେ ତା’ର ମାନସ ଚକ୍ଷୁରେ ଆତ୍ମାକୁ ଦେଖିପାରେ । ବ୍ୟାଖ୍ୟାକାରମାନେ ଶ୍ଳୋକଟିର ଏହିପରି ଅର୍ଥ କରନ୍ତି ।

 

ନରସିଂହ ଶାସ୍ତ୍ରୀ କହିଲେ “ଏପରି ଅର୍ଥ ମଧ୍ୟ କରାଯାଇପାରେ ମାତ୍ର ଲକ୍ଷ୍ମୀ ଯାହା କହୁଛି ତାହା ଅଧିକ ଯୁକ୍ତିଯୁକ୍ତ । ମୁଁ ସାଧୁ କିମ୍ବା ଦୂରଦ୍ରଷ୍ଟା ନୁହେଁ । କିନ୍ତୁ ମୁଁ ତୁମକୁ ଯେତେବେଳେ ଗଭୀର ପ୍ରେମର ସହିତ ଚାହେଁ ତୁମର ଏ ଦେହ ମୁଁ ଦେଖିପାରେ ନାହିଁ । ମୁଁ ତୁମର ଆତ୍ମାକୁ ଦେଖେ ଓ ତୃପ୍ତ ହୁଏ । ଆମେ ଯେତେବେଳେ ପରସ୍ପରକୁ ଚାହୁଁ ଓ ଚାହିଁବାରେ ଆନନ୍ଦ ପାଉ ସେତେବେଳେ ତୁମର ମୁହଁ ମୋତେ ଦେଖା ନ ଯାଇ ତୁମର ସମ୍ପୂର୍ଣ୍ଣ ସତ୍ତା ମୋତେ ଦେଖାଯାଏ । ମୁଁ ଯଦି ତୁମ ନାକ କପାଳ କିମ୍ବା ତିଳକ ଚିହ୍ନ କିମ୍ବା ଭ୍ରୂଲତା ଦେଖେ, କେବଳ ସେତିକି ମାତ୍ର ଦେଖାଯାଏ । କିନ୍ତୁ ମୋ ସମ୍ମୁଖରୁ ତୁମେ ଅଦୃଶ୍ୟ ହୋଇଯାଅ ।

 

ସଂକ୍ଷେପରେ କହିଲେ ନରସିଂହ ଓ ସୁନ୍ଦରୀ ପରସ୍ପର ସ୍ନେହ ଶ୍ରଦ୍ଧା ପୂର୍ଣ୍ଣ ଏକ ଉନ୍ନତ୍ତ ଦାର୍ଶନିକ ଜୀବନଯାପନ କରୁଥିଲେ । ସୌନ୍ଦର୍ଯ୍ୟ ପ୍ରକୃତ ପ୍ରେମ ବ୍ୟତୀତ ଅନ୍ୟ କିଛି ନୁହେଁ । ଦେହର ସୌନ୍ଦର୍ଯ୍ୟ ଓ ଅସୁନ୍ଦରପଣିଆ କେବଳ ବିବାହ ପୂର୍ବରୁ ଆଖିକୁ ଦେଖାଯାଏ । ଏହା ପୁରୁଷ ଓ ସ୍ତ୍ରୀ ଉଭୟଙ୍କ କ୍ଷେତ୍ରରେ ସତ୍ୟ । ତା’ ନାକ, ଦାନ୍ତ ଓ ପାଟି କିପରି ହେଇଛି, ବୋଲି ବାହାର ଲୋକମାନେ ମତାମତ ଦେଇ ଥାଆନ୍ତି ଓ ସେସବୁ ନେଇ ବ୍ୟସ୍ତ ହୁଅନ୍ତି । ମାତ୍ର ପ୍ରେମ ହେତୁ ଯେଉଁ ଦୁଇ ଜଣଙ୍କର ମିଳନ ହୁଏ ସେମାନଙ୍କ ପାଇଁ ଏ ସବୁ ଅଦୃଶ୍ୟ ହୋଇଯାଏ ଏ ସବୁ କେବେ ସେମାନଙ୍କର ଆନନ୍ଦ କିମ୍ବା ଶୋଚନାର କାରଣ ହୋଇ ନଥାଏ ।

Image

 

ଅଶୁଭ ଶଗଡ଼

 

କାରୁପ୍‌ପାନ୍ ରହିବାପାଇଁ ତାକୁ ଗୋଟିଏ ଅଲଗା ଘର ଦିଆଗଲା । ଚାଷୀମାନଙ୍କର ଚଳଣି ହେଲା ପୁଅ ବିଭା ହେଇଗଲେ ତା’ର ରହିବାପାଇଁ ସ୍ୱତନ୍ତ୍ର ଚାଳିଆ ଘରଟିଏ ନିର୍ମାଣ କରିଦେବା । ବିବାହ ପରେ ପୁଅ ନିଜ ରୋଜଗାରରେ ଚଳିବ ବୋଲି ବାପ ମା’ ମଧ୍ୟ ଆଶା କରନ୍ତି-। ଏହା ବେଶ୍ ଭଲ ପରମ୍ପରା । କାରୁପ୍‌ପାନ୍‍ର ବାପ ମା’ ବୁଢ଼ା ହୋଇଗଲେଣି । ସେମାନେ ସେମାନଙ୍କର ପୈତୃକ ଘରେ ରହୁଥିଲେ । କାରୁପ୍‌ପାନ୍‍ର ବଡ଼ଭାଇ ଚାଷଜମିରେ ଥିବା ଏକ କୁଡ଼ିଆ ଘରେ ରହୁଥିଲେ । ବର୍ତ୍ତମାନ କାରୁପ୍‌ପାନ୍ ପୃଥକ ହୋଇ ରହିବାଫଳରେ ସେମାନଙ୍କର ଜମି ତିନିଭାଗରେ ବଣ୍ଟା ହୋଇଗଲା । କାରୁପ୍‌ପାନ୍ ଗୋଟିଏ ଭାଗ ପାଇଲା, ବଡ଼ପୁଅ ତା’ ନିଜ ଭାଗ ଓ ବାପର ଭାଗରେ ପଡ଼ିଥିବା ଜମି ଚାଷବାସ କଲା । ସମସ୍ତେ ମିଶି କାରୁପ୍‌ପାନ୍ ଲାଗି ଗୋଟିଏ ମାଟିଘର କରିଦେଲେ । ସେମାନେ କାରୁପ୍‌ପାନ୍‍କୁ ଦୁଇଟି ବଳଦ ଓ ଦୁଇଟି ଛେଳି ଦେଇଥିଲେ । କାରୁପ୍‌ପାନ୍‍ର ବୟସ ତିରିଶି, ଦେଖିବାକୁ ସେ ବେଶ୍ ହୃଷ୍ଟପୁଷ୍ଟ ଥିଲା । ତା’ର ସ୍ତ୍ରୀ ପାର୍ବତୀ, ତାଙ୍କ ଗାଁରେ ସବୁଠୁ ସୁନ୍ଦରୀ ଓ ଖୁବ୍ କାମିକା ଝିଅ ଥିଲା । ଚାଷୀଘର ଝିଅ ହେଲେବି ରାଣୀ ପରି ତା’ର ଚେହେରା । ପିମ୍ପୁଡ଼ି କିମ୍ବା ମହୁମାଛି ହୁଏତ ଅଳସୁଆ ହୋଇଯାଇପାରନ୍ତି କିନ୍ତୁ କାରୁପ୍‌ପାନ୍‍ର ସ୍ତ୍ରୀ କେବେ ଅଳସୁଆ ହୋଇ ନପାରେ । ସେ ତା’ ନୂଆଘରେ ଯେତେବେଳେ କାମ କରିବାକୁ ଆରମ୍ଭ କଲା ଦେଖିଲେ ମନେହେବ ସତେ ଯେମିତି ସିଏ ସେହିଘରେ ଜନ୍ମ ହେଇଛି-। ସେଇଠି ବଢ଼ିଛି । ସ୍ୱାମୀକୁ ସେ ଯେତେବେଳେ ଚାହେଁ ସେତେବେଳେ ମୁହଁରେ ତା’ର ମିଠା ହସ-। କାରୁପ୍‌ପାନ୍ ମନେମନେ ଭାବେ ଏ ଦୁନିଆରେ ତା’ର ଆଉ ଅଧିକ କିଛି ଲୋଡ଼ା ନାହିଁ-। ସବୁବେଳେ ସେ ଖୁସି ମନରେ ଥାଏ ।

 

ମା’ ଘରୁ ଆସିଲାବେଳେ ପାର୍ବତୀ ସାଙ୍ଗରେ ଅଳ୍ପ କିଛି ଟଙ୍କା ଆଣିଥିଲେ । ସେହି ଟଙ୍କାରେ ସେମାନେ ଗୋଟିଏ ଦୁଧିଆଳୀ ମଇଁଷି କିଣିଥିଲେ । ସେ ବର୍ଷବି ଭଲ ବର୍ଷା ହେଲା । କାରୁପ୍‌ପାନ୍ ମଧ୍ୟ ଖୁବ୍ କାମ କଲା । କ୍ଷେତ ଖୁବ୍ ବଢ଼ିଆ ହେଲା । ଧୈର୍ଯ୍ୟର ସହିତ ପାର୍ବତୀ ଦିନସାରା କାମ କଲା । ପାର୍ବତୀର ଦୁନିଆ କହିଲେ କାରୁପ୍‌ପାନ୍, ତା’ ବଳଦ ଦୁଇଟି, ମଇଁଷିଟି ଓ ତା’ କ୍ଷେତକୁ ସେ ବୁଝୁଥିଲା । ତାକୁ ଯଦି କେତେବେଳେ ସମୟ ମିଳୁଥିଲା ତେବେ ସେ ମା’ଘରୁ ଆଣିଥିବା ଅରଟ ଧରି ସୂତା କାଟି ବସେ । ଜହ୍ନରାତିରେ ତା’ ଯାଆ ତାକୁ ଦେଖିବାକୁ ଆସେ । ସେ ଦୁହେଁ ଅନେକ ରାତି ପର୍ଯ୍ୟନ୍ତ ବସି ଦୁଃଖସୁଖ ହୁଅନ୍ତି ଓ ସୂତା କାଟନ୍ତି ।

 

ପାର୍ବତୀର ମଇଁଷି ଭଲ ଦୁଧ ଦେଉଥିଲେ । ପାର୍ବତୀ ଖୁବ୍ ସକାଳୁ ଉଠି ଦହି ମୁହାଁଏ । ଘରଦ୍ଵାର ସଫା କରେ ଓ ତା’ପରେ ତନ୍ତି ସାହି ଗଳିକୁ ଦହି ବିକିବାକୁ ଯାଏଁ । ହାଟଦିନମାନଙ୍କରେ ସେ ଲହୁଣୀ ମାରି ଘିଅକରି ତାକୁ ବିକେ । ଏ ବାବଦରେ ପ୍ରତି ସପ୍ତାହ ସେ ତିନିଟଙ୍କା ଲେଖାଏଁ ପାଏ । ବର୍ଷକ ପରେ କାରୁପ୍‌ପାନ୍ ଗୋଟିଏ ବଡ଼ ଯୋଜନା କଥା ଚିନ୍ତାକଲା । ସେ ତା’ର ସ୍ତ୍ରୀକୁ କହିଲା–“ଆମରତ ଅଳ୍ପ ଜମି, ସବୁଦିନ କାମ କରିବାକୁ ଆମର ଯଥେଷ୍ଟ କାମ ନାହିଁ । ଆମେ ଗୋଟିଏ ଶଗଡ଼ କିଣି ସେଥିରୁ ଦିପଇସା ରୋଜଗାର ନ କରିବା କାହିଁକି ? ବଳଦ ଦୁଇଟି ବର୍ଷସାରା ମଧ୍ୟ କାମ କରିପାରିବେ । ଆମ କକା ପୁଅ ରମଣକୁ ଦେଖୁନୁ, ସେ ତା’ ଶଗଡ଼ ଚଳାଇ ସପ୍ତାହକୁ ଖୁବ୍ କମ୍‌ରେ ଅନ୍ତତଃ ଦୁଇତିନି ଟଙ୍କା ପାଇ ପାରୁଛି । ବେଳେବେଳେ ସେ ଚାରିଟଙ୍କା ମଧ୍ୟ ରୋଜଗାର କରୁଛି । ଆମେ ଯେତିକି ପଇସା ରଖିଛେ ସେଥିରେ ଆଉ କିଛି ମିଶାଇ ଗୋଟାଏ ଶଗଡ଼ ନ କିଣିବା କାହିଁକି ? ବୀରନ୍ ଏଠୁ ଉଦୁମାଲପେଟ ଚାଲି ଯାଉଛି । ତା’ ଧାର ଶୁଝିବା ଲାଗି ସେ ତା’ ଜମି ବିକିଦେଉଛି । ତା’ ଶଗଡ଼ ଆମେ ଶସ୍ତାରେ କିଣି ପାରିବା । ପାର୍ବତୀ କହିଲା ନା ଆମର ବୀରନ୍‍ଠୁ ଶଗଡ଼ କିଣିବା ଦରକାର ନାହିଁ । ସେ ଅଲକ୍ଷଣା ଶଗଡ଼ ଆମେ କିଣିବା ନାହିଁ । ସେ ଶଗଡ଼ ତା’ର ଦୁର୍ଭାଗ୍ୟକୁବି ସାଙ୍ଗରେ ଆଣିବ । ତା’ ଛଡ଼ା ଧାର କରି ଶଗଡ଼ କିଣିବା କ’ଣ ଦରକାର ? ବର୍ତ୍ତମାନ ଆମର ତ ସେପରି କିଛି ଅଭାବ ହେଉ ନାହିଁ ।

 

କାରୁପ୍‌ପାନ୍ କହିଲା “ବାଜେ କଥା କହ ନାହିଁ । ବୀରନ୍ ଜଣେ ମଦୁଆ ଓ ମଦ ପିଇ ପିଇ ସେ ସର୍ବସ୍ଵାନ୍ତ ହୋଇ ପଡ଼ିଛି । ତା’ ଦୁର୍ଭାଗ୍ୟପାଇଁ ଶଗଡ଼ କୌଣସି କାରଣରୁ ଦାୟୀ ନୁହେଁ । ସେଟା ଖୁବ୍ ବଡ଼ ଓ ଦମ୍ଭିଲା ଶଗଡ଼ । ଆମେ କୋଡ଼ିଏ ଟଙ୍କା ମାତ୍ର ଧାର କଲେ, କିଛି ସର୍ବସ୍ଵାନ୍ତ ହୋଇ ପଡ଼ିବା ନାହିଁ । ଏତେ କମ୍‌ ଟଙ୍କା ଶୁଝି ଦେବାରେ ବିଶେଷ କିଛି ଅସୁବିଧା ହେବ ନାହିଁ ।”

 

ପାର୍ବତୀ କହିଲା–“ମୁଁ ମୋ ଟଙ୍କାରେ କାନଫୁଲ କିଣିବି ବୋଲି ଭାବୁଥିଲି ।” କାରୁପ୍‌ପାନ୍ କହିଲା–“ମୁଁ ଭାବୁଛି ତୁ ଏପରି ବୋକାମି କରିବୁ ନାହିଁ । ତୁ ତ ଦେଖିବାକୁ ରାଣୀପରି-। ସେଥିରେ ଅଳଙ୍କାର ତୋର କ’ଣ ହେବ ? ଅଳଙ୍କାର ଯାହା କେବଳ ତୋ ସୌନ୍ଦର୍ଯ୍ୟ ହାନୀ କରିବ ସିନା ।”

 

ପାର୍ବତୀ କହିଲା–“ହଁ, ସ୍ତ୍ରୀଲୋକମାନେ ଯଦି କିଛି ଚାହିଁଲେ ତେବେ ତୁମ ପୁରୁଷମାନେ ସବୁବେଳେ ଏହିପରି କିଛି କହିଥାଅ । ସ୍ତ୍ରୀଲୋକ ବ୍ୟବସାୟ କଥା କ’ଣ ଜାଣନ୍ତି ? ତମେ ତମ ବାପାଙ୍କୁ ପଚାରି ଯାହା ଭଲ ଭାବୁଛ କର । ମୋତେ କିଛି ପଚାରିବା ଦରକାର ନାହିଁ ।”

 

କାରୁପ୍‌ପାନ୍ ଶଗଡ଼ କିଣିବା ଲାଗି ଧରି ବସିଲା । ତେଣୁ ସେ ତା’ ବାପାକୁ ଯେତେବେଳେ ଏ ବିଷୟରେ ପଚାରିଲା ସେ ପୁଅକୁ ମନା କରି ପାରିଲା ନାହିଁ । ସପ୍ତାହକ ଭିତରେ ଶଗଡ଼ ଆସିଲା । ତା’ ପାଖରେ ଯେତେ ଟଙ୍କା ଥିଲା ସେ ଟଙ୍କା ଓ ଗାଁ ଜମିଦାରଠୁ ଚାଳିଶ ଟଙ୍କା ଋଣ କରି ଆଣି ସେ ଶଗଡ଼ଟି କିଣିଥିଲା ।

 

–୨–

ଅସୁର

 

କାରୁପ୍‌ପାନ୍ ବରାବର ତା’ ଶଗଡ଼ ନେଇ ବାହାରକୁ ଯାଏଁ । ଯଦି ସେ ଖୁବ୍ ଦୂର ସ୍ଥାନକୁ ଶଗଡ଼ ନେଇ ଯାଏଁ ତେବେ ସେ ଦିନ ରାତି ସୁଦ୍ଧା, କେବେକେବେ ତା’ ପରଦିନ ସକାଳ ସୁଦ୍ଧା ଘରକୁ ଫେରି ଆସିପାରେ ନାହିଁ । ଏହି ସବୁ ସମୟରେ ତା’ ଭାଇ ରମନ୍‍ବି ତା’ ନିଜ ଶଗଡ଼ ନେଇ କାରୁପ୍‌ପାନ୍ ସଙ୍ଗରେ ଯାଏଁ । ବର୍ଷକ ଭିତରେ କାରୁପ୍‌ପାନ୍ ତାଡ଼ି ଦୋକାନକୁ ଯିବା ଆସିବାକୁ ଆରମ୍ଭ କରି ଦେଲା । ତା’ପରେ ଶଗଡ଼ ଧରି କୁଆଡ଼େ ବାହାରିଲେ ତାଡ଼ି ଦୋକାନ ଦେଇଯିବା ତା’ର ଏକ ଅଭ୍ୟାସରେ ପରିଣତ ହୋଇଗଲା । ଦିନକୁଦିନ ଶଗଡ଼ରୁ ତା’ର ରୋଜଗାର କମିବାକୁ ଲାଗିଲା । ବଳଦମାନଙ୍କ ଲାଗି ଭଲ ଘାସ, ନଡ଼ା ଇତ୍ୟାଦି ଯୋଗାଡ଼ କରିବା ମଧ୍ୟ କଷ୍ଟକର ହୋଇ ଉଠିଲା । ଦିନେ କାରୁପ୍‌ପାନ୍ ଘରକୁ ଅସନ୍ତୋଷଜନକ ଅବସ୍ଥାରେ ଫେରିଥିବା ଦେଖି ପାର୍ବତୀ ଖୁବ୍ ଆଘାତ ପାଇଲା । ସେ ପର୍ଯ୍ୟନ୍ତ କ’ଣ ସବୁ ଚାଲିଛି ସେ କିଛି ଜାଣି ନଥିଲା ।

 

ସେ ଚିତ୍କାର କଲା “ତମେ ମୋତେ ସାରିଦେଲ ।”

 

କାରୁପ୍‌ପାନ୍ କହିଲା “ଚୁପ୍ କର ମୁଁ ତୋର କିଛି ଖାଇ ଯାଇ ନାହିଁ ।”

 

ପାର୍ବତୀ ପାଟି କରି ଉଠିଲା ‘‘କ’ଣ ତୁମେ ତାଡ଼ି ପିଇଛ ?”

 

ସେ କହିଲା “ହଁ ପିଇଲି ସେଠୁ ତୋର କ’ଣ ଗଲା ? ମୁଁ କିଛି ତୋ ବାପ ପଇସାରେ ପିଇ ନାହିଁ । ତୁ ମୋତେ ପଚାରିବାକୁ କିଏ ?”

 

ପାର୍ବତୀର ମୁହଁ ରାଗରେ କଳା ପଡ଼ିଗଲା । ସେ କହିଲା “ତୁମେ ଏ ଘର ଭିତରକୁ ପଶ ନାହିଁ । ତମ ବାପ ଘରକୁ ତମେ ଯାଅ । ମୁଁ ଆଜି କିଛି ରନ୍ଧାରନ୍ଧି କରିନାହିଁ ।”

 

ସ୍ତ୍ରୀକୁ ମାରିବାକୁ ଧମକ ଦେଇ ସେ କହିଲା–“ତୋ ମୁହଁରେ ନିଆଁ । ତୋର ସେ ଗନ୍ଧିଆ ରାନ୍ଧଣା ନ ଖାଇ ମୁଁ ମରିଯିବି ନାହିଁମ ।”

 

ଏପରି ଘଟଣା ବରାବର ଘଟିବାକୁ ଲାଗିଲା । ବେଳେବେଳେ କାରୁପ୍‌ପାନ୍ ତା’ ସ୍ତ୍ରୀକୁ ପିଟୁଥିଲା । ପାର୍ବତୀ ତା’ ପିଲାକୁ ଧରି ତା’ ମାଆ ପାଖକୁ ପଳାଉଥିଲା । ସେମାନେ କାରୁପ୍‌ପାନ୍‍ର ଏପରି ଢଙ୍ଗରଙ୍ଗର ନିନ୍ଦା କରୁଥିଲେ । ଦିନକୁଦିନ ଅବସ୍ଥା ଅଧିକ ଖରାପଆଡ଼କୁ ଗତିକଲା । ଖୁବ୍ ଶୀଘ୍ର ବଳଦ ଦୁଇଟି ବୁଢ଼ା ହୋଇ ଆଉ ଶଗଡ଼ ଟାଣି ପାରିଲେନାହିଁ । ମେଳାରେ କାରୁପ୍‌ପାନ୍ ବଳଦ ଦୁଇଟିକୁ କ୍ଷତିରେ ବିକ୍ରି କରିଦେଲା । ନୂଆକରି ବଳଦ ହଳେ କିଣିବାକୁ ତା’ ପାଖରେ ଟଙ୍କା ନଥିଲା । ସେ ପାର୍ବତୀ ଆଗରେ ନିୟମ କରି କହିଲା–ଆଉ କେବେ ସେ ତାଡ଼ି ଦୋକାନ ମାଡ଼ିବ ନାହିଁ । ଲହୁଣି, ଦୁଧ, ଘିଅ ଓ କାଟିଥିବା ସୂତା ବିକି ଯାହା ପଇସା ସେ ରଖିଥିଲା ତା’ଠୁ ନେଇ ଆସିଲା ।

 

ତା’ପରେ ସେ ତା’ ବିଧବା ବଡ଼ ଭଉଣୀଠୁ କିଛି ଟଙ୍କା ଧାର ଆଣି ହଳେ ନୂଆ ବଳଦ କିଣିଲା । ତିନିମାସ ବିତିଗଲା । ତା’ଠୁ ନେଇଥିବା ଟଙ୍କା ଅସୁଲ କରିବାକୁ ଜମିଦାର ତା’ ନିକଟକୁ ଜଣେ ଲୋକ ପଠାଇଲା । ଆଉ କିଛିଦିନ ସତାର କରିବାକୁ କାରୁପ୍‌ପାନ୍ ଅନୁରୋଧ କଲା । ଟଙ୍କା ପରିଶୋଧର ସମୟ ଥରେ ନୁହେଁ, ଦୁଇଥର ନୁହେଁ, ତିନିଥର ସେ ବଢ଼ାଇଲା । ଶେଷରେ ଜମିଦାରର ଚାକରମାନେ ତା’ର ଗୋଟିଏ ବଳଦ ଜବରଦସ୍ତ ବାନ୍ଧିନେଇ ଚାଲିଗଲେ । କାରୁପ୍‌ପାନ୍ ଜମିଦାରଙ୍କ ପାଖକୁ ଦୌଡ଼ିଲା । ଆଉ ମାସେ ସମୟ ଦେବାପାଇଁ ସେ ଅନୁରୋଧ କଲା ।

 

ଜମିଦାର ରାଗରେ ଗର୍ଜନ କରି କହିଲା–“ମୁଁ ତୋତେ ଆଉ ଗୋଟାଏ ଦିନବି ସମୟ ଦେବି ନାହିଁ । ଏ ମଦୁଆଟାକୁ ଜୋତାରେ ପିଟ । ଋଣ ପରିଶୋଧ କରିବାକୁ ଟଙ୍କା ମିଳୁନାହିଁ ଅଥଚ ନୂଆ ବଳଦ କିଣିବାକୁ ପଇସା ମିଳୁଛି । ତୋତେ ଏ ସବୁ କରିବାକୁ କିଏ କହିଥିଲା ?” “ଦୟାକରି ଆପଣ ସେପରି କହନ୍ତୁ ନାହିଁ । ଆପଣ ଆମର ବାପ ପରି । ମୋତେ ଆଉ ଗୋଟେ ମାସ ସମୟ ଦିଅନ୍ତୁ । ମୁଁ ନିଜେ ଆସି ଆପଣଙ୍କୁ ଟଙ୍କା ଦେଇ ଯିବି ।”

 

“ତୁ ଯାହା ସବୁ କହୁଛୁ ତା’ର କିଛି ମାନେ ନାହିଁ । ମୁଁ ଆଉ ମୁହୂର୍ତ୍ତେ ଅପେକ୍ଷା କରିପାରିବି ନାହିଁ । ବୁଧବାର ଦିନ ମୁଁ ତୋ ବଳଦକୁ ହାଟକୁ ପଠାଇ ଦେଉଛି ।”

 

“ଆଜ୍ଞା ଆମେ ଭାସିଯିବୁ । ଦୟାକରି ସେ କଥା କରନ୍ତୁ ନାହିଁ, କହି କାରୁପ୍‌ପାନ୍ ବଳଦ ପାଖକୁ ଗଲା ।”

 

କ୍ରୋଧାନ୍ୱିତ ଜମିଦାର କହିଲା–“ତାକୁ ଏଠୁ ତଡ଼ । ବଳଦକୁ ମୋଟେ ଛାଡ଼ନାହିଁ । ପକା ଚୋରଟେ । ଯାଆ ଟଙ୍କା ଧରି ଆସିବୁ । ନଚେତ୍ ଆସନ୍ତା ବୁଧବାର ଦିନ ମୁଁ ଏ ବଳଦକୁ ନିଶ୍ଚୟ ବିକିଦେବି ।”

 

କାରୁପ୍‌ପାନ୍ ବିନୟ ହୋଇ କହିଲା–‘ମୁଁ କିଛି ବାରବୁଲା ଲୋକ ନୁହେଁ । ମୋତେ ଯଦି ଆଉ କିଛିଦିନ ସମୟ ଦିଅନ୍ତି ତେବେ ଆପଣଙ୍କର ଟଙ୍କା ବୁଡ଼ିଯିବ ନାହିଁ ?”

 

ଜମିଦାର ଶେଷଥର ପାଇଁ କହିଲା–“ଏହା କେବେ ସମ୍ଭବ ନୁହେଁ ।” କାରୁପ୍‌ପାନ୍ କହିଲା–“ମୁଁ ସୁଧ ଦେବି । ଆପଣ ଟଙ୍କା ଉପରେ ସୁଧ ନିଅନ୍ତୁ ।”

 

“ଏଟାକୁ ପିଟ, ତାକୁ ଜୋତା ଫିଙ୍ଗ, ‘କୁତ୍ତା କ'ଣ କହୁଛି । ସୁଧ ଦେବ’ ସୁଧ ଟଙ୍କା କେଉଁଠୁଁ ପାଇବ ଯେ ସୁଧଆଣି ଦେବ । ଯା, କ୍ଵାଦର ଖାଁଠୁ ଟଙ୍କା ଧାର ଆଣି ସଙ୍ଗେ ସଙ୍ଗେ ମୋ ଟଙ୍କା ଦେ । ଆସନ୍ତାକାଲି ଭିତରେ ତୁ ଯଦି ମୋ ଟଙ୍କା ନ ଦେଉ ତେବେ ଯେତିକି ପଇସା ମିଳୁ ମୁଁ ସେତିକିରେ ତୋ ବଳଦକୁ ବିକି ଦେବି ବୋଲି ଜମିଦାର ରାଗରେ ଗର୍ଜନ କରି କହି ଘର ଭିତରକୁ ଚାଲିଗଲା ।

 

ଜମିଦାରଙ୍କ କିରାଣି କହିଲା–“କାରୁପ୍‌ପାନ୍ ଆଉ ଅନ୍ୟ ଉପାୟ ନାହିଁ । ଆମକୁ କ୍ଵାଦର ସାହେବଙ୍କ ପାଖକୁ ଯିବାକୁ ପଡ଼ିବ, ସେଇ କେବଳ ତୋତେ ସାହାଯ୍ୟ କରି ପାରିବେ ।”

 

–୩–

ଋଣ

 

କାରୁପ୍‌ପାନ୍ ତା’ ବାପ ପାଖକୁ ଯାଇ ତାକୁ ତା’ ଭାଇ ପାଖରୁ କିଛି ଧାର କରେଇ ଦେବାପାଇଁ ଅନୁରୋଧ କଲା । ବୁଢ଼ା କଥାନୁସାରେ ତା’ ଭାଇ ତାକୁ ସାହାଯ୍ୟ କରିବାକୁ ରାଜିଥିଲା କିନ୍ତୁ ତା’ ସ୍ତ୍ରୀ ଏଥିରେ ଆପତ୍ତି କଲା ।

 

ତା’ ସ୍ତ୍ରୀ ତାକୁ କହିଲା ତାକୁ ଟଙ୍କା ଋଣ ଦେଲେ ସେ ପରିଶୋଧ କରିବ ନାହିଁ । ସେ ମୁସଲମାନ ମହାଜନଠାରୁ ଋଣ ଆଣୁ । ଆମେ ନିଜେ ଖାଇବାକୁ ପାଉନାହୁଁ । ଏ ବର୍ଷ ଯେ ଭଲ ଫସଲ ହେବ ତା’ର କିଛି ଠିକ୍‍ଠିକଣା ନାହିଁ । ଆମର ଯଦି ଭଲ ଅମଳ ନହୁଏ ତେବେ ଆମକୁ ଉପବାସରେ ରହିବାକୁ ପଡ଼ିବ । ସେତେବେଳେ ଆମକୁ କିଏ ସାହାଯ୍ୟ କରିବ ।

 

ଶେଷରେ କାରୁପ୍‌ପାନ୍ କ୍ଵାଦର ଖାଁ ପାଖକୁ ଗଲା । ସେ କିସ୍ତି କିସ୍ତି କରି ଟଙ୍କା ଦିଏ । ସେ ଗାଁ ଜମିଦାରଠୁ ଆରମ୍ଭ କରି ଗାଁର ପ୍ରତ୍ୟେକ ଲୋକର ଆର୍ଥିକ ଅବସ୍ଥା କିପରି ତାହା ଜାଣେ ।

 

କ୍ଵାଦର ଖାଁ କହିଲା–“ତୁ କୁଆଡ଼ୁ ଜାଣିବୁ, ଜମିଦାରବି ମୋତେ ଟଙ୍କା ମାଗିଛି ।”

 

କାରୁପ୍‌ପାନ୍ କହିଲା ବଡ଼ବଡ଼ିଆଙ୍କ ଅସୁବିଧା କୌଣସିମତେ ମେଣ୍ଟିଯିବ । ମୋ ବଳଦ ହଳକ ଚାଲିଗଲେ ମୁଁ କିପରି ଚଳିବି ? ତୁମେ କେବଳ ଏ ବିପଦରୁ ମୋତେ ରକ୍ଷା କରି ପାରିବ । କ୍ଵାଦର କହିଲା–ମୁଁ ତୋତେ କିପରି ଆଉ ଟଙ୍କା ଦେବି ? ମୋ ପାଖରେ ଯେତେ ଟଙ୍କା ଅଛି ସେ ସବୁ ଟଙ୍କା ମୁଁ ଜମିଦାରଙ୍କୁ ଦେବାକୁ କହି ସାରିଛି । କାରୁପ୍‌ପାନ୍ କହିଲା, ସାହେବ ସେ କଥା କୁହନ୍ତୁ ନାହିଁ । ମୋର ବାର ବାଜିଯିବ । ଆପଣ ତାହାହେଲେ ଏ ଗରିବକୁ ସାହାଯ୍ୟ କରିବେ ନାହିଁ ? ଜମିଦାର କଥା ମୋତେ କାହିଁକି କହୁଛନ୍ତି । କ୍ଵାଦର ଖାଁ କହିଲା ହଁ ସତକଥା ଗରିବ ଲୋକଙ୍କୁ ସାହାଯ୍ୟ କରିବା ଉଚିତ । କିନ୍ତୁ ମୁଁ ଟଙ୍କା ଦେବି ବୋଲି କହିସାରିଲିଣି ।

 

ଏହିପରି ଦୀର୍ଘ ସମୟ ହଁ ନାହିଁ ପରେ ଶେଷରେ ମହାଜନ ଟଙ୍କା ଦେବାକୁ ରାଜି ହେଲା-। ଚୁକ୍ତିପତ୍ରରେ ଷାଠିଏ ଟଙ୍କା ଲେଖି, କାରୁପ୍‌ପାନ୍ ମହାଜନଠୁ ପଇଁଚାଳିଶ ଟଙ୍କା ଆଣି ଆସିଲା-। ପ୍ରତି ମାସରେ ପାଞ୍ଚଟଙ୍କା କରି ବର୍ଷକ ମଧ୍ୟରେ ସମସ୍ତ ଟଙ୍କା ପରିଶୋଧ କରିବାପାଇଁ ଲେଖିଦେଇ ଆସିଲା । ଟଙ୍କା ଉପରେ କୌଣସି ସୁଧ ସେ କଷି ନଥିଲା । କିନ୍ତୁ କୌଣସି ମାସରେ ଚୁକ୍ତି ଅନୁଯାୟୀ ଯଦି ସେ କିସ୍ତି ଦେଇ ନ ପାରିବ ତେବେ ଟଙ୍କାଏ କରି ଜୋରିମାନା ଦେବାକୁ ପଡ଼ିବ ବୋଲି ଠିକ୍ ହେଇଥିଲା ।

 

କ୍ଵାଦର ଖାଁ ତାକୁ ଉପଦେଶ ଦେଇ କହିଲା କାରୁପ୍‌ପାନ୍, ତୋର ସାଧୁତା, କାର୍ଯ୍ୟକାରୀ କରିବାର ଶକ୍ତି, ରୋଜଗାର କରିବାର କ୍ଷମତା ଉପରେ ଭରସା ରଖି ମୁଁ ତୋତେ ଏ ଟଙ୍କା ଦେଉଛି, ଠିକ୍ ସମୟରେ ଟଙ୍କା ଦେବାରେ ଯେପରି ଖିଲାପ ନ କରୁ । ମଦ ପିଆ ବନ୍ଦ କରିଦେଇ ଭଲ ମଣିଷ ହୁଅ । ଘରେ ତୋର ସ୍ତ୍ରୀ ଓ ଗୋଟିଏ ପୁଅ ଅଛନ୍ତି ତୋ’ରବି ଆଉ ପିଲାପିଲି ହେବେ । ତୁ ଯଦି ଏପରି ପିଆ’ପି କରୁ ତେବେ ତଳିତଳାନ୍ତ ହେଇଯିବୁ ।

 

କାରୁପ୍‌ପାନ୍ ତା’ର ଋଣ ପରିଶୋଧ କରିଦେଇ ବଳଦଙ୍କୁ ଅଡ଼ାଇ ଘରକୁ ଫେରିଲା । ବାକି ଯେଉଁ ଟଙ୍କା ବଳିଲା ତାକୁ ପାର୍ବତୀ ହାତରେ ଦେଇଦେଲା ।

 

ସେ ତା’ ସ୍ତ୍ରୀକୁ କହିଲା ମୋତେ ଚାହାଁ ମୁଁ ତୋତେ ଛୁଇଁ ନିୟମ କରି କହୁଛି ମୁଁ ଆଜିଠୁ ମଦ କିମ୍ବା ତାଡ଼ି କିଛି ଛୁଇଁବି ନାହିଁ । ମୁଁ ବି ଟଙ୍କାପଇସା ଆଜିଠୁ ଆଉ କାରବାର କରିବି ନାହିଁ । ତୋତେ ଯେମିତି ଭଲ ଲାଗୁଛି ତୁ ଖର୍ଚ୍ଚ କର । ମୁଁ ଯାହା ରୋଜଗାର କରି ଆଣିବି ତୋତେ ଧରାଇ ଦେବି ।

 

ପାର୍ବତୀ ଭାବିଲା ଭଗବାନ ପୁଣି ତାକୁ ଆଶୀର୍ବାଦ କଲେ । ସେ ଖୁସି ହେଲା, ଦେହରେ ତା’ର ନୂଆ ଶକ୍ତି ସଞ୍ଚାର ହେଲା । ସେଦିନ ଆପଣା କାମ କରିବାକୁ ଯେପରି ଖୁସିରେ ଯାଇଥିଲା ତା’ ପୂର୍ବରୁ କେବେ ଯାଇ ନଥିଲା ।

Image

 

–୪–

ମଜୁରୀ ଓ କାମ

 

ବର୍ତ୍ତମାନ ବିଲରେ ଆଉ କୌଣସି କାମ ନାହିଁ । ଘରେ ପାର୍ବତୀ ଅଳସୁଆ ହୋଇ ବସି ପାରିଲା ନାହିଁ । ସେ ଭାବିଲା ମୋ ସ୍ଵାମୀ ଯେତେବେଳେ ଏତେଗୁଡ଼ାଏ ଧାର ଉଧାର କରିଛି ମୁଁ ସେତେବେଳେ ଚୁପ୍ ହୋଇ କିପରି ବସିବି ? ମୁଁ ନିଶ୍ଚୟ କିଛି ନା କିଛି କାମ କରିବି । କ୍ଵାଦର ଖାଁ ତା’ ପୁରୁଣା ଘର ପାଖରେ ନୂଆ କୋଠା ତୋଳାଉଥିଲା । ଇଟା ପକାଳିମାନେ କାର୍ଯ୍ୟବ୍ୟସ୍ତ ଥାଆନ୍ତି । ତିନି ଚାରିଜଣ ସ୍ତ୍ରୀଲୋକ ସେଠାରେ କାମ କରୁଥିଲେ । ପାର୍ବତୀ ଯାଇ ସେମାନଙ୍କ ସାଙ୍ଗରେ ମିଶିଲା । ସେ ଖୁବ୍ ସକାଳୁ ଉଠି ବାସି କାମ ସାରି ଦେଉଥିଲା । ତା’ପରେ ସେ ଦୁଧ ଦୁହୁଁଥିଲା ଦହି ମୁହାଁଉଥିଲା ଏବଂ ସେ ସବୁ ଦହି ବିକ୍ରି କରିବାକୁ ଗାଁ ଭିତରକୁ ନେଇକରି ଯାଉଥିଲା-। ତା’ ଗରାଖମାନେ ଅଯଥା ଯେପରି ତାକୁ ଅଟକାଇ ନ ରଖନ୍ତି, ସେଥିପାଇଁ ସେ ସେମାନଙ୍କୁ ଅନୁରୋଧ କରୁଥିଲା । ସେମାନେ ସମସ୍ତେ ପାର୍ବତୀ କଥା ରଖୁଥିଲେ କାରଣ ପାର୍ବତୀକୁ ସମସ୍ତେ ଭଲ ପାଉଥିଲେ । ସେ ଘରକୁ ଫେରି ନିଜେ ତୋରଣି ମନ୍ଦିଏ ପିଏ ଏବଂ ଛୋଟ ଛୁଆକୁ ଖୁଆଏ-। ତା’ପରେ ପିଲାଟିକୁ ତା’ ଯା’ ପାଖରେ ଛାଡ଼ିଦେଇ କୋଠା କାମ କରିବାକୁ ଯାଏଁ । ଦ୍ଵିପ୍ରହରରେ ପେଜ ପାଣି ଟିକିଏ ପିଇବା, ପିଲାଟିକୁ ଖୁଆଇବା ପାଇଁ ସେ କିଛି ସମୟ ପାଇଥାଏ । ଚଞ୍ଚଳ କାମ ସାରି ସେ ପୁଣି ଫେରିଯାଏ । ସନ୍ଧ୍ୟା ହେଲେ ଯାଇ ମିସ୍ତ୍ରି ତାକୁ କାମରୁ ଛୁଟି ଦିଏ । ସେ ଘରକୁ ଫେରିଆସି ରାତିରେ ରୋଷାଇ କରେ । ଏ କାମ କରିବାକୁ ତାକୁ ଅବଶ୍ୟ ଖୁବ୍‌ କଷ୍ଟ କରିବାକୁ ପଡ଼ୁଥିଲା । ତଥାପି ସେ ଖୁସିବାସିରେ କାମ କରି ଯାଉଥିଲା । କାମପାଇଁ ସେ ଦିନକୁ ମାତ୍ର ଦୁଇ ଅଣା କରି ମଜୁରୀ ପାଉଥିଲା । ଅଭାବ ସମୟରେ ସେତିକିବି କିଛି କମ୍ ନୁହେଁ ।

 

ତା’ ସ୍ଵାମୀ ଆଉ ମଦ ପିଇବ ନାହିଁ ସେ ବଦଳିଯାଇଛି ଏହି ଧାରଣା ତା’ ମନବଳକୁ ଅକ୍ଷୁଣ୍ଣ ରଖିଥିଲା । ମାସେ ଦୁଇମାସ ପର୍ଯ୍ୟନ୍ତ କାରୁପ୍‌ପାନ୍ ତା’ କଥା ରଖିଥିଲା । ତା’ପରେ ଯେଉଁ କଥାକୁ ସେଇକଥା । କାରୁପ୍‌ପାନ୍ ପୁଣି ପିଆପିଇ ଆରମ୍ଭ କରିଦେଲା । ପୁଣି ସେ ଯାହା ରୋଜଗାର କଲା ତାକୁ ମଦ ପିଇ ଉଡ଼ାଇଦେଲା । ତା’ଠୁ ଫଟା ପାହୁଲାଟିଏବି ପାର୍ବତୀ ହାତକୁ ଆସିଲା ନାହିଁ । ସେ ଲାଗଲାଗ କରି ଦୁଇ ତିନିଦିନ ଧରି ଘରକୁ ନ ଫେରି ବାହାରେ ବାହାରେ ରହି ଯାଉଥିଲା । ଯେତେବେଳେ ଘରକୁ ଫେରୁଥିଲା ଗୋରୁଗାଈଙ୍କ ପାଇଁ ସାମାନ୍ୟ କିଛି ନଡ଼ା ବ୍ୟତୀତ ଆଉ କିଛି ଆଣୁ ନଥିଲା । ପାର୍ବତୀ ଭାବିଲା ଏତେ ଅଳ୍ପ ପଇସାପାଇଁ ସେ କେବେ ମିଛ କହିବ ନାହିଁ । କିଛିଦିନ ପରେ ସେ କିଛି ଲୁଚେଇବାକୁବି ଚେଷ୍ଟା କଲା ନାହିଁ । ପାର୍ବତୀ ତାକୁ ଆଉ ପଇସା ବିଷୟରେ କିଛି ପଚରାପଚରି କଲା ନାହିଁ । ଘରେ ବାହାରେ ଦିନରାତି ମଜୁରୀପାଇଁ ସେ ଖୁବ୍ ପରିଶ୍ରମ କରିବାକୁ ଲାଗିଲା ।

 

କାରୁପ୍‌ପାନ୍ କରିଥିବା ଋଣର କିସ୍ତି ଠିକ୍ ସମୟରେ ପରିଶୋଧ କରି ପାରିଲା ନାହିଁ । ଦିନେ କ୍ଵାଦର ଖାଁ ନିଜେ ଆସି ତା’ ଟଙ୍କା ମାଗିଲା, ତାକୁ ଭାରି କଡ଼ା କଡ଼ା କଥା ଶୁଣାଇଲା । ପାର୍ବତୀ ମିସ୍ତ୍ରି ପାଖରେ କାମକରି କଡ଼ାକଥା ଶୁଣିବାରେ ଅଭ୍ୟସ୍ତ ହୋଇ ସାରିଥିଲା ତଥାପି ତାଙ୍କଠୁ ଗାଳିଗୁଲଜ ଶୁଣି ଘର ଭିତରକୁ ପଶି ଯାହା କିଛି ପଇସା ସଞ୍ଚିଥିଲା ସେସବୁ ଆଣି ତା’ ଆଗରେ ପକାଇଦେଲା । କାରୁପ୍‌ପାନ୍‍ର ବରାବର ମାରଧର ସତ୍ତ୍ଵେ ସେ ଏହି ଟଙ୍କାତକ ସାଇତି ରଖିଥିଲା ।

 

ପାର୍ବତୀ ସେ ଦିନସାରା କାନ୍ଦିଲା । ସେ ଅସୁସ୍ଥ ହୋଇ ପଡ଼ିଲା । ଏହା ସତ୍ତ୍ୱେବି ତ ସେ ସବୁଦିନ ପରି ତା’ ପରଦିନ ସକାଳୁ କାମକୁ ଗଲା । ମୁସଲମାନ ମହାଜନର ଅଶ୍ଳୀଳ ଗାଳିଗୁଲଜ ସେ ଭୁଲିପାରିଲା ନାହିଁ । ସେ ସମସ୍ତ କଷ୍ଟ ସ୍ଵୀକାର କରି ହସଖୁସିରେ ସବୁ କାମ କରି ଯାଉଥିଲା ଏବଂ ନିଜ ବିଷୟରେ ସେ ପର୍ଯ୍ୟନ୍ତ ସଚେତନ ହୋଇ ନଥିଲା । ହଠାତ୍ ତା’ପରଠୁ ସେ ଯେ ଜଣେ ସ୍ତ୍ରୀଲୋକ ସେ ବିଷୟରେ ସେ ସଚେତନ ହୋଇଗଲା । ତା’ ସାଙ୍ଗରେ ଯେଉଁ ପୁରୁଷ ଲୋକମାନେ କାମ କରୁଥିଲେ ସେମାନଙ୍କର କଥାଭାଷା ଶୁଣି ସେ ଭୟ କରିଗଲା । ସେ ଯେତିକି ଅଧିକରୁ ଅଧିକ ଭୟ କରିବାକୁ ଲାଗିଲା ଲୋକମାନଙ୍କର ବଦମାସି ସେହି ପରିମାଣରେ ବଢ଼ିବାକୁ ଲାଗିଲା-। କ୍ଵାଦର ଖାଁ ପୁଅ ଆସି କୋଠା କାମ ଦେଖାଶୁଣା କରୁଥିଲା ତା’ ଚାହାଣି ଓ କଥାବାର୍ତ୍ତାରେ ଗୋଟାଏ ଦୁରଭିସନ୍ଧି ଥିଲାପରି ପାର୍ବତୀର ମନେହେଲା ।

 

ମଜୁରୀରେ କାମ କରିବାକୁ ସେ ଯେଉଁ ସମୟତକ ଆସୁଥିଲା, ସେତେବେଳେ ସେ ତା’ର ପିଲାଟିର ଯତ୍ନ ନେଇ ପାରୁ ନଥିଲା । ଫଳରେ ପିଲାଟିର ଦେହ ଭଲ ରହିଲା ନାହିଁ ଓ ତାକୁ ଜ୍ଵର ହେଲା । ଗାଁମାନଙ୍କରେ ରୋଗୀମାନଙ୍କର ସେବା ଯତ୍ନପାଇଁ ନାଁ ଅଛି ଔଷଧ ନାଁ ଅଛି ଅନ୍ୟ କିଛି ବ୍ୟବସ୍ଥା । ପିଲାଟିକୁ ଥରେ ଦୁଇଥର ସେମାନେ ନାଛିଲେ ମାତ୍ର ଫଳ କିଛି ହେବ ନାହିଁ । ଏକ ସପ୍ତାହ ଧରି ଭୋଗିବା ପରେ ପିଲାଟି ମରିଗଲା । କାରୁପ୍‌ପାନ୍ ସ୍ତ୍ରୀଲୋକଙ୍କ ପରି କାନ୍ଦିଲା । ତା’ ବୁଢ଼ା ବାପା ତାକୁ ସାନ୍ତ୍ଵନା ଦେଇ କହିଲା “ଭଗବାନ ଯାହା ଦେଇଥିଲେ ନେଇଗଲେ ତୁ ବ୍ୟସ୍ତ ହୁଅନାହିଁ ।” ପାର୍ବତୀ କାନ୍ଦି କାନ୍ଦି ତା’ ଶଶୁରଙ୍କୁ କହିଲା ଭଗବାନ ମୋତେ କାହିଁକି ଏପରି ପରୀକ୍ଷା କରୁଛନ୍ତି । ମୁଁ ତ କେବେ କାହାର କିଛି କ୍ଷତି କରିନାହିଁ । ବୁଢ଼ା କହିଲା କେଡ଼େ ଅବୁଝା ହେଉଛୁ । ତୁ କାନ୍ଦନାହିଁ । ତୁ କିଛି ବୁଢ଼ୀ ହେଇଯାଇ ନାହୁଁ । ତୋର ସାତ ଆଠଟି ପିଲା ହେବାପରି ବୟସ ଅଛି । ବିଲରେ ଆମେ ଯେତେ ବିହନ ପକାଉ ସବୁତ ଗଛ ହୁଏ ନାହିଁ । ସେଥିପାଇଁ କ’ଣ ଆମେମାନେ କନ୍ଦାକଟା କରୁ ? ପାର୍ବତୀ କହିଲା ପୁଣି ପିଲାଟିଏ ହେବାକୁ ମୁଁ କାହିଁକି ଚାହିଁବି । ଏଠି ଦୁନିଆରେ ମୁଁ ଅନେକ ସୁଖ ଦୁଃଖ ଦେଖିଲିଣି । ଏବେ ମୋତେ ଭଗବାନ୍ ଏଠୁ ନେଇ ଯାଆନ୍ତୁ । ମୋର ଆଉ ଅଧିକ କିଛି ଲୋଡ଼ା ନାହିଁ । ବୁଢ଼ା ହସିଦେଇ କହିଲା ତୁ ଦେଖେ ତୋ ସ୍ଵାମୀ ଅଳ୍ପ ଯାହା ରୋଜଗାର କରୁଛି ଯେପରି ତାଡ଼ି ଦୋକାନରେ ନ ଉଡ଼ାଏ । ଏ ଦୁଃଖ ତୁ ଖୁବ୍ ଶୀଘ୍ର ଭୁଲିଯିବୁ । ତୋର ଆହୁରି ପିଲାପିଲି ହେବେ ଓ ତୁ ସୁଖରେ ରହିବୁ ।

 

କାରୁପ୍‌ପାନ୍ ନିୟମ କରି କହିଲା–ମୁଁ ସେ ବିଷ ଆଉ ମୋଟେ ଛୁଇଁବି ନାହିଁ । ମୁଁ ରାଣ ପକାଉଛି । ମୁଁ ଯଦି ପୁଣି କେବେ ସେସବୁ ଛୁଇଁଛି ତେବେ ମୋ ମୁହଁରେ ନିଆଁ ଦେବ ।

 

–୫–

ସୟତାନି

 

ପାର୍ବତୀର ଦୁଃଖ ସେତିକିରେ ସରିଲା ନାହିଁ । ଦୁର୍ଭାଗ୍ୟ ଲାଗି ରହିଲା । ଠିକ୍ ତା’ପର ବୁଧବାର ଦିନ ରାମପୁରମ୍ ମଦ ଦୋକାନ ପାଖ ଦେଇ ଯିବାବେଳେ କାରୁପ୍‌ପାନ୍ ତା’ ଶପଥ କଥା ଭୁଲିଗଲା । ସେ ଶଗଡ଼ରେ ତିରୁପୁରକୁ କିଛି ଜିନିଷ ନେଇ ଯାଇଥିଲା ଓ ସେ ଅନ୍ୟାନ୍ୟ ଶଗଡ଼ିଆମାନଙ୍କ ସାଙ୍ଗରେ ଫେରିଲାବେଳେ ସେଠାରେ ଓହ୍ଲାଇ ପାଟିକଲା “ଆରେ ପିଇବା ଲାଗି ଏଠାରେ କିଏ ଓହ୍ଲାଉଛ ? ମୁଁ ପିଇବି ନାହିଁ । ମୁଁ ଆଉ ସେ ଜିନିଷର ପାଖ ମାଡ଼ିବି ନାହିଁ ।”

 

ଆଉ ଜଣେ ଶଗଡ଼ିଆ କହିଲା–‘ତୁ ଯଦି ପିଇବାକୁ ଚାହୁଁନାହୁଁ ତେବେ ତୁ ତୋ ଟଙ୍କା ସାଇତି ରଖ । ଏପରି ପାଟି କରୁଛୁ କାହିଁକି ?’ ତା’ପରେ ଶଗଡ଼ରୁ ଡେଇଁପଡ଼ି ସେ ମଦ ଦୋକାନରେ ପଶିଲା । ତା’ର କିଛି ସମୟ ପରେ କାରୁପ୍‌ପାନ୍ ତା’ ଭିତରକୁ ଗଲା ଓ ମନେମନେ କହିଲା ଏଇଟା ଶେଷଥର ।

 

ତା’ପର ବୁଧବାରବି ସେଇୟା ହେଲା । ସେ ତା’ ସାଙ୍ଗମାନଙ୍କୁ କହିଲା ‘ପଇସା ଥିବାବେଳେ ଖୁସିବାସି, ଫୁର୍ତ୍ତି, ଫାଜିଲାମି କରିବ ନାହିଁ କାହିଁକି ?

 

ତା’ ସାଙ୍ଗ କହିଲା ଟଙ୍କା ଯାଉ କିଛି ଯାଏଁ ଆସେ ନାହିଁ । ଆମେ କିଛି ଟଙ୍କା ଧରି ଜନ୍ମ ହେଇ ନାହୁଁ କିମ୍ବା ମଲାବେଳେ କିଛି ସାଙ୍ଗରେ ଟଙ୍କା ନେଇ ଯିବା ନାହିଁ । ମୁଣ୍ଡ ଝାଳ ତୁଣ୍ଡରେ ମାରି ଯେଉଁ ଟଙ୍କା ଆମେ ରୋଜଗାର କରିଛୁ ସେ ଟଙ୍କାକୁ ଆମେ ଯେମିତି ଇଚ୍ଛା ଖର୍ଚ୍ଚ କଲେବି ଅନ୍ୟ କେହି ଆମକୁ ମନା କରି ପାରିବ ନାହିଁ ।

 

ତା’ କଥା ଶୁଣି ଆଉଜଣେ ଦାର୍ଶନିକ କହି ପକାଇଲା ହଁ ଠିକ୍ କଥା କହୁଛୁ । ମିଥ୍ୟା ମାୟା ଏ ସଂସାର । ଏଠାରେ ସବୁକିଛି ମାୟା । ଆଜି ଆମେ ଯେଉଁମାନଙ୍କୁ ଦେଖୁଛେ ହୁଏତ କାଲି ସେମାନଙ୍କୁ ଦେଖିବାକୁ ପାଇବା ନାହିଁ । କିଏ ବା ହଜାରେ ବର୍ଷ ବଞ୍ଚୁଛି ? ଥରେ ଆଖି ବୁଜିଦେଲେ ଏ ଟଙ୍କା ତୋର ନା ମୋର ?

 

ଚତୁର୍ଥ ଶଗଡ଼ିଆ ଜଣକ କହିଲା–‘କାହାରି ନୁହେଁ । ଏ ଟଙ୍କା ତୋର ନୁହେଁ କି ମୋର ନୁହେଁ । ସବୁ ଏହି ମଦ ଦୋକାନୀର ।’

 

ସମସ୍ତେ ହୋହୋ ହେଇ ହସି ଉଠିଲେ ।

 

ଆଉ ଜଣେ କହିଲା, ତମେ ସବୁ ବୋକାଗୁଡ଼ା । ପଣ୍ଡିତଙ୍କ ପରି ବେଶ୍ କଥାବାର୍ତ୍ତା କରୁଛ । ଟୋପେ ମାଲ୍ ଭିତରେ ପଡ଼ିଗଲେ କେମିତି ଫୁର୍ତ୍ତି କରିଦେଉଛି ବୁଝୁଛଟି ?’

 

କାରୁପ୍‌ପାନ୍ କହିଲା ଏ ବ୍ୟବସାୟୀମାନଙ୍କ ଉପରେ ମାଡ଼ ହେବା ଉଚିତ । ବଦମାସଗୁଡ଼ା ଆମକୁ ଠକୁଛନ୍ତି । ସେମାନେ ଶଗଡ଼ ଭଡ଼ା କମାଇ ଦେଇଛନ୍ତି ।

 

ରାତି ହେବାଯାଏ ମଦଖଟିରେ ଏହିପରି କଥାବାର୍ତ୍ତା ହେଇ ସେମାନେ ପୁଣି ସେମାନଙ୍କ ଶଗଡ଼ ପାଖକୁ ଫେରି ଆସୁଥିଲେ ।

 

କ୍ଵାଦର ଖାଁଙ୍କ ପରବର୍ତ୍ତୀ କିସ୍ତି ଶୁଝିବାର ଦିନ ଖୁବ୍ ଶୀଘ୍ର ପାଖେଇ ଆସୁଥିଲା । ସେ ଆସି ମାଗିବା ପୂର୍ବରୁ ଟଙ୍କା ନେଇ ଦେଇ ଆସିବାକୁ ପାର୍ବତୀ କାରୁପ୍‌ପାନ୍‍କୁ କହିଲା ।

 

କାରୁପ୍‌ପାନ୍ କହିଲା–ସେ ନର୍କକୁ ଯାଉ । ଏଥର ଯଦି ଆସି କିଛି ଗାଳିଗୁଲଜ କରିଛି ତେବେ ତା’ ମୁଣ୍ଡ ଫଟାଇ ଦେବି ।

 

ବୋଧହୁଏ ସେ ଅନ୍ୟ କୌଣସି କାମରେ ବ୍ୟସ୍ତଥିବା ହେତୁ ଅନେକ ଦିନ ପର୍ଯ୍ୟନ୍ତ ଆସି ନଥିଲା । କାରୁପ୍‌ପାନ୍ କିସ୍ତି କଥା ପୂରା ଭୁଲି ଯାଇଥିଲା ।

 

ଦିନେ କ୍ଵାଦରଖାଁ ପୁଅ ଇସ୍‌ମାଇଲ ଆସିଥିଲା । ସେ ସେଦିନ କିସ୍ତି ଟଙ୍କା କଥା ନ ପଚାରି ତା’ ଶଗଡ଼ରେ ରାମପୁରମ୍‍କୁ କେତେ ବସ୍ତା ଲଙ୍କା ସେହିଦିନ, ନେଇ ଯାଇ ପାରିବ କି ନାହିଁ ପଚାରି ବୁଝିଥିଲା ।

 

କାରୁପ୍‌ପାନ୍ କହିଲା–‘‘ମୁଁ କମରା କୋଣ୍ଡାନ୍‌ର ନଡ଼ା ନେଇ ଯିବି । ସାତଦିନ ଆଗରୁ ସେ କହିଛି ।” ଇସ୍‍ମାଇଲ କହିଲା “ଏତେ ତରତର ହେବା ଦରକାର ନାହିଁ ।” ଆମ ବସ୍ତାଗୁଡ଼ା ଯଦି ଆଜି ନ ଯାଏଁ ତେବେ ଆମର ବହୁତ କ୍ଷତି ହେବ ।”

 

ଶେଷରେ କାରୁପ୍‌ପାନ୍ ତା’ କଥାରେ ରାଜିହେଲା । ଦୟାକରି ସାହେବ ଟଙ୍କା ଅସୁଲ କରିବାକୁ ଯେତେବେଳେ ଭୁଲି ଯାଇଛି ସେ ଶଗଡ଼ ନେଇ ଯିବାକୁ ମନା କରି ଦିଅନ୍ତା କିପରି ?

 

ସେଦିନ ସନ୍ଧ୍ୟାରେ ପାର୍ବତୀ ଯେତେବେଳେ ଏକୁଟିଆ ଘରେ ରୋଷେଇ କରୁଥିଲା, ଇସ୍‌ମାଇଲ ଆସି ବାହାରେ ଠିଆ ହୋଇ ତା’ର ସ୍ଵାମୀ ଫେରିଲାଣି କି ନାହିଁ ବୋଲି ତାକୁ ପଚାରିଲା ।

 

ପାର୍ବତୀ କହିଲା–“ନା ସେ ଫେରି ନାହାନ୍ତି ?”

 

“ସତ କଥା । ସେ ଏତେ ଶୀଘ୍ର ଫେରନ୍ତା କିପରି ?” ବାଟରେ ଗୋଟେ ମଦଖଟି ଅଛି କହି ଇସ୍‌ମାଇଲ ଘରଭିତରେ ପଶିଲା । ପାର୍ବତୀ କହିଲା–“ହଁ ଠିକ୍ କଥା । ଏ ଗରିବଗୁଡ଼ା ଛାରଖାର ହୋଇ ନର୍କଯନ୍ତ୍ରଣା ଭୋଗିବେ । ସେଇଥିପାଇଁ ତ ଏମାନେ ମଦଖଟି ସବୁ ଖୋଲିଛନ୍ତି”-। ପାର୍ବତୀ ତାକୁ ବସିବାକୁ ନ କହିଲେବି ଇସ୍‌ମାଇଲ ତା’ ମନକୁ ମନ ସେଠାରେ ବସିଗଲା-। ସେ ହୁଏତ କାରୁପ୍‌ପାନ୍‍ର ଫେରିବାକୁ ଅପେକ୍ଷା କରିଛି ଭାବି ପାର୍ବତୀ ଆଉକିଛି ନ କହି ନିଜ ଧନ୍ଦାରେ ଲାଗିଲା ।

 

ଇସ୍‌ମାଇଲ ଏଣୁତେଣୁ କଥାବାର୍ତ୍ତା କରି ଚାଲିଥାଏ । ସେ ପଚାରିଲା–“ତୋ ସ୍ଵାମୀ ଯେମିତି କାରବାର କରୁଛି ତୋତେ ଚିଡ଼ି ମାଡ଼ୁନାହିଁ ?’ ପାର୍ବତୀ ପଛକୁ ନ ଚାହିଁ କହିଲା “ଆଜ୍ଞା, ସେ କଥା କିପରି ହେବ ? ଭଲ ହୁଅନ୍ତୁ ମନ୍ଦ ହୁଅନ୍ତୁ ଆମକୁ ଆମ ସ୍ଵାମୀଙ୍କର ସବୁ କିଛି ସହିବାକୁ ପଡ଼ିବ । ଇସ୍‌ମାଇଲ କହିଲା–“ସତକଥା । ସେ ତୋର ସ୍ଵାମୀ । ତୁ ତୋ ବାହାହେଲା ସ୍ଵାମୀକୁ ତ ଆଉ ଛାଡ଼ିପାରିବୁ ନାହିଁ ।”

 

କିଛିକ୍ଷଣ ପରେ ଦରଦପୂର୍ଣ୍ଣ କଣ୍ଠରେ ସେ କହିଲା–‘ତୋ ପରି ସୁନ୍ଦରୀ ସ୍ତ୍ରୀକୁ ପୁଣି ଏପରି ମଦୁଆ ସ୍ଵାମୀ ସାଙ୍ଗରେ ରହିବାକୁ ହେଉଛି । ଏହାହିଁ ସବୁଠାରୁ ଦୁର୍ଭାଗ୍ୟର କଥା ।’

 

ପାର୍ବତୀ କିଛି କହିଲା ନାହିଁ । କିଛି ସମୟ ଗଲାପରେ କାରୁପ୍‌ପାନ୍‍କୁ ଅପେକ୍ଷା ନ କରି ସେ ଫେରିଗଲା ।

 

ତା’ ପରଦିନ ମଧ୍ୟ ଅନ୍ୟକିଛି କାମରେ କାରୁପ୍‌ପାନ୍‍କୁ ପଠାଇଦେଇ ଇସ୍‌ମାଇଲ ସନ୍ଧ୍ୟାରେ ପୁଣି ପାର୍ବତୀ ଘରକୁ ଆସିଲା । ସେ ସାଙ୍ଗରେ କିଛି ତାଳଗୁଡ଼ ଆଣିଥିଲା । ତାକୁ ଦେବାଲାଗି ମୋପ୍‌ପାନଠାରୁ ଏ ତାଳଗୁଡ଼ ଆଣିଛି ବୋଲି କହି ପାର୍ବତୀକୁ ଧରାଇ ଦେଲା ।’

 

ସେ କହିଲା–“ତୋତେ ଦେଖିଲେ ମୋତେ ବହୁତ ଖୁସିଲାଗେ ।”

 

“ଏ ସବୁ କାହିଁକି ସେ କରୁଛି” ବୋଲି ମନେମନେ କହି ସେ ଡରିଗଲା । ଇସ୍‌ମାଇଲ କହିଲା ମୁଁ ତୋ ପାଖକୁ ଆସିଲେ ତୁ ଏପରି ଡରୁଛୁ କାହିଁକି ? ତୁ କ’ଣ ଭାବିଛୁ ମୁଁ ବାକି ଟଙ୍କା ଲାଗି ତୋତେ ହଇରାଣ କରିବି ? ମୋଟେ ନୁହେଁ ତୁ ଯଦି ମୋତେ ହସିକରି ପଦେ କଥା କହିବୁ ସେଇ ଢେର୍ । ମୁଁ ଟଙ୍କାକୁ ଖାତିର କରେ ନାହିଁ ।’

 

ପାର୍ବତୀ ଅନେକ ଦିନ ପର୍ଯ୍ୟନ୍ତ ଅପେକ୍ଷା କଲା । କିନ୍ତୁ ସବୁଥର ସେ କାରୁପ୍‌ପାନ୍‍କୁ ମଦ ପିଇବାର ଦେଖିଲା । ସ୍ଵାମୀକୁ ବାରଣ କରିବାର ମନୋବଳ ତା’ର ଦୁର୍ବଳ ହୋଇ ପଡ଼ିଲା । ଶେଷରେ ସେ ଚୁପ୍‌ଚାପ୍ ହୋଇ ରହିଲା । ତାକୁ କିଛି କହିଲା ନାହିଁ ।

 

–୬–

କ୍ରୋଧ

 

କିରାମ୍ବୁର ମଦଖଟି ବାହାରେ ହାଡ଼ି, ମୋଚି ଓ ଅନ୍ୟାନ୍ୟ ଅଛବ ଜାତିର ଗରାଖମାନେ ଜମା ହୋଇ ପାଟିତୁଣ୍ଡ କରୁଛନ୍ତି । ସେମାନଙ୍କୁ ମଦ ବିକିବା ଲାଗି କାନ୍ଥରେ ଗୋଟିଏ ଛୋଟ ବାଟ ଅଛି । ଖଟି ଭିତରେ ଛେପ ଖଙ୍କାର, ମାଛ ମାଂସ କଣ୍ଟା ଓ ମଇଳାରେ ଭର୍ତ୍ତି, ଠିକ୍ ଗୋଟାଏ ନର୍କ, ମାଛି ଗଣଗଣ ହେଉଛନ୍ତି । ବାସି ତାଡ଼ି ଗନ୍ଧରେ ଚାରିଆଡ଼ ଭରିଯାଉଛି । ବଡ଼ବଡ଼ ଦଳରେ ବିଭକ୍ତ ହୋଇ ଲୋକମାନେ ବସିଛନ୍ତି । ଜୋରରେ ପାଟିତୁଣ୍ଡ କରୁଛନ୍ତି ।

 

କାରୁପ୍‌ପାନ୍ କହିଲା–“ତୁ ଯଦି ପୁଣି ମୋ ସାଙ୍ଗରେ ଏମିତି କଥାବାର୍ତ୍ତା କରୁ ତେବେ ମୁଁ ମୁଥମାରି ତୋର ସବୁ ଦାନ୍ତ ଝଡ଼ାଇ ଦେବି ।”

 

ଏହା ଶୁଣି ପଲାନି କହିଲା “କ’ଣ କହିଲୁ ତୁ ମୋ ଦାନ୍ତ ଝଡ଼ାଇ ଦେବୁ । ହେ ଭଗବାନ-! ଏ ଲୋକକୁ ଦେଖ । ସେ ତା’ ନିଜ ସ୍ତ୍ରୀକୁ ସମ୍ଭାଳି ପାରୁନାହିଁ ।”

 

ଏତିକିରେ କାରୁପ୍‌ପାନ୍ ତା’ ମୁହଁ ଉପରକୁ ମଦ ତାଟିଆ ଫିଙ୍ଗିଲା । ତାଟିଆ ତା’ ନାକରେ ବାଜି ଖଣ୍ଡିଆ ହୋଇ ରକ୍ତ ବୋହିବାକୁ ଲାଗିଲା । କେହି ଜଣେ ପାଟିକରି ଉଠିଲା ବୋକାଗୁଡ଼ା ।

 

ତୁମେ ତାଡ଼ି ଫିଙ୍ଗି ନଷ୍ଟ କରୁଛ ? ଗୋଟେ ହାରାମଜାଦା ମାଇକିନା ଲାଗି ତମେ ଏତେ ବଢ଼ିଆ ମାଲ୍ ନଷ୍ଟ କରୁଛ । ମାଇକିନାଙ୍କୁ କେବେ ବିଶ୍ଵାସ କରିବ ନାହିଁ । ସେମାନେ କାଳନାଗୁଣୀ ।

 

ପଲାନି ନାକରୁ ସେହିପରି ରକ୍ତ ବୋହୁଥାଏ । ଆହା ବିଚରା ମରିଗଲା ବୋଲି କହି କେହି ଜଣେ ତା’ ମୁହଁରୁ ରକ୍ତ ପୋଛି ଦେଲା । ପଲାନି ଉପରେ ଜୋରରେ ଆଘାତ ଲାଗି ନଥିଲା-। ସେ ଉଠିପଡ଼ି ରାଗରେ କାରୁପ୍‌ପାନ୍ ଉପରକୁ ଗୋଟାଏ ଇଟା ଫିଙ୍ଗିଲା । କାରୁପ୍‌ପାନ୍ କୌଣସିମତେ ଖସିଗଲା ।

 

ମଦବିକାଳି ପାଟିକଲା–‘ମୋ ଦୋକାନ ଭିତରେ ମାଡ଼ପିଟ୍ ଲାଗନାହିଁ’ କାରୁପ୍‌ପାନ୍ ଦୌଡ଼ି ପଳାଇଲା ପଲାନି ତାକୁ ଗୋଡ଼ାଇ ଯାଉ ଯାଉ ଦୁଆରବନ୍ଧ ଝୁଣ୍ଟି ତଳେ ପଡ଼ିଗଲା । କାରୁପ୍‌ପାନ୍ ତା’ ଶଗଡ଼ ପାଖରେ ପହଞ୍ଚି ଜୋରରେ ପାଟିତୁଣ୍ଡ ଗାଳିଗୁଲଜ କରି ଶଗଡ଼ ଅଡ଼େଇ ନେଲା ।

 

ଅନ୍ୟଦିନ ଅପେକ୍ଷା ସେଦିନ ସେ ସଅଳ ଆସି ଘରେ ପହଞ୍ଚିଲା । ଘର ଭିତରୁ କବାଟର ଖିଡ଼ିକି ଦିଆଯାଇଥିଲା । କାରୁପ୍‌ପାନ୍ ପାଟିକଲା ହେ’, ତୁ ଘର ଭିତରେ କ’ଣ କରୁଛୁ ? ମୁଁ ଆଉ କେତେବେଳଯାଏ ଏମିତି ବାହାରେ ଠିଆ ହେଇଥିବି ? କବାଟ ଖୋଲ, ବଳଦଙ୍କୁ ପାଣିଦେ ।

 

‘ଘର ଭିତରେ ପାଦ ଶବ୍ଦ ଶୁଣା ଯାଉଥାଏ । କବାଟ ଖୋଲିଲା ନାହିଁ । କାରୁପ୍‌ପାନ୍ ସେମିତି ପାଟି କରୁଥାଏ । ପାର୍ବତୀ କବାଟ ଖୋଲି ବାହାରକୁ ଆସିଲା ଓ କାରୁପ୍‌ପାନ୍ ଆଗରେ ଠିଆ ହେଇ କହିଲା ମୋ ସାଙ୍ଗରେ ଆସ, ମହିଷୀଟାକୁ ଦେଖ । ତା’ର କ’ଣ ହେଇଛି । ଦୁଧ ଦୁହାଁଇ ଦେଉନାହିଁ ।

 

“ମହିଷୀ ନର୍କରେ ପଡ଼ୁ । ମୋତେ ଭାରି ଶୋଷ ହେଉଛି । ମୋତେ ଟିକିଏ ପାଣି ଆଣିଦେ କହି ସେ ଘର ଭିତରକୁ ପଶିଗଲା ।

 

ଇସ୍‌ମାଇଲ ଘର ଭିତରେ ଥିଲା । କାନ୍ଥ ପାଖେପାଖେ ନେସି ହୋଇ ପଳାଇ ଯିବାକୁ ଉଦ୍ୟମ କଲା ।

 

ବେଶ୍ୟା ମାଇକିନା ବୋଲି କାରୁପ୍‌ପାନ ପାଟି କରି ଉଠିଲା ଓ ପାଖରେ ଥିବା ଗଇଁତି ଉଠାଇ ପାର୍ବତୀ ଉପରକୁ ଫିଙ୍ଗିଲା ।

 

ତା’ପରେ ସେ ଗୋଟାଏ ଦାଆ ଉଠାଇ ଖୁବ୍ ଜୋରରେ ଇସ୍‌ମାଇଲ ଉପରକୁ ଫିଙ୍ଗିଲା-। ଇସ୍‌ମାଇଲ ଖଣ୍ଡିଆ ହେଇ ପଡ଼ିଗଲା । ତା’ ମୁଣ୍ଡରୁ ଝରଝର ହେଇ ରକ୍ତ ଝରିବାକୁ ଲାଗିଲା-। ତା’ପରେ କାରୁପ୍‌ପାନ୍ ପାର୍ବତୀ ଉପରକୁ ମାଡ଼ି ଆସିଲା । ସେ ତା’ ଦେଢ଼ଶୁର ଘରକୁ ଦୌଡ଼ି ପଳାଇଲା, ତା’ ପଛେ ପଛେ କିଛିଦୂର ପର୍ଯ୍ୟନ୍ତ କାରୁପ୍‌ପାନ୍ ଦୌଡ଼ିଲା । ଯେତେବେଳେ ଦେଖିଲା ସାଇପଡ଼ିଶାମାନେ ତା’ ଆଡ଼କୁ ଆସୁଛନ୍ତି ସେ ଫେରି ଆସିଲା । ସେ ଆସି ଦେଖିଲା ଇସ୍‌ମାଇଲ ଉଠିବାକୁ ଚେଷ୍ଟା କରୁଛି । ‘ମୁଁ ତାକୁ ଶେଷ କରିଦେବି’ କହି ଖୁବ୍ ଜୋରରେ ଆଗକୁ ମାଡ଼ି ଆସିଲା-। କିନ୍ତୁ ସେତେବେଳକୁ ସେଠାରେ ଅନେକ ଲୋକ ଜମା ହୋଇ ଯାଇଥିଲେ । ତାକୁ ସେମାନେ ଅଟକାଇ ତା’ଠାରୁ ଦାଆଟାକୁ ଛଡ଼ାଇ ନେଲେ ।

Image

 

–୭–

ନର୍କ

 

ରାମପୁରମ୍ ଥାନାରେ ଦୁଇଟି ଭିନ୍ନ ଭିନ୍ନ ହାଜତରେ କାରୁପ୍‌ପାନ୍ ଓ ପାର୍ବତୀ ତାଲା ପଡ଼ି ବନ୍ଦ ହେଇ ରହିଥାଆନ୍ତି ।

 

ଅନେକ ପୋଲିସ୍‍ ପାର୍ବତୀ ଥିବା ହାଜତ ସାମନାରେ ଏପଟ ସେପଟ ହେଇ ତାକୁ ଚାହିଁ ମୁରୁକି ହସୁଥିଲେ । ତା’ ସାଙ୍ଗରେ ଟିକିଏ କଥା ହେବାପାଇଁ ସମସ୍ତେ ସୁଯୋଗ ଅପେକ୍ଷାରେ ଥାଆନ୍ତି । ମାତ୍ର ସେ ଦୁଃଖରେ ମ୍ରିୟମାଣ ହୋଇ ପଡ଼ିଥିଲା । ତା’ ଆତ୍ମା ଯନ୍ତ୍ରଣାରେ ଜର୍ଜରିତ ହେଉଥିଲା । ସ୍ଵାଧୀନ ଭାବରେ ବଣରେ ବୁଲୁଥିବା କୌଣସି ଜୀବ ଧରାହୋଇ ଆସି ପ୍ରଥମଥର ପାଇଁ ଯନ୍ତାରେ ରଖାଗଲାପରି ସେ ଅନୁଭବ କରୁଥିଲା ।

 

ଜଣେ ସବ୍‌ଇନିସ୍‍ପେକ୍ଟର କାରୁପ୍‌ପାନକୁ କହିଲେ ସତକରି କହ । ଘଟଣା କ’ଣ ? ତାହାହେଲେ ତୋତେ ଏଥିରୁ କିପରି ଛାଡ଼ କରି ଦିଆଯାଇପାରେ ବାଟ ଖୋଜିବା ।

 

କାରୁପ୍‍ପାନ୍‍ କହିଲା–“ଲୁଚାଇବାର କ’ଣ ଅଛି ? ମୁଁ କିଛି ଜାଣେ ନାହିଁ । ମୁଁ କାରୁମଣ୍ଡୁରୁ ଯାଇଥିଲି । ଏଇ ଗଲା ଶୁକ୍ରବାର ଦିନ ଫେରିଲି ।”

 

ଇନିସ୍‍ପେକ୍ଟର କହିଲେ “ଦେଖ୍ ବାବା, ଏପରି ଧପ୍ପାବାଜି କରି କିଛି ଲାଭ ନାହିଁ । ତୋ ସ୍ତ୍ରୀ ଆମକୁ ସବୁ କଥା କହି ଦେଲାଣି ।”

 

କାରୁପ୍‌ପାନ୍ କହିଲା–“କ’ଣ ହେଲା ସେ ବଜ୍ଜାତ୍ ସବୁ କହି ସାରିଲାଣି । ସେ ସତ୍ୟାନାଶୀ ମୋତେ ସାରିଦେଲା ।”

 

ଇନିସ୍‍ପେକ୍ଟର କହିଲେ “ହଁ ସତକଥା । ସ୍ତ୍ରୀଲୋକମାନେ ସବୁ ବିପଦର କାରଣ । ତୁ ଏବେ ଯାହା ଜାଣିଛୁ କହ ।”

 

କାରୁପ୍‌ପାନ୍ କହିଲା “ମୋର ଆଉ ଅଧିକ କ’ଣ କହିବାର ଅଛି ? ଏଇନେ ତ କହିଲେ ସେ ସବୁ କଥା କହି ଦେଇଛି ।”

 

ଇନିସ୍‍ପେକ୍ଟର କହିଲେ–“ହଁ ତା’ ଠିକ୍ କଥା । କିନ୍ତୁ ଆମେ ତୋ ମୁହଁରୁ ସବୁ ଶୁଣିବା ଉଚିତ । ନହେଲେ ଦୀର୍ଘ ସାତବର୍ଷ ତୋତେ କଠିନ ଜେଲ୍ ଦଣ୍ଡ ଭୋଗିବାକୁ ହେବ । ବୁଝୁଛ ତ ?”

 

କାରୁପ୍‌ପାନ୍ ଖୁବ୍ ଦୃଢ଼ତାର ସହିତ କହିଲା–“ସାତବର୍ଷ ହେଲେ ହେଉ । ମୁଁ କିଛି କହି ପାରିବି ନାହିଁ ।”

 

ପାଖରେ ଠିଆ ହେଇଥିବା ଜଣେ ସିପାହୀ କହିଲା–“ଭଦ୍ରଭାବେ ପଚାରିଲେ ଏ ମଫସଲିଠୁ ଠିକ୍ ଉତ୍ତର ପାଇବେ ନାହିଁ । ତା’ଠୁ ସତ ବାହାର କରିବାକୁ ହେବ” । ତା’ପରେ ସେ ତାକୁ ଏପରି ଶାସ୍ତି ଦେବା କଥା କହିଲା ଯାହାକି ଏଠାରେ ଭାଷାରେ ଲେଖି ହେବ ନାହିଁ ।

 

ସବ୍‌ଇନିସ୍‍ପେକ୍ଟର କହିଲେ–“ହଁ ତାକୁ ଠିକ୍‍ଭାବେ ପରୀକ୍ଷା କର ।” ପରୀକ୍ଷା ଶବ୍ଦ ଉପରେ ସେ ବିଶେଷ ଜୋର ଦେଇଥିଲେ ।

 

ପାର୍ବତୀକୁ ମଧ୍ୟ ପଚରାପଚରି ଚାଲିଥାଏ ।

 

ମୁଖ୍ୟ ସିପାହୀ ପଚାରିଲେ “ଏ ମାଇକିନା ୟାଡ଼େ ଚାହାଁ । ତୁ ନିର୍ଦ୍ଦୋଷ ପରି ମନେ ହେଉଛୁ । ଯଦି ସତ କହୁ ତେବେ ଛାଡ଼ ପାଇବୁ, ଶୁକ୍ରବାର ସନ୍ଧ୍ୟାରେ କ୍ଵାଦର ଓ ତା’ ପୁଅ ତୋ ଘର ପାଖକୁ ଆସିଥିଲେ କି ?”

 

–“ବାପ ପୁଅ ? ନା”–ପାର୍ବତୀ ମନା କଲା ।

 

ପାଖରେ ଥିବା ସିପାହୀକୁ ଆଖି ମାରି ସେ ପୁଣି ପଚାରିଲେ “ଠିକ୍ ଅଛି । ତେବେ ଇସ୍‌ମାଇଲ ଏକା ଆସିଥିଲା । ?”

 

“ଆଜ୍ଞା ମୋ ସାଙ୍ଗରେ ଏମିତି କଥାବାର୍ତ୍ତା କରନ୍ତୁ ନାହିଁ । ମୋ ଘରକୁ ଜଣେ ମୁସଲମାନ କାହିଁକି ଆସିବ ? ଜଣେ ସ୍ତ୍ରୀଲୋକକୁ ଆପଣ ଏପରି ଅପମାନଜନକ ପ୍ରଶ୍ନ କିପରି ପଚାରି ପାରୁଛନ୍ତି ? ମୋତେ ଘରକୁ ପଠାଇ ଦିଅନ୍ତୁ । ଘରେ ମୋର ଶାଶୁ ଶଶୁର ଅଛନ୍ତି । ତାଙ୍କୁ ପଚାରିଲେ ସେମାନେ ସବୁ କହିବେ ।”

 

“ଓଃ, ତୁ ସତରେ ଘରକୁ ଯିବାକୁ ଚାହୁଁଛୁ ? ଏମିତି ତରତର ହଅ ନାହିଁ । ଦେଖ ଯଦି ତୁ ସତ କହିବୁ ତେବେ ଘରକୁ ଯାଇ ପାରିବୁ । ନହେଲେ ନାହିଁ । ତୋତେ ଏଇଠି ରହିବାକୁ ପଡ଼ିବ ।”

 

ପାର୍ବତୀ ଚିତ୍କାର କଲା ‘ହେ’ ଭଗବାନ ।

 

ମୁଖ୍ୟ ସିପାହୀ କହିଲା “ଏମିତି କଅଁଳେଇ କରି ପଚାରି ତା’ଠୁ କିଛି ବାହାର କରି ପାରିବ ନାହିଁ । ମାଇକିନା ବଡ଼ ଚାଲାକ ଅଛି । ବହୁତ ଟୋକାଙ୍କୁ ଏ ବଜ୍ଜାତ୍ ମାଇକିନା ନଷ୍ଟ କରିଛି-।”

 

ପାର୍ବତୀ କହିଲା “ଆଜ୍ଞା, ଆପଣମାନଙ୍କର କ’ଣ ଝିଅ ନାହାନ୍ତି ?”

 

“ମୋ ପରି ଜଣେ ନିର୍ଦ୍ଦୋଷ ଗରିବ ପ୍ରତି ଦୟା କରନ୍ତୁ । ଆପଣଙ୍କର ନିଜ ଭଉଣୀ ପରି ମତେ ଦେଖନ୍ତୁ ।”

 

ମୁଖ୍ୟ ସିପାହୀ ପାଟି କଲା–‘‘ଗରମ ଲୁହା ଛଡ଼ ଆଣ ତ ।”

 

ପାର୍ବତୀ ବିକଳ ହୋଇ କହିଲା ‘‘ମୋ ସ୍ୱାମୀକୁ ପଚାରନ୍ତୁ ସେ ସବୁ କଥା କହିବେ, ଗୋଟିଏ ଅସହାୟା ସ୍ତ୍ରୀଲୋକକୁ ଏପରି ଯନ୍ତ୍ରଣା କାହିଁକି ଦେଉଛନ୍ତି ?”

 

ସବ୍‌ଇନିସ୍‍ପେକ୍ଟର କହିଲେ–“ତୁ କ’ଣ ଭାବୁଛୁ ଆମେ ତାକୁ କିଛି ପଚାରି ନାହୁଁ । ଆମେ ତାକୁ ପଚାରିଛୁ । ସେ ଆମକୁ ସବୁ କହି ଦେଇଛି ।” ଦୁଃଖରେ ପାର୍ବତୀ କହିଲା–“ସତରେ ସିଏ ସବୁକହି ଦେଇଛି ?”

 

“ହଁ ସେ ସବୁ କହି ଦେଇଛି । ସେ କହିଲା ତୋରି ବେଇମାନୀ ହେତୁ ଏ ସବୁ ଘଟିଛି ।”

 

ହେ’ ଭଗବାନ, ହେ ଭଗବାନ ! କହି ନିଜ ହାତକୁ ମୁଠାଇ ସେ ତଳେ ପଡ଼ିଗଲା ।

 

“କନ୍ଦାକନ୍ଦି କରି କିଛି ଲାଭ ନାହିଁ । ଏପରିଭାବେ ତୁ ଆମ ସମସ୍ତଙ୍କୁ ଠକି ଦେଇ ପାରିବୁ ନାହିଁ । ତୁ ପକ୍କା ନାଚବାଲି ଅଛୁ । ତୁ ଏମିତି କେତେ ମରଦଙ୍କୁ ତଳିତଳାନ୍ତ କରିଛୁ ?”

 

“ଆଜ୍ଞା ଆପଣମାନେ ଏପରି କଥାବାର୍ତ୍ତା କରନ୍ତୁ ନାହିଁ । ଆପଣମାନେ ସମସ୍ତେ ମୋ ଭାଇପରି । ସେ ଲୋକ ତା’ ପାଉଣା ଆଦାୟ କରିବାକୁ ଆସିଥିଲା ।”

 

ମୁଖ୍ୟ ସିପାହୀ ସବ୍‌ଇନିସ୍‍ପେକ୍ଟରଙ୍କ ଆଡ଼କୁ ଚାହିଁ କହିଲା ମୁଁ କହୁ ନଥିଲି ହଁ ଏଥର ବାଟକୁ ଆସିଲା । ତା’ପରେ ସେ ପାର୍ବତୀକୁ ଚାହିଁ କହିଲା “ହେ ମାଇକିନା ଚାହାଁ, ଦେଖ, ତୁ ସତ କହିଲେ ଛାଡ଼ ପାଇବୁ । ଗୋଟେ ମାଇକିନାକୁ ଜେଲକୁ ପଠାଇବାକୁ ଆମେମାନେ ମୋଟେ ଚାହୁଁ ନାହୁ । ତୋ ସ୍ଵାମୀ ସାମାନ୍ୟ ଦଣ୍ଡ ପାଇ ରକ୍ଷା ପାଇଯିବ । ଏ ଜବାବ ଆମେ ତୋତେ ଦେଉଛୁ ।”

 

ପାର୍ବତୀ କହିଲା–“ରାତିରେ ମୋତେ ମୋ ଘରକୁ ଯିବାକୁ ଛାଡ଼ି ଦିଅନ୍ତୁ । ମୁଁ ଆପଣଙ୍କୁ ସବୁ କଥା କହିବି ।”

 

ସବ୍‌ଇନିସ୍‍ପେକ୍ଟର କହିଲେ–“ବେଶ୍ ଭଲ କଥା । ସିଏ ଘରକୁ ଯାଉ । ସେ ସତ କହିବାକୁ ଚାହୁଁଛି ବୋଲି ମନେ ହେଉଛି ।”

 

ମୁଖ୍ୟ ସିପାହୀ ସତର୍କ କରିଦେଇ କହିଲା–“ସେ ଯଦି ଘରକୁ ଯାଏଁ ତେବେ ତା’ଠୁ ଆଉ ସତ କେବେ ବାହାରିବ ନାହିଁ ।”

 

ସବ୍‌ଇନିସ୍‍ପେକ୍ଟର ସିପାହୀ କାନର କ’ଣ ଫୁସ୍‍ଫୁସ୍ କରି କହିଲେ, “ଆମେ ତାକୁ ଗିରଫ୍ କରିନାହୁଁ । ରାତିସାରା ତାକୁ କିପରି ହାଜତରେ ରଖିବା ?”

 

“ଠିକ୍ ଅଛି । ତାହାହେଲେ ଗାର୍ଡ଼୍‍ ଦେଇ ଆମେ ତାକୁ ତା’ ଘରକୁ ପଠାଇବା ‘ପୁଣି ତାକୁ ସକାଳୁ ଆସିବା ଲାଗି କହିବା ।”

 

–୮–

ଏ ଦୁନିଆ

 

କାରୁପ୍‌ପାନ୍‍ର ବାପ ଜଣେ ଓକିଲ ନିଯୁକ୍ତ କରିବାକୁ ତା’ ବଡ଼ପୁଅକୁ ଅନୁରୋଧ କଲା-। ମକଦ୍ଦମା ଖର୍ଚ୍ଚ ତୁଲାଇବା ଲାଗି ସେମାନେ କାରୁପ୍‌ପାନର ଶଗଡ଼ଟିକୁ ବିକ୍ରି କରିଦେଲେ । ସେ ଟଙ୍କା ସରିଗଲା ପରେ ସେମାନେ ତା’ ମଇଁଷିକୁ ନେଇ ତାଙ୍କର ଜଣେ ଆତ୍ମୀୟ ପାଖରେ ବନ୍ଧା ଦେଇ ଟଙ୍କା ଆଣିଲେ । ସେମାନେ ପାର୍ବତୀକୁ ଯେତେ ପାରନ୍ତି ଅଭିଶାପ ଦେଲେ, କାରଣ ସେମାନେ ଭାବୁଥିଲେ ଯେ ସବୁ ଦୁର୍ଦ୍ଦଶାପାଇଁ ପାର୍ବତୀ ଦାୟୀ ।

 

କାରୁପ୍‌ପାନ୍‍ର ଓକିଲ ମାଜିଷ୍ଟ୍ରେଟଙ୍କ ପାଖରେ ସାକ୍ଷୀମାନଙ୍କଦ୍ଵାରା ପ୍ରମାଣ କିରିବାକୁ ଚାହୁଁଥିଲେ ଯେ ଘଟଣା ଘଟିବାବେଳେ ସେ କାରୁମଣ୍ଡୁରରେ ଥିଲା । କାରୁପ୍‌ପାନ୍‍ର ସମ୍ପର୍କୀୟମାନ ଶୁଣିଲେ ଯେ ଓକିଲ ଦୀର୍ଘ ତିନି ଘଣ୍ଟାରୁ ଅଧିକ ସମୟ ଜବାବ ସୁଆଲ କଲେ ସେତେବେଳେ ସେମାନେ ବହୁତ ଖୁସି ହେଲେ ।

 

କ୍ଵାଦର ଖାଁ ଶପଥ ପାଠ କରି ସାକ୍ଷୀ ଦେଇ । ସେ କହିଲା ଯେ ସେ ଓ ତା’ ପୁଅ ବାକିଟଙ୍କା ଅସୁଲ କରିବା ଲାଗି କାରୁପ୍‌ପାନ୍ ଘରଠିକୁ ଯାଇଥିଲେ । ସେମାନେ ଟଙ୍କା ମାଗିବାରୁ ସେ ଗାଳିଗୁଲଜ କଲା । ତା’ ସତ୍ତ୍ଵେ ଟଙ୍କା ଦେଇ ଦେବାକୁ ଲଗାଇବାରେ ସେ ଗୋଟାଏ ଦାଆ ତା’ ଉପରକୁ ଫିଙ୍ଗିଲା । ମାତ୍ର ତା’ ପୁଅ ଇସ୍‌ମାଇଲ ମଝିରେ ପଶି ଯିବାରୁ ଦାଆଟା ତା’ଠି ବାଜିଲା । ସେ ଦାଆ ତା’ ଡାହାଣ କାନରେ ନବାଜି ଯଦି ମୁଣ୍ଡରେ ବାଜି ଯାଇଥାନ୍ତା ତେବେ ସେ ନିଶ୍ଚୟ ମରି ଯାଇଥାଆନ୍ତା ।

 

ସାକ୍ଷୀ ହିସାବରେ ପାର୍ବତୀକୁ ମଧ୍ୟ ପରୀକ୍ଷା କରାଗଲା । ଓକିଲ କହିବା ମୁତାବକ ସେ କିଛି ଦେଖି ନାହିଁ ବୋଲି କହିଲା । ସେ ଆଗରୁ ଯାହା ସବୁ କହିଥିଲା ପୋଲିସ୍ ତାକୁ ବାଧ୍ୟ କରିବାରୁ ସେ କହିଥିଲା ବୋଲି କହିଲା ।

 

ମାଜିଷ୍ଟ୍ରେଟ ମକଦ୍ଦମାଟିର ବିଚାରପାଇଁ ସେସନ୍‌ସ କୋର୍ଟକୁ ପଠାଇ ଦେଲେ ।

 

କାରୁପ୍‌ପାନ୍‍ର ବଳଦ ଦୁଇଟି ମଧ୍ୟ ବିକ୍ରି ହେଇଗଲେ । ସେସନ୍‌ସ କୋର୍ଟପାଇଁ ଜଣେ ନୂଆ ଓକିଲ ନିଯୁକ୍ତ ହେଲେ । ମକଦ୍ଦମା ବିଚାର ଶେଷ ପର୍ଯ୍ୟନ୍ତ ପାର୍ବତୀ ଯାଇ ନିଜ ଗାଁରେ ତା’ ଭାଇ ପାଖରେ ରହିଲା ।

 

ପାର୍ବତୀର ଭାଇ ଭାରି ଗରିବ ଲୋକ । ସେ ଭାରି କଷ୍ଟରେ ଚଳୁଥିଲା । ପାର୍ବତୀ ତାଙ୍କ ପାଖରେ ରହିବାକୁ ଆସିଛି ଦେଖି ତା’ର ସ୍ତ୍ରୀ ମଲାୟୀ ରାଗରେ ନିଆଁ ହେଇ ଉଠିଲା । ଦିନେ ଯେତେବେଳେ ପାର୍ବତୀ ଘର କବାଟ ପାଖରେ ଠିଆ ହେଇ ଭାଇକୁ ତା’ କଥା କହି କାନ୍ଦୁଥିଲା, ତା’ ସ୍ତ୍ରୀ ଘର ଭିତରୁ ପାଟି କରି ବାହାରି ଆସିଲା କହିଲା–“ଆମେ ଯାହାକୁ ମନ ତାକୁ ଏ ଘରେ ରଖିପାରିବୁ ନାହିଁ । ଆମେ ନିଜେ ମୁଠେ ଖାଇବାକୁ ପାଇବା ମୁସ୍କିଲ୍ ହେଇ ଯାଉଛି । ଏହା କହି ବାହାର ପଟୁ କବାଟ ବନ୍ଦ କରି ଦେଇ ସେ ବିଲକୁ ଚାଲିଗଲା ।

 

ତା’ର ଭାଇ ପାର୍ବତୀକୁ ଗୁହାଳୁ ଖତ ନେଇ ବିଲରେ ପକାଇବାକୁ କହିଲା । ଅକ୍ଳାନ୍ତ ପରିଶ୍ରମ କରି ପାର୍ବତୀ ସେମାନଙ୍କୁ କାମରେ ସାହାଯ୍ୟ କଲା । ପେଟକୁ ମୁଠାଏ ଖାଇବା ଲାଗି ସେ ବହୁତ କାମ କରୁଥିଲା । କିନ୍ତୁ ତା’ ଭାଉଜର ତା’ ପ୍ରତି କୌଣସି ଦୟା ହେଲାନାହିଁ । ସେ ପାର୍ବତୀକୁ ବରାବର ଅପମାନ ଦେଉଥିଲା । ମାତ୍ର ଧୈର୍ଯ୍ୟର ସହିତ ପାର୍ବତୀ ସବୁ ସହି ଯାଉଥିଲା ।

 

ଦିନେ ସକାଳେ ଜଣେ ସିପାହୀ ଆସି ପହଞ୍ଚିଲା । ସେସନ୍‌ସ କୋର୍ଟରେ କାରୁପ୍‌ପାନ୍ ମକଦ୍ଦମାର ବିଚାର ସମୟ ହୋଇ ଯାଇଥିଲା । ପାର୍ବତୀକୁ ଯାଇ ମକଦ୍ଦମାରେ ସାକ୍ଷୀ ଦେବା ଲାଗି ସେ କହିଲା । ପାର୍ବତୀକୁ ତା’ ଭାଉଜ ଏତେ ହଇରାଣ କରୁଥିଲେ ଯେ ଏ ସମନଟାବି ତାକୁ ସାନ୍ତ୍ୱନା ଦେଇଥିଲା । ସିପାହୀ ଜଣକ ଜଣେ ବୁଢ଼ା ମୁସଲମାନ । ଦେଖିବାକୁ ଡେଙ୍ଗା, ଲମ୍ବା ଲମ୍ବା ନିଶ, ଦେଖିବାକୁ ଭୟଙ୍କର । କିନ୍ତୁ ତା’ କଥାବାର୍ତ୍ତା ନିଜର ବାପର କଅଁଳ କଥାବାର୍ତ୍ତା ପରି ତାକୁ ଲାଗୁଥିଲା ।

 

ସେମାନେ ଚାଲି ଚାଲି ଏରୋଡ଼ା ଗଲେ । ସେଠୁ ସେମାନେ ରେଳ ଧରିବେ । ସେ ପାର୍ବତୀକୁ କହିଲା–“ଭଉଣୀ ଯାହାଯାହା ଘଟିଛି ତୁ ବିଚାରପତିଙ୍କୁ କହିଦେ । ସେ ହୁଏତ ତୋ ପ୍ରତି ଦୟା କରିବେ ? ଘଟଣାଟା ଭାରି ଅପମାନଜନକ ।’’

 

“ଏଥିରେ ଅପମାନିତ ହେବାର କ’ଣ ଅଛି ? ସମସ୍ତେ ଭୁଲ କରନ୍ତି । ଜୀବନରେ ଥରକପାଇଁବି ଠକେଇ ନ ହେଇଥିବା ଲୋକ ବାହାରିବେ ନାହିଁ । ଉପରେ ଭଗବାନ ଦେଖୁଛନ୍ତି । ସେ ବେଳେବେଳେ ଆମକୁ ପାପ କରିବାକୁ ଅନୁମତି ଦିଅନ୍ତି । ସବୁ ତାଙ୍କରି ଇଚ୍ଛା ।”

 

ପାର୍ବତୀ ପଚାରିଲା–‘ତାହାହେଲେ ତମେ କ’ଣ କହୁଛ ମୁଁ ସତ କହିବି ? ସତ କହିଲେ ମୁଁ ଜାତିରୁ ତଡ଼ା ଖାଇବି । ମୋ ସ୍ଵାମୀ ମୋତେ ଆଉ ରଖିବ ନାହିଁ । ମୁଁ କ’ଣ କରିବି ?’

 

“ତୁ ଯଦି ସତ କହୁ ତେବେ ତୋର ସ୍ୱାମୀ ଛ’ ମାସ ଭିତରେ ଛାଡ଼ ପାଇ ପାରିବ ନହେଲେ ଛ’ବର୍ଷପାଇଁ ଜେଲ ଯିବ । ଠିକ୍ ଏହିପରି ଗୋଟିଏ କେସ୍ ଅଳ୍ପ ଦିନତଳେ ହୋଇଥିଲା, ତୁ ଯଦି ତୋ ସ୍ୱାମୀକୁ ବର୍ତ୍ତମାନ ସାହାଯ୍ୟ କରୁ ତେବେ ସେ ତୋ ନିକଟରେ କୃତଜ୍ଞ ରହିବ । ସେ କିଛି ନା କିଛି ମନ୍ଦିରକୁ ଦେଇ ପୁଣି ତତେ ଜାତିକୁ ଫେରାଇ ଆଣିବ । ଫଳାଫଳ ଯାହାହେଉ ନା କାହିଁକି ସବୁବେଳେ ସତ କହିବା ଉଚିତ ।”

 

ପାର୍ବତୀ ଚୁପ୍ ରହିଲା । ସତ କହିଦେବାକୁ ମନ ଭିତରେ ତା’ର ଗୋଟାଏ ଭାବ ଉଦ୍ରେକ ହେଲା । କିନ୍ତୁ ପର ମୁହୂର୍ତ୍ତରେ ତା’ ମନକୁ ଅନ୍ୟ କଥା ଆସିଲା । ଯେଉଁ ଭଲ କଥାଟା ମନକୁ ଆସିଲା ସେଟା ଚାପି ହେଇଗଲା । ଆତଙ୍କ ଓ ବିଭ୍ରାନ୍ତ ତା’ ମନକୁ ଆଚ୍ଛନ୍ନ କରି ରଖିଲା । ସେ ମନକୁ ମନ କହିଲା ହେ ଭଗବାନ ।

 

ଏରୋଡ଼ାରେ ପୋଲିସ୍‍ ତାକୁ ରେଲଗାଡ଼ିରେ ବସାଇଲା । ତା’ ଜୀବନରେ ପ୍ରଥମଥର ପାଇଁ ପାର୍ବତୀ ରେଳଗାଡ଼ିରେ ଚଢ଼ିଲା । ଷ୍ଟେସନ୍‍ରେ ଜନ ସମାଗମ ଓ ଗାଡ଼ିର ଗତି ତା’ ମନରେ ଭୟ ସୃଷ୍ଟି କରିଥିଲା । ଏସବୁ ତା’ର ବିଭ୍ରାନ୍ତିକର ଭାବନା ସଙ୍ଗେ ମିଶି ଯାଇ ଘୂରିବାକୁ ଆରମ୍ଭ କରିଥିଲା । ରେଳଗାଡ଼ି ଜୋରରେ ଚାଲିଥିଲା । ହଠାତ୍ ଗୋଟିଏ ଛୋଟପିଲା ହସହସ ମୁହଁରେ ଶୂନ୍ୟରୁ ଖସିଲା ପରି ଡବା ଭିତରକୁ ପଶି ଆସିଲା ଓ ଗୀତ ଗାଇବାକୁ ଆରମ୍ଭ କରିଦେଲା । ପିଲାଟି ଅନ୍ଧ । ତା’ ସାଙ୍ଗରେ ଆଉ ଗୋଟିଏ ମଇଳା ପିଲା ଥିଲା । ଦୁହେଁ ସାଙ୍ଗ ହୋଇ ଗୀତ ଗାଉଥିଲେ ।

 

ସିପାହୀଟି ସେମାନଙ୍କୁ କହିଲା ହଇବେ ଠକଗୁଡ଼ା । ତମେ ଏପର୍ଯ୍ୟନ୍ତ କେଉଁଠାରେ ଛପି କରି ରହିଥିଲ ?

 

ପିଲା ଦୁଇଟି କୌଣସି ଉତ୍ତର ନଦେଇ ହସୁଥାନ୍ତି ଓ ସେହିପରି ଗୀତ ଗାଇ ଚାଲିଥାଆନ୍ତି । ସେମାନେ ଭକ୍ତି ପୂର୍ଣ୍ଣ କଣ୍ଠରେ ହୃଦୟ ଦେଇ ଆବେଗର ସହିତ ଗୀତ ଗାଉଥିଲେ । ସେ ଗୀତକୁ ସେମାନେ କୌଣସି ସଙ୍ଗୀତ ସ୍କୁଲ୍‍ରେ ନୁହେଁ ରାସ୍ତାରେ ଶୁଣି ଶୁଣି ଶିଖିଥିଲେ । ଗୀତଟି ଶେଷ ହେଲାପଲେ ଅନ୍ଧ ପିଲାଟି ହାତ ବଢ଼ାଇ ରଖିଲା । ସେ ହାତଟିକୁ ଅନ୍ୟ ପିଲା ଧରି ଡବାସାରା ବୁଲାଇ ଆଣିଲା । ଯାତ୍ରୀମାନେ ତାକୁ କିଛି କିଛି ଦେଲେ । ପାର୍ବତୀ ତା’ କାନି ଗଣ୍ଠିରୁ କାଢ଼ି ଗୋଟିଏ ତମ୍ବା ପଇସା ଦେଲା । ସାରା ଦିନ ସେ ଗୀତ ତା’ ମନରେ ପ୍ରତିଧ୍ଵନିତ ହେଉଥାଏ । ଗୀତରେ ଥିବା ପୁଢ଼ ଅର୍ଥ ସେ ବୁଝିପାରୁ ନଥିଲା । କିନ୍ତୁ ଗୀତର କେତେକ ପଦ୍ୟାଂଶ ଓ ପିଲାଟିର ଦରଦ ବୋଲା ସ୍ଵର ତା’ ମନରେ ବାରମ୍ବାର ଝଙ୍କୃତ ହେଉଥିଲା ।

 

ମୁଁ ଆଉ କେଉଁ ପାପ ବା ନକରିଛି ।

 

ଯାହାକୁ ମା’ କିମ୍ବା ଆତ୍ମୀୟମାନେ ସନ୍ଦେହ କରି ନାହାନ୍ତି ?

 

ହତ୍ୟାକରି ସେମାନଙ୍କୁ ମୁଁ କ’ଣ ଖାଇବାକୁ ଦେଇନାହିଁ ।

 

ଖାଇବାକୁ ଦେଇ ହତ୍ୟା କରି ନାହିଁକି ?

 

ଇଚ୍ଛା ପୋଷଣ ନକରିବା ଲାଗି ମୁଁ କ’ଣ ଏବେ ମଧ୍ୟ ଶିକ୍ଷା କଲିଣି ?

 

ଯେଉଁ ଇଚ୍ଛା ଅସୁମାରି ଇଚ୍ଛା ସୃଷ୍ଟି କରେ

 

ଯାହାକି କେଭେ ଇଚ୍ଛା କରିବା ଉଚିତ ନୁହେଁ ।

 

ଜାତି ଓ ଧର୍ମକୁ ଅବମାନନା କରି

 

ମୋ ନିଜ ଲୋକମାନେ ମୋତେ କ’ଣ ଗ୍ରହଣ କରିବେ ।

 

ଧର୍ମ ଆଚରଣ କରୁଥିବା ବ୍ୟକ୍ତିମାନେ କ’ଣ ମୋତେ ଗ୍ରହଣ କରିବେ

 

ହେ, ଭଗିନୀହେ ଭଗିନୀ, ଅତି ନିର୍ଲଜ୍ଜଭାବେ

 

ମୋ ଜୀବନରେ ମୁଁ ପ୍ରତାରଣାର ମୁକୁଟ ପରିଧାନ କରିଛି ।

Image

 

–୯–

 

ସାଲେମ୍‌ରେ ପହଞ୍ଚି ପୋଲିସ୍‌ ପାର୍ବତୀକୁ ଗୋଟିଏ ଗରିବ ଲୋକମାନଙ୍କ ଖାଇବା ହୋଟେଲକୁ ନେଲା । ସେଠାରେ ପାର୍ବତୀକୁ ହାଫ୍‌ ମିଲିଟିଏ ଦେବାକୁ ସେ ମହିଳା ପରିଚାଳିକାକୁ କହିଲା ।

 

ହାଫ୍‌ ମିଲି ଶବ୍ଦଟିର ସ୍ୱତନ୍ତ୍ର ଅର୍ଥ ଅଛି ଓ ତାହା ହୋଟେଲରେ ବ୍ୟବହାର ହୁଏ ।

 

ହୋଟେଲର ପରିଚାଳିକା ପାର୍ବତୀକୁ ପଚାରିଲା ତୁ ସାଲେମ୍‌ କାହିଁକି ଆସିଛୁ ? ସେସନ୍‌ସ ମକଦ୍ଦମାରେ ସାକ୍ଷୀ ଦେବାପାଇଁ ତାକୁ ଅଣାଯାଇଛି ବୋଲି କହିବା ସଙ୍ଗେ ସଙ୍ଗେ ତାକୁ ସେଠାରେ ଅନେକ ଲୋକ ଘେରିଗଲେ । ଏ ଲୋକମାନେ ସିଂହଳରେ ଚା’ ବଗିଚାରେ କାମ କରିବା ଲାଗି ଯିବାପାଇଁ ଟିକେଟ କାଟିଥିଲେ ।

 

ଆଉ ଏକ ପୁରୁଣା ହତ୍ୟା ଅଭିଯୋଗର ବିଚାର ସେଦିନ ହେଉଥିବାରୁ କାରୁପ୍‌ପାନ୍‍ର କେସ୍ ପଡ଼ିଲା ନାଇଁ । ତା’ ପରଦିନ ଯେତେବେଳେ ଏ କେସ୍ ପଡ଼ିଲା ପାର୍ବତୀକୁ ସାକ୍ଷ୍ୟ ଦେବା ଲାଗି ଡକାଗଲା ନାହିଁ । ପବ୍ଲିକ୍ ପ୍ରସିକ୍ୟୁଟର୍ ତା’ଠୁ ସାକ୍ଷୀ ନେବାକୁ ଚାହିଁଲେ ନାହିଁ ।

 

କାରୁପ୍‌ପାନ୍‍ର ଓକିଲ କେବଳ ସେ ସାକ୍ଷୀ ଦେବା ଲାଗି ଅଟକି ରହିଛି ଓ ସେ ପାର୍ବତୀକୁ ସଫେଇ ସାକ୍ଷୀରୂପେ ଦେବାକୁ ଚାହୁଁଛନ୍ତି ବୋଲି ମାଜିଷ୍ଟ୍ରେଟଙ୍କୁ ନିବେଦନ କଲେ । ସେଦିନ ସନ୍ଧ୍ୟାରେ କାରୁପ୍‌ପାନ୍‍ର ବଡ଼ ଭାଇ ତାକୁ ଓକିଲଙ୍କ ପାଖକୁ ନେଇଗଲା । ରାସ୍ତାରେ ପୋଲିସ୍‍ ଯେପରି ପ୍ରସ୍ତାବ ଦେଇଥିଲା ଠିକ୍ ସେପରି ସବୁ ସତକଥା କହିବାପାଇଁ ସେ ପାର୍ବତୀକୁ ପରାମର୍ଶ ଦେଲା ।

 

ସେ ଅବଶ୍ୟ ଆପଣାର ସ୍ଵାମୀକୁ ରକ୍ଷା କରିବାକୁ ଚାହୁଁଥିଲା । କିନ୍ତୁ ତା’ର ନିଜର ଭୁଲ ସ୍ଵୀକାର କରିବାକୁ ପଛାଉଥିଲା ।

 

ଶେଷରେ ସେ କହିଲା–“ଭଗବାନ ମୋତେ ଯେପରି କହିବେ ମୁଁ ସେହି ଅନୁସାରେ କାମ କରିବି ।”

 

କାରୁପ୍‌ପାନ୍‍ର ବଡ଼ ଭାଇ କହିଲା–“ବଦମାସି ମାଇକିନା ତୁ ପୁଣି ଭଗବାନଙ୍କ ନାଁ ଧରୁଛୁ ? ୟାକୁ ଛିଣ୍ଡା ଜୋତାରେ ବାଡ଼େଇବା କଥା ।”

 

ସେ ଥରି ଉଠି କହିଲା–“ତମେ ଯେମିତି କହିବ ମୁଁ ସେମିତି କହିବି । ଜଣେ ସ୍ତ୍ରୀଲୋକ ଆଉ କ’ଣ କରି ପାରିବ ? ସେ ଏତିକି କହୁ ବୋଲି ଓକିଲ ଚାହୁଁଥିଲେ, ସମସ୍ତଙ୍କୁ ଭୁଲିଯିବାକୁ କହି ସେ କାରୁପ୍‌ପାନ୍‍ର ଭାଇ ସାଙ୍ଗରେ ନିରୋଳାରେ କିଛି ସମୟ କଥାବାର୍ତ୍ତା ହେଲେ ।

 

ତା’ ପରଦିନ କୋର୍ଟ ବାହାରେ ଗୋଟିଏ ଗଛମୂଳେ ଅନ୍ୟମାନଙ୍କ ସହିତ ପାର୍ବତୀ ଦୀର୍ଘ ସମୟ ଅପେକ୍ଷା କରି ରହିଥିଲା । ତା’ପରେ ହଠାତ୍‌ ଜଣେ ଖୁବ୍ ପାଟି କରି ତା’ ନାଁ ଧରି ଡାକିଲା । ପାର୍ବତୀ ଚମକି ପଡ଼ିଲା । ଜଣେ ପିଅନ ଆସି ତାକୁ ସାକ୍ଷୀମାନଙ୍କ ପାଇଁ ଥିବା କାଠଗଡ଼ା ଭିତରକୁ ନେଇଗଲା । ସେଠାରେ ସେ ଯାହା ଦେଖିଲା ସେଥିରେ ତଟସ୍ଥ ହେଇଗଲା । ସେ ଦେଖିଲା ହଲ୍‍ର ପଶ୍ଚିମ କୋଣରେ ତା’ର ସ୍ଵାମୀ ଆସାମୀ ଅନ୍ୟ କାଠଗଡ଼ା ଭିତରେ ପଶୁଙ୍କ ପରି ଠିଆ ହୋଇ ତା’ ଆଡ଼କୁ ଏକ ଧ୍ୟାନରେ ଚାହୁଁଛି । ତା’ ମୁଣ୍ଡର ବାଳ ଓ ନିଶ ଦାଢ଼ି ବଢ଼ି ଯାଇ ସେ ଭୟଙ୍କର ଦିଶୁଥିଲା-। ପାର୍ବତୀ ପକ୍ଷରେବି ତାକୁ ଚିହ୍ନିବା କଷ୍ଟକର ଥିଲା । ଗୋଟିଏ ଗରିବ ଚାଷୀକୁ ଯଦି ଦୁଇ ତିନି ମାସ ଧରି ଜେଲ୍‌ରେ ରଖାଯାଏ, ତାକୁ ଗାଧୋଇବାକୁ ଓ ଖିଅର ହେବାକୁ ଦିଆ ନ ଯାଏଁ ତେବେ ଖୁବ୍ ଶୀଘ୍ର ସେ ଜଣେ ହତ୍ୟାକାରୀ ଭଳି ଦିଶିବ ।

 

ଦୁଃଖରେ ତା’ ମନ ଘାଣ୍ଟି ହୋଇଗଲା । ମନେମନେ ସେ କହିଲା ଆହା, ମୋରିପାଇଁ ସିନା ସେ ଏସବୁ କଷ୍ଟ ପାଇଲେ । ଖୁବ୍ ଧୈର୍ଯ୍ୟର ସହିତ କାଠଗଡ଼ାକୁ ଧରି ସେ କୌଣସିମତେ ଠିଆ ହୋଇ ରହିପାରିଲା । କିରାଣି ତାକୁ ଯେତେବେଳେ ନିୟମ କରିବାକୁ କହିଲା ତା’ ମୁଣ୍ଡ ଚକ୍କର କାଟିଲା ପରି ମନେ ହେଲା ।

 

“ମୁଁ ନିୟମ କରି କହୁଛି ଯାହା କହିବି ସତ କହିବି । ସେ ଦିନ ସନ୍ଧ୍ୟାରେ ମୁଁ ଯେତେବେଳେ ରୋଷେଇ କରୁଥିଲି । ବିଚାରପତି ପବ୍ଲିକ୍ ପ୍ରସିକ୍ୟୁଟର୍‍କୁ ଚାହିଁ କହିଲେ–“ମନେ ହେଉଛି ସେ କ’ଣ କହିବ ମୁଖସ୍ଥ କରି ଆସିଛି । ଅଭିଯୁକ୍ତ ବ୍ୟକ୍ତିଙ୍କ ପକ୍ଷରୁ ଯେଉଁ ସଫେଇ ସାକ୍ଷୀମାନଙ୍କୁ ଦିଆଯାଏ ତାଙ୍କ ସମ୍ପର୍କରେ ସେମାନେ ଏହିପରି ମନୋଭାବ ପୋଷଣ କରି ଥାଆନ୍ତି-

 

ବିଚାରପତି ମନ୍ତବ୍ୟ ଦେଇ କହିଲେ–‘‘କିଛି ଯାଏଁ ଆସେ ନାହିଁ । ଖୁବ୍ ଶୀଘ୍ର ସେ ସବୁ କଥା ଭୁଲିଯିବ । ବିଚାରପତିଙ୍କ ମଜା କଥା ଶୁଣି କୋର୍ଟରେ ଜମିଥିବା ଲୋକମାନେ ହସି ଉଠିଲେ-। ପବ୍ଲିକ୍ ପ୍ରସିକ୍ୟୁଟର୍‍ଙ୍କ ହସ ସବୁଠାରୁ ଉଲ୍ଲେଖଯୋଗ୍ୟ ଥିଲା । ଅଭିଯୁକ୍ତ ବ୍ୟକ୍ତିଙ୍କ ପକ୍ଷରୁ ଥିବା ଓକିଲ ସାମାନ୍ୟ ହସି ଥିଲେ ।

 

କିରାଣି ରୁକ୍ଷ କଣ୍ଠରେ କହିଲେ “ମୁଁ ଯାହା କହୁଛି ତୁ କହ ।” ପାର୍ବତୀ ଅଧିକ ବିବ୍ରତ ହୋଇ ଉଠିଲା ।

 

ସେ ବିସ୍ମିତ ହୋଇ ଉଠିଲା, ଭାବିଲା ଓକିଲ ଓ ମୋ ଦେଢ଼ଶୁର ଯାହା ସବୁ କହିବାକୁ ବତାଇଥିଲେ ସେ ସବୁ କହି କିଛି, ଲାଭ ହେଲାପରି ମନେ ହେଉ ନାହିଁ । ତେବେ ବର୍ତ୍ତମାନ କିରାଣି ଯାହା କହିଲା ସେହି ଅନୁସାରେ ମତେ କହିବାକୁ ପଡ଼ିବ ?

 

ଶପଥ ପାଠ କଲା ପରେ ସେମାନେ ତାକୁ ପ୍ରଶ୍ନ କରିବାକୁ ଆରମ୍ଭ କଲେ । ବେଳେବେଳେ ତାକୁ କ’ଣ ପଚରା ଯାଉଥିଲା ସେ ବୁଝି ପାରୁ ନଥିଲା “ଯେତେବେଳେ ସେ ରୋଷେଇ କରୁଥିଲା, ସେତେବେଳେ ଇସ୍‌ମାଇଲ ଆସି ଅଶୋଭନୀୟ ପ୍ରସ୍ତାବ ଆଗତ କରିଥିଲା । ସେ ମନା କରୁଥିବାବେଳେ ତା’ ସ୍ଵାମୀ ଆସି ପହଞ୍ଚିଥିଲା ଓ ତା’ ଉପରକୁ କୋଦାଳ ଫିଙ୍ଗିଥିଲା । ସେ ଭୟରେ ସେଠୁ ପଳାଇ ଯାଇଥିଲା । ଇସ୍‌ମାଇଲ ମୁଣ୍ଡରୁ ରକ୍ତ ଧାର ଧାର ହେଇ ବୋହିବାର ତା’ର ମନେ ଅଛି । ଆଉ କିଛି ମନେ ପଡ଼ୁନାହିଁ ବୋଲି କହିଲା । ଏହାହିଁ ଥିଲା ତା’ର ବକ୍ତବ୍ୟ । ଓକିଲ ତାକୁ ସେତିକି ଶିଖାଇଥିଲା ।

 

ଆସାମୀ କାଠଗଡ଼ା ଭିତରୁ କାରୁପ୍‌ପାନ୍ ପାଟିକରି ଉଠିଲା । “ଛତରି ମାଇକିନା ।” ଘଟଣା ଘଟିବାବେଳେ ସେ କାରୁମଣ୍ଡଲରେ ଥିଲା ବୋଲି ସେ ସାକ୍ଷୀ ଦେବ ବୋଲି ସେ ତଥାପି ଆଶା କରୁଥିଲା । ତା’ପରେ ତା’ ଓକିଲ ତା’ ପାଖକୁ ଯାଇ ତା’ କାନରେ କ’ଣ କହିଲେ । ସେ ସନ୍ତୁଷ୍ଟ ହେଲାପରି ଜଣା ପଡ଼ିଲା । ସାକ୍ଷ୍ୟ ଗ୍ରହଣ ସରିଗଲା । ଆସେସରମାନେ କହିଲେ କାରୁପ୍‌ପାନ ହତ୍ୟା କରିଥିବାର କୌଣସି ପ୍ରମାଣ ନାହିଁ । ସେ ଉତ୍ତେଜିତ ହେବାର ଯଥେଷ୍ଟ କାରଣ ଥିବାରୁ ଏପରି ଗୁରୁତର ଆଘାତ କରିଛି । ବିଚାରପତି ପରଦିନକୁ ବିଚାର ସ୍ଥଗିତ ରଖିଲେ । ତା’ ପରଦିନ କୋର୍ଟରେ ବିଚାରପତି ମକଦ୍ଦମାର ରାୟ ଦେଲେ । ଆସେସରମାନଙ୍କ ମତାମତକୁ ଉପେକ୍ଷା କରି ହତ୍ୟା ଅଭିଯୋଗ ପ୍ରମାଣିତ ହେଲା ବୋଲି ବିଚାରପତି ରାୟଦେଲେ । କ୍ଵାଦର ଖାଁ ଓ ଇସ୍‌ମାଇଲ ତାଙ୍କ ଟଙ୍କା ଅସୁଲ କରିବାକୁ ଯାଇଥିଲେ ।

 

ମଦ୍ୟପ ଅଭିଯୁକ୍ତ ବ୍ୟକ୍ତି ଗଇଁତିରେ ତାକୁ ଆକ୍ରମଣ କରିଥିଲା ଓ ସୌଭାଗ୍ୟକୁ ଲୋକମାନେ ସେଠାରେ ଜମା ହୋଇଯିବାରୁ ସେମାନେ ରକ୍ଷାପାଇ ଯାଇଥିଲେ ବୋଲି ସେମାନେ ଦେଇଥିବା ସାକ୍ଷ୍ୟ ବିଚାରପତି ଗ୍ରହଣ କରି ନେଲେ । ତା’ ବ୍ୟତୀତ କାରୁପ୍‍ପାନ୍‍ ସ୍ତ୍ରୀର ସାକ୍ଷ୍ୟ ବିଶ୍ଵାସଯୋଗ୍ୟ ନୁହେଁ ବୋଲି ସେ ମତ ଦେଇଥିଲେ । କାରଣ ସେ ସ୍ଵାମୀ ସପକ୍ଷରେ ସାକ୍ଷ୍ୟ ଦେବା ସ୍ୱାଭାବିକ । ତା’ ବ୍ୟତୀତ ସେ ପୋଲିସ୍‍ ସମ୍ମୁଖରେ ଯେଉଁ ସାକ୍ଷ୍ୟ ଦେଇଥିଲା ବର୍ତ୍ତମାନ ଦେଉଥିବା ସାକ୍ଷ୍ୟର ବିରୁଦ୍ଧାଚରଣ କରୁଛି । ସେ ଆସାମୀକୁ ଛ’ବର୍ଷ ସଶ୍ରମ କାରାଦଣ୍ଡ ବିଧାନ କଲେ । ମିଥ୍ୟା ସାକ୍ଷ୍ୟ ଦେଇଥିବାରୁ ପାର୍ବତୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରିବାପାଇଁ ପବ୍ଲିକ୍ ପ୍ରସିକ୍ୟୁଟର୍‍ଙ୍କୁ ମଧ୍ୟ ସେ ସୁପାରିସ୍ କଲେ ।

 

ରାୟ ଶୁଣି କାରୁପ୍‌ପାନ୍ କାନ୍ଦି ଉଠିଲା । କହିଲା ଏ ଚଣ୍ଡାଳୀ ମୋତେ ଠକିଲା ଆଜ୍ଞା, ନିଜ ସ୍ତ୍ରୀ ଯେତେବେଳେ ଠକିବ ଜଣେ କିପରି ଚୁପ୍‌ ହୋଇ ରହିବ କହନ୍ତୁତ ?

 

ବିଚାରପତି କହିଲେ–“ତାକୁ ଏଠୁ ନେଇ ଯାଆ ।’’

 

ପୋଲିସ୍‍ ତାକୁ ସେଠାରୁ ନେଇଗଲେ । ସେମାନେ ତାକୁ ସାନ୍ତ୍ୱନା ଦେଇ କହିଲେ ତୋର ଯାହା କିଛି କହିବାର ଅଛି ଲେଖି କରିଦେ । ହାଇକୋର୍ଟରେ ଅପିଲ କରିବା ।

 

–୧୦–

ମୁକ୍ତି

 

ବିଚାର ଶେଷ ହୋଇଗଲା । ପାର୍ବତୀର ଖବର ରଖିବାକୁ କୌଣସି ଆତ୍ମୀୟ ଆଗ୍ରହ ପ୍ରକାଶ କଲେ ନାହିଁ । ସେ ବହୁ କଷ୍ଟରେ ରାମପୁରମ୍‌ରେ ପହଞ୍ଚିଲା । ସ୍ଥାନୀୟ ଯେଉଁ ବୁଢ଼ା ସିପାହୀଟି ତାକୁ ସାଲେମ୍‍ ଆଣିଥିଲା ତା’ରି ସାଙ୍ଗରେ ସେ ଫେରିଗଲା ।

 

‘‘ପ୍ରଥମରୁ ତୋର ସତ କହିବା ଉଚିତ ଥିଲା । କୋର୍ଟରେ ପ୍ରଥମରୁ ତୁ ସତ କହି ନଥିବାରୁ ତୋତେ ବିଚାରପତି ବିଶ୍ଵାସ କଲେନାହିଁ । ତୁ ଏଠିବି ପୂରା ସତକହିଲୁ ନାହିଁ ।”

 

ସେ ତା’ କଥା ଶୁଣିଲା କିନ୍ତୁ କିଛି ବୁଝିଲା ପରି ମନେହେଲା ନାହିଁ । ସେମାନେ ରାମପୁରମ୍‌ରେ ରାତିରେ ଅନେକ ଡେରିରେ ପହଞ୍ଚିଲେ । ମୁସଲସାନ ସିପାହୀଟି ତା’ ବାରଣ୍ଡାରେ ରାତିଟି ଶୋଇ ପଡ଼ି ସକାଳୁ ଉଠି ତା’ ଭାଇ ଘରକୁ ଯିବାକୁ ପାର୍ବତୀକୁ କହିଲା ।

 

ତା’ କହିବା ଅନୁଯାୟୀ ସେ ସେଠାରେ ରହିଲା । ମାତ୍ର ତାକୁ ନିଦ ହେଲାନାହିଁ । ସେ ପୁଣି ତା’ ଭାଉଜକୁ କିପରି ମୁହଁ ଦେଖାଇବ । ସବୁ ଆଶା ଧୂଳିସାତ୍‌ ହୋଇଗଲା । ଭଗବାନବି ତା’ ପ୍ରତି ଟିକିଏ ଦୟା କଲେନାହିଁ । ତା’ର ଏ ଦୁଃଖଭରା ଜୀବନକୁ ସେ ନିଶ୍ଚୟ ଶେଷ କରିଦେବ ତା’ ଲାଗି ଏହା ଏକମାତ୍ର ବାଟ । ଆପଣାର ଦୁଃଖରୁ ତ୍ରାହି ପାଇବାପାଇଁ ଏପରି ଯେ ଏକ ଉପାୟ ରହିଛି ସେଥିପାଇଁ ଭଗବାନଙ୍କ ନିକଟରେ ସେ କୃତଜ୍ଞତା ପ୍ରକାଶ କଲା । ଏ ସୁଯୋଗରୁ ତାକୁ କେହି ବଞ୍ଚିତ କରି ପାରିବେ ନାହିଁ ।

 

ଦୀର୍ଘ ସମୟ ଚେଇଁ ରହିବା ପରେ କ୍ଳାନ୍ତି ହେତୁ ସକାଳେ ତାକୁ ଗାଢ଼ ନିଦ ହୋଇଯାଇଥିଲା । ସକାଳ ଛ’ଟାବେଳେ ବୁଢ଼ା ସିପାହୀଟି ଘରୁ ଆସି ଦେଖିଲା ଯେ ସେ ଗାଢ଼ ନିଦରେ ଶୋଇ ଯାଇଛି । ସେ ମନେମନେ ଭାବିଲା ଏ ସ୍ତ୍ରୀଲୋକ ସ୍ଵାମୀକୁ ଜେଲକୁ ପଠାଇ ଦେଇ କେଡ଼େ ନିଶ୍ଚିନ୍ତରେ ଶୋଇ ଯାଇ ପାରୁଛି । ବୋକାମାନେ କେବଳ ଏପରି ଅବିଶ୍ୱାସୀ ସ୍ତ୍ରୀଲୋକମାନଙ୍କୁ ବିଶ୍ୱାସ କରିବେ ।

 

ପିଲା କାନ୍ଦିବାର ଶୁଣି ପାର୍ବତୀର ନିଦ ଭାଙ୍ଗିଗଲା । ତା’ ନିଜପିଲା କାନ୍ଦୁଥିବାର ସେ ସପନ ଦେଖୁଥିଲା । ସେ ଉଠିଲା । ଅନେକ ଦିନ ଯେ ତା’ ପିଲାଟିକୁ ସେ ହରାଇଛି । ବର୍ତ୍ତମାନ ଯେ ସେ ଜଣେ ଅସହାୟା ସ୍ତ୍ରୀଲୋକ ଏବଂ ସେ ତା’ର ସ୍ଵାମୀ, ଘରସଂସାର ସବୁ କିଛି ହରାଇଛି । ଏସବୁ ବିଷୟରେ ସଚେତନ ହେବାକୁ ତାକୁ କିଛି ସମୟ ଲାଗିଲା ।

 

ସେ ଯେତେବେଳେ ଉଠିଲା ତା’ ଆଗରେ ଗୋଟିଏ କାଳିଆ ପିଲା ଠିଆ ହୋଇଥିବାର ଦେଖିଲା । ସେ ତା’ ଦିହାତ ପାଟି ଉପରେ ରଖି ଛୋଟପିଲା କାନ୍ଦିବା ପରି ଶବ୍ଦ କରୁଛି । ତା’ପରେ ମା’ ଯେପରି ପିଲାକୁ ସାନ୍ତ୍ୱନା ଦିଏ ସେହିପରି କଲା । ଏପରି କରି ଚାଲିଥିବାବେଳେ ସେ ପାର୍ବତୀକୁ ଉଠିବାର ଦେଖିଲା । ତା’ପରେ ଏସବୁ ବନ୍ଦ କରି ସେ ପାର୍ବତୀକୁ କହିଲା–“ମା’ ମୋତେ ପଇସାଟିଏ ଦିଅ ।”

 

ପାର୍ବତୀ ପଚାରିଲା ‘‘ପୁଅ ତୋର ଘର କେଉଁଠି ?’’

 

ପିଲାଟି କହିଲା ମା’ ‘‘ମାତେ ପଇସାଟିଏ ଦିଅ ?’’

 

ପାର୍ବତୀ ପୁଣି ପଚାରିଲା ‘‘ତୋ ବାପା କିଏ ?’’

 

ପିଲାଟି କହିଲା “ମୁଁ କିଛି ଜାଣେ ନାହିଁ ।”

 

‘‘ତୋର ମା’ ନାହିଁ ?”

 

‘ହଁ ମୋର ମାଆ ଅଛି । ସେ ମୋତେ ଘୁଷୁରିଆ ପାଖରେ ଛାଡ଼ିଦେଇ ଯାଇଛି ।’

 

“ତୋତେ କିଏ ଖାଇବାକୁ ଦେଉଛି ?”

 

“ମୁଁ ନିଜେ ରୋଜଗାର କରି ଖାଉଛି । ମୁଁ ଯାହା ପଇସା ପାଏ ସବୁତକ ଘୁଷୁରିଆକୁ ଦେଇଦିଏ ଓ ସେ ମୋତେ ଖାଇବାକୁ ଦିଏ । ବେଳେବେଳେ ସେ ପ୍ରଥମେ ମୋତେ ଖାଇବାକୁ ଦିଏ । ମୁଁ ଯେତେବେଳେ ଯାହା ପଇସା ପାଏ ତାକୁ ପରେ ଦିଏ ।

 

ପାର୍ବତୀ ପଚାରିଲା ‘‘ତୁ ଏପରି ଶବ୍ଦ କରିବାକୁ କେଉଁଠୁଁ ଶିଖିଲୁ ?”

 

ସେ କହିଲା “ମୁଁ ତାଁଜୋରରେ ଥିବାବେଳେ ଶିଖିଛି । ମା’ ମୋତେ କିଛି ଦିଅ । ମୁଁ ଘୁଷୁରିଆ ପାଖକୁ ଯିବି । ସେତିକିବେଳକୁ ସିପାହୀଟି ଘରୁ ବାହାରି ଆସିଲା ଓ ସବୁ ଦେଖିଚାହିଁ ସେଠାରୁ ପଳାଇ ଯିବାକୁ ଧମକାଇ କହିଲା ଠକଗୁଡ଼ା, ସେମାନେ ଏମିତି ଆସି ସବୁ ଦେଖିଚାହିଁ ଗୁଇନ୍ଦାଗିରି କରୁଛନ୍ତି ତା’ପରେ ଚୋରମାନଙ୍କୁ ରାତିରେ ବାଟ ଦେଖାଉଛନ୍ତି । ବେଶ୍ ନିଦରେ ଶୋଇ ଯାଇଥିଲୁ ବୋଲି ସେ ପାର୍ବତୀକୁ କହିଲା ।

 

ପାର୍ବତୀ କାନ୍ଦି କାନ୍ଦି କହିଲା ଭଗବାନ ତମର ମଙ୍ଗଳ କରନ୍ତୁ ତୁମକୁ ଠିକ୍‌ ମୋର ବାପାପରି ମନେ ହେଉଛି ।

 

ସେତେବେଳେ ବୁଢ଼ା ତା’ ପ୍ରତି ଦୟା ଦେଖାଇଲା ନାହିଁ । ସେ ଭାବିଲା ଏ ସବୁ ଅଭିନୟ । ସେ କିହିଲା–ତୁ ତୋର ଭାଇ ଗାଁକୁ ଯାଇପାରୁ । ବର୍ତ୍ତମାନ ଯଦି ତୁ ବାହାରିବୁ ତେବେ ଦ୍ଵିପ୍ରହରର ଆଗରୁ ସେଠି ପହଞ୍ଚିଯିବୁ ।

 

କ୍ଳାନ୍ତଶ୍ରାନ୍ତ ଓ କ୍ଷୁଧାର୍ତ୍ତ ଅବସ୍ଥାରେ ଦ୍ଵିପ୍ରହରରେ ସେ ଯାଇ ତା’ ଭାଇ ଘରେ ପହଞ୍ଚିଲା । ସେ ଭାବିଥିଲା ତା’ ଭାଇ ତା’ ପ୍ରତି ସାମାନ୍ୟ ଦୟା କରିବ । କିନ୍ତୁ ସେ ଆସି ପହଞ୍ଚିବା ପୂର୍ବରୁ ତା’ ସମ୍ବାଦ ସେଠାରେ ପହଞ୍ଚି ଯାଇଥିଲା ତା’ ଭାଇ ବିଲକୁ ଯାଇଥିଲା ଓ ଭାଉଜ ଦୁଆର ପାଖରେ ଠିଆ ହୋଇଥିଲା ।

 

“ଅଜାତିଆଣି ଆସିଛି । ତୋ ପାପ ଦେହ ମୋ ଘରେ ପୂରାନା । ଯିଏ ନିଜ ସ୍ଵାମୀକୁ ଠକି ମୁସଲମାନ ସାଙ୍ଗରେ ପଳାଇଛି ତା’ପାଇଁ ଏ ଘରେ ସ୍ଥାନ ନାହିଁ । ତୁ ଭାବିଛୁ, ତୁ ଏଠି ବସି ମୋ ସ୍ୱାମୀ ରକତ ଶୋଷିବୁ । ମୋର ନିଜର ପିଲାପିଲି ଅଛନ୍ତି । ସେମାନଙ୍କର ଯତ୍ନ ଆମକୁ ନେବାକୁ ପଡ଼ିବ । ତୋ ପରି ଲୋକ ସହିତ ସେମାନେ ରହନ୍ତୁ ମୁଁ ଚାହୁଁ ନାହିଁ । ତୁ ଯାହାପାଇଁ ତୋ ଗିରସ୍ତକୁ ଠକିଲୁ ତା’ରି ପାଖକୁ ଯାଆ । ତୋପାଇଁ ଏଠି ଜାଗା ନାହିଁ ।” ଏହିପରି ଅନେକ କଥା ତା’ ଭାଉଜ କହିବାରେ ଲାଗିଲା । ଭାଇ ଘର ଭିତରେ ଅଛି ବୋଲି ଭାବି ପାର୍ବତୀ ଭାଇ ଭାଇ ବୋଲି କାନ୍ଦି କାନ୍ଦି ଡାକିଲା ।

 

“ତାହାହେଲେ ତମେ ମୋତେ କଥା କହିବ ନାହିଁ ? ତମେବି ତେବେ, ମତେ ତଡ଼ିଦେଲ-? ହେ ଭଗବାନ ତୁମେ ମୋତେ କେବଳ ଆଶ୍ରୟ ଦେଇ ପାରିବ” କହି ସେ ବାହୁନି ବାହୁନି କାନ୍ଦିଲା । ସେହିପରି କ୍ଳାନ୍ତଶ୍ରାନ୍ତ ଓ କ୍ଷୁଧାର୍ତ୍ତ ଅବସ୍ଥାରେ ସେ କାନ୍ଦି କାନ୍ଦି ସେଠାରୁ ଚାଲିଗଲା-

 

ଖରା ଜୋରରେ ହେଉଥାଏ । କିନ୍ତୁ ତାକୁ ଖରା, ଭୋକଶୋଷ ଆଉ କିଛି ଜଣାଗଲା ନାହିଁ । ତା’ ତଣ୍ଟି ଓ ଓଠ ଶୁଖିଗଲା । ସେ ଯେତେ ଦେବ ଦେବୀଙ୍କୁ ଜାଣିଥିଲା ସେମାନଙ୍କ ନାମ ସ୍ମରଣ କରିବାକୁ ଲାଗିଲା, ପାଖ ଗାଁ ପାହାଡ଼ ଉପରେ ଗୋଟିଏ ମନ୍ଦିର ଥିଲା । ସେ ସେହି ମନ୍ଦିର ଆଡ଼କୁ ଚାଲିଲା ।

 

ପାହାଡ଼ ଉପରକୁ କିଛି ଦୂର ଯିବା ପରେ ସେ ଆଉ ଗୋଟିଏ ପାଦ ଆଗେଇ ପାରିଲା ନାହିଁ । ସେ ମୂର୍ଚ୍ଛା ହୋଇଗଲା ପରି ତା’ର ମନେ ହେଲା । ସେ ଗୋଟିଏ ପଥର ଛାଇ ତଳେ ବସି ପଡ଼ିଲା ।

 

କିଛି ସମୟ ବସି ଯିବା ପରେ ସେ ପୁଣି ପାହାଡ଼ ଉପରକୁ ଉଠିଲା, ସେ ମନ୍ଦିର ନିକଟରେ ପହଞ୍ଚିଲା । କିନ୍ତୁ ମନ୍ଦିର ଭିତରେ ପଶିଲା ନାହିଁ । ମନ୍ଦିର ବାହାରେ ଠିଆ ହୋଇ ସେ ପ୍ରାର୍ଥନା କଲା । ମନ୍ଦିରଠୁ ଉଚ୍ଚ ଗୋଟିଏ ପଥର ଉପରକୁ ସେ ଯିବାକୁ ଚେଷ୍ଟା କଲା । ଅତି କଷ୍ଟରେ ସେଠାରେ ଯାଇ ସେ ପହଞ୍ଚିଲା । ପଶ୍ଚିମ ସୀମାନ୍ତକୁ ଯାଇ ସେଠାରୁ ସେ ତଳକୁ ଚାହିଁଲା-। ତଳୁ ସେ ସ୍ଥାନ ବହୁତ ଉଚ୍ଚରେ । ସେ ପଥର ଉପରୁ ଡେଇଁଲେ ସିଧା ଆସି ପାହାଡ଼ ତଳେ ପଡ଼ିବ । ତା’ ମୁଣ୍ଡ ବୁଲାଇବାକୁ ଲାଗିଲା । ସେ ସେଠାରେ ବସିଗଲା । ପୁଣି ସେ ଉଠି ଠିଆ ହୋଇ କହିଲା–ହେ’ ମା’ କାଳୀ ମୋ ପାପପାଇଁ ମୋତେ କ୍ଷମାକର । ମୋତେ ତୋ କୋଳକୁ ନେ-।’ ତା’ପରେ ସେ ତଳକୁ ଡେଇଁ ପଡ଼ିଲା ।

 

ଆହା ସେ ମୁହୂର୍ତ୍ତ କି ଆନନ୍ଦମୟ । ସ୍ଵର୍ଗ ମର୍ତ୍ତ୍ୟ ଏକାକାର ହୋଇଗଲା । କି ଆରାମଦାୟକ । କି ଶୀତଳ । କେଡ଼େ ଉପଭୋଗ୍ୟ ସେ ମୁହୂର୍ତ୍ତ । ତା’ପରେ ସେ ତା’ର ମୁଣ୍ଡ ଭିତରେ ପୂର୍ବରୁ କେବେ ଘଟି ନଥିବା ଏକ ବିସ୍ଫୋରଣର ଅନୁଭବ କଲା । ତା’ପରେ ସେ ଚିରନ୍ତନ ନିସ୍ତବ୍ଧତା ମଧ୍ୟରେ ହଜିଗଲା । ଦୁଃଖର ପିଞ୍ଜରାରୁ ପାର୍ବତୀର ଆତ୍ମା ମୁକ୍ତି ପାଇଗଲା ।

Image

 

Unknown

ଜୁଇଫୁଲ

 

ପିଲାମାନେ ଏବଂ ମାଙ୍କଡ଼ମାନେ ଯେତେବେଳେ ମୁହାଁମୁହିଁ ହେଇ ଯାଆନ୍ତି ସେତେବେଳେ କୌତୁକର ଅଭାବ ରହେନାହିଁ । ବେଲାମପଟି ଗାଁର ସବୁ ପିଲାମାନେ ଯାଇ ତେନ୍ତୁଳି ତୋଟାରେ ହାଜର । ସେମାନେ ଗଛରେ ଚଢ଼ି ଡିଆଁଡ଼େଇଁ କରି ପାଟିତୁଣ୍ଡ କରି ତୋଟାକୁ ଆସିଥିବା ମାଙ୍କଡ଼ ପଲଙ୍କୁ ସେଠାରୁ ତଡ଼ିବାକୁ ଚେଷ୍ଟା ଚଲାଇଛନ୍ତି । ବେଳେବେଳେ ମାଙ୍କଡ଼ମାନେ ଜିତୁଥିଲେ । ଯେତେବେଳେ ବଡ଼ ହନୁମାଙ୍କଡ଼ ରାଗରେ ଗର୍ଜନ କରୁଥିଲା, ପିଲାମାନେ ସବୁ କୌତୁକ ଭୁଲି ଟିକେ ଡରି ଯାଉଥିଲେ ।

 

... ... ...ସେମାନେ କୌଣସି ପ୍ରକାର କୌତୁକ ଉପଭୋଗ କରି ପାରୁ ନଥିଲେ । ପିଲାମାନଙ୍କ କବଳରୁ ରକ୍ଷା ପାଇବା ଲାଗି ସେମାନେ ଡାଳରୁ ଡାଳକୁ ଡେଇଁ ପଳାଉଥିଲେ । ପିଲାମାନେ ଅବଶ୍ୟ ଏ ଦୃଶ୍ୟ ଉପଭୋଗ କରୁଥିଲେ । ସେମାନଙ୍କର ପାଟିତୁଣ୍ଡ ଓ ମାଙ୍କଡ଼ମାନଙ୍କ ଖିଙ୍କାରୀ ହେବା ଶବ୍ଦ ଗାଁ ଭିତରକୁ ଶୁଭୁଥିଲା ।

 

ହଠାତ୍ ତୋଟାର ପୂର୍ବ ପଟରେ ଗୋଟିଏ ପିଲା ଜୋରରେ ଚିତ୍କାର କରିବାର ଶୁଣାଗଲା । ପାଟି ଯେଉଁଠୁ ଶୁଭୁଥିଲା ସେଠିକୁ ସମସ୍ତେ ଦୌଡ଼ିଲେ । ଗୋଟିଏ ମାଙ୍କଡ଼ ମୁକୁନ୍ଦନ୍‍ର ବେକକୁ କାମୁଡ଼ି ତା’ ଦେହକୁ ଆମ୍ପୁଡ଼ି ଆକ୍ରମଣ କରୁଥିଲା । ଫଳରେ ତା’ ଦେହରୁ ବହୁତ ରକ୍ତ ବାହାରୁ ଥିଲା । ମୁକୁନ୍ଦନ୍‍ ଗୋଟିଏ ମାଙ୍କଡ଼ ଛୁଆକୁ ତଡ଼ୁଥିଲା ।

 

ସେ ପଳାଇ ଯିବାକୁ ଚେଷ୍ଟା କରୁ କରୁ ଡାଳ ଉପରୁ ପଡ଼ିଗଲା । ପଛରୁ ମୁକୁନ୍ଦ ଛୁଆଟିକୁ ଧରି ପଳାଉଥିବାବେଳେ ତା’ ମା’ ଦୌଡ଼ି ଆସି ମୁକୁନ୍ଦନ୍‍କୁ ଧରି ପକାଇ କାମୁଡ଼ି ଖଣ୍ଡିଆଖାବରା କରି ପକାଇଥିଲା । ମୁକୁନ୍ଦନ୍‍ ଛାନିଆ ହୋଇ ପଡ଼ି କ’ଣ କରିବ ସ୍ଥିର କରି ପାରି ନଥିଲା । ଏହି ହୋହୋ ଭିତରେ ସେ ମାଙ୍କଡ଼ ଛୁଆକୁ ଜୋରରେ ଚାପି ଧରିଥିଲା । ଫଳରେ ମାଙ୍କଡ଼ଟି ଖୁବ୍ ରାଗି ଯାଇ ତାକୁ ଅଧିକ ଜୋରରେ ଆକ୍ରମଣ କରିଥିଲା “ମାଙ୍କଡ଼ ଛୁଆଟିକୁ ଛାଡ଼ିଦେ ଛାଡ଼ିଦେ ସେଟା ଯାଉଛି” ବୋଲି ପିଲାମାନେ ପାଟି କରୁଥିଲେ । କିନ୍ତୁ ସେ ତାହା ମୋଟେ ବୁଝି ପାରୁ ନଥିଲା । ମାଙ୍କଡ଼ଟା ଖୁବ୍‌ ବଡ଼ ରାଗି ଥିଲା । ତା’ ପାଖକୁ ଯିବା ଲାଗି କୌଣସି ପିଲା ସାହସ କରି ନଥିଲେ ।

 

ମରି ନାମରେ ଗୋଟିଏ ଛୋଟପିଲା ଖଣ୍ଡେ ଦୂରରେ ଠିଆ ହୋଇ ଏ ସବୁ ଦେଖୁଥିଲା-। ସେ ପାଟି କରି ଉଠିଲା ଆହା ସେ ମରିଯିବ । ଏହା କହି ସେ ମୁକୁନ୍ଦନ୍‍ ପାଖକୁ ଦୌଡ଼ିଯାଇ ତା’ଠୁ ମାଙ୍କଡ଼ ଛୁଆଟିକୁ ଭିଡ଼ିଆଣି ଦୌଡ଼ି ପଳାଇ ଆସିଲା । ଫଳରେ ମାଙ୍କଡ଼ ମୁକୁନ୍ଦନ୍‍କୁ ଛାଡ଼ି ମରି ଉପରକୁ ଡିଆଁ ମାରିଲା । ମରି ମାଙ୍କଡ଼ ଛୁଆକୁ ପକାଇ ଦେଇ ତଳେ ପଡ଼ିଥିବା ଖଣ୍ଡେ ବାଡ଼ି ଗୋଟାଇ ଆଣି ମାଙ୍କଡ଼କୁ ଉଞ୍ଚାଇଲା । ମାଙ୍କଡ଼ ଛୁଆଟି ଯେଉଁଠୁ ଖସି ପଡ଼ିଥିଲା ସେଠିକୁ ଦୌଡ଼ି ପଳାଇ ଯାଇଥିବା ଦେଖି ତା’ ମାଆ ମଧ୍ୟ ଛୁଆ ପାଖକୁ ଦୌଡ଼ି ପଳାଇଲା । ମାଙ୍କଡ଼ ଛୁଆ ତା’ ମା’ ପେଟ ତଳେ ଲାଖି ରହିଲା । ପାଖରେ ଥିବା ଗୋଟାଏ ଗଛର ସବା ଉପର ଡାଳକୁ ଡେଇଁ ଯାଇ ଧୀରସ୍ଥିରଭାବେ ବସିଲା । ସତେ ଯେପରି କିଛି ହେଇ ନାହିଁ ।

 

ମୁକୁନ୍ଦନ୍‍ ତଳେ ଅଚେତନ ହୋଇ ପଡ଼ିଥାଏ । “ମୁକୁନ୍ଦନ୍‍କୁ ମାଙ୍କଡ଼ ମାରି ପକାଇଛି ସେ ମରିଗଲା–“କହି ପିଲାମାନେ ଗାଁ ଭିତରକୁ ଦୌଡ଼ି ପଳାଇଲେ, ମରି ଓ ଚିନାନ୍‌ କେବଳ ସେଠାରେ ଥିଲେ । ମରି ଚିନାନ୍‌କୁ କହିଲା ତୁ ଦୌଡ଼ି ଯା’ ମା’ଠୁ ଶୀଘ୍ର ଢାଳେ ପାଣି ନେଇ ଆସିବୁ-। ସେ ମୁକୁନ୍ଦନ୍‍ ପାଖରେ ବସି ତା’ ମୁହଁ ପୋଛାପୋଛି କରି ତାକୁ ଝଡ଼ାଝଡ଼ି କରିଦେଲା-। ଚିନାନ୍‌ ସାହିକୁ ଯାଇ ତାଙ୍କଠୁ ଗୋଟେ ଠେକିରେ ପାଣିଧରି ଆସିଲା । ମରି ମୁକୁନ୍ଦନ୍‍ ମୁହଁରେ ପାଣି ଛିଞ୍ଚାଛିଞ୍ଚି କରିବାରୁ ତା’ର ଚେତା ହେଲା । କିନ୍ତୁ ତା’ ଦେହରୁ ଖଣ୍ଡିଆ ହୋଇଥିବା ସ୍ଥାନମାନଙ୍କରୁ ସେହିପରି ରକ୍ତ ବୋହୁଥାଏ ।

 

ମରି କହିଲା, ଚିନା, ତୁ ଗୋଟେ ପଟୁଧର, ମୁଁ ଗୋଟାଏ ପଟୁ ଧରୁଛି । ଆମେ ଦୁହେଁ ତାକୁ ବୋହିନେଲେ ତାଙ୍କ ଘରେ ଛାଡ଼ିଦେଇ ଆସିବା । ସେ ଦୁହେଁ ତାକୁ ଟେକି ଧରି ତାଙ୍କ ଘରକୁ ନେଇ ଚାଲିଲେ । ମରି ଓ ଚିନାନ୍ ଦୁହେଁ ଛୋଟପିଲା । କିନ୍ତୁ ସେମାନେ ଗରିବ ହୋଇଥିବାରୁ ଯେକୌଣସି କାମ କରିବାକୁ ସେମାନେ ଭୟ କରୁ ନଥିଲେ ।

 

–୨–

 

ମୁକୁନ୍ଦନ୍‍ର ମା’ ବିଧବା । ସେ ଈଶ୍ଵର ବିଶ୍ଵାସୀ ଥିଲେ । ସେ କେବେ ଭାଙ୍ଗିପଡ଼ି ନଥିଲେ । ପୁଅକୁ ଯତ୍ନ ସହକାରେ ବଢ଼ାଇଥିଲେ । ସ୍ୱାମୀଙ୍କର ଥିବା ଚାରି ଏକର ଜମିକୁ ସେ ଗୋଟିଏ ଚାଷୀକୁ ଭାଗଦେଇ ସେମାନଙ୍କଠାରୁ ତାଙ୍କର ପ୍ରାପ୍ୟ ଆଦାୟ କରି ସେଥିରେ ବେଶ୍ ଭଲରେ ଚଳୁଥିଲେ । ପଢ଼ିବାପାଇଁ ପୁଅକୁ ଗାଁ ସ୍କୁଲ୍‍ରେ ଛାଡ଼ିଥିଲେ । ଘରେ ନିଜ ପିଲାଟିକୁ ରାମାୟଣ, ମହାଭାରତ ଏବଂ ଭାଗବତରୁ କାହାଣୀମାନ ଶୁଣାଉଥିଲେ । ସେ ବାହାରକୁ ଖୁବ୍ ଦୃଢ଼ଥିବା ପରି ଦେଖା ଯାଉଥିଲେହେଁ ମନ ଭିତରେ କ୍ଳାନ୍ତି ଅନୁଭବ କରୁଥିଲେ । ମାତ୍ର ଭଗବାନଙ୍କ ଉପରେ ତାଙ୍କର ଅଗାଧ ବିଶ୍ଵାସ, ପାରମ୍ପରିକ ଜୀବନଯାପନ କରିବାର ପ୍ରଣାଳୀ ତାଙ୍କୁ କୌଣସିମତେ ରକ୍ଷାକରି ଦେଇଥିଲା ।

 

ମା’ ମା’ ଡାକି ମୁକୁନ୍ଦନ୍‍କୁ ଦେହସାରା ରକ୍ତାକ୍ତ ଅବସ୍ଥାରେ ଧରି ମରି ଓ ଚିନାନ୍ ଯେତେବେଳେ ଘର ଭିତରକୁ ଆଣି ତାକୁ ଶୁଆଇ ଦେଲେ ସେତେବେଳେ ଗାଧୋଇସାରି ଦୈନନ୍ଦିନ ପ୍ରାର୍ଥନା ଶେଷ କରି ମା’ ରୋଷାଇଘରେ ରନ୍ଧାରନ୍ଧି କରୁଥିଲେ । ପୁଅକୁ ଦେଖି ସେ ଆତଙ୍କିତ ହୋଇ ଉଠିଲେ ଏବଂ ମୋ ପୁଅର କ’ଣ ହେଲା ବୋଲି ପାଟି କରି ତା’ ପାଖକୁ ଦୌଡ଼ି ଆସି ତା’ ମୁଣ୍ଡ ଧରି ତୁମେ ସବୁ ଖେଚଡ଼ ପିଲା ମୋ ପୁଅକୁ ଏପରି କ’ଣ କରିଛ ବୋଲି କହି ପାଟି କଲେ । ବଡ଼ କୌତୂହଳର କଥା ଯେ ତୋଟାରେ ମାଙ୍କଡ଼ ଛୁଆଟିକୁ ବିପଦଗ୍ରସ୍ତ ଦେଖି ତା’ ମା’ ଯେପରି ବ୍ୟବହାର କରିଥିଲା ଏଠି ମଧ୍ୟ ମୁକୁନ୍ଦନ୍‍ର ମା’ ଠିକ୍ ସେହିପରି ବ୍ୟବହାର କଲେ । ମାଙ୍କଡ଼ ହେଉ ଅବା ସୀତାମଲ ସବୁ ମା’ ସମାନ । ସମସ୍ତେ ଏକପ୍ରକାରର ପ୍ରତିକ୍ରିୟା ଦେଖାନ୍ତି । ଯାହା ସବୁ ଘଟିଥିଲା ମରି ତାଙ୍କୁ କହିଲା । ସବୁ କଥା ଶୁଣି ସାରିବା ପରେ ସେ ନିଜ ପୁଅକୁ ବୋହି ଆଣିଥିବା ପିଲାମାନଙ୍କ ପ୍ରତି କୃତକୃତ୍ୟ ହେଲେ, ସମାନ୍ୟ ହସି ପଚାରିଲେ ପିଲାମାନେ ତମେ ସବୁ କିଏ ?

 

ମରି କହିଲା ଆମେ ଦୁହେଁ ପରିଆ ପିଲା । ଏକଥା ଶୁଣି ତାଙ୍କ ମୁହଁ ଶୁଖିଗଲା ।

 

ସେ କହିଲେ ତମେ ସବୁ ପରିଆ ପିଲା । କେଡ଼େ ବଜ୍ଜାତ ତମେ, ତମେ ମୋ ଘର ଭିତରେ ପଶିଲ । ରୋଷଘର ପର୍ଯ୍ୟନ୍ତ ଆସିଛ । ହେ’ ଭଗବାନ ମୁଁ ଏବେ କ’ଣ କରିବି ? ସବୁ କଥା ଭୁଲି ଯାଇ ସେ ପାଟି କରି ଉଠିଲେ ଏବଂ ଖଣ୍ଡେ କାଠ ଫାଳିଆ ଖୁବ୍‌ ଜୋରରେ ସେ ଚିନାନ୍ ଉପରକୁ ଫିଙ୍ଗିଲେ । କିନ୍ତୁ କାଠ ଖଣ୍ଡକ ଯାଇ ମରି ଗୋଡ଼ରେ ବାଜିଲା ଓ ସେ ଜଖମ ହୋଇ ତଳେ ପଡ଼ିଗଲା ।

 

ଚିନାନ୍ ଜୋରରେ ପାଟିକରି ଗଳି ଭିତରକୁ ଦୌଡ଼ି ପଳାଇଲା । ଗୋଟେ ପରିଆ ପିଲା ମୋ ଘରେ ପଶିଛି । ମୋର ସବୁ ସରିଗଲା ବୋଲି କହି ସୀତାମଲ ପାଟି କରିବାକୁ ଲାଗିଲା । ଏତିକିରେ ସନ୍ତୁଷ୍ଟ ନ ହୋଇ ସେ ଗାଁ ଲୋକଙ୍କୁ ଏକଥା ଶୁଣାଇବାକୁ ଆହୁରି ପାଟି କଲା । ମରି ଉଠି ନିଜ ଗୋଡ଼କୁ ଚାପି ଧରି କହିଲା “–ମା’, ମାଙ୍କଡ଼ ହାତରୁ ମୁଁ ତୁମ ପୁଅକୁ ରକ୍ଷା କଲି କିନ୍ତୁ ବଦଳରେ ତମେ ମାଡ଼ମାରି ମୋ ଗୋଡ଼ ଜଖମ କଲ ।” ଗରିବ ପିଲାମାନେ ବେଶ୍ କଥା କହି ଜାଣନ୍ତି ।

 

‘ତୁ ଆଉ ତୋର ସେ ମାଙ୍କଡ଼ ଚୁଲିକୁ ଯାଆ । ମୁଁ ଯେବେ ପରିଆ ଛୁଆଁ ହେଲି ସେଥିରୁ କିପରି ରକ୍ଷା ପାଇବି ଆଗ ବତା ? ପରିଆମାନଙ୍କ କଥା ଦୂରେ ଥାଉ ସେମାନଙ୍କ ଛାଇ ମଧ୍ୟ ମଣିଷକୁ ଅପବିତ୍ର କରିଥାଏ କିନ୍ତୁ ଏମାନେ ଯେ ପୂଜାଘର ପର୍ଯ୍ୟନ୍ତ ଚାଲି ଆସିଲେ । ସେ କହିଲେ ହେ’ ଭଗବାନ ତୁମେ ମୋତେ ରକ୍ଷାକର ।

 

ମରି ସେହିପରି ସେଠାରେ ଠିଆ ହୋଇ ନିଜ ଗୋଡ଼କୁ ଆଉଁଷୁଥାଏ । ମୁକୁନ୍ଦନ୍‍ର ମା’ ତାକୁ ଦେଖି କହିଲେ ହଇରେ ପରିଆ ପିଲା ତୁ ଏଠୁ ଯାଉଛୁନା ଦେଖିବୁ କହି ଆଉ ଖଣ୍ଡିଏ କାଠ ଫାଳିଆ ରାଗରେ ଖୁବ୍ ଜୋରରେ ତା’ ଉପରକୁ ଫିଙ୍ଗିଥିଲେ । ତା’ ଦେହରେ କାଠଖଣ୍ଡି ଖୁବ୍ ଜୋରରେ ବାଜିଥିଲା । ପାଟି କରି କରି ପିଲାଟି ବଡ଼ କଷ୍ଟରେ ଦୌଡ଼ି ପଳାଇ ଯାଇଥିଲା ।

 

ରାସ୍ତା ଉପରେ ଅନେକ ଲୋକ ଜମା ହୋଇ ଯାଇଥିଲେ । ଘଟଣା କ’ଣ ହୋଇଛି ଜାଣିବାକୁ ଅନେକ ପଚାରିଥିଲେ ଓ ଆଉ କେତେକ ତା’ର ଉତ୍ତର ଦେଉଥିଲେ । ବେଶ୍ ପାଟିତୁଣ୍ଡ ହୋଇଥିଲା । ମରି ଓ ଚିନାନ୍‌ର ମା’ ତାଙ୍କ ସାହିରୁ ଆସି ରାସ୍ତାର ଶେଷ ମୁଣ୍ଡରେ ଠିଆ ହୋଇ ଖୁବ୍ ପାଟିତୁଣ୍ଡବି କରିଥିଲେ ।

 

–୩–

 

ଦୁଇବର୍ଷ ପରର ଘଟଣା ।

 

ମୁକୁନ୍ଦନ୍‍ ବର୍ତ୍ତମାନ ବଡ଼ ହୋଇଗଲାଣି । ସେ କମଳପୁରମ୍ ଉଚ୍ଚ ବିଦ୍ୟାଳୟରେ ପାଠ ପଢ଼ୁଛି । ପ୍ରତିଦିନ ସ୍କୁଲ୍‍କୁ ଦୁଇ ମାଇଲ ବାଟ ସେ ଯିବା ଆସିବା କରେ । କିନ୍ତୁ ସାଙ୍ଗରେ ତା’ର ଆଉ ଦୁଇଟି ପିଲା ଯାଆସ କରୁଥିବାରୁ ତାକୁ ବାଟ ଜଣାପଡ଼େ ନାହିଁ । ତେନ୍ତୁଳି ତୋଟାରେ ମାଙ୍କଡ଼ମାନଙ୍କୁ କେନ୍ଦ୍ରକରି ଘଟିଥିବା ଘଟଣା କଥା ସମସ୍ତେ ବୁଝିଲେଣି । ମୁକୁନ୍ଦନ୍‍ କପାଳ ଉପରେ ଥିବା କଟା ଚିହ୍ନଟା ଯାହା କେବଳ ସେ ଘଟଣାର ସ୍ମୃତିସ୍ଵରୂପ ରହି ଯାଇଥିଲା ।

 

କିନ୍ତୁ ମରିର ମା’ କୁପାୟୀ ଖୁବ୍‌ ଅଶାନ୍ତିରେ ଥିଲା । ସେ କହୁଥିଲା ଆମମାନଙ୍କ ଭିତରୁ କେହି କ’ଣ ବ୍ରାହ୍ମଣ ଘର ଭିତରକୁ ପ୍ରବେଶ କରି ପାରିବ ? ସେ ପାପ ଆମକୁ ନିଶ୍ଚୟ ଗ୍ରାସ କରିବ-। ତମେ ସବୁ ଅନ୍ୟ ପିଲାମାନଙ୍କ ସଙ୍ଗେ କାହିଁକି ଖେଳିଲ ? ଭଗବାନ ଆମକୁ ଏଥିଲାଗି କେବେ କ୍ଷମା ଦେବେ ନାହିଁ । ବର୍ତ୍ତମାନ ଆମର ଯେତେ ସବୁ ଅସୁବିଧା ହେଉଛି ସେ ସବୁ ସେହି କାରଣରୁ ହେଉଛି । ବର୍ଷା ହେଉନାହିଁ । ବର୍ତ୍ତମାନ ଆମେ ଖାଇବାକୁ ପାଉନାହୁଁ । ଏସବୁ ସେହି ବ୍ରାହ୍ମଣୀ ଅଭିଶାପରୁ ଘଟୁଛି । ସବୁ ପ୍ରକାର ଅସୁବିଧା ତା’ର ପିଲାମାନଙ୍କ ଦୋଷରୁ ହେଉଛି ବୋଲି ସେ ଧରି ନେଇଥିଲା । ସେ ଗାଁ ଠାକୁରାଣୀ ମନ୍ଦିରରେ ପ୍ରାର୍ଥନା କରି କହେ ହେ’ ମା’ ଠାକୁରାଣୀ, ତୁ ମୋ ପିଲାମାନଙ୍କୁ କ୍ଷମା କର । ସେମାନେ କିଛି ଜାଣନ୍ତି ନାହିଁ, ଅଜ୍ଞାନ । ତିନିବର୍ଷ ଧରି ପୋଲାଙ୍ଗ ଉତ୍ସବରେ ସେ କୁକୁଡ଼ା ବଳି ଦେଲା । ସେ ଯେତେ କାକୁତି ମିନତି କରି ପ୍ରାର୍ଥନା କରୁନା କାହିଁକି ଠାକୁରାଣୀ ମରିଆମ୍ମା ସନ୍ତୁଷ୍ଟ ହେଲାପରି ମନେ ହେଉ ନଥିଲା । ପୂର୍ବରୁ କେବଳ ହାଟ ଦିନ ତା’ ସ୍ଵାମୀ ତାଡ଼ି ଦୋକାନକୁ ଯାଉଥିଲା । ମାତ୍ର ଆଜିକାଲି ସେ ପ୍ରତିଦିନ ତାଡ଼ି ଦୋକାନକୁ ଯାଉଛି-। ସେ ତାଡ଼ି ପିଇ ଆସେ ଓ ଘରେ ଖାଇବା ଲାଗି ଧମକାଏ । ସ୍ତ୍ରୀ ଯେତେବେଳେ ତାକୁ କହେ ତମେତ ସବୁ ପଇସା ତାଡ଼ି ପିଇ ଉଡ଼ାଇ ଦେଇ ଆସିଲ ଏବେ ଘରେ କ’ଣ ଅଛି ଯେ ତୁମକୁ କେଉଁଠୁଁ କ’ଣ ଆଣି ଖାଇବାକୁ ଦେବି । ସେ ତାକୁ ଧକାବେକା ମାରେ । ଦିନସାରା ପରିଶ୍ରମ କରି ଜଙ୍ଗଲରୁ କାଠ ସଂଗ୍ରହ କରି ଆଣି ତାକୁ ବିକି ଯେଉଁ ଅଣେ ଦୁଇଅଣା ପଇସା ପାଏ ସେ ପଇସାକୁ ମଧ୍ୟ ସ୍ଵାମୀ ତା’ଠାରୁ ଝଗଡ଼ା କରି ଛଡ଼ାଇ ନିଏ ଓ ତାଡ଼ି ପିଏ । ଏସବୁ କାରଣରୁ ଜୀବନ ଯେତେବେଳେ ଦୁର୍ବିସହ ହୋଇ ଉଠେ ସେ ତା’ର ପିଲାମାନଙ୍କୁ ଗାଳି କରେ, କହେ ଏସବୁ ସେହି ବ୍ରାହ୍ମଣୀ ଅଭିଶାପର ଫଳ । ସ୍ଵାମୀ ଯେତେବେଳ ତାଡ଼ି ପିଇ ଘରକୁ ଫେରେ ଓ ସ୍ତ୍ରୀକୁ ମାଡ଼ ଦିଏ ସେ ଚୁପ୍‍ଚାପ୍ ସବୁ ସହିନିଏ । ପିଲାମାନଙ୍କୁ କହେ ତମେମାନେ କେହି କାନ୍ଦନାହିଁ । ଆମେ ସମସ୍ତେ “କାଣ୍ଡି’’ ଚାଲିଯିବା । ଏ ଅଲକ୍ଷଣା ଘରେ, ଏ ଲକ୍ଷ୍ମୀଛଡ଼ା ଗାଁରେ ଆମେ ଆଉ ରହିବା ନାହିଁ-। ମଦ ଦୋକାନରେ ପଡ଼ି ପଡ଼ି ସେ ମରୁ ।

 

ସେ ବର୍ଷ ମୋଟେ ବର୍ଷା ହେଲାନାହିଁ । ଜମି ଶୁଖି ଶୁଖି ଫାଟିଲା । ମୂଲିଆମାନଙ୍କୁ କାମ ମିଳିଲା ନାହିଁ । ଛୋଟ ଛୋଟ ଜମି ମାଲିକମାନଙ୍କର କପାଳ ଫାଟିଲା । ଯେଉଁମାନେ ମୂଲ ଲାଗି ବଞ୍ଚିଥିଲେ ସେମାନଙ୍କ ଅବସ୍ଥା ଆହୁରି ଶୋଚନୀୟ ହୋଇ ଉଠିଲା ।

 

ତେଣୁ ସିଂହଳକୁ କୁଲିନେବା ପାଇଁ ଯେତେବେଳେ ଏଜେଣ୍ଟ ଆସି ପହଞ୍ଚିଲା ଲୋକମାନେ ତାକୁ ସ୍ଵାଗତ କଲେ । ସତେ ଅବା ଦେବଦୂତ ସେମାନଙ୍କ ଦୁଃଖମୋଚନ କରିବାକୁ ଆସି ପହଞ୍ଚିଗଲେ । ଗାଁର ବଡ଼ ଚାଷୀମାନେ କହିଲେ ଏଇ କଙ୍କଣୀ ଏଜେଣ୍ଟ ଗରିବ ଲୋକମାନଙ୍କୁ ଭୁଲେଇ କରି ନେଇ ଯାଉଛି । ସେ ସେମାନଙ୍କର ଅଜ୍ଞତାର ସୁଯୋଗ ନେଉଛି । ଦୁଃଖର କଥା ଏ ଅନ୍ୟାୟର ପ୍ରତିବାଦ କରିବାକୁ କେହି ନାହାନ୍ତି । କିନ୍ତୁ ପରିଆ ଓ ଚେମାରମାନେ ଭାବିଲେ ସେମାନେ ଭୋଗୁଥିବା କଷ୍ଟ ଅପେକ୍ଷା ଯେକୌଣସି ପରିସ୍ଥିତି ସେମାନଙ୍କ ପାଇଁ ନିଶ୍ଚୟ ଭଲ । ସେମାନେ ଗାଁ ଛାଡ଼ି ଏଜେଣ୍ଟ ସାଙ୍ଗରେ ସିଂହଳ ଚାଲିଗଲେ । କୁପାୟୀବି ଦେଖିଲା ଯେ ଏହି ଦୁର୍ଦ୍ଦଶାରୁ ରକ୍ଷାପାଇବା ନିମନ୍ତେ ଗାଁ ଛାଡ଼ି ଯିବା ଏକମାତ୍ର ବାଟ । ତା’ ପିଲାମାନଙ୍କୁ ସାଙ୍ଗରେ ନେଇ କାଣ୍ଡି ଯିବାଲାଗି ସମ୍ମତି ପ୍ରକାଶ କଲା, ସେ ମଧ୍ୟ ତା’ ନାମ ଯିବା ଲୋକଙ୍କ ତାଲିକାରେ ଲେଖାଇଲା । ପ୍ରଥମେ ତା’ର ସ୍ଵାମୀ ସେମାନଙ୍କ ସଙ୍ଗେ ଯିବାକୁ ମନା କଲା । ସେମାନେ ତାକୁ ଗାଁରେ ଛାଡ଼ି ଚାଲି ଯିବାକୁ ସ୍ଥିର କଲେ । ଶେଷରେ ସେ କହିଲା ତମମାନଙ୍କ ସାଙ୍ଗରେ ମୁଁ ମଧ୍ୟ ଯିବି । ମୋତେ ଏଠାରେ କିଏ ଖାଇବାକୁ ଦେବ ? ସେ ଆଉ ତାଡ଼ି କିମ୍ବା ହାଣ୍ଡିଆ ଛୁଇଁବ ନାହିଁ ବୋଲି ନିୟମ କଲା ଏବଂ ତାକୁ ସାଙ୍ଗରେ ନେବାକୁ ଲଗାଇଲା । ଶେଷରେ ସମସ୍ତେ ଗାଁ ଛାଡ଼ି ଚାଲି ଯାଇଥିଲେ ।

 

–୪–

 

ତିନିବର୍ଷ କଟିଗଲା । ମୁକୁନ୍ଦନ୍‍ ସ୍କୁଲ୍‍ରେ ବେଶ୍ ଭଲ ପଢ଼ୁଥିଲା । ସେ ଶେଷ ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କଲା । ଯେଉଁ ଦିନ ସକାଳେ ସ୍କୁଲ୍‍ରେ ଏ ଫଳ ଘୋଷଣା ହେଲା ସେ ଘରକୁ ଫେରି ଯାଇ ଏ ସମ୍ବାଦ ମା’କୁ ଜଣାଇବା ଲାଗି ବ୍ୟସ୍ତ ହୋଇ ପଡ଼ିଲା । କିନ୍ତୁ ତା’ ସାଙ୍ଗମାନେ ପାହାଡ଼ ଉପରେ ଥିବା ଦେଉଳକୁ ସେମାନଙ୍କ ସାଙ୍ଗରେ ଯିବା ଲାଗି ତାକୁ ନିମନ୍ତ୍ରଣ କଲେ । ସେମାନେ କହିଲେ–ଆମ ସାଙ୍ଗରେ ଚାଲ ପାହାଡ଼ ଉପରେ ହେଉଥିବା ମେଳା ଦେଖିସାରି ଆମେ ଫେରି ଆସିବା । ସେ କହିଲା–“ଆମେ ଫେରିଲାବେଳକୁ ଡେରି ହୋଇଯିବ । ମା’ ମୋତେ ଘରେ ଚାହିଁ ବସିଥିବ ।” ଏହା ଶୁଣି ଗୋଟାଏ ଗୁଣ୍ଡା ପ୍ରକୃତିର ବଡ଼ ପିଲା କହିଲା ବାଜେ କଥା କହନାହିଁ । ତୁ କିଛି ଝିଅପିଲା ନୁହେଁ । ଯଦି ଫେରୁ ଫେରୁ ଡେରି ହୋଇଯିବ ତେବେ ମୁଁ ତୋତେ ନେଇ ତମ ଘରେ ଛାଡ଼ି ଦେଇ ଆସିବି । ତୁ ମୋଟେ ବ୍ୟସ୍ତ ହୁଅନାହିଁ । ତୁ କ୍ଲାସ୍‍ରେ ଫାଷ୍ଟ ହୋଇଛୁ ବୋଲି ଅତିଗୁଡ଼ାଏ ଗର୍ବ କରନାଇଁ । ତତେ ଆମ ସାଙ୍ଗରେ ଯିବାକୁ ହେବ । ‘ତୁ ଚାଲ’ ବୋଲି ତା’ର ସବୁ ସାଙ୍ଗମାନେ ପାଟି କରି ଉଠିଲେ । ମୁକୁନ୍ଦନ୍‍ ସାଙ୍ଗରେ ସମସ୍ତଙ୍କର ଭଲ ପଡ଼ୁଥିଲା ।

 

ମୁକୁନ୍ଦନ୍‍କୁ ସେମାନଙ୍କ କଥାରେ ରାଜି ହେବାକୁ ପଡ଼ିଲା । ତାହା ବେଶ୍ ଏକ ଉପଭୋଗ୍ୟ ଦୃଶ୍ୟଥିଲା । ଉତ୍ସବ ଦେଖିବାକୁ ଲୋକମାନେ ଯାଉଥିଲେ । ସେମାନେ ମନ୍ଦିର ଭିତରେ ବାହାରେ ଓ ବଜାରରେ ମନ ଖୁସିରେ ବୁଲାବୁଲି କଲେ । ସେମାନଙ୍କ ଭିତରେ ଜଣେ ଧନୀ ଲୋକର ଗେହ୍ଲା ପୁଅ ଥିଲା । ଉତ୍ସବ ଦିନ ମନମୁତାବକ ଖର୍ଚ୍ଚ କରିବା ଲାଗି ତା’ ବାପା ତାକୁ ପାଞ୍ଚ ଟଙ୍କା ଦେଇଥିଲା ।

 

ସେ ଟଙ୍କାରୁ ମିଠା ଦୋକାନରୁ ମିଠା କିଣି ସମସ୍ତେ ଖାଇଥିଲେ । ଅଧା ବାଟ ଆସିବା ପରେ ମୁକୁନ୍ଦନ୍‍ ପାଟି କରିଥିଲା “ରାମକୃଷ୍ଣ ମୋତେ ଭାରି ଶୋଷ ଲାଗୁଛି ।” ଅନ୍ୟ ପିଲାମାନେ କହିଲେ ଏଠାରେ କେଉଁଠି ପାଣି ମିଳିବ ଯେ ତୁ ପିଇବୁ । ତୁ ଘର ପର୍ଯ୍ୟନ୍ତ ଚାଲ । ଘରେ ପହଞ୍ଚିଲେ ପାଣି ପିଇବୁ ।

 

ପିଲାମାନଙ୍କ ନେତା ସେହି ବଡ଼ ପିଲାଟି କହିଲା ଆରେ ତମେ ସବୁ କେଡ଼େ ବୋକା କିରେ ? ପାଖରେ ହନୁମାନ କୁଣ୍ଡ ଅଛି । ଏକଥା କ’ଣ ତମେ କେହି ଜାଣ ନାହିଁ ? ସେ ସେମାନଙ୍କୁ ଚଲାବାଟରେ ଗୋଟାଏ ଖୁବ୍‌ ବଡ଼ ପଥର ପଛକୁ ନେଲା । ସେହି ପଥର ଉପରେ ହନୁମାନ ବିଜେ ହୋଇଥିଲେ । ପାଖରେ ସେ ଅନ୍ୟମାନଙ୍କୁ ଗୋଟାଏ ଗାଡ଼ିଆ ଦେଖାଇଲା । ମୁକୁନ୍ଦନ୍‍ ସେଠିକୁ ଯାଇ ତରତର ହୋଇ ପେଟେ ପାଣି ପିଇଲା । ସେ ଆସି କହିଲା ‘କେଡ଼େ ମିଠା ପାଣି ହୋଇଛି ।’ ଶୋଷବେଳେ ମଇଳା ପାଣିବି ମିଠାଲାଗେ ।

 

ସେମାନେ କମଳାପୁରମ୍‌ରେ ପହଞ୍ଚିଲାବେଳକୁ ରାତି ହୋଇ ଯାଇଥିଲା । ମୁକୁନ୍ଦନ୍‍ ଯେତେବେଳେ ଘରେ ପହଞ୍ଚି କବାଟ ଖଡ଼ଖଡ଼ କରି ମା’ ମା’ ବୋଲି ପାଟି କରେ ସେତେବେଳକୁ ଅନେକ ରାତି ହୋଇ ଯାଇଥିଲା ।

 

ମା’ କହିଲା କିରେ ପୁଅ ଏତେ ଡେରି ହେଲା କାହିଁକି ? ତୁ ପରୀକ୍ଷା ଫଳ ଜାଣିବା ସାଙ୍ଗେ ସାଙ୍ଗେ ଫେରି ଆସିବୁ ବୋଲି କହି କରି ଗଲୁ । ମୋତେ ଖୁବ୍‌ ବ୍ୟସ୍ତ ଲାଗୁଥିଲା ।

 

‘ଆମେ ସମସ୍ତେ ପାହାଡ଼ ଉପର ମନ୍ଦିରକୁ ଯାଇଥିଲୁ, ମୁଁ ଯିବାକୁ ମନା କରୁଥିଲି । କିନ୍ତୁ ସାଙ୍ଗମାନେ ମୋତେ ଛାଡ଼ିଲେ ନାହିଁ । ଆମେ ସମସ୍ତେ ମେଳା ଦେଖିଲୁ । ବେଶ୍ ବଢ଼ିଆ ହେଇଛି-।’

 

‘ତୁ ଭଲରେ ଫେରି ଆସିଛୁ ସେଇ ମୋର ଖୁସି । ତୁ ପରୀକ୍ଷାରେ ପାସ୍ କରିଛୁଟି ?’ ଟିକେ ଉତ୍କଣ୍ଠିତ ହୋଇ ମା’ ପଚାରିଲା ।

 

ପୁଅ କହିଲା–“ମୁଁ ଫାଷ୍ଟ୍ ହୋଇଛି ।”

 

“–ବାପାରେ, ତୋପାଇଁ ମୋର କେତେ ଗର୍ବ ତତେ କ’ଣ କହିବି ?” କହି ପୁଅକୁ କୁଣ୍ଢାଇ ପକାଇ ସେ କାନ୍ଦିବାକୁ ଲାଗିଲେ । ଜୀବନରେ ସ୍ଵାମୀକୁ ହରାଇ, ପୁଅକୁ ଆଦର ଯତ୍ନ ସହିତ ମଣିଷ କରୁଥିବା ସ୍ତ୍ରୀଲୋକର ସମସ୍ତ କରୁଣତା ସେଥିରେ ଭରି ରହିଥିଲା ।

 

–୫–

 

ପୁଅର କୃତିତ୍ୱ ସମ୍ବାଦ ପାଇ ଆନନ୍ଦରେ ଅଧୀର ହୋଇ ପଡ଼ିବାର ଠିକ୍ ଚାରିଦିନରେ ଘର ଶୂନଶାନ୍ ଲାଗିଲା । ସେ ଦିନ ମୁକୁନ୍ଦନ୍‍ ରାତିରେ ଘରକୁ ଫେରିଲା ପରେ ପେଟରେ ଖୁବ୍ ଯନ୍ତ୍ରଣା ଅନୁଭବ କଲା ଓ ତାକୁ ଝାଡ଼ା ହେଲା । ତାକୁ ଯେ ହଇଜା ହେଇଥିଲା ଏ କଥା କେହି ଜାଣି ପାରି ନଥିଲେ । ମନ୍ଦିର ପାଖ ଦୋକାନରୁ ଖାଇଥିବା ମିଠା ହେତୁ ଏପରି ଅଜୀର୍ଣ୍ଣ ଝାଡ଼ା ହେଉଛି ବୋଲି ସେମାନେ ଧରି ନେଇଥିଲେ । ପିଲାଟି ବହୁତ କଷ୍ଟ ପାଉଥିଲା । କୌଣସି ଗାଁରେ ଯେତେବେଳେ ହଇଜା କିମ୍ବା ଅନ୍ୟ କୌଣସି ସଂକ୍ରାମକ ରୋଗ ଲୋକମାନଙ୍କୁ ଆକ୍ରମଣ କରେ ସେତେବେଳେ ପ୍ରକୃତରେ କ’ଣ କରିବାକୁ ହେବ, ରୋଗ କିପରି ନ ବ୍ୟାପିବ କିମ୍ବା କ’ଣ ପ୍ରତିକାର କରାଯାଇପାରେ ସେ ସମ୍ପର୍କରେ କେହି କିଛି ଜାଣି ନଥାନ୍ତି । କେହି ବା ଯଦି କିଛି ଜାଣିଥାଏ ତାହା କରିବାପାଇଁ ସୁବିଧା ସୁଯୋଗ ନଥାଏ କିମ୍ବା ଲୋକଙ୍କର ମଧ୍ୟ ସମ୍ବଳ ନଥାଏ । ଅନେକ ଶିକ୍ଷିତ ଲୋକ ଅଛନ୍ତି ଯେଉଁମାନେ ଏ କଥା କି ସେ କଥା କର ବୋଲି କହନ୍ତି କିମ୍ବା ଏ ସମ୍ପର୍କରେ କିଛି କିଛି ବହିପତ୍ର ସେମାନଙ୍କ ପାଖରେ ଥାଇପାରେ କିନ୍ତୁ ଗାଁମାନଙ୍କରେ ଏପରି ଲୋକଙ୍କ କଥା କେହି ଶୁଣନ୍ତି ନାହିଁ କିମ୍ବା ବହି ଅନୁସାରେ କାମ କରନ୍ତି ନାହିଁ ।

 

ତେବେ ଆଶ୍ଚର୍ଯ୍ୟଜନକ ଭାବରେ ମୁକୁନ୍ଦନ୍‍ ରୋଗରୁ ରକ୍ଷା ପାଇ ଯାଇଥିଲା । କେତେଜଣ ପଡ଼ୋଶୀ ସେମାନଙ୍କୁ ସାହାଯ୍ୟ କଲେ । ପୁଅ ରକ୍ଷା ପାଇଗଲା କିନ୍ତୁ ମା’କୁ ରୋଗ ଧରିଲା । ଦୁଇଦିନ ପର୍ଯ୍ୟନ୍ତ ଝାଡ଼ା କଥା ମା’ କାହାକୁ ନ କହି ଲୁଚାଇ ରଖିଲା । ସେ ପୁଅର ସେହିପରି ଯତ୍ନ ନେଉଥାଏ । ଶେଷରେ ଯେତେବେଳେ ଆଉ କିଛି କରି ପାରିଲା ନାହିଁ ସେତେବେଳେ ସେ ପଡ଼ି ରହିଲା ।

 

ସେ ବିକଳ ହୋଇ କାନ୍ଦିଲା । ଉଠି କରି ବସିଲା ଏବଂ କହିଲା ମୁଁ ଠିକ୍ ଜାଣି ପାରୁ ନାହିଁ ମୋ ପୁଅ ଏବେ ପୂରା ଭଲ ହେଇଗଲା ନା ନାହିଁ । ଏବେ ତା’ର ଦେଖାଶୁଣା କିଏ କରିବ । ମୁଁ ତ ଆଉ ବଞ୍ଚିବି ନାହିଁ । ତା’ପରେ ସେ ଅଚେତ ହୋଇ ପଡ଼ିଗଲା । ତା’ର ଚେତା ଆଉ ଫେରି ନଥିଲା । ତା’ର ଗୋଡ଼ହାତ କୁଙ୍କୁଡ଼ିକାଙ୍କୁଡ଼ି ହେବାକୁ ଲାଗିଲା ଓ ତା’ର ପ୍ରାଣବାୟୁ ଉଡ଼ିଗଲା ।

 

–୯–

 

ଆହୁରି ପନ୍ଦରବର୍ଷ ବିତିଗଲା । ସବୁ କିଛି ପୂରାପୂରି ବଦଳି ଗଲା । ବେଲାମ୍ ପଟିର ସବୁ ବ୍ରାହ୍ମଣମାନଙ୍କ ଘରଗୁଡ଼ିକ ଭାଙ୍ଗି ନଷ୍ଟ ହୋଇଗଲା । କେବଳ ମନ୍ଦିର ପୂଜକ କୃଷ୍ଣ ଭଟ୍ଟ ତା’ ନିଜ ଘରେ ଥାଏ । ଅନ୍ୟ ସମସ୍ତେ କାମ କରିବାକୁ ଗାଁ ଛାଡ଼ି ସହରମାନଙ୍କୁ ଚାଲି ଯାଇ ଥାଆନ୍ତି । କେତେକ କାଣ୍ଡି ଆଉ କେତେକ ପେନାଙ୍ଗ ଆଉ କେତେକ ବାଙ୍ଗାଲୋରରେ ସେବାରମ୍ଭ ପାହାଡ଼ ଓ ଅନ୍ୟାନ୍ୟ କେତେକ ସ୍ଥାନକୁ ମଜୁରିଆଭାବେ କାମ କରିବାଲାଗି ଚାଲି ଯାଇଥିଲେ । କେବଳ ଚାଷୀମାନଙ୍କର ଘରଗୁଡ଼ିକ ପୂରା ଖାଲି ହୋଇଯାଇ ନଥିଲା । ବହୁ ବାଧାବିଘ୍ନ ସତ୍ତ୍ଵେ ସେମାନେ ଗାଁରେ ପଡ଼ି ରହିଥିଲେ । କାରଣ ସେମାନଙ୍କ ପକ୍ଷରେ ସେମାନଙ୍କ ଜମିବାଡ଼ି ଓ ଗୋରୁଗାଈ ଛାଡ଼ି ଚାଲିଯିବା ସହଜ ନଥିଲା ।

 

ମରି, ଚିନାନ୍ ଓ ସେମାନଙ୍କର ମା’ ସିଂହଳରେ ଗୋଟିଏ ଚାହା ବିଗିଚାରେ କାମ କରୁଥିଲେ । ଖୁବ୍ ଶୀଘ୍ର ସେମାନଙ୍କ ବାପା ପୁଣି ତାଡ଼ି ଦୋକାନକୁ ଯିବା ଆସିବା ଆରମ୍ଭ କରି ଦେଲା । ସେ ଠିକ୍‍ଭାବେ ତା’ କାମ କଲାନାହିଁ । ତାକୁ ଗୋଟିଏ ଅଳସୁଆ ମଦୁଆ ଲୋକ ବୋଲି ଖୁବ୍ ଶୀଘ୍ର ସମସ୍ତେ ଚିହ୍ନି ଗଲେ ଓ ଅଳ୍ପଦିନ ଭିତରେ ସେ କାମରୁ ତଡ଼ା ଖାଇଗଲା । ସେ ଯାଇ ଅନ୍ୟ ଗୋଟିଏ ଚାହା ବିଗିଚାରେ କାମ କଲା ଓ ସେଠୁ ମଧ୍ୟ ବିଦା ହୋଇଗଲା । ସେ ଏଣେତେଣେ ବୁଲି ଭିକ ମାଗି ମଦ ପିଆପିଇ କଲା । କିଛିଦିନପରେ ସେ କୁଆଡ଼େ ପଳେଇଲା, ତା’ ଖବର ଆଉ କେହି ରଖି ନଥିଲେ ।

 

ମରି ଓ ଚିନାନ୍ ଚା’ ବଗିଚାରେ କାମ କରୁଥିଲେ ଏବଂ ଖୁବ୍‌ ହିସାବୀ ଲୋକପରି ଚଳୁଥିଲେ । ମରିର ବୟସ ବର୍ତ୍ତମାନ ପଚିଶବର୍ଷ । ସେମାନେ ଯେଉଁ ଚା’ ବଗିଚାରେ ଥିଲେ ସେଠାରେ ଶ୍ରମିକମାନଙ୍କ ବସ୍ତିରେ ଗୋଟିଏ ଝିଅ ଥିଲା । ସେହିଠାରେ ତା’ର ଜନ୍ମ ଓ ସେଇଠି ରହି ସେ ବଢ଼ୁଛି । ମରିକୁ ତା’ ମା’ କହିଲା ତମ ଗାଁରେ ତୁ ୟାଠୁ ଭଲ ଝିଅଟିଏ ପାଇବୁ ନାହିଁ । ତୁ ତାକୁ ବାହାହଅ । ମରି ମା’ କଥାରେ ରାଜିହେଲା । ବିବାହ ହେବାର କିଛିଦିନ ପରେ ସେ ଗାଁକୁ ଫେରିଯାଇ ଗାଁରେ ସ୍ଥାୟୀଭାବେ ରହିବାକୁ ସ୍ଥିର କଲା ।

 

ସେ ତା’ ମା’କୁ କହିଲା ମା’, ଆମେ ଏଠି ରହିବାର ଆସି ପନ୍ଦର ବରଷ ହୋଇଗଲା । ବାପା ଏପର୍ଯ୍ୟନ୍ତ ଫେରିଲେ ନାହିଁ । ତାଙ୍କପାଇଁ ଆଉ ଅପେକ୍ଷା କରି କିଛି ଲାଭ ନାହିଁ । ଏବେ ଆମ ନିଜ ଗାଁକୁ ଫେରି ଯିବାରେ ଅସୁବିଧା କିଛିନାହିଁ । ଏଜେଣ୍ଟ ପାଖରେ ଆମର ପ୍ରାୟ ଦୁଇଶହ ଟଙ୍କା ଅଛି । ସେ ଟଙ୍କା ନେଇ ଆମେ ବେଲମ୍‍ପଟି ଚାଲିଯିବା । ସେଠି ହଳେ ବଳଦ ଓ ଗୋଟିଏ ଶଗଡ଼ କିଣି ମଣିଷ ପରି ରହିବା । ମା’, ମୋତେ ଏ ଜାଗା ମୋଟେ ଭଲ ଲାଗୁ ନାହିଁ । ଆମେ ଏଠି କିଣାଚାକର ପରି ଅଛେ । ଗୋରୁଗାଈଙ୍କ ପରି ଖଟୁଛେ । ଏଟା ଗୋଟେ ଅପାଣ୍ଡବା ଜାଗା । ଏଠି ଜଣଙ୍କର ସ୍ତ୍ରୀ ବି ତା’ ନିଜର ନୁହେଁ । ଏଠି ଆମର ଆଉ ଅଧିକ ଦିନ ରହିବା ଉଚିତ ହେବନାହିଁ । କୁପାୟୀ କହିଲା ହଁରେ ପୁଅ ମୁଁ ବି ବେଲାମ୍‍ପଟି ଯାଇ ତୋ ବାପର କୁଡ଼ିଆରେ ମରିବାକୁ ଚାହୁଁଛି । ସେମାନେ ସମସ୍ତେ ବେଲାମ୍‍ପଟି ଫେରି ଆସିଲେ । ମରି ଓ ଚିନା ମେଲାଚରି ହାଟକୁ ଯାଇ ହଳେ ବଳଦ କିଣି ଆଣିଲେ । ସାଲେମ୍‍ ଯାଇ ସେଠୁ ଶଗଡ଼ଟିଏ କିଣି ଆଣିଲେ । ମରି ବେଶ୍ ଭଲରେ ଜୀବନ କାଟିଲା । ଚାଷୀମାନେ ତାକୁ ଈର୍ଷା କଲେ । କହିଲେ କାଣ୍ଡି ପରିଆକୁ ଦେଖ । ତା’ର ନିଜର ଶଗଡ଼ ବଳଦ କରିଛି । ବେଶ୍ ଫୁର୍ତ୍ତିରେ ଚଳୁଛି ।

 

ଏହି ସୁଖ ବେଶୀ ଦିନ ରହିଲା ନାହିଁ । ଦୁର୍ଭାଗ୍ୟ ଆରମ୍ଭ ହୋଇଗଲା । ବିନା କାରଣରେ ହଠାତ୍ ଗୋଟିଏ ବଳଦ ଛୋଟା ହୋଇଗଲା । ସମସ୍ତ ପ୍ରକାର ଯତ୍ନ ସତ୍ତ୍ୱେ ବଳଦଟି ଭଲ ହେଲା ନାହିଁ । କୋଣ୍ଡାଲାମ୍ ପଟିର ଜଣେ ପଶୁ ଚିକିତ୍ସକକୁ ବଳଦର ଚିକିତ୍ସାପାଇଁ ସେ ପାଞ୍ଚ ଟଙ୍କା ଦେଇଥିଲା । ସେ ପ୍ରଥମେ ବଳଦ ଗୋଡ଼ରେ ଔଷଧ ଦେଇଥିଲା । ତା’ପରେ ଫୁଙ୍କାଫୁଙ୍କି କରିଥିଲା । ଶେଷରେ ବଳଦକୁ ଲୁହାରେ ଲାଛିଥିଲା । କିନ୍ତୁ କୌଣସି ବ୍ୟବସ୍ଥା କାମ ଦେଲା ନାହିଁ । ଶେଷରେ ବଳଦଟି ମରିଗଲା । ମରି ଗୋଟିଏ ଚଷା ପାଖରେ ତା’ ଶଗଡ଼ ବନ୍ଧା ଦେଇ ତା’ଠାରୁ ଚାଳିଶ ଟଙ୍କା ଧାର ଆଣିଲା । ସେ ଟଙ୍କା ଓ ତା’ ପାଖରେ ଥିବା ଟଙ୍କାକୁ ମିଶାଇ ସେ ଆଉ ଗୋଟିଏ ବଳଦ କିଣିଲା । ସେଥିରେ କିଛିଦିନ ଚଳିଲା ।

 

ହଠାତ୍ ତାଙ୍କ ଗାଁର ଚାରିଆଡ଼େ ଗୋମଡ଼କ ଦେଖା ଦେଲା । ଅନେକ ଗାଈ ବଳଦ ମରିଗଲେ । ମରିର ନୂଆ କିଣା ବଳଦଟିକୁ ଯେଉଁ ଦିନ ରୋଗ ଧରିଲା ସେ ସେହି ଦିନ ମଲା ।

 

ଭାଇ ଦୁହେଁ ଗୋଟିଏ ଚାଷୀର ଦିନ ମଜୁରିଆ ଭାବରେ କାମ କଲେ ସେ ତାଙ୍କୁ ଦିନରାତି କାମ କରାଇଲା । ସେମାନେ ଯେଉଁ ମଜୁରୀ ପାଉଥିଲେ ତାହା ଅତି କମ୍ । ସେମାନେ ଭଲରେ ମୁଠାଏ ଖାଇବାକୁ ପାଉ ନଥିଲେ । ସେଥିରେ ତାଙ୍କ ଅସମର୍ଥ ବୁଢ଼ୀମାକୁ ପୋଷିବା ସେମାନଙ୍କ ପକ୍ଷରେ କିପରି କଷ୍ଟକର ତାହା ସେମାନେ ବୁଝି ପାରିଲେ । ୟା ସାଙ୍ଗକୁ ଚିନାନ୍ ମରି ସଙ୍ଗେ କଳି କରିବାକୁ ଆରମ୍ଭ କରି ଦେଲା । ଏ ମଧ୍ୟରେ ପେନାଙ୍ଗରେ କୁଲି କାମପାଇଁ ଲୋକ ଯୋଗାଡ଼ କରିବାକୁ ଜଣେ ଏଜେଣ୍ଟ ଆସି ପହଞ୍ଚିଲା । ଭାଇକୁ ନ କହି ଚିନାନ୍ ତା’ ସଙ୍ଗେ ଚାଲିଗଲା । ସେ ନେଗାପଟାମ୍‌ରେ ପହଞ୍ଚିବା ପରେ ଜଣକ ହାତରେ ଖଣ୍ଡେ ଚିଠି ଲେଖାଇ ବଡ଼ ଭାଇ ପାଖକୁ ପଠାଇଥିଲା । ସେଥିରେ ଲେଖିଥିଲା–“ଭାଇ ଜାଣିବ, ତୁମକୁ ନ କହି ମୁଁ ଚାଲି ଆସି ଖୁବ୍ ଦୋଷ କରିଛି । ମୁଁ ଭାବିଲି ଚାଲି ଆସି ଭୋକ ଦାଉରୁ ରକ୍ଷା ପାଇବି ଓ ଏଠିବି ପଇସା ରୋଜଗାର କରି ପାରିବି । ମୋତେ ଏଥିଲାଗି ତମେ କ୍ଷମା କରିବ । ମୁଁ ମନେମନେ ଏଠାରେ ମୋ ମା’ ଓ ବଡ଼ ଭାଇ ପାଦ ତଳେ ପଡ଼ୁଛି ଓ ସେମାନଙ୍କୁ ମୋର ଭକ୍ତିପୂର୍ଣ୍ଣ ପ୍ରଣାମ ଜଣାଉଛି ।” ଏ ସବୁ ଚିନାନ୍‌ କେବେ ଲେଖି ପାରିବ ବୋଲି କେହି ଭାବିବା ଉଚିତ ନୁହେଁ । କିନ୍ତୁ ଦୁଇ ଅଣା ପଇସା ସାରି ଚିନାନ୍‌ ଯେ ତା’ର ବଡ଼ ଭାଇକୁ ସମ୍ମାନ ଜଣାଇ ପତ୍ର ଲେଖାଇଛି ସେଥିପାଇଁ ସେ ନିଶ୍ଚୟ ପ୍ରଶଂସନୀୟ । ଜଣେ ଗରିବ ଅପାଠୁଆ ଲୋକ ଏହାଠୁ ଆଉ ଅଧିକ କ’ଣ କରି ପାରନ୍ତା ?

 

ବୁଢ଼ୀ କୁପ୍‌ପାୟୀ ହଠାତ୍ କାନ୍ଦି ଉଠିଲା । “ସେହି ବ୍ରାହ୍ମଣୀ ରୋଷଘରେ ପଶିବାର ଏ ହେଉଛି ଫଳ । ସେ ଅଭିଶାପ ଏପର୍ଯ୍ୟନ୍ତ ରହିଛି । ମା’ ମରିଆୟୀ ଠାକୁରାଣୀ, କେତେବେଳେ ତୋ ରାଗ ଶାନ୍ତ ହେବ । ଆମର ଏ ଦୁଃଖ କେବେ ସରିବ । ଆମ ହାତରେ ପଇସାଟିଏବି ନାହିଁ ନହେଲେ ଆସନ୍ତା ମେଳାରେ ମୁଁ ତୋତେ କୁକୁଡ଼ା ବଳି ଦିଅନ୍ତି ।” ସେ ମନକୁ ମନ କହେ “ହେ ହେ ବେଲାମପଟି ମା’ ମୁଁ ମରି ଏ ସବୁ ଦୁଃଖରୁ ତ୍ରାହି ପାଇଯାଏ । କିନ୍ତୁ ମୋ ପୁଅର କୋଟି ପରମାୟୁ ହେଉ, ତୁ ତାକୁ ଆଶୀର୍ବାଦ କର, ସେ ଓ ତା’ ସ୍ତ୍ରୀ ସୁଖରେ ରହନ୍ତୁ ।”

 

ମରିର ସ୍ତ୍ରୀ ପୁବାୟୀର ବୟସ ମୋଟେ ପନ୍ଦର । କିନ୍ତୁ ସେ ଫୁର୍ତ୍ତି ଓ ଚାଲାକ ଚତୁର ଝିଅ-। ସେ ଏକାଏକା ସାହସ କରି ଜଙ୍ଗଲକୁ ଯାଇ ଜାଳେଣି କାଠ ଗୋଟାଇ ଘରକୁ ଫେରେ-। ସେ ଗୋଟାଏ ମୁହୂର୍ତ୍ତ ଅଳସୁଆମିରେ କଟାଇ ଦିଏ ନାହିଁ । ଘର କାମ ସାରି ଦେଇ ସେ ଯାଇ ଘାସ ବାଛେ, କିମ୍ବା ଅନ୍ୟ କାହା ଘରେ ଯାଇ କିଛି ନା କିଛି କାମ ଦାମ କରେ । ଏହି କାମରୁ ଯାହା ମଜୁରୀ ପାଏ ଘରକୁ ଆଣେ । ଘାସ ଓ ଜାଳେଣି କାଠ ବିକି ସେ ଅନ୍ୟମାନଙ୍କଠାରୁ ସାମାନ୍ୟ ଅଧିକ ପାଏ । ସପ୍ତାହରେ ସେ ଏହିପରି ଦୁଇ ତିନି ଅଣା ହିସାବରେ ପାଇଥାଏ । ସେ ଯେଉଁ ପଇସା ପାଏ ହସି ହସି ସ୍ୱାମୀ ହାତକୁ ବଢ଼ାଇ ଦିଏ ।

 

ସେ ବର୍ଷ ମୋଟେ ବର୍ଷା ହେଲା ନାହିଁ । ତା’ ପୂର୍ବ ଚାରିବର୍ଷ ମଧ୍ୟ ଯଥେଷ୍ଟ ପରିମାଣରେ ବର୍ଷା ହୋଇ ନଥିଲା । ସେ ବର୍ଷ ସବୁଠୁ ବଡ଼ ଧରଣର ମରୁଡ଼ି ଦେଖା ଦେଲା । ସବୁଗୁଡ଼ିକ କୂଅ ଶୁଖିଗଲା । ସବୁଜ ଘାସ ବୁଦାଟିଏ କେଉଁଠି ଦେଖିବାକୁ ମିଳିଲା ନାହିଁ । ପିଇବା ପାଣି ଟୋପାଏ ମଧ୍ୟ କେଉଁଠୁଁ ମିଳିଲା ନାହିଁ । ବାକି ଯେଉଁମାନେ ଥିଲେ ସେମାନେ ମଧ୍ୟ ଗାଁ ଗଣ୍ଡା ଛାଡ଼ି ଚାଲିଗଲେ । ଅନ୍ୟ କୁଆଡ଼େ ଚାଲି ଯାଇ ପେଟପାଟଣା କରିବାକୁ ମରି ଚିନ୍ତା କଲା । ତା’ ମା’ କିନ୍ତୁ ତା’ କଥାରେ ରାଜି ହେଲାନାହିଁ । ସେ କହିଲା ଯେଉଁଠିକୁ ଗଲେବି ଆମର କୌଣସି ଲାଭ ନାହିଁ । ଆମେ ସମସ୍ତେ ଏଇଠି ରହି ମରିବା ବରଂ ଭଲ । ସେହି ଏକା ଠାକୁର ଚାହିଁଲେ ଆମକୁ ଏଇଠିବି ରକ୍ଷା କରି ପାରିବେ । ମରି ନିଜର ବୁଢ଼ୀମା ଇଚ୍ଛା ବିରୁଦ୍ଧରେ କିଛି କହିବାକୁ ଚାହୁଁ ନଥିଲା ।

 

ବର୍ତ୍ତମାନ ଗାଁର ପରିଆ ସାହିରେ ପାଞ୍ଚଟି ଘରେ ମାତ୍ର ଲୋକ ଥିଲେ । ଅନ୍ୟମାନେ ସେମାନଙ୍କର ଘରଦ୍ଵାର ଛାଡ଼ି କେବେଠୁ ଚାଲି ଯାଇ ସାରିଲେଣି । ଯେଉଁ ପୋଖରୀରୁ ପରିଆମାନେ ପାଣି ଆଣି ପିଉଥିଲେ ସେ ପୋଖରୀବି ଅନେକ ଦିନୁ ଶୁଖି ଗଲାଣି । ସେ ପୋଖରୀ ପାଖରେ କୁଟି କୋଣ୍ଡାନ୍‍ର ଜମି ଅଛି । ସେ ଜମିକୁ କୂଅରୁ ପାଣି ବୁହାଇ କୁଟି କୋଣ୍ଡାନ୍ ତା’ କ୍ଷେତରୁ କେତେକାଂଶ ବଞ୍ଚାଇ ରଖିଥିଲା । ସେ ବିଲକୁ ପାଣି ମଡ଼ାଇ ସାରି ହଳ ଫିଟାଇ ବଳଦ ଧୋଇ ସାରିବା ପରେ ସିଆରରେ କ୍ଷେତକୁ ଯେଉଁ ପାଣି ମାଡ଼ି ଚାଲିଥାଏ ସେଥିରୁ ପରିଆ ଓ ଅନ୍ୟାନ୍ୟ ଅଛବ ଲୋକେ ପାଣି ନେବାକୁ ଅନୁମତି ପାଆନ୍ତି । କିନ୍ତୁ କୂଅ ଭିତରେ ସେମାନଙ୍କୁ ମାଠିଆ ପକାଇ ପାଣି କାଢ଼ି ନେବାକୁ ମନା । ସେମାନେ ପାଣି କାଢ଼ିଲେ ପାଣି ଛୁଆଁ ହୋଇଯିବ । ସେଥିପାଇଁ ସେମାନେ ସିଆରରେ ବହି ଯାଉଥିବା ପାଣିରୁ ପାଣି ନେଉଥିଲେ । ଅନ୍ୟ ଚାଷୀମାନେ ସେମାନଙ୍କୁ ଏତିକି ଦୟା ମଧ୍ୟ ଦେଖାଇ ନଥିଲେ । ବେଲାମ୍‌ପଟିରେ ପାଣି ଏକ ମହାର୍ଘ ପଦାର୍ଥ ଥିଲା କାରଣ ପାଣି ମୋଟେ ମିଳୁ ନଥିଲା । ତା’ ବ୍ୟତୀତ ଚାଷୀମାନେ ସେମାନଙ୍କ ବିଲରୁ ଯେ ଟୋପାଏ ପାଣି ଛାଡ଼ି ଦେବା ଲାଗି ପ୍ରସ୍ତୁତ ନଥିଲେ । ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନଥିଲା । କିନ୍ତୁ ଏ ଚାଷୀଟି ଦୟାଳୁ ଲୋକ ଥିଲା । ସେ କହୁଥିଲା ବିଚାରା ପରିଆମାନେ ପିଇବାକୁ ପାଣି ଟିକିଏ ପାଉ ନାହାନ୍ତି ତେଣୁ ସେ ସେମାନଙ୍କୁ ତା’ ସିଆରର ବୋହି ଯାଉଥିବା ପାଣି ନେବାକୁ ଛାଡ଼ି ଦେଉଛି ।

 

ପାଣିପାଇଁ ସ୍ତ୍ରୀଲୋକମାନେ ସେଠି ସକାଳ ପହରୁ ଅପେକ୍ଷା କରି ରହୁଥିଲେ । କିଏ ଆଗ ତା’ ମାଠିଆରେ ପାଣି ପୂରାଇବ ସେଥିପାଇଁ ସେମାନଙ୍କ ଭିତରେ କଳି ହେଉଥିଲା । ସିଆର ପାଖ ଗାତମାନଙ୍କରେ ଖୁବ୍ ଅଳ୍ପ ପରିମାଣରେ ପାଣି ଜମି ରହୁଥିଲା । ଦିନେ ଦିନେ ସେମାନଙ୍କ ଭିତରେ ପେଲାପେଲି ହୋଇ ସବୁ ପାଣିକୁ କାଦୁଆ କରି ପକାଉଥିଲେ । ଜଣେ ସ୍ତ୍ରୀଲୋକ ଅନ୍ୟ ସ୍ତ୍ରୀଲୋକ ବିରୁଦ୍ଧରେ ଆପତ୍ତି କରି ଚାଷୀକୁ କହୁଥିଲା, ଦେଖନ୍ତୁ ଆଜ୍ଞା ସେ କିପରି ପାଣି ଗୋଳିଆ କରି ଦେଉଛି । ଯେଉଁ ଚାଷୀମାନେ ଏହି ଦୁଃଖଦାୟକ ଦୃଶ୍ୟ ଦେଖୁ ଥାଆନ୍ତି ସେମାନେ ମନ୍ତବ୍ୟ କରନ୍ତି, ଏହି ମୂର୍ଖ ପରିଆମାନେ ସବୁବେଳେ ଏମିତି କଳି କରନ୍ତି । ତା’ପରେ ସେମାନେ ସେ ଗୋଳିଆ ପାଣିକୁ ସ୍ତ୍ରୀଲୋକେ ମାଠିଆରେ ପୂରାଇ ଘରକୁ ଫେରନ୍ତି । କିଛି ସମୟ ମାଠିଆରେ ପାଣି ରହିଗଲା ପରେ ତାହା ସଫା ହୋଇଯାଏ । ତା’ପରେ ସେମାନେ ସେ ପାଣି ପିଇ ଥାଆନ୍ତି ।

 

–୭–

 

ଆକାଶରେ ପୂର୍ଣ୍ଣଚନ୍ଦ୍ର ଝଲସୁ ଥାଏ । ଖାଲି ପଡ଼ିଆଗୁଡ଼ିକ ଚନ୍ଦ୍ର କିରଣରେ ଚିକ୍‍ଚିକ୍ କରୁଥାଏ ସତେ ଯେପରି କିଏ ଦୁଧ ଢାଳି ଦେଇଛି । ଦୁର୍ଭିକ୍ଷର ନିର୍ମମ ବାସ୍ତବ ଚିତ୍ର କେବଳ ଦିନରେ ପ୍ରକାଶ ପାଇଥାଏ । ରାତିରେ ସବୁ କ୍ଳାନ୍ତଶ୍ରାନ୍ତ ଓ ନିଦ୍ରିତ ପରି ମନେ ହୁଏ । ଏପରିକି ନିଜେ ଦୁର୍ଭିକ୍ଷ ରାତିରେ ଶୋଇଗଲା ପରି ମନେ ହୁଏ । ଏ ପୃଥିବୀରେ ମଣିଷର ଅସୀମ ଦୁଃଖ କଥା ବିଚାରକୁ ନେଇ ଅଳ୍ପ ସମୟପାଇଁ ହେଉ ପଛେ ରାତିରେ ଟିକେ ଶୋଇ ପଡ଼ି ସବୁ ଭୁଲି ଯିବାଟା ଏକ ଆଶୀର୍ବାଦ ବୋଲି ବିଚାରିବାକୁ ହେବ ।

 

ରାତିରେ ଗଭୀର ନିସ୍ତବ୍ଧତା ଭଙ୍ଗ କରି ଗୋଟିଏ କୁକୁର ଭୁକିବାର ଶବ୍ଦ ଶୁଣାଗଲା । ତା’ପରେ ଅନ୍ୟ କୁକୁରମାନେ ମଧ୍ୟ ଭୁକିଲେ । କିଏ ସେଠି ? ଚୋର ଚୋର ବୋଲି କୁଟି କୋଣ୍ଡାନ୍‍ର ପୁଅ ନିଦରୁ ଉଠି ପାଟି କଲା । କେହି ଜଣେ କୂଅ ପାଖରେ ଥିବା ହଳଦିଆ ଫୁଲଗଛ ପାଖରୁ ଚମଡ଼ା ବାଲଟିଟି ଚୋରାଇ ନେଇ ପଳାଇଗଲା ପରି ତା’ର ମନେ ହେଲା ।

 

“ଉଠ, ଉଠ, ଚୋର ଆମ ବାଲଟି ଧରି ପଳାଉଛି” ସେଙ୍ଗେଦାନ ଉଠି ଆଖି ମଳିଲା ଏବଂ ତା’ କକାକୁ ଓ ଅନ୍ୟମାନଙ୍କୁ ଡାକି ଡାକି ଅଜଣା ଲୋକଟି ଯେଉଁ ଦିଗକୁ ପଳାଇଥିଲା ସେଇ ଦିଗକୁ ଧାଇଁଲା । ଠିକ୍ ସେତିକିବେଳକୁ ସବୁ କୁକୁର ଏକାବେଳକେ ଭୁକି ଉଠିଲେ । ଖୁବ୍ ହୋହଲ୍ଲା ହେଲା । ପାଖରେ ଥିବା ଲୋକମାନେ ସମସ୍ତେ ପାଟି କଲେ କ୍ଷେତରେ ଚୋର ପଶିଛି । ଧର, ଧର ତାକୁ ଧର, ପାଖ କୁଡ଼ିଆମାନଙ୍କରେ ଶୋଇଥିବା ଲୋକମାନେ ମଧ୍ୟ ସେ ଜାଗାକୁ ଦୌଡ଼ି ଆସିଲେ-। ଶେଷରେ ଚୋର ଧରା ପଡ଼ିଲା । ସେ ଗୋଟାଏ ସ୍ତ୍ରୀଲୋକ । ସେ ହାତରେ ଗୋଟିଏ ଦୌଡ଼ି ଓ ଗୋଟିଏ ମାଠିଆ ଧରିଥିଲା । ଦୁଇଟାଯାକ ଜିନିଷ ତ ନିଜର । ସେ ଚୋରି କରିବା ଭିତରେ ପାଣି ଚୋରି କରିଥିଲା । ସେ କୂଅ ଭିତରେ ମାଠିଆ ପକାଇ ପାଣି କାଢ଼ୁଥିଲା । ସେମାନେ କହିଲେ–‘କ’ଣ ହେଲା ଗୋଟେ ପରିଆଣୀ ଆମ କୂଅରୁ ପାଣି ଉଠାଉଥିଲା । ତା’ପରେ ପାଟି ଶୁଭିଲା । ତାକୁ ପିଟ, ପିଟ ତାକୁ ଧକାଟେ ମାର, ତାକୁ ମାରି ପକା, ତା’ ମାଠିଆ ଭାଙ୍ଗିଦିଅ ଇତ୍ୟାଦି ଇତ୍ୟାଦି । ଦେଖୁଦେଖୁ ତା’ ମାଠିଆ ଭାଙ୍ଗି ଚୁନା ଚୁନା ହୋଇଗଲା । ସେ ତଳେ ପଡ଼ି ଅଚେତ ହୋଇଯିବା ଯାଏଁ ତା’ ଉପରେ ବିଧା ଗୋଇଠା ବସୁଥିଲା ।

 

ରାକିଆ କୋଣ୍ଡାନ୍ କହିଲା ତାକୁ ଆଉ ମାର ନାହିଁ । ସେ ମରିଗଲାଣି ଆଉ ଜଣେ କହିଲା ଗାତ ଖୋଳି ସେ କୂଭିକୁ ପୋତି ପକା । ଆଉ ଜଣେ କହିଲା ହଁ ଆପଣମାନେ ବହୁ ଅସୁବିଧାରୁ ରକ୍ଷା ପାଇଯିବେ । ସେ ଯେତେବେଳେ ତାକୁ ଗାଡ଼ ଖୋଳି ପୋତି ଦେବା କଥା କହିଲା ଅନ୍ୟ ଲୋକମାନେ ଟିକେ ଚୁପ୍ ପଡ଼ିଗଲେ । ଜଣଙ୍କ ପକ୍ଷରେ ଅନ୍ୟ ଜଣକୁ ସବୁବେଳେ ମାଡ଼ ଦେବାତ ଆଉ ସମ୍ଭବ ନୁହେଁ । ସେମାନେ ଜାଣନ୍ତି ଯେତେବେଳେ ହେଲେ ମାଡ଼ ବନ୍ଦ କରିବାକୁ ହେବ । ଜଣେ ବୁଢ଼ା କହିଲା, ଇଏ କିଏ ? ଭଲ କରି ଦେଖତ । ୟାକୁ କିଏ ଚିହ୍ନିଛ କି ?

 

ଏ ହେଉଛି କାଣ୍ଡି ମରିର ସ୍ତ୍ରୀ, କୁଟୀ କୋଣ୍ଡାନ୍‍ର ବଡ଼ପୁଅ କହିଲା ଆହା ବିଚାରୀ ଭଲଲୋକଟାଏ । ସେ ପୁଣି ଏପରି କାମ କାହିଁକି କଲା ?

 

ସାନ ପୁଅ କହିଲା ଗଲାକାଲି ମୁଁ ପାଣି ନଦେଇ ସମସ୍ତଙ୍କୁ ଫେରାଇ ଦେଇଥିଲି । ସେଥିପାଇଁ ଆଜି ସେ ଏପରି କଲା । ଡେଙ୍ଗା ହୋଇ ଜଣେ ଚାଷୀ ଭୂଇଁରେ ପଡ଼ିଥିବା ସ୍ତ୍ରୀଲୋକଟିକୁ ଚାହିଁ କହିଲା ଏ ମରୁଡ଼ିବେଳେ ଜାତିଧର୍ମ କଥା କିଏ ପଚାରୁଛି ? ସବୁ ଏପଟ ସେପଟ ହୋଇଯାଇଛି । ଭଲମନ୍ଦର ବିଚାର କିଏ କରୁଛି ? ସାମାନ୍ୟ ହଲଚଲ ହେବାର ଦେଖାଗଲା । ସ୍ତ୍ରୀଲୋକଟି ଉଠି ନାହିଁ କିମ୍ବା କଥା କହିନାହିଁ । ଆଉ ଜଣେ କହିଲା ଚାହଁ, ସେ ମୋଟେ ମରି ନାହିଁ । ସେ ଠକାମି କରି ପଡ଼ିଛି । ତାକୁ ଆଉ ଦି’ ଗୋଇଠା ଦିଅ । ବଳେ ଉଠି ଘରକୁ ପଳେଇବ । ଜଣେ ଏ କଥା କହୁ କହୁ ଦୁଇ ଗୋଇଠା ବସାଇଲା । ଅନ୍ୟମାନେ ମଧ୍ୟ ମାରଧର କଲେ । ରାକିଆ କୋଣ୍ଡାନ୍ କହିଲା ତମେମାନେ ଏ କୁତିର ମୁର୍ଦ୍ଦାରକୁ ନେଇ ତାଙ୍କ ସାହିରେ ପକାଇ ଦିଅ । ତା’ର କିଛିଟା ଅଭିଜ୍ଞତା ଥିଲା । ସେ ସେସନ୍‍ସ କୋର୍ଟରେ ମକଦ୍ଦମା ବିଚାର ହେଉଥିବାର ଦେଖିଛି । ହତ୍ୟା ଅଭିଯୋଗରେ କିପରି ହଇରାଣର ସମ୍ମୁଖୀନ ହେବାକୁ ପଡ଼େ ସେ ଜାଣିଥିଲା ।

 

ତା’ ପରାମର୍ଶ ଅନୁସାରେ ଦୁଇ ତିନି ଜଣ ଲୋକ ସ୍ତ୍ରୀଲୋକଟିକୁ ଟେକି ନେଇ ପରିଆମାନଙ୍କ ଘର ଆଡ଼କୁ ଚାଲିଲେ ।

 

–୮–

 

ବାପ ମା’ ଛେଉଣ୍ଡ ଅସହାୟ ପିଲାମାନଙ୍କର ଜୀବନୀ ଯଦି ଲେଖା ଯାଆନ୍ତା ତେବେ ଅନ୍ୟମାନଙ୍କ ଲାଗି ତାହା ଶିକ୍ଷାପ୍ରଦ ହୋଇପାରନ୍ତା । ଆମେମାନେ ପିତା ମାତାଙ୍କୁ ନହରାଇଲେବି ସେମାନଙ୍କର ଅଭିଜ୍ଞତାରୁ ଆମେ କିଛି ଶିଖି ପାରିବା ଏବଂ ଉପକୃତବି ହୋଇପାରିବା । ମୁକୁନ୍ଦନ୍‍ର ଜୀବନରେ ଅନୁରୂପ ଅନୁଭୂତି ହୋଇଥିଲା । ତା’ ମା’ ମରିଗଲା ପରେ ସେ ଏକାନ୍ତ ଅସହାୟ ହୋଇ ଉଠିଥିଲା । ଏଣେତେଣେ ବୁଲିଥିଲା । ତା’ ଜୀବନସଂଗ୍ରାମର କାହାଣୀ ଲେଖି ବସିଲେ ଏକ ମହାଭାରତ ହେବ । ସେ ତା’ର ସେସବୁ ଅନୁଭୂତି ନିଜେ ଲିପିବଦ୍ଧ କରିନାହିଁ । ଯଦି ଅନ୍ୟ କେହି ତାହା ଲେଖିବସେ ତେବେ ତାହା ସେହିପରି ଉପଭୋଗ୍ୟ ହେବନାହିଁ ।

 

ବାପ ମା’ ଛେଉଣ୍ଡ ପିଲାମାନଙ୍କର ଆଉ କିଛି ଲାଭ ହେଉ ନ ହେଉ ସେମାନେ ନିଶ୍ଚିତଭାବେ ଖୁବ୍ ବୁଲାବୁଲି କରନ୍ତି । ଭୂଗୋଳ କ’ଣ ତାହା ନିଜେ ବ୍ୟକ୍ତିଗତ ଅନୁଭୂତିରୁ ଶିଖନ୍ତି । ମୁକୁନ୍ଦନ୍‌ ତା’ ଜୀବନରେ ଭାରତସାରା ଘୂରିଛି । ଅନେକ କଷ୍ଟ ସହିଛି, ସେ ଯାହା ହେଉ ଶେଷରେ ତା’ର ସବୁ ଦୁଃଖ କଷ୍ଟ ଦୂର ହୋଇ ଯାଇଛି । ସେ ଡାକ୍ତରୀ ପରିକ୍ଷାରେ ପାସ୍ କରି ଡାକ୍ତରରୂପେ ନିଯୁକ୍ତି ପାଇଛି । ଗୋଟାଏ ଦୁଇଟା ଡାକ୍ତରଖାନାରେ ଡାକ୍ତରରୂପେ କାମ କରି ଶେଷରେ ନିଜ ଗାଁ ଡାକ୍ତରଖାନାକୁ ଆସିଛି ।

 

କମଳାପୁରମ୍ ଡାକ୍ତରଖାନାରେ କରାଯାଇଥିବା ଖର୍ଚ୍ଚ ଠିକ୍ ଅଛି କି ନାହିଁ ସେ ତନଖି କରି ଦେଖୁଥିଲେ । ସାମନାରେ ଟେବୁଲ ଉପରେ ସେ ସବୁ କାଗଜପତ୍ର ଖେଳେଇ ସାମୟିକ ରିପୋର୍ଟ ତିଆରି କରିବାକୁ ବସିଥିଲେ । ସେତିକିବେଳେ ଚାରି ଜଣ ଲୋକ ଗୋଟିଏ ଖଟିଆ ଧରି ଡାକ୍ତରଖାନା ସୀମା ଭିତରକୁ ଆସିଲେ । ଖଟିଆକୁ ତଳେ ‘ଥୋଇ ମାଷ୍ଟର ସା.....ଆ.....ମି’ ବୋଲି ଡାକିଲେ । ସେମାନେ ଏହିପରି ଉଚ୍ଚାରଣ କରନ୍ତି । ପାଟି ଶୁଣି ସେ ତାଙ୍କ କମ୍ପାଉଣ୍ଡରକୁ କହିଲା ଯା ଦେଖ କ’ଣ ହେଇଛି, ମତେ ଲାଗୁଛି ସେମାନେ ସମସ୍ତେ ପରିଆ । ହୁଏତ ଏହା ହତ୍ୟାକାଣ୍ଡ ।

 

ସ୍ଥାନୀୟ ସ୍କୁଲ୍‍ର ପ୍ରଧାନ ଶିକ୍ଷକ ତାଙ୍କ ପାଖରେ ବସିଥିଲେ, ପ୍ରତିଦିନ ପ୍ରାତଃ ଭ୍ରମଣରେ ସେ ଆସି ଥାଆନ୍ତି । ପ୍ରତିଦିନ ଡାକ୍ତରଙ୍କ ସଙ୍ଗେ ଅଧ ଘଣ୍ଟାଏ ଏଣୁତେଣୁ କଥା ହୋଇ ଫେରନ୍ତି ।

 

ହତ୍ୟାକାଣ୍ଡ ଓ ପୋଷ୍ଟ୍‍ମର୍ଟମ୍ ଗୋଟିଏ ସପ୍ତାହବି ଏ ସ୍ଥାନରେ ବନ୍ଦ ହେଲାନାହିଁ । ଗୋଟାଏ ଭାରି ବାଜେ ଜାଗା । ମୁକୁନ୍ଦନ୍‍ କହିଲା ମୁଁ ଯେଉଁ ସବୁ ଡାକ୍ତରଖାନାରେ କାମ କରିଛି ସେ ସବୁ ସ୍ଥାନ ଏତେ ଖରାପ ନୁହେଁ । ପ୍ରଧାନ ଶିକ୍ଷକ କହିଲେ ଏଠି ସମସ୍ତେ ଅଶିକ୍ଷିତ ଲୋକ । ଏ ଜିଲ୍ଲା ଲୋକମାନେ ସାମାନ୍ୟ ସାମାନ୍ୟ କଥାରେ ପିଟାପିଟି ହୁଅନ୍ତି । ଏଠି କଳିକଜିଆ ସବୁବେଳେ, ମରାମରି ଓ ହତ୍ୟାକାଣ୍ଡରେ ଶେଷ ହେଉଛି । ପ୍ରାଥମିକ ଶିକ୍ଷାଦାନଦ୍ଵାରା ଏ ସବୁ ଦୂର ହୋଇ ପାରିବ । କମ୍ପାଉଣ୍ଡର ଫେରି ଆସି କହିଲା, “କୌଣସି ମଲା ମଣିଷ ନୁହେଁ । ଗୋଟିଏ ସ୍ତ୍ରୀଲୋକ ଉପରେ ଖୁବ୍ ମାଡ଼ ହୋଇଛି । ତାକୁ ଖଟିଆରେ ପକାଇ ସେମାନେ ଆଣିଛନ୍ତି ।”

 

ପ୍ରଧାନ ଶିକ୍ଷକ ପଚାରିଲେ ତା’ ବୟସ କେତେ ହେବ ? ତାଙ୍କ ପ୍ରଶ୍ନକୁ ଅପେକ୍ଷା ନକରି ମୁକୁନ୍ଦନ୍‍ କହିଲା ସେମାନଙ୍କୁ କହ ସ୍ତ୍ରୀଲୋକଟିକୁ ଭିତରକୁ ଆଣି ଟେବୁଲ ଉପରେ ଶୁଆଇବେ । କୌଣସି ଗୁପ୍ତପ୍ରଣୟର ଏହା ଦୁଃଖପୂର୍ଣ୍ଣ ପରିଣତି ବୋଲି ପ୍ରାଧାନ ଶିକ୍ଷକ ମତ ଦେଇ, ଯିବାପାଇଁ ଠିଆ ହେଲେ ।

 

–ଅସମ୍ଭବ ନୁହେଁ କହି ରୋଗୀକୁ ଦେଖିବାପାଇଁ ମୁକୁନ୍ଦନ୍‍ ଟେବୁଲ ପାଖକୁ ଚାଲିଲା । ଯେଉଁମାନେ ତାକୁ ବୋହି ଆଣିଥିଲେ ସେମାନେ ଧୀରେ ଧୀରେ ତାକୁ ଖଟ ଉପରୁ ଉଠାଇ ନେଇ ଟେବୁଲ ଉପରେ ଶୁଆଇ ଦେଲେ । ମୁକୁନ୍ଦନ୍‍ କ୍ଷତ ସ୍ଥାନ ପରୀକ୍ଷା କରି କହିଲା ଭୟଙ୍କର ମାଡ଼ ହୋଇଛି । ତା’ପରେ ଦେଖିଲା ସ୍ତ୍ରୀଲୋକଟିର ହାତର ଦୁଇଟି ହାଡ଼ ଭାଙ୍ଗି ଯାଇଛି । ଅନ୍ୟାନ୍ୟ ଆଘାତଗୁଡ଼ିକ ମାମୁଲି ।

 

ସ୍ତ୍ରୀଲୋକଟିକୁ ଧରି ଡାକ୍ତରଖାନା ଆସିଥିବା ଲୋକମାନଙ୍କ ମଧ୍ୟରୁ ମରି ଅନ୍ୟତମ । ସେ ପଚାରିଲା–“ଆଜ୍ଞା ଏ ବଞ୍ଚିବଟି ?”

 

ମୁକୁନ୍ଦନ୍‍ ପଚାରିଲା–“ସେ ତୁମର କ’ଣ ହେବ ?”

 

ସେ ମୋ ସ୍ତ୍ରୀ, ତା’ ଆଖି ଛଳଛଳ ହୋଇ ଉଠିଲା । ସେ ବଞ୍ଚିବ କି ନାହିଁ ବୋଲି ସେ ଆଉଥରେ ପଚାରିଲା ।

 

ମୁକୁନ୍ଦନ୍‍ କହିଲା–“ସେ ନିଶ୍ଚୟ ଭଲ ହୋଇଯିବ । ତୁମେ ବ୍ୟସ୍ତ ହୁଅ ନାହିଁ । ତାକୁ ଏଠାରେ ମାସେ ପର୍ଯ୍ୟନ୍ତ ରହିବାକୁ ପଡ଼ିବ ।”

 

ଏ କଥା ଶୁଣି ମରି କାନ୍ଦି କାନ୍ଦି କହିଲା–“ଆଜ୍ଞା, ମୁଁ ଗରିବ ଲୋକ କେଉଁଠୁଁ ତାକୁ ଖାଇବାକୁ ଆଣି ଦେବି ?”

 

ମୁକୁନ୍ଦନ୍‌ କହିଲା–“ଆରେ ବୋକା ! ବ୍ୟସ୍ତ ହୁଅ ନାହିଁ । ଏଠି ଡାକ୍ତରଖାନାରେ ଆମେ ଖାଇବାକୁ ଦେବୁ ଓ ତା’ର ଦେଖାଶୁଣା କରିବୁ । ସେହି ଲୋକମାନଙ୍କ ଭିତରୁ ଜଣେ କହିଲା–“ମରି ତୁ ଚିହ୍ନି ପାରୁନାହୁଁ କି ? ଇଏ ପରା ଆମ ବୁଢ଼ା ମାଲିକଙ୍କ ପୁଅ ।”

 

“ସେ ନିମଗଛ ମୂଳ ଘରେ ରହୁଥିଲେ । ସେ ଆମକୁ ନିଶ୍ଚୟ ସାହାଯ୍ୟ କରିବେ । ସେ ତାକୁ ଭଲ କରି ଦେବେ । ତୋ ଖାଇବା ପିଇବା କଥାବି ବୁଝିବେ । ତୁ କାନ୍ଦୁଛୁ କାହିଁକି ?”

 

ସମସ୍ତେ ଏକ ସ୍ଵରରେ କହିଲେ–“ବାବୁ ଆମକୁ ସାହାଯ୍ୟ କରିବେ !” ହଁ ହଁ ମୁଁ ସବୁ କରିବି କହି ସେ ସ୍ତ୍ରୀଲୋକଟିର ଭାଙ୍ଗି ଯାଇଥିବା ହାତ ପରୀକ୍ଷା କରିବାକୁ ଲାଗିଲା ।

 

ନମସ୍କାର ଜଣାଇ ପ୍ରଧାନ ଶିକ୍ଷକ କହିଲେ–“ଡାକ୍ତରବାବୁ ମୁଁ ଯାଉଛି ।”

 

–“ହଉ ଯାଆନ୍ତୁ ନମସ୍କାର” କହି ସେ ମରି ଆଡ଼କୁ ଚାହିଁ ପଚାରିଲେ “କଳିଗୋଳ କାହିଁକି ହେଲା ? ସେ ଏପରି ଖଣ୍ଡିଆଖାବରା କିପରି ହେଲା ? ଭାଇ, କ’ଣ କେମିତି ଏ ସବୁ ଗୋଳମାଳ ହେଲା କହିଲୁ ।”

 

ଯାହା ସବୁ ଘଟିଥିଲା ସେମାନେ ଏକା ସମୟରେ ଡାକ୍ତରଙ୍କୁ କହିବାକୁ ଲାଗିଲେ । ସେମାନେ ସମସ୍ତେ ଏକା ସମୟରେ କହିବାରୁ ପ୍ରକୃତ ଘଟଣାଟା କ’ଣ ବୁଝିବା ମୁକୁନ୍ଦନ୍ ପକ୍ଷରେ କଷ୍ଟକର ହେଇ ପଡ଼ିଲା ।

 

–୯–

 

ଡାକ୍ତର ମୁକୁନ୍ଦନ୍‍ ପଚାରିଲେ–“ମୁଟୁ ପଲାଇ ଏଠି ତମେ ଫୁଲ ଆଣି ରଖିଛ କି ?”

 

କମ୍ପାଉଣ୍ଡର କହିଲେ–“ନା ଆଜ୍ଞା ଏଠିକି ଫୁଲ କେଉଁଠୁଁ ଆସିବ ? ସବୁ ଗଛତ ମରିଗଲା ।”

 

ମୁକୁନ୍ଦନ୍‍ ମନକୁ ମନ କହିଲା–“ବଡ଼ ବିଚିତ୍ର କଥା ମୁଁ ଯେତେବେଳେ ସେ ସ୍ତ୍ରୀଲୋକଟି ପାଖକୁ ଯାଉଛି ସେତେବେଳେ ଜୁଇଫୁଲର ବାସ୍ନା ହେଉଛି । ଏହି ଫୁଲକୁ ମୋ ମା’ ଭାରି ଭଲ ପାଉଥିଲା । ସେ ବରାବର ଏ ଫୁଲ ତୋଳି ଆଣୁଥିଲା । ସେ ତାଙ୍କ ମା’ଙ୍କ କଥା ଭାବି ଭାବି ପୁବାୟୀର ଘା’ରେ ଆସ୍ତେ ଆସ୍ତେ ଔଷଧ ଲଗାଇ ଦେଲେ । ତା’ପରେ ଭଙ୍ଗା ହାଡ଼ପାଇଁ କାଠ ପଟି ଲଗାଇ ବ୍ୟାଣ୍ଡେଜ୍ କରି ଦେଲେ ।

 

ସେ ସ୍ତ୍ରୀଲୋକଟିକୁ ପଚାରିଲେ “କିପରି ଲାଗୁଛି ?”

 

ସେ ନିଃଶ୍ଵାସ ମାରି କହିଲା । କଷ୍ଟ ଟିକିଏ କମିଛି । ଭଗବାନ ତୁମର ମଙ୍ଗଳ କରନ୍ତୁ । ତୁମକୁ ସୁଖରେ ରଖନ୍ତୁ ।

 

ମା’ ତା’ ପିଲାକୁ ଗେଲ କଲାବେଳେ ଯେମିତି ଦିଶେ ସେ ସ୍ତ୍ରୀଲୋକଟି “ଏଇ କଥା କହିବାବେଳେ” ବାତ୍ସଲ୍ୟ ମମତାରେ ତା’ର ହସ ଓ ଚାହାଣି ଠିକ୍ ସେହିପରି ଦିଶୁଥିଲା । ଏହା ଦେଖି ମୁକୁନ୍ଦନ୍‍ର ତା’ ମା’ଙ୍କ କଥା ଅଧିକରୁ ଅଧିକ ମନେ ପଡ଼ିଲା ।

 

ଯେତେବେଳେ ମୁଁ ଏ ସ୍ତ୍ରୀଲୋକ ପାଖକୁ ଯାଉଛି ମୋ ମା’ କଥା କାହିଁକି ମୋର ମନେ ପଡ଼ି ଯାଉଛି । କାରଣ କ’ଣ ମୁଁ କିଛି ବୁଝି ପାରୁନାହିଁ ବୋଲି ମନକୁ ମନ କହି ଡାକ୍ତର ହାତ ଧୋଇବାକୁ ଗଲେ । ତା’ପରେ ସେ ଯେତେବେଳେ ରୋଗୀ ପାଖକୁ ଯାଆନ୍ତି ଜୁଇଫୁଲର ବାସ୍ନାରେ ସେ ସ୍ଥାନ ମହକି ଉଠିଲା ପରି ତାଙ୍କୁ ମନେ ହୁଏ ।

 

ସ୍ୱାମୀଙ୍କର ମୃତ୍ୟୁ ପରେ ତାଙ୍କ ମା’ ଯଦିଓ ନିଜେ ଜୁଇଫୁଲ ବ୍ୟବହାର କରୁ ନଥିଲେ ଠାକୁରଙ୍କ ପୂଜାପାଇଁ କିନ୍ତୁ ପ୍ରତିଦିନ ଜୁଇଫୁଲ ସଂଗ୍ରହ କରି ଆଣୁଥିଲେ । ସେ ଫୁଲର ବାସ୍ନାରେ ତାଙ୍କ ଘରସାରା ମହକି ଉଠୁଥିଲା । ମୁକୁନ୍ଦନ୍‍ ଠିକ୍ ସେହି ବାସ୍ନା ଆଉଥରେ ଅନୁଭବ କଲା ।

 

ଅନେକ ସମୟରେ ପିଲାଦିନେ କେବେ କୌଣସି ଗୀତ ଶୁଣିଥିଲେ ଅବା କୌଣସି ନିର୍ଦ୍ଦିଷ୍ଟ ସୁଗନ୍ଧଯୁକ୍ତ ବସ୍ତୁର ମହକ କିମ୍ବା ତା’ ସହିତ ସଂପୃକ୍ତ ବିଭିନ୍ନ ଘଟଣା ମନକୁ ଆସିଯାଇଥାଏ । ଅନୁରୂପ ଅନୁଭୂତି ଅନେକଙ୍କର ରହିଛି । ଅନେକ ସମୟରେ ସେହି ସ୍ଵର ଓ ସେ ସୁଗନ୍ଧ ମନକୁ ଅଚାନକ ଆସିଯାଏ । କିନ୍ତୁ କେଉଁଠି କେଉଁ ପରିସ୍ଥିତିରେ ତାହା ଘଟିଥିଲା ତାହା ମନେ ପଡ଼େ ନାହିଁ-। ଅନେକ ଏହାକୁ ପୂର୍ବଜନ୍ମର ସ୍ମୃତି ବୋଲି କହି ଥାଆନ୍ତି । ବେଲମପଟିରେ ନିଜ ଘରେ ମା’ ସହିତ କଟାଇଥିବା ସୁଖ ଦିନମାନଙ୍କର ସ୍ମୃତି ହଠାତ୍ ସେ ଦିନ ତା’ ମନରେ ଉଦ୍ଭାସିତ ହୋଇ ଉଠିଲା-

 

କି ବିଚିତ୍ର କଥା । ଏ ବାସ୍ନା ମୋତେ ଛାଡ଼ିବ ନାହିଁ, ଲୋକେ କୁହନ୍ତି ମଲା ମଣିଷ ପୁଣି ଜନ୍ମ ହୁଏ । ମୋ ମା’ ଏ ସ୍ତ୍ରୀଲୋକରୂପେ ପୁଣି ଜନ୍ମ ନହୋଇଛି ବୋଲି କିଏ କହିବ ? ମନରେ ଏ କଥା ଭାବି ସେ ପୁଣି ରୋଗୀର ଖଟ ଆଡ଼କୁ ଗଲେ । ରୋଗୀଟି ତାଙ୍କୁ ଆଖି ଖୋଲି ଚାହିଁଲା । ସେ ଚାହାଣି ଡାକ୍ତରଙ୍କୁ ତାଙ୍କ ମା’ଙ୍କ କଥା ପୁନର୍ବାର ସ୍ମରଣ କରାଇ ଦେଲା । ପୁଣି ସେ ସେହି ଜୁଇଫୁଲର ବାସ୍ନାରେ ବୁଡ଼ିଗଲା ପରି ତାଙ୍କୁ ମନେହେଲା ।

 

–୧୦–

 

ମୁକୁନ୍ଦନ୍‍ ବିଛଣାରେ ପଡ଼ିବା ସଙ୍ଗେ ସଙ୍ଗେ ତାକୁ ନିଦ ହୋଇଯାଏ । ସେ ଘୂରି ବୁଲୁଥିଲାବେଳେ ଉତ୍ତର ଭାରତର କୌଣସି ଯୋଗୀଙ୍କଠାରୁ ଏହି ଅଭ୍ୟାସ ଶିକ୍ଷା କରିଥିଲେ । ବିଛଣାରେ ପଡ଼ି ଏଣୁତେଣୁ ଭାବିବାର ଅନୁଭୂତି ସମସ୍ତଙ୍କର ଅଛି । କିନ୍ତୁ ମୁକୁନ୍ଦନ୍‍ ଏପରି ଚିନ୍ତା ନକରି ବିଛଣାରେ ପଡ଼ିଗଲାମାତ୍ରେ ଶୋଇଯିବା ଲାଗି ଅଭ୍ୟାସ କରିଛି କିନ୍ତୁ ତା’ର ସେ ସାଧନା ଆଜି କାମ ଦେଲାନାହିଁ । ସେ ଚେଷ୍ଟା କରି ମଧ୍ୟ ଶୋଇ ପାରିଲା ନାହିଁ । କିଛି ସମୟ ବିଛଣାରେ ଗଡ଼ପଡ଼ ହୋଇ ନିଦ ନହେବାରୁ ସେ ଉଠି ଆଲୁଅ ଜାଳି ଭଗବଦ୍‍ଗୀତା ପଢ଼ିବାକୁ ଲାଗିଲା । ଏ ବହି ତାକୁ ତାଙ୍କର ଜଣେ ବନ୍ଧୁ ଉପହାର ଦେଇଥିଲା । ଗୀତାର ଦ୍ୱିତୀୟ ଅଧ୍ୟାୟର ଦ୍ଵାବିଂଶ ଶ୍ଳୋକ ଉପରେ ତା’ର ଦୃଷ୍ଟି ପଡ଼ିଲା ।

 

ସେ ତାଙ୍କ ମା’ କଥା ଚିନ୍ତା କଲେ । ହଁ ମଲା ମଣିଷର ଆତ୍ମା କି ପ୍ରକାରର ଶରୀରରେ ପ୍ରବେଶ କରେ ? ଆତ୍ମା କ’ଣ ଆପଣା ଇଚ୍ଛା ଅନୁସାରେ ଯେକୌଣସି ଶରୀରରେ ପ୍ରବେଶ କରିପାରେ ? ନା ତାହା ସମ୍ଭବ ନୁହେଁ । ତା’ର ସେ ପୂର୍ବଜନ୍ମର କର୍ମଫଳ ଉପରେ ସବୁ ନିର୍ଭର କରେ । ଆମେ ସବୁବେଳେ କୌଣସି ମଣିଷ କିମ୍ବା ପଶୁକୁ କଷ୍ଟ ଭୋଗିବାର ଦେଖୁ । ଆମ ବାପ, ମା’ ଭାଇ ଅବା ସାଙ୍ଗସାଥୀ ଯେଉଁମାନେ ଆମକୁ ଦୁଃଖ ସାଗରରେ ଭସାଇ ଦେଇ ଚାଲିଗଲେ ସେମାନେ ହୁଏତ ସେଇ ଶରୀରରେ ପ୍ରବେଶ କରିଥିବେ । ତେଣୁ ମଣିଷ ହେଉ ଅବା ପଶୁ ହେଉ ଯେ ବିପଦରେ ପଡ଼ିଛି ଆମେ ତା’ ପ୍ରତି ସଦୟ ହେବା ଉଚିତ । ତାକୁ ସାହାଯ୍ୟ କରିବା ଉଚିତ । ତା’ର ଦୁଃଖ ମୋଚନ କରିବା ଉଚିତ । ଯେଉଁ ଲୋକମାନେ ସୁଖୀ ଜୀବନଯାପନ କରୁଛନ୍ତି ଆମେ ସେମାନଙ୍କୁ ଈର୍ଷା କରୁ । ମାତ୍ର ଏପରି ଈର୍ଷା କରିବା ଠିକ୍ ନୁହେଁ । ଏହା ନିର୍ବୋଧତା । ଆମର କେହି ପ୍ରିୟଜନ ଯିଏକି ଅସମୟରେ ମରି ଯାଇଛି, ତା’ର ପୂର୍ବଜନ୍ମର ପ୍ରକୃତିରୁ ସେ ପୁଣି ମଣିଷ ଦେହ ଧରି ଜନ୍ମ ହୋଇଛି, ଯେ କି କ୍ଷମତା ଓ ସମ୍ପଦର ଉପଭୋଗ କରୁଛି । ତେଣୁ ସେମାନଙ୍କୁ ଈର୍ଷା କରିବାରେ ମଧ୍ୟ କୌଣସି ଯଥାର୍ଥତା ନାହିଁ ।

 

ମୁକୁନ୍ଦନ୍‍ ଏହି ପଦ୍ୟାଂଶକୁ ପୂର୍ବରୁ ଅନେକ ବାର ପାଠ କରିଥିଲା । ଆମେ ପଢ଼ିଥିବା କବିତା କିମ୍ବା ସଙ୍ଗୀତ ଯାହା ପଢ଼ି ପ୍ରଥମେ ବୁଝିହୁଏ ନାହିଁ କିନ୍ତୁ ପରେ ବେଳେବେଳେ ହଠାତ୍ ତା’ର ଅର୍ଥ ଆମ ସମ୍ମୁଖରେ ସ୍ପଷ୍ଟ ହୋଇ ଉଠେ । ସେ ଦିନ ଗୀତାର ଏହି ପଦ୍ୟାଂଶ ମୁକୁନ୍ଦନ୍‍ ପାଇଁ ସ୍ପଷ୍ଟ ହୋଇ ଉଠିଲା ।

 

ବୟସ ହେଲେ କିମ୍ବା ରୋଗ ହେତୁ ଏ ଦେହ ନଷ୍ଟ ହୋଇଯାଇଥାଏ । କିନ୍ତୁ ଆତ୍ମାକୁ ବୟସ ଅବା ରୋଗ ଦେହପରି ନଷ୍ଟ କରିପାରି ନଥାନ୍ତି । ମୋର ମା’ର ଦେହ ନଷ୍ଟ ହୋଇ ଯାଇଥିଲେହେଁ ତା’ ଆତ୍ମା କାହାର ଶରୀରରେ ନିଶ୍ଚୟ ପୂର୍ନଜନ୍ମଗ୍ରହଣ କରିଥିବ ବୋଲି ସେ ଭାବିଲା ଏବଂ ପୁଣି ପଢ଼ିବାରେ ଲାଗିଲା ।

 

–୧୧–

 

ରୋଷଘରୁ ମା’ ଡାକିଲେ “ଏ ପୁଅ, ମୁକୁନ୍ଦ ଆ ଖାଇବୁ ।” ଏ ଯେ ତା’ର ମା’ର ସ୍ଵର । ଏଥିରେ ଟିକିଏ ହେଲେ ସନ୍ଦେହ କରିବାର କିଛି ନଥିଲା । “ବଡ଼ ବିଚିତ୍ର । ମୁଁ କିପରି ବରାବର ଭାବି ଚାଲିଛି ଯେ ମୋ ମା’ ମରି ଯାଇଛି । ଏଟା ତ ତା’ର ନିଜ କଣ୍ଠ ସ୍ଵର । ତେବେ ମୁଁ ଏଣେତେଣେ ଯେଉଁ ଘୂରି ବୁଲୁଥିଲି ଓ ଯେଉଁ ସବୁ କଷ୍ଟ ବରଣ କରିଥିଲି ତାହା ଅନ୍ୟ କିଛି ନୁହେଁ, କେବଳ ସ୍ଵପ୍ନ ! ମୋ ମା’ ମରିନାହିଁ । ସେ ବଞ୍ଚିଛି । ବର୍ତ୍ତମାନ ସ୍କୁଲ୍ ଯିବା ସମୟ । ମୁଁ ଆଉ କେବେ ମଇଳା ପାଣି ପିଇବି ନାହିଁ । ମୋତେ ପଛେ ହଇଜା ହେଉ, ମୋ ପାଖକୁ ମା’କୁ ଆସିବାକୁ ମନା କରିବି । ତାକୁ ଯେପରି ରୋଗ ନ ଧରେ ମୁଁ ଦୃଷ୍ଟିଦେବି । ଆଃ ମୋର କି ଆନନ୍ଦ । ମୋ ମା’ ବଞ୍ଚିଛି ଓ ଭଲ ଅଛି । ମା’ ମା’ ତୁ ଏଠିକି ଆ ।”

 

ସେ ଗୋଟିଏ ମାଠିଆ ଧରି ତରତର ହୋଇ କୁଆଡ଼େ ଯାଉଥିଲେ । ତା’ ସାଙ୍ଗରେ ଯିବାକୁ ମତେ ସେ ଇଙ୍ଗିତ ଦେଲାପରି ମନେହେଲା । ମା’ ଠିଆ ହଅ । ତୁ ଧାଉଁଛୁ କାହିଁକି ? ଚାହାଁ, ସେ ସାଇ ଭିତରକୁ ଯାଉଛି । ସେମାନେ ସମସ୍ତେ ତାକୁ ଘେରି ମାଡ଼ ଦେଉଛନ୍ତି । “ତୁ କ’ଣ ସାଇ ଭିତରକୁ ଆସିଛୁ । ଗୋଟିଏ ବ୍ରାହ୍ମଣୀର ଏହା ଭିତରକୁ ଆସିବାର ଉଦ୍ଦେଶ୍ୟ କ’ଣ କହି ପଶୁଙ୍କ ପରି ସମସ୍ତେ ତା’ ଉପରକୁ ମାଡ଼ି ଆସି ମାଡ଼ ମାରି ତା’ ହାତ ଭାଙ୍ଗି ଦେଉଛନ୍ତି । ସେମାନେ ତାକୁ ଖଟିଆରେ ଶୁଆଇ ଡାକ୍ତରଖାନାକୁ ବୋହି ଆଣୁଛନ୍ତି । ଆହା ହତଭାଗିନୀ ମା’ ମୋର । ହଇଜାରେ ଆକ୍ରାନ୍ତ ହୋଇ ପଡ଼ିଛି । ଦେହରେ ତା’ର ଅସମ୍ଭବ ଯନ୍ତ୍ରଣା ହେଉଛି । ତା’ ହାତଗୋଡ଼ ଖିଲ ମାରି ଯାଉଛି । ପେଟରେ ଅସମ୍ଭବ ଯନ୍ତ୍ରଣା ଭୋଗୁଛି । ସେ ଆଉ ଜୀବନରେ ନାହିଁ” କହି ମୋ ମା’କୁ ସେମାନେ ବୋହି ଆଣୁଛନ୍ତି । ମୁଁ ଉଠି ଯାଇ ସେମାନଙ୍କୁ ମନା କରି ପାରୁନାହିଁ ।

 

ସେ କ’ଣ ସତରେ ମରି ଯାଇଛି ? ଆଉ ଜୀବନରେ ନାହିଁ ? ମୁଁ ଏବେ କ’ଣ କରିବି ?

 

ସ୍ୱପ୍ନ ଦେଖି ସେ ଚମକି ଉଠିଲା । ସେ ଚୌକିରେ ଶୋଇ ପଡ଼ିଥିଲା । ହାତରେ ଧରି ପଢ଼ୁଥିବା ଭଗବଦ୍‍ଗୀତା ତଳେ ଖସି ପଡ଼ିଥିଲା । ସେ ଏବେ କମଳାପୁରମ୍‌ ଡାକ୍ତରଖାନାରେ । ବାକି ସବୁ ସ୍ଵପ୍ନ, ସେ ଚୌକିରୁ ଉଠି ଯାଇ ବିଛଣାରେ ଶୋଇଲା । ଖୁବ୍‌ ଶୀଘ୍ର ତାକୁ ଗାଢ଼ ନିଦ ହୋଇଗଲା ।

 

–୧୨–

 

ଖୁବ୍‌ ଯତ୍ନ ସହକାରେ ମୁକୁନ୍ଦନ୍‍ ତା’ ଘାଗୁଡ଼ିକ ଡ୍ରେସିଙ୍ଗ୍ କଲା । ସେ ସବୁ ଭଲ ହେବାକୁ ଓ ହାଡ଼ ଯୋଡ଼ି ହେବାକୁ ମାସାଧିକ ସମୟ ଲାଗିଲା । ମୁକୁନ୍ଦନ୍‍ ମରିକୁ କହିଲା–“ଭାଇ ମୁଁ ତୁମକୁ ଗୋଟିଏ କଥା କହିବି, ତୁମେ ସେଥିରେ ରାଜି ହେବତ ?”

 

ମରି କହିଲା–“କି କଥା ପ୍ରଥମେ କହନ୍ତୁ ।”

 

“ମୁଁ ଯେତେବେଳେ ଛୋଟପିଲାଟିଏ ହୋଇଥିଲି ତମେ ମୋତେ ମାଙ୍କଡ଼ ହାତରୁ ରକ୍ଷା କରିଥିଲ ଓ ତା’ର ବଦଳରେ ମୋ ମା’ ତୁମକୁ ମାଡ଼ ମାରି ଘରୁ ବାହାର କରି ଦେଇଥିଲା । ନୁହେଁ-?”

 

“ଓଃ, ସେତ ଅନେକ ଦିନ ତଳର କଥା । କିନ୍ତୁ ଏବେ ତମେ ମୋ ସ୍ତ୍ରୀକୁ ବଞ୍ଚାଇ ମୋ ଜୀବନକୁ ସରସ କରିଛ ।”

 

ମରି, “ତୁମେ ଜାଣ, ପୂର୍ବ ଜୀବନରେ କର୍ମ ଫଳ ଭୋଗ କରିବାକୁ ମଣିଷ ପୁନର୍ବାର ଜନ୍ମଗ୍ରହଣ କରିଥାଏ ।”

 

“ହଁ ସେମାନେ ସେ କଥା କହନ୍ତି । ଭଗବାନ ସବୁ ଦେଖି ପାରନ୍ତି । ସେ କାହାକୁ ତା’ର ଦୋଷପାଇଁ ଶାସ୍ତି ନ ଦେଇ ଛାଡ଼ନ୍ତି ନାହିଁ । ତାଙ୍କ ଉପରେ ଆଉ କେହି ବଡ଼ ନାହିଁ ।”

 

ମୁକୁନ୍ଦନ୍‍ କହିଲା–“ମୋ ମା’ ତୁମ ପ୍ରତି ଖୁବ୍ ଅନ୍ୟାୟ କରିଥିଲା । ମୁଁ ଭାବୁଛି ସେ ପୁଣି ଜନ୍ମ ହୋଇ ତା’ର ପାପ ଫଳ ଭୋଗୁଛି । ମୁଁ ତା’ପାଇଁ ପ୍ରାୟଶ୍ଚିତ୍ତ କରିବାକୁ ଚାହେଁ ।”

 

ମରି କହିଲା–ଆଜ୍ଞା’, ଆପଣ କ’ଣ ସବୁ କହୁଛନ୍ତି ମୁଁ କିଛି ବୁଝିପାରୁ ନାହିଁ ।

 

ମୁକୁନ୍ଦନ୍‍ କହିଲା ବର୍ତ୍ତମାନ ଭୟଙ୍କର ମରୁଡ଼ି ପଡ଼ିଛି । ତୁମେମାନେ ବହୁତ କଷ୍ଟ ଭୋଗୁଛ । ତୁମେ ଓ ତୁମ ସ୍ତ୍ରୀ ମୋ ଘରେ ରହିଯାଅ । ମୋର ନିଜର କେହି ନାହିଁ । ତୁମେ ଓ ପୁବାୟୀ ମୋ ଭାଇ ଓ ଭଉଣୀ ପରି ମୋ ପାଖରେ ରହ ।

 

ଏହା ଯେ କିପରି ହୋଇପାରେ ମରି ମୋଟେ ବୁଝିପାରିଲା ନାହିଁ । ସେ କହିଲା–ବାବୁ ଏକଥା କେବେ ହୋଇ ପାରିବ ନାହିଁ ।

 

ମୁକୁନ୍ଦନ୍‍ କହିଲା ବୁଝିଲ ମରି ତୁମମାନଙ୍କୁ ଏପରି ଦୟନୀୟ ଜୀବନଯାପନ କରିବାର ଦେଖିବାଟା ମଧ୍ୟ ପାପ । ସେଥିପାଇଁ ଏହିପରି ପ୍ରାୟଶ୍ଚିତ୍ତ ମୁଁ କରିବାକୁ ଚାହୁଁଛି । ତୁମେ ମନା କରନାହିଁ ।

 

ଯନ୍ତ୍ର ଚାଳିତ ପରି ସେ କେବଳ କହିଲା–ବାବୁ..... ।

 

“ମୁଁ ତୁମକୁ କହିଛି ମଣିଷ ମରି ପୁଣି ଜନ୍ମ ହୁଏ । ମୁଁ ତମ ସ୍ତ୍ରୀକୁ ଦେଖିଲାବେଳୁ ମୋର କାହିଁକି କେଜାଣି ମନେ ହେଉଛି ସେ ମୋର ମା’ ।’’

 

ବାବୁ ଆପଣ କ’ଣ କହୁଛନ୍ତି ମୁଁ ମୋଟେ ବୁଝି ପାରୁନାହିଁ ।

 

‘ଭାଇ ତୁମେ କିଛି ବୁଝି ନପାରିଲେ ମଧ୍ୟ ସେଥିରେ କିଛି ଯାଏଁ ଆସେ ନାହିଁ କିନ୍ତୁ ତୁମକୁ ମୁଁ ଯାହା କହୁଛି ତୁମେ ନାହିଁ କରନାହିଁ । ତୁମେ ଦୁହେଁ ନିଶ୍ଚୟ ମୋ ପାଖରେ ରହ ।

 

ମୋ ମା’ ଏ ପ୍ରସ୍ତାବରେ ରାଜି ହେବେ ନାହିଁ ।’

 

ମୁକୁନ୍ଦନ୍‍ କହିଲା ତାକୁ ମୁଁ ବୁଝାଇ ଦେବି ।

 

ମରି କହିଲା ସେ ରାଜି ହୋଇଗଲେ ଆଉ କୌଣସି ଅସୁବିଧା ହେବନାହିଁ । ମୁକୁନ୍ଦନ୍‍ କୁପାୟୀକୁ କୌଣସିମତେ ପଟାପଟି କରିଦେଲା । ତା’ପରଠୁ ସ୍ଥାନୀୟ ଲୋକେ ମୁକୁନ୍ଦନ୍‍ ପରିଆ ହୋଇଗଲା ବୋଲି ବୁଝିଲେ ।

 

କିନ୍ତୁ ତା’ ମନରେ ଶାନ୍ତି ଆସିଥିଲା ।

Image

 

ସାବେସାନ୍‌ କଫି

 

ଏକ ସମୟରେ ସାରା ଦେଶରେ ସାବେସାନ୍‌ କଫିର ଭାରି ନାଁ ଥିଲା । ଏପରିକି ଗୋରା ଲୋକମାନେ ମଧ୍ୟ ଏ କଫି ପ୍ରତି ଆକୃଷ୍ଟ ହୋଇଥିଲେ । ତେଣୁ ଆମ ନିଜ ଦେଶ ଲୋକଙ୍କ ଭିତରେ ଏହା କେତେ ଅଧିକ ଆଦୃତ ହେଉଥିଲା ତାହା ବର୍ଣ୍ଣନା କରିବା ପ୍ରୟୋଜନ ନାହିଁ । ମାନ୍ଦ୍ରାଜର ସମ୍ଭ୍ରାନ୍ତ ପରିବାରର ସ୍ତ୍ରୀଲୋକମାନେ କହୁଥିଲେ ଯେଡ଼େ ଭଲ ମଞ୍ଜି ହେଉ, ଯେତେ ସାବଧାନ ହୋଇ ଭାଜ ଘରେ କରା ହେଉଥିବା କଫି ଗୁଣ୍ଡ ସାବେସାନ୍‍ ଟିଣ କଫି ପାସଙ୍ଗରେ ପଡ଼ିବ ନାହିଁ ।

 

୧୯୨୫ ମସିହାରେ ସାବେସାନ୍‌ ତା’ର କଫି ବ୍ୟବସାୟ ଆରମ୍ଭ କରିଥିଲା ଦୁଇବର୍ଷ ପର୍ଯ୍ୟନ୍ତ ସେ ବିଭିନ୍ନ ଅଭାବ ଅସୁବିଧା ଭିତର ଦେଇ ଗତି କରିଥିଲା । ତା’ପରେ ସୁବୁକୁଟି ୧୯୨୮ରେ ସାବେସାନ୍‌ର କିରାଣିଭାବେ ଯୋଗ ଦେଇଥିଲା । ତା’ପରଠୁ ତା’ର ଭାଗ୍ୟ ବଦଳି ଯାଇଥିଲା । ଛଅମାସ ମଧ୍ୟରେ ତା’ ବ୍ୟବସାୟ ତିନି ଗୁଣ ବଢ଼ି ଯାଇଥିଲା । ତା’ପରେ ବ୍ୟବସାୟରେ ଯେପରି ଉନ୍ନତି ହେବାକୁ ଲାଗିଲା ସେଥିରେ ସାବେସାନ୍‍ ନିଜେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲା । ସେ ଭାବିଲା ସୁବୁକୁଟି ସତେ ଯେପରି ଲକ୍ଷ୍ମୀକୁ ସଙ୍ଗରେ ଧରି ଆସିଥିଲା । ତେଣୁ ସେ ତାକୁ ଖୁବ୍ ଆଦର କରୁଥିଲା । ସୁବୁକୁଟି କିଛି କହୁ ନକହୁ ସେ ତାକୁ ସବୁ ପ୍ରକାର ସାହାଯ୍ୟ କରୁଥିଲା । ଗୋଟିଏ ଭଦ୍ର ଧନୀ ପରିବାରରେ ସେ ସୁବୁକୁଟିର ଭଉଣୀକୁ ବିବାହ କରାଇ ଦେଇଥିଲା । ବାହାଘରର ସମସ୍ତ ଖର୍ଚ୍ଚ ସେ ନିଜେ ବହନ କରିଥିଲା । ସେ ସର୍ବଦା ସୁବୁକୁଟିକୁ ବ୍ୟବସାୟରେ ଜଣେ ଅଂଶୀଦାରରୂପେ ଦେଖୁଥିଲା । କେବେ କିରାଣି ବୋଲି ଭାବୁ ନଥିଲା ।

 

ସ୍ୱତନ୍ତ୍ର ଉପାୟରେ କଫି କିପରି ଗୁଣ୍ଡ କରିବାକୁ ହେବ ସୁବୁକୁଟିର ମା’ ତାକୁ ଶିଖାଇ ଦେଇଥିଲା । ତିଆରି କଫିର ଏକ ବିଶେଷ ଧରଣର ବାସ୍ନା ଥିଲା । ସୁବୁକୁଟି କିରାଣିଭାବେ ଯୋଗ ଦେବା ପରେ ସାବେସାନ୍‍ ତାଙ୍କ ଘରେ କଫି ଖାଇବାର ସୁଯୋଗ ପାଇଥିଲା । ଏପରି କଫି ପୂର୍ବରୁ ସେ କେବେ ପିଇ ନଥିଲା ବୋଲି କହିଥିଲା । ଏହି କଫି ଭାଜିବାର କିଛି ବିଶେଷତ୍ଵ ଅଛିକି ? ଉତ୍କୃଷ୍ଟ ଧରଣର ମଞ୍ଜି ହେତୁ ଏପରି ଲାଗୁଛି କି ? ଛାଣିବାରେ କିଛି ବାହାଦୁରି ରହିଛି କି ? ପ୍ରଭୃତି ବହୁ ପ୍ରଶ୍ନ ସେ ସୁବୁକୁଟିର ମା’ଙ୍କୁ ପଚାରିଥିଲା । ତା’ର ମା’ ଚୁମ୍ବକରେ କେବଳ କହିଥିଲେ ଏ କଥା ସୁବୁକୁଟିକୁ ପଚାରିବେ । ଏ କଫି ଯେପରି ତିଆରି ହେଉ ନା କାହିଁକି ଆମ କମ୍ପାନୀର କଫି ଚୁରିବା ବେଳେ ଏପରି କଫି ପ୍ରସ୍ତୁତ କରିବା ସମ୍ଭବ ହେବ କି ନାହିଁ ବୋଲି ସାବେସାନ୍‍ ଜାଣିବାକୁ ଚାହିଁଥିଲା । ସୁବୁକୁଟି ମା’ କହିଥିଲେ ନହେବ କାହିଁକି ?

 

ତା’ପରେ ମିଲ୍‌ରେ ଯେତେବେଳେ କଫି ଚୁରାଯାଏ ସାବେସାନ୍‍ ସୁବୁକୁଟିକୁ ମିଲ୍‌କୁ ଯିବାକୁ କହିଥାଏ । ସେଠାରେ ସେ ସମସ୍ତଙ୍କ ଅଜଣାରେ କ’ଣ କରେ ଏପରିକି ସାବେସାନ୍‍ ମଧ୍ୟ ଜାଣି ପାରେନାହିଁ । ତେବେ ସୁବୁକୁଟି ତା’ ଘରୁ ଗୋଟିଏ ଛୋଟ ଟିଣରେ କିଛି ଜିନିଷ ଆଣି କଫି ଗୁଣ୍ଡ ହେଲାବେଳେ ମିଶାଏ ବୋଲି ସମସ୍ତେ ଜାଣନ୍ତି । ମଞ୍ଜିରେ କ’ଣ ମିଶିଲା ସେ ନେଇ ସାବେସାନ୍‍ ତାକୁ କିଛି ନ ପଚାରିବା ଲାଗି ସେ ଦୁହିଁଙ୍କ ମଧ୍ୟରେ ଚୁକ୍ତି ହୋଇଥିଲା ।

 

ଖୁବ୍ ଶୀଘ୍ର ବ୍ୟବସାୟ ବଢ଼ି ଚାଲିଲା ଏବଂ ଅନେକ ଲାଭ ହେଲା । ସାବେସାନ୍‍କୁ ମାନ୍ଦ୍ରାଜର ଅନ୍ୟତମ ଜଣାଶୁଣା ବ୍ୟବସାୟୀରୂପେ ହିସାବ କରାଗଲା । ସେ କେତେକଗୁଡ଼ିଏ ବ୍ୟବସାୟୀ ସଂଘ ଓ ଭଦ୍ରଲୋକଙ୍କ କ୍ଳବ୍‍କୁ ନିର୍ବାଚିତ ହେଲା ।

 

ସାବେସାନ୍‍ କଫି ପ୍ରସ୍ତୁତର ଭିତିରି ରହସ୍ୟଟା ଜାଣିବାପାଇଁ ବେଳେବେଳେ ଚେଷ୍ଟା କରିଥିଲା । କିନ୍ତୁ ସୁବୁକୁଟିର ମା’ ଏ ବିଷୟରେ କାହାକୁ ଏପରିକି ସାବେସାନ୍‍କୁ କିଛି ନକହିବା ପାଇଁ ତାକୁ ଶପଥ କରାଇଥିଲା । ସାବେସାନ୍‍ ମଧ୍ୟ କଥାଟା ଜାଣିବା ଲାଗି ତା’ ଉପରେ କୌଣସି ପ୍ରକାର ଚାପ ପକାଇ ନଥିଲା ।

 

୧୯୩୬ ମସିହାରେ ସାବେସାନ୍‍ର ଚବିଶ ହଜାର ଟଙ୍କା ଲାଭ ହୋଇଥିଲା । ସେତେବେଳେ ସୁବୁକୁଟିର ମାସିକ ଦରମା ଥିଲା ଦୁଇଶହ ପଚିଶ ଟଙ୍କା । ପ୍ରତିଦିନ ସୁବୁକୁଟି ସାବେସାନ୍‍ ମଟର ଗାଡ଼ିରେ ଘରକୁ ଫେରୁଥିଲା । ଏହା ଫଳରେ ଯେଉଁମାନେ ସୁବୁକୁଟିକୁ ଖୁବ୍ ଶ୍ରଦ୍ଧା କରୁଥିଲେ ସେମାନେ ତାକୁ ଈର୍ଷା କରିବାକୁ ଲାଗିଲେ । ପୂର୍ବରୁ ସେମାନେ ତା’ଠାରେ ଯେଉଁ ତ୍ରୁଟି ବିଚ୍ୟୁତି ଦେଖି ନଥିଲେ ଏବେ ସେ ସବୁ ଦେଖିବାକୁ ଚେଷ୍ଟା କଲେ । ସାବେସାନ୍‍ ଓ ସୁବୁକୁଟି ମଧ୍ୟରେ ଶତ୍ରୁତା ସୃଷ୍ଟି କରିବାକୁ ଉଦ୍ୟମ କଲେ । ସେମାନଙ୍କର ଉଦ୍ୟମରେ ସେମାନେ ସଫଳ ହୋଇପାରି ନଥିଲେ ବରଂ ସେମାନଙ୍କର ପରସ୍ପର ପ୍ରତି ବିଶ୍ଵାସ ଓ ଶ୍ରଦ୍ଧା ଅଧିକ ବୃଦ୍ଧି ପାଇଥିଲା । ଏହିପରି ଦୁଇବର୍ଷ କଟି ଯାଇଥିଲା । ଦିନେ ସାବେସାନ୍‍ ଜଣେ କାଠ ବ୍ୟବସାୟୀଙ୍କ ସଙ୍ଗେ କଥାବାର୍ତ୍ତା ହେଉଥିଲା ।

 

କାଠ ବ୍ୟବସାୟୀ କହିଲା–ତମ ବ୍ୟବସାୟତ ବେଶ୍ ଭଲ ଚାଲିଛି । କିନ୍ତୁ ମୁଁ କ’ଣ ଶୁଣିଲି ତୁମ ମାନେଜର ସୁବୁକୁଟି ସ୍ୱାଧୀନଭାବେ କଫି ବ୍ୟବସାୟ ଆରମ୍ଭ କରିବେ । ଏହା କେତେ ଦୂର ସତ ?

 

ସେପରି କୌଣସି ପ୍ରସ୍ତାବତ ନାହିଁ । ତୁମକୁ ଏକଥା କିଏ କହିଲା ? ବୋଲି ସାବେସାନ୍‍ ପଚାରିଲା ।

 

କାଠ ବ୍ୟବସାୟୀ ଜୟରାମ ନାଦର କହିଲା ଏ ବିଷୟ ସେ ନିଜେ ମୋର କେତେକ ଜଣାଶୁଣା ଲୋକଙ୍କୁ କହିଛି ।

 

ସାବେସାନ୍‍ କହିଲା ମୁଁ ନିଶ୍ଚିତ ଯେ ତୁମେ ଭୁଲ ଶୁଣିଛ । ଏପରି କିଛି ହୋଇଥିଲେ ସେ ମୋତେ ନିଶ୍ଚୟ କହିଥାଆନ୍ତା ।

 

“ନା ଏହା ମୋଟେ ଉଡ଼ାକଥା ନୁହେଁ । ଖୁବ୍ ଶୀଘ୍ର ତୁମେ ନିଶ୍ଚୟ ଏ ବିଷୟରେ ଶୁଣିବାକୁ ପାଇବ ।

 

ଅଳ୍ପଦିନ ପରେ ଜଣେ ବନ୍ଧୁ ସାବେସାନ୍‍କୁ ସୁବୁକୁଟି କଫି ଚୁନାକରା ମେସିନ ବିଷୟରେ ବ୍ୟାଙ୍କ୍‍ବାଲା ବିଶ୍ଵନାଥ ସଙ୍ଗେ କଥାବାର୍ତ୍ତା ହେଉଥିବା କଥା କହିଲା । ସାବେସାନ୍‍ର ସନ୍ଦେହ ଦୃଢ଼ୀଭୂତ ହେଲା । ସେ ଭାବିଲା ବ୍ୟବସାୟରେ ଯେ ଅଗ୍ରଗତି ହୋଇଛି ତାହା ମୋର କୃତିତ୍ୱ । କିନ୍ତୁ ଭଲମନ୍ଦ ସବୁ ବ୍ୟବସାୟର ସୁବୁକୁଟିର ହାତରେ । କଫିଗୁଣ୍ଡ ପ୍ରସ୍ତୁତିର ଭିତରି କଥା ମଧ୍ୟ ସେ ଜାଣେ, ମୁଁ ଏବେ କ’ଣ କରିବି ? ତା’ପରେ ସୁବୁକୁଟି ପ୍ରତି ତା’ର ଘୃଣା ଓ ରାଗ ବଢ଼ିବାକୁ ଲାଗିଲା-। ତା’ର କର୍ମଚାରୀମାନେ ସୁବୁକୁଟିକୁ ସେମାନଙ୍କର ମାଲିକ ବୋଲି ମନେ କରନ୍ତି ଏବଂ ତାକୁ ବେଖାତିର କରନ୍ତି ବୋଲି ସେ ଭାବିବାକୁ ଲାଗିଲା । ସ୍ୱତ୍ୱାଧିକାରୀ ସାବେସାନ୍ କିରାଣି ସୁବୁକୁଟି ପ୍ରତି ଈର୍ଷା କରିବାକୁ ଲାଗିଲା ।

 

ଗୋଟିଏ ଶ୍ରମିକର ଅଭିଯୋଗ ନେଇ ସେ କହିଲା–‘ଦେଖ ସୁବୁକୁଟି ଶ୍ରମିକମାନଙ୍କର ଯଦି କିଛି ମୋତେ ଆପତ୍ତି କରିବାର ଥାଏ ତେବେ ସେମାନେ ମୋତେ ସିଧା କହିବା ଉଚିତ । ତୁମକୁ କହିବାର ପ୍ରୟୋଜନ ନାହିଁ । ଏସବୁ ଘଟଣାରେ ତୁମେ କୌଣସି ସୁପାରିସ୍ କରିବା ଦରକାର ନାହିଁ ।’

 

ଏହିପରି ଘଟଣା ବାରମ୍ବାର ଘଟିବାରେ ଲାଗିଲା । ଦିନେ ସୁବୁକୁଟି ସାବେସାନ୍‍କୁ କହିଲା ମୁଁ ମାସେ ଛୁଟିରେ ଯିବାକୁ ଚାହୁଁଛି । ତିରୁଭାରୁରେ ରହିବା ଲାଗି ମୋତେ ଆପୁ ସ୍ଵାମୀ ନିମନ୍ତ୍ରଣ କରିଛି । ଦୟାକରି ମୋତେ ଛୁଟି ଦିଅନ୍ତୁ ।

 

ସାବେସାନ୍‍ କହିଲା ନା ଛୁଟି ମିଳିବ ନାହିଁ ।

 

ପ୍ରଥମେ ସୁବୁକୁଟି କିଛି ବୁଝିପାରିଲା ନାହିଁ । ଏପର୍ଯ୍ୟନ୍ତ ଯେଉଁ ଲୋକ ତା’ପ୍ରତି ଏତେ ଭଲ ବ୍ୟବହାର କରୁଥିଲା, ବିନା କାରଣରେ ସେ ତା’ପ୍ରତି ଏପରି ରୁକ୍ଷ ବ୍ୟବହାର କାହିଁକି କରୁଛି ! ଏଟା, ତା’ର ଭାଗ୍ୟ ଦୋଷ ଭାବି ସେ ପୂର୍ବପରି କାମ କରି ଚାଲିଲା । କିନ୍ତୁ ମନରେ ତା’ର ଶାନ୍ତି ନଥିଲା । ତା’ପରେ ତା’ର ‘ସ୍ଵାସ୍ଥ୍ୟ ଖରାପ ହେବାକୁ ଲାଗିଲା । ଔଷଧ ଖାଇ ଫଳ କିଛି ହେଲା ନାହିଁ-। ଡାକ୍ତରମାନେ ପରାମର୍ଶ ଦେଲେ ସେ ଦୁଇମାସ ବିଶ୍ରାମ ନେବା ଉଚିତ । ସାବେସାନ୍‍ କହିଲା, ଯେ ପର୍ଯ୍ୟନ୍ତ କଫି ପ୍ରସ୍ତୁତ ହେବାର ରହସ୍ୟ ସେ ନ ବତାଇଛି ସେ ପର୍ଯ୍ୟନ୍ତ ତା’କୁ ଛୁଟି ମିଳିବ ନାହିଁ-

 

ମା’ କହିଲା–ପୁଅ, ତୁ କାମ ଛାଡ଼ିଦେ । ଆମେ ଏପର୍ଯ୍ୟନ୍ତ ଭଲରେ ଥିଲେ । ପୁଣି ଆମ ଭାଗ୍ୟ ବଦଳିଲେ ଆମେ ନିଜର ଗୋଟାଏ ଛୋଟକାଟର ବ୍ୟବସାୟ କରିବା, ଭଗବାନଙ୍କର ଯାହା ବରାଦ ଥିବ, ହେବ । କିନ୍ତୁ କଫି ପ୍ରସ୍ତୁତର ରହସ୍ୟ ତାକୁ ବତାଇବା ଦରକାର ନାହିଁ । ସାବେସାନ୍‍ ତା’ ଇସ୍ତଫା ଗ୍ରହଣ କରିନେଲା ଏବଂ ତାଙ୍କୁ କାମରୁ ବିଦା କରିଦେଲା ।

 

ସୁବୁକୁଟି ଚାଲିଯିବା ପରେ କିଛିଦିନ ପର୍ଯ୍ୟନ୍ତ ବ୍ୟବସାୟର କୌଣସି କ୍ଷତି ହେଲା ନାହିଁ-। ନଟରାଜଙ୍କ ଛବିଥିବା କଫିଟିଣ ଏବଂ ସାବେସାନ୍‍ଙ୍କ ସୁନାମ ହେତୁ ବ୍ୟବସାୟ କିଛିଦିନ ବେଶ୍ ଚାଲିଲା । ତା’ପରେ ବ୍ୟବସାୟରେ ପରିବର୍ତ୍ତନ ଦେଖାଦେଲା । କିଏ କିପରି କହିଲେ–“ଆଗପରି ଭଲ କଫି ଆଜି ଆଉ ମିଳୁନାହିଁ । ଏଗୁଡ଼ାସବୁ ବାଜେ ଧରଣର କଫି । ଘରଲୋକମାନେ ଅନୁମାନ କଲେ କଫିଛଣା କନାରେ ହୁଏତ କ’ଣ କେଉଁଠି ଲାଗିଥିଲା । ଡବା ହୁଏତ ଖୋଲାଥିଲା, ତେଣୁ ବାସନା ଉଡ଼ି ଯାଉଛି ।” ସୁବୁ ତା’ ପୁରୁଣା ମାଲିକଙ୍କ ବିରୁଦ୍ଧରେ ଏହିପରି ପ୍ରଚାର କରି ଚାଲିଛି-। ଜଣେ କିରାଣିକୁ କାମରୁ ବିଦା କରି ଦିଆଗଲା ବୋଲି କଫି ଖରାପ ହେଇଗଲା ଏପରି ଭାବିବା ଠିକ୍ ନୁହେଁ ବୋଲି ସାବେସାନ୍‍ର ବନ୍ଧୁମାନେ କହିଲେ । ଅନ୍ୟ ଖାଉଟିମାନେ ଘରେ ନିଜେ କଫି ତିଆରି କରିବା ଲାଗି କଫିମଞ୍ଜି କିଣିଲେ । ଘର ତିଆରି କଫି ସବୁଠୁ ଭଲ ବୋଲି ସେମାନେ ମତ ଦେଲେ । ସଂକ୍ଷେପରେ କହିଲେ–ସୁବୁକୁଟି ବିଦା ହୋଇଯିବାର ପାଞ୍ଚ ଛ’ମାସ ପରେ ସାବେସାନ୍‍ଙ୍କ ବ୍ୟବସାୟ ମାନ୍ଦା ହୋଇଗଲା ।

 

ସୁବୁକୁଟିର ବ୍ୟାଙ୍କ୍‍ବାଲା ବନ୍ଧୁ ବିଶ୍ଵନାଥ ତା’କୁ ତା’ ସଙ୍ଗରେ ଅଂଶୀଦାରଭାବେ ମିଶି ବ୍ୟବସାୟ କରିବାକୁ କହିଲା । ସେ ବ୍ୟବସାୟ ପାଇଁ ସବୁ ଟଙ୍କା ଖଟାଇବ, ଯାହା ଲାଭ ହେବ ତା’ର ଅଧା ସୁବୁକୁଟି ପାଇବ । ସାବେସାନ୍ ତାକୁ ପୁଣି ହୁଏତ ଡାକିବ ଏହି ଆଶାରେ ସେ ମାସେ ଦୁଇମାସ ଅପେକ୍ଷା କରିବା ପରେ ବିଶ୍ଵନାଥର ପ୍ରସ୍ତାବରେ ରାଜିହୋଇ କାମ ଆରମ୍ଭ କଲା ।

 

ସୁବୁକୁଟି ପୁଣି କର୍ମଠ ହୋଇ ଉଠିଲା । ସାବେସାନ୍‍କୁ ସେ ପାନେ ଦେବା ଲାଗି ମନେମନେ ଠିକ୍ କଲା । ସୁବୁକୁଟି ସାବେସାନ୍’ କଫି ଢାଞ୍ଚାରେ ନିଜର କଫି ନାଁ ‘ନୋଟେସାନ୍ କଫି’ ରଖିଲା । ସେ ପୂର୍ବରୁ କଫିରେ ଯେଉଁସବୁ ବସ୍ତୁ ମିଶାଉଥିଲା ତା’ର ପରିମାଣ ଦେଢ଼ଗୁଣ ବଢ଼ାଇ ଦେଲା । ସାବେସାନ୍‍ କଫି ଡବା ଉପରେ ଯେଉଁ ନଟରାଜ ଛବିର ମାର୍କା ଥିଲା ତା’କୁ ସେ ଟିକିଏ ଏପଟ ସେପଟ କରିଦେଲା । ନୂଆ କଫି ବଜାରକୁ ଛଡ଼ାଗଲା । କଫି ବିକ୍ରିପାଇଁ ଚାଲାକଚତୁର ଏଜେଣ୍ଟମାନେ ନିଯୁକ୍ତ ହେଲେ । ବିକ୍ରି ମଧ୍ୟ ବଢ଼ିଲା । ବିଜ୍ଞାପନରେ ବିଶ୍ଵନାଥ ଅନେକ ଟଙ୍କା ଖର୍ଚ୍ଚ କଲା । ସେ ସୁବୁକୁଟିକୁ ସବୁପ୍ରକାର ଉତ୍ସାହିତ କଲା । ସାବେସାନ୍‍ ପ୍ରତି ତା’ର ଆକ୍ରୋଶ ଯେପରି ଅକ୍ଷୁଣ୍ଣ ରହେ ସେଥିପାଇଁ ସବୁପ୍ରକାର ଚେଷ୍ଟା ଚଳାଇଲା ।

 

ସାବେସାନ୍ ହାଇକୋଟ୍‌ରେ ମକଦ୍ଦମା କଲା । ସେ ଅଭିଯୋଗ କଲା ଯେ କଫି ଡବାର ଗଠନ, ନାଁ ଓ ସେଥିରେ ଦିଆଯାଇଥିବା ମାର୍କା ଅବିକଳ ତାଙ୍କଦ୍ଵାରା ପ୍ରସ୍ତୁତ ହେଉଥିବା କଫିର ଅନୁକରଣରେ ହୋଇଛି । ଏହାଦ୍ଵାରା ଖାଉଟି ସର୍ବସାଧାରଣ ଭ୍ରମରେ ପଡ଼ୁଛନ୍ତି ଓ ଫଳରେ ତାଙ୍କର ବ୍ୟବସାୟରେ କ୍ଷତି ହେଉଛି । ଏହାକୁ ରହିତ କରିବାପାଇଁ ଏବଂ କ୍ଷତିପୂରଣ ଦେବା ନିମନ୍ତେ ମକଦ୍ଦମା ବର୍ଷକ ପର୍ଯ୍ୟନ୍ତ ଚାଲିଲା । ଶେଷରେ ମକଦ୍ଦମାରେ ସାବେସାନ୍ ଜିତିଲା ।

 

କୋର୍ଟରେ ଯେଉଁଦିନ ରାୟ ପ୍ରକାଶ ପାଇଲା ସେଦିନ ସାବେସାନ୍‍କୁ ଭୟଙ୍କର ଜର । କିନ୍ତୁ ମକଦ୍ଦମାରେ ଜିତିବା ଶୁଣି ଖୁବ୍ ଖୁସି ହୋଇ ସେ ଉଠି ବସିଲା ଏବଂ ଡ୍ରାଇଭର ନଥିବାରୁ ନିଜେ ମଟର ଚଳାଇ ଯାଇ ଓକିଲଙ୍କ ଘରେ ପହଞ୍ଚିଲା । ସୁବୁକୁଟିର ବ୍ୟବସାୟ ଅନୁଷ୍ଠାନରେ ଥିବା ଜିନିଷପତ୍ର କିପରି ଜବତ ହୋଇ ତୁରନ୍ତ ବିକ୍ରି ହେବ ସେଥିପାଇଁ କାର୍ଯ୍ୟାନୁଷ୍ଠାନ ହେବାଲାଗି ସେ ଓକିଲଙ୍କୁ କହିଲା । ଚିଦାକ୍ଵାରମ୍ ମନ୍ଦିରରେ ସ୍ଵତନ୍ତ୍ର ପୂଜାନୁଷ୍ଠାନ ହେବାଲାଗି ମଧ୍ୟ ବ୍ୟବସ୍ଥା କଲା ।

 

ସୁବୁକୁଟିର ମା’ ଦୁଃଖରେ ବୁଡ଼ି ରହିଲା ଏବଂ ସାରା ସଂସାର ତା’ ଆଗରେ ଭାସିଯିବା ପରି ମନେ ହେଲା ।

 

ସେ କହିଲା–ହେ ଭଗବାନ ମୋ ପୁଅପ୍ରତି ସାବେସାନ୍ ଯେଉଁ ଅନ୍ୟାୟ କଲା ସେଥିପାଇଁ ତୁମେ କ’ଣ ତାକୁ କିଛି ଶାସ୍ତି ଦେବ ନାହିଁ ? ଏହିପରି ଅନେକ କଥା କହି ସେ ତା’ ନିଜ ଠାକୁରଙ୍କ ନିକଟରେ ପ୍ରାର୍ଥନା କଲା । ସତେ ଯେମିତି ଭଗବାନ ବୁଢ଼ୀର ପ୍ରାର୍ଥନା ଶୁଣିଲା ପରି, ରାୟ ପ୍ରକାଶ ପାଇବାର ଆଠଦିନ ପରେ ଡାକ୍ତରମାନଙ୍କର ସମସ୍ତ ଚେଷ୍ଟା ସତ୍ତ୍ୱେ ହୃଦ୍‍ଯନ୍ତ୍ର କ୍ରିୟା ବନ୍ଦ ହୋଇ ସାବେସାନ୍‌ର ମୃତ୍ୟୁ ହୋଇଗଲା ।

 

ସାବେସାନ୍‍ର ମୃତ୍ୟୁ ହେବାଦ୍ଵାରା ହାଇକୋର୍ଟର ରାୟ ମଧ୍ୟ ଅକାମୀ ହୋଇପଡ଼ିଲା । ବିଶ୍ଵନାଥଙ୍କ ଓକିଲ ଆଇନର ବ୍ୟାଖ୍ୟା କରି ବର୍ତ୍ତମାନ ସେ ତାଙ୍କ କଫି ବିକ୍ରି କରିବାରେ କିପରି କୌଣସି ଅସୁବିଧା ନାହିଁ ତାହା ବୁଝାଇଥିଲେ । କେବଳ ନଟରାଜ ଚିତ୍ର ସ୍ଥାନରେ କାଳୀୟ ନାଗ ଉପରେ କୃଷ୍ଣଙ୍କର ନାଚୁଥିବା ଛବି ବ୍ୟବହାର କଲେ ଆଉ କୌଣସି ଆପତ୍ତି ରହିବ ନାହିଁ । ସାବେସାନ୍‌ର ଭୂତ ଶୂନ୍ୟରେ ବୁଲିବୁଲି କହିବା ପରି ଲାଗୁଥିଲା “ହାୟ ମୋ ସପକ୍ଷରେ ହୋଇଥିବା ଡିଗ୍ରୀ କୌଣସି କାମରେ ଆସିଲା ନାହିଁ ।” ଏଥିରୁ ପରସ୍ପର ପ୍ରତି ସେମାନଙ୍କର ଥିବା ଘୃଣା ଓ ତିକ୍ତଭାବ ଜଣାଯାଏ ।

 

ଗୋଟିଏ ସାଧୁର ଆତ୍ମା ‘ଦୁଃଖକରି ଲାଭ ନାହିଁ’ କହି ଗାଇଲା–

 

‘‘ସେ ତା’ର ସ୍ତ୍ରୀକୁ କହିଲା ‘ମୁଁ ଭୂରିଭୋଜନ ଚାହେଁ ।”

 

ସେ ଭୋଜନ ପରସିଲା ଓ ସେ ତାହା ଖୁସିରେ ଖାଇଲା

 

ସେ ତା’ର ପ୍ରେମିକା ସାଙ୍ଗରେ ଶୋଇବାକୁ ଗଲା ।

 

ସେ କହିଲା–“ମୁଁ ମୋର ବାମ ପାଖରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରୁଛି ।” ଏକଥା କହି ସେ ବିଛଣାରେ ଶୋଇ ରହିଲା ।

 

ସେ ସବୁଦିନ ପାଇଁ ଶୋଇ ରହିଲା ।

 

ତା’ର ମୃତ୍ୟୁ ହୋଇଗଲା ମୃତ୍ୟୁ ହୋଇଗଲା ।”

 

ସାଧୁର ଆତ୍ମା ଏହିପରି ଗୀତ ଗାଇଲା ।

 

ଓକିଲଙ୍କ ମତାମତ, ବିଶ୍ଵନାଥ ଓ କୁଟିର ମନରେ ଦମ୍ଭ ଆଣିଦେଲା । ସେମାନେ ଗଡ଼ ଜିତିଲା ପରି ମନେ କଲେ । କିନ୍ତୁ କୌଣସି କାରଣରୁ ଉନ୍ନତ କଫି ପ୍ରସ୍ତୁତର ରହସ୍ୟ ପ୍ରକାଶ ପାଇଗଲା । ଇଠାଫଳ ଗୁଣ୍ଡ ଅପମିଶ୍ରିତ କଫି କିପରି ବଜାରରେ ବିକ୍ରି ହେଉଛି ସେ ବିଷୟରେ ଟାଉନ୍‌ରେ ସମସ୍ତେ କଥା ହେଲେ । କେତେକ କହିଲେ–କଫି ଟିଣର ଏକ ତୃତୀୟାଂଶ ଇଠାଫଳ ଗୁଣ୍ଡ ମିଶିଛି । ସାବେସାନ୍‍ ଓ ନାଟେସାନ୍ କଫି ଆଉ ଖାଉଟିମାନଙ୍କୁ ସନ୍ତୁଷ୍ଟ କରିପାରିଲା ନାହିଁ । ଏହି ଦୁଇ ପ୍ରକାରର କଫି ଖାଇ ଦେହ ଖରାପ ହେଉଛି ବୋଲି ଅନେକ ମନେ କଲେ । କେତେକଙ୍କର ଝାଡ଼ା ପରିସ୍କାର ହେଲା ନାହିଁ । କେତେକଙ୍କର ଝାଡ଼ା ହେଲା । ଏପରି କି ଆଉ କେତେକ କଫି ପିଇବା ପରେ ବାନ୍ତି କଲେ । ଅବସ୍ଥା ଏପରି ହେଲା ଯେ ବଡ଼ବଡ଼ିଆ ଲୋକେ ତାଙ୍କ ନିଜ ଘରେ କଫି ପ୍ରସ୍ତୁତ କଲେ । ସୁବୁକୁଟି କିନ୍ତୁ ପ୍ରକୃତରେ ପ୍ରତିଟିଣରେ ଆନୁମାନିକ ଗୋଟାଏ ଚାମୁଚ ଇଠାଫଳ ଗୁଣ୍ଡ ମିଶାଉଥିଲା । ଯେଉଁ ଲୋକମାନେ ସେ କଫି ପିଇ ଦିନେ ଭାରି ଖୁସି ହେଉଥିଲେ ଏବେ ସେହିମାନଙ୍କୁ ସେହି କଫି ଭାରି ଖରାପ ଲାଗିଲା ।

Image

 

ଭବିଷ୍ୟତ ବାଣୀ

 

ଶ୍ରୀଯୁକ୍ତ ସ୍ୱାମୀନାଥ ଆୟାର ଗତ କୋଡ଼ିଏବର୍ଷ ହେଲା ତୋଡ଼୍‍ମଣ୍ଡଳମ୍‌ ହାଇସ୍କୁଲ୍‌ର ପ୍ରଧାନ ଶିକ୍ଷକ ଥିଲେ । ସେ ଓ ତାଙ୍କ ସ୍ତ୍ରୀ ଅକିଳାନନ୍ଦମାଙ୍କ ବିବାହିତ ଜୀବନ ବେଶ୍‌ ଭଲରେ କଟୁଥିଲା । କିନ୍ତୁ ଅକିଳାନନ୍ଦମା ନିଃସନ୍ତାନ ଥିଲେ ତାହାହିଁ ଥିଲା ତାଙ୍କର ଏକମାତ୍ର ଦୁଃଖର କାରଣ-

 

ସେ କହୁଥିଲେ ଅକିଳା । ଦୁଃଖ କରିବାର କୌଣସି କାରଣ ନାହିଁ । ଏ ସ୍କୁଲ୍‍ରେ ଦୁଇ ଶହ ପିଲା ପଢ଼ୁଛନ୍ତି । ସେମାନେ ସମସ୍ତେ ମୋର ସନ୍ତାନ ।

 

ଏହା ଶୁଣି ତାଙ୍କ ସ୍ତ୍ରୀ କହୁଥିଲେ ଏଥିରେ ତୁମର କିଛି ଯାଏଁ ଆସେ ନାହିଁ । ସେ ସମସ୍ତଙ୍କୁ ତୁମେ ତୁମର ନିଜର ପିଲା ବୋଲି କହିପାର । କିନ୍ତୁ ଦିନସାରା ଘରେ ମୁଁ ଏକାକୀ କଟାଉଛି । ସ୍ତ୍ରୀଲୋକର ପିଲାପିଲି ନଥିବାଟା ତା’ ପକ୍ଷରେ ଏକାନ୍ତ ଦୁର୍ଭାଗ୍ୟଜନକ । ତୁମେ ସେ କଥା ବୁଝି ପାରିବ ନାହିଁ । ଦିନ ଗଡ଼ିଯିବା ସଙ୍ଗେ ସଙ୍ଗେ ପିଲାଟିଏ ପାଇଁ ସ୍ତ୍ରୀଙ୍କର ବ୍ୟାକୁଳତା ବୃଦ୍ଧି ପାଇବାକୁ ଲାଗିଲା । ସ୍ଵାମୀନାଥ ଆୟାର ତୀର୍ଥରେ ଯିବା ଲାଗି ସ୍ଥିର କଲେ । ଦୁଇ ମାସ ଛୁଟି ନେଇ ଦକ୍ଷିଣର ପଲାନି, ରାମେଶ୍ଵରମ୍‌ ପ୍ରଭୃତି ତୀର୍ଥ ଭ୍ରମଣ କରିସାରି ସେ ମହୀଶୁର ଗଲେ । ଭକ୍ତିର ସହିତ ସେଠାରେ ଥିବା ଗୋଟିଏ ଦୁଇଟି ଅଶ୍ଵତ୍‍ଥ ବୃକ୍ଷ ପରିକ୍ରମା କଲେ । ଏହି ପରିକ୍ରମାଫଳରେ ବନ୍ଧ୍ୟାନାରୀ ସନ୍ତାନବତୀ ହୁଅନ୍ତି ବୋଲି କୁହାଯାଏ । ତା’ପରେ ସେ ଘରକୁ ଫେରି ଆସିଥିଲେ । ଅକିଳାନନ୍ଦମାଙ୍କ ଜାତକ ଦେଖି ଜନୈକ ତେଲୁଗୁ ଜ୍ୟୋତିଷ ଯାହା କହିଥିଲେ ତାହା ଫଳିଲା । ଯଥାସମୟରେ ସେ ସନ୍ତାନସମ୍ଭବା ହେଲେ ।

 

ଆନନ୍ଦରେ ସ୍ୱାମୀନାଥ ଆୟାର କହିଲେ ଜ୍ୟୋତିଷ ବିଦ୍ୟା କେବେ ଭୁଲ ହୋଇପାରେ ନାହିଁ । ଅକିଳାନଂଦ କହିଲେ–“ଅଶ୍ଵତ୍‍ଥ ବୃକ୍ଷକୁ ତାଙ୍କର ନିଷ୍ଠାର ସହିତ ପୂଜାପାଠ ହେତୁ ଏହା ସମ୍ଭବ ହେଲା । ଯେଉଁ କାରଣରୁ ସେ ସନ୍ତାନସମ୍ଭବା ହୁଅନ୍ତୁ ନା କାହିଁକି ପିଲାଟି ଜନ୍ମ ହେବାପରେ ସେ ପୁଣି ଥରେ ପଲାନି ଯିବେ ବୋଲି ସ୍ଥିର କଲେ । ସୌଭାଗ୍ୟପୂର୍ଣ୍ଣ ଘଟଣା କେତେବେଳେ ଘଟିବ ସେ ନେଇ ସେମାନେ ବିଭିନ୍ନ ପ୍ରକାର କଳ୍ପନା ଜଳ୍ପନା କରୁଥିଲେ ।

 

ବିବାହର ଅନେକ ବର୍ଷ ପରେ ସ୍ତ୍ରୀ ଗର୍ଭବତୀ ହୋଇଥିବାରୁ ତାଙ୍କ ପ୍ରତି ବିଶେଷ ଯତ୍ନ ଦିଆଯିବା ଉଚିତ ବୋଲି ସ୍ୱାମୀନାଥଙ୍କ ବନ୍ଧୁମାନେ ତାଙ୍କୁ ପରାମର୍ଶ ଦେଇଥିଲେ । ଏଗ୍‌ମୋରେ ପ୍ରସ୍ତୁତି ଚିକିତ୍ସାଳୟରେ ତାଙ୍କୁ ଭର୍ତ୍ତି କରି ଦେବାକୁ ସେମାନେ କହିଥିଲେ । ଅକିଳାନଂଦଙ୍କ ମା’ ଅନେକ ଦିନୁ ମରି ଯାଇଥିଲେ । ତାଙ୍କର ଜଣେ ଖୁଡ଼ୀ ସେ ପର୍ଯ୍ୟନ୍ତ ବଞ୍ଚିଥିଲେ । ସେମାନେ ଆଶା କରୁଥିଲେ ଯେ ସେ ଆସି ଦେଖାଶୁଣା କରିବେ । କିନ୍ତୁ ସେ ବି ଆସି ପାରି ନଥିଲେ । ତେଣୁ ପିଲାଟିର ଜନ୍ମ ଘରେ ନକରି ତାଙ୍କୁ ଡାକ୍ତରଖାନା ପଠାଇବାକୁ ସେମାନେ ସ୍ଥିର କରିଥିଲେ । ବିନା କଷ୍ଟରେ ପିଲାଟିର ଜନ୍ମ ହୋଇଥିଲା । ସ୍ୱାମୀନାଥ ଖୁବ୍ ଖୁସି ହୋଇଥିଲେ । ସେ ଡାକ୍ତରଖାନା ଷ୍ଟାଫ୍‌ମାନଙ୍କୁ ଅନେକ ଉପହାର ଦେବାକୁ ଭାବିଥିଲେ ।

 

ପିଲାଟି ରାତି ନଅଟାବେଳେ ଜନ୍ମ ହୋଇଥିଲା; ନିୟମାନୁସାରେ ଗୋଟିଏ ନର୍ସ ପିଲାଟିକୁ ସଙ୍ଗେ ସଙ୍ଗେ ଗାଧୋଇ ଦେଇ ପାଖ ଘରକୁ ନେଇ ଯାଇଥିଲା । ସେଠାରେ ତା’ର ଓଜନ କେତେ ତାହା ମପା ଯାଇଥିଲା । ସେ ଦିନ ଠିକ୍ ସେତିକିବେଳେ ଏକ ସମୟରେ ତିନୋଟି ପିଲା ଜନ୍ମ ହୋଇଥିଲେ । ନିଜେ ମା’ ହୋଇ ପିଲା ଜନ୍ମ କଲା ପରି ନର୍ସମାନଙ୍କ ମଧ୍ୟରେ ବିଶେଷ ଉତ୍ସାହ ଓ ଆନନ୍ଦ ଦେଖା ଯାଇଥିଲା ।

 

ନିୟମାନୁଯାୟୀ ଯାହା ସବୁ କରିବା କଥା ସେମାନେ ଏହି ପିଲାମାନଙ୍କ ପାଇଁ କରିଥିଲେ । ସେମାନେ ଯେପରି ମିଶି ନ ଯାଆନ୍ତି ସେଥିପାଇଁ ପ୍ରତ୍ୟେକଙ୍କଲାଗି ଗୋଟିଏ ଗୋଟିଏ ନମ୍ବର କାର୍ଡ଼ ବାନ୍ଧି ଦେଇଥିଲେ । ତିନୋଟି ପିଲାଙ୍କ ଭିତରୁ ଗୋଟିଏ କଳା । ଅନ୍ୟ ଦୁଇଟି ଗୋରା ଓ ପ୍ରାୟ ଏକା ପରି ।

 

ଯେଉଁ ନର୍ସଟି ଅକିଳାନନ୍ଦମାର ପିଲାଟିକୁ ଆଣିଲା ସେ ତାକୁ ଅନ୍ୟ ନର୍ସମାନଙ୍କୁ ଦେଇ ଦେଇ ସେଠାରୁ ଚାଲିଗଲା । ଅନ୍ୟ ନର୍ସମାନେ ଗପଟପ କରିବାରେ ବ୍ୟସ୍ତ ଥିବାରୁ ସଙ୍ଗେ ସଙ୍ଗେ ନମ୍ବର କାର୍ଡ଼ଟି ଝୁଲାଇବାକୁ ଭୁଲି ଯାଇଥିଲେ । ତା’ପରେ ଅକିଳାନନ୍ଦମାର ପିଲା କିଏ ସେ ନେଇ ସେମାନେ ସନ୍ଦେହ ପ୍ରକାଶ କରିଥିଲେ । କଳା ରଙ୍ଗର ପିଲାଟି ସମ୍ପର୍କରେ ସେମାନଙ୍କର ସନ୍ଦେହ ନଥିଲା । ଅନ୍ୟ ଦୁଇଟି ପିଲାଙ୍କ ସମ୍ପର୍କରେ ସେମାନେ ସ୍ଥିର କରି ସେମାନଙ୍କ ନମ୍ବର କାର୍ଡ଼ ଦୁଇଟି ଝୁଲାଲ ଦେଲେ ।

 

ଅକିଳାନନ୍ଦମାଙ୍କର ପିଲାଟି ସାମାନ୍ୟ ସଫା ଥିଲା । ଅଷ୍ଟାମରେ ଥିବା ମୁସଲମାନ ମହିଳାଟି କଳା ରଙ୍ଗର ଥିଲା । ତେଣୁ ସେମାନେ ସ୍ଥିର କରିଥିଲେ ଯେ କଳା ପିଲାଟି ତା’ରି । ସଫା ଦିଶୁଥିବା ପିଲାଟି ଅକିଳାନନ୍ଦମାର । ତେଣୁ ମା’ମାନଙ୍କ ପାଖରେ ସେମାନେ ପିଲାମାନଙ୍କୁ ଶୁଆଇ ଦେଇଥିଲେ । ଆଉ କୌଣସି ଅସୁବିଧା ହୋଇ ନଥିଲା ।

 

“ବେଶ୍ ସୁନ୍ଦର ପିଲାଟି ହୋଇଛି, ଓଜନ ସାତ ପାଉଣ୍ଡ୍, ଏ କ’ଣ ତୁମର ପ୍ରଥମ ପିଲା ।” ଫରାସୀ ନର୍ସଟି ପ୍ରଶ୍ନ କଲା ।

 

ସ୍ୱାମୀନାଥ ଆୟାର ହଁ କଲେ । ଖଟିଆରେ ମା’ କ୍ଳାନ୍ତ ହୋଇ ପଡ଼ି ରହିଥାଏ । ତାଙ୍କର ଅନ୍ତରର ଆନନ୍ଦ ତାଙ୍କ ମୁହଁରେ ଫୁଟି ଉଠୁଥିବା ମିଠା ହସରୁ ସ୍ପଷ୍ଟ ଜାଣି ହେଉଥିଲା । ତାଙ୍କ ଆନନ୍ଦର ସୀମା ନଥିଲା । ପିଲାଟିଏ ହୋଇ ତାଙ୍କର ବାସନା ପୂର୍ଣ୍ଣ ହେଲା । ପିଲାଟି କ’ଣ, ସୁସ୍ଥ ସବଳ ହୋଇଛି କି ବୋଲି ବାପା ପଚାରିଲେ । ବାପାମାନେ ସବୁବେଳେ ବୈଷୟିକ ଓ ବିଜ୍ଞାନ ସମ୍ମତ ଦୃଷ୍ଟିକୋଣରୁ କଥାବାର୍ତ୍ତା କରି ଥାଆନ୍ତି ।

 

ନର୍ସଟି ଇଂରାଜୀରେ ଉତ୍ତର ଦେଲା ଆଜି ଯେଉଁ ତିନି ଗୋଟି ପିଲା ଜନ୍ମ ହୋଇଛନ୍ତି ସେମାନଙ୍କ ଭିତରେ ଏ ପିଲାଟି ସବୁଠୁ ଭଲ ।

 

ନର୍ସଟି ଇଂରାଜୀରେ ଯାହା କହିଲା ସ୍ଵାମୀନାଥ ଅକିଳାନନ୍ଦମାକୁ ତେଲୁଗୁରେ ତାହା ବୁଝାଇ ଦେଲେ ।

 

ତା’ପରେ ପ୍ରଥମେ ପିଲାଟିକୁ ଯେଉଁ ନର୍ସ ଆଣିଥିଲା ସିଏ ଆସି ୱାଡ଼୍‍ରେ ପହଞ୍ଚିଲା ଓ ପିଲାଟିକୁ ଧରି ତା’ ସଙ୍ଗେ କିଛି ସମୟ ଖେଳିଥିଲା । ତା’ପରେ ନର୍ସ ଦୁଇ ଜଣଯାକ ସେଠାରୁ ଚାଲି ଯାଇଥିଲେ ।

 

ଏ ପିଲାର ନାହି ପାଖରେ ଗୋଟାଏ କଳାଜାଇ ଥିଲା । ଏତେ ଶୀଘ୍ର ସେ ଚିହ୍ନ କିପରି ଲିଭିଗଲା ବୋଲି ପ୍ରଥମ ନର୍ସଟି ପଚାରିଲା । ଦ୍ଵିତୀୟ ନର୍ସଟି କହିଲା, ଏ ମା’ର ପିଲାଟି ସିଏ ? ଆମେ ୟାକୁ ଆଠ ନମ୍ବର ଓ୍ୱାଡ଼୍‍କୁ ପଠାଇ ଦେଲୁ । ଆମେ ଏ ପିଲାଟି ଲାଗି ମୁସଲମାନ ମହିଳାର ନମ୍ବର ବାନ୍ଧିଥିଲେ ।

 

ପ୍ରଥମ ନର୍ସଟି କହିଲା–“ହେ, ଭଗବାନ । ତୁମେ କ’ଣ କହୁଛ, ଯାହା ହେଲାଣି, ହେଲାଣି, ଆଉ ପାଟିତୁଣ୍ଡ ନ କରିବା ଭଲ ।”

 

କିନ୍ତୁ ଦ୍ଵିତୀୟ ନର୍ସଟି ପ୍ରତିବାଦ କରି କହିଲା ତୁମେ ଯଦି ନିଶ୍ଚିତ ତେବେ ଚାଲ ବର୍ତ୍ତମାନ ପିଲା ଦୁଇଟିକୁ ଅଦଳବଦଳ କରି ଭୁଲ ସଂଶୋଧନ କରିଦେବା । ପ୍ରଥମ ନର୍ସଟି କହିଲା–“ତୁ କ’ଣ ପାଗଳିନୀ ନା କ’ଣ ? ଆମେ ଯଦି ବର୍ତ୍ତମାନ ଏପରି ଅଦଳବଦଳ କରିବା ତେବେ ଗୋଳମାଳ ହେବ ଓ ଏଥିପାଇଁ ଆମ ଚାକିରି ଯିବ, ତଥାପିବି ସବୁ ଦିନ ଲାଗି ସନ୍ଦେହ ରହିଯିବ ଓ ମା’ ଦୁହେଁ କେବେ ସୁଖୀ ହୋଇ ପାରିବେ ନାହିଁ । ଅଶାନ୍ତି ସୃଷ୍ଟି ହେବ । ବରଂ ଚୁପ୍‍ଚାପ୍ ରହିଯିବା ସବୁଠୁ ଭଲ ।

 

ବାର ଦିନ ପରେ ଅବ୍‌ଦୁଲା ତୟାବଜୀଙ୍କ ସ୍ତ୍ରୀ ଅଣ୍ଡରସନ୍ ଷ୍ଟ୍ରିଟରେ ଥିବା ତାଙ୍କ ଘରକୁ ଓ ଟ୍ରିପିଲ୍ କେନ୍‌ରେ ଥିବା ଅକିଳାନନ୍ଦମା ତାଙ୍କ ଘରକୁ ଫେରିଗଲେ । ଉଭୟଙ୍କ ଘରେ ସେମାନଙ୍କ ପିଲା ଦୁଇଟି ଅତି ଯତ୍ନରେ ଲାଳିତପାଳିତ ହେଲେ । ତୟାବଜୀ ସେଠ୍‌ଙ୍କର ଅଚଳାଚଳ ସମ୍ପତ୍ତି ଓ ସେ ସମସ୍ତ ପ୍ରକାର ସମ୍ଭୋଗର ଅଧିକାରୀ ଥିଲେ । କିନ୍ତୁ ସ୍ୱାମୀନାଥ ଆୟାରଙ୍କ ଘରେ ସ୍ନେହ ମମତାର ପାଚୁର୍ଯ୍ୟ ଓ ଆତ୍ମସନ୍ତୋଷ ଭରି ରହିଥିଲା । ଉଭୟ ପିଲାଙ୍କ ପ୍ରତି ଯେଉଁ ଆଦର ଯତ୍ନ ନିଆଯାଉଥିଲା ସେଥିରେ ସାମାନ୍ୟତମ ଫରକ ନଥିଲା ।

 

ସ୍ୱାମୀନାଥଙ୍କ ପିଲାଟିକୁ ବର୍ଷେ ହେଲାବେଳକୁ ତାଙ୍କ ଖୁଡ଼ୀ ପିଲାକୁ ଦେଖିବାକୁ ଆସିଥିଲେ । ସେ ପିଲାଟିକୁ ଦେଖି କହିଲେ–“ୟାରି ଆଖି ଦୁଇଟି ଅବିକଳ ଆମ ଭାଇ ମୁଟୁ ସ୍ୱାମୀର ଆଖି ପରି ହୋଇଛି । କିନ୍ତୁ ତା’ ନାକ ସ୍ୱାମୀନାଥଙ୍କ ପରିବାରର ଲୋକଙ୍କ ପରି ହୋଇଛି । ଏ କଥା ଶୁଣି ସ୍ୱାମୀନାଥ ଅନେକଟା ଖୁସି ହେଲେ । ମା’ କିନ୍ତୁ ଉଭୟ କଥାରେ ଖୁସି ହେଲେ ।

 

ତୟାବଜୀଙ୍କ ଘରେ ମଧ୍ୟ ସେହି ଏକା କଥା । ତୟାବଜୀଙ୍କ ମୃତ୍ୟୁ ହେବାର କୋଡ଼ିଏବର୍ଷ ହୋଇଗଲା । ତାଙ୍କ ପୁଅ ସୁଲେମାନ ପିଲା ଦିନୁ ଚାଲାକ ଚତୁର । ବାପା ଛାଡ଼ି ଯାଇଥିବା ବଡ଼ ବ୍ୟବସାୟ ସେ ବେଶ୍‌ ଦକ୍ଷତାର ସହିତ ଦେଖାଶୁଣା କରୁଥିଲା ।

 

ସ୍ୱାମୀନାଥ ଆୟାରଙ୍କ ପୁଅ ଅଶ୍ଵସ୍ଥ ନାରାୟଣ ତା’ର ସବୁ ଚେଷ୍ଟା ସତ୍ତ୍ଵେ ଏସ୍‌.ଏସ୍‌.ଏଲ୍‌.ସିରୁ ଆଉ ଅଧିକ ଯାଇ ପାରିଲା ନାହିଁ । ସେ ବମ୍ବେ ଯାଇ ବନ୍ଧୁମାନଙ୍କ ସଙ୍ଗେ କିଛିଦିନ ରହିଲା । ଅନ୍ୟମାନଙ୍କ ସୁପାରିସ୍‍ରେ ଗୋଟିଏ କାମ ଲାଗି ଚେଷ୍ଟା ଚଳାଇଲା । କିନ୍ତୁ କାମ ନ ପାଇ ଶେଷରେ ଫେରି ଆସିଲା । ସ୍ୱାମୀନାଥ ଏ ସବୁ ଦେଖି ଚିନ୍ତିତ ହୋଇ ପଡ଼ିଲେ ।

 

ଜ୍ୟୋତିଷ ତାଙ୍କୁ ଭବିଷ୍ୟତ ବାଣୀ ଶୁଣାଇ କହିଥିଲା “ତୁମ ପୁଅ ଜଣେ ବଡ଼ ବ୍ୟବସାୟୀ ହେବ । ଜଣେ ଭାଗ୍ୟବାନ ଲୋକ ହେବ । କିନ୍ତୁ ବାପ ମା’ଙ୍କର କୌଣସି କାମରେ ଆସିବ ନାହିଁ ।”

 

ସ୍ୱାମୀନାଥ ବିରକ୍ତ ହୋଇ କହିଲେ–“ସେ ମୋତେ କିମ୍ବା ତୋତେ ପଚାରିଲା କି ନ ପଚାରିଲା ସେଟା ବଡ଼କଥା ନୁହେଁ । ସେ ଯଦି ନିଜେ ସୁଖରେ ରହି ପାରିଲା ତେବେ ତାହା ଯଥେଷ୍ଟ ହେଲା ।

 

କିନ୍ତୁ ଦେ’ଖ ବିଭିନ୍ନ କ୍ଷେତ୍ରରେ ସେ କିପରି ହାରୁଛି । ଜ୍ୟୋତିଷ ବିଦ୍ୟା ପୂରା ଗୋଟାଏ ଭଣ୍ଡ କାରବାର । ଏଥିରେ ଗୁରୁତ୍ଵ ଦେବା ଠିକ୍ ନୁହେଁ ।

 

ଅକିଳାନନ୍ଦମା କହିଲେ–“ଏ ସବୁ ମିଛ ବୋଲି ତୁମେ କିପରି କହୁଛ ? ସେ ଯେପରି କହିଥିଲା ଠିକ୍ ସେହି ଅନୁଯାୟୀ ପିଲାଟି ଜନ୍ମ ହେଲା ନାହିଁକି ? କପାଳଲେଖନ କେବେ ଅନ୍ୟଥା ହେବନାହିଁ । ଆଗକୁ କ’ଣ ଘଟିବ ବା ନ ଘଟିବ କିଏ କହିବ । ଜଣେ ଚେଟିୟାର୍‍ଙ୍କ ପାଖରେ ନେଇ ତାକୁ ଛାଡ଼ । ସେ ହୁଏତ ବ୍ୟବସାୟରେ ତା’ ଚତୁରତା ଦେଖାଇବ ।

Image

 

ଅନୁଶୋଚନା

 

ଅଶୋକବନରେ ଦୀର୍ଘଦିନ ବିନିଦ୍ର ରଜନୀ ବିତାଇବା ପରେ ଦିନେ ସେ ଆପଣାର ଅଜଣାରେ ଗଭୀର ନିଦ୍ରାରେ ଶୋଇ ପଡ଼ିଥିଲେ ।

 

ଅଶୋକବନରେ ଦୁଃଖପୂର୍ଣ୍ଣ ବନ୍ଦୀ ଜୀବନ କାଟୁଥିବାବେଳେ ସୀତା ବେଳେବେଳେ ଲକ୍ଷ୍ମଣଙ୍କୁ ମନେ ପକାଉଥିଲେ । ଏପରିକି ରାମଙ୍କ କଥା ଚିନ୍ତା କଲାବେଳେ କେବେକେବେ ତାଙ୍କର ମନେ ହେଉଥିଲା, ସତେ ଯେମିତି ଲକ୍ଷ୍ମଣ ଆସି ତାଙ୍କ ଆଗରେ ଚୁପ୍ ହୋଇ ଠିଆ ହୋଇଛନ୍ତି । ଚକ୍ଷୁ ଦୁଇଟି ତାଙ୍କର ସଜଳ ହୋଇ ଉଠୁଛି । ତାଙ୍କ ଚାହାଣିରୁ ମନେ ହେଉଥିଲା ସତେ ଯେପରି ସେ ପଚାରୁଥିଲେ ଭଉଣୀ, ଏପରିଭାବେ ତୁମେ ମତେ କିପରି କହିପାରିଲ ? ସେ ତାଙ୍କ କଥା ସହ୍ୟ କରିପାରିଲେ ନାହିଁ । ବନ୍ଦୀ ଜୀବନ ଅପେକ୍ଷା ଏହା ତାଙ୍କୁ ଅଧିକ ଦୁଃଖଦାୟକ ହେଲା । “ହାୟ ନ କହିବା କଥା କହି ମୁଁ ତାଙ୍କର ସରଳ ପ୍ରାଣରେ ଆଘାତ କରୁଛି । ମତେ ଏଠାକୁ ରାବଣ ନେଇଆସି ଯେଉଁ ଗୁରୁତର ପାପ କରିଛି ତା’ ତୁଳନାରେ ଲକ୍ଷ୍ମଣଙ୍କୁ କହିବାଦ୍ଵାରା ମୁଁ ତା’ଠୁ ଆହୁରି ଅଧିକ ପାପ କରିଛି ।” ବାରମ୍ବାର ଏହିକଥା କହି ଆପଣାର ଭୁଲପାଇଁ ନିଜକୁ ଭର୍ତ୍ସନା କରୁଥିଲେ ।

 

ଏହିପରି ଭାବିଭାବି ତାଙ୍କୁ ଅଚାନକ ନିଦ ହୋଇଯାଇଥିଲା ଓ ଲକ୍ଷ୍ମଣ ଆସି ତାଙ୍କ ସମ୍ମୁଖରେ ଠିଆ ହୋଇଛନ୍ତି ବୋଲି ସେ ସ୍ୱପ୍ନରେ ଦେଖି ଖୁସି ହୋଇଯାଇଥିଲେ ।

 

“ସେ ଆନନ୍ଦାଶ୍ରୁ ପୋଛି କହିଲେ ଭାଇ, ଯାହାହେଉ ଅବଶେଷରେ ତମେ ଆସିଲ । ଏଠି ମୋର ସମସ୍ତ ଦୁଃଖ ମୋତେ ସ୍ଵପ୍ନ ଦେଖିଲା ପରି ଲାଗୁଛି ।” ଲକ୍ଷ୍ମଣ କହିଲେ–“ହଁ, ମୁଁ ଆସିଗଲି, ଆଉ ଭୟ କିମ୍ବା ଦୁଃଖର କୌଣସି କାରଣ ନାହିଁ । କେବେ ଏକାକୀ ତୁମକୁ ଛାଡ଼ି ମୁଁ କୁଆଡ଼େ ଆଉ ଯିବିନାହିଁ ।”

 

ଯାହା ହୋଇଗଲା ସେଥିପାଇଁ ତୁମେ ମୋତେ କ୍ଷମା କର ।

 

ତା’ପରେ ହସିହସି ସେ କହିଲେ–“ଦେଖିଲ ତ ତୁମର ଅବାଧ୍ୟତା ଆମକୁ ଆଣି କି ଦୁଃଖରେ ପକାଇଲା ।”

 

ସକାଳର ଶିଶିର ବିନ୍ଦୁ ଉପରେ ସୂର୍ଯ୍ୟକିରଣ ପ୍ରଭାବ ପକାଇଲା ପରି ଲକ୍ଷ୍ମଣଙ୍କ ହସ ପ୍ରଭାବ ପକାଇଲା । ସେ ହସ, ଦୁଃଖ, ଅଶ୍ରୁ ଓ ଆନନ୍ଦରେ ଜର୍ଜରିତ ହେଉଥିଲା ତାହାର ସୌନ୍ଦର୍ଯ୍ୟ ଲିଖିତଭାବେ ବର୍ଣ୍ଣନା କରିବା କଷ୍ଟ ।

 

ସୀତା କହିଲେ ହଁ ମୁଁ ଭୁଲ୍ କରି ପକାଇଲି । କିନ୍ତୁ ମୋତେ ଏକାକୀ ଛାଡ଼ି ତୁମର ଚାଲିଯିବାଟା ଠିକ୍ ହୋଇଛି କି ? ମୁଁ ଯେତେ କର୍କଶ ଭାଷାରେ କହେନା କାହିଁକି ତୁମେ ବଡ଼ ଭାଇଙ୍କ ପାଖରେ କରିଥିବା ଶପଥ ଭଙ୍ଗ କଲ କିପରି ? ମୁଁ ସିନା ରାଗି ନ କହିବା କଥା ତୁମକୁ କହି ପକାଇଲି ସେଥିପାଇଁ ତୁମେ କାହିଁକି ଶପଥ ଭଙ୍ଗ କଲ ?

 

ସେହିବାଟରେ ନାରଦ ଯାଉଥିଲେ । ସେ ବି ସେଠାରେ ଆସି ପହଞ୍ଚିଲେ । ସ୍ୱପ୍ନରେ ବେଳେବେଳେ ଏସବୁ ହୋଇଥାଏ । ରାମ ନିକଟରେ ତୁମେ କେବେ କି ପ୍ରତିଜ୍ଞା କରିଥିଲ ? ମୁଁ ତ ସେପରି କିଛି ଶୁଣି ନାହିଁ । ସୀତା କହିଲେ–“କ’ଣ ହେଲା ସେ ପ୍ରତିଜ୍ଞା କରି ନଥିଲେ ? ଆପଣଙ୍କ ପରି ସମ୍ମାନାସ୍ପଦ ବ୍ୟକ୍ତି ପୁଣି ଏପରି କହିପାରନ୍ତି ।” ବିଶ୍ଵମାତା ସୀତା ନାରଦଙ୍କ ଉପରେ ଆପାତତଃ କ୍ଷୁଣ୍ଣ ହେଲେ ନାହିଁ ।

 

ନାରଦ କହିଲେ–“ତୁମ କଥାନୁସାରେ, ରାମ ଭାଇ କେଉଁଠି ଅଛନ୍ତି ଜାଣି ହରିଣପାଇଁ ଅତି ଦ୍ରୁତଭାବେ ଗୋଡ଼ାଇଲେ । ଭାଇ କ’ଣ କହିଲେ ସେକଥା ଶୁଣିବାକୁ ସେ ଅପେକ୍ଷା କରି ନଥିଲେ । ଲକ୍ଷ୍ମଣ ନିଜ ମୁହଁରେ କୌଣସି ପ୍ରତିଜ୍ଞା କରି ନଥିଲେ ।

 

ଏ କଥା ଶୁଣି ଲକ୍ଷ୍ମଣ ହସି ଉଠି କହିଲେ–“ଏପରି ଯୁକ୍ତି ମୁଁ ପସନ୍ଦ କରେ ନାହିଁ । କେବଳ ଋଷିମାନଙ୍କ ପକ୍ଷରେ ଏହା ସମ୍ଭବ ହୋଇପାରେ । ମୁଁ ଜଣେ ସୈନିକ । ରାମ ଯେତେବେଳେ କହିଲେ, ଏହିଠାରେ ଠିଆ ହୋଇ ରହ ମୁଁ କୁଡ଼ିଆର ଦ୍ଵାରପାଖରେ ଠିଆହୋଇ ରହିଥିଲି । ମୋ ପକ୍ଷରେ ଏହା ପ୍ରତିଜ୍ଞାସ୍ଵରୂପ ।

 

ନାରଦ କହିଲେ–“ଏ ହେଲା ତୁମମାନଙ୍କର ସମସ୍ୟା । ଏ କଥାରେ ଏତେ ସହଜରେ ତୁମେ ଦୁହେଁ ଯେତେବେଳେ ରାଜି ହୋଇଯାଉଛ ସେତେବେଳେ ମୁଁ କାହିଁକି କ’ଣ କହିବି ?”

 

ସୀତା କହିଲେ–‘‘ତାଙ୍କର ରୁକ୍ଷ ଭାଷା ପ୍ରୟୋଗରେ ଲକ୍ଷ୍ମଣଙ୍କର କ’ଣ କ୍ଷତି ହୋଇଛି ? କେବଳ ପ୍ରତିଜ୍ଞା ପାଳନପାଇଁ ଆମେ ନଗର ଓ ରାଜପ୍ରାସାଦ ଛାଡ଼ି ଚାଲି ଆସିଛେ । ଭରତ ଓ ପ୍ରଜାବର୍ଗଙ୍କ ଅନୁରୋଧ ଆମେ ରଖିଲେ ନାହିଁ । କାରଣ ଥରେ ପ୍ରତିଜ୍ଞାବଦ୍ଧ ହେଲେ ତାହା କୌଣସିମତେ ପାଳନ କରିବା ଉଚିତ ବୋଲି ଆମେ ମତ ଦେଇଥାଏ ।”

 

ଲକ୍ଷ୍ମଣ କହିଲେ–“ସେହି ଯନ୍ତ୍ରଣାଦାୟକ କଥାକୁ ସ୍ମରଣ କରାଇ ଦେଇ ମୋତେ ଆଉ ଅଧିକ ଆଘାତ ଦିଅନ୍ତୁ ନାହିଁ ।”

 

ସୀତା କହିଲେ–“ସାରା ଦୁନିଆ ତୁମର ନିନ୍ଦା କରିଥିଲେବି, ମୋତେ ଛାଡ଼ି ତୁମର ଚାଲିଯିବାଟା ଠିକ୍ ହେଲା ନାହିଁ ।”

 

ସୀତା, ତୁମେ ଠିକ୍ କହୁଛ । ମୁଁ ଜାଣେ ତୁମକୁ ଛାଡ଼ି ଅଧାବାଟ ଚାଲିଯିବା ପରେ ତୁମେ ଯାହା କହୁଛ ସେହି କଥାଟା ମୋ ମନକୁ ଆସିଥିଲା । ଭାଉଜ କେତେ ଗାଳି ଦେଲେ ସେଥିରେ କିଛି ଯାଏଆସେ ନାହିଁ । କିନ୍ତୁ ଭାଇଙ୍କ ନିକଟରେ ମୁଁ ଯାହା ଶପଥ କରିଛି ତାହା ମୋପାଇଁ ସବୁଠୁ ବଡ଼କଥା ବୋଲି ମୁଁ ନିଜକୁ କହିଲି ଓ ପଛକୁ ବୁଲି ଦଶପାଦ ଚାଲିଗଲି ।

 

ରାବଣ ସନ୍ନ୍ୟାସୀର ଛଦ୍ମବେଶ ଧାରଣ କରି ଫଳ ଖାଉଥିଲା । ସୀତାଙ୍କୁ ସମ୍ମୁଖରେ ଦେଖି ଡରରେ ସେ ଥରି ଉଠିଥିଲା । ଠିକ୍ ଏତିକିବେଳେ ଲକ୍ଷ୍ମଣ ଫେରି ଆସୁଥିଲେ । ସେ ଅଶୁଭ ସଙ୍କେତମାନ ଦେଖୁଥିଲେ । ତାଙ୍କର ବାମ ଆଖି ଓ ବାହୁ ଥରି ଉଠୁଥିଲା । ରାବଣ ପତ୍ର ଉପରେ ଫଳ ରଖିଦେଇ କୁଡ଼ିଆର ଦ୍ଵାର ଆଡ଼କୁ ନିରୀକ୍ଷଣ କଲା, ସେ ଯଦିଓ ଦୌଡ଼ି ପଳାଇ ଯାଇପାରିବ ବୋଲି ନିଶ୍ଚିତ ଥିଲା । ତଥାପି ସେ ଭୟ କରୁଥିଲା । ହୁଏତ ଯେକୌଣସି ମୁହୂର୍ତ୍ତରେ ଲକ୍ଷ୍ମଣ ଆସି ସେଠାରେ ପହଞ୍ଚି ଯାଇପାରେ । ଭୟକର ନାହିଁ ବୋଲି ନାରଦ ରାକ୍ଷସକୁ କହିଥିଲେ । ସବୁ ବଦମାସିର ସୂତ୍ରଧର ଏହି ଋଷି । କେଉଁଠୁଁ କିପରି ଆସି ହଠାତ୍ ଏଠି ପହଞ୍ଚି ଗଲେ ଓ ଏହି ଘଟଣାରେ ସଙ୍ଗେ ସଙ୍ଗେ ନିଜକୁ ଜଡ଼ିତ କରି ପକାଇଲେ ।

 

ଏ କାହାଣୀଟି ବଡ଼ ବିଚିତ୍ର, ମିଥ୍ୟା ଓ ଅସଂଲଗ୍ନ ପରି ମନେ ହେଉଛି ।

 

ଅଶୋକବନ କେଉଁଠି ? ପଞ୍ଚବଟୀ କେଉଁଠି ? ଏହା ଗୋଟିଏ ସ୍ଵପ୍ନ । ଗୋଟିଏ ଦୁଃଖୀ ନାରୀର ସ୍ଵପ୍ନ ମାତ୍ର । ଏପରି ସ୍ଵପ୍ନରେ କୌଣସି ନୀତି ନିୟମ ନଥାଏ ।

 

ଆଶ୍ରମଆଡ଼କୁ ମୁଁ ଦଶପାଦ ପକାଇଲି । କିନ୍ତୁ ତୁମର କ୍ରୋଧାନ୍ୱିତ ଲାଲ ଆଖି ଓ ଅସନ୍ତୋଷଭରା ଆଖିପତା ମୋ ସମ୍ମୁଖରେ ଦେଖାଗଲା । ତୁମେ କହିବାପରି ମୋର ମନେ ହେଲା, ହେ ଭୀରୁ ପୁରୁଷ ତୁମେ ବାହୁଡ଼ି ଆସିଲଣି । ରାଗ ତମତମ ହୋଇ ତୁମେ ମୋ ଉପରକୁ ମାଡ଼ି ଆସିଲ । ମୁଁ ବୁଲି ପଡ଼ିଲି । ଭାଇଙ୍କ ନିକଟରେ କରିଥିବା ଶପଥ ମୁଁ ଭୁଲିଗଲି । ତୁମ କଥା ଓ ମୋ ଗର୍ବ ମୋତେ ବିଚଳିତ କରି ପକାଇଲା । ଯାହା ହେଉନା କାହିଁକି ମୁଁ ମୋ ସମ୍ମାନ ରଖିବି କହି ଦାନ୍ତଚିପି ମୁଁ ହରିଣର ଅନୁଧାବନ କଲି ।

 

ସୀତା କହିଲେ–“ତୁମେ ଯଦି ସେତେବେଳେ ଫେରିଆସି ଥାଆନ୍ତ ମୁଁ ରକ୍ଷା ପାଇପାରି ଥାଆନ୍ତି ।”

 

ଲକ୍ଷ୍ମଣ କହିଲେ–“ଗଲା କଥା ଗଲାଣି । ଉଠ, ଏବେ ଚାଲ ଯିବା । ମୁଁ ପାଖେପାଖେ ଥିବାବେଳେ ବିଗତ ମନ୍ଦକଥା କାହିଁକି ଭାବୁଛ ।”

 

ଅତି ଦୁଃଖରେ ସୀତା କହିଲେ–“ହେ ! ଭାଇ ମୁଁ କେତେ ବଡ଼ ଅନ୍ୟାୟ କରି ପକାଇଛି-। ଏହାର ପ୍ରାୟଶ୍ଚିତ୍ତ କରିବାର କ’ଣ କିଛି ଉପାୟ ନାହିଁ ? ଉଠ, ଉଠ କହି ଲକ୍ଷ୍ମଣ ତାଙ୍କୁ ହଲାଇ ଉଠାଇଲେ । ସୀତା ନିଦରୁ ଉଠିଲେ, ସେଠାରେ ନା ଥିଲେ ଲକ୍ଷ୍ମଣ ଅବା ନାରଦ-। କେବଳ ଅସୁରୁଣୀମାନେ ତାଙ୍କୁ ଘେରି ବସିଥିବାର ସେ ଦେଖିଲେ । ଉଠ ଉଠ ତୁମେ ଶୋଇଛ କ’ଣ-? ମହାମାନ୍ୟ ରାବଣ ପରା ଆସୁଛନ୍ତି । ତୁରୀ ବାଦନ ଶବ୍ଦ କ’ଣ ତୁମେ ଶୁଣିପାରୁ ନାହଁ ? ରାଜା କଥାରେ ରାଜି ହୋଇଯାଆ । ଅବାଧ୍ୟ ହୁଅନାହିଁ । ବିରାଟ ସମୁଦ୍ରର ସେପଟେ ରାମ ଲକ୍ଷ୍ମଣ ଅଛନ୍ତି-। ସେମାନେ ଏଠାକୁ କେବେହେଲେ ଆସିପାରିବେ ନାହିଁ । ତୁମେ ରାବଣର ସ୍ତ୍ରୀ । ତାଙ୍କୁ ତୁମେ କୃତଜ୍ଞତାର ସହ ଗ୍ରହଣ କରି ନିଅ । ତୁମେ ସୁଖସମ୍ଭୋଗ ଛାଡ଼ି ବୋକାଙ୍କ ପରି ପ୍ରତିବାଦ କରି କାହିଁକି ନିଜ ଜୀବନକୁ ନଷ୍ଟ କରୁଛ ? ସୀତା ଦୁଃଖ କଲେ । ଗଛଲତା ତାଙ୍କ ସହିତ ମିଶି ଦୀର୍ଘଶ୍ଵାସ ତ୍ୟାଗ କଲେ ।

 

ତା’ ପରଦିନ ସମୁଦ୍ର ଡେଇଁ ହନୁମାନ ଆସି ଲଙ୍କାରେ ପହଞ୍ଚିଥିଲେ । ସୀତାଙ୍କ ସ୍ୱପ୍ନ ହନୁମାନଙ୍କ ଆଗମନର ପୂର୍ବ ଇଙ୍ଗିତ ଦେଇଥିଲା । ଯାହାସବୁ ଘଟିବ ସେ ସ୍ୱପ୍ନରେ ଦେଖିଥିଲେ ।

 

ତା’ପରେ ଅଶୋକବନରେ କ’ଣ ହେଲା ସମସ୍ତେ ଜାଣନ୍ତି ।

 

ହନୁମାନ କିଏ ଜାଣିବା ପରେ ସେ ପ୍ରଥମେ ଲକ୍ଷ୍ମଣ ଭଲ ଅଛନ୍ତି କି ନାହିଁ ବୋଲି ପ୍ରଶ୍ନ କରିଥିଲେ । ତା’ପରେ ସ୍ୱାମୀଙ୍କ କଥା ପଚାରିଥିଲେ ।

 

ଲକ୍ଷ୍ମଣଙ୍କୁ ଅପମାନିତ କରିଥିବାରୁ ହୃଦୟରେ ତାଙ୍କର ଆଘାତର ଦାଗ ରହିଯାଇଥିଲା । ତାଙ୍କର ଆଉ ଯାହା ଦୁଃଖ ହେଲା ସେଥିରେ ଭାଗିଦାର ହେବା କଷ୍ଟ ।

 

ଆମେ ଯଦି ସୀତାଙ୍କର ଦୁଃଖ କଥା ସ୍ମରଣ କରିବା ତେବେ ଆପଣାର ଦୁଃଖ ବହୁ ପରିମାଣରେ ଭୁଲିଯାଇପାରିବା । ହନୁମାନଙ୍କୁ ଅମର ବୋଲି କୁହାଯାଏ । ଅପରକୁ ସାହାଯ୍ୟ କରିବାକୁ ସେ ସର୍ବଦା ପ୍ରସ୍ତୁତ । ଆମେମାନେ ବିପଦରେ ପଡ଼ି ଆନ୍ତରିକତାର ସହିତ ରାମ ନାମ ଉଚ୍ଚାରଣ କଲେ ଆମକୁ ସାହାଯ୍ୟ କରିବାଲାଗି ହନୁମାନ ଛାଏଁ ଛାଏଁ ଆସିଯିବେ ।

Image

 

ରାୟପ୍‌ପାନ୍

 

ବିକାବିକି କରୁଥିବା ପିଲାମାନଙ୍କ ଭିତରେ ରାୟପ୍‌ପାନ୍ ଜଣେ । ସେ ଜାତିରେ ଖ୍ରୀଷ୍ଟିଆନ, କିନ୍ତୁ ପ୍ରତିଦିନ ରାତିରେ ଗଣେଶ ମୂର୍ତ୍ତି ଆଗରେ ଯାଇ ଲମ୍ବ ହୋଇ ପଡ଼ି ମୁଣ୍ଡିଆ ମାରିବା ତା’ର ଅଭ୍ୟାସ । ମୁଣ୍ଡିଆ ମାରିସାରି ସେ ସେଠି ମୂର୍ତ୍ତିର ପଛପଟକୁ ଯାଇ ଶୋଇପଡ଼େ । ଶୋଇବା ଲାଗି ତା’ଠାରୁ ଆଉ କେଉଁଠି ଅଧିକ ଭଲ ଜାଗା ଅଛି ବୋଲି ତା’ର ମନେ ହୁଏ ନାହିଁ ।

 

ଏପରି ଏକ ଜାଗାରେ କାହିଁକି ଆସି ସେ ଶୁଏ ବୋଲି ତାକୁ ଯଦି କେହି ପଚାରେ ତେବେ ସେ କିଛି ନକହି କେବଳ ଟିକିଏ ହସି ଦିଏ । କିନ୍ତୁ କାରଣ ଜାଣିବା ଲାଗି ଯଦି କେହି ଜିଦ୍ ଧରି ବସେ ତେବେ ସେ କହେ ଏଠି ଶୋଇଲେ ତାକୁ ଶାନ୍ତି ମିଳେ ।

 

ଅନେକ ତାକୁ ପଚାରନ୍ତି ତୁମ ବାପା ଖ୍ରୀଷ୍ଟିଆନ ଥିଲେ ନା ତୁମେ ଧର୍ମ ବଦଳାଇଛ ?

 

ସେ ଦମ୍ଭର ସହିତ ଉତ୍ତର ଦିଏ–ମୁଁ ଧର୍ମ ବଦଳାଇଛି । ଏବଂ ତା’ପରେ ସେ କାଗଜ ବିକିବାକୁ ଚାଲିଯାଏ ।

 

କାଣ୍ଡସାମୀ ଆୟାର କୃଷ୍ଣଗିରୀ ତାଲୁକର ଫନ୍ଦପତି ଗାଁର ଆକାଉଣ୍ଟାଣ୍ଟ୍ । ଦିନେ ତାଙ୍କ ସ୍ତ୍ରୀ ଧୁଆଧୋଇ ହୋଇସାରି ପୋଖରୀରୁ ଉଠି ଆସିବାବେଳେ ଗୋଡ଼ ଖସି ପାଣିରେ ପଡ଼ିଗଲା । ସେ ବୁଡ଼ିଯିବା ପର୍ଯ୍ୟନ୍ତ ମୋ ପୁଅ, ମୋ ପୁଅର କ’ଣ ହେବ ବୋଲି ଚିତ୍କାର କରୁଥିଲା । ସେତେବେଳେ ଭେଙ୍କଟନାରାୟଣ ମୋଟେ ଛ’ ମାସର ଶିଶୁ । ଏହା ଘଟିବାର କିଛିଦିନ ପରେ କାଣ୍ଡସାମୀ ଆୟାର ପୁଣି ବିବାହ କଲେ । କିଛିଦିନ ପାଇଁ ସବୁ ଠିକ୍‌ଠାକ୍ ଚାଲିଲା । ତା’ପରେ କିନ୍ତୁ ଭେଙ୍କଟନାରାୟଣର ମନେ ହେଲା ତା’ ବାପା ଓ ତା’ ସାବତ ମା ତାକୁ ଅନାଦର କରୁଛନ୍ତି । ଏହି ଅନାଦର ଧୀରେ ଧୀରେ କାରଣ ଶୂନ୍ୟ ଘୃଣାରେ ପରିଣତ ହେଲା । ସେ ତା’ କଥା ମୋଟେ ଶୁଣୁ ନାହିଁ ବୋଲି କହି ସାବତ ମା ତାକୁ ମାଡ଼ ଦେଉଥିଲା । ମାଡ଼ ଖାଇ ସେ ଯେତେବେଳେ ଯାଇ ବାପାଙ୍କ ପାଖରେ ଗୁହାରି କରୁଥିଲା ସେ ମଧ୍ୟ ତା’ କଥା ନଶୁଣି ତାକୁ ବାଡ଼ାଉଥିଲେ । ପିଲାଟି ପକ୍ଷରେ ଏସବୁ ଏକାନ୍ତ ଅସହ୍ୟ ହୋଇ ଉଠିଥିଲା । କେଉଁଠି କେହି ଯଦି ଗୋଟିଏ କୁକୁରକୁ ମାଡ଼ ମାରୁଥିଲା କିମ୍ବା ପଥର ଫିଙ୍ଗୁଥିଲା ଏବଂ କୁକୁରଟି ମାଡ଼ଖାଇ ପାଟି କରି କରି ଧାଇଁ ପଳାଇ ଆସୁଥିବାର ସେ ଦେଖୁଥିଲା ତେବେ ତା’ ପ୍ରତି ସେ ସମବେଦନା ପ୍ରକାଶ କରୁଥିଲା । ଦୀର୍ଘ ସମୟ ଠିଆ ହୋଇ ରହି ତାକୁ ଦେଖୁଥିଲା । ସେତେବେଳକୁ ତାକୁ ସାତବର୍ଷ ହୋଇଥିଲା ଏବଂ ସେ ସ୍କୁଲ୍‍କୁ ଯାଉଥିଲା । ପଢ଼ାପଢ଼ିରେ ତା’ର ମୋଟେ ଆଗ୍ରହ ନଥିଲା । ପ୍ରଥମେ ପ୍ରଥମେ ତା’ ଶିକ୍ଷକମାନେ ତାକୁ ଧମକାଉଥିଲେ । କେବେକେବେ ସାମାନ୍ୟ ମାଡ଼ ଦେଉଥିଲେ । କିନ୍ତୁ ଦେଖିଲେ ତାକୁ ମାଡ଼ ଦେଇ ଲାଭ କିଛି ହେଉନାହିଁ । ଶେଷରେ ତାକୁ ଗୋଟିଏ ‘ଗଧ’ ବୋଲି କହି ଚୁପ୍‌ଚାପ୍ ରହିଲେ ।

 

ଦିନେ ସୌରୀମୁଟୁ ବୋଲି ତା’ର ଗୋଟିଏ ସାଙ୍ଗ ତା’ ଘରକୁ ତାକୁ ଡାକି ନେଇଥିଲା । ସୌରୀମୁଟୁକୁ ତା’ ମା’ ଘରର ଫାଟକ ପାଖରେ ଅପେକ୍ଷା କରି ରହିଥିଲେ । ପୁଅ ପହଞ୍ଚିବାମାତ୍ରେ ତାକୁ କୁଣ୍ଢାଇ ପକେଇ, ଚୁମା ଦେଇ ତା’ ହାତ ଧରି ଘର ଭିତରକୁ ନେଇ ଯାଇଥିଲେ । ତୋ ସଙ୍ଗରେ ସେ ପିଲାଟି କିଏ ବୋଲି ମା’ ପଚାରିଥିଲେ । ସେ ମୋ ସଙ୍ଗରେ ପଢ଼ୁଛି । ଗାଁ ଆକାଉଣ୍ଟାଣ୍ଟ୍‍ଙ୍କ ପୁଅ । ସାଙ୍ଗ ହୋଇ ଖେଳିବା ଲାଗି ମୁଁ ତାକୁ ଡାକି ଆଣିଛି । ତାକୁ କିଛି ଖାଇବାକୁ ଦେଇ ପାରିବୁ ?

 

ସୌରୀମୁଟୁ ଘରେ ଯାହା ଦେଖିଲା ଭେଙ୍କଟନାରାୟଣକୁ ସେ ସବୁ ବିଚିତ୍ର ମନେହେଲା-। ସେ ସୌରୀ ସାଙ୍ଗରେ ଦୁଇ ତିନିଥର ତାଙ୍କ ଘରକୁ ଏମିତି ଯାଇଥିଲା ।

 

ସୌରୀ ମା’ ପରି ମୋ ମା’ କାହିଁକି ମୋତେ ଆଦର ଯତ୍ନ କରୁନାହିଁ ବୋଲି ମନକୁ ମନ ଭାବିଲା । ଦିନେ ସେ ସୌରୀକୁ ପାଖକୁ ଡାକି ପଚାରିଲା ମା’ମାନେ କିପରି ତିଆରି ହୁଅନ୍ତି ? ତୁ ତୋ ମା’କୁ କିପରି ପାଇଲୁ ? ଏ ପ୍ରଶ୍ନର ଉତ୍ତର କ’ଣ ସୌରୀମୁଟୁକୁ ଜଣା ନଥିଲା । ପିଲାମାନେ କିପରି ସେମାନଙ୍କ ମା’ଙ୍କୁ ପାଆନ୍ତି ସେ ବୁଝି ନଥିଲା । ଅବଶେଷରେ ସେ କହିଲା–ଭଗବାନ ଆମକୁ ମା’ମାନଙ୍କୁ ଦେଇଛନ୍ତି । ତୋତେ ସିଏ କାହିଁକି ଗୋଟିଏ ଭଲ ମା’ ଦେଇ ନାହାନ୍ତି ମୁଁ କିଛି ବୁଝିପାରୁ ନାହିଁ ।

 

ବୋଧେ ସେ ତୋ ଉପରେ ରାଗିଛନ୍ତି ।

 

ସୌରୀ ମା’ ଆସିବାରୁ ସେ ତାକୁ ପଚାରିଲା ମା’ ଭେଙ୍କଟନାରାୟଣର ମା’ ତାକୁ ସବୁବେଳେ କାହିଁକି ମାରୁଛି ? ଏହାର କାରଣ କ’ଣ ? ମୋ ମା’ ପରି ସେ କ’ଣ ଜଣେ ଭଲ ମା’ ହୋଇ ପାରିବ ନାହିଁ ?

 

ମେରି ଟିକିଏ ହସି କହିଲା–ତୁ ଯଦି ଭଲ ପିଲା ହେବୁ ତେବେ ତୋର ମା’ ତୋତେ ବାଡ଼େଇବ ନାହିଁ । ଏହା କହୁଥିବାବେଳେ ସେ ନିଜ ପିଲାଟିକୁ ଥାପୁଡ଼ାଉଥିଲା ଓ ତା’ କପାଳରେ ଚୁମା ଦେଉଥିଲା ।

 

ଭେଙ୍କଟନାରାୟଣ ପଚାରିଲା ମୁଁ କେବେ ମୋ ମା’କୁ ପାଇଥିଲି ? ତୁମେ କେବେଠୁ ସୌରୀର ମା’ ହେଲ ?

 

ପିଲାଟିର ଅଜ୍ଞତା ଦେଖି ସେ ଦୁଃଖରେ ସାମାନ୍ୟ ହସିଲା ଓ ପଚାରିଲା ତୁ କ’ଣ ଜାଣିନାହୁଁ ? ତୋତେ କେହି କହି ନାହାନ୍ତି ? ତୁ ଯେତେବେଳେ ଛୁଆଟିଏ ହୋଇଥିଲୁ ତୋ ମା’ ସୈତାନ ପୋଖରୀରେ ବୁଡ଼ି ମରିଗଲା । ତୋ ବାପା ଆଉଥରେ ବାହାହେଲେ । ମୁଁ ବାହାଘରକୁ ଯାଇଥିଲି ଓ ପାନ ସୁପାରି ପାଇଥିଲି । ତୋ ନିଜ ମା’ ତୋତେ ପିଟୁ ନାହିଁ । ସେ ଅନେକ ଦିନୁ ମଲାଣି । ଏ ହେଲା ତୋର ସାବତ ମା’ ।

 

ଡିମାଡ଼ିମା ଆଖିରେ ଚାହିଁ ଭେଙ୍କଟନାରାୟଣ ପଚାରିଲା; ତେବେ ମୋ ମା’ ଏଇନେ କେଉଁଠି ? ସେ କହିଲା–‘ତୁ ଯଦି ଭଗବାନଙ୍କୁ ପ୍ରାର୍ଥନା କରିବୁ ତେବେ ତୋ ମା’ ତୋ ପାଖକୁ ଆସିବେ ।’

 

‘ଭଗବାନ କେଉଁଠାରେ ରହନ୍ତି ? ମୁଁ ତାଙ୍କୁ କେଉଁଠାରେ ପ୍ରାର୍ଥନା କରିବି ?’

 

କାନ୍ଥରେ ଝୁଲୁଥିବା ମା’ ମେରିଙ୍କ ଛବିକୁ ଦେଖାଇ ସେ କହିଲେ ଚାହାଁ, ଦେଖ୍ ସେଇଠି ଭଗବାନ ଅଛନ୍ତି ।

 

ଭେଙ୍କଟନାରାୟଣ ସେଠାରେ ଠିଆ ହୋଇ ଦୀର୍ଘ ସମୟ ଧରି ଛବିଟିକୁ ଚାହିଁ ରହିଲା । ସେ ନୂତନ ଜୀବନ ଲାଭ କଲା । ସେ ଘରକୁ ଫେରିଲା, ରାସ୍ତାରେ ଗୋଟିଏ ଗିର୍ଜାଥିଲା । ଝରକା ବାଟେ ସେ ଭିତରକୁ ଚାହିଁଲା । ଗିର୍ଜା ଭିତରେ ମଧ୍ୟ କାନ୍ଥରେ ଝୁଲୁଥିବା ଗୋଟିଏ ବଡ଼ ଛବି ଦେଖିଲା । ଏକ ଦୃଷ୍ଟିରେ ସେ ଛବିଟିକୁ ଚାହିଁ ରହିଲା । ଧୀରେ ଧୀରେ ସେ ଛବିଟି ଜୀବନ୍ତ ହୋଇ ଉଠିଲା ପରି ତା’ର ମନେ ହେଲା ଓ କାନ୍ଥ ଉପରୁ ତଳକୁ ଆସିଲା । ସେ ସତେ ଅବା ସ୍ନେହ ମମତାର ମୂର୍ତ୍ତିମନ୍ତ ରୂପ । ସେ ଆସି ତା’ ପାଖରେ ଠିଆ ହେଲେ । ତା’ର ମନେ ହେଲା ତା’ ପ୍ରାର୍ଥନା ଶୁଣି ସତେ ଯେମିତି ତା’ ମା’ ଆସିଗଲା । ସେ ବହୁତ ଖୁସି ହେଲା ।

 

ଭେଙ୍କଟନାରାୟଣର ମନେହେଲା ସତେ ଯେମିତି ତା’ର ମା’ ତାକୁ ଆଦରରେ ଡାକୁଛି ମୋ ସୁନାପୁଅ ଭେଙ୍କଟନାରାୟଣ । ସେ ତା’ ମୁହଁ ଉପରେ ମା’ ହାତର ସ୍ପର୍ଶ ଅନୁଭବ କରି ସ୍ପନ୍ଦିତ ହେଲା । ଯାହା ହେଉନା କାହିଁକି ସେ ତା’ର ମା’କୁ ପାଇଛି । ସେ ତାକୁ ଆଦରରେ କୁଣ୍ଢାଇ ପକାଇଛି । ମୋ ସାଙ୍ଗରେ ଆ କହି ସେ ଆଗକୁ ବଢ଼ିଲେ । ସେମାନେ ଅନେକ ଆଗକୁ ଚାଲିଗଲେ । ମଝିରେ ମଝିରେ ଅଟକି ଯାଇ ତାକୁ ଧରି ସେ ଚୁମା ଦେଉଥିଲେ ଓ କହୁଥିଲେ ବାପରେ ତୁ ସତରେ ଅନେକ କଷ୍ଟ ପାଇଲୁ । ମୋତେ ଆଗରୁ କାହିଁକି ଡାକିଲୁ ନାହିଁ ? ମୁଁ ଜାଣି ନଥିଲି, କହି ଭେଙ୍କଟନାରାୟଣ କାନ୍ଦୁଥିଲା । ଶାଢ଼ି କାନିରେ ତା’ ଆଖି ପୋଛି ଦେଇ ଆଉ ନ କାନ୍ଦିବାକୁ ସେ ତାକୁ କହୁଥିଲେ । ସେ ଦୁହେଁ ଏପରି ଚାଲି ଚାଲି ଯାଇ ଶେଷରେ ଖ୍ରୀଷ୍ଟିଆନ ପାଦ୍ରୀଙ୍କ ଘର ପାଖରେ ପହଞ୍ଚିଲେ । ଭେଙ୍କଟନାରାୟଣ ଫାଟକ ପାଖରେ ଠିଆ ହେଲା । ଏଇଟା ଗୋଟାଏ ବଢ଼ିଆ ଜାଗା, ଚାଲ, ଏ ବଗିଚା ଭିତରେ କିଛି ସମୟ ବସିବା । ଆମେ ଯଦି ଆମ ଘରକୁ ଯିବା ସେ’ ଆମ ଦୁହିଁଙ୍କୁ ଗାଳି ଦେବ କହି ସେ ଭିତରକୁ ପ୍ରବେଶ କଲା ।

 

‘ନାଇଁ ସେଠିକି ଯାଆନା’ ମା’; ସତର୍କ କରାଇ ଦେଲେ ।

 

ଭେଙ୍କଟନାରାୟଣ ପଚାରିଲା କାହିଁକି ? ଗଲେ କ୍ଷତି କ’ଣ ହେବ ?

 

‘ଭିତରୁ ନିଶ୍ଚୟ କେହି ଜଣେ ଆସିବ । ସେ ଆସିଗଲେ ମୁଁ ଆଉ ରହି ପାରିବି ନାହିଁ’ ମୁଁ ଚାଲିଯିବାକୁ ବାଧ୍ୟ ହେବି ବୋଲି ମା’ କହିଲେ ।

 

ସେ କହିଲା ମୋତେ ଭାରି ଶୋଷ ହେଲାଣି । ଚାଲ ବଗିଚା କୂଅରୁ ଯାଇ ଟିକେ ପାଣି ପିଇ ପୁଣି ଏଠିକୁ ଫେରି ଆସିବା କହି ସେ ମା’ ହାତ ଧରି ତାକୁ ଭିତରକୁ ଟାଣି ଟାଣି ନେଲା ।

 

ମୁହଁରୁ ସିଗାରେଟ କାଢ଼ି ହାତରେ ଧରି ପ୍ରଚାରକ ପାଖକୁ ଆସି ପଚାରିଲେ ‘ଏ ପିଲା, ତୁ କିଏ ? ଇତ୍ୟବସରରେ ମା’ ଅଦୃଶ୍ୟ ହୋଇଗଲେ ।

 

–‘ମା’ ମା’ ବୋଲି ପିଲାଟି ଚିତ୍କାର କଲା, ସେ ବଗିଚା ଭିତରେ ଏଣେତେଣେ ଦୌଡ଼ି ମା’ ମା’ ତୁ କୁଆଡ଼େ ଗଲୁ ଫେରିଆ । ଫେରିଆ ବୋଲି ପାଟି କରିବାକୁ ଲାଗିଲା ।

 

ପ୍ରଚାରକ ପିଲାଟିକୁ ଶାନ୍ତ କରାଇଲେ ଓ ନିଜ ଘରକୁ ନେଇଗଲେ । ପିଇବାକୁ ପାଣି ଦେଇସାରି ସେ କିଏ ବୋଲି ତାକୁ ପଚାରିଲେ । ସେତେବେଳକୁ ପିଲାଟିକୁ ଖୁବ୍ ଜ୍ଵର ।

 

“ବାବୁ, ଯିଶୁଖ୍ରୀଷ୍ଟ କେବଳ ଆମକୁ ରକ୍ଷା କରି ପାରିବେ । ସେ ହେଉଛନ୍ତି ଭଗବାନଙ୍କର ଏକମାତ୍ର ପୁତ୍ର । ଦେଖ ସେହିଠାରେ ତାଙ୍କ ଛବି ଅଛି । ସେ ତୁମକୁ ରକ୍ଷା କରିବେ । ସେଠି ତାଙ୍କର ମା’ ମେରିଙ୍କ ଛବି ମଧ୍ୟ ଅଛି । ସେଇ ମା’ ତାଙ୍କୁ ପୃଥିବୀରେ ଜନ୍ମ ଦେଇଥିଲେ । ସେହି ମା’ ତୁମକୁ ଦୟାକରି ଏଠିକୁ ଆଣିଛନ୍ତି ।”

 

ନା ନା ସେ ମୋ ମାଆ । ସେ ମେରି ନୁହଁନ୍ତି । ମୁଁ ତାକୁ ଖୋଜି ବାହାର କରିବି । ତାକୁ ଛାଡ଼ି ମୁଁ ବଞ୍ଚି ପାରିବି ନାହିଁ । ସେ ଜରରେ କମ୍ପି କମ୍ପି ସେଠାରୁ ଅନ୍ୟ ଆଡ଼େ ପଳାଇଗଲା । ସେତେବେଳେ ରାତି ହେଇ ଯାଇଥିଲା । ପ୍ରଚାରକ ଆଉ ତା’ ପଛରେ ଗଲେନାହିଁ ।

 

ଏଣେତେଣେ ଧାଁ ଧପଡ଼ କରିବା ପରେ ସେ ଶଗଡ଼ ରହୁଥିବା ସ୍ଥାନ ପାଖରେ ଥିବା ଗଣେଶଙ୍କ ମନ୍ଦିର ନିକଟରେ ପହଞ୍ଚିଲା । ସେ ଦିନ ହାଟବାର ନଥିଲା । ତେଣୁ ସେଠାରେ କେହି ନଥିଲେ । ମୂର୍ତ୍ତି ପାଖରେ କେହି ଦୀପଟିଏ ରଖି ଦେଇଥିଲା ତାହା ଦିକ୍ ଦିକ୍ ହେଇ ଜଳୁଥିଲା । ଭେଙ୍କଟନାରାୟଣ ଯାଇ ମୂର୍ତ୍ତି ସାମନାରେ ମା’ ମା’ କହି ପଡ଼ି ଯାଇଥିଲା । କିଛି ସମୟ ପରେ ଗାଢ଼ ନିଦରେ ସେ ଶୋଇ ଯାଇଥିଲା । ରାତିଅଧରେ ସେ ଉଠି ବସିଥିଲା । ତା’ ପାଖରେ ତା’ ମା’ ବସିଥିଲା ।

 

ସେ ମା’କୁ କୁଣ୍ଢାଇ ଧରି କହିଲା–ମା’ ତୁ ମୋତେ ଛାଡ଼ି ଆଉ କୁଆଡ଼େ ଚାଲିଯିବୁ ନାହିଁତ ?

 

ନା ନା କହି ସେ ତା’ ହାତରେ ମୁହଁକୁ ଥାପୁଡ଼ାଇ ଦେଇ ତାକୁ ଚୁମ୍ବନ ଦେଲା । ସବୁ ଦିନ ସନ୍ଧ୍ୟାରେ ତୁ ଯଦି ଏଠିକି ଆସି ଶୋଉ ତେବେ ମୁଁ ବି ଆସିବି । ତୋ ପାଖକୁ ମୁଁ ଦିନରେ ଆସି ପାରିବି ନାହିଁ । ସକାଳ ହେବା ପୂର୍ବରୁ ସେ ଅଦୃଶ୍ୟ ହୋଇଗଲା ।

 

ସେହି ଦିନଠାରୁ ପ୍ରତିଦିନ ଭେଙ୍କଟନାରାୟଣ ସେଠାକୁ ଶୋଇବାକୁ ଆସେ । ତା’ ମୁହଁରେ ନୂଆ ଧରଣର ଆଲୋକ ଦେଖାଗଲା । ଏଣୁତେଣୁ ଗୀତ ଗାଇ ଗାଇ ସେ ଦିନସାରା ଚାରିଆଡ଼େ ବୁଲାବୁଲି କରେ । ସେ ପାଗଳ ହେଇଗଲା କହି ଗାଁ ଲୋକେ ତା’ ପ୍ରତି ସହାନୁଭୂତି ଦେଖାନ୍ତି । ସେ କିନ୍ତୁ ପ୍ରକୃତରେ ଆନନ୍ଦ ସାଗରରେ ଭାସି ବୁଲୁଥାଏ । ରାତିରେ ତିନି ଥର ଯୋଡ଼ହସ୍ତରେ ସେ ଠାକୁରଙ୍କ ଚାରିପାଖରେ ପରିକ୍ରମା କରେ ପ୍ରାର୍ଥନା କରେ ଏବଂ ମୂର୍ତ୍ତିର ପଛରେ ଯାଇ ଶୁଏ । ପ୍ରତିଦିନ ରାତିରେ ତା’ ମା’ ତା’ ନିକଟକୁ ଆସନ୍ତି ଏଥିରେ କେବେ ଅବହେଳା କରନ୍ତି ନାହିଁ । ଏମିତି ଦୀର୍ଘ ଦିନ ଧରି ଚାଲିଲା ।

 

କୂଅ ପାଖରେ ଜଣେ ସ୍ତ୍ରୀଲୋକ କହିଲା–‘‘ଆହା, ପାଗଳ ପିଲାଟି, ଏତେ କମ୍ ବୟସରୁ ଏପରି ହେଇଗଲା ନା ?”

 

କାଣ୍ଡସାମୀର ସ୍ତ୍ରୀ କହେ–‘ଏ ସବୁ ଠକାମି ।’

 

ସତ କି ମିଛ କେବଳ ଭଗବାନ ଜାଣନ୍ତି ବୋଲି କାଣ୍ଡସାମୀ କହି ନିଜକୁ ଶାନ୍ତ କରାଏ । ଗାଁରେ ହସଖୁସିରେ ଥିବା ଅନ୍ୟାନ୍ୟ ପିଲାମାନଙ୍କୁ ଦେଖିଲେ ତା’ର ରାଗ ଓ ହିଂସା ହୁଏ ।

 

ଦିନେ ଭେଙ୍କଟନାରାୟଣ ମନ୍ଦିରକୁ ଶୋଇବାକୁ ଯାଇ ଦେଖେ ତ ଗଣେଶଙ୍କ ମୂର୍ତ୍ତି ସେଠାରେ ନାହିଁ । ମନ୍ଦିର ଭାଙ୍ଗି ମାଟି ଉପରେ ପଥର ଖୁଣ୍ଟ ଗଦା ହୋଇ ପଡ଼ିଛି । ମନ୍ଦିରକୁ ନୂଆ କରି ତୋଳିବାକୁ କେହି ତାକୁ ଭାଙ୍ଗିଥିଲା । କାମ ଆରମ୍ଭ ହୋଇ ଗଲାଣି । ମୂର୍ତ୍ତିଟିକୁ ଅନ୍ୟତ୍ର ନିଆଯାଇଥିଲା ।

 

ସେହି ମନ୍ଦିରର ଭଙ୍ଗାରୁଜା ପଥର ଉପରେ ସାରା ରାତି ପିଲାଟି ବସି ରହିଲା ମା’ କିନ୍ତୁ ଆସିଲା ନାହିଁ । ତା’ର ଅଳିକ ସ୍ଵପ୍ନ ଭାଙ୍ଗିଗଲା । ତା’ ଆଗରେ ସଂସାରଟା ପୁଣି ସ୍ନେହ ମମତା ଶୂନ୍ୟ ହୋଇ ଉଠିଲା ।

 

ଭେଙ୍କଟନାରାୟଣ ପୁଣି ଗିର୍ଜା ପାଖକୁ ଯାଇ ସେଇ ପୁରୁଣା ଝରକା ବାଟେ ଚାହିଁଲା । କାନ୍ଥରେ ସେ ମା’ ମେରିଙ୍କ ଛବି ଦେଖିଲା । ଏ ଛବି ତା’ ମା’ଙ୍କ ପରି ଦେଖା ଯାଉଥିଲା । କିନ୍ତୁ ସେ ତା’ ପାଖକୁ ଆସିଲା ନାହିଁ । ଠିକ୍‌ ଛବି ଯେପରି ରହିବା କଥା ସେହିପରି କାନ୍ଥ ଉପରେ ରହିଥିଲା ।

 

କିଛିଦିନ ଧରି ସେ ଭଙ୍ଗା ଦେଉଳ ଭିତରେ, ଗିର୍ଜା ନିକଟରେ କିଛି ହଜାଇ ଥିବା ଜିନିଷ ଖୋଜିବା ପରି ଘୂରି ବୁଲିଲା । ପରେ ଦିନେ ଧର୍ମଯାଜକଙ୍କ ପାଖକୁ ଯାଇ ତାଙ୍କୁ କହିଲା ମହାଶୟ ମୁଁ ଖ୍ରୀଷ୍ଟିଆନ ହେବାକୁ ଚାହୁଁଛି । ଖ୍ରୀଷ୍ଟ ଯାଜକ ତାକୁ ପାଖକୁ ଡାକିଲେ ଓ ସଦୟ କଣ୍ଠରେ କଥାବାର୍ତ୍ତା କଲେ ।

 

ସେ କର୍ଣ୍ଣାମ କାଣ୍ଡସାମୀ ଆୟରକୁ କହିଲେ ମା’ ମେରିଙ୍କ ଆଶୀର୍ବାଦରୁ ତୁମ ପାଗଳ ପୁଅ ଆରୋଗ୍ୟ ଲାଭ କରିଛି । ସେ ଖ୍ରୀଷ୍ଟିଆନ ହେବାକୁ ଚାହୁଁଛି । ଆମେମାନେ ତା’ ଇଚ୍ଛା ବିରୁଦ୍ଧରେ ଯିବା ଉଚିତ ନୁହେଁ ।

 

“ଆମେମାନେ ବ୍ରାହ୍ମଣ । ଏହା କିପରି ସମ୍ଭବ ହେବ ?”

 

ପାଦ୍ରୀ ଏ ନେଇ ଆଉ ଆଗେଇଲେ ନାହିଁ ।

 

ଆୟାରଙ୍କ ସ୍ତ୍ରୀ କହିଲା–‘ସେ ଯାହା ଚାହୁଁଛି କରୁ । ତା’ର ଅନ୍ୟ ଉପାୟ ନାହିଁ । ମିଛ ହେଉ ସତ ହେଉ ସେ ପାଗଳାମୀରୁ ମୁକ୍ତି ପାଉ । ଯେଉଁଠାରେ ରହୁ ପଛେ ସୁଖରେ ରହୁ ।’

 

କାଣ୍ଡସାମୀ ଆୟାର କହିଲା ରାମ ରାମ ସେ କଥା ମୁହଁରେ ଧର ନାହିଁ । ତା’ପରେ ଦିନେ ପିଲାଟି ହଠାତ୍‌ ଗାଁରୁ ଅନ୍ତର୍ଦ୍ଧାନ ହୋଇଗଲା । ସେ କୁଆଡ଼େ ଗଲା ତାହା କେହି ଜାଣି ପାରିଲେ ନାହିଁ ।

 

ମାଡ଼୍ରାସରେ ଜଣେ ବଡ଼ ଧର୍ମଯାଜକଙ୍କଦ୍ଵାରା ସେ ଖ୍ରୀଷ୍ଟ ଧର୍ମ ଗ୍ରହଣ କଲା ଏବଂ ତା’ ଖ୍ରୀଷ୍ଟିଆନ ନାମ ରହିଲା ରାୟପ୍‍ପାନ୍‍ । ଜଣେ ଖବରକାଗଜର ମାଲିକ ତାକୁ ତାଙ୍କ କାଗଜ ବିକିବାପାଇଁ ସାଙ୍ଗରେ ନେଇଗଲା । ତା’ ବାପ ମା’ ଏସବୁ କିଛି ଜାଣନ୍ତି ନାହିଁ ।

 

ଖ୍ରୀଷ୍ଟିଆନ ହେଲେ ମଧ୍ୟ ସେ ଯଦି କେଉଁଠାରେ ଗଣେଶ ମୂର୍ତ୍ତି ଦେଖୁଥିଲା ତେବେ ଯୋଡ଼ହସ୍ତରେ ତା’ ସମ୍ମୁଖରେ ଠିଆ ହେଉଥିଲା ଏବଂ ରାତିଟି ସେଇଠି କଟାଇ ଦେଉଥିଲା । ଏବେବି ତା’ର ମା’ ଲାଗି ସେ ଅପେକ୍ଷା କରି ରହିଛି । ତା’ ମା’ ଫେରିବ ବୋଲି ତା’ର ବିଶ୍ୱାସ । ଅନ୍ୟାନ୍ୟ କାଗଜ ବିକାଳି ପିଲାମାନେ ତାକୁ ଖୁବ୍‌ ଭଲ ପାଉଥିଲେ ।

 

ସଂପାଦକ କହିଲେ ଏହା ଏକ ବିଚିତ୍ର ଗଳ୍ପ । ଏଥିରେ କୌଣସି ନୀତି କଥା ନାହିଁ ? ଯଦି ଥାଏ ତାହା କ’ଣ ବୁଝାଇ ଦିଅନ୍ତୁ ।

 

ଲେଖକ ଟିକିଏ ହସି କହିଲେ ମୁଁ ମୋ ତୃପ୍ତିପାଇଁ ଲେଖିଛି ଏଥିରେ ସେପରି କୌଣସି ସତ୍ୟତା ନାହିଁ ।

 

ଆପଣ ରାୟପ୍‍ପାନ୍‍ ପରି ହସୁଛନ୍ତି । ତେବେ ବିପତ୍ନୀକ ଆଉଥରେ ବିବାହ ନକରିବା ଲାଗି ଏଥିରେ କହିଛନ୍ତି କି ?

 

“ନା ନା ସେପରି କୌଣସି ଉଦ୍ଦେଶ୍ୟ ନାହିଁ । ବିବାହ ସର୍ବଦା ଶୁଭଙ୍କର ।”

 

ତେବେ ଗଣେଶଙ୍କର ମାହାତ୍ମ୍ୟ ପ୍ରତିପାଦନ କରିବା ଉଦ୍ଦେଶ୍ୟରେ ଏହା ଲେଖିଛନ୍ତି କି-?

 

ସମସ୍ତ ପ୍ରକାର ପୂଜା ସବୁବେଳେ ଭଲ । ତେବେ ଆପଣ ସେହି ଅର୍ଥରେ ଗ୍ରହଣ କରି ପାରନ୍ତି ହୁଏତ ଏଥିରେ ସାବତ ମା’ମାନଙ୍କୁ ସତର୍କ କରି ଦିଆଯାଇଛି ।

 

ସାବତ ମା’ମାନେ ଆପଣଙ୍କ ପତ୍ରିକା ପଢ଼ନ୍ତି କି ? ତେବେତ ଭଲ କଥା ।

 

ଏବେ ଜନ୍ମ କଲା ମା’ମାନଙ୍କ ତୁଳନାରେ ସାବତ ମା’ମାନେ ପିଲାମାନଙ୍କର ଅଧିକ ଯତ୍ନ ନେଉଛନ୍ତି ।

 

ହୋଇଥିବ ସମୟ ବଦଳୁଛି । କିନ୍ତୁ ଜାଣନ୍ତି ନାଇଁ ବିଭିନ୍ନ ପ୍ରକାରର ସାବତ ମା ଅଛନ୍ତି । ଯେଉଁ ଶାଶୁକୁ ଅଳ୍ପ ବୟସ୍କା ବୋହୂର ଯତ୍ନ ନେବାକୁ ପଡ଼େ ସେ ତା’ର ସାବତ ମା । ଯେଉଁ ସ୍ତ୍ରୀଲୋକ ଛୋଟ ଚାକିରିଆଣୀ ପିଲାଟିଏ ରଖୁଛି ସେ ବି ତା’ର ସାବତ ମା ପରି । ଯେଉଁ ପୁରୁଷ ଲୋକ କୁକୁର ଛୁଆଟିଏ ପାଳେ ସେ ତା’ର ସାବତ ମା ପରି । ପୁରୁଷ ହେଉ ବା ସ୍ତ୍ରୀ ହେଉ ଯାହାକୁ ଅନ୍ୟ ଜଣଙ୍କର ବର୍ଦ୍ଧିଷ୍ଣୁ ଦେହ ଓ ମନର ଯତ୍ନ ନେବାକୁ ପଡ଼େ ସେ ତା’ର ସାବତ ମା ବୋଲି ଧରିବାକୁ ହେବ ।

 

ମା’ର ମମତା କେବକ ପ୍ରକୃତ ମମତା । ତେବେ ଅନୁରୂପ ପ୍ରେମ ଯେଉଁଠି ଦେଖାଯାଏ ତାହା ଆଦର୍ଶ ବୋଲି କୁହାଯିବ । ଅନ୍ୟମାନେ ପବିତ୍ରତା ଓ ସତର୍କତାର ସହିତ ମା’ ପରି ସ୍ନେହ କରିବାକୁ ଚେଷ୍ଟା କରିବା ଉଚିତ ।

 

ଦୁଧ, ଶିଶୁର ଶରୀର ଗଠନରେ ସାହାଯ୍ୟ କରିଥାଏ । କିନ୍ତୁ ତା’ର ମନର ବିକାଶ ଲାଗି ମମତା ରୂପକ ଦୁଧର ବିଶେଷ ପ୍ରୟୋଜନ ରହିଛି । ଏହି ମମତା ବିନା ଆତ୍ମା ବିଲୀନ ହୋଇ ଯାଇଥାଏ ।

 

ତୁମେ ଚୁପ୍‍ଚାପ୍ ଯାଅ । ତୁମକୁ ଏଠାରେ ଗୋଟାଏ ବକ୍ତୃତା ଝାଡ଼ିବାକୁ କେହି ଡାକି ନଥିଲା । ତୁମପାଇଁ ମୋ ମୁଣ୍ଡ ବଥାଇଲାଣି । ଯେତେ ଦୂର ସମ୍ଭବ ଯେଉଁ ପିଲାମାନେ ଆମ କାଗଜ ବିକୁଛନ୍ତି, ଆମେ ସେମାନଙ୍କ ଯତ୍ନ ନେଉଛୁ । ଯଦିଓ ସେମାନେ ସମସ୍ତେ ଅଳସୁଆ ଆଉ ବଦମାସ ତଥାପି ଆମେ ସେମାନଙ୍କୁ ସାହାଯ୍ୟ କରୁଛୁ ।

 

ଏ କଥା ଶୁଣି ସତରେ ମୁଁ ବହୁତ ଖୁସି । ରାୟପ୍‍ପାନ୍‍ର ଉପଯୁକ୍ତ ଯତ୍ନ ନେବା ସତ୍ତ୍ଵେ ସେ ଯଦି କେତେବେଳେ କିପରି ବିଚିତ୍ରଭାବେ ଆଚରଣ ପ୍ରଦର୍ଶନ କଲା, ତେବେ ତା’ ଉପରେ ବିରକ୍ତ ହେବେ ନାହିଁ ବରଂ ତାକୁ ଗଣେଶଙ୍କ ମନ୍ଦିରକୁ ପଠାଇ ଦେବେ ।

Image

 

Unknown

ଶାନ୍ତି

 

ବୋହୂର ବୟସ ଚଉଦ । ଶାଶୁ ଡାକି କହିଲେ–“ଲକ୍ଷ୍ମୀ ମୁଁ ଚାରି ମାଠିଆ ପାଣିକାଢ଼ି ଆଣିଛି । ତୁ ଆଉ ଚାରି ମାଠିଆ ପାଣି ଆଣି ଗାଧୁଆ କୁଣ୍ଡରେ ଭର୍ତ୍ତି କରିଦେବୁ । ମୁଁ ରୋଷେଇଘରକୁ ଯାଉଛି ।”

 

ବୋହୂଟି ମାଠିଆରେ ଦୌଡ଼ିବାନ୍ଧି କୂଅ ଭିତରକୁ ପକାଇଲା । ବାଲଟିରେ ପାଣି ଭର୍ତ୍ତି ହୋଇଗଲା । ସେ ପାଣିଟାଣି ଉଠାଇବାବେଳେ ତା’ ବାମ ବାହୁରେ ହଠାତ୍ କଷ୍ଟ ଅନୁଭବ କଲା । ତେଣୁ ସେ ଆଉ ପାଣି ଟାଣି ପାରିଲା ନାହିଁ । ସେ ପ୍ରହସନ କରିବାକୁ ଚାହୁଁ ନଥିଲା । ତେଣୁ ପାଦରେ ଦଉଡ଼ିକୁ ମାଡ଼ିଧରି କୌଣସିମତେ କେବଳ ଡାହାଣ ହାତରେ ଚାରି ପାଞ୍ଚ ବାଲଟି ପାଣି କାଢ଼ି କୁଣ୍ଡରେ ଭର୍ତ୍ତି କରିଥିଲା ।

 

ଏ ହେଲା ଗୋଟିଏ ପୁରୁଣାକାଳିଆ ଗରିବ ପରିବାରର ଚଳଣି । ଝିଅ ଘରଯୋଗ୍ୟା ହେଲାପରେ ପ୍ରୟୋଜନୀୟ ବିଧିବିଧାନ ଅନୁଷ୍ଠିତ ସରିବା ସଙ୍ଗେ ସଙ୍ଗେ ସେ ତା’ ସ୍ଵାମୀ ସାଙ୍ଗେ ରହିବା ଲାଗି ଆସିଥିଲା । ତା’ ଶାଶୁ ଘରେ ବୋହୂକୁ ପାଇ ଖୁସି ହୋଇଯାଇଥିଲା । ଜଣକ ଉପରେ ହାକିମିପଣିଆ କରିବାକୁ ପାଇ କିଏ ବା ଖୁସି ନ ହୁଅନ୍ତା ।

 

ଶାଶୁ ଯେଉଁସବୁ କାମ ବତାଉଥିଲା ଲକ୍ଷ୍ମୀ ସେ ସବୁକୁ ଭଲଭାବରେ ଓ ଖୁସିରେ କରୁଥିଲା । ମାତ୍ର କୂଅରୁ ପାଣି କାଢ଼ିବାଟା ତା’ ପକ୍ଷରେ ଅସମ୍ଭବ ହୋଇ ପଡ଼ୁଥିଲା । ଅତି କଷ୍ଟରେ ସେ ଦିଦିନ କୌଣସିମତେ ପାଣି କାଢ଼ିଥିଲା । ତୃତୀୟ ଦିନ ରାତିରେ ସଂକୋଚ କରି ସେ ସ୍ୱାମୀକୁ କହିଲା–“ତୁମେ ଯଦି ରାଗିବ ନାହିଁ ମୁଁ ତୁମକୁ ଗୋଟିଏ କଥା କହିବି ।”

 

ନାଟେସନ୍ କହିଲା–‘‘କ’ଣ ହୋଇଛି କହ !”

 

ତୁମେ କାଳେ ରାଗିବ–ଲକ୍ଷ୍ମୀ ଆଉଥରେ କହିଲା ।

 

ନାଟେସନ୍‌ ନ ରାଗିବା ଲାଗି ପ୍ରତିଶ୍ରୁତି ଦେଇ ସ୍ତ୍ରୀ କ’ଣ କହିବାକୁ ଚାହୁଁଛି ନିର୍ଭୟରେ କହିବାକୁ ସେ କହିଥିଲା ।

 

“ମୁଁ କୂଅରୁ ପାଣି କାଢ଼ିପାରୁ ନାହିଁ । ମୋ ହାତ ବିନ୍ଧୁଛି । ମୁଁ ଯଦି ମା’ଙ୍କୁ ଏକଥା କହିବି ସେ ହୁଏତ ମୋତେ ଭୁଲ ବୁଝିବେ । ଏତିକି କହି ସେ ସ୍ଵାମୀଙ୍କୁ ଚାହିଁ ରହିଲା । ସତେ ଯେପରି ସେ ଗୋଟାଏ କିଛି ବଡ଼ ଭୁଲ କରି ପକାଇଛି ।

 

ନାଟେସନ୍ ପ୍ରଥମେ ରାଗିଗଲା ପରି ମନେ ହେଲା । ସେ ଭାବିଲା ଶାଶୁବୋହୂ କଳି ଆରମ୍ଭ ହୋଇଗଲା । କିନ୍ତୁ ସ୍ତ୍ରୀ ଯେତେବେଳେ କି ଧରଣର ଅସୁବିଧା ହେଉଛି ବୁଝାଇଦେଲା, ତା’ର ଆଉ ଅବୁଝା କିଛି ରହିଲା ନାହିଁ । ଏହା ଶାଶୁ–ବୋହୂ କଳି ନୁହେଁ । ସ୍ତ୍ରୀ ହାତରେ କିଛି ଗୋଟାଏ ଦୋଷ ରହିଛି ବୋଲି ସେ ବୁଝିପାରିଲା । ସେଦିନ ରାତିରେ ଅନେକ ସମୟ ପର୍ଯ୍ୟନ୍ତ ନାଟେସନ୍ ଶୋଇପାରିଲା ନାହିଁ । ନୂଆ ସଂକଳ୍ପ ନେଇ ସେ ସକାଳୁ ଉଠି ପଡ଼ିଲା । ପ୍ରତିଦିନ ଉଠି ସେ କିଛି କିଛି ବ୍ୟାୟାମ କରୁଥିଲା । ସେ ବ୍ୟାୟାମ ନ କରି ଯଦି ପାଣି କାଢ଼ି କୁଣ୍ଡରେ ଭର୍ତ୍ତି କରେ ତେବେ ତା’ର ଛାଏଁ ଛାଏଁ ବ୍ୟାୟାମ ହୋଇଯିବ । ସଙ୍ଗେ ସଙ୍ଗେ ସ୍ତ୍ରୀ ମଧ୍ୟ ଅସୁବିଧାରୁ ରକ୍ଷା ପାଇଯିବ । ସେ ସ୍ତ୍ରୀକୁ ଡାକ୍ତର ପାଖକୁ ନେଇ ଦେଖାଇବ ବୋଲି ମନେମନେ ଠିକ୍ କଲା ।

 

ତା’ ମା’ ରାଗି ଉଠି ପଚାରିଲା–କିରେ, ନାଟେସନ୍ ତୁ କାହିଁକି ପାଣି କାଢ଼ୁଛୁ । ପାଣି କାଢ଼ିବା ବୋହୂର କାମ । ଟିକିଏ ପାଣି କାଢ଼ିବାପାଇଁ ତା’କୁ କହିବାରୁ କ’ଣ ତୁ ମୋତେ ଦଣ୍ଡ ଦେଉଛୁ ? ସେ କହିଲା–ନା ମା’ ସେ କଥା ନୁହେଁ, ମୁଁ ତା’ ଲାଗି ପାଣି କାଢ଼ୁନାହିଁ । ମୋ ଭଲପାଇଁ ମୁଁ ଏପରି କରୁଛି । ଏଣିକି ତୁମେ ଦୁହେଁ ଘର କାମ କରିପାରିବ । ପ୍ରତିଦିନ ସକାଳୁ ମୁଁ ପାଣି କାଢ଼ିଦେବି । ଫଳରେ ପାଣିକଢ଼ା ଓ ବ୍ୟାୟାମ ଦୁଇଟା ଏକ ସଙ୍ଗରେ ହୋଇଯିବ । ସେ ଭାବିଲା ସେ ଯଦି ମା’କୁ ସ୍ତ୍ରୀର ହାତ କଥା କହେ ତେବେ ସେ ତା’ ଉପରେ ନିଶ୍ଚୟ ବିରକ୍ତ ହେବ ।

 

ମା’ ଗାରୁଗାରୁ ହେବାକୁ ଲାଗିଲା । ଏସବୁ ବୋହୂର ବଦମାସି ବୋଲି ଭାବିଲା । ତା’ପରଠୁ ସେ ବୋହୂକୁ ଘୃଣା କରିବାକୁ ଆରମ୍ଭ କଲା ।

 

ନାଟେସନ୍‌ର ମା’ ପାର୍ବତୀ ଆମ୍ମାଲର ଗୋଟିଏ ଝିଅ ଥିଲା । ତା’ ନାଁ ସୀତାମ୍ମା । ସେ ନାଟେସନ୍‍ଠାରୁ ବୟସରେ ବଡ଼ । ତା’ର ସ୍ଵାମୀ ମରିଯାଇଛି । ସ୍ଵାମୀ ମରିବା ଦିନଠାରୁ ସେ ଆସି ବାପ ଘରେ ଅଛି । ଅଳସୁଆମି ଓ ଅନ୍ୟମାନଙ୍କର ଦୋଷ ବାଛିବାରେ ତା’ର ଦିନ କଟେ ।

 

ସୀତାମ୍ମା କହିଲା–“ନାଟେସନ୍‌ର ସ୍ୱାସ୍ଥ୍ୟ ଲାଗି ବ୍ୟାୟାମ କରିବା କଥା ଯାହା କହୁଛି ସେସବୁ ଏକଦମ୍ ବାଜେକଥା । ଏସବୁ ବୋହୂର ବଦମାସି । ହଠାତ୍ ତା’ର କ’ଣ ହୋଇଗଲା ? ଏପର୍ଯ୍ୟନ୍ତ ତ ତା’ ଦେହ କିଛି ହେଉ ନଥିଲା ।”

 

ମା’ କହିଲା–“ଘର ଲାଗି ପୁରୁଷ ଲୋକଟା ପାଣି ବୋହିବ କେଡ଼େ ଲଜ୍ଜାର କଥା ।”

 

‘‘ଝିଅ କହିଲା–“ରାଣୀ ଆରାମରେ ଚୁପ୍‌ଚାପ୍ ବସନ୍ତୁ । ମୁଁ ସବୁ ପାଣି ବୋହି କୁଣ୍ଡରେ ପୂରାଇ ଦେବି ।” ଏହିପରି ସମାଲୋଚନା ଚାଲିଲା । ନାଟେସନ୍‌ର ଗ୍ରାହସ୍ଥ୍ୟ ଜୀବନର ନୂତନ କାନନରେ କଣ୍ଟକାକୀର୍ଣ୍ଣ ଗୁଳ୍ମରାଜୀ ବଢ଼ିବାକୁ ଲାଗିଲା । ସେଠାରେ ସ୍ନେହ ମମତା ନିମନ୍ତେ ଆଉ ସ୍ଥାନ ରହିଲା ନାହିଁ । ଲକ୍ଷ୍ମୀର ଆତ୍ମା ଦୁଃଖରେ ଜର୍ଜରିତ ହୋଇ ଉଠିଲା । ଲକ୍ଷ୍ମୀ ଦିନେ ଭୋରରୁ ଉଠି ଚୁପ୍‌ଚାପ୍ କୂଅ ପାଖକୁ ଗଲା ଓ ପ୍ରଥମ ଦିନ ପାଦରେ ଦୌଡ଼ି ଚାପି ଧରି ଯେପରି ପାଣି କାଢ଼ିଥିଲା ସେହିପରି କୌଣସିମତେ ପାଣି କାଢ଼ି କୁଣ୍ଡରେ ଭର୍ତ୍ତିକଲା । ତା’ପରେ ସେ ଫେରିଆସି ବିଛଣାରେ ଶୋଇଲା । ନାଟେସନ୍ ଉଠି ସବୁଦିନ ପରି ସେଥର ପାଣି ଭର୍ତ୍ତି କରିବାକୁ ଯାଇ ଦେଖିଲା ଯେ କୁଣ୍ଡରେ ପାଣି ପୂରି ରହିଛି । ହୁଏତ ତା’ ମା’ କୁଣ୍ଡରେ ପାଣି ପୂରାଇଛି ବୋଲି ଧରିନେଇ ସେ ନିଜ କାମରେ ବାହାରିଗଲା । ପରଦିନ ମଧ୍ୟ ସେଇୟା ଘଟିଲା । ସେ ମନକୁ ମନ କହିଲା–“ଏବେ କ’ଣ କରିହେବ । ହଇରାଣ ହୋଇ ମୁଁ ପାଣିକାଢ଼ି କୁଣ୍ଡରେ ପୂରାଇବାକୁ ତ ମା’ ଚାହୁଁ ନାହିଁ । ସେ ଏକଥା ଆଉ କାହାକୁ କହିପାରିଲା ନାହିଁ । ସେଦିନ ରାତିରେ ଲକ୍ଷ୍ମୀକୁ ଜ୍ଵର ହେଲା । ତା’ ବାମବାହୁ ଅସମ୍ଭବ ଫୁଲିବାକୁ ଲାଗିଲା । ତା’ପରେ ନାଟେସନ୍ ବୁଝିଲା ଘଟଣଟା କ’ଣ ? ସେ ଚିନ୍ତିତ ହୋଇ ବିଛଣାରେ କିଛି ସମୟ ଚେଇଁ ପଡ଼ି ରହିବା ପରେ ଶୋଇପଡ଼ିଲା ।

 

ତା’ ପରଦିନ କଠିନ ହୃଦୟା ତା’ ମା’ କହିଲା–‘ଜନ୍ମରୁ ତା’ ବୋହୂ ହାତରେ ଏ ଦୋଷ ରହିଯାଇଛି । ଆମ ଦୁର୍ଭାଗ୍ୟକୁ ଏ ଅଭିଶାପ ଆସି ଆମ ଘରେ ପଡ଼ିଲା । ନାଟେସନ୍ ଆଉ ସମ୍ଭାଳି ପାରିଲାନାହିଁ । ସେ ତା’ ମା’ ସାଙ୍ଗେ କଳି କଲା । ଅସୁସ୍ଥ ଥାଇ ଅସମ୍ଭବ ଯନ୍ତ୍ରଣା ଭୋଗୁଥିବା ସ୍ତ୍ରୀ ଉପରେ ମଧ୍ୟ ସେ ବିରକ୍ତ ହେବାକୁ ଆରମ୍ଭ କଲା । ଦୁଇଦିନ ଏହିପରି ଚାଲିଗଲା । ତା’ପରେ ଲକ୍ଷ୍ମୀକୁ ଆସି ତାଙ୍କ ଘରକୁ ନେଇଯିବା ପାଇଁ ସେ ତା’ ଶ୍ଵଶୁରକୁ ଖଣ୍ଡିଏ ଚିଠି ଲେଖିଦେଲା । ଚିଠି ଅନୁଯାୟୀ ଲକ୍ଷ୍ମୀର ବାପା ଆସି ପହଞ୍ଚିଲେ ।

 

ପାର୍ବତୀ ଆମ୍ମାଲ ପଚାରିଲା ଜନ୍ମରୁ ତୁମ ଝିଅର ହାତରେ ଗୋଟାଏ ଦୋଷ ରହିଛି, ତମେ ଏକଥା ମୋତେ କହିଲ ନାହିଁ କାହିଁକି ?

 

ଧୀରସ୍ଥିରଭାବେ ସେ ଉତ୍ତର ଦେଲା ଜନ୍ମରୁ ମୋ ଝିଅ ଏପରି ନୁହେଁ । ବେଳେବେଳେ ତା’ ବାହୁ ଏମିତି ଫୁଲିଯାଏ । ଆଜି ମୁଁ ତାକୁ ଘରକୁ ନେଇଯାଉଛି । ସେ ଭଲ ହୋଇଗଲେ ଆଣି ତାକୁ ଛାଡ଼ିଦେଇ ଯିବି । ଜର ଥିବା ଅବସ୍ଥାରେ ସେ ତାକୁ ତାଙ୍କ ଘରକୁ ନେଇ ଚାଲି ଯାଇଥିଲା ।

 

କେତେ ପ୍ରସ୍ତାବ ଆସି ନଥିଲା । ଏହି ପଙ୍ଗୁ ଝିଅଟିକୁ ହଜାର ଟଙ୍କାପାଇଁ ଆମେ ସିନା ଅନ୍ୟ ସବୁ ପ୍ରସ୍ତାବଗୁଡ଼ିକୁ ମନା କରିଦେଲୁ । ଆମ ଋଣ ପରିଶୋଧ କରିବା ଲାଗି କ’ଣ ଅନ୍ୟବାଟ ନଥିଲା । ସବୁ ଭାଗ୍ୟ ଦୋଷ ।

 

ପାର୍ବତୀ ଆମ୍ମାଲ ଓ ସୀତାମ୍ମା ସେମାନଙ୍କ ଭିତରେ ପ୍ରତିଦିନ ଏହିପରି କଥାବାର୍ତ୍ତା ହୁଅନ୍ତି । ନାଟେସନ୍ ତା’ ଶ୍ଵଶୁରଙ୍କଠାରୁ ଗୋଟିଏ ଚିଠି ପାଇଲା । ସେଥିରେ ତା’ ସ୍ତ୍ରୀର ବାହୁରେ ଫୁଲା କମିଛି, ଜର କମିଛି କିନ୍ତୁ ଏବେବି ସେ ଚଲାବୁଲା କରିପାରି ନାହିଁ ବୋଲି ଲେଖିଥିଲେ ।

 

ମାସକ ପରେ ପୁଣି ଚିଠି ଆସିଲା ଜର ପୁଣି ନେଉଟିଲା ।

 

ପାର୍ବତୀ ଆମ୍ମାଲ କହିଲା–“ଏ ଭଲ ନ ହେବା ରୋଗ । ଏହା ପୂର୍ବଜନ୍ମର କର୍ମ ଫଳ ।

 

ନାଟେସନ୍ କହିଲା–‘ସେୟା ହୋଇଥିବ । ଆମ ପାପପାଇଁ ଆମକୁ ଭୋଗିବାକୁ ହେବ-

 

ମା’ କହିଲା–“ମୁଁ ଏସବୁ ଆଉ ଭୋଗିପାରିବି ନାହିଁ । ତୋତେ ପୁଣି ବିଭା କରିବାକୁ ହେବ ।”

 

ବାଜେକଥା କହନାହିଁ କହି ନାଟେସନ୍ ତା’ ଅଫିସ୍‍କୁ ଚାଲିଗଲା । ତାଲୁକ୍ ଅଫିସ୍‍ରେ ସେ କିରାଣି ଥିଲା ।

 

ଏହିପରି ବର୍ଷଟାଏ ଚାଲିଗଲା । ଦିନେ ପାର୍ବତୀ ଆମ୍ମାଲର ସାନଭାଇ ତା’ର ବାରବର୍ଷ ଝିଅ ମୀନାକ୍ଷୀକୁ ଧରି ଆସି ନାଟେସନ୍ ଘରେ ପହଞ୍ଚିଲା ।

 

ପାର୍ବତୀ ଆମ୍ମାଲ କହିଲା–“ଦେଖ୍, ଝିଅଟି ଦେଖିବାକୁ କେଡ଼େ ସୁନ୍ଦରୀ । ତୋ ବିଭାବେଳକୁ ସେ ଅତି ସାନ ହୋଇଥିଲା । ନହେଲେ ଆମେ ତାକୁ ତୋତେ ବିଭା କରାଇ ଥାଆନ୍ତୁ-। ତା’ଲାଗି କାହିଁକି ଆମେ ଏଣେତେଣେ ଯାଇ ବର୍ତ୍ତମାନ ପାତ୍ର ଖୋଜିବା । ସେ ଆମ ନିଜ ପିଲାଟା ଆମ ନିଜ ଘରକୁ ଆସୁ ।”

 

ନାଟେସନ୍ ପ୍ରଥମେ ଏ ପ୍ରସ୍ତାବରେ ରାଜି ହେଲା ନାହିଁ । ମାତ୍ର ଜଣକ ସହିତ କୌଣସି କଥାରେ ବରାବର ଲଗାଇଲେ ତାହା ବ୍ୟର୍ଥ ହୁଏ ନାହିଁ । ତା’ ପରବର୍ଷ ଚଇତ୍ର ମାସରେ ଠାକୁର ତିରୁପତିଙ୍କ ସମ୍ମୁଖରେ ତା’ର ଦ୍ଵିତୀୟ ବିବାହ ଅନୁଷ୍ଠିତ ହୋଇଗଲା ।

 

–୨–

 

ବିବାହର ଛ’ ମାସ ପରେ ମୀନାକ୍ଷୀ ସ୍ଵାମୀ ଘରକୁ ଆସିଥିଲା । ପାର୍ବତୀ ଆମ୍ମାଲ ତା’ପ୍ରତି ଅତି ସଦୟଥିଲା । ସେ ଅତି କର୍ମ ନିପୁଣା ଓ ସୁନ୍ଦରୀ ଝିଅ ଥିଲା । ବୟସରେ ଛୋଟ ହୋଇଥିଲେହେଁ ସେ ଘରର ସମସ୍ତ କାମ କରୁଥିଲା । ଏ ସବୁସତ୍ତ୍ୱେବି ନାଟେସନ୍ ମନରେ ଶାନ୍ତି ନଥିଲା । କିଛି ଗୋଟାଏ କଥା ତା’ ମନକୁ ଘାରୁଥିଲା ।
 

ଦିନେ ମୀନାକ୍ଷୀ ପଚାରିଲା–‘‘ତୁମେ କାହିଁକି ମୋତେ ଭଲ ପାଉନାହଁ ?”

 

ନାଟେସନ୍ କହିଲା–“ମୁଁ ଭଲ ପାଉନାହିଁ ବୋଲି ତୁ କିପରି ଜାଣିଲୁ ? ମୁଁ ତୋତେ କ’ଣ ଗାଳି ଦେଇଛି ନା ବାଡ଼ାଇଛି ।”

 

ମୀନାକ୍ଷୀ କହିଲା–“ମୁଁ ତୁମକୁ କିଛି ପଚାରିଲେ ତୁମେ ଉତ୍ତର ଦେଉନାହଁ । ସତ କହିବାକୁ ଗଲେ ତମ ମନଯାଇ କ୍ରୀଷ୍ଣପୁରମ୍‌ରେ ।

 

କ୍ରୀଷ୍ଣପୁରମ୍ ଲକ୍ଷ୍ମୀର ବାପଘର ଗାଁ । ସେଠାରେ ଲକ୍ଷ୍ମୀ ଅସୁସ୍ଥ ହୋଇ ପଡ଼ିଥିଲା ।

 

ନାଟେସନ୍‌ର ଦ୍ଵିତୀୟ ବିବାହର ଅଳ୍ପଦିନ ପରେ ଲକ୍ଷ୍ମୀର ଜ୍ଵର ଅନେକଟା କମି ଆସିଲା-। ବାହୁର ଫୁଲାବି ଭଲ ହୋଇ ଆସିଲା । ସେ ଖୁବ୍ ଶୀଘ୍ର ଆରୋଗ୍ୟ ହୋଇଗଲା ।

 

ପାର୍ବତୀ ଆମ୍ମାଲ କହିଲା–‘‘କେଡ଼େ ବଡ଼ ଠକେଇ ସତେ । ମୁଁ ଶୁଣୁଛି ବର୍ତ୍ତମାନ ନିଜ ମା’ ଘରେ ଯେତେ ପାଣି ଦରକାର ସବୁତ କାଢ଼ୁଛି, କିନ୍ତୁ ଏଠି ଥିଲାବେଳେ ଚାରିମାଠିଆ ପାଣି କାଢ଼ିପାରୁ ନଥିଲା । ସେ ପୁଣି କହିଲା–‘‘ସେ ଏଠିକି ପୁଣି ଆସିବ ବୋଲି ଭାବୁଛି । ପକ୍କା ଛଟକୀ ଅଛି । ବର୍ତ୍ତମାନ ଯଦି ସେ ଆମ ଘରକୁ ଆସେ ତେବେ ଅସୁବିଧା ହେବ । ଆମ ପୁଅକୁ ଅଯଥା ଦି’ଟା ସ୍ତ୍ରୀ ପୋଷିବାକୁ ପଡ଼ିବ । ଅସମ୍ଭବ, ଏ କଥା କେବେ ହୋଇପାରିବ ନାହିଁ ।”

 

ମା’ ସେଥିରେ କିଛି ଯାଏଁ ଆସେ ନାହିଁ । ତା’ କଥା କ’ଣ ଶୁଣିଥିଲୁ କି ତୋଲି ସୀତାମ୍ମଲ ପଚାରିଲା ।

 

ମା’ କହିଲା–“ସେ ଲଜ୍ଜାକର କଥା ସବୁ ଆଉ ପକାନା ।”

 

ସୀତାମ୍ମଲ କହିଲା–“ମୁଁ ଖାଲି ଭାବୁଛି ନାଟେସନ୍ ଏ କଥା ଜାଣୁ । କିନ୍ତୁ କାହା ମୁହଁରେ କିଏ ବାଡ଼ବତା ଦେବ ।’’

 

କ୍ରୀଷ୍ଣପୁରମ୍ ଗାଁ ଲୋକ କିନ୍ତୁ ଏ ବିଷୟରେ କିଛି କହୁ ନଥିଲେ । ଲକ୍ଷ୍ମୀ ପ୍ରତି ସମସ୍ତଙ୍କର ଦରଦ ଥିଲା । ତା’ପ୍ରତି ନିର୍ମମଭାବେ ଅନ୍ୟାୟ କରାଗଲା । ଦିନ କେଇଟା ସେ ଅସୁସ୍ଥ ହୋଇ ପଡ଼ିବାରୁ ତା’କୁ ଛାଡ଼ିଦେବାଟା ଠିକ୍ ହେଲା ନାହିଁ ବୋଲି ସେମାନେ କହିଲେ । ତା’ ସ୍ୱାମୀ ପୁଣି ବିଭାକଲା କି ଅନ୍ୟାୟ କଥା ।

 

କେତେକ କହିଲେ–“ସେମାନଙ୍କୁ କଚିରିକୁ ଆଣି ଉପଯୁକ୍ତ ଶିକ୍ଷାଦେବା ଉଚିତ ।”

 

ଏହିପରି କିଛିଦିନ ବିତିଗଲା । ପ୍ରଥମେ ପ୍ରଥମେ ଲକ୍ଷ୍ମୀ ଲଜ୍ଜାରେ ବାହାରେ ମୁହଁ ଦେଖାଇ ପାରୁ ନଥିଲା । ସବୁବେଳେ ଘର ଭିତରେ ଲୁଚି ରହୁଥିଲା ।

 

କେତେଦିନ ସେ ଏହିପରି ଆଉ ରହିପାରନ୍ତା ? ପାଖରେ ଥିବା ଦେଉଳକୁ ପ୍ରଥମେ ସେ ଯିବାଆସିବା କରିବାକୁ ଆରମ୍ଭ କଲା । ସେ ଦେଉଳରେ ହନୁମାନ ପୂଜା ପାଉଥିଲେ । ପ୍ରତିଦିନ ନଈରେ ଗାଧୋଇସାରି ସେ ଯାଇ ଏହି ହନୁମାନଙ୍କ ପାଖରେ ପ୍ରାର୍ଥନା କରି କହେ, “ହେ ପ୍ରଭୁ ତୁମେ ସୀତା ଦେବୀଙ୍କୁ ରକ୍ଷା କରିଥିଲ । ମୋ ପ୍ରତି ତୁମେ କାହିଁକି ଟିକିଏ ଦୟା କରୁନାହଁ ।” ପ୍ରତିଦିନ ଏହିପରି ସେ ତା’ର ଦୁଃଖ ଜଣାଏ । ଦେଖୁଦେଖୁ ଏହିପରି ଦୁଇବର୍ଷ ବିତିଗଲା । ସେ ନିଜକୁ ସାନ୍ତ୍ୱନା ଦେଇ କହେ ହୁଏତ ମୁଁ ପୂର୍ବଜନ୍ମରେ ଗୋଟାଏ ଖୁବ୍ ବଡ଼ ପାପ କରିଥିଲି । ମାତ୍ର ଭଗବାନଙ୍କ ଉପରେ ତା’ର ବିଶ୍ଵାସ ସାମାନ୍ୟ ମାତ୍ର ହ୍ରାସ ପାଇ ନଥାଏ ।

 

ଶାଶୁ ଓ ନଣନ୍ଦଙ୍କ ପରି କ୍ରୀଷ୍ଣପୁରମ୍‌ରେ କେତେକ ତା’ର ଅପନିନ୍ଦା କରି ମଧ୍ୟ ଆନନ୍ଦ ପାଉଥିଲେ ।

 

ସେମାନେ କହିଲେ–‘‘ବିନା କାରଣରେ ସେମାନେ ତାକୁ କେବେ ଘରୁ ବିଦା କରି ଦେଇ ନାହାନ୍ତି । ୟା’ର ନିଶ୍ଚୟ କିଛି ନା କିଛି ଭୁଲ୍ ରହିଛି ।” ବିଭିନ୍ନ ପ୍ରକାରର କଥା ମନରୁ କାଢ଼ି ଅନେକ କହିବାକୁ ଲାଗିଲେ । ଲକ୍ଷ୍ମୀକୁ ଶୁଣାଇ ଶୁଣାଇ ତା’ ବଡ଼ ଭାଇର ସ୍ତ୍ରୀ ଅଭିଯୋଗ କଲା କେତେ ଦିନ ପର୍ଯ୍ୟନ୍ତ ସ୍ଵାମୀଠୁ ଦୂରରେ ଗୋଟେ ଝିଅ ରହିପାରେ ? ଏପରି ବଞ୍ଚି ରହିବା ଅପେକ୍ଷା ଦଉଡ଼ି ଲଗେଇଦେବା ଅଧିକ ବରଂ ଭଲ । ତାକୁ ଏପରି କଥା କହିବାକୁ ମନା କରିବାଲାଗି କେହି ନଥିଲେ । ଲକ୍ଷ୍ମୀର ମା’ ଅନେକ ଦିନୁ ମରିଯାଇଛନ୍ତି ଓ ବାପା ଏବେ ଅସୁସ୍ଥ । ଗୋଡ଼ର ଘା’ ବିଷାକ୍ତ ହୋଇଯିବାରୁ ସେ ଗତ ତିନିମାସ ହେଲା ବିଛଣାରେ ପଡ଼ି ରହିଛନ୍ତି । ଏହି ତିନିମାସ ହେଲା ବାପାର ସେବା ଶୁଶ୍ରୂଷା କରିବାରେ ବ୍ୟସ୍ତ ରହି ସେ ତା’ର ନିଜର ଦୁଃଖ ଭୁଲି ଯାଇଥିଲା ।

 

ବାପ ପୁଅକୁ ପାଖକୁ ଡାକି କହିଲେ–‘‘ମୁଁ ଆଉ ବଞ୍ଚିବି ନାହିଁ । କିନ୍ତୁ ମୁଁ ତୋତେ ଗୋଟେ କଥା କହୁଛି ଶୁଣୁ, ତୁ ଲକ୍ଷ୍ମୀକୁ ନେଇ ନାଟେସନ୍‌ ପାଖରେ ଛାଡ଼ି ଦେଇ ଆସେ । ସେଠାରେ ତା’ ଭାଗ୍ୟରେ ଯାହା ଅଛି ସେ ଭୋଗ କରିବ । ମୋ ପରେ ସେ ଏଠାରେ ଆଉ ରହିପାରିବ ନାହିଁ, କହି ସେ ପାଟିକରି କାନ୍ଦି ଉଠିଲା ଓ ଅଚେତ ହୋଇଗଲା । ଏହି ଅବସ୍ଥାରେ ତିନିଦିନ ପଡ଼ି ରହିବା ପରେ ତା’ର ପ୍ରାଣବାୟୁ ଉଡ଼ିଗଲା ।

 

–୩–

 

ବାପର ଶେଷଇଚ୍ଛା ପୂରଣ କରିବା ଲାଗି ଲକ୍ଷ୍ମୀର ଭାଇ ସବୁପ୍ରକାର ଚେଷ୍ଟା କଲା । ମାତ୍ର ତା’ର ସବୁଚେଷ୍ଟା ବିଫଳ ହେଲା । ପାର୍ବତୀ ଆମ୍ମାଲ କହିଲା–‘‘ବଦନାମ ହେଇଥିବା ଝିଅକୁ ମୁଁ ଆଉ ଘରେ ପୂରେଇବି ନାହିଁ । ମା’ କଥାରେ ଝିଅ ଜୁଆ ଦେଲା । ଇଚ୍ଛା ଥିଲେହେଁ ଲକ୍ଷ୍ମୀକୁ ଘରକୁ ନେବା ଭଳି ସାହସ ନାଟେସନ୍‌ର ଥିଲା । କୌଣସି କାରଣରୁ ସେ ଲକ୍ଷ୍ମୀକୁ ଗ୍ରହଣ କରି ପାରିବ ନାହିଁ ବୋଲି ସ୍ପଷ୍ଟ କହି ତା’ର ଭାଇକୁ ଫେରାଇ ଦେଇଥିଲା ।”

 

ଲକ୍ଷ୍ମୀ ଯଥାରୀତି ହନୁମାନଙ୍କର ମନ୍ଦିରରେ ପୂଜା ଆରଧନା କରୁଥିଲା । ସେଠି ବସାଉଠା କରୁଥିଲା । ସେଠାରେ ଠିଆ ହୋଇଥିବା ଗାଈଆଳ ପିଲାଟି ତାକୁ ଦିନେ ପଚାରିଲା–“ତୁ କାହିଁକି କାନ୍ଦୁଛୁ ?’’ ପ୍ରତିଦିନ ସେ ହନୁମାନଙ୍କଠାରେ ଭୋଗ କରୁଥିବା କଦଳୀଟି ପିଲାଟିକୁ ଖାଇବାକୁ ଦେଉଥିଲା । ଏହି ହେତୁରୁ ତାଙ୍କର ବନ୍ଧୁତ୍ଵ ବୃଦ୍ଧି ପାଇଥିଲା । ପିଲାଟିର କଥାରେ କୌଣସି ଜବାବ ନ ଦେଇ ସେ ସେହିପରି କାନ୍ଦେ । ସେ କହେ ବୁଝିଲୁ ଭାଇ, ଭଗବାନଙ୍କର ମୋ ଉପରେ ମୋଟେ ଦୟା ନାହିଁ । ମୁଁ ମରିବାକୁ ଚାହୁଁଛି, କିନ୍ତୁ ମୋର ମରଣ ହେଉ ନାହିଁ । ସେଥିପାଇଁ ମୁଁ କାନ୍ଦୁଛି ।

 

ଏକଥା ଶୁଣି ସେ କହିଲା–“ମୋ ବଡ଼ଭଉଣୀବି ଏମିତି କାନ୍ଦୁଥିଲା । ଦିନେ ସେ କୂଅକୁ ଡେଇଁ ପଡ଼ିଲା । କାରଣ ତା’ ସ୍ଵାମୀ ତାକୁ ଖୁବ୍ ମାଡ଼ ଦିଏ । ସେ ମାଡ଼ ଏ ଆଉ ସମ୍ଭାଳି ପାରିଲା ନାହିଁ । ତା’ ସ୍ଵାମୀ ଗୋଟିଏ ମଦୁଆ, ତେଣୁ ମୋ ଭଉଣୀର ଏ ଦଶା ହେଲା ।”

 

ଲକ୍ଷ୍ମୀ କହିଲା–“ମୋ ସ୍ଵାମୀ ଯଦି ମୋତେ ଏହିପରି ପିଟି ଥାଆନ୍ତା ତେବେବି ମୁଁ ସହି ଯାଇଥାଆନ୍ତି । ମୁଁ କେବେ କିଛି ଭାବି ନଥାଆନ୍ତି ।”

 

ସେ ପଚାରିଲା–‘‘ତେବେ ତୁ କାନ୍ଦୁଛୁ କାହିଁକି ?”

 

ସେ କହିଲା–‘‘ତୁ ପିଲାଲୋକ ମୁଁ ଯଦି ମୋ ଦୁଃଖ କଥା କହିବି ତୁ ମୋଟେ ବୁଝିପାରିବୁ ନାହିଁ । ତୋ ଭଉଣୀ ମରି ତ୍ରାହି ପାଇଯାଇଛି । ମୁଁ ବି ମରିବାକୁ ଠିକ୍ କରିଛି । କିନ୍ତୁ ମୁଁ ମରି ପାରିବି ବୋଲି ମତେ ଲାଗୁନାହିଁ । ମୋ ସାଙ୍ଗେ ତୁ ପୋଖରୀ ପର୍ଯ୍ୟନ୍ତ ଯିବୁ ତ ।”

 

ସେ କହିଲା–“ତୁ ପୋଖରୀପାଣିକୁ ଡେଇଁ ପଡ଼ିବୁ ନୁହେଁ ? ନା ମୁଁ ତୋ ସାଙ୍ଗରେ ଯିବିନାହିଁ ।”

 

ସେ କହିଲା–‘‘ତୁ ତାହାହେଲେ ମୋ ସାଙ୍ଗରେ ଯିବୁ ନାହିଁ । ଆଚ୍ଛା ଠିକ୍ ଅଛି । ମୁଁ ଏକାଏକା ଯିବି କହି ସେ ହନୁମାନଙ୍କ ପାଖରେ ଲମ୍ବ ହୋଇ ପଡ଼ିଗଲା । ଦୀର୍ଘ ସମୟ ଧରି ଚୁପ୍‌ଚାପ୍ ରହିଲା । ତା’ପରେ ଉଠିପଡ଼ି ଖୁବ୍ ତରତର ହୋଇ ସ୍ରୋତର ଯେଉଁ ଅଂଶକୁ ‘ବଡ଼ ପୋଖରୀ’ କୁହାଯାଏ ସେହିଆଡ଼କୁ ଆଗେଇଲା ।

 

ଗାଈଆଳ ପିଲାଟି ତା’ ପଛେ ପଛେ ଧାଇଁ ଧାଇଁ ଯାଇ ପାଟିକରି କହିଲା–“ତୁ ଯାଆନା-। ମୋ କଥା ଶୁଣ୍‌ । ସବୁ ଠିକ୍ ହୋଇଯିବ । ତୁ ଯଦି ପାଣିକୁ ଡେଇଁ ମରିବୁ ଭୂତ ହେବୁ-। ତୁ ସେ କାମ କର ନାହିଁ ।”

 

ନଈ ଭିତରେ ବଡ଼ ପୋଖରୀଟି, ଗୋଟିଏ ଅତି ଗହିରିଆ ସ୍ଥାନ । ନଈରେ ପୂରା ବଢ଼ି ଆସିଥାଏ । ମଧ୍ୟାହ୍ନ ସମୟ । ପାଖଆଖରେ କୌଣସି ଲୋକ ନାହାଁନ୍ତି । ନଈର ଆରପାରିରେ କେବଳ କେତେକ ଗାଈଆଳ ପିଲା ସେମାନଙ୍କର ଗାଈ ଚରାଉଥାଆନ୍ତି । ସେମାନେ କିଛି ଶୁଣିପାରି ନଥିଲେ କିମ୍ବା ଦେଖିପାରି ନଥିଲେ । ଲକ୍ଷ୍ମୀ ଯେମିତି ପାଣିକି ଡେଇଁ ପଡ଼ିଛି ପିଲାଟି ଭୟରେ ସେଠାରୁ ପଳାଇ ଯାଇଥିଲା ।

 

–୪–

 

ସେମାନଙ୍କ ଭିତରେ କୁହାକୁହି ହେଲେ, ସେ ନଦୀକୁ ଡେଇଁ ପ୍ରାଣ ହରାଇଲା । ସତରେ ଆମପାଇଁ ଏହା ଭଗବାନଙ୍କ ଆଶୀର୍ବାଦ । “ଆମେମାନେ ବଦନାମରୁ ଅନ୍ତତଃ ରକ୍ଷା ପାଇଗଲେ । ଗାଁରେ ଆମ ଘରକଥା ଆଉ କେହି କଥା ହେବେ ନାହିଁ ।’’

 

ମୁଁ ଶୁଣିଛି ଯେଉଁମାନେ ଏହିପରି ଅସ୍ଵାଭାବିକଭାବେ ମରନ୍ତି ସେମାନେ ଭୂତ ହୁଅନ୍ତି । ହଁ ସେମାନେ ଭୂତ ହୁଅନ୍ତି । ଇଏବି ଭୂତ ହେବ । ଏଇଟା ତା’ର ପ୍ରାପ୍ୟ ।

 

ପାର୍ବତୀ ଆମ୍ମାଲ, ସୀତାମ୍ମାଲ ବୋହୂଙ୍କ ଭିତରେ ଏହିପରି କଥାବାର୍ତ୍ତା ଚାଲେ । ସେତେବେଳକୁ ମୀନାକ୍ଷୀର ବିନା କଷ୍ଟରେ ଗୋଟିଏ ଝିଅ ଜନ୍ମ ହେଲା । ନାଟେସନ୍‌ ପରିବାରର ଏହା ଏକ ଉତ୍ସବର ଦିନ । ମୃତ୍ୟୁକୁ ଦୁର୍ଭାଗ୍ୟର କାରଣ ବୋଲି ଆମେ ଭାବୁ । କିନ୍ତୁ ଏବେ ବୁଝିଲେ ବାସ୍ତବରେ ଏହା କେବଳ ଅଳ୍ପ କେତେ ଗୋଟି ସାମାନ୍ୟ ଦୁଃଖ ନାଶନର କାରଣ ନୁହେଁ, ଏହି ମୃତ୍ୟୁ ବିନା ଜୀବନଟା ଗୋଟାଏ ନର୍କରେ ପରିଣତ ହୋଇ ଯାଆନ୍ତା । ଲକ୍ଷ୍ମୀ ଯେତେବେଳେ ପାଣିକୁ ଡେଇଁ ମଲା କେତେ ଲୋକ ଆଶ୍ଵସ୍ତ ନହେଲେ ସତେ ? ଏପରିକି ନାଟେସନ୍ ମଧ୍ୟ ଗୋଟାଏ ପ୍ରକାର ନିଶ୍ଚିତ ହୋଇ ଶାନ୍ତିରେ ରହିଲା ।

 

ପିଲାଜନ୍ମ ହେବାର ଦଶଦିନ ପରେ ମୀନାକ୍ଷୀକୁ ସାମାନ୍ୟ ଜ୍ଵର ହେଲା । ମୀନାକ୍ଷୀ ପାଖକୁ ଆସିଥିବା ବୁଢ଼ୀଟି ତାକୁ ଦେଖି କହିଲା–“ଏ କିଛି ନୁହେଁ, ସେ ଖୁବ୍ ଶୀଘ୍ର ଭଲ ହୋଇଯିବ-।”

 

ତା’ ପରଦିନ ମୀନାକ୍ଷୀ ଜ୍ଵର ହେତୁ ଏଣୁତେଣୁ ବକିବାକୁ ଲାଗିଲା । ଚୁପ୍ ରହିବାକୁ ଶାଶୁ ତାକୁ ଧମକାଇଲେ ।

 

ମୀନାକ୍ଷୀ ତା’ ଆଡ଼କୁ ଗାଢ଼େଇ ଚାହିଁ ରହି କହିଲା–“ହଁ ମୁଁ ନିଶ୍ଚୟ ଚୁପ୍ ରହିବି । ତୁମେ ମୋତେ ତଡ଼ି ଦେଇ ନଥିଲ କି । ଏଥର କିନ୍ତୁ ମୁଁ ତୁମକୁ କେବେ ଛାଡ଼ିବି ନାହିଁ ।” ପୁଣି କହିଲା–‘‘ଗୋଟିଏ ପିଲା ଜନ୍ମ କରିଛୁ ନୁହେଁ ? ଏ କାହା ପିଲା ? ଉଠୁ ଦୌଡ଼ିକରି ଯାଆ । ଯା’ ନଈକୁ ଡେଇଁ ମରିବୁ କହି ସେ ପ୍ରଳାପ କରିବାକୁ ଲାଗିଲା ।

 

ପାଗଳ ପରି ସେ ତା’ ଆଖି ବୁଲାଇଲା ଓ ଶୁଖିଲା କାଠଗଡ଼ ପରି ତା’ ଦେହଟା ପଡ଼ି ରହିଲା । କିଛି ସମୟପାଇଁ ସେ ଏହିପରି ପଡ଼ି ରହିଲା ପରେ ସୀତାମ୍ମଲ ଛାନିଆ ହୋଇ କହିଲା–“ଇଏ ତା’ରି ଭୂତ ।”

 

ପାର୍ବତୀ ଆମ୍ମାଲ କହିଲା–‘‘ହେ ମା’ ଠାକୁରାଣୀ ମାରିଆମା ତୁ ଆମକୁ ଏ ବିପଦରୁ ରଖ । ତୁ ଯାହା ଚାହିଁବୁ ମୁଁ ତୋତେ ଦେବି ।”

 

ଠାକୁରାଣୀଙ୍କୁ କୁକୁଡ଼ା ବଳି ଦେବାଲାଗି ପାର୍ବତୀ ଆମ୍ମାଲ ମନ୍ଦିର ପୂଜକ ପାଖକୁ ଲୋକ ପଠାଇଲା ।

 

ଗଣକ ସୀତାରାମାୟାର ମନ୍ତ୍ରପାଠ କରି ରୋଗୀକୁ ପବିତ୍ର ଭସ୍ମ ପ୍ରଦାନ କଲା । ଭସ୍ମଦିଆ ପାନ ମୀନାକ୍ଷୀ ନେଇ ଖଟରେ ରଖିଲା । ତା’ପରେ ସବୁ ସାମାନ୍ୟ ଶାନ୍ତ ପଡ଼ିଗଲା । ନାଟେସନ୍‌ ସ୍ତ୍ରୀକୁ କହିଲା–“ଭସ୍ମ ନେଇ ମୁହଁରେ ମାର ।”

 

ହଁ ରଖିବି କହି ସେ ଭସ୍ମକୁ ତା’ ହାତରେ ଢାଳି ଧଇଲା ଓ ହଠାତ୍‌ ଫୁଙ୍କି ଉଡ଼ାଇ ଦେଲା ଓ ହାହା କରି ପାଟିକଲା ।

 

ଏଥର ମୁଁ ତାକୁ ଛାଡ଼ିବି ନାହିଁ । ସେ ମାଇକିନା କୁଆଡ଼େ ଗଲା ? ଏଥର ମୁଁ ତାକୁ ଦେଖିବି । ମୋତେ ଭସ୍ମ ଦେଖାଇ ଠକିବାକୁ ଚେଷ୍ଟା କରୁଛି, କହି ସେ ପାଟିକଲା ଓ ପାଗଳିନୀଙ୍କ ପରି ହସିବାକୁ ଲାଗିଲା ।

 

ପାର୍ବତୀ କହିଲା–“ଇଏ ସେହି ପିଶାଚୀ ପାଣିରେ ବୁଡ଼ି ମରିଥିଲା । ଏଥିରେ ଟିକିଏ ଭୁଲ ନାହିଁ । ଝାଡ଼ୁ ଆଣ ।”

 

ସୀତାମ୍ମଲ ଝାଡ଼ୁ ଆଣିଦେଲା । ପାର୍ବତୀ ଝାଡ଼ୁ ଆଣି ସେଥିରେ ମୀନାକ୍ଷୀର ମୁଣ୍ଡକୁ ପିଟିଲା ।

 

ମୀନାକ୍ଷୀ ପାଟିକଲା ମୋତେ ପିଟ ନାହିଁ । ମୁଁ ଛାଡ଼ି ଚାଲିଯିବି । ତୁ ଏଠୁ ଚାଲିଯା’ ଯାଆ କହି ସେ ତାକୁ ପିଟି ଚାଲିଥାଏ । ଏହି କରୁଣ ଦୃଶ୍ୟ ଦେଖି ନାଟେସନ୍ କହିଲା–‘‘ହଁ, ହେଲା ହେଲା ସେତିକି ଥାଉ, ସେତିକି ଥାଉ ।”

 

ପାର୍ବତୀ ଆମ୍ମାଲ କହିଲା–“ତୁ କିଛି ବୁଝିନାହୁଁ । ତୁ ଏଠୁ ଯା’ ।”

 

ଭୂତ ଘଉଡ଼ା ଏହିପରି ପାଞ୍ଚଦିନ ଧରି ଚାଲିଲା । ମାତ୍ର ଫଳ କିଛି ହେଲା ନାହିଁ । ବରଂ ବୋହୂର ରୋଗ ବୃଦ୍ଧି ପାଇବାକୁ ଲାଗିଲା ।

 

କେତେକ କହିଲେ–“ପାଗଳାମୀ” ।

 

କେତେକ କହିଲେ–“ଏହା ଅଭିଶାପର ପରିଣତି ।

 

ସୀତାମ୍ମଲ କହିଲା–‘‘ଇଏ’ ‘ସେହି’ ପିଶାଚୀ । ଏଥିରେ ମୋର ଟିକିଏ ହେଲେ ସନ୍ଦେହ ନାହିଁ ।”

 

ପୂଜକ ପାର୍ବତୀ ଆମ୍ମାଲକୁ କହିଲା–‘‘କୁକୁଡ଼ାବଳି ଯଥେଷ୍ଟ ହେଲାନାହିଁ । ଠାକୁରାଣୀ ଅଧିକ କିଛି ଚାହୁଁଛି । ଛେଳି ଦେବାକୁ ପଡ଼ିବ । ନାଟେସନ୍‌କୁ ଜଣାଇ ପାର୍ବତୀ ଆମ୍ମାଲ ମଧ୍ୟ ତା’ର ବ୍ୟବସ୍ଥା କଲା । ମାତ୍ର ଫଳ କିଛି ହେଲା ନାହିଁ ।”

 

ସୀତାରାମାୟାର କହିବାନୁସାରେ ଚାରି ଅମାବାସ୍ୟା ଯିବା ପରେ ମୀନାକ୍ଷୀ ଆରୋଗ୍ୟ ଲାଭ କଲା । ସ୍ଵପ୍ନ ଦେଖିଲା ପରି ଏସବୁ ଘଟଣା ଘଟିଗଲା । ଏହା ଫଳରେ ଲକ୍ଷ୍ମୀ ପ୍ରତି ସମସ୍ତଙ୍କ ମନରେ ଗୋଟାଏ ଭୟଜନିତ ଭକ୍ତି ଜାତ ହେଲା । ଏପରିକି ପାର୍ବତୀ ମନରେ ମଧ୍ୟ । ସେମାନେ ତା’ ବିଷୟରେ ଭୟରେ ଆଉ କଥାବାର୍ତ୍ତା ହେଲେ ନାହିଁ । ମୀନାକ୍ଷୀ ପୂର୍ବପରି ଚାଲାକ ଚତୁର ହେଲା, ସମସ୍ତଙ୍କ ପ୍ରତି ଆଦର ଯତ୍ନ କଲା । ତା’ର ମନେହେଲା ଦେହ ଖରାପ ଥିଲାବେଳେ ସେ ବୋକିଙ୍କ ପରି ସମସ୍ତଙ୍କ ସଙ୍ଗେ ବ୍ୟବହାର କରିଥିଲା । ସମସ୍ତେ ଏଥିରୁ ରକ୍ଷା ପାଇଗଲେ ବୋଲି ସ୍ୱସ୍ତିର ନିଃଶ୍ଵାସ ମାରିଲେ । ଏ ସମ୍ପର୍କରେବି ଆଉ କେହି କିଛି କଥାବାର୍ତ୍ତା ହେଲେ ନାହିଁ । ଆପଣା ଆପଣାର କାମରେ ମନଦେଲେ ।

 

ବର୍ଷକ ପରେ ମୀନାକ୍ଷୀର ପୁଣି ଗୋଟିଏ ପିଲା ହେବାର ହେଲା । ପାର୍ବତୀ ଏଥିପାଇଁ ମନେମନେ ଠାକୁରାଣୀକୁ ଭୋଗ ମନାସିଲା ଓ ପୂଜାପାଠ କଲା । ଭୋଗରାଗ ଦେଲେ, ବଳି ଦେଲେ । ପ୍ରସବ ଦିନ ପାଖେଇ ଆସିବାରୁ ନିକଟବର୍ତ୍ତୀ ଫଗଲୁର୍‌ ଟାଉନ୍‌ରେ ଥିବା ମିସନ ଡାକ୍ତରଖାନାରୁ ନାଟେସନ୍ ଜଣେ ନର୍ସ ଘରକୁ ଆଣିବାର ବ୍ୟବସ୍ଥା କଲା । ଏଥିପାଇଁ ଆଉ କୌଣସି ଆଲୋଚନା ହୋଇ ନଥିଲା । ଗଲାଥର ଜଣେ ଗାଁ ଧାଈ ପିଲା ଜନ୍ମ କରାଇଥିଲା । ତେଣୁ ସବୁପ୍ରକାର ଗୋଳମାଳ ହୋଇଥିଲା । ସେଥିଲାଗି ଏଥର ଜଣେ ତାଲିମପ୍ରାପ୍ତ ନର୍ସ ଆସିବା କଥା ଯେତେବେଳେ ଉଠିଲା, ଆଉ କେହି କିଛି ପ୍ରତିବାଦ କଲେ ନାହିଁ ।

 

ମୀନାକ୍ଷୀର ଦ୍ଵିତୀୟ ପିଲାଟି ସୁରୁଖୁରୁରେ ହୋଇଗଲା । ଏଥର ତା’ର ପୁଅଟିଏ ହେଲା-। ନର୍ସ ମୀନାକ୍ଷୀର ପ୍ରସବବେଳେ ତା’ ପାଖେପାଖେ ଥିଲା ଏବଂ ମାସେଯାଏ ତାକୁ ପ୍ରତିଦିନ ଦେଖିବାକୁ ଆସୁଥିଲା । ମା’ର ଯେପରି କୌଣସି ମାନସିକ ବିକୃତି ନ ଘଟେ ଓ ପିଲା ଯେପରି ରୀତିମତ ଦୁଧଖାଏ ସେଥିପ୍ରତି ସେ ବରାବର ଦୃଷ୍ଟି ଦେଉଥିଲା । ଗଲାଥର ପିଲାଜନ୍ମ ପରେ ସେ ଯେପରି ରୋଗଗ୍ରସ୍ଥ ହୋଇଥିଲା, ହୁଏତ ଏଥର ସେହିପରି ଘଟିପାରେ ବୋଲି ସେ ଆଶଙ୍କା କରୁଥିଲେ । କିନ୍ତୁ ସୁରୁଖୁରୁରେ ଏଥର ପିଲାଟି ହୋଇଯାଇଥିବାରୁ ନାଟେସନ୍ ଖୁବ୍ ଖୁସି ହୋଇ ନର୍ସକୁ ଦଶଟି ଟଙ୍କା ଦେଲା । ତା’ର ଟଙ୍କା ଦରକାର ନାହିଁ କହି ନର୍ସ ଟଙ୍କା ନେବାକୁ ମନା କରିଦେଲା । ମୁଁ ଆଉ ଅଧିକ ଟଙ୍କା ଦେଇ ନ ପାରି ଦୁଃଖିତ । ଦୟାକରି ଏ ଟଙ୍କାଟା ନିଅନ୍ତୁ-। କିଛି ଭାବନ୍ତୁ ନାହିଁ ।

 

ନା ମୋର ପାଉଣା ଦରକାର ନାହିଁ । ଟଙ୍କା ଆଶାରେ ମୁଁ ଏଠିକୁ ଆସି ନଥିଲି । ମୁଁ ଶ୍ରଦ୍ଧାରେ ଏଠିକୁ ଆସିଥିଲି କହି ସେ ମୀନାକ୍ଷୀର ପିଲାଟିକୁ କୋଳକୁ ନେଇ କିଛି ସମୟ ଗେଲ କଲା ।

 

ତା’ପରେ ସେ ନର୍ସ ମୀନାକ୍ଷୀକୁ ବିଦାୟ ସମ୍ଭାଷଣ ଜଣାଇ ସେଠାରୁ ଚାଲିଗଲା । ସେ ଯାହାହେଉ ନର୍ସ ନାଟେସନ୍ ସଙ୍ଗେ କଥା ହେଉଥିବାବେଳେ ତା’ ପ୍ରଥମ ସ୍ତ୍ରୀ କଥା ତା’ର ମନେ ପଡ଼ୁଥିଲା । କିନ୍ତୁ ତା’ କଥା ମନେ ନ ପକାଇବା ପାଇଁ ମନସ୍ଥ କରି ସେ ଚୁପ୍‌ଚାପ୍ ରହିଗଲା ।

 

–୫–

 

ଫଗାଲୁର୍‌ ଡାକ୍ତରଖାନାର ପାଦ୍ରୀ ପଚାରିଲେ ଶାନ୍ତି ଦେବୀ ସେଠି ଥିବାବେଳେ ଲୋକେ ତୁମକୁ କ’ଣ କେହି ଚିହ୍ନିପାରିଲେ ନାହିଁ ? ଶାନ୍ତି ଦେବୀ ହେଉଛି ଲକ୍ଷ୍ମୀର ନୂଆ ନାଁ ।

 

“ଡାକ୍ତରଖାନା ପୋଷାକ ମତେ ରକ୍ଷା କରିଦେଲା । ସ୍ତ୍ରୀଲୋକମାନେ ମୋତେ ଚିହ୍ନିପାରିଲେ ନାହିଁ । ଯେଉଁ ସ୍ତ୍ରୀଲୋକଟିର ପିଲା ହେଲା ସେ ମୋତେ ମୂଳରୁ ଜାଣେ ନାହିଁ । ଭଦ୍ରତା ଦୃଷ୍ଟିରୁ ତାଙ୍କ ସ୍ଵାମୀ ମତେ ମଧ୍ୟ ପାଖକୁ ଆସି ଦେଖି ପାରିଲେ ନାହିଁ । ଶେଷ ଦିନ ସେ ମୋତେ ସାମାନ୍ୟ ସନ୍ଦେହ କଲାପରି ଲାଗିଲା । ମୁଁ କିନ୍ତୁ ସଙ୍ଗେ ସଙ୍ଗେ ଓଢ଼ଣୀରେ ମୋ ମୁହଁକୁ ଲୁଚାଇ ନେଲି । ମୋତେ ଚିହ୍ନିପାରିବାର ସୁଯୋଗ ତାଙ୍କର ଆଉ ରହିଲା ନାହିଁ ।”

 

ଠିକ୍ ଅଛି ତୁମେ ଏବେ ଶାନ୍ତିରେ ଅଛ ତ ?

 

“ପିତା ମୁଁ ସତରେ ଶାନ୍ତିରେ ଅଛି । ଅସୁସ୍ଥର ସେବା କରି ମୁଁ ଆନନ୍ଦ ପାଉଛି । ଆପଣ ମୋତେ ଯଦି ପାଣିରୁ ଉଦ୍ଧାର କରି ନଥାନ୍ତେ ତେବେ ଗାଈଆଳ ପିଲା ଯାହା କହୁଥିଲା ମୁଁ ହୁଏତ ସେହିପରି ଗୋଟାଏ ଭୂତ ହୋଇ ଥାଆନ୍ତି ।”

 

ପାଦ୍ରୀ ଜଣକ ହସି କହିଲେ–ଭୂତପ୍ରେତ ସେପରି କିଛି ନାହିଁ । ସେସବୁ ଗୁଲିଖଟି ଗପ । ମୁଁ ଭାବୁଛି ତୁମେ ସୁଖରେ ଅଛ ।

 

ସେ କହିଲା, ମୁଁ ସୁଖରେ ନାହିଁ ମାତ୍ର ଶାନ୍ତିରେ ଅଛି । ମୋପାଇଁ ସେତିକି ଯଥେଷ୍ଟ । ଭଗବାନ ଓ ଆପଣଙ୍କର ଆଶୀର୍ବାଦ ମୋର ରକ୍ଷଣାବେକ୍ଷଣ ପାଇଁ ଯଥେଷ୍ଟ । ଫେରିଯିବା ଲାଗି ତୁମେ ତୁମର ସ୍ଵୀକୃତି ଜଣାଇଲେ ମୁଁ ତାଙ୍କୁ ସବୁ ବୁଝାଇ ଠିକ୍ କରି ଦେବି ।

 

ସରଳା ଝିଅଟି ସୁଖରେ ଅଛି । ମୁଁ ପୁଣି ସେଠାକୁ କାହିଁକି ଯିବି ? ତୁମେ ଯଦି ତୁମ ସ୍ଵାମୀଙ୍କ ପାଖକୁ ନ ଯିବ ତେବେ ଖ୍ରୀଷ୍ଟିଆନ ହୋଇ ଆମମାନଙ୍କ ପରି ଏଠାରେ ନ ରହୁଛ କାହିଁକି ବୋଲି ପାଦ୍ରୀ ଜାଣିବାକୁ ଚାହିଁଲେ । ହନୁମାନ କୋପ ହେବେ କହି ସେ ହସିଲା ।

 

ତା’ପର ଦୀପାଳି ଦିନ ଶାନ୍ତି ଦେବୀ ଗୋଟିଏ ପୁଡ଼ିଆ ବାଣ, କିଛି ମିଠା ଓ କିଛି ଫୁଲ ବ୍ୟାଗ୍‌ରେ ପୂରାଇ ମୀନାକ୍ଷୀର ଗାଁକୁ ଯାଇଥିଲେ । ତାଙ୍କ ଘର ସାମ୍ନାରେ ଦାଣ୍ଡରେ ମୀନାକ୍ଷୀର ଛୋଟ ଝିଅଟି ଖେଳୁଥିଲା ।

 

କମଳାକୁ ଡାକି ସେ ବାଣତକ ତାକୁ ଦେଇ ଦେଇଥିଲା । ସେ ମାଉସୀକୁ ଠିକ୍ ଚିହ୍ନିପାରିଥିଲା । ମାଆର ଦ୍ଵିତୀୟ ପିଲାଟି ହେଲାବେଳେ ତା’ର ସେବା ଶୁଶ୍ରୂଷା କରିବାପାଇଁ ସେ ଆସିଥିଲେ । ସେ ବାଣ, ମିଠା ଓ ଫୁଲଧରି ଘର ଭିତରେ ପଶି ଯାଇଥିଲା । ପଛ କରି ଠିଆ ହୋଇ ଝିଅଟି ତା’ ମୁଣ୍ଡରେ ଫୁଲ ଲଗାଇବାକୁ ଉଦ୍ୟମ କରୁଥିଲା । ଲକ୍ଷ୍ମୀ କିନ୍ତୁ ଫୁଲତକ ଝିଅ ମୁଣ୍ଡରେ ପିନ୍ଧାଇ ଦେଇ ତା’ ମୁହଁରେ ଗୋଟିଏ ଚୁମା ଦେଲା ।

 

ମା’ ମା’ ପାଟିକରି ଝିଅଟି ମୀନାକ୍ଷୀ ପାଖକୁ ଦୌଡ଼ି ଯାଇ ନର୍ସ ମାଉସୀ କଥା କହିଲା ଓ ସେ ଦେଇଥିବା ବାଣ ଏବଂ ମିଠା ତାକୁ ଦେଖାଇଲା ।

 

ମୀନାକ୍ଷୀ ତା’ ଶାଶୁକୁ କହିଲା ସେ ନର୍ସଟି ଭାରି ଭଲଲୋକଟିଏ ।

 

ନାଟେସନ୍ ଅଫିସ୍‍ରୁ ଆସି ଘରେ ପହଞ୍ଚିବାମାତ୍ରେ ମୀନାକ୍ଷୀ ତାକୁ କହିଲା ଡାକ୍ତରଖାନାର ସେ ନର୍ସ ଆଜି ଘରକୁ ଆସିଥିଲା । କମଳା ଲାଗି ବାଣ, ଆଉ ମିଠା ଆଣିଥିଲା । କିନ୍ତୁ ଘରେ କାହାକୁ କିଛି ନ କହି, ଦେଖା ନ କରି ସେ ବାହାରୁ ବାହାରୁ ଦାଣ୍ଡରୁ ଚାଲିଗଲା ।

 

ଦେବଯାନୀ

 

ରାମନାଥ ଓ ତାଙ୍କ ସ୍ତ୍ରୀ ସୀତାଲକ୍ଷ୍ମୀ ମିନାବଜାରକୁ ଗଲେ । କିଣାକିଣି ଶେଷ ହେଲା । ନିକଟରେ ଥିବା ଗୋଟିଏ ହୋଟେଲରେ ସେମାନେ ଚାହା ପିଇଲେ । ଚା’ ପାନ ପରେ ସେମାନେ ପୁଣି ଆସି ସେମାନଙ୍କ କାର୍‌ରେ ବସିଲେ ।

ରାମନାଥ କହିଲେ–‘ଚାଲ ସମୁଦ୍ର କୂଳକୁ ଯିବା ।’

“ହଁ ଚାଲ ସମୁଦ୍ର କୂଳକୁ ଯିବା । ଡ୍ରାଇଭରକୁ କୁହ ଯେଉଁଠାରେ ଲୋକ ଗହଳି ନଥିବେ ସେହିପରି ସ୍ଥାନରେ ଗାଡ଼ି ଅଟକାଇବ । ମୋତେ ଗହଳି ଭଲ ଲାଗେ ନାହିଁ, ଚାହଁ, ବୁଲାବିକାଳ ସେଠି କଣ୍ଢେଇ ବିକୁଛି । ଚାଲ ପିଲାଙ୍କ ଲାଗି ଦୁଇଟି କଣ୍ଢେଇ କିଣି ନେବା ।”

ସୀତାଲକ୍ଷ୍ମୀଙ୍କ ପାଟିରୁ କଥା ସରିଛି କି ନାହିଁ କଣ୍ଢେଇ ବିକାଳି ତାଙ୍କ ମନକଥା ଜାଣି ପାରିଲା ପରି କାର୍ ପାଖକୁ ଆସିଲା । ଗାଡ଼ି ଭିତରୁ କଣ୍ଢେଇ ବାଛି ସେମାନେ ମୂଲଚାଲ କଲେ । ଠିକ୍ ସେତିକିବେଳେ ଗୋଟିଏ ଯୁବତୀ ଭିକାରୁଣୀ ଆସି ମଟରର ଆରପଟେ କାଖେଇଥିବା ପିଲାଟିକୁ ଦେଖାଇ ବାବୁ ଦୟା କରନ୍ତୁ ବୋଲି ପାଟି କଲା ।

ରାମନାଥ ପଚାରିଲେ ଏ ସବୁ କ’ଣ ଜାପାନ କଣ୍ଢେଇ ?

କଣ୍ଢେଇ ବିକାଳି କହିଲା “ହଁ ଆଜ୍ଞା ! ଏପରି କଣ୍ଢେଇ କ’ଣ ଆମ ଦେଶରେ ତିଆରି ହୋଇ ପାରିବ ?”

ଭିକାରୁଣୀ ପୁଣି ତା’ର ଚିତ୍କାର ଆରମ୍ଭ କରି ଦେଲା ।

ସୀତାଲକ୍ଷ୍ମୀ କହିଲେ ଏ ଭିକାରୁଣୀ ଆମେ କଣ୍ଢେଇ ମୂଲଚାଲ କରି କିଣୁଥିଲାବେଳେ ଆସି ଜୋକ ପରି ଲାଗିଗଲା । ଭିକାରିମାନଙ୍କ ଦୌରାତ୍ମ୍ୟ ଦିନୁ ଦିନ ବଢ଼ିବାରେ ଲାଗିଛି ।

“ମା’, ଭୋକରେ ପେଟ ଜଳୁଛି । ପିଲାଟିକୁ ଦୟା କରନ୍ତୁ । ଭଗବାନ ଆପଣଙ୍କର ମଙ୍ଗଳ କରିବେ ।”

ସୀତାଲକ୍ଷ୍ମୀ ଧମକାଇ କହିଲେ କ’ଣ ତମେ ଏଠୁ ଯିବନା ମୁଁ ପୋଲିସ୍‍ ଡାକିବି ?

“ପିଲାଟି ଦୁଧ ଖାଇବାକୁ କାନ୍ଦୁଛି । ଗୋଟାଏ ଅଣି (ପୁରୁଣା ଚାରି ପଇସା) ପକାଇ ଦିଅନ୍ତୁ । ଆପଣଙ୍କ ପାଇଁ ଏ କିଛି ନୁହେଁ ।”

ରାମନାଥ କିଣିଥିବା ଜିନିଷଗୁଡ଼ିକୁ କାର୍‌ରେ ଥୋଇ ସମୁଦ୍ର କୂଳ ଆଡ଼କୁ କାର୍ ନେଇ ଯିବାକୁ ଡ୍ରାଇଭରକୁ କହିଲେ ।

ଭିକାରୁଣୀକୁ ଘୁଞ୍ଚିଯିବାକୁ କହି ଡ୍ରାଇଭର ଗାଡ଼ି ଷ୍ଟାର୍ଟ୍ କଲା । ଗାଡ଼ିର କବାଟକୁ ଧରି କିଛି ଦୂର ଧାଇଁ ଧାଇଁ ବାବୁ ବାବୁ ବୋଲି ସେ ପାଟି କରୁଥିଲା ।

ଘୁଞ୍ଚିଯାଆ, ଗାଡ଼ି ମାଡ଼ି ଯିବ ବୋଲି ରାମନାଥ ତାକୁ ସତର୍କ କରି ଦେଲେ । ସେତିକିବେଳେ ସେ ଭିକାରୁଣୀଟିକୁ ଅତି ପାଖରୁ ଚାହିଁଲେ । ପୂର୍ବରୁ ତାକୁ କେଉଁଠାରେ ଦେଖିଲା ପରି ତାଙ୍କର ମନେ ହେଲା । ଶେଷରେ ଯେତେବେଳେ କାର୍ ଛାଡ଼ିଲା ସେ କହିଲେ ଆହା ବିଚାରୀ, ସିଏ ଆମରି ଗାଁର ଝିଅ ପରି ମୋର ମନେ ହେଉଛି ।

 

‘ସେ ଯେଉଁଠୁ ଇଚ୍ଛା ସେଠୁ ଆସିଥାଉ । ଆମକୁ ସେଥିରୁ କ’ଣ ମିଳିବ ? ମୋତେ ଟିକେ ସେ ନୂଆ ଖେଳଣାଟା ଦେଖାଇଲ... । ଏ ଗୋଟାଏ ନୂଆ ପ୍ରକାରର କଣ୍ଢେଇ । ଏଟା ଗୋଟାଏ ବ୍ୟୋମଯାନ । ଏଟା ପଡ଼ିଲେ ଭାଙ୍ଗି ଯିବନା ? ଏଟା ଚାଲିବଟି ? ସମୁଦ୍ରକୂଳ ଆଡ଼କୁ କାର୍ ଆଗେଇ ଚାଲିଥିବାବେଳେ ସେ ଗାଡ଼ି ଭିତରେ କଣ୍ଢେଇଗୁଡ଼ିକ ପରୀକ୍ଷା କରି ବିଭିନ୍ନ ପ୍ରକାରର ପ୍ରଶ୍ନ ପଚାରି ଚାଲି ଥାଆନ୍ତି ।

 

–୨–

 

ସାଲମ ପୋନ୍ନାମ୍ମା ପେଟର ପେରିଆନା ମୁଦାଲି ଗଳିର ଏକ ଦରିଦ୍ର ତନ୍ତି ପରିବାର । ବ୍ୟାପୁରୀର ବୟସ ତିରିଶ । ତା’ ଅବିବାହିତା ଭଉଣୀ ଦେବଯାନୀର ବୟସ କୋଡ଼ିଏ । ସେମାନଙ୍କର ମା’ର ନାମ ପାଲାନି ଆମ୍ମଲ ହାତ ତନ୍ତରେ ବୁଣାବୁଣି କରିବା ଗତ କେତେ ପୁରୁଷ ଧରି ସେମାନଙ୍କର ମୌଳିକ ବୃତ୍ତି । ସାରା ଦିନ ଏ କାମ କରି ମଧ୍ୟ ସପ୍ତାହରେ ଏ ତିନିଜଣ ମିଶି ମୋଟେ ଚାରିଟଙ୍କା ରୋଜଗାର କରିବାକୁ ସକ୍ଷମ ହୋଇ ଥାଆନ୍ତି ।

 

ତନ୍ତଜାତ ଦ୍ରବ୍ୟର ବ୍ୟବସାୟ ହ୍ରାସ ପାଇବା ସଙ୍ଗେ ସଙ୍ଗେ ସେମାନଙ୍କର ମଜୁରୀ ମଧ୍ୟ କରିବାକୁ ଲାଗିଲା କିଛିଦିନ ପରେ ସେତକ ମଜୁରୀ ମଧ୍ୟ ସେମାନେ ପାଇଲେ ନାହିଁ । ସାଲେମ୍‍ରେ ବ୍ୟାପୁରୀର ତନ୍ତୁ ବ୍ୟତୀତ ଆହୁରି ଅନେକଙ୍କ ତନ୍ତ ମଧ୍ୟ ଅଚଳ ହୋଇ ପଡ଼ିଥିଲା ।

 

ଦେବଯାନୀ ଦୁଇଜଣ ବ୍ରାହ୍ମଣ ଅଫିସରଙ୍କ ଘରେ କାମ କଲା । ସେମାନଙ୍କ ଘରେ ତାକୁ ଆଗ ଦୁଆର ଓଳାଇବା ଗୋବର ପାଣି ପକାଇବା ଓ ଅନ୍ୟାନ୍ୟ କାମ କରିବାକୁ ପଡ଼ୁଥିଲା । ଏ କାମ ଲାଗି ସେ ମାସକୁ ତିନି ଟଙ୍କା ପାଉଥିଲା । ତା’ ମା’ ଅନ୍ୟ ଜଣକ ଘରେ ଦୁଆର ଓଳାଇ ଗୋବର ପାଣି ପକାଇ ଓ ଅନ୍ୟାନ୍ୟ କାମ କରି ମାସକୁ ଗୋଟିଏ ଟଙ୍କା ପାଉଥିଲା । ବ୍ୟାପୁରୀ ଜଣକ ପରେ ଜଣେ ଅନେକ ଲୁଗା ବ୍ୟବସାୟୀଙ୍କ ପାଖରେ ଚାକିରି ରହିବାପାଇଁ କହିଲା କିନ୍ତୁ ଫଳ କିଛି ହେଲାନାହିଁ । ଦିନେ ଅତି ଦିକ୍‌ଦାର ହୋଇ ମା’କୁ ନ କହି ସେ ବାଙ୍ଗାଲୋର ଚାଲିଗଲା । ବାଙ୍ଗାଲୋରରେ ଥିବା ବଡ଼ ସୂତାକଳରେ କାମ ପାଇବା ଆଶାରେ । ତା’ ସାଙ୍ଗରେ ଆଉ କେତେ ଜଣ ତନ୍ତି ମଧ୍ୟ ଗଲେ । କିଛିଦିନ ଏଣେତେଣେ ଘୂରିବା ପରେ ସେ ଗୋଟିଏ ମିଲ୍‌ରେ କାମ ପାଇଛି ବୋଲି ତା’ ଘରକୁ ଚିଠିରେ ଲେଖିଥିଲା । ସେ କିଛିଟା ଲେଖାପଢ଼ା ଜାଣେ । କାରଣ ସେ ଯେତେବେଳେ ଛୋଟପିଲା ସେତେବେଳେ ପୋନାମ ପେଟ ରଦା ମ୍ୟୁନିସିପାଲଟି ସ୍କୁଲ୍‍ରେ ତା’ ବାପା ତାକୁ ଛାଡ଼ିଥିଲା । ସେ ସମୟରେ ତନ୍ତିମାନେ ଏପରି କଷ୍ଟମୟ ଜୀବନ କାଟୁ ନଥିଲେ ।

 

“ଅନେକ ଲୋକଙ୍କୁ ଲାଞ୍ଚ ଦେବାପରେ ଶେଷରେ ମୁଁ ସୂତାକଳରେ କାମଟିଏ ପାଇଛି । ଏଠି ଦିନକୁ ପଚାଶ ପଇସା ମଜୁରୀ ମିଳେ । ମାସରେ ଛବିଶ ଦିନ କାମ କରିବାକୁ ପଡ଼ିଥାଏ । ତେଣୁ ମୁଁ ମାସରେ ତେରଟଙ୍କା ପାଇବି । ମୋ ଖାଇବା ପିଇବା ଖର୍ଚ୍ଚ କରିଥିବା ଋଣ ସୁଝିବା ପରେ ବଳକା ଦୁଇ ଟଙ୍କା ତୁମମାନଙ୍କ ପାଇଁ ପଠାଇ ପାରିଛି । ଅନ୍ୟ ସବୁଥିପାଇଁ ଭଗବାନ ଅଛନ୍ତି । ବ୍ୟାପୁରୀର ଏହି ଚିଠି ପଡ଼ୋଶୀ ମାରି ମୁଦାଲିର ପୁଅ, ତା’ ମା’ ଓ ଭଉଣୀଙ୍କୁ ପଢ଼ି ବୁଝାଇ ଦେଲା-। ଚିଠି ପାଇ ମା’ ପୁଅ ଝିଅ ବହୁତ ଖୁସି ହେଲେ ।

 

ଦଶ ଦିନ ପରେ ଆଉ ଖଣ୍ଡିଏ ଚିଠି ଆଣିଲା । ମୋ ମା’କୁ କୋଟି ଜୁହାର । ଭଗବାନଙ୍କ କୃପାରୁ ମୁଁ ଭଲରେ ଅଛି । ମୁଁ ଆଶା କରୁଛି ତୁ ଓ ଦେବଯାନୀ ଭଲଥିବ । ସୂତାକଳରେ କାମ କରିବାକୁ ମୋତେ ମୋଟେ ଭଲ ଲାଗୁ ନାହିଁ । ଘରେ ତନ୍ତରେ ଲୁଗା ବୁଣିବା ଦିନଗୁଡ଼ିକ କେତେ ଭଲଥିଲା । ସେ କଥା ମନେ ପଡ଼ିଲେ ମୋତେ କାନ୍ଦ ଲାଗୁଛି । ମୋତେ ଲାଗୁଛି ମୁଁ ଏଠାରେ ପାଗଳ ହୋଇଯିବି । ମୋ ମୁଣ୍ଡ ବୁଲାଉଛି । ଏଠି ମୋ ଦୁଃଖ ଓ ଅସୁବିଧା କଥା କହିଲେ ସରିବ ନାହିଁ । ମୁଁ ସାଲେମ୍‍ ଛାଡ଼ି କାହିଁକି ଆସିଲି ଭାବୁଛି । ଏ ଚିଠି ପାଇ ପଡ଼ୋଶୀଙ୍କ ପୁଅ ହାତରେ ଲେଖାଇ ମୋତେ ଖଣ୍ଡେ ଚିଠି ଦେବ । ଠିକଣା ହେଲା ।

 

ସାଲେମ୍‍ ପୋନ୍ନାମ୍ମାପେଟ, ବ୍ୟାପୁରୀ, କୁଲି ଲାଇନ୍, ମ୍ୟାଲେଶ୍ଵର ।

 

–୩–

 

ଯେଉଁ ଦୁଇ ଜଣଙ୍କ ଘରେ ଦେବଯାନୀ ଓଳାଓଳି ଓ ଲିପାପୋଛା କାମ କରୁଥିଲା ସେମାନଙ୍କ ଭିତରେ ଜଣେ ଥିଲେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ । ତାଙ୍କ ସ୍ତ୍ରୀ ଜଣେ ପରୋପକାରୀ ମହିଳା ଥିଲେ । ଦେବଯାନୀଠୁ ଯଦିଓ ସେ ବହୁତ କାମ ନେଉଥିଲେ ଅନ୍ୟାନ୍ୟ କ୍ଷେତ୍ରରେ ତା’ ପ୍ରତି ସହାନୁଭୂତିଶୀଳ ଥିଲେ । ସେ ତାକୁ ଗୋଟିଏ ପୁରୁଣା ଶାଢ଼ି ଦେଇଥିଲେ । ସେ ବଳକା ଭାତ ତରକାରୀ ମଧ୍ୟ ତାକୁ ଦେଉଥିଲେ । ଏହିପରି କିଛିଦିନ କଟିଗଲା । ଦେବତାମାନେ ତା’ର ଏହି ସାମାନ୍ୟ ମାତ୍ର ଆନନ୍ଦ, ବୋଧହୁଏ ସହି ପାରିଲେ ନାହିଁ । ଘରର ପୂଜାରୀ ତାକୁ ଯିଏ ବଳକା ଭାତ ଡାଲି ଦିଏ ସେ ତାକୁ ପ୍ରେମ କରିବାକୁ ଆରମ୍ଭ କଲା ଦିନେ ସେ ଦେବଯାନୀ ପ୍ରତି ଭାରି ଖରାପ ବ୍ୟବହାର କଲା ।

ଦେବଯାନୀ ମନେମନେ ଭାରି ରାଗିଥାଏ । କିନ୍ତୁ ଲାଜରେ ଏ କଥା କାହାକୁ କହି ପାରୁ ନଥାଏ । ପ୍ରତି ମାସରେ ସେ ତାକୁ ଦି’ଟଙ୍କା ଲେଖାଏଁ ଦେବ କିନ୍ତୁ ଏ କଥା ସେ ଯେପରି କାହାକୁ ନ କହେ ବୋଲି ସେ ବଜ୍ଜାତ୍‌ ତାକୁ ଲଗାଇ ଥାଏ ।

ନିଜ ଦୁଃଖକୁ ଚାପି ରଖି ସେ ଯାଇ ତା’ ମା’କୁ କହିଲା, ମା’ ମୁଁ ନିମ୍ବ ଗଛ ପାଖରେ ଥିବା ସେ ବାବୁଙ୍କ ଘରକୁ ଆଉ କାମ କରିବାକୁ ଯିବି ନାହିଁ ।

ସେଠିକୁ ନ ଯିବାର କାରଣ କ’ଣ ମା’ ଯେତେବେଳେ ଜାଣିବାକୁ ଚାହିଁଲା, ସେତେବେଳେ ଲାଜରେ ଦେବଯାନୀ ଲାଲ ପଡ଼ିଗଲା ଓ ଘଟିଥିବା ସବୁକଥା କହିଲା । ମା’ ଏକଥା ଶୁଣି ଉଠି ପଡ଼ି କହିଲା ମୁଁ ଯାଇ ସେ ଘରର ମା’ଙ୍କୁ ସବୁ କହିବି ।

 

ଦେବଯାନୀ କହିଲେ ନାଇଁ ମା’ ସେମାନଙ୍କୁ କହି ଲାଭ କ’ଣ ? ତାଙ୍କ ଘରକୁ କାମ କରିବାକୁ ମୁଁ ଆଉ ଯିବି ନାହିଁ ।

 

ଅନ୍ୟଠାରେ ସେମାନେ କାମ ଖୋଜିଲେ । ଯେଉଁ ଘରେ ଯାଇ କାମ କରିବା କଥା କହିଲେ ସେଠାରେ କେହିନା କେହି ଜଣେ ରହି ଗଲାଣି ବୋଲି ଶୁଣିଲେ । ଏହିପରି ଦି’ ମାସ ବୁଲିଲା ପରେ ଶେଷରେ ସେମାନେ କାମ ପାଇଲେ ।

 

ଛ’ ମାସ ବିତିଗଲା । ବ୍ୟାପୁରୀ କରୁଥିବା ସୂତାକଳରେ ଧର୍ମଘଟ ହେଲା । ଗୋରା ମାନେଜର ଜଣେ ମିସ୍ତ୍ରିକୁ ମାଡ଼ ମାରିଥିଲା । ତା’ପରେ ଜଣେ ମିସ୍ତ୍ରି ଓ କେତେ ଜଣ ଶ୍ରମିକ କାମରୁ ଛଟେଇ ହେଲେ । ମାସିକିଆ ଦରମା ପାଇସାରିବା ପରେ ଶ୍ରମିକମାନେ ଏକାଠି ହୋଇ କାମ ବନ୍ଦ କଲେ । ବ୍ୟାପୁରୀ ମଧ୍ୟ ସେମାନଙ୍କ ସଙ୍ଗେ ଧର୍ମଘଟ କରିବାକୁ ବାଧ୍ୟ ହେଲା । ଧର୍ମଘଟ ମାସେକାଳ ଚାଲିଲା । ଶ୍ରମିକମାନେ ସଭା ସମିତି କଲେ । ପ୍ରଥମେ ପ୍ରଥମେ ବେଶ୍ ଉତ୍ସାହ ଉଦ୍ଦୀପନା ଦେଖାଗଲା । ମାତ୍ର ସେମାନଙ୍କ ପାଖରେ ଥିବା ପଇସାପତ୍ର ସରି ଆସିବା ସଙ୍ଗେ ସଙ୍ଗେ ଉତ୍ସାହ ଉଦ୍ଦୀପନା ମଧ୍ୟ ମଉଳିଗଲା । ସେମାନଙ୍କ ମଧ୍ୟରେ ମିଳାମିଶା ହୋଇଗଲା । ସେମାନେ ପୁଣି କାମରେ ଯୋଗଦେଲେ । ସପ୍ତାହକ ପରେ ସୂତାକଳ ଫାଟକ ପାଖରେ ଗୋଟିଏ ନୋଟିସ୍ ଝୁଲାଇ ଦିଆଗଲା । ନୋଟିସ୍‌ରେ ଛଟେଇ କରି ଦିଆଯାଇଥିବା ପଚିଶ ଜଣ ଶ୍ରମିକଙ୍କ ନାମ ଲେଖାଯାଇଥିଲା । ସେମାନଙ୍କୁ ସୂତାକଳ ସୀମାରେ ପ୍ରବେଶ କରିବାକୁ ମଧ୍ୟ ମନା ବୋଲି ସେଥିରେ ଉଲ୍ଲେଖ ଥିଲା । ଏହି ପଚିଶ ଜଣଙ୍କ ଭିତରେ ବ୍ୟାପୁରୀ ମଧ୍ୟ ଥିଲା ।

 

ସେ ମିସ୍ତ୍ରି ପାଖକୁ ଯାଇ କହିଲା–ମୁଁ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ । ମୁଁ ନୂଆ ଲୋକ, ଧର୍ମଘଟ ସହିତ ମୋର ସମ୍ପର୍କ ନଥିଲା । ମିସ୍ତ୍ରି କହିଲା–ଦେଖ୍ ମୁଁ କିଛି କରିପାରିବି ନାହିଁ । ଏ ହେଲା ମାନେଜରର ହୁକୁମ । ସେ ବଜ୍ଜାତ୍ ସମୟ ରକ୍ଷକ ରଙ୍ଗସ୍ଵାମୀ ନାଇକେନ୍ ଅନ୍ୟମାନଙ୍କ ସାଙ୍ଗରେ ତୋ ନାଁଟାବି ଦେଇଛି ।

 

ସେ ଯାଇ ରଙ୍ଗସ୍ଵାମୀକୁ କହିଲା ଯେ ଏ ଘଟଣା ସହିତ ସେ ଆଦୌ ସଂପୃକ୍ତ ନୁହେଁ । ସେ କହିଲା ସେ କିଛି କହିନାହିଁ; ଏ ହେଲା ଟଙ୍କାରଖା କିରାଣିର କାମ ।

 

ସେ କହିଲା, ତୋତେ କେହି କାମରେ ରଖିପାରିବେ ନାହିଁ । ତୁ ଲେଖାପଢ଼ା ଜାଣୁ । ତୁ ଅନ୍ୟମାନଙ୍କୁ ଧର୍ମଘଟ କରିବାକୁ ନିଶ୍ଚୟ ମତାଇଛୁ । ତତେ ଆଉ କାମରେ ନିଆଯାଇପାରିବ ନାହିଁ ବୋଲି ଶେଷରେ ମାନେଜର ଶୁଣାଇ ଦେଲା ।

 

ଏଣେତେଣେ ବୁଲି ପାଖରେ ଯାହା ପଇସାପତ୍ର ଥିଲା ତାକୁ ଖର୍ଚ୍ଚ କରି ସାରିବା ପରେ ଅତିକଷ୍ଟରେ ସେ ଆସି ମାଡ଼୍ରାସରେ ପହଞ୍ଚିଲା । କାମ ହରାଇଥିବା ପଚିଶ ଜଣ ଶ୍ରମିକଙ୍କ ମଧ୍ୟରୁ ଦଶଜଣ କାମ ସନ୍ଧାନରେ ତା’ ସାଙ୍ଗରେ ମାନ୍ଦ୍ରାଜ ଆସିଥିଲେ । ସେମାନଙ୍କ ପାଖରେ ଯାହା ପଇସାପତ୍ର ଥିଲା ସେମାନେ ସେଥିରେ ଖାଇପିଇ ରହିଥିଲେ । କାରଖାନା ପରେ କାରଖାନା ସେମାନେ ଯାଇ କାମ ଖୋଜୁଥିଲେ । କିଛିଦିନ ଯିବା ପରେ ବ୍ୟାପୁରୀ ଗୋଟିଏ ସୂତାକଳରେ କାମ ପାଇଥିଲା ।

 

ସୂତାକଳରେ ଫାଟକ ଜଗାଳି ଓ ଅନ୍ୟାନ୍ୟ ଛୋଟ ଛୋଟ କର୍ମଚାରୀମାନଙ୍କୁ ବକ୍ସିସ୍ ଦେବାକୁ ବ୍ୟାପୁରୀର ପାଞ୍ଚଟଙ୍କା ଦରକାର ପଡ଼ିଥିଲା । ସେ ଟଙ୍କା ଓ ଖାଇବାଲାଗି ଧାର କରିଥିବା ଟଙ୍କା ପରିଶୋଧ ନିମନ୍ତେ ସେ ତା’ର କାନ ପିନ୍ଧା ରିଙ୍ଗ୍ ବନ୍ଧା ଦେଇ କିଛି ଟଙ୍କା ଧାର ଆଣିଥିଲା । ନିଜ ଦୁଃଖ ଭୁଲିଯିବା ଲାଗି ସେ ଟିକିଏ ଟିକିଏ ମଦ ପିଇବାକୁ ଆରମ୍ଭ କଲା, ଯଦିଓ ସାଲେମ୍‍ରେ ସେ ମୋଟେ ମଦ ଛୁଇଁ ନଥିଲା ।

 

ଜୁଆଖେଳି ଅନେକ ଟଙ୍କା ପାଇ ହେବ ବୋଲି ଯେତେବେଳେ ତା’ ସାଙ୍ଗମାନେ ତାକୁ କହିଲେ, ସେ ଜୁଆ ମଧ୍ୟ ଖେଳିଲା । ଖାଇବା ଓ ଘରଭଡ଼ା ଦେବାପରେ ଯାହାକିଛି ସାମାନ୍ୟ ଟଙ୍କା ତା’ର ବଳିଲା ତାକୁ ସେ ଘରକୁ ପଠାଇବା ପରିବର୍ତ୍ତେ ଏହିପରି ଉଡ଼ାଇଲା । ପଠାଣଠାରୁ ଯେଉଁ ଋଣ ଆଣିଥିଲା ତାହା ବଢ଼ି ବଢ଼ି ଚାଲିଲା । ଅଧିକରୁ ଅଧିକ ଅସୁବିଧା ସୃଷ୍ଟି ହେଲା ଓ ସେସବୁ ଭୁଲିଯିବା ଲାଗି ସେ ବି ଅଧିକରୁ ଅଧିକ ମଦ ପିଇଲା ।

 

ଟଙ୍କା ପଠାଇପାରୁ ନଥିବାରୁ ଦୁଃଖକରି ପ୍ରଥମେ ସେ ଘରକୁ ଚିଠି ଲେଖିଥିଲା । ତା’ପର ଚିଠିରେ ସେ ଘରକୁ ଟଙ୍କା ପଠାଇବା ଅବସ୍ଥାରେ ନାହିଁ ବୋଲି ଓ ଦେବଯାନୀ ଯଦି ସୂତାକଳରେ କାମ କରିବାକୁ ଚାହୁଁଛି ତେବେ ମାନ୍ଦ୍ରାଜ ଆସୁ ବୋଲି ଲେଖିଥିଲା । ଦେବଯାନୀ ଓ ପଲାନି ଅମ୍ମଲ ଏ ଚିଠି ପାଇ ମୁଣ୍ଡରେ ହାତ ଦେଲେ ।

 

ଦୀର୍ଘଦିନ ଧୈର୍ଯ୍ୟର ସହିତ ଦୁଃଖ କଷ୍ଟ ସେମାନେ ସହିନେଲେ । ଦିନେ ଦେବଯାନୀ କହିଲା–“ମା’ ମୁଁ ମାନ୍ଦ୍ରାଜ ନଯିବି କାହିଁକି ? ମୁଁ ସେଠିକି ଯାଇ ବ୍ୟାପୁରୀ ପରି କାମ କରି କିଛି ରୋଜଗାର କରିବି । ତୋପାଇଁବି କିଛି ଟଙ୍କା ପଠାଇବି । ମୁଁ ଶୁଣୁଛି ମାନ୍ଦ୍ରାଜରେ ସୂତାକଳରେ ଅନେକ ସ୍ତ୍ରୀଲୋକ କାମ କରୁଛନ୍ତି ।
 

ପ୍ରଥମେ ପ୍ରଥମେ ଝିଅ କଥାରେ ମା’ ମୋଟେ ରାଜି ହେଉ ନଥିଲା । ଏହିସବୁ ଜାଗାରେ ଯାଇ ତୋ ପରି ଅସହାୟ ଯୁବତୀ ଝିଅ କିପରି କାମ କରି ପାରିବ ? ନା ନା ହୋଇ ପାରିବ ନାହିଁ ବୋଲି କିଛିଦିନ ପର୍ଯ୍ୟନ୍ତ ସେ କହିଲା । କିନ୍ତୁ ଶେଷରେ ତା’ କଥାରେ ମା’ ରାଜି ହେଲା । ପଡ଼ୋଶୀ ମାଗପ୍‍ପାନ ପାଖରେ ଦେବଯାନୀ ତା’ ସୁନା କାନ ଫୁଲ ବନ୍ଧାଦେଇ ବାରଟଙ୍କା ଆଣି ମାନ୍ଦ୍ରାଜ ଗଲା ।

 

–୪–

 

ମାନ୍ଦ୍ରାଜର ଗୋଟାଏ ସୂତାକଳର ସୂତାକଟା ହେଉଥିବା ବିଭାଗରେ ଦେବଯାନୀ ପାଇଁ କାମ ଠିକ୍ କରିଦେଲା । ବ୍ୟାପୁରୀ ଯେଉଁ ସୂତାକଳରେ କାମ କରୁଥିଲା ଏ ସେ ସୂତାକଳ ନୁହେଁ । ଏଠାରେ ଦେଢ଼ ଶହ ସ୍ତ୍ରୀଲୋକ କାମ କରନ୍ତି । ବୟସରେ ଅନେକ ଦେବଯାନୀଠାରୁ ମଧ୍ୟ ସାନ । ଦେବଯାନୀ ଓ ଆଉ ଦଶଜଣ ସ୍ତ୍ରୀଲୋକ ଜଣେ ସର୍ଦ୍ଦାର ତଳେ କାମ କରନ୍ତି । ପ୍ରଥମେ ପ୍ରଥମେ ସେ ଦେବଯାନୀ ପ୍ରତି ଭଲ ବ୍ୟବହାର କରୁଥିଲା । ଖୁବ୍ ଶୀଘ୍ର ତା’ କାମ ଦାମପାଇଁ ତାକୁ ଗାଳିଗୁଲଜ କରିବାକୁ ଆରମ୍ଭ କରିଦେଲା । ତା’ପରେ ଯେତେବେଳେ ତାକୁ ଏକୁଟିଆ ଦେଖିବାର ସୁଯୋଗ ପାଏ ଯାହା ଇଚ୍ଛା ତାହା ତାକୁ କହୁଥିଲା । ଦେବଯାନୀ ତା’ ସାଙ୍ଗରେ କାମ କରୁଥିବା ଜଣକୁ ପଚାରିଲା–“ସେ ଯାହା ସବୁ କହୁଛି ତା’ ଅର୍ଥ କ’ଣ ? ସେ ମତେ ଏମିତି କଥା କାହିଁକି କହୁଛି ?”

 

ସାଙ୍ଗ ମହିଳା ଶ୍ରମିକଟି ତା’ କଥା ଶୁଣି ହସିଲା ଓ କହିଲା ତୁ ଏତିକି ବୁଝି ପାରୁନୁ ? ମଫସଲରୁ ଆସିଛୁ କିନା ? ତୁ ଯଦି ତାକୁ ଖୁସି ନରଖୁ ତୋ ମଜୁରୀରୁ ଅଧା ଜୋରିମାନା ଆକାରରେ ଦେବାକୁ ପଡ଼ିବ । ଯଦି ତାକୁ ଖୁସି କରି ପାରିଲୁ ତେବେ ତୋତେ ବହୁତ ସୁବିଧା ସୁଯୋଗ ମିଳିବ ।

 

କିଛିଦିନ ପାଇଁ ଦେବଯାନୀ ସବୁ ବରଦାସ୍ତ କଲା । ଧୀରେ ଧୀରେ ଭଗବାନଙ୍କ ଉପରୁ ତା’ର ଆସ୍ଥା କମିଗଲା । ଶେଷରେ ମିସ୍ତ୍ରିକୁ ସେ କୌଣସି ପ୍ରତିରୋଧ କଲାନାହିଁ । ପରିସ୍ଥିତି ସହିତ ସେ ଖାପ ଖୁଆଇ ନେଲା ଓ ମିସ୍ତ୍ରି ଖୁସିହେଲା ପରି ତା’ ସଙ୍ଗେ କଥାବାର୍ତ୍ତା କଲା । ଖୁବ୍ ଶୀଘ୍ର ସେ ଏ ସବୁରେ ଆନନ୍ଦ ମଧ୍ୟ ଅନୁଭବ କଲା । ତା’ ମଜୁରୀ ବଢ଼ିଗଲା ।

 

ଏମିତି କେତେ ମାସ ଗଲା । ଦେବଯାନୀ ବୁଝିଲା ଯେ ସେ ଖୁବ୍‌ ଶୀଘ୍ର ମା’ ହେବାକୁ ଯାଉଛି । ସେ ଭୟଭୀତ ହୋଇ ଉଠିଲା । ଯେତେ ଦିଅଁଦେବତାଙ୍କୁ ଜାଣିଥିଲା ସମସ୍ତଙ୍କୁ ପ୍ରାର୍ଥନା କଲା । ମନକୁ ମନ କହିଲା–“ଏ ଲଜ୍ଜାର କଥା ମୁଁ କାହାକୁ କହିବି ?” ସେ କଥା ଭାବି, କପୋତ ବଣର ଶିକାରୀ ଦେଖିଲେ ଯେପରି ଥରିଉଠେ ସେ ଠିକ୍‌ ସେହିପରି ଥରିବାକୁ ଲାଗିଲା । ଏକଥା ସେ ତା’ ଭାଇକୁ କହିବାକୁ ସାହସ କଲାନାହିଁ । ତା’ ସାଙ୍ଗ ଝିଅମାନେ ଯେଉଁମାନେ ଏକଥା ଜାଣିଥିଲେ ସେମାନେ ତାକୁ ଏଥିପାଇଁ ଟାହିଟାପରା କରି ହସିଲେ । ସେ ଗାଁକୁ ଫେରି ଆସିବାକୁ ଭାବିଲା । ମାତ୍ର ସେଠାରେବି ତା’ର ତ୍ରାହି ନାହିଁ । ଗାଁରେ ସେ ଅପମାନିତ ହେବ ଓ ନିଜଲୋକ ତାକୁ ଅଜାତି କରିବେ ବୋଲି ସେ ନିଶ୍ଚିତ ଥିଲା । ସେ ମା’ କଥା ଭାବି ଅବଶେଷରେ ଗାଁକୁ ଫେରିବାପାଇଁ ସିଦ୍ଧାନ୍ତ କଲା । ସବୁକଥା ଭଗବାନଙ୍କ ଉପରେ ଛାଡ଼ିଦେଇ ସେ ପୂର୍ବପରି ସୂତାକଳରେ କାମ କରିବାକୁ ଲାଗିଲା ।

 

ଖୁବ୍ ଶୀଘ୍ର ସେ ବିଶେଷ ବ୍ୟସ୍ତ ହୋଇ ଉଠିଲା । ‘ହେ’ ଭଗବାନ ମୁଁ ଏବେ କ’ଣ କରିବି-? ମୁଁ ନିଜ ଲୋକଙ୍କୁ ଅପମାନିତ କରିଛି ।

 

ତା’ର ଜଣେ ସାଙ୍ଗ ତାକୁ ସାନ୍ତ୍ୱନା ଦେଇ କହିଲା, ଦେବଯାନୀ ତୁ ମୋଟେ ବ୍ୟସ୍ତ ହୁଅନାହିଁ । ଆମ ସମସ୍ତଙ୍କର ଏପରି ଘଟେ । ଗୋଟେ ପ୍ରକାର ଔଷଧ ଅଛି । ସେ ଔଷଧ ଖାଇଲେ ସବୁ ଠିକ୍ ହୋଇଯିବ ।

 

ସେ କହିଲା, ହଁ ମୁଁ ଔଷଧ କଥା ଶୁଣିଛି । କିନ୍ତୁ ମୋର ଭୟ ହେଉଛି ଏ ଔଷଧ ଖାଇ ମୁଁ ହୁଏତ ମରି ଯାଇପାରେ । ହେ ପ୍ରଭୁ ! ମୋତେ ଏଥିରୁ ରକ୍ଷା କର । ମୁଁ କେଉଁଠିକି ଯିବି ? କାହାକୁ ମୋର ଏ ମୁହଁ ଦେଖାଇବି ?

 

ତା’ର ଜଣେ ସାଙ୍ଗ ତାକୁ କହିଲା, ତୁ କେଉଁଠୁଁ ଦି’ଟା ଟଙ୍କା ଯୋଗାଡ଼ କର । ମୁଟୁସ୍ଵାମୀ ଆଚାରୀ ଗଳିରେ ଜଣେ ବୁଢ଼ୀ ଅଛି । ତା’ପାଖକୁ ଗଲେ ସେ ସବୁ ଠିକ୍ କରିଦେବ ।

 

ଦେବଯାନୀ କହିଲା, ଯଦି ପୋଲିସ୍ ଏକଥା ଜାଣିବ ତାକୁ ନିଶ୍ଚୟ ଧରିବ । ତା’ ସାଙ୍ଗ ତାକୁ ସାନ୍ତ୍ୱନା ଦେଇ କହିଲା, ତୁ ସେଥିପାଇଁ ମୋଟେ ବ୍ୟସ୍ତ ହୁଅନାହିଁ । ପୋଲିସ୍‍ମାନଙ୍କ ସହ ବୁଢ଼ୀର ଖୁବ୍ ଭଲ ପଡ଼େ । ଟଙ୍କା ପାଇଲେ ସେ ସବୁ ବ୍ୟବସ୍ଥା କରିଦେବ ।

 

ଦେବଯାନୀ କାନ୍ଦି କାନ୍ଦି କହିଲା, ମୁଁ ଏବେ ଟଙ୍କା ପାଇବି କେଉଁଠୁଁ ? ହେ ଭଗବାନ ତୁମେ ଶେଷରେ ମୋତେ ଏ ଅବସ୍ଥାରେ ପକାଇଲ । ମୋ ଗାଁ ଛାଡ଼ି ଏ ନିଉଛୁଣିଆ ସହରକୁ କାହିଁକି ଆସିଲି ?

 

ଆଉ କିଛିଦିନ ପରେ ଅନ୍ୟ ଗୋଟିଏ ସ୍ତ୍ରୀଲୋକ ତାକୁ ଭିନ୍ନ ପ୍ରକାରର ପରାମର୍ଶ ଦେଲା, ତୁ ତୋ ପିଲାକୁ ନଷ୍ଟ କରିଦେବା ଉଚିତ ନୁହେଁ । ଏହାଫଳରେ ଯେଉଁ ପାପ ହେବ ତିନିପୁରୁଷ ପର୍ଯ୍ୟନ୍ତ ତୁ ସେଥିରୁ ମୁକ୍ତି ପାଇବୁ ନାହିଁ । ପିଲାୟାର କୋଏଲ୍ ଗଳିରେ ଜଣେ ବୁଢ଼ୀ ଅଛି । ସେ ଭାରି ଭଲଲୋକ । ତା’ ପାଖକୁ ଗଲେ ସେ ସବୁ ଠିକ୍ କରି ଦେବ । ତୋ ପରି ଅନେକ ସ୍ତ୍ରୀଲୋକ ତା’ ଘରେ ରହି ସୁରୁଖୁରୁରେ ପିଲା ଜନ୍ମ କରିଛନ୍ତି ।

 

ଭଉଣୀ, ଭଗବାନ ତୁମର ମଙ୍ଗଳ କରନ୍ତୁ କହି ଦେବଯାନୀ ପିଲାୟାର କୋଏଲ୍ ଗଳିକୁ ସେହି ବୁଢ଼ୀ ପାଖକୁ ଗଲା । ଯଥାସମୟରେ ପିଲାଟି ଜନ୍ମ ହେଲା । ଶିଶୁଟିର କୋମଳ ସ୍ପର୍ଶ ପାଇ ଦେବଯାନୀ ଦୁନିଆକୁ ନୂଆ ଆକାରରେ ଦେଖିଥିଲା । ଏହା ଯଥାର୍ଥରେ ଏକ ବିସ୍ମୟ ଥିଲା । ସେ ତା’ର ସମସ୍ତ ଦୁଃଖ ଭୁଲି ଯାଇଥିଲା । ଏହି ପିଲାଟିହିଁ ତା’ର ସଂସାର ବୋଲି ସେ ଅନୁଭବ କରୁଥିଲା । ପିଲାଟିକୁ ଛାତିରେ ରଖି ଦୁଧ ପିଆଇବାବେଳେ ଏଇଟି ଭଗବାନଙ୍କର ମୋ ପ୍ରତି ଆଶୀର୍ବାଦ । ସେ ତ କୌଣସି ଭୁଲ କରିନାହିଁ । ମୁଁ ପାପ କରିଛି । କିଛିଦିନ ଲାଗି ସେ ସବୁ ଦୁଃଖ ଭୁଲିଯାଇ ସେଠାରେ ଖୁସିରେ ଥିଲା ।

 

ପିଲାୟାର କୋଏଲ୍ ଗଳିର ବୁଢ଼ୀଟି ତାକୁ କହିଲା, ତତେ ଏଠାରେ ଆଉ କିଛିଦିନ ରହିବାକୁ ପଡ଼ିବ । ବର୍ତ୍ତମାନ ତୁ କାମକୁ ଯାଇପାରିବୁ ନାହିଁ ।

 

ଦେବଯାନୀ ଭଗବାନଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରି କହିଲା, ସତରେ ମୁଁ ଦୁନିଆଟାକୁ କେତେ ଭୁଲ୍ ବୁଝିଥିଲି । ଦେଖୁଛି ଏଠାରେ ପୁଣି ଏତେ ଭଲଲୋକ ଅଛନ୍ତି ।

 

ମାସକ ପରେ ସେ ସବୁ ଜାଣିପାରିଲା । ବୁଢ଼ୀ କିପରି, ଅସାମାଜିକ କାର୍ଯ୍ୟକଳାପ ପାଇଁ ଖ୍ୟାତ ଘରଟିର, ପରିଚାଳନା କରୁଛି, ଲୋକମାନଙ୍କଦ୍ଵାରା ଠକେଇ ହୋଇ ଅସହାୟା ସ୍ତ୍ରୀଲୋକମାନେ ଏଠିକୁ କିପରି ଆସୁଛନ୍ତି । ସେଇମାନଙ୍କର ଜାଲରେ ଶେଷରେ ଦେବଯାନୀ ଆସି କିପରି ପଡ଼ିଲା । ତା’ପରେ ଦେବଯାନୀ ଆଉ ସୂତାକଳକୁ କାମ କରିବାକୁ ଯାଇନାହିଁ ।

 

–୫–

 

ରାମନାଥ ପଚାରିଲେ ତୁମର ମନେପଡ଼ୁଛି ନା ସାଲେସ୍‌ରେ ଦେବଯାନୀ ବୋଲି ଗୋଟିଏ ଝିଅ ଆମର କାମ କରୁଥିଲା । ଏ ଭିକାରୁଣୀଟି ଅବିକଳ ତା’ରି ପରି ଦିଶୁଛି ।

 

ଅବସର ପରେ ପେନ୍‌ସନ୍‌ ପାଇ ଯେଉଁ ଭଦ୍ରଲୋକ ସାଲେମ୍‌ରେ ରହୁଥିଲେ, ରାମନାଥ ତାଙ୍କ ବଡ଼ପୁଅ । ଦେବଯାନୀ ତାଙ୍କରି ଘରେ ପ୍ରଥମେ କାମ କରୁଥିଲା । ମାନ୍ଦ୍ରାଜରେ ଗୋଟାଏ ବଡ଼ ବ୍ୟାଙ୍କ୍‍ରେ ସେ କ୍ୟାସିଅର୍ ଥିଲେ ।

 

ସୀତାଲକ୍ଷ୍ମୀ କହିଲେ, ତୁମେ ସ୍ୱପ୍ନ ଦେଖୁଛ ନା କ’ଣ ? ସାଲେମ୍‌ରେ ଯେଉଁ ଝିଅ ଥିଲା ସେ ଏଠାକୁ ଆସିବ କିପରି ?

 

ରାମନାଥ କହିଲେ, ସ୍ତ୍ରୀଲୋକମାନେ ଏଡ଼େ ଟିକିଟିକି ଜନ୍ମକଲା ପିଲାକୁ ଧରି ବୁଲିବୁଲି ଏପରି ଭିକମାଗିବା ଲଜ୍ଜାକର କଥା । ଦେଶ ଆମର କେଉଁଠାରେ ଆସି ପହଞ୍ଚିଲାଣି । ତାଙ୍କ ସ୍ତ୍ରୀ କହିଲେ, ସବୁବେଳେ ତୁମେ ଦେଶ ଦେଶ ହେଉଛ, ପ୍ରଥମେ ତୁମେ ତୁମ ନିଜ ଘରକଥା ଦେଖିବାଟା କ’ଣ ଉଚିତ ନୁହେଁ କି ?

 

ତା’ ପରଦିନ ସନ୍ଧ୍ୟା ପର୍ଯ୍ୟନ୍ତ ସେହି ଭିକାରୁଣୀ ଯୁବତୀଟିକୁ ମଧ୍ୟ ଭୁଲିପାରିଲେ ନାହିଁ । ସେଠାରେ ହୁଏତ ତାକୁ ଦେଖିବେ ଓ ତା’ ଭଲମନ୍ଦ ବୁଝି ପାରିବେ ବୋଲି ଅଫିସ୍‍ରୁ ସେ ସିଧା ଚାଇନା ବଜାର ଗଲେ । ପୂର୍ବଦିନ ଯେଉଁ ହୋଟେଲରେ ଚାହା ଖାଇଥିଲେ ସେଠାରେ ଗାଡ଼ି ଅଟକାଇ କିଛି ସମୟ ଅପେକ୍ଷା କଲେ । ବାବୁ ବାବୁ କହି ତାଙ୍କୁ ଅନେକ ଭିକାରି ଆସି ଘେରିଗଲେ-। କିନ୍ତୁ ସେ ଆସି ନଥିଲା ।

 

ଶନିବାର ଦିନ ସନ୍ଧ୍ୟାରେ ରାମନାଥ ଓ ତାଙ୍କ ସ୍ତ୍ରୀ ପୁଣି ଚାଇନା ବଜାର ଗଲେ । ସୀତାଲକ୍ଷ୍ମୀ କହିଲେ, ଦେଖ ତୁମ ଭିକାରୁଣୀଟି ସେଠାରେ ଠିଆ ହୋଇଛି । ହଁ ସିଏ ସେଇ ସ୍ତ୍ରୀଲୋକ । ପିଲାଟିକୁ ଧରି କାହାର କାର୍‌ ପାଖରେ ଠିଆ ହୋଇ ସେ ମାଗୁଥିଲା ମା’ ପିଲାଟିକୁ ଦୟାକର । ଚାରଟି ପଇସା ଦିଅ ।

 

ସେ ରାମନାଥ ଓ ଅନ୍ୟମାନଙ୍କୁ କାର୍‌ ଭିତରେ ବସିଥିବାର ଦେଖିଥିଲା । କିନ୍ତୁ ତାଙ୍କ ପାଖକୁ ନ ଆସି ଅନ୍ୟ କାର୍‌ ପାଖକୁ ଗଲା । କାରଣ ସେମାନେ କିଛି ଦେବେନି ବୋଲି ସେ ଜାଣିଥିଲା । ଅନୁଭୂତିରୁ ଭିକାରିମାନେ ଶିଖନ୍ତି । ସବୁକାମ ପାଇଁ ଚତୁରତା ଓ କୌଶଳର ପ୍ରୟୋଜନ ରହିଛି । ସେ ସ୍ତ୍ରୀଲୋକକୁ କିଛି ପଚାରିବାକୁ ରାମନାଥ ସାହସ କରିପାରିଲେ ନାହିଁ । ସେ ତାଙ୍କ କାର୍‌ ପାଖକୁ ଆସିବେ ଭାବି ସେ କିଛି ସମୟ ଅପେକ୍ଷା କଲେ । କିନ୍ତୁ ସେ ଆଉ ଆସି ନଥିଲା । ଲୋକ ଗହଳି ଭିତରେ ସେ ହଜି ଯାଇଥିଲା ଓ ଆଉ ଦେଖାଯାଇ ନଥିଲା ।

 

ସୀତାଲକ୍ଷ୍ମୀ କହିଥିଲେ, ଚାଲଯିବା ।

 

ଆଠଦିନ ପରେ ରାମନାଥ ଓ ସୀତାଲକ୍ଷ୍ମୀ ସିନେମା ଦେଖିବାକୁ ଯାଇଥିଲେ । ପୁରୁଣା ରାଜା ନଳ ଚରିତ ସିନେମାର କଥାବସ୍ତୁ ଥିଲା ।

 

ସିନେମା ଫାଟକ ଆଗରେ ଭାରି ଲୋକ ଭିଡ଼ ହୋଇଥିଲା । ନୂତନ ତାରକା ଧନଭାଗ୍ୟମ୍ ଦମୟନ୍ତୀ ଭୂମିକାରେ ଅଭିନୟ କରୁଥିଲେ । ‘ହାଉସ୍‌ଫୁଲ୍’ ହୋଇ ଯାଇଥିଲା ।

 

ରାମନାଥ ପଚାରିଲେ, ଆମେ କ’ଣ ଘରକୁ ଫେରିଯିବା ? ପୁଣି ଆର ସୋକୁ ଆସିବା-?

 

ସୀତାଲକ୍ଷ୍ମୀ କିଛି ଉତ୍ତର ଦେବା ପୂର୍ବରୁ ତାଙ୍କ କାର୍‌ ପାଖରେ କେହି ଜଣେ ପାଟିକରି କହିଲା, ମା’ କିଛି ମିଳୁ । ସିଏ ସେହି ସାଲେମ୍ ଝିଅ କି ବୋଲି ଦେଖିବାକୁ ରାମନାଥ ଚାହିଁଲେ ।

 

ସେହି ଝିଅ କଥା ତାଙ୍କ ମୁଣ୍ଡରେ ଢୁକିଥିଲା । ଯେ କିନ୍ତୁ ଅନ୍ୟ ଭିକାରୁଣୀ; ସାଲେମ୍ ଝିଅ ନୁହେଁ ।

 

ସୀତାଲକ୍ଷ୍ମୀ ଡ୍ରାଇଭର ରାମନାୟାରକୁ କହିଲେ, ଶୀଘ୍ର ଘରକୁ ଗାଡ଼ି ନେଇ ଚାଲ ।

 

ଏଠି ଯଦି ଗାଡ଼ି ଅଟକାଇବ ତେବେ ଏ ଭିକାରିମାନେ ଆମ ପ୍ରାଣ ଖାଇଦେବେ । ଠିକ୍ ସେତିକିବେଳେ ଜଣେ ପୋଲିସ୍‍ ବାଡ଼ିଦେଖାଇ ସେ ଭିକାରୁଣୀକୁ ସେଠାରୁ ଘଉଡ଼ି ଦେଲା ।

 

ସେଦିନ ରାତିରେ ସେ ସ୍ୱପ୍ନରେ ଭିକାରୁଣୀକୁ ଦେଖିଲେ । ରାମନାଥ ପଚାରିଲେ, ତୁ ଦେବଯାନୀ କି ? ତୁ କେଉଁଠୁଁ ଆସିଛୁ ? ବିସ୍ମିତ ହୋଇ ଚାହିଁ ଅତି ଆନନ୍ଦରେ ଭିକାରୁଣୀଟି ତାଙ୍କୁ ପଚାରିଲା, ସାଲେମ୍‌ରେ ନିମଗଛ ପାଖରେ ଯେଉଁ ବାବୁ ରହୁଥିଲେ ତୁମେ ତାଙ୍କ ବଡ଼ପୁଅ ନୁହେଁ କି ?

 

ରାମନାଥ ଡ୍ରାଇଭର ନାୟାରକୁ କହିଲେ, ଆଗସିଟ୍‌ରେ ଆସି ବସିବାକୁ ତାକୁ କହ ।

 

ସେ ଘରେ ଯାଇ ପହଞ୍ଚିଲେ । ତାଙ୍କ ସ୍ତ୍ରୀ ତାଙ୍କୁ ପଚାରିଲେ, ତୁମେ ୟା’କୁ ଏଠିକି କାହିଁକି ଆଣିଲ ?

 

ସେ କହିଲେ, ଆମ ଘରେ ଆମେ ତାକୁ ଚାକରାଣୀ କରି ରଖିବା ! ସେ ଆମ ଏଠି ଖାଇବ ପିଇବ, ଆମେ ତାକୁ ମାସକୁ ଚାରିଟଙ୍କା ଦରମା ଦେବା ।

 

କମ୍ ବଢ଼ିଆ ହେବ କି ? ଏପରି ପତିତା ଜଣକୁ ଘରେ ଆଣି ରଖିବା କ’ଣ କମ୍ ଗୌରବର କଥା ? ତମର ଯୋଉ ବୁଦ୍ଧି ? ବାହାର ବାହାର ଏଠୁ, କହି ସୀତାଲକ୍ଷ୍ମୀ ତାକୁ ସେଠାରୁ ତଡ଼ିଦେଲେ ।

 

ଅସହାୟା ସ୍ତ୍ରୀଲୋକଟି କହିଲା, ମୋତେ ରଖନ୍ତୁ ମୁଁ ଚୋରୀ କରିବି ନାହିଁ । ଯାହା କହିବେ ସବୁ କାମ କରିବି ।

 

ସୀତାଲକ୍ଷ୍ମୀ କହିଲେ, ଅସମ୍ଭବ ! ତୁ ବାହାର, ମୋ ଘରୁ ।

 

ଗୋଟିଏ ଟଙ୍କାକାଢ଼ି ତାକୁ ଦେବା ଉଦ୍ଦେଶ୍ୟରେ ରାମନାଥ ପକେଟରେ ହାତ ପୂରାଇବାହୁ ଚେଷ୍ଟା କଲେ । କିନ୍ତୁ ତାଙ୍କ ହାତ ଉଠାଇ ସେ ପକେଟରେ ପୂରାଇପାରିଲେ ନାହିଁ । ଭିକାରୁଣୀର ପିଲାଟି ଚିତ୍କାର କରି କାନ୍ଦି ଉଠିଲା । ତାଙ୍କ ନିଦ ଭାଙ୍ଗିଗଲା, ସେ ସ୍ୱପ୍ନ ଦେଖୁଥିଲେ । ସଚେତନ ହେଲେ ।

 

ତାଙ୍କ ଝିଅ ରାଧା ବିଛଣା ଉପରେ ବସି କାନ୍ଦୁଥିଲା ।

 

ସେ ମନକୁମନ କହିଲେ, ସେ ତେବେ ସ୍ୱପ୍ନ ଦେଖୁଥିଲେ । ଭଗବାନଙ୍କ ଆଶୀର୍ବାଦରୁ ସୀତାଲକ୍ଷ୍ମୀ କେବେ ଏପରି ନିର୍ଦ୍ଦୟା ହୋଇପାରିବ ନାହିଁ ଭାବି ସେ ଖୁସି ହେଲେ ।

 

ବଜାର, ରେଳଷ୍ଟେସନ୍‍, ସିନେମା ଯୁଆଡ଼େ ଯାଆନ୍ତୁ, ସେସବୁ ସ୍ଥାନରେ ରାମନାଥ ଅନେକ ଦିନ ପର୍ଯ୍ୟନ୍ତ ଦେବଯାନୀକୁ ଦେଖିବାକୁ ଚେଷ୍ଟା କରିଛନ୍ତି କିନ୍ତୁ ସେ ଭିକାରୁଣୀ ସ୍ତ୍ରୀଲୋକଟିକୁ ଆଉ କେବେହେଲେ ଦେଖିପାରି ନାହାନ୍ତି ।

Image

 

ନିର୍ବାଚନ କାହାଣୀ

 

କୋଟୁର ଜିଲ୍ଲାର ମୁଖ୍ୟ ସହରଟି ମଧ୍ୟ କୋଟୁର ନାମରେ ପରିଚିତ । ସେଠାରେ ଥିବା ହରିଜନ ବସ୍ତିଟି କଣ୍ଟାଚେରି ନାମରେ ଜଣା । ଏବେ ବିଭିନ୍ନ ନାମରେ ସେ ବସ୍ତିଗୁଡ଼ିକ ପରିଚିତ । ଜେମ୍‌ସ ପେଟ୍‌ରେ ତିରିଶଗୋଟି ହରିଜନ ପରିବାର ବସବାସ କରି ରହୁଥିଲେ । ସେମାନଙ୍କ ମଧ୍ୟରୁ କେବଳ ସିରାଙ୍ଗନ୍‌ ଭଲରେ ଥିଲା । ଜେମ୍‌ସ ପେଟ୍‍ର ଅଧିକାଂଶ ହରିଜନ କୁଲି ସୋନାଇ ପାହାଡ଼ରେ ଗଛ ଲଗାଇ ଦିନ ମଜୁରିଆ ଭାବରେ ସେମାନଙ୍କ ପରିବାରର ଭରଣପୋଷଣ କରୁଥିଲେ । ସିରାଙ୍ଗନ୍ କିନ୍ତୁ କୁଲିକାମ କରୁ ନଥିଲା । ସେ ନିକଟବର୍ତ୍ତୀ ବଜାରମାନଙ୍କରୁ ଜିନିଷପତ୍ର ଆଣି କୋଟୁର୍‌ରେ ଥିବା କଫି ଓ ଚାହା ବଗିଚାର ଇଂରାଜୀ ମାଲିକମାନଙ୍କୁ ଅଳ୍ପ ଲାଭ ରଖି ସେସବୁ ଯୋଗାଇ ଦେଉଥିଲା । ସେଥିରୁ ସେ ବେଶ୍‌ ଦୁଇ ପଇସା ମଧ୍ୟ ପାଉଥିଲା । ସେହି ପାହାଡ଼ ଉପରେ ବସବାସ କରି ରହୁଥିବା ସମସ୍ତ ଭଦ୍ରଲୋକ ଓ ଭଦ୍ରମହିଳାମାନଙ୍କର ତା’ ପ୍ରତି ସହାନୁଭୂତି ଥିଲା । ତା’ ଉପରେ ସମସ୍ତଙ୍କର ଯଥେଷ୍ଟ ଆସ୍ଥାଥିଲା ।

 

କୋଟୁର ଜିଲ୍ଲାପାଳ ମଧ୍ୟ ସରବରାହକ ସିରାଙ୍ଗନ୍‍ର ସଚୋଟପଣିଆ ଏବଂ ଅନ୍ୟାନ୍ୟ ସଦ୍‌ଗୁଣର ସମ୍ବାଦ ପାଇ ପାରିଥିଲେ । ମ୍ୟୁନିସିପାଲ ବୋଡ଼୍‍ର ହରିଜନ ସ୍ଥାନ ଯେତେବେଳେ ଖାଲି ପଡ଼ିଲା ଓ ତାହା ପୂରଣ ହେବା କଥା ଉଠିଲା ଜିଲ୍ଲା ପୁଲିସ୍ ଅଧ୍ୟକ୍ଷ, ଜିଲ୍ଲା ମେଡ଼ିକାଲ ଅଫିସର ଓ ଲଣ୍ଡନ ମିସନ୍ ପାଦ୍ରୀ, ଇଂରାଜୀ କ୍ଳବ୍‍ର ମଦ ପରଶୁଥିବା ବ୍ୟକ୍ତି ସ୍ଵାମୀ ପ୍ରିୟାନ୍‌କୁ ସେ ସ୍ଥାନରେ ମନୋନୀତ କରିବା ଲାଗି ଜିଲ୍ଲାପାଳଙ୍କ ଉପରେ ଚାପ ପକାଇଲେ । କିନ୍ତୁ ଜିଲ୍ଲାପାଳଙ୍କ ସ୍ତ୍ରୀ ଏହି ପ୍ରସ୍ତାବକୁ ନାକଚ କରିଦେଲେ । ସେ କହିଲେ ପାହାଡ଼ ଉପରେ ଥିବା ସମସ୍ତ ଶ୍ଵେତାଙ୍ଗିନୀମାନେ ସରବରାହକ ସିରାଙ୍ଗନ୍‍ର ନାମ ଏଥିଲାଗି ସୁପାରିସ୍ କରୁଛନ୍ତି । ତେଣୁ ସେ ସ୍ଥାନରେ ତାକୁ ମନୋନୀତ କରାଯିବା ଉଚିତ । ସମସ୍ତେ ଯାହା କହୁଛନ୍ତି ତାହା ଠିକ୍, ଏକଥା ସ୍ଵାମୀଙ୍କୁ ବୁଝାଇ ଦେବାଟା ସ୍ତ୍ରୀଙ୍କ ପକ୍ଷେ ଏକାନ୍ତ ସ୍ଵାଭାବିକ ଥିଲା । ଅନ୍ୟାନ୍ୟ ଅଫିସରମାନଙ୍କୁ ଜିଲ୍ଲାପାଳ କହିଥିଲେ, ଆପଣମାନେ ପରିସ୍ଥିତିର ଗୁରୁତ୍ଵ ବୁଝୁ ନାହାନ୍ତି । ଆମେ ଯଦି କ୍ଳବ୍‍ର ମଦ ପରଶୁଥିବା ଲୋକଟିକୁ ମନୋନୀତ କରିଦେବା ତେବେ ଟାଉନ୍‌ରେ ଦେଶପ୍ରେମୀମାନେ ଆନ୍ଦୋଳନ କରିବେ । ଅଯଥା ଗୋଳମାଳ ହେବ । ଆମେ ଯାହାକିଛି କରିବା ଚତୁରତାର ସହିତ କରିବା । ତା’ପରେ ଅନ୍ୟ ଯେଉଁ ସବୁ ଆପତ୍ତିଗୁଡ଼ିକ ଉଠିଲା ତା’ର ସମାଧାନ କରିଦେବା ପରେ ସେ ସିରାଙ୍ଗନ୍‍କୁ ମନୋନୀତ କଲେ । ସେହି ମୁହୂର୍ତ୍ତରୁ ସିରାଙ୍ଗନ୍‍ର ଅବନତି ହେବାକୁ ଆରମ୍ଭ କଲା । ହଠାତ୍ ସେ ଜଣେ ସମ୍ମାନସ୍ପଦ ବ୍ୟକ୍ତି ହୋଇଗଲା । ଜିଲ୍ଲାପାଳ ଏବଂ ଅନ୍ୟାନ୍ୟ ବଡ଼ବଡ଼ ଅଫିସରମାନେ ତା’ ସଙ୍ଗେ ହାତ ମିଳାଇଲେ । କଥାବାର୍ତ୍ତା କଲେ । ବଡ଼ଲୋକ ହୋଇଯିବା ପରେ ସେ ଆଉ ତା’ର ବ୍ୟବସାୟ ଦେଖାଶୁଣା କରି ପାରିଲା ନାହିଁ । ନିଜେ ନଯାଇ ତା’ ଜିନିଷପତ୍ର କିଣିବାକୁ ସେ ତା’ର ପୁତୁରା ବରଦନକୁ ପଠାଇଲା । ପାହାଡ଼ ଉପରକୁ ସେ କେତେବେଳେ କେମିତି ଯାଏଁ । ବରଦନକୁ ସେ ସେଠାକୁ ସବୁ କାମରେ ପଠାଏ । ଯାହା ଲାଭହୁଏ ସେଥିରୁ ଗୋଟାଏ ଭାଗ ସେ ତା’ ପୁତୁରାକୁ ଦିଏ । ତା’ର ବ୍ୟବସାୟ ପ୍ରତି ଧ୍ୟାନ ଦେବା କମିବା ସଙ୍ଗେ ସଙ୍ଗେ ଲାଭ ହେବା ମଧ୍ୟ କମିବାକୁ ଲାଗିଲା । ପରିବାରର ପ୍ରତିପୋଷଣ ପାଇଁ ଅଭାବ ହେବାରୁ ଚା’ ରୋପଣକାରୀ ବ୍ୟବସାୟୀମାନଙ୍କର ସ୍ତ୍ରୀମାନେ ତାକୁ ଦେଇଥିବା ଅଗ୍ରିମ ଟଙ୍କାରୁ ସେ ଖର୍ଚ୍ଚ କରିବାକୁ ଆରମ୍ଭ କଲା-। ପୁରାତନ ଏବଂ ବିଶ୍ଵାସୀ ଗରାଖ ହୋଇଥିବାରୁ ଓ ମ୍ୟୁନିସିପାଲଟିରେ କାଉନ୍‌ସିଲ୍‌ର ଥିବାରୁ ଦୋକାନୀମାନେ ବାକିରେ ତାକୁ ଜିନିଷପତ୍ର ଦେଉଥିଲେ । ସ୍ତ୍ରୀଲୋକମାନଙ୍କୁ ହିସାବ ଦେବାବେଳେ ତାକୁ କେତେକ ମିଛକଥା କହିବାକୁ ପଡ଼ୁଥିଲା । ଛୋଟ ହେଉ ବଡ଼ ହେଉ ବ୍ୟବସାୟରେ ଅସାଧୁତା, ଅଚିରେ ଅବ୍ୟାପାର ସୃଷ୍ଟି କରେ । ପୂର୍ବରୁ ସିରାଙ୍ଗନ୍ ପ୍ରତି ଅନ୍ୟମାନଙ୍କର ଯେ ସମ୍ମାନ ଥିଲା ଧୀରେ ଧୀରେ ସେ ତାହା ହରାଇଲା । ଆନ୍ତରିକତା ଓ ଅର୍ଦ୍ଧେକ ପରିହାସରେ ସିରାଙ୍ଗାନ୍‌ ଟାଉନ୍‌ କାଉନ୍‌ସିଲର୍‌ମାନଙ୍କ ମଧ୍ୟରେ ସଚୋଟ ବୋଲି ବେଳେବେଳେ ଯେଉଁ ମତାମତ ଶୁଣା ଯାଉଥିଲା, ତାହା ମଧ୍ୟ ଆଉ ଶୁଣା ଗଲାନାହିଁ ।

 

ମ୍ୟୁନିସିପାଲଟିର ସଭାପତି ଗୋପାଳ ଚେଟିୟାର୍‍ଙ୍କର ହଠାତ୍‌ ପରଲୋକ ହୋଇଗଲା-। ତାଙ୍କ ସ୍ଥାନରେ ନୂଆ ସଭାପତି ନିର୍ବାଚନ ଲାଗି ପ୍ରସ୍ତୁତି ଆରମ୍ଭ ହୋଇଗଲା । ବଡ଼ ସୂତା ବ୍ୟବସାୟୀ ଧନପାଲ୍‍ ଚେଟିୟାର୍‍ ନିର୍ବାଚନରେ ଠିଆ ହେଲେ । ଓକିଲ ରାମସ୍ଵାମୀ ମୁଦାଲିୟାର ତାଙ୍କର ମୁଖ୍ୟ ପ୍ରତିଦ୍ଵନ୍ଦ୍ୱୀଭାବେ ପ୍ରତିଦ୍ଵନ୍ଦ୍ୱିତା କଲେ । ବଜାରରେ ଓ ଓକିଲମାନଙ୍କ ମଧ୍ୟରେ ଅନେକ ଦିନ ଧରି ଏହି ନିର୍ବାଚନ କେବଳ ଆଲୋଚନାର ବିଷୟ ହୋଇ ରହିଲା ।

 

ଭୋଟ୍‌ ଯୋଗାଡ଼ ଚାଲିଲା । ନିର୍ବାଚନର ଚାରିଦିନ ପୂର୍ବରୁ ଟଙ୍କା ଦେବାନେବା ହେଉଥିବା କଥା ଅନ୍ୟମାନେ କୁହାକୁହି ହେଲେ । କେତେକ କହିଲେ ଚେଟିୟାର୍‍, ପ୍ରତି କାଉନ୍‌ସିଲର୍‌କୁ ଏକ ହଜାର ଟଙ୍କା ଦେବ ବୋଲି ଠିକ୍‌ କରିଛି । ଏହା କେତେକାଂଶରେ ସତ କେତେକାଂଶରେବି ମିଛଥିଲା । ମୁଦାଲିୟର୍‍ ସ୍ପଷ୍ଟଭାବେ କହିଦେଲେ ଯେ ସେ କେବେ ଏପରି ହୀନ ପନ୍ଥାର ଅନୁସରଣ କରିବେ ନାହିଁ । ଏହା ତାଙ୍କର ବନ୍ଧୁମାନଙ୍କୁ ଶିଥିଳ କରି ପକାଇଥିଲା । ସେମାନଙ୍କ ପରାମର୍ଶ ପ୍ରତି କର୍ଣ୍ଣପାତ ନକରି ଆପଣା ନିଷ୍ପତ୍ତିରେ ସେ ଅଟଳ ରହିଲେ । ସୋମବାର ଦିନ ସକାଳ ଆଠଟାବେଳେ ନିର୍ବାଚନ ଆରମ୍ଭ ହେବ । ତା’ ପୂର୍ବଦିନ ରବିବାର ରାତି ଆଠଟାବେଳେ ରାମସ୍ଵାମୀ ମୁଦାଲିୟର୍‍ଙ୍କ ଅନ୍ତରଙ୍ଗ ବନ୍ଧୁମାନେ ତାଙ୍କ ଘରଠାରେ ଜମା ହେଲେ ।

 

ନାସ୍‌ଡ଼ିଲର ରଙ୍ଗାପଲାଇ କହିଲେ “ତୁମର ଅବଶ୍ୟ ଏହାଦ୍ଵାରା କିଛି କ୍ଷତି ହେବନାହିଁ । ଆମେ କେବଳ ଯାହା ଅପମାନିତ ହେବୁ ।

 

ଦୋକାନୀ ସୀତାରମାୟାର କହିଲା ‘ଏଥିରେ ହାରିବା ପରେ ଆମେ ଆଉ କୋଟୁର୍‌ରେ ରହିପାରିବୁ ? ଆମକୁ ଅନ୍ୟତ୍ର ଚାଲିଯିବାକୁ ପଡ଼ିବ ।’ ବୀର ରାଘବ ଚେଟିୟାର୍‍ ପଚାରିଲେ ଆମ ସମସ୍ତଙ୍କୁ ଏପରି ଅପମାନଜନକ ପରିସ୍ଥିତିକୁ ଟାଣି ଆଣିବାଟା କ’ଣ ତୁମର ଠିକ୍‌ ହେଲା । ସେଠାରେ ଉପସ୍ଥିତ ଥିବା ଶେଷ ଭଦ୍ରଲୋକ ଜଣକ ହେଉଛନ୍ତି ଧନପାଳ ଚେଟିୟାର୍‍ଙ୍କ ଶାଳକ । ତା’ ପୂର୍ବରୁ ଦୁହେଁ ମିଶି ବ୍ୟବସାୟ କରୁଥିଲେ । ମାତ୍ର ବ୍ୟବସାୟ ପୃଥକ ହେଇଯିବା ଦିନଠୁ ସେ ଦୁହେଁ ପରସ୍ପରର ଚରମ ଶତ୍ରୁ ହୋଇ ପଡ଼ିଛନ୍ତି ।

 

ମୁଦାଲିୟର୍‍ କୌଣସି ଉତ୍ତର ଦେଉ ନଥାନ୍ତି । ସୀତାରାମାୟାର ପୁଣି କହିଲା–“ଆମେ ତେବେ କେବଳ ଏହିପରି ଚୁପ୍‌ଚାପ୍‌ ଦେଖୁଥିବା ? ସେ ସର୍ବସାଧାରଣଙ୍କୁ ଦୁର୍ନୀତି ଗ୍ରସ୍ତ କରି ମ୍ୟୁନିସିପାଲଟିକୁ ନଷ୍ଟଭ୍ରଷ୍ଟ କରି ଦେବ ।

 

ମୁଦାଲିୟର୍‍ କହିଲେ ବର୍ତ୍ତମାନ ଯେପରି ଦୁର୍ନୀତି ଚାଲିଛି ତାକୁ କିପରି ନିଷେଧ କରାଯାଇପାରିବ ? ଆଗବେଳେ ସଭାପତିମାନେ ଅଧିକ ସମ୍ମାନାସ୍ପଦ ବ୍ୟକ୍ତି ଥିଲେ । ବର୍ତ୍ତମାନ ସଚୋଟ ଲୋକମାନଙ୍କର କେଉଁଠି ହେଲେ ସ୍ଥାନନାହିଁ ।

 

ଆୟୁର୍ବେଦ ଡାକ୍ତର ରାଘବାଚାରୀ କହିଲେ–“ବୁଝିଲ ବିଷକୁ ବିଷ କାଟେ” ତୁମେ ଏ କ୍ଷେତ୍ରରେ ଅଧିକ ଆଗ୍ରହ ପ୍ରକାଶ କରିବା ଉଚିତ । ଏପରି ଉଦାସୀନ ଭାବ କାମ ଦେବ ନାହିଁ ।

 

ଦୁଇ ମିନିଟ୍ ପରେ ଘଣ୍ଟାରେ ନ’ ବାଜିଲା । ସୀତାରାମ ଉଠିପଡ଼ି କହିଲେ “ଚାହଁ, ଘଣ୍ଟା ଆମକୁ ଶୁଭ ସଂକେତ ଦେଖାଉଛି । ଆମର ଆଉ ସମୟ ନଷ୍ଟ କରିବା ଅନୁଚିତ । ମୁଦାଲିୟର୍‍ଙ୍କ କାନ୍ଧରେ ହାତ ପକାଇ ସେ ତାଙ୍କୁ ତାଙ୍କର ଅଫିସ୍ ଘରକୁ ନେଇଗଲେ ।

 

ଗୋପନରେ ସେ ଦୁହେଁ ଘଣ୍ଟାଏ ଆଲୋଚନା କଲେ । ତା’ପରେ ସୀତାରାମାୟାର ହସିହସି ଘରୁ ବାହାରି ଆସି ସମସ୍ତଙ୍କୁ କହିଲେ “ସବୁ ଠିକ୍ ଅଛି । କାମ ହୋଇଗଲା । ବର୍ତ୍ତମାନ ଯାହା ପ୍ରୟୋଜନ ଆମେ ତାହା କରି ପାରିବା । ଆଉ ମାତ୍ର ଗୋଟାଏ ରାତି ରହିଲା ।” ଏକଥା ଶୁଣି ସମସ୍ତେ ଖୁସି ହୋଇଗଲେ ।

 

ସାରା ରାତି ମଟରକାର୍‌ ଧାଇଁଲା । ରାତି ଦି’ଟାବେଳକୁ ମୁଦାଲିୟର୍‍ଙ୍କ ଘରେ ସମ୍ବାଦ ପହଞ୍ଚିଲା ୩୫ ଜଣ କାଉନ୍‌ସିଲର୍‍ଙ୍କ ଭିତରୁ ୧୭ ଜଣ ତାଙ୍କୁ ସମର୍ଥନ ଜଣାଇଛନ୍ତି । ସେମାନଙ୍କ ଭିତରୁ ଦଶଜଣ ଚେଟିୟାର୍‍ଙ୍କୁ ଟଙ୍କା ଫେରାଇ ଦେଇଛନ୍ତି । ସାତଜଣ କେଉଁ ପକ୍ଷରୁ ଟଙ୍କା ନେବେ ନାହିଁ ମାତ୍ର ମୁଦାଲିୟର୍‍ଙ୍କୁ ସମର୍ଥନ କରିବେ ବୋଲି ଜଣାଇ ଦେଇଛନ୍ତି । ସେମାନଙ୍କର ଆଉ ମାତ୍ର ଗୋଟିଏ ଭୋଟ ଦରକାର । ସେଥିପାଇଁ ନିଶ୍ଚିତ ହେବାକୁ ହେବ । ବାକି ଯେଉଁ ଅଠର ଜଣ ରହିଗଲେ ସେମାନଙ୍କ ଭିତରୁ ଜଣେ ବ୍ୟବସାୟ ପାଇଁ ନେଗାପଟମ୍‌ ଯାଇଛନ୍ତି । ତା’ ପରଦିନ ଫେରି ଆସିବା ତାଙ୍କ ପକ୍ଷରେ ସମ୍ଭବ ନୁହେଁ । ଧନପାଳ ପାଇଁ ଆଉ ଷୋଳ ଜଣ ରହିଲେ । ସେମାନଙ୍କୁ କୌଣସିମତେ ଏପଟ ସେପଟ କରିହେବ ନାହିଁ । କେବଳ ସିରାଙ୍ଗନ୍‌ ଭୋଟ୍‌ଟି ରହିଲା-। ତା’ ଭୋଟ୍‌ନେଇ କିଛି ନିଶ୍ଚିତ ହୋଇ ହେଲାନାହିଁ । ସବୁଆଡ଼େ ଖୋଜାଖୋଜି କରି ତାକୁ ଏକା ପାଇ ହେଲା ନାହିଁ । ସେ ପାହାଡ଼ ଉପରକୁ ଯାଉଛି ବୋଲି କେବଳ ସମ୍ବାଦ ମିଳିଲା ।

 

ତା’ ସାନଭାଇ ମୁନିସ୍ଵାମୀ ଯିଏ ମାଷ୍ଟ୍ର ଅଛି ତାକୁ ତା’ ଭାଇ ବିଷୟରେ ପଚାରିଥିଲ କି ବୋଲି ନାସ ଡିଲର୍‌ ରଙ୍ଗାପାଲି ପଚାରିଲା ।

 

ହଁ ଆମେ ତାକୁ ପଚାରିଥିଲୁ, ସେ ଥରକେ ପ୍ରକାରେ କହିଲା । ଥରେ କହିଲା, ସିରାଙ୍ଗନ୍ ହୁଏତ ପାହାଡ଼ ଉପରକୁ ଯାଇଛି । ଆଉଥରେ କହିଲା ସେ ଘର ଭିତରେ କେଉଁଠି ଲୁଚିଛି । ଏହି ଅବ୍ୟାପାରରେ ଗରିବ ଲୋକମାନେ କାହିଁକି ଭାଗିଦାର ହେବେ ? ସେମାନଙ୍କୁ ଚାଲାକ୍ ଚତୁର ହେବାକୁ ହେବ । ସେମାନେ ଜଣକୁ ସାହାଯ୍ୟ କଲେ ଅନ୍ୟ ଜଣଙ୍କର ସେମାନେ ଅଯଥା କ୍ରୋଧର କାରଣ ହେବେ ।

 

ସୀତାରାମାୟାର କହିଲେ ଏଥିରୁ ମନେ ହେଉଛି ଆମର ଚରମ ଉଦ୍ୟମ ସତ୍ତ୍ଵେ ଫଳ କିଛି ହେବ ନାହିଁ ।

 

ରଙ୍ଗାପଲାଇ ଠିଆ ହୋଇ ଖୁବ୍ ରାଗରେ କହିଲେ, ନିରାଶ ହୋଇ ପଡ଼ିବାରେ ଲାଭ କ’ଣ ?

 

ସୀତାରାମାୟାର ଓଲଟି କହିଲେ, ତୁମେ ତେବେ ନିଜେ ଚେଷ୍ଟା କରୁନାହଁ କାହିଁକି ?

 

ରଙ୍ଗାପଲାଇ କହିଲେ, ଆମେ ଗରିବ ଲୋକ, ଅଧନୀ ନୁହେଁ । ଆମକୁ କିଏ ବିଶ୍ଵାସ କରିବ ?

 

ସୀତାରାମାୟାର କହିଲେ, “ମୁଦାଲିୟର୍‍ ଏବେ ରଙ୍ଗାପଲାଇ ସହ ବୁଝାବୁଝି କରନ୍ତୁ । ମୁଁ ଏଣିକି ଆଉ କିଛି କରିବି ନାହିଁ । ମୁଁ ସବୁ କଥାରୁ ଦୂରେଇ ଯାଉଛି ।

 

ସୀତାରାମାୟାରକୁ ଠେଲି ନିଜ ଆସ୍ଥାନରେ ବସାଇ ଦେଇ ବୀର ରାଘବ ଚେଟିୟାର୍‍ କହିଲେ, କଳିକଜିଆ ହେବାର ବେଳ ଏ ନୁହେଁ । ସେ ମୁଦାଲିୟାର ପାଖକୁ ଯାଇ କହିଲା, ଏ କାରବାରରେ ଆମର ମୋଟେ ପଶିବା ଉଚିତ ନଥିଲା । ଥରେ ଯେତେବେଳେ ପଶିଛେ ଜିତିବା ପର୍ଯ୍ୟନ୍ତ ଆମେ ଚେଷ୍ଟା ଚଳାଇବା ଉଚିତ । ହାତରେ ଯାହା ପଡ଼ିଛି ପାଟି କ’ଣ ସେ କଥା ଜାଣିବ ନାହିଁ । ସିରାଙ୍ଗନ୍ କଥା ବୁଝିବା ଦାୟିତ୍ଵ ରଙ୍ଗାପଲାଇକୁ ଦେଇଦିଅ । ଉପରେ ଭଗବାନ ଅଛନ୍ତି ଆମେ ନିଶ୍ଚୟ ଜିତିବା । ଏକଥା ଶୁଣି ମୁଦାଲିୟର୍‍ ଉତ୍ସାହିତ ହେଲେ । ସେ ଘର ଭିତରକୁ ଗଲେ । ଘର ଭିତରେ ଗୋଟିଏ ବାକ୍‌ସ ଖୋଲି ବନ୍ଦ କରିବାର ଶବ୍ଦ ସେମାନେ ବାହାରୁ ଶୁଣିପାରିଲେ । ସେ ହାତରେ ଗୋଟିଏ ମୁଣାଧରି ପଦାକୁ ଆସିଲେ । ରଙ୍ଗାପଲାଇକୁ ସଙ୍ଗରେ ନେଇ ଅନ୍ୟ ଏକ ଘର ଭିତରକୁ ପଶିଲେ ।

 

ନାସ ବ୍ୟବସାୟୀ ରଙ୍ଗାପଲାଇ ଜେମ୍‌ସପେଟ୍ ଗଲା । ସେ ସେଠାରେ ମୁନିସ୍ଵାମୀକୁ ଦେଖି କିଛି କଥାବାର୍ତ୍ତା ନ କରି ସିଧା ଶହେଟା ରୁପାଟଙ୍କା ଯାହା ପାଞ୍ଚଗୋଟି କାଗଜ, ପ୍ୟାକେଟ୍‍ରେ ଗୁଡ଼ା ହୋଇଥିଲା ତାକୁ ଧରାଇ ଦେଲା । ମୁନିସ୍ଵାମୀ ତା’ ଜୀବନରେ ସ୍ଵପ୍ନରେବି ଏତେଗୁଡ଼ାଏ ରୁପା ଟଙ୍କା ଏକ ସମୟରେ ଦେଖି ନଥିଲା । ସେ ଆବାକାବା ହୋଇ ରଙ୍ଗାପିଲାରାକୁ କେଲ୍ଲଳ ଚାହିଁ ରହିଲା ।

 

ରଙ୍ଗାପଲାଇ କହିଲା, ଅନେକ ଲୋକ ତୋତେ ଅନେକ କଥା କହିଥିବେ । କିନ୍ତୁ ଆଜିକାଲି କେଇଜଣ ଗରିବ ଲୋକକୁ ବିଶ୍ଵାସ କରନ୍ତି ? ସାହାଯ୍ୟ କରନ୍ତି ? ଗରିବ ଲୋକ କିପରି ଅସୁବିଧାର ସମ୍ମୁଖୀନ ହୁଏ ଅନ୍ୟ କିଏ କାହିଁକି ବୁଝିବ ? ଆମେ ଭୋଟ୍‌ରେ ଜିତିଲୁ । କିମ୍ବା ହାରିଲୁ ସେଥିରେ କିଛି ଯାଏଁ ଆସେ ନାହିଁ । ଏ ଟଙ୍କା ତୋର । କିନ୍ତୁ ତୁ ସତ କହ, ସିରାଙ୍ଗନ୍ କେଉଁଠି ? ମୁନିସ୍ଵାମୀ କହିଲା, ମୁଁ ତୁମକୁ କେବେ ମିଛ କହିବି ନାହିଁ । ଧନପାଲ୍‍ ଚେଟିୟାର୍‍ ତାକୁ ନେଇ ତା’ ଘୋଡ଼ାଶାଳରେ ତାଲା ପକାଇ ବନ୍ଦ କରି ରଖିଛି । ସେଠାରେବି ଲୋକ ଜଗିଛନ୍ତି । ତା’ ଉପରେ ଚେଟିୟାର୍‍ର ଦେଢ଼ ଶହ ଟଙ୍କା ପ୍ରାପ୍ୟ ଅଛି । ତମେ କ’ଣ ଏକଥା ଜାଣି ନାହିଁ ? ଆସନ୍ତାକାଲି ସେମାନେ ତାକୁ ସାଙ୍ଗରେ ମ୍ୟୁନିସିପାଲଟି ଅଫିସ୍‍କୁ ନେବେ ?

 

ରଙ୍ଗାପଲାଇ କହିଲା, ମୁନିସ୍ଵାମୀ, ମୁଁ ଯାହା ତୋତେ କହୁଛି, ତୁ ସେହି ଅନୁସାରେ କାମ କର । କାମ ଲାଗି କେତେ ଖର୍ଚ୍ଚ ହେବ ସେଥିର କିଛି ଯାଆସେ ନାହିଁ ।

 

କିଛି ସମୟ ସେମାନେ ଫୁସ୍‌ଫାସ୍‌ ହେଲେ, ମୁନିସ୍ଵାମୀ କହିଲା, ତୁମେ ଏଠାରେ ଥାଆ-। ତା’ପରେ ମୁନିସ୍ଵାମୀ ସିରାଙ୍ଗନ୍ ଘର ଭିତରେ ପଶିଲା ।

 

ସିରାଙ୍ଗନ୍‌ର ବୁଢ଼ୀମା ସଙ୍ଗେ କିଛି ସମୟ କଥା ହେଲା ପରେ ସେ ପଦାକୁ ଆସିଲା । ଚେରିମେରି ଆମ୍ମା ମନ୍ଦିର ସମ୍ମୁଖରେ ଥିବା ପଥର ତିଆରି ବେଞ୍ଚ୍ ଉପରେ ରଙ୍ଗାପଲାଇକୁ ବସାଇଦେଇ ସେ ଯେଉଁ ଗାଡ଼ିଧରି ଆସିଥିଲା, ସେହି ଗାଡ଼ିରେ ବସି ଧନପାଲ୍‍ ଚେଟିୟାର୍‍ ଘରକୁ ଚାଲିଲା ।

 

ଧନପାଲ୍ ଚେଟିୟାର୍‍ ତାଙ୍କ ପୋର୍ଟିକୋ ତଳେ ତାଙ୍କ ସାଙ୍ଗମାନଙ୍କ ସାଙ୍ଗରେ ବେଞ୍ଚ୍ ଉପରେ ବସିଥିଲେ । ଗୋଟିଏ ଲଣ୍ଠନ ଜାଳି ସେମାନେ ପେନ୍‌ସିଲ୍‌ରେ କ’ଣ ଲେଖାଲେଖି କରୁଥିଲେ । ମୁନିସ୍ଵାମୀ ଗାଡ଼ିରୁ ଓହ୍ଲାଇ ସିଧାଯାଇ ଚେଟିୟାର୍‍ ପାଦତଳେ ପଡ଼ିଯାଇ କହିଲା, ଆପଣଙ୍କୁ ଏପରି ଅବେଳରେ ଆସି କହୁଛି ମୋତେ ଏଥିପାଇଁ କ୍ଷମା କରିବେ । ସିରାଙ୍ଗନ୍‌ର ମା’ ମରିଯିବ । ଆମେ ଏଠୁ ଫେରିଗଲାବେଳକୁ ସେ ଯେ ଜୀବନରେ ଥିବ ସେକଥା ମୁଁ ଭାବିପାରୁ ନାହିଁ । ଆପଣ ଦୟାକରି ସିରାଙ୍ଗନ୍‍କୁ ତା’ ମା’କୁ ଦେଖିବାଲାଗି ଛାଡ଼ି ଦିଅନ୍ତୁ । ଧନପାଳ ଚେଟିୟାର୍‍ ପଚାରିଲେ ସବୁ ବାଜେକଥା, ହଠାତ୍ ବୁଢ଼ୀର ଏପରି କ’ଣ ହେଲା ? ମୁଦାଲିୟର୍ ତୁମକୁ ଏଠିକି ପଠାଇ ନାହିଁ ତ ?

 

ଉପରେ ଭଗବାନ କେବଳ ସବୁ ଜାଣନ୍ତି । ମିଛ କହି କ’ଣ ଆମେ ଏଥିରୁ ରକ୍ଷା ପାଇପାରିବୁ ? ସତରେ ବୁଢ଼ୀକୁ ଝାଡ଼ା ହେଉଛି, ଆଉ ବଞ୍ଚିବ ନାହିଁ । ଗଲା କାଲିଠୁ ଆଜି ଭିତରେ ସେ କୋଡ଼ିଏଥର ଝାଡ଼ା ଗଲାଣି । ସେ ଏବେ ଅଚେତ ହୋଇ ପଡ଼ିଛି । ମୁଁ ଆପଣଙ୍କୁ ନେହୁରା ହୋଇ କହୁଛି ମୋ ଭାଇକୁ କୌଣସିମତେ ଛାଡ଼ିଦିଅନ୍ତୁ, ନହେଲେ ମୋ ମା’ର ଆତ୍ମା ଅତି କଷ୍ଟ ଭୋଗିବ, କହି ସେ ଅତି କରୁଣଭାବେ କାନ୍ଦିବାକୁ ଲାଗିଲା ।

 

ଚେଟିୟାର୍‍ ତାଙ୍କ କିରାଣି ଶ୍ରୀନିବାସ ଆୟାରକୁ ଡାକି କହିଲେ ଠିକ୍ ଅଛି ତୁମେ ସିରାଙ୍ଗନ୍ ସଙ୍ଗେ ଯା’ ଦେଖ ପ୍ରକୃତ ଘଟଣା କ’ଣ ? ସେଠୁଫେରି କ’ଣ ହେଇଛି ମୋତେ କହିବ ।

 

କେହି ଜଣେ କହିଲା, ଇୟା ଭିତରେ କିଛି କାରସାଦି ଅଛି । ଚେଟିୟାର୍‍ଙ୍କ ପ୍ରକୃତି ସେ ଅନ୍ୟକୁ ଅତି ସରଳଭାବେ ବିଶ୍ଵାସ କରିଯାଆନ୍ତି ।

 

କିରାଣି ଶ୍ରୀନିବାସ ଆୟାର ଭିତରକୁ ଯାଇ ସିରାଙ୍ଗନ୍‍କୁ ଘୋଡ଼ାଶାଳରୁ ଫିଟାଇ ଘରର ପଛ ଦରଜାବାଟେ ପଦାକୁ ନେଲା । ସେଠାରେ ଗାଡ଼ି ଠିଆ ହୋଇଥିଲା । ମୁନିସ୍ଵାମୀ ମଧ୍ୟ ସେଠାକୁ ଆସି ସେହି ଗାଡ଼ିରେ ବସିଲା । ଧନପାଳ ଚେଟିୟାର୍‍ କହିଲେ, ଶ୍ରୀନିବାସ ଆୟାର ତୁମେ କ’ଣ ଆଉ ଭାବୁଛ ?

 

ତୁମେବି ଏ ଗାଡ଼ିରେ ଯାଆ ।

 

ଛୁଆଁ ଅଛୁଆଁ କଥା ସେତେବେଳେ ଆଉ ମନରେ ନାହିଁ । ନିର୍ବାଚନବେଳେ ଛୁଆଁ ଅଛୁଆଁ ମାନି ଚଳିବା କଷ୍ଟ । ସେଇ ଏକାଗାଡ଼ିରେ ସମସ୍ତେ ଯାଇ ବସିଲେ ।

 

–୫–

 

ସିରାଙ୍ଗନର ଜେମ୍‌ସପେଟ୍ ଘର ଆଗରେ ଯେତେବେଳେ ଗାଡ଼ି ପହଞ୍ଚିଲା ସେତେବେଳେ ତା’ ଘର ଭିତରୁ କାନ୍ଦବୋବାଳି ଶୁଭୁଥିଲା ।

 

ଶ୍ରୀନିବାସ ଆୟାର ମନକୁ ମନ କହିଲା–“ସେ ଯାହା କହୁଥିଲା ତେବେ ତାହା ସତ । ସିରାଙ୍ଗନ୍‍କୁ ଘର ଭିତରକୁ ଯାଇ କ’ଣ ହେଇଛି ବୁଝିବାକୁ ସେ କହିଲା ।

 

ସିରାଙ୍ଗନ୍ ଓ ମୁନିସ୍ୱାମୀ ଦୁହେଁ ଘର ଭିତରକୁ ଗଲେ । କିଛି ସମୟ ଯିବା ପରେ ମୁନିସ୍ଵାମୀ ଘରୁ ବାହାରି ଆସି ବ୍ରାହ୍ମଣ କିରାଣିଙ୍କ କାନରେ “ବୁଢ଼ୀ ଆଉ ନାହିଁ” କହି ପୁଣି ଘର ଭିତରକୁ ପଶିଲା । ସେମାନେ ସମସ୍ତେ ପାଟି କରି କହିଲେ, ଆହା ତୁ ଆମମାନଙ୍କୁ ଛାଡ଼ି ଚାଲିଗଲୁ-। ଆମ ପରିବାରକୁ ଭସେଇ ଦେଲୁ ।

 

ପାଖରେ ଠିଆ ହୋଇ ଏ ସବୁ ଦେଖୁଥିବା ଗୋଟିଏ ପିଲାକୁ ଶ୍ରୀନିବାସ ଡାକି ପଚାରିଲା ୟା’ଙ୍କ ଘରେ କ’ଣ ହେଇଛି ।

 

ପିଲାଟି କହିଲା, ତୁମେ କାହିଁକି ପଚାରୁଛ ? ବୁଢ଼ୀକୁ ହଇଜା ହେଇଥିଲା । ସେ ମରିଗଲା । ଏ କଥା ଶୁଣି ଶ୍ରୀନିବାସ ଡରିଗଲା । ସେତ ସହଜେ ହରିଜନ ବସ୍ତିରେ । ସେଥିରେ ପୁଣି ହଇଜା । ଏପରି ପରିସ୍ଥିତିରେ ସେଠାରେ ଆଉ ଅଧିକ ଅପେକ୍ଷା କରିବାରେ କୌଣସି ମାନେ ନାହିଁ ବୋଲି ମନେମନେ ସ୍ଥିର କଲେ । ମୁନିସ୍ଵାମୀ ଠିକ୍ ସେତିକିବେଳେ ପଦାକୁ ଆସିଲା ।

 

ବୁଢ଼ୀ ଅଚେତ ହୋଇ ପଡ଼ିଛି । ସେ କିଛି କହି ପାରୁନାହିଁ କିମ୍ବା ନିଃଶ୍ଵାସ ପ୍ରଶ୍ଵାସ ନେଇ ପାରୁନାହିଁ । ମୁଁ ଭାବୁଛି ବୁଢ଼ୀ ଆଉ ଜୀବନରେ ନାହିଁ । ସିରାଙ୍ଗନ୍ ପାଇଁ ମୁଁ ଦାୟୀ ରହିଲି । ଦୟାକରି ଆପଣ ଯାଆନ୍ତୁ । ଆୟାର ତରତର ହୋଇ ଗାଡ଼ି ଭିତରକୁ ଫେରିଗଲା । ଘର ଭିତରେ ବୁଢ଼ୀ ତା’ ପୁଅମାନଙ୍କୁ ତା’ ପାଖକୁ ଆସିବାକୁ ସଂକେତ ଦେଖାଇଲା । ମା’ ପାଟି ପାଖରେ ସିରାଙ୍ଗନ୍ ତା’ କାନ ଦେଖାଇଲା ।

 

ମା’ କହିଲା–“ସେମାନେ ହଜାରେ ଟଙ୍କା ଦେବେ ବୋଲି କହିଛନ୍ତି । ଏତେ ଟଙ୍କା କ’ଣ କିଏ ଫେରାଏ ? ତୁ ଅବାଧ୍ୟ ହୁଅନାହିଁ । ବୁଢ଼ୀ କଥା ମାନେ । ସିରାଙ୍ଗନ୍ କହିଲା, ଏ ସବୁ କି ମନ୍ତ୍ରଣା ଚାଲିଛି ? ତୁ ମୋତେ ଏଇଥିଲାଗି ଡକାଇଲୁ । ହଁ, ମୁନିସ୍ଵାମୀ ଓ ଅନ୍ୟମାନେ ଏକଥା କରିଛନ୍ତି । ତା’ପରେ ପାଟିକରି କାନ୍ଦୁଥିବାର ଶବ୍ଦ ଶୁଣାଗଲା ।

 

ବୁଢ଼ୀ ପୁଣି କହିଲା–“ବୁଝିଲୁ ପୁଅ ମୋତେ ହଇଜା କିମ୍ବା ଅନ୍ୟ କିଛି ହୋଇନାହିଁ । କିନ୍ତୁ ମତେ କିପରି ଗୋଟାଏ ଲାଗୁଛି । ତୁ ଏ ହଜାର ଟଙ୍କା ନେ । ସେ ନାସ ବ୍ୟବସାୟୀ ଆଣି ଦେଇଛି-। ମୋ ଇଚ୍ଛା ତୁ ସବୁଦିନ ଲାଗି ଭଲରେ ରହ । ମୁଁ ଆଉ ବେଶୀ ଦିନ ବଞ୍ଚିବି ନାହିଁ ।

 

ସିରାଙ୍ଗନ୍ ନିର୍ବାକ୍ ହୋଇ ରହିଲା । ଭୟ, କ୍ରୋଧ ଏବଂ ବିସ୍ମୟରେ ସେ ଅଭିଭୂତ ହୋଇ ପଡ଼ିଥିଲା ।

 

ମୁନିସ୍ଵାମୀର ଇଙ୍ଗିତରେ ଘର ଭିତରୁ ଆଉଥରେ ସମସ୍ତେ ପାଟି କରି ଉଠିଲେ । “ଆହା ଆମର ସବୁ ସରିଗଲା ।”

 

–୬–

 

ତା’ପରେ ସିରାଙ୍ଗନ୍ ଆସି ରଙ୍ଗାପଲାଇ ପାଖରେ ଠିଆ ହେଲା, ରଙ୍ଗାପଲାଇ ତାକୁ କହିଲେ ଯା’ ଗାଡ଼ି ଭିତରେ ବସ । ମୁଦାଲିୟର୍‍ଙ୍କ ଘରେ ପହଞ୍ଚିଲା ପରେ ମୁଁ ତୋତେ ସମସ୍ତ ବୃତ୍ତାନ୍ତ ବୁଝାଇ ଦେବି । ସମସ୍ତେ ଯାଇ ଗାଡ଼ିରେ ବସିଲେ । ତା’ପରେ ରଙ୍ଗାପଲାଇ କହିଲା, ସିରାଙ୍ଗନ୍ ତୁ ଭାରି ଭାଗ୍ୟବାନ ଲୋକ । ସମସ୍ତେ ଟଙ୍କା କମାଉଛନ୍ତି ‘ତୁ’ ତ ସେପରି କୌଣସି ଭୁଲ୍ କରିନାହୁଁ । ତୁ କାହିଁକି ଟଙ୍କା ନ କମାଇବୁ । ତୁ ଏ ସୁଯୋଗ ହରାନାହିଁ । ତୁ କ’ଣ ଚାହୁଁଛୁ । ମୋତେ କହ ।

 

ମୁଁ ସବୁ ଠିକ୍ କରିଦେବି । ତୋର ସବୁ କାମ କରାଇ ଦେବାର ଦାୟିତ୍ଵ ମୁଁ ନେଉଛି । ମୁଦାଲିୟର୍‍ ଘର ପାଖରେ ଗାଡ଼ି ଆସି ପହଞ୍ଚିବା ପର୍ଯ୍ୟନ୍ତ ସେ ଏହିପରି କହି ଚାଲିଥାଏ । ରଙ୍ଗାପଲାଇ କେତେ ସମୟ ଏକାନ୍ତରେ ମୁଦାଲିୟର୍‍ ସଙ୍ଗେ କଥାବାର୍ତ୍ତା ହେଲା ପରେ ହାତରେ ଗୋଟିଏ କନା ବୁଜୁଳି ଧରି ସିରାଙ୍ଗନ୍ ପାଖକୁ ଗଲା । ବାହାରେ ବରଣ୍ଡାରେ ସେ ବସିଥାଏ । ତାକୁ ବୁଜୁଳିଟିକୁ ଦେଖାଇ ସେ କହିଲା, ଏଇ ଚାହାଁ, ଏଥିରେ ଯାହା ଅଛି ତୋ ଜୀବନସାରା ଖଟିଲେ ମଧ୍ୟ କମାଇ ପାରିବୁ ନାହିଁ । ଏଥିରେ ତୋର ଋଣ ପରିଶୋଧ କରି କିଛି ଗୋଟିଏ ବ୍ୟବସାୟ କର-। ମୁଦାଲିୟର୍‍ ତୋତେ ଆଉ କିଛିବି ଦେବେ । ସେ ଦେଖିବେ ତୋ’ର ଯେପରି ଆଉ କୌଣସି ଅସୁବିଧା ନହୁଏ ।

 

ସିରାଙ୍ଗନ୍ ମୂକ ପାଲଟି ଗଲା ।

 

ବୀର ରାଘବ ଚେଟିୟାର୍‍ ପୁଡ଼ିଆଟିକୁ ଉଠାଇ ସିରାଙ୍ଗନ୍ କୋଳ ଉପରକୁ ପକାଇ ଦେଲେ । ଠିଆ ହୁଅ, ନିୟମ କର, ସବୁ ଆସି ଶେଷ ହେଲାଣି, ତୁ ପୁଣି କାହିଁକି ଦୋଦୋପାଞ୍ଚ ହେଉଛୁ ?

 

ସିରାଙ୍ଗନ୍ ପୁଡ଼ିଆଟିକୁ ଉଠାଇ ତଳେ, ପାଖରେ ରଖିଲେ । ଗୋଟାଏ ମିନିଟ୍ ସେ ଚିନ୍ତା କରିବାର ପ୍ରତାରଣା କଲା । ସମସ୍ତେ ଚାହିଁ ରହିଲେ, ସେ କ’ଣ କହିବ ଶୁଣିବା ଲାଗି ।

 

ସେ ହଠାତ୍ କୁଦାମାରି ଗଳି ଭିତରକୁ ଦୌଡ଼ି ପଳାଇଲା । କେତେ ଜଣ ତା’ ପଛେ ପଛେ ତଡ଼ିଲେ । ସେ ଏତେ ଜୋରରେ ଦୌଡ଼ି ପଳାଇଲା ଯେ ତାକୁ ଆଉ ଦେଖି ହେଲା ନାହିଁ । ଯେଉଁମାନେ ତଡ଼ୁଥିଲେ ସେମାନେ ଫେରି ଆସି କହିଲେ, ଧରି ହେଲା ନାହିଁ ସେ ପଳାଇଲା ।

 

ମୁଦାଲିୟର୍‍ ଟଙ୍କା ପୁଡ଼ିଆଟି ଧରି ଘର ଭିତରକୁ ଗଲେ । ଘରେ ଟଙ୍କାତକ ରଖି ଦେଇ ପଦାକୁ ଆସି କହିଲେ ବଜ୍ଜାତ୍ ଆମକୁ ଠକିଦେଇ ଚାଲିଗଲା ।

 

ଅନ୍ୟ ସମସ୍ତେ କହିଲେ ‘ଛୋଟକୁଳରେ ତା’ ଜନ୍ମ । ସେ ଆଉ କ’ଣ କରନ୍ତା ?’ ପରଦିନ ନିର୍ବାଚନ ସଭାରେ, ସିରାଙ୍ଗନ୍ ଉପସ୍ଥିତ ନଥିଲା ।

 

କେତେଜଣ କହିଲେ, ‘ତା’ ମା’ ମରିଯାଇଛି ।’

 

ଅନ୍ୟମାନେ କହିଲେ, ତା’ ଠିକ୍‌ ନୁହେଁ ? ଲୋକ ଦେଖିବାକୁ ସେ ବ୍ୟବସ୍ଥା କରାଯାଇଥିଲା ।

 

ନେଗାପଟମ୍‌ ଯାଇଥିବା କାଉନ୍‌ସିଲର୍ ଫେରିଆସି ଭୋଟ୍‌ ଦେବାକୁ ପ୍ରସ୍ତୁତ ହେଲେ । କେହି ଜଣେ କହିଲା ଧନପାଲ୍ ଚେଟିୟାର୍‍ ଛବିଶଟି ଭୋଟ୍‌ ପାଇବେ । ଅନ୍ୟ ଜଣେ କହିଲା, ଏଗୁଡ଼ା ପକା ବଜ୍ଜାତ୍‌ । ଟଙ୍କାକୁ ଟଙ୍କା ନେଇ ଏମାନେବି ଚିତା କାଟିବେ ।

 

ଅବଶେଷରେ ଧନପାଲ୍‌ ଚେଟିୟାର୍‍ ତେଇଶଟି ଭୋଟ, ମୁଦାଲିୟର୍‍ ଦଶଟି ଭୋଟ୍‌ ଏବଂ ଖଣ୍ଡିଏ ଚିହ୍ନ ଦିଆ ହୋଇ ନଥିବା ଭୋଟ୍‌ କାଗଜ ମିଳିଥିବାର ଦେଖା ଯାଇଥିଲା । ନିର୍ବାଚନ ଫଳାଫଳ ଶୁଣି ବାହାରେ ଉପସ୍ଥିତ ଜନତା ଧନପାଲ୍‌ ଚେଟିୟାର୍‍ଙ୍କର ଜୟଗାନ କରିଥିଲେ ।

 

ବିରୋଧଦଳ ପକ୍ଷରୁ ମଧ୍ୟ ପାଟି ହୋଇଥିଲା, ‘ଦୁର୍ନୀତି ଦୁର୍ନୀତି’ । ସିରାଙ୍ଗନ୍ ଏକମାତ୍ର ସଚ୍ଚୋଟ ଲୋକ ବୋଲି ମୁଦାଲିୟର୍‍ କହିଥିଲେ ।

Image

 

ଦେବଗଣଙ୍କ ଆର୍ବିଭାବ

 

ସୁନ୍ଦର ଚେଟିୟାର୍‍ ଜଣେ ଲୁଗା ବ୍ୟବସାୟୀ । ସ୍ଵଳ୍ପ ଜମାରେ ସେ ବ୍ୟବସାୟ ଆରମ୍ଭ କରିଥିଲେହେଁ ଆପଣା ସାଧୁତା ଓ ଅଧ୍ୟବସାୟ ହେତୁ ସେ ଆଜି ବେଶ୍ ଉନ୍ନତି କରିପାରିଛନ୍ତି । ତାଙ୍କ ସ୍ତ୍ରୀ ମୀନାକ୍ଷୀ ଜଣେ ଅତି ଧର୍ମପ୍ରାଣା ମହିଳା ଥିଲା । ସେ ପୁରୁଣା ଧର୍ମ ଧାରଣାକୁ ମାନି ଚଳନ୍ତି । ପ୍ରତି ଏକାଦଶୀରେ ସେ ଉପବାସ କରନ୍ତି । ସବୁଦିନ ମଧ୍ୟାହ୍ନରେ ଘରୁ ପଦାକୁ ଆସି କୁଆ ଓ ଘରଚଟିଆମାନଙ୍କ ଖାଇବା ଲାଗି ଚାଉଳ ପକାଇ ସାରିବା ପରେ ଯାଇ ସେ ନିଜେ ଖାଇ ବସୁଥିଲେ । ସ୍ତ୍ରୀଙ୍କର ଧର୍ମଭାବ ହେତୁ ବ୍ୟବସାୟରେ ତାଙ୍କର ଉନ୍ନତି ହେଉଛି ବୋଲି ସ୍ଵାମୀ ବିଶ୍ଵାସ କରୁଥିଲେ ।

 

ଉଜ୍ଜ୍ୱଳ ମୁହଁ, ମଧ୍ୟମ ବୟସ୍କ, ସନ୍ନ୍ୟାସୀ ପୋଷାକ ପିନ୍ଧି, ହାତରେ ଭିକ୍ଷାପାତ୍ର ଧରି ‘ଜୟ ସୀତାରାମ, ଜୟ ସୀତାରାମ’ କହି ଜଣେ ଚେଟିୟାର୍‍ଙ୍କ ଘର ଭିତରକୁ ଆସିଲେ । ଏ ହେଲା ଦୀପାବଳିର ପୂର୍ବଦିନ କଥା । ଆଞ୍ଜୁଳାଏ ଚାଉଳ ଧରି ଚେଟିୟାର୍‍ଙ୍କ ସ୍ତ୍ରୀ ସନ୍ନ୍ୟାସୀଙ୍କୁ ସ୍ଵାଗତ ଜଣାଇଲେ । ମାତ୍ର ସେ ମହାତ୍ମା କହିଲେ ମୋର ଚାଉଳ ଦରକାର ନାହିଁ । ଅଛି ଯଦି ମୋତେ ମୁଠାଏ ଭାତ ଦେ’ । ବସିବାପାଇଁ ଖଣ୍ଡେ ପିଢ଼ା ପକାଇ ସେ ତାଙ୍କୁ କହିଲେ ଦୟାକରି ଟିକିଏ ଅପେକ୍ଷା କରନ୍ତୁ । ଖୁବ୍ ଶୀଘ୍ର ରୋଷେଇ ସରିଯିବ । ସାଧୁଙ୍କୁ ପରସାଗଲା ଏବଂ ସେ ଖାଇ ସାରିଲା ପରେ କହିଲେ ମା’ ତୁମର କେତେବେଳେ କୌଣସି ଅଭାବ ହେବନାହିଁ । ତୁମେ ଧର୍ମାତ୍ମା ଓ ପତିପ୍ରାଣା । ମୁଁ ତୁମକୁ ଗୋଟିଏ ପବିତ୍ର ମନ୍ତ୍ର ଶିଖାଇ ଦେବି । ତୁମେ ମୁଣ୍ଡରେ ତେଲ ଲଗାଇ ଗାଧୋଇବାବେଳେ ଯଦି ଏହି ମନ୍ତ୍ର ଉଚ୍ଚାରଣ କର ତେବେ ତୁମେ ତୁମ ପୂର୍ବପୁରୁଷ, ସ୍ଵର୍ଗବାସୀ ଏବଂ ସାଧୁମାନଙ୍କୁ ଦେଖିପାରିବ ।

 

ସୁନ୍ଦର ଚେଟିୟାର୍‍ଙ୍କ ସ୍ତ୍ରୀ ଏକଥା ଶୁଣି ଅତିମାତ୍ରାରେ ବିହ୍ୱଳିତ ହୋଇ ଉଠିଲେ । ସେ ତାଙ୍କଠାରୁ ମନ୍ତ୍ରଟି ଶିଖିଲେ । ତା’ ପରଦିନ ଖୁବ୍ ଭୋରରୁ ସେ ଉଠି ମୁଣ୍ଡରେ ତେଲ ଲଗାଇ, ଗାଧୋଇ ହଜାରେ ଆଠଥର ସନ୍ନ୍ୟାସୀଙ୍କ କହିବାନୁସାରେ ମନ୍ତ୍ରଟିକୁ ଉଚ୍ଚାରଣ କଲେ । ମନ୍ତ୍ର ଉଚ୍ଚାରଣ ପରେ ସେ ଏକ ଆଡ଼ମ୍ବରପୂର୍ଣ୍ଣ ଆଗମନରେ ଧୁମ୍‌ଧାମ୍ ଶବ୍ଦ ପାଟିତୁଣ୍ଡ ଏବଂ ଶଙ୍ଖ ଧ୍ଵନି ଶୁଣି ପାରିଲେ । ପୂଜାସ୍ଥଳୀର ସମ୍ମୁଖରେ ଅନେକ ଲୋକ ଜମି ଠିଆ ହୋଇ ଥାଆନ୍ତି । ପୂଜାବେଦୀ ଉପରେ ସୁସଜ୍ଜିତ ଆସନଗୁଡ଼ିକ ଗୋଲାକୃତ୍ତି ଆକାରରେ ସଜ୍ଜିତ ହୋଇ ପଡ଼ିଥାଏ । ତା’ ଉପରେ ମହାନ୍ ଆତ୍ମାମାନେ ଅଧିଷ୍ଠିତ ହୋଇଥାଆନ୍ତି । ସେମାନଙ୍କର ମୁହଁଗୁଡ଼ିକ ଉଜ୍ଜ୍ୱଳ ଦିଶୁଥାଏ । ସେ ତାଙ୍କ ଜେଜେବାପାର ବାପ, ସ୍ଵାମୀଙ୍କର ଜେଜେବାପାର ବାପ ଏବଂ ଆହୁରି ଅନେକଙ୍କୁ ଦେଖିପାରିଲେ । ହାତରେ ବଂଶୀଧରି ଠିକ୍ କୃଷ୍ଣଙ୍କ ପରି ଦିଶୁଥିବା ଜଣଙ୍କୁ ଠିଆ ହୋଇଥିବାର ମଧ୍ୟ ଦେଖିପାରିଲେ । ତାଙ୍କ ପାଖକୁ ରାମଙ୍କ ପରି କେହି ଜଣେ ହାତରେ ଗୋଟିଏ ଧନୁ ଧରି ଠିଆ ହୋଇଥିଲେ । ତାଙ୍କ ପାଖକୁ ଠିଆ ହୋଇଥିଲେ ବୟୋବୃଦ୍ଧ ସାଧୁ ବଶିଷ୍ଠ । ଲଙ୍ଗଳ ଧରି ବଳରାମ ମଧ୍ୟ ସେଠାରେ ଥିଲେ । ସେଠାରେ ପର୍ଶୁଧାରୀ ପର୍ଶୁରାମଙ୍କୁ ମଧ୍ୟ ଦେଖିଥିଲେ । ଆଉ ଗୋଟିଏ ପାଖରେ ଭୀମ, ଅର୍ଜୁନ, ଧର୍ମପୁତ୍ର ପ୍ରମୁଖ ବସିଥିଲେ । ସେ ଯେଉଁଆଡ଼କୁ ଆଖି ବୁଲାଇଲେ ସେଠାରେ ଋଷି ଓ ପବିତ୍ର ଭାରତର ପରମ ପୁରୁଷମାନଙ୍କୁ ଦେଖିବାକୁ ପାଇଲେ । ସେମାନେ ସେମାନଙ୍କ କାୟା ବଦଳାଇଲା ପରି ମନେ ହେଉଥିଲା । ଏଇନେ ପ୍ରକାରେ ଦେଖାଯାଉଥିଲେ ତ ଟିକକ ପରେ ଆଉ ପ୍ରକାରେ ଦେଖାଯାଉଥିଲେ । ସେ ସ୍ଥାନରେ ଏତେ ଲୋକ ଜମା ହୋଇଥିଲେ ଯେ ତଳେ ତିଳ ପଡ଼ିବା ମଧ୍ୟ ସମ୍ଭବ ନଥିଲା । ଏହି ଦୃଶ୍ୟ ଦେଖି ମୀନାକ୍ଷୀ ଅତିମାତ୍ରାରେ ବିହ୍ୱଳିତ ହୋଇ ପଡ଼ିଲେ । ନାରାୟଣ ଉଚ୍ଚାରଣ କରି ସେ ମୂର୍ଚ୍ଛା ହୋଇଗଲେ ।

 

ସ୍ତ୍ରୀ ପାଟି ଶୁଣି ଉପରମହଲରୁ ସ୍ଵାମୀ ଦୌଡ଼ି ଆସିଲେ । ସେଠାରେ ପହଞ୍ଚି ଯାହା ଦେଖିଲେ ଘଟଣା କ’ଣ ପ୍ରଥମେ କିଛି ବୁଝି ପାରିଲେ ନାହିଁ । ବିଚିତ୍ର ପୋଷାକପତ୍ର ପିନ୍ଧି ଏ ଲୋକମାନେ ସବୁ କିଏ ? ଏ ଅଭିନୟ ସେଠାରେ କିଏ ମଞ୍ଚସ୍ଥ କରିଛି ବୋଲି ଚାରିଆଡ଼କୁ ଚାହିଁ ସେ ନିଜକୁ ନିଜେ ପଚାରିଲେ । ଲୁଗା ବ୍ୟବସାୟୀ ହୋଇଥିବାରୁ ପ୍ରଥମେ ସେମାନେ ପିନ୍ଧୁଥିବା ପୋଷାକପତ୍ର ତାଙ୍କର ଦୃଷ୍ଟି ଆକର୍ଷଣ କରିବା ସ୍ଵାଭାବିକ । ସେ ଭାବିଲେ ଏସବୁ ନିଶ୍ଚୟ ଗାନ୍ଧୀଙ୍କ ଶିଷ୍ୟମାନଙ୍କର କାମ । କାରଣ ସେମାନେ ସମସ୍ତେ ଖଦଡ଼ ପିନ୍ଧିଥିଲେ । କିଏ ମୋଟା, କିଏ ସରୁ, କେହିବା ଅଳ୍ପ ମୋଟା ଖଦଡ଼ ଲୁଗା ପିନ୍ଧିଥିଲେ । ଖଦଡ଼ ପିନ୍ଧିଥିବା ଜଣେ ‘ସମ୍ମାନସ୍ପଦ’ ଭଦ୍ରଲୋକଙ୍କୁ ଚେଟିୟାର୍‍ ପଚାରିଲେ ଆପଣମାନେ ଏଠାକୁ କାହିଁକି ଆସିଛନ୍ତି ? ପୋଲିସ୍‍ ବାଧା ଦେବ । ଖୁବ୍ ଜୋରରେ ହସ ହେଲା ।

 

ଚେଟିୟାର୍‍ କହିଲେ ତୁମେ ହସିପାର । ଜେଲ ଯିବାକୁ ପ୍ରସ୍ତୁତ ଥାଇପାର । ମୁଁ କିନ୍ତୁ ଜେଲ୍ ଯାଇ ପାରିବି ନାହିଁ । ଦୟାକରି ତୁମେ ଆଉ କାହାଘରକୁ ଯାଅ । ପାଖ ଘର ଜଣେ ଓକିଲଙ୍କର । ତୁମେ ତାଙ୍କ ଘରକୁ ଯାଇ ସେଠାରେ ତୁମେ ତୁମର ଯାହାସବୁ କରିବା କଥା କରିପାର । ବୁଢ଼ା ଭଦ୍ରଲୋକଟି ଚେଟିୟାର୍‍ ପାଖକୁ ଆସି କହିଲା–

 

“କ’ଣ ପୁଅ ତୁ ମୋତେ ଚିହ୍ନିପାରୁନାହୁଁ । ମୁଁ ତୋ ଜେଜେବାପାର ବାପ । ତୁ ଏପରି ଡରିଯାଉଛୁ କାହିଁକି ?” ତା’ପରେ ତାକୁ ଆଲିଙ୍ଗନ କରି ସ୍ନେହରେ ଚୁମ୍ବନ କଲା । ତା’ପରେ ଚେଟିୟାର୍‍ କହିଲେ ମହାଶୟ ଗଣ ! ଯାହାକିଛି ହୋଇଗଲା ସବୁ ଠିକ୍ ଅଛି । ଆପଣମାନଙ୍କର କାର୍ଯ୍ୟକଳାପ ଯଥାର୍ଥରେ ପ୍ରସଂଶନୀୟ । ମୁଁ ଆପଣମାନଙ୍କ ଗୋଡ଼ତଳେ ପଡ଼ୁଛି, ଦୟାକରି ମୋ ଘର ଛାଡ଼ି ଅନ୍ୟତ୍ର ଚାଲିଯାଆନ୍ତୁ । ଖଦଡ଼ଧାରୀମାନଙ୍କର ଏଠାରେ ସଭା ହେଉ ମୁଁ ଏ କଥା ଚାହେଁନାହିଁ । ଆଜି ପବିତ୍ର ଉତ୍ସବ ଦିନରେ ପୋଲିସ୍‍ ଆସି ଅଯଥା ଆମକୁ ହଇରାଣ କରୁ ଏକଥା ମୁଁ ମୋଟେ ଚାହେଁନାହିଁ ।

 

ବୃଦ୍ଧ ଲୋକଟି କହିଲା, “କିରେ ପୁଅ ଖଦଡ଼ କହିଲେ ତୁ କ’ଣ ବୁଝୁ ? ଏ ଲୁଗା ବ୍ୟତୀତ ଆମେ ଅନ୍ୟ କିଛି ଲୁଗା କଥା ଜାଣି ନଥିଲୁ । ମୁଁ ଯେତେବେଳେ ଏ ପୃଥିବୀରେ ଥିଲି ସେତେବେଳେ କେବଳ ଏହି ଲୁଗା ପିନ୍ଧୁଥିଲି । କେବଳ ମୁଁ ନୁହେଁ ସମସ୍ତେ ଏହି ଲୁଗା ପିନ୍ଧୁଥିଲେ । ସେହି ଲୁଗା ପିନ୍ଧି ମୁଁ ସ୍ଵର୍ଗକୁ ଯାଇଥିଲି । ସ୍ୱର୍ଗରେ ଲୁଗା ପୁରୁଣା ହୋଇଯାଏ ନାହିଁ କିମ୍ବା ଚିରିଯାଏ ନାହିଁ । ତୋର ସ୍ତ୍ରୀ ଡାକ ଶୁଣି ମୁଁ ତରତର ହୋଇ ଆସିଲି । ଚେଟିୟାର୍‍ ପୂରାପୂରି ଅବାକ୍ ହୋଇଗଲା । ଏସବୁ କି ଧପ୍‌ପାବାଜ କାମ ଚାଲିଛି । ଏହା ନିଶ୍ଚୟ କଂଗ୍ରେସ ଲୋକଙ୍କର ସଭା, ନହେଲେ ସମସ୍ତେ କାହିଁକି ଖଦଡ଼ ପିନ୍ଧି ଥାଆନ୍ତେ । ସେ ଧର୍ମପୁତ୍ରଙ୍କୁ ପଚାରିଲେ । ସେ ତାଙ୍କ ଉପରେ ଆସ୍ଥା ସ୍ଥାପନ କରିପାରୁଥିଲେ । ତାଙ୍କ ପାଦତଳେ ପଡ଼ି ଚେଟିୟାର୍‍ କହିଲେ, “ମହାଶୟ ! ଆପଣ ସାଧୁପରି ଦେଖା ଯାଉଛନ୍ତି, ମୋତେ ସତ କୁହନ୍ତୁ ଏସବୁ ବ୍ୟାପାର କ’ଣ ?”

 

ଧର୍ମପୁତ୍ର କହିଲେ, ବତ୍ସ ! କିଛି ଭୁଲ ହୋଇନାହିଁ । ଭୟ କିମ୍ବା ସନ୍ଦେହ କରିବାର କୌଣସି କାରଣ ନାହିଁ । ଆମେସବୁ ଯେତେବେଳେ ଏ ପୃଥିବୀରେ ଥିଲୁ ହାତବୁଣା ଲୁଗା ବ୍ୟତୀତ ଆଉ କୌଣସି ଲୁଗା ଦେଖି ନଥିଲୁ । ତୁମେ ତାକୁ ଖଦଡ଼ କହୁଛ । ଆମ୍ଭେମାନେ କେବଳ ସେହି ଲୁଗା ପିନ୍ଧୁଥିଲୁ । ସେତେବେଳେ ଭାରତ ବାହାରୁ କୌଣସି ଲୁଗା ଆସୁ ନଥିଲା, ଦେଶରେ ବହୁ ପରିମାଣରେ ଏ ଲୁଗା ଥିଲା । ବାହାରକୁ ସେସବୁ ଆମେ ରପ୍ତାନୀ କରୁଥିଲୁ । ସେତେବେଳେ ଆମ ଦେଶରେ କି ଆଉ କେଉଁଠି ହେଲେ ଲୁଗାକଳ ନଥିଲା । ବର୍ତ୍ତମାନ ସ୍ଵର୍ଗରେବି ଆମେ ସେହି ଲୁଗା ପିନ୍ଧୁଛୁ । ବର୍ତ୍ତମାନ ତୁମ୍ଭେମାନେ ସେହି ଲୁଗା ପିନ୍ଧୁନାହଁ କାହିଁକି ? ମୁଁ ଶୁଣିଛି ଦେଶରେ ବର୍ତ୍ତମାନ ଦାରିଦ୍ର୍ୟ ଦେଖା ଦେଇଛି । ଏହା କ’ଣ ସତ ?

 

ଚେଟିୟାର୍‍ ସମସ୍ତଙ୍କୁ ନମସ୍କାର କଲାପରେ ଖୁବ୍ ସାହସର ସହିତ ସେମାନେ ପ୍ରତ୍ୟେକ ପିନ୍ଧିଥିବା ଲୁଗାକୁ ହାତରେ ଧରି ପରୀକ୍ଷା କରି ଦେଖିଲେ । ରାମ, ବଳରାମ, କୃଷ୍ଣ, ପର୍ଶୁରାମ, ଭୀମ, ଅର୍ଜ୍ଜୁନ ସମସ୍ତେ ଖାଣ୍ଟିଖଦଡ଼ ପିନ୍ଧିଥିଲେ । ବଡ଼ ବିଚିତ୍ର କଥା । ମୁଁ ଭାବିଥିଲି ଅଳ୍ପଦିନ ହେଲା ମହାତ୍ମା ଗାନ୍ଧୀ ଏବେ ଖଦଡ଼ ପିନ୍ଧା ପ୍ରହସନ କରୁଛନ୍ତି ଏବଂ ସମସ୍ତେ ଖଦଡ଼ ପିନ୍ଧନ୍ତୁ ବୋଲି ଜୋର ଦେଉଛନ୍ତି । କିନ୍ତୁ ଏଠାରେ ଯେଉଁମାନେ ଉପସ୍ଥିତ ସମସ୍ତେ ଖଦଡ଼ ପିନ୍ଧିଥିବାର ଦେଖୁଛି । ଏହିପରି ମନେମନେ ଭାବି ଚେଟିୟାର୍‍ ସ୍ତ୍ରୀଙ୍କଆଡ଼କୁ ଚାହିଁଲେ ।

 

ଭକ୍ତିରେ ବିହ୍ଵଳିତ ହୋଇ ଚେଟିୟାର୍‍ର ସ୍ତ୍ରୀ ମୀନାକ୍ଷୀ ମୂର୍ଚ୍ଛା ହୋଇଯାଇଥିଲା । ସେ ସମ୍ପୂର୍ଣ୍ଣରୂପେ ସଚେତନ ହୋଇ ନଥିଲା । ସେମାନେ ସମସ୍ତେ ଏକ ସ୍ଵରରେ କହିଲେ, ଆମ୍ଭେମାନେ ଯାଉଛୁ । ଭଗବାନ ତୁମ୍ଭର ମଙ୍ଗଳ କରନ୍ତୁ । ତା’ପରେ ଚେଟିୟାର୍‍ଙ୍କ ଘର ଖାଲି ହୋଇଗଲା ।

 

ଏହା ସତକଥା ଯେ ଆମର ମହାନ୍ ପୂର୍ବପୁରୁଷମାନେ ସମସ୍ତେ ଖଦଡ଼ ପିନ୍ଧୁଥିଲେ । ସେମାନେ ସେହି ଲୁଗା ପିନ୍ଧି ମରିଛନ୍ତି ଏବଂ ସ୍ଵର୍ଗରେ ମଧ୍ୟ ସେମାନେ ସେହି ଲୁଗା ପିନ୍ଧୁଛନ୍ତି । ଆମ୍ଭେମାନେ ତେବେ ଏଠାରେ ଖଦଡ଼ ନ ପିନ୍ଧିବା କାହିଁକି ? ଖଦଡ଼ ପିନ୍ଧିଲେ ଆମ୍ଭେମାନେ ଆମର ପୂର୍ବ ଗୌରବର ଅଧିକାରୀ ହୋଇପାରିବା ଏକଥା ବିଶ୍ଵାସ କରିବାର ଯଥେଷ୍ଟ କାରଣ ରହିଛି ।

Image

 

ସରଳ ଶିଶୁ

 

“ମା’, ମୁଁ ଧଳା ଗାଈ ପାଖକୁ ଗଲେ ସେ ମୋତେ ଗୋଡ଼ାଉଛି । କିନ୍ତୁ କରୁପ୍‌ପାନ ତା’ ପାଖରେ ଠିଆ ହେଲେ ମଧ୍ୟ ସେ କିଛି କରୁନାହିଁ କାହିଁକି ?”

 

“ତା’ ପାଖରେ ସେ ଚଳାଚଳ କରୁଛି । ସେଥିଲାଗି ସେ ତା’ ପାଖକୁ ଗଲେବି ସେ ଚୁପ୍‌ଚାପ୍ ଠିଆ ହେଉଛି, କିନ୍ତୁ ତୁ ତା’ ସଙ୍ଗେ ଚଳାଚଳ କରୁନାହୁଁ, ତେଣୁ ତୋତେ ମାରି ଗୋଡ଼ାଉଛି-।”

 

“ମା’, ତାହାହେଲେ ମୁଁ ତା’ ସଙ୍ଗେ ମିଶାମିଶି କରିବି । ସେ ମୋତେ ଆଉ ଯେମିତି ମାରି ନ ଗୋଡ଼ାଏ ।”

 

“ନା ନା ସେ କଥା ହେଇ ପାରିବ ନାହିଁ । ତୁ ଗାଈ ପାଖକୁ ଯିବା ଦରକାର ନାହିଁ । ତୁ ଯାଇ ଖେଳିପାରୁ । ସେ ପରିଆ ପିଲା, ତାକୁ ଗାଈ ଚରାଇବାକୁ ପଡ଼ିବ । ତୁ ଏଠିକୁ ଆ’ସ । ଏ ପିଠା ଖାଆ ।”

 

ସୁବୁ ଗୋଟିଏ ଚାରିବର୍ଷର ପିଲା । ତା’ ବୟସ ତୁଳନାରେ ସେ ଏକପ୍ରକାର ସ୍ୱତନ୍ତ୍ରଭାବେ ବୟସ୍କଙ୍କ ପରି କଥାବାର୍ତ୍ତା କରେ । ବାପା, ମା’ ତାକୁ ଅତି ଗେହ୍ଲା କରନ୍ତି । ତା’ ମା’ଙ୍କର ଦୁଇଟି ଝିଅ ହେଲାପରେ ତା’ର ଜନ୍ମ ହୋଇଥିଲା ।

 

“ମା’ ତୁ ଏପରି ପିଠା କିପରି କରୁ ?”

 

“ଚିନି, ମୁଗ ଓ ନଡ଼ିଆପୁର ଦେଇ ମୁଁ ପିଠା କରେ । ଖାଇକରି କହିଲୁ, ଭଲଲାଗୁଛି କି ନାହିଁ ?”

 

“ପରିଆ କି ଲୋକ ? ସେ କାହିଁକି ଘର ଭିତରକୁ ଆସୁନାହିଁ । ଅନ୍ୟ ସମସ୍ତେ ଆସୁଛନ୍ତି-।”

 

‘‘କାରଣ ସେ ପରିଆ ।”

 

“କିନ୍ତୁ ପରିଆ କ’ଣ ?”

 

“ତୋତେ କହିଲେବି ତୁ କିଛି ବୁଝି ପାରିବୁ ନାହିଁ । ତୁ ମୋତେ ଆଉ କିଛି ପଚାର ନାହିଁ-।” “ତୁ ଆଗ କହ କରୁପ୍‌ପାନ ଘର ଭିତରକୁ କାହିଁକି ଆସି ପାରିବ ନାହିଁ ।”

 

‘‘ତୁ ଏମିତି ବାରମ୍ବାର ସେହିକଥା ପଚାର ନାହିଁ । ଦେଖ ସେ କେତେ ମଇଳା ହେଉଛି । ସେ ଯଦି ଘର ଭିତରକୁ ଆସେ ତେବେ ଆମ ସମସ୍ତଙ୍କୁ ଛୁଆଁ କରି ପକାଇବ ।”

 

‘‘ମା’ ଛୁଆଁ କରି ପକାଇବା ମାନେ କ’ଣ ? ଏଟା କ’ଣ ଗୋବର ?” ‘‘ଗୋବର ଦୂଷିତ କରେ ନାହିଁ । ତା’ ଦେହ ଭାରି ମଇଳା ହୋଇଛି ସେ କେବେ ଗାଧାଏ ନାହିଁ । ସେ ପରିଆ ପିଲା-।”

 

‘‘ଆମ ଘରେ କରୁପ୍‌ପାନକୁ ଗାଧୋଇବାକୁ ତାହାହେଲେ ମୁଁ କହିବି କି ?”

 

“କେଡ଼େ ଦୁଷ୍ଟ ପିଲାଟାଏମ ! ତୁ ଚାଲି ଆସେ । ତା’ ସାଙ୍ଗରେ ଆଉ କେବେ ଖେଳିବୁ ନାହିଁ ।”

 

‘‘ତା’ ବ୍ୟତୀତ ମୁଁ ଆଉ କାହା ସାଙ୍ଗରେ ଖେଳିବି ନାହିଁ । ତାକୁ ଗୋଟିଏ ପିଠା ଖାଇବାକୁ ଦେ ।”

 

“ନା ସେ ପରିଆ ପିଲାକୁ ମୁଁ ମୋଟେ ପିଠା ଦେବି ନାହିଁ । ତାକୁ ଗୋଟାଏ ପିଠା ଦେଲେ ଘରେ ଆଉ ଯେତେ ପିଠା ଅଛି ସବୁତକ ନଷ୍ଟ ହୋଇଯିବ । ବାହାରେ ତୋତେ ମାମୁ ଡାକୁଛନ୍ତି । ଯା’ ଦେଖ ସେ କ’ଣ କହୁଛନ୍ତି ।”

 

‘‘ତୁ ପ୍ରଥମେ ମୋତେ ଆଉ ଗୋଟେ ପିଠା ଦେ’ । ମୁଁ ତାକୁ ଦିଏ । ସେ ପ୍ରଥମେ ଖାଉ-।”

 

‘‘ତୁ ପ୍ରଥମେ ପିଠା ଖାଇଦେ । ତା’ ପାଖକୁ କିନ୍ତୁ ଯାଆନାହିଁ ।’’ ‘‘ତାହାହେଲେ ମୁଁ ଖାଇବି ନାହିଁ” କହି ପିଠାକୁ ତଳେ ପକାଇଦେଇ ସେ ଘର ପଛ ପାଖ ଦୁଆର ଆଡ଼କୁ ଦୌଡ଼ି ପଳାଇଲା ।”

 

‘‘କରୁପ୍ ! ତୁ କ’ଣ ପରିଆ ?”

 

“ହଁ”

 

‘‘ମୁଁ ବି ପରିଆ ।”

 

“ତୁମେ ପରିଆ କାହିଁକି ହେବ । ତମେ ବ୍ରାହ୍ମଣ । ମୁଁ ସିନା ପରିଆ ।”

 

“ତୋର କ’ଣ ମା’ ଅଛି ?”

 

‘‘ହଁ ମୋରବି ମା’ ଅଛି ?”

 

‘‘ସେ କ’ଣ ମୋ ମା’ ପରି ?”

 

“ହଁ ।”

 

“ସେ କ’ଣ ତୋପାଇଁ ପିଠା କରିଦିଏ ।”

 

‘‘ପିଠା ! ନା ଆମ ଘରେ ପିଠା ହୁଏ ନାହିଁ । ସେ ହସି ହସି ଉତ୍ତର ଦେଲା ।”

 

“ଆଜି ଦୀପାବଳି । ଆମେ ସମସ୍ତେ ତେଲ ମାଲିସ ହୋଇ ଗରମ ପାଣିରେ ଗାଧୋଇଛୁ । ତୁ ଗାଧୋଇଛୁ ନା ?”

 

“ଆମ କୂଅ ଶୁଖି ଯାଇଛି । ତେଲ କିଣିବାକୁ ମୋ ବାପର ପଇସା ନାହିଁ ।”

 

‘‘ଆମ ଘରେ ଯା ଗାଧୋଇପଡ଼ ।”

 

‘‘ହେ ! ଭଗବାନ । ଆମକୁ ଭିତରକୁ କିଏ ଛାଡ଼ିବ ?”

 

“ତୁ ମୋ ସାଙ୍ଗରେ ଆସ । ପ୍ରଥମେ ଗାଧୋଇ ପକା ଓ ସଫାସୁତୁରା ହୋଇପଡ଼ । ତା’ପରେ ସେମାନେ ତୋତେ ଘର ଭିତରକୁ ଯିବାକୁ ମନା କରିବେ ନାହିଁ ।”

 

“ନା ଭିତରକୁ ଯିବାକୁ ସେମାନେ ଆମକୁ କଦାପି ଛାଡ଼ିବେ ନାହିଁ । ଧକ୍କା ମାରି ତଡ଼ି ଦେବେ ।”

 

“ନା ନା ମୋ ମା’ ତୋତେ କେବେ ମାରିବ ନାହିଁ ।”

 

“ସେ ଦୁହେଁ ଏହିପରି କଥା ହେଉଥିବାବେଳେ ତା’ ମାମୁ କୃଷ୍ଣ ଆୟାର ଗୋଟାଏ ପ୍ୟାକେଟ୍ ବାଣ ଧରି ଭିତରକୁ ପଶିଆସି କହିଲେ କିରେ ତୁ ଏଠି କ’ଣ କରୁଛୁ ? ନେ’ ବାଣ ନେ-।”

 

ସୁବୁ ତା’ ମାମୁ ଉପରକୁ ଡେଇଁପଡ଼ି ଯାଇ ତାଙ୍କ କାନ୍ଧରେ ବସିଲା । କୃଷ୍ଣ ଆୟାର ତାକୁ ଚୁମା ଦେଇ ବାଣତକ ଦେଇ, ସେ ବାଣ ମାରି ଜାଣେ କି ନାହିଁ ପଚାରିଲେ ।

 

ବାଣ ପ୍ୟାକେଟ୍ ଖୋଲି, ବାଣକୁ ପଦାରେ କାଢ଼ି ଥୋଇ ସେ କହିଲା ହଁ ମୁଁ ବାଣ ମାରି ଜାଣେ । ଏ ବାଣକୁ ଦି’ ଭାଗ କରି କରୁପ୍‌ପାନକୁ ଅଧେ ବାଣ ଦେଇ ଦିଅ ।

 

“ଚାଲ ଭିତରକୁ ଚାଲ” ପରିଆ ପିଲାକୁ କାହିଁକି ବାଣ ଦିଆହେବ ? ତୁ ତାକୁ ଛୁଁ ନାହିଁ । ପରିଆ ପିଲାକୁ ଧମକାଇ ସେ କହିଲେ “ତୁ କାହିଁକି ଏଡ଼େ ଉଦ୍ଧତ ହେଉଛୁ ? ତୁ ଆମ ପିଲାର ଏତେ ପାଖକୁ କାହିଁକି ଆସୁଛୁ ? ତୁ ଏଠାରୁ ଚାଲିଯା ।”

 

କରୁପ୍‌ପାନ ସେଠାରୁ ଦୌଡ଼ି ପଳାଇ ଯାଇ ଖଣ୍ଡେ ଦୂରରେ ଠିଆ ହୋଇ ରହିଲା, ବାଣ ପୁଡ଼ିଆ ଉପରେ ତା’ ଆଖି ଲାଖି ରହିଥାଏ ।

 

ସୁବୁ ମା’ ଆସିବା ପରେ କୃଷ୍ଣ ଆୟାର କହିଲେ ସାବିତ୍ରୀ ତୋ ପୁଅକୁ ଦେଖ । ପରିଆ ପିଲାକୁ ବାଣ ଦେବାଲାଗି ସେ ଲଗାଇଛି । ସେ ସୁବୁକୁ ଉପରକୁ ଉଠାଇ ଧରି ତା’ ଗାଲରେ ଚୁମା ଦେଲେ ।

 

ସେ ତାକୁ କାଖେଇ, ଚୁମାଦେଇ ଗେହ୍ଲା କରି କହିଲେ ‘‘ଶୁଣୁଛୁତ କ’ଣ ସବୁ କହୁଛି । ମୁଁ ଭାବି ପାରୁନାହିଁ । ତାକୁ କ’ଣ କହିବି ।”

 

“ସୁବୁ କିଛି ବୁଝି ପାରିଲା ନାହିଁ । କରୁପ୍‌ପାନ ଗାଈ ଫିଟାଇ ଫାର୍ମକୁ ନେଇ ଚାଲିଗଲା-।”

 

ତା’ପରେ ସୁବୁର ଭଉଣୀ ପାର୍ବତୀ, ଭାରତୀଙ୍କ ରଚିତ ଗୀତରୁ ଗୋଟିଏ ଗାଇ ଗାଇ ସେଠାରେ ପହଞ୍ଚିଲା ।

 

“ପରିଆମାନେ ମୁକ୍ତ ହେବେ ।

 

ପୁଲୟାମାନେ ହଁ ହଁ ପୁଲୟାମାନେ ମୁକ୍ତ ହେବେ ।

 

ସମସ୍ତେ ସ୍ଵାଧୀନତା ଲାଭ କରିବେ ।

 

ସମସ୍ତେ ହେବେ ସ୍ଵାଧୀନ ।”

 

ସେ ପଚାରିଲା ମା’ ତୁ ଆଜିର କାଗଜ ପଢ଼ିଛୁନା ? ପରିଆମାନଙ୍କ ଲାଗି ଦେଉଳ ଛାଡ଼ ହେବ ବୋଲି ସେମାନେ କହୁଛନ୍ତି ।

 

ସାବିତ୍ରୀ କହିଲା ମୁଁ କିଛି ଭାବି ପାରୁନାହିଁ ଏହାର ପରିଣତି କ’ଣ ହେବ ?

 

“କୃଷ୍ଣ ଆୟାର କହିଲେ ତୁ ଜାଣୁ ନାହିଁ ନା ବର୍ତ୍ତମାନ ଦୁନିଆଟା ଓଲଟପାଲଟ ହୋଇଗଲାଣି ।”

Image

 

Unknown

ସୀତାରାମ

 

ସବ୍‌କଲେକ୍‌ଟର ସୀତାରାମଙ୍କ ମାସିକ ଦରମା ବାରଶହ ଟଙ୍କା ଥିଲା । କିନ୍ତୁ ତା’ ତୁଳନାରେ ତାଙ୍କର ଘର ଖର୍ଚ୍ଚ ବହୁତ କମ୍‌ । ସେଥିପାଇଁ ଟାଉନ୍‌ର ଅନ୍ୟ ଅଫିସରମାନଙ୍କ ସ୍ତ୍ରୀମାନେ ତାଙ୍କୁ ମଖୀଚୋଷ ବୋଲି କହିଥାଆନ୍ତି ।

 

ସୀତାରାମଙ୍କ ପାରିବାରିକ ଜୀବନ ଅତି ମଧୁମୟ ଥିଲା । ସ୍ଵାମୀ ସ୍ତ୍ରୀଙ୍କର ଖୁବ୍ ଭଲ ପଡ଼ୁଥିଲା । ଦରମା ପାଇଲାମାତ୍ରେ ପ୍ରତି ମାସରେ ସେ ନଅଶହ ଟଙ୍କା ବିଲାତ ପଠାଉଥିଲେ । ଏହି ଘଟଣା ସମସ୍ତଙ୍କୁ ବିସ୍ମିତ କରୁଥିଲା । ବରାବର ଏପରି ଟଙ୍କା ପଠାଇବାର ଉଦ୍ଦେଶ୍ୟ କ’ଣ ତାଙ୍କ ସ୍ତ୍ରୀ ମଧ୍ୟ ଜାଣି ପାରୁ ନଥିଲେ । ପ୍ରଥମେ ପ୍ରଥମେ ସେ ଭାବୁଥିଲେ ବିଲାତରେ ବ୍ୟାଙ୍କ୍‍ରେ ଟଙ୍କା ରଖିବା ଲାଗି ସ୍ଵାମୀ ତାଙ୍କର ଏପରି କରୁଛନ୍ତି ଓ ଏଥିପାଇଁ ସେ ଖୁସି ହେଉଥିଲେ । ତା’ପରେ ତାଙ୍କ ଅନୁମାନ ଠିକ୍‌ ନୁହେଁ ବୋଲି ସେ ବୁଝିଲେ । ସ୍ଵଇଚ୍ଛାରେ ଟଙ୍କା ସଞ୍ଚିବା ଏବଂ ବାଧ୍ୟ ହୋଇ କେଉଁଠିକି ଟଙ୍କା ପଠାଇବା ଭିତରେ ଅନେକ ପାର୍ଥକ୍ୟ ରହିଛି । କେଉଁଥିଲାଗି ଟଙ୍କା ପଠାଯାଉଛି ଜଣଙ୍କ ଆଚରଣରୁ ତାହା ବେଶ୍‌ ଜାଣି ହେବ ।

 

ଦିନେ ସୀତାରାମ ସ୍ତ୍ରୀଙ୍କୁ କହିଲେ ବିଲାତରେ ପଢ଼ୁଥିବାବେଳେ ସେ ବହୁତ ଋଣ କରି ପକାଇଥିଲେ ଓ ସେହି ଋଣ ପରିଶୋଧ ନିମନ୍ତେ ସେ ପ୍ରତି ମାସରେ ଟଙ୍କା ପଠାଉଛନ୍ତି । ତାଙ୍କ ବାପା ଜୋଇଁଙ୍କର ସମସ୍ତ ଖର୍ଚ୍ଚପାଇଁ ବରାବର ଟଙ୍କା ପଠାଉଥିଲେହେଁ ସେ ପୁଣି କାହିଁକି ଋଣ କଲେ ସେକଥା ତାଙ୍କ ସ୍ତ୍ରୀ ମୋଟେ ବୁଝିପାରୁ ନଥିଲେ । ସ୍ତ୍ରୀ ହୋଇ ସ୍ଵାମୀଙ୍କୁ ସେ ଏ ବିଷୟରେ କୌଣସି ସନ୍ଦେହ କିପରି ବା କରନ୍ତେ ? ଏଣୁତେଣୁ ପଚାରନ୍ତେ, ଏକଥା ଯେତେବେଳେ ଉଠେ ସୀତାରାମ ଆଲୋଚନାର ମୋଡ଼ ବଦଳାଇ ଦେଇ ଅନ୍ୟ କଥା କୁହନ୍ତି । ବିଲାତ ଚଳଣି ସମ୍ପର୍କରେ ଯାହାସବୁ ଶୁଣାଯାଏ ସେ କଥା ଶୁଣି ସ୍ତ୍ରୀ ବେଳେବେଳେ ବିବ୍ରତ ହୋଇ ଉଠନ୍ତି । ମାତ୍ର ସୀତାରାମଙ୍କର ସ୍ତ୍ରୀଙ୍କ ପ୍ରତି ଗଭୀର ସ୍ନେହ ମମତା ଏପରି ସନ୍ଦେହ ସୃଷ୍ଟି କରିବା ଲାଗି ଅବକାଶ ଦିଏନାହିଁ । ଆପଣାକୁ ସାନ୍ତ୍ୱନା ଦେଇ ସେ କୁହନ୍ତି ମୋର ବ୍ୟସ୍ତ ହେବାର କ’ଣ ଅଛି । ଯାହା ହେବାର ହେଉଛି ହେଉ । ମୁଁ ଧରିନେବି ଯେ ମୋ ସ୍ୱାମୀ ମାସକୁ ତିନିଶହ ଟଙ୍କା ଦରମା ପାଆନ୍ତି । ପରମ୍ପରାରେ ବିଶ୍ଵାସ କରୁଥିବା ଭାରତୀୟ ସ୍ତ୍ରୀର ସ୍ଵାମୀ ପ୍ରତି ଅନୁରକ୍ତ ରହିବାଟା ହେଲା ଚାରିତ୍ରିକ ବିଶେଷତ୍ଵ ।

 

ଶଶୁରଙ୍କ ଟଙ୍କାରେ ସୀତାରାମ ବିଲାତରେ ତିନିବର୍ଷ ରହି ଆଇ.ସି.ଏସ୍. ପରୀକ୍ଷା ଦେଇଥିଲେ । ସେ ବିଲାତ ଯିବାବେଳକୁ ତାଙ୍କ ସ୍ତ୍ରୀ ସୁନ୍ଦରୀଙ୍କ ବୟସ ଊଣେଇସ । ସେ ଦେଖିବାକୁ ବେଶ୍ ସୁନ୍ଦରୀ ଥିଲେ । ମାତ୍ର ସବୁବେଳେ ପୁରୁଣାକାଳିଆ ଅଳଙ୍କାର ଓ ଶାଢ଼ି ପିନ୍ଧୁଥିଲେ । ଏପରି ପିନ୍ଧାପିନ୍ଧି କଲେ ସ୍ଵାମୀ ଖୁସି ହେବେ ବୋଲି ସେ ଭାବୁଥିଲେ । ଯେତେ ଅଧିକ ଅଳଙ୍କାର କିଣା ହୋଇ ଆସୁଥିଲା ସେସବୁ ଲଗାଇ ସେ ଅଧିକ ସୁନ୍ଦର ଦେଖା ଯାଉଥିଲେ ବୋଲି ମା’ ଝିଅ ଉଭୟେ ଭାବୁଥିଲେ । କିନ୍ତୁ ସୀତାରାମ ଠିକ୍‌ ଓଲଟାଟା ଭାବୁଥିଲେ । ନାକରେ ଗୁଡ଼ାଏ ଅଳଙ୍କାର ନ ପିନ୍ଧି, କାନରେ ବଡ଼ବଡ଼ ରିଙ୍ଗ୍‌ ନ ଝୁଲାଇ ସେ ଯଦି ହାତରେ କେବଳ ଦୁଇପଟ ଚୁଡ଼ି ପିନ୍ଧନ୍ତେ ! ପୁରୁଣାକାଳିଆ ଶାଢ଼ି ବଦଳରେ ଆଧୁନିକ ଶାଢ଼ି ପିନ୍ଧନ୍ତେ ତେବେ ତାଙ୍କ ସ୍ତ୍ରୀ ଅଧିକ ସୁନ୍ଦର ଦିଶନ୍ତେ-। ସେ ଭାବୁଥିଲେ ବିଚିକିଟିଆ ରଙ୍ଗର କହୁଣି ପର୍ଯ୍ୟନ୍ତ ଲମ୍ବ ହାତ ବ୍ଲାଉଜ୍ ପରିବର୍ତ୍ତେ ଆଉ ଯାହା କିଛି ପିନ୍ଧିଲେ ଅଧିକ ମାନନ୍ତା । ହାତଥିବା ବ୍ଲାଉଜ୍ ମୋଟେ ନ ପିନ୍ଧିଲେବି ହୁଅନ୍ତା ।

 

ସ୍ୱାମୀବି ପୁରୁଣାକାଳିଆ ମନୋବୃତ୍ତିର ଥିଲେ । ଲଜ୍ଜା ହେତୁ ସେ ବି କ’ଣ ଚାହୁଁଥିଲେ ସେ ବିଷୟରେ ସ୍ତ୍ରୀକୁ କିଛି କହିପାରୁ ନଥିଲେ । କାରଣ ସେ ଭାବୁଥିଲେ ଏ ରକ୍ଷଣଶୀଳ ସ୍ତ୍ରୀଲୋକମାନଙ୍କୁ ଯାହା କହିଲେବି ସେମାନେ ଶୁଣିବେ ନାହିଁ । ତାଙ୍କ ମନର ଅସନ୍ତୋଷ ମନରେ ମରୁଥିଲା । ସେ ସିନେମା ଦେଖିବାକୁ ଯାଆନ୍ତି ସେଠାରେ ରୁପେଲି ପରଦାରେ ଦେଖା ଯାଉଥିବା ସୁନ୍ଦରୀ ଏବଂ ସେମାନଙ୍କୁ ଦେଖିବାକୁ ଆସିଥିବା ସୁନ୍ଦରୀମାନଙ୍କର ରଙ୍ଗଢ଼ଙ୍ଗ ସେ ନିରୀକ୍ଷଣ କରନ୍ତି-। ସେ ଦୀର୍ଘଶ୍ଵାସ ଛାଡ଼ି ଆପଣାର ଭାଗ୍ୟକୁ ନିନ୍ଦା କରି କୁହନ୍ତି ଆପଣାକୁ କିପରି ସୁନ୍ଦର କରି ସଜାଯାଏ ଏମାନେ ଜାଣନ୍ତି । ଏ ଦୃଷ୍ଟିରୁ ମୋ ସ୍ତ୍ରୀ ଗୋଟାଏ ନିହାତି ହୁଣ୍ଡି । ମୁଁ ବିଲାତରୁ ଫେରିଆସେ ସବୁ ଠିକ୍‌ଠାକ୍‌ କରିନେବି କହି ଆପଣାକୁ ସାନ୍ତ୍ୱନା ଦିଅନ୍ତି ଓ ଅନ୍ୟ କଥା ଭାବନ୍ତି-

 

ସୀତାରାମ ବିଲାତରେ ପହଞ୍ଚିଲେ । ଯୁଆଡ଼କୁ ସେ ଆଖି ଫେରାଇଲେ ସେଠାରେ ଉନ୍ନତ ରୁଚିର ନିଦର୍ଶନ ଦେଖିବାକୁ ପାଇଲେ । ଲୋକମାନଙ୍କର ସୁନ୍ଦର ଚେହେରା, ସୁନ୍ଦର ସେମାନଙ୍କର ପୋଷାକ ପରିଚ୍ଛଦ । ପ୍ରଶଂସନୀୟ ସେମାନଙ୍କର ଅନୁପାତ ଜ୍ଞାନ । ସର୍ବଦା ସେମାନଙ୍କର ହସହସ ମୁହଁ । ନମ୍ର ବ୍ୟବହାର ଶାନ୍ତ ପରିବେଶ । ସେ ଅନୁଭବ କଲେ ଯଥାର୍ଥରେ ତାହା ସ୍ଵର୍ଗଭୂମି । ସତରେ ମଣିଷ ଆଉ ଅଧିକ କ’ଣ ଚାହେଁ ।

 

ଏହି ସ୍ଵର୍ଗରେ କିଛିଦିନ ରହିଯିବା ପରେ, ସେଠାରେ ଥିବା ପରୀମାନଙ୍କ ମଧ୍ୟରୁ ଗୋଟିଏ ପରୀ ତାଙ୍କ ସହିତ ଆତ୍ମୀୟତା ସ୍ଥାପନ କରିବାକୁ ଆଗେଇ ଆସିଲା । ସେ ଅନୁଭବ କଲେ, ଜୀବନରେ ସବୁଠୁ ଅଧିକ ସୁଖୀ ହେବାପାଇଁ ବିବାହ ହେବା ଅବା ସନ୍ତାନସନ୍ତତି କରିବାର ପ୍ରୟୋଜନ ନାହିଁ । ଏ ସ୍ୱର୍ଗୀୟ ପ୍ରାଣୀଟିର ସଙ୍ଗ ସୁଖ ଲାଭ କରିବାର ସୁଯୋଗହିଁ ଏକ ବିରାଟ ଆଶୀର୍ବାଦ । ଆଉ ଅଧିକ କିଛି ଲୋଡ଼ା ନାହିଁ । ତାଙ୍କ ସଙ୍ଗେ ଆଳାପ କରି ସେ ଏପରି ଆନନ୍ଦ ଅନୁଭବ କରୁଥିଲେ ଯେ ତାଙ୍କ ପାଖରୁ ସେ ଚାଲିଯିବା ସଙ୍ଗେ ସଙ୍ଗେ ସୀତାରାମ ଦୁଃଖରେ ଦ୍ରବୀଭୂତ ହୋଇ ପଡ଼ୁଥିଲେ । ଗାଁରେ ଛାଡ଼ି ଯାଇଥିବା ତାଙ୍କ ସ୍ତ୍ରୀ ସୁନ୍ଦରୀ କଥା ମନେ ପକାଇ ମନେମନେ ତାକୁ ଘୃଣା କରୁଥିଲେ ।

 

ଦିନେ ସୀତାରାମଙ୍କର ମନ୍ଦଗ୍ରହ ଦୁର୍ଦ୍ଦଶାର ଚରମରେ ଆସି ପହଞ୍ଚିଲା । ସେହି ପରୀଟି ଅତି ସଫଳଭାବେ ଆପଣାର ଯେଉଁ ଜାଲ ପକାଇଥିଲା ସେହି ଜାଲରେ ଆସି ସୀତାରାମ ପଡ଼ିଲେ-। ସେଦିନ ସେ ତାକୁ ବିବାହ କରିବାକୁ ସ୍ଥିର କଲେ । ପ୍ରସ୍ତାବ ସ୍ଥିର ହେଲା ଓ ତିନି ସପ୍ତାହ ମଧ୍ୟରେ କାମ ବଢ଼ିଗଲା । ବିଲାତରେ ଅଧଘଣ୍ଟାଏ ଭିତରେ ବିବାହ କାର୍ଯ୍ୟ ଶେଷ ହେବାପରି ବ୍ୟବସ୍ଥା ରହିଛି । ସେହି ମହିଳାଙ୍କ ସହିତ ପ୍ରାରମ୍ଭିକ ଦାୟିତ୍ଵହୀନ ଆମୋଦପୂର୍ଣ୍ଣ ଆଳାପବେଳେ ସୀତାରାମ ତାଙ୍କୁ ନିଜେ ଅବିବାହିତ ଥିବା କଥା କହିଥିଲେ । ତାଙ୍କୁ ସେ ଯେଉଁ ଭୁଲ ଧାରଣା ଦେଇଥିଲେ ତାହା ସେ ଆଉ ସଂଶୋଧନ କରିପାରି ନଥିଲେ । ଏପରି ଭୁଲ ସଂଶୋଧନ କରିବା ସାଧାରଣ କଷ୍ଟକର ହୋଇଥାଏ ।

 

ସେହି ଧାରଣାର ବଶବର୍ତ୍ତୀ ହୋଇ ସେମାନଙ୍କ ମଧ୍ୟରେ ସମ୍ପର୍କ ବୃଦ୍ଧି ପାଇଲା । ସରକାରୀଭାବେ ବିବାହ ରେଜିଷ୍ଟ୍ରି ହୋଇଯିବାଦ୍ଵାରା ମିଥ୍ୟା ପୁନଃ ପ୍ରତିଷ୍ଠିତ ହେଲା । ବିଲାତରେ ବିବାହବେଳେ ସତ୍ୟ ପ୍ରକାଶ କରିବା ଏକ ପ୍ରୟୋଜନୀୟ ବ୍ୟବସ୍ଥା । କାରଣ ସେଠାରେ ଯିଏ ଥରେ ବିବାହ କରିଛି ତା’ର ସ୍ତ୍ରୀ ଥାଉଁଥାଉଁ ସେ ଦ୍ୱିତୀୟବାର ବିବାହ କରିପାରିବ ନାହିଁ । ସେ ଦେଶରେ ପୁରୁଷ ସ୍ତ୍ରୀ ଉଭୟଙ୍କ ପ୍ରତି ଏହି ଆଇନ ଲାଗୁ ହୋଇଥାଏ । ସୀତାରାମ ଓ ତାଙ୍କ ପରୀ କେତେକ ଅସୁବିଧା ହେତୁ ବିବାହ ହେବା ସଙ୍ଗେ ସଙ୍ଗେ ସ୍ଵାମୀ ସ୍ତ୍ରୀରୂପେ ରହିପାରି ନଥିଲେ । ତାଙ୍କପାଇଁ ଅଧିକ ଟଙ୍କା ପଠାଇବାର ଆବଶ୍ୟକତା ବୁଝାଇ ସେ ଘରକୁ ଚିଠି ଦେଉଥିଲେ । ତାଙ୍କ ଶଶୁର ଅବଶ୍ୟ ତାଙ୍କପାଇଁ ସବୁ ଟଙ୍କା ପଠାଉଥିଲେ । ତା'ପରେ ସୀତାରାମ ଓ ତାଙ୍କ ଇଂରାଜୀ ସ୍ତ୍ରୀ ଏକାଠି ରହିଥିଲେ ।

 

ତାଙ୍କ ପ୍ରତି ତାଙ୍କ ‘ପରୀ’ର ଆଦର ଯତ୍ନ ଦ୍ରୁତଭାବେ ହ୍ରାସପାଇଲା ପରି ସେ ଅନୁଭବ କଲେ । ଯେଉଁ ଉନ୍ନତ ରୁଚି ଓ ବ୍ୟବହାର ପାଇଁ ସେ ପ୍ରଥମେ ପ୍ରଶଂସା ମୁଖର ହୋଇ ଉଠିଥିଲେ ତାହା ଧୀରେ ଧୀରେ କମି ଅବଶେଷରେ ଲୋପ ପାଇଯାଇଥିଲା । ସେ ତା’ର ବ୍ୟବହାରରେ ରୁକ୍ଷତା ଲକ୍ଷ୍ୟ କରିଥିଲେ । ଏପରିକି ଉଭୟ ସ୍ତ୍ରୀଙ୍କ ମଧ୍ୟରେ ସୁନ୍ଦରୀ ଅଧିକ ଭଲ ବୋଲି ସେ ଦିନେ ଅନୁଭବ କରିଥିଲେ ।

 

ଖୁବ୍ ଶୀଘ୍ର ସେ ଜାଣିପାରିଥିଲେ ଯେ ସେ ଯେଉଁ ସୁନ୍ଦର ଓଠ ଦୁଇଟିର ଏତେ ପ୍ରଶଂସା କରୁଥିଲେ ତାହା ବରାବର ଲିପ୍‌ଷ୍ଟିକ୍ ଲଗାଇବାଦ୍ଵାରା କେବଳ ସମ୍ଭବପର ହୋଇଛି । ଲିପ୍‌ଷ୍ଟିକ୍ ବିନା ଓଠ ଦୁଇଟି ଆଦୌ ଭଲ ଦିଶୁ ନଥିଲା । ବେଳେବେଳେ ସେ ବିବାହ କରି ଭୁଲ କରି ପକାଇଲେ ବୋଲି ଭାବୁଥିଲେ । ସୀତାରାମ ସୁନ୍ଦରୀର ପାଟି ଓ ଓଠ କଥା ମନେ ପକାଉଥିଲେ । ସତରେ ସେସବୁ କ’ଣ ବିଲାତ ସ୍ତ୍ରୀର ପାଟି ଓଠ ଅପେକ୍ଷା ହଜାର ଗୁଣରେ ଭଲ ନୁହେଁ ? ସେହି ବିଲାତ ‘ପରୀ’ର ମୁଣ୍ଡର ବାଳ ତା’ର ନିଜସ୍ଵ ନୁହେଁ ବୋଲି ଦିନେ ସ୍ପଷ୍ଟଭାବେ ଜଣା ପଡ଼ିଲା । ସେଦିନ ସୀତାରାମ ଅତିମାତ୍ରାରେ ମାନସିକ ଯନ୍ତ୍ରଣା ଅନୁଭବ କଲେ । ସେ ଯନ୍ତ୍ରଣାର ବର୍ଣ୍ଣନା ଦେବା କଷ୍ଟ କାରଣ ନର୍କରେ ପଡ଼ିଥିବା ଆତ୍ମାମାନେ କେବଳ ତାହା ବୁଝି ପାରିବେ । ଠିକ୍ ମାସକ ପରେ ସେ ଦେଖିଲେ ଯେ, ନୂଆ ସ୍ତ୍ରୀଙ୍କର ମୁକ୍ତାପରି ଦିଶୁଥିବା ଦାନ୍ତ ଦୁଇଧାଡ଼ି କଢ଼ା ହୋଇ ଗୋଟିଏ ସ୍ଥାନରେ ଥୁଆ ହୋଇଛି । ଧୀରେ ଧୀରେ ସେ ସବୁ କଥା ଜାଣିଲେ । ସୀତାରାମ ଆଉ ବରଦାସ୍ତ କରିପାରିଲେ ନାହିଁ । ଯନ୍ତ୍ରଣାରୁ ରକ୍ଷା ପାଇବାଲାଗି ସେ ଦଉଡ଼ି ଲଗାଇ ଦେବାକୁ ଠିକ୍ କଲେ ।

 

ସେ ଚୌକି ଉପରେ ଆଉଜି ପଡ଼ିଲେ ଓ ଆପଣାକୁ ଭର୍ତ୍ସନା କଲେ । ତା’ପରେ ସେଠାରେ ସେ ନିଜ ଗାଁ ଓ ଗାଁ ଦେବାଳୟ କଥା ମନେ ପକାଇଲେ । ଏଇସବୁ ଭାବନା ଭିତରେ ସେ ଦୀର୍ଘ ସମୟଲାଗି ଆଖିବୁଜି ମଜ୍ଜି ରହିଲେ । ମାନସପଟରେ ତାଙ୍କର ପିଲାଦିନର ସ୍ମୃତି ଝଲସି ଉଠିଲା । ତାଙ୍କର ମରିଯାଇଥିବା ମା’ଙ୍କର ମୂର୍ତ୍ତି ତାଙ୍କ ସମ୍ମୁଖରେ ଉଭା ହୋଇ ଉଠିଲା । ଆଖି ଦୁଇଟି ତାଙ୍କର କରୁଣାପୂର୍ଣ୍ଣ ଥିଲା । ତା’ ପରେ ପରେ ତାଙ୍କ ସ୍ତ୍ରୀଙ୍କ ଚେହେରା ତାଙ୍କ ଆଗରେ ନାଚି ଉଠିଥିଲା । ତାଙ୍କ ଘରବାହୁଡ଼ା ବାଟକୁ ଚାହିଁ ରହିଥିବା ଶାନ୍ତଶିଷ୍ଟ ସୁନ୍ଦରୀର ମୁହଁ ତାଙ୍କୁ ତପସ୍ୟାରତା ଉମାଙ୍କ ଉଜ୍ଜ୍ଵଳ ମୁହଁପରି ମନେ ହେଲା । ଆତ୍ମହତ୍ୟା କରିବାକୁ ଯାଉଥିବା ଲୋକମାନଙ୍କର ଅନୁରୂପ ମାନସିକ ଅନୁଭୂତି ହୋଇଥାଏ । ସେମାନେ ଏହିପରି ଦୃଶ୍ୟ ଦେଖନ୍ତି । ସୀତାରାମଙ୍କ ଆଖି ଦୁଇଟି ଲୁହରେ ଭରିଗଲା ।

 

ବାକ୍‌ସରେ ଥିବା ନକଲି ଦାନ୍ତଗୁଡ଼ିକ ହଠାତ୍‌ ତାଙ୍କ ମାନସପଟରେ ନାଚି ଉଠିଲା । ନକଲି ଦାନ୍ତ ଦି’ଧାଡ଼ି ଜୀବନ୍ତ ହୋଇ ତାଙ୍କ ସମ୍ମୁଖରେ ଆସି ଠିଆ ହୋଇପଡ଼ିଲେ ଓ ତାଙ୍କୁ ପରିହାସ କରି କହିଲେ, “ନିର୍ବୋଧ, ତୁ ଠକେଇରେ ପଡ଼ିଗଲୁ ।”

 

ଏହି ନିର୍ବୋଧତା ଲାଗି ମୁଁ କେବେ କ’ଣ ମୋର ଜୀବନ ନଷ୍ଟ କରିଦେବି ? ନା କେବେ ନୁହେଁ । ଏହି ବାଜେ ସ୍ତ୍ରୀଲୋକ ଲାଗି ମୁଁ କେବେ ସୁନ୍ଦରୀ ଜୀବନ ନଷ୍ଟ କରିଦେଇ ପାରିବି ନାହିଁ । ସେ ମନକୁ ମନ କହିଲେ, ସତରେ ମୁଁ କେଡ଼େବଡ଼ ଭୁଲ କରିବାକୁ ଯାଉଥିଲି । ତା’ପରେ ସେ ଚୌକିରୁ ଉଠି ପୋଷାକପତ୍ର ପିନ୍ଧି ବାହାରକୁ ଚାଲିଗଲେ ।

 

କିଛିଦିନ ଏହିପରି ଏଣେତେଣେ ବୁଲିବା ପରେ ଦିନେ ହଠାତ୍ ସେ ଯେଉଁ ମାଡ଼୍ରାସ କଲେଜର ଛାତ୍ର ଥିଲେ ସେହି କଲେଜର ବୁଢ଼ା ପ୍ରଫେସର୍‍ଙ୍କୁ ଅକସ୍ମାତ୍ ଭେଟିଲେ । ତାଙ୍କ ସମ୍ମୁଖରେ ସେ କରିଥିବା ଭୁଲର ସମସ୍ତ ବୃତ୍ତାନ୍ତ ଶୁଣାଇ ସେଥିରୁ ମୁକ୍ତି ପାଇବାର ଉପାୟ ବତାଇବାକୁ ଅନୁରୋଧ କଲେ । ଛାତ୍ର ପ୍ରତି ପ୍ରଫେସର୍‍ଙ୍କ ଦୟା ହେଲା ଓ କୌଣସିମତେ ଏ ବନ୍ଧନରୁ ତାଙ୍କୁ ମୁକ୍ତ କରିବାକୁ ସେ ଉଦ୍ୟମ କଲେ । ଗୋଟିଏ ନିଷ୍ପତ୍ତି କରିଦେବାକୁ ସେ ସେହି ସ୍ତ୍ରୀଲୋକଟିକୁ ରାଜି କରାଇଲେ । ପରୀକ୍ଷାରେ ସଫଳ ହୋଇ ଆଇ.ସି.ଏସ୍. ହୋଇ ଚାକିରି କଲାପରେ ସେ ମାସକୁ ମାସ ଯେଉଁ ଦରମା ପାଇବେ ତାହାର ଗୋଟିଏ ବଡ଼ ଅଂଶ ତା’ ନିକଟକୁ ପଠାଇବା ଲାଗି ସୀତାରାମ ଚୁକ୍ତିବଦ୍ଧ ହେବାକୁ ବାଧ୍ୟ ହେଲେ ।

 

ମାସକୁ କେତେ ଟଙ୍କା ଦେବେ ତାହା ସ୍ଥିର ହୋଇଥିଲା ଏବଂ ଚୁକ୍ତିପତ୍ରରେ ସେ ଦସ୍ତଖତ କଲେ । କୌଣସିମତେ ପତନରୁ ରକ୍ଷା ପାଇଯାଇଥିବାରୁ ସେ ନିଜକୁ ଭାଗ୍ୟବାନ ମନେ କରିଥିଲେ, କାରଣ ବିବାହ ରେଜିଷ୍ଟ୍ରରଙ୍କ ନିକଟରେ ମିଥ୍ୟାରେ ଶପଥପାଠ କଲେ ସମାଜରେ ନିନ୍ଦିତ ହୋଇ ରହିବା, ଅନେକ ଦିନ ଧରି ଜେଲ ଭୋଗିବା ତଥା ଚାକିରି ନ ମିଳିବାର ବ୍ୟବସ୍ଥା ଥିଲା ।

 

ସେ ଜୋରରେ ପଢ଼ାପଢ଼ି କରି ଆଇ.ସି.ଏସ୍. ପରୀକ୍ଷାରେ କୃତିତ୍ଵ ହାସଲ କରି ଜାହାଜରେ ଭାରତକୁ ଫେରି ଆସିଥିଲେ । ଡଙ୍ଗାରୁ ଓହ୍ଲାଇ ସେ ଭାରତ ମାଟିରେ ପାଦ ଦେବାମାତ୍ରେ ଗୋଟିଏ ଶିଶୁ ତା’ ମା’ କୋଳକୁ ଆସିବା ପରି ସେ ଅନୁଭବ କଲେ ଓ ବହୁତ ଖୁସି ହେଲେ । ଯେତେ ଲୋକ ବିଦେଶରୁ ଫେରନ୍ତି ସେମାନେ ଅନୁରୂପ ଅନୁଭବ କରନ୍ତି, ମାତ୍ର ସୀତାରାମଙ୍କର ଯାହାସବୁ ବିଦେଶରେ ଘଟିଗଲା ସେହି ଦୃଷ୍ଟିରୁ ସେ ଅଧିକ ଗଭୀରଭାବେ ଅନୁଭବ କରୁଥିଲେ । ସେ ଯେତେବେଳେ ଘରେ ପହଞ୍ଚି ସୁନ୍ଦରୀକୁ ଦେଖିଲେ ପରମ୍ପରା ପ୍ରତି ଭ୍ରୂକ୍ଷେପ ନ କରି ସମସ୍ତଙ୍କ ସମ୍ମୁଖରେ ସେ ସ୍ତ୍ରୀଙ୍କୁ କୁଣ୍ଢାଇ ପକାଇଥିଲେ । ତାଙ୍କର ପିନ୍ଧିଥିବା ପୁରୁଣାକାଳିଆ ଶାଢ଼ି ଓ ଗହଣାଗାଣ୍ଠି ତାଙ୍କୁ ସତରେ ସୁନ୍ଦର ଦେଖାଗଲା । ଦିନେ ଯେଉଁ କହୁଣୀ ପର୍ଯ୍ୟନ୍ତ ଲମ୍ବାହାତ ବ୍ଲାଉଜ୍ ପିନ୍ଧିଥିବା ଦେଖି ସେ ଅସନ୍ତୋଷ ପ୍ରକାଶ କରିଥିଲେ ତାହା ଆଜି ତାଙ୍କ ମନରେ ଆନନ୍ଦ ଓ ନିରାପତ୍ତାର ଭାବ ଆଣି ଦେଇଥିଲା । ବୁଡ଼ିଯାଉଥିବା ଲୋକ ଉଦ୍ଧାର ପାଇ ପୁଣି ମାଟିରେ ପାଦଦେଲେ ଯେପରି ଅନୁଭବ କରେ ସୀତାରାମ ସୁନ୍ଦରୀ ଦେହର ପୁରୁଣାକାଳିଆ ଜିନିଷପତ୍ର ଦେଖି ସେହିପରି ଅନୁଭବ କରିଥିଲେ । ଠିକ୍ ସେତିକିବେଳେ କେବଳ, ସୁନ୍ଦରୀ କେତେ ସୁନ୍ଦରୀ ଓ ରୁଚିସମ୍ପନ୍ନା ସେ ତାହା ହୃଦ୍‌ବୋଧ କରିପାରିଥିଲେ ।

 

ତାଙ୍କର ଜ୍ଞାନୋଦୟ ପାଇଁ ତାଙ୍କୁ ଅନେକ ମୂଲ୍ୟ ଦେବାକୁ ପଡ଼ିଥିଲା । ସୂର୍ଯ୍ୟ ସମସ୍ତଙ୍କୁ ଜୀବନ ଦାନ କଲାପରି, ତାଙ୍କ ହୃଦୟରେ ବର୍ତ୍ତମାନ ସ୍ତ୍ରୀଙ୍କପ୍ରତି ଯେଉଁ ପ୍ରେମ ଜାଗ୍ରତ ହେଲା ତା’ ତୁଳନାରେ ଯେକୌଣସି ମୂଲ୍ୟ ଅତି ନଗଣ୍ୟ, ଏଥିରେ ସାମାନ୍ୟ ସନ୍ଦେହ ନଥିଲା ।

Image

 

ବାଣ

 

ବୀରାନ୍ ପୁଅ କାନ୍ଦି କାନ୍ଦି କହିଲା “ବାପା ମୋପାଇଁ ତାଳଫୋଟକା ଆଣିଦିଅ କିନ୍ତୁ ଗରିବ ବୀରାନ୍ ସେସବୁ କେଉଁଠୁଁ ପାଇବ ? ଦୀପାବଳିର ତିନି ଦିନ ପୂର୍ବରୁ ବ୍ରାହ୍ମଣ ଘରମାନଙ୍କରେ ଏବଂ ତନ୍ତି ସାହି ଗଳିରେ ପିଲାମାନେ ଯଥେଷ୍ଟ ପରିମାଣରେ ବାଣ ଫୁଟାଇଲେଣି । ଖଣ୍ଡେ ଦୂରରେ ଠିଆ ହୋଇ ସେ ଖାଲି ଦେଖୁଥିଲା । ସେ ଯେତେଥର ଦରପୋଡ଼ା ବାଣ ଗୋଟାଇଛି ସେତେଥର ସେ ସେଠାରୁ ଗାଳିଖାଇ ତଡ଼ା ଖାଇଛି ।

 

ତା’ ପରଦିନ ପରିସ୍ଥିତି ଆହୁରି ଅଧିକ ଖରାପ । ସବୁଠାରେ ବାଣମରା ହେଉଥିବାର ଶବ୍ଦ ଶୁଣାଯାଉଥିଲା । ବୀରାନ୍‌ର ପୁଅ ବାଣପାଇଁ ଅତିମାତ୍ରାରେ ବ୍ୟାକୁଳ ହୋଇ ଉଠୁଥିଲା । ସମସ୍ତଙ୍କ ଘରେ ବାଣମରା ହେଉଛି କାହିଁକି ? କିନ୍ତୁ ତାଙ୍କ ଘରେ ବାଣମରା ହେଉନାହିଁ ଏହି ପ୍ରଶ୍ନ ସେ ନିଜକୁ ବାରମ୍ବାର ପଚାରି କୌଣସି ଉତ୍ତର ପାଉ ନଥିଲା । ସେ ତା’ ବାପାଙ୍କୁ ଏହାର କାରଣ ପଚାରିବାକୁ ସାହସ କରୁ ନଥିଲା ।

 

ତାକୁ ଭୋକ ଲାଗୁଥିଲେ ମଧ୍ୟ ସେ ନିଜ ଘରକୁ ଫେରିବାକୁ ଚାହୁଁ ନଥିଲା । ବ୍ରାହ୍ମଣ ସାହି ଗଳିରେ ପିଲାମାନେ କିପରି ବାଣମାରି ମଜା କରୁଛନ୍ତି ସେ ଠିଆ ହୋଇ ଦେଖୁଥିଲା ।

 

ସେହି ଗଳିରେ ଯାଉଥିବା ଜଣେ ଲୋକ ପାଟି କରି କହିଲା ଦୂରରେ ଠିଆ ହଅ । ବୀରାନ୍‌ର ପୁଅ ଭୟରେ ସେଠାରୁ ଅନ୍ୟ ଗୋଟିଏ ଗଳିକୁ ପଳାଇ ଯାଇ ଗୋଟିଏ କାନ୍ଥରେ ନେସି ହୋଇ ଠିଆ ହେଲା ।

 

ବୀରାନ୍‌ର ପୁଅ କାହିଁକି ଏପରି ଛପି ଯିବାକୁ ଗଲା । ତା’ର କାରଣ କ’ଣ ସେ କହି ପାରିବ ? ପିଲାମାନେ କ’ଣ ଭାବନ୍ତି କିଏ ବା କହିପାରିବ । ତା’ ପାଖରେ ଗୋଟିଏ ଛୋଟ କୁକୁର ଛୁଆ ଠିଆ ହୋଇଥିଲା । ସେହି ବ୍ରାହ୍ମଣ ଭଦ୍ରଲୋକ ସେଠାରୁ ଚାଲିଯିବା ପର୍ଯ୍ୟନ୍ତ ସେ ସେହିପରି କୁକୁର ଛୁଆକୁ ଆଉଁଶୁଥିଲା, ତାକୁ ଆଦର କରୁଥିଲା । ତା’ପରେ ଯାଇଁ ସେ ସେଠାରୁ ଆସିଥିଲା । ଦୀର୍ଘ ସମୟ ପରେ ସେ ତାଙ୍କ ନିଜ ବସ୍ତି ଯେଉଁଠି ତା’ର ବାପା ଓ ଅନ୍ୟାନ୍ୟ ଅଛବମାନେ ରହନ୍ତି ସେଠାକୁ ଫେରି ଯାଇଥିଲା । ସେ ବୀରାନ୍‍କୁ ପଚାରିଥିଲା ବାପା ତୁମେ କ’ଣ ମୋତେ ବାଣ କିଣି ଦେବ ନାହିଁ । ଏହା ଶୁଣି ବୀରାନ୍ ପୁଅକୁ ଏପରି ଗୋଟାଏ ଚାପୁଡ଼ା ମାରିଥିଲା ଯେ ସେ ତଳେ ପଡ଼ି ଯାଇଥିଲା । ତା’ ମା’ ପାଟି କରି କହିଲା ତମେ ମଦ ପିଇ ଘରକୁ ଫେରି ପିଲାଟାକୁ ଏପରି ମାରୁଛ କାହିଁକି ? ସବୁ ପଇସା ମଦ ପିଇ ଦେଲନା । ପିଲାଟାପାଇଁ ସେଥିରୁ ଗୋଟାଏ ପଇସା ବଞ୍ଚାଇ ବାଣ କିଣି ଆଣି ପାରିଲ ନାହିଁ । ବାଣ କଥା ସେ ତୁମକୁ ପଚାରିବାବି ମନା । ତମେ କ’ଣ ତାକୁ ସେଥିପାଇଁ ମାରି ଦେବ ନା କ’ଣ । ମା’ ପୁଅକୁ ତଳୁ ଉଠାଇ ତାକୁ ବୋଧଶୋଧ କରିଦେଲା-। ‘‘ମା’ ମୋତେ ବାଣ ଆଣିଦେ ବୋଲି ପୁଅ ପୁଣି ଲଗାଇଲା ।

 

ଚୁପ୍‌କର । ପରିଆ ପିଲାର ବାଣ ମାରିବାରେ କି ଦରକାର ଅଛି କହି ସେ ରୋଷେଇ କରିବାକୁ ଲାଗିଲା ।

 

ବୀରାନ୍ ତାକୁ ଧମକାଇ କହିଲା ତୁ ପୁଣି ଯଦି ବାଣ ମାଗିବୁ ତେବେ ତୋତେ ମାରି ଦେବି ।

 

ଦୋରାଇ ସ୍ୱାମୀ ଆୟାଙ୍ଗାରଙ୍କ ଘରେ ଖୁବ୍ କୋଳାହଳ ଶୁଣାଗଲା । ଟ୍ରଙ୍କ ଓ ବିଛଣା ପତ୍ର ଧରି ତାଙ୍କ ଜ୍ଵାଇଁ ମାନ୍ଦ୍ରାଜରୁ ଆସି ପହଞ୍ଚିଲେ । ଦୋରାଇ ସ୍ୱାମୀ ଆୟାଙ୍ଗାରଙ୍କ ତୃତୀୟ ଝିଅ ନିକଟରେ ବିଶ୍ଵବିଦ୍ୟାଳୟର ଜଣେ ଯୁବକ ଗ୍ରାଜୁଏଟ୍ ଚେଲାମ୍ ଆୟାଙ୍ଗରଙ୍କୁ ବିବାହ କରିଛି । ଚାରି ହଜାର ଟଙ୍କା ବ୍ୟୟରେ ବିବାହ ଉତ୍ସବ ବେଶ୍‌ ଜାକଜମକରେ ଅନୁଷ୍ଠିତ ହୋଇଥିଲା । ବିବାହ ପରେ ଏ ହେଲା ପ୍ରଥମ ଦୀପାବଳି । ଚେଲାମ୍ ସାଙ୍ଗରେ ଅନେକ ଜିନିଷପତ୍ର ଧରି ଆସିଛି । ସାନ ଶଳାଶାଳୀଙ୍କ ଲାଗି ଆଣିଥିବା କୋଡ଼ିଏ ପ୍ୟାକେଟ୍ ବାଣ ସେମାନଙ୍କୁ ଦେଇସାରି ସେ ଶାଶୁଙ୍କ ନିକଟକୁ ଯାଇଥିଲା । ସାତବର୍ଷର କୀଟୁ ଓ ଚାରିବର୍ଷର ଚେନୁ ଶଳାଶାଳୀ ଦୁହେଁ ତାଙ୍କ ଭିତରେ ବାଣତକ ବାଣ୍ଟି ନେଇଥିଲେ । ଚେନୁ ସବୁ ହଳଦିଆ ରଙ୍ଗର ପ୍ୟାକେଟ୍‍ଗୁଡ଼ିକ ନେବାକୁ ଚାହିଁଥିଲା କିନ୍ତୁ କୀଟୁ ସେ ସବୁ ତାକୁ ଦେବାକୁ ରାଜି ହୋଇ ନଥିଲା । ଚେନୁକୁ ହଳଦିଆ ରଙ୍ଗର ପ୍ୟାକେଟ୍ ଦେଇ ଦେବାକୁ କମଳା କହିଥିଲା । କମଳା ସେହି ଗେହ୍ଲେଇ ଝିଅ ଯିଏ ଅଳ୍ପ ଦିନ ହେଲା ବିଭା ହୋଇ ଯାଇଛି ।

 

ପିଲାମାନଙ୍କର କଳି ମୀମାଂସା କରିଦେବା ପରେ ସେ ସେମାନଙ୍କୁ କହିଥିଲା ଆଜି ବାଣ ମାର ନାହିଁ । କାଲି ଦୀପାବଳିରେ ବାଣ ମାରିବ । …ତା’ପରେ ସେ ତା’ ମା’ ପାଖକୁ ଚାଲି ଯାଇଥିଲା । କୀଟୁ କହିଲା ମୁଁ ଏଇନେ ବାଣ ମାରିବି ।

 

ଚେନୁ କହିଲା ଆଜି ନୁହେଁ ମୁଁ କାଲି ମୋ ବାଣ ମାରିବି ।

 

କୀଟୁ କିନ୍ତୁ କହିଲା ବର୍ତ୍ତମାନ ମୁଁ ଗୋଟିଏ ପ୍ୟାକେଟ୍ ମାରିବି ଓ ବାକି ବାଣ କାଲି ମାରିବି ।

 

ଦୁହେଁ ଦୁହିଁଙ୍କ ବାଣଧରି ତାଙ୍କ ମା’ ପାଖକୁ ଗଲେ । ମା’ ଉପରେ ତା’ ଭାଗ ବାଣତକ ପକାଇ ଦେଇ ଚେନୁ ତା’ ମା’କୁ ସେସବୁ ଯତ୍ନରେ ରଖି ଦେବାକୁ କହିଲା । ଜ୍ୱାଇଁଙ୍କ ଆଗମନରେ ଶାଶୁଙ୍କ ମନ ଖୁସି ଥିଲା । ସେ ଚେନୁକୁ ଥାପୁଡ଼ାଇ ଚୁମାଦେଇ କହିଲେ ତୁ ଗୋଟିଏ ଭଲ ପିଲା । ତା’ପରେ ଯେଉଁ କପ୍ ବୋର୍ଡ଼ରେ ସାଧାରଣତଃ ରୁପା ବାସନକୁସନ ରଖାଯାଇଥାଏ ସେଠାରେ ବାଣ ପ୍ୟାକେଟ୍‍ତକ ରଖିଦେଇ ସେ ଚେଲାମ୍ ଆୟାରଙ୍କ ସଙ୍ଗେ କଥା ହେବାକୁ ଗଲେ ।

 

ଦୀପାବଳି ଦିନ କଥା । ସୀତାମ୍ମା ପାଟିକରି ଉଠିଲେ । ସର୍ବନାଶ ହେଇଗଲା । କିଏ ସବୁ ନେଇ ଚାଲି ଯାଇଛି । ଯାଇଥିବା ରୁପା ବାସନଗୁଡ଼ିକର ଦାମ ହଜାର ଟଙ୍କା ହେବ ।

 

ଦୋରାଇ ସ୍ଵାମୀ ଆୟାଙ୍ଗାର କହିଲେ ସେ ମୋ ମନିବ୍ୟାଗ୍‍ବି ନେଇ ଯାଇଛି । ବ୍ୟାଙ୍କ୍‍ରୁ ଉଠାଇଥିବା ସବୁ ଟଙ୍କା ମୁଁ ସେଥିରେ ରଖିଥିଲି ।

 

ଚେଲାମ୍ କହିଲା ଆମେ ପୋଲିସ୍‍କୁ ଏହା ଜଣାଇ ଦେବା ଉଚିତ ।

 

ସୀତାମ୍ମାଙ୍କ ସାନଭାଇ ଆମୁଡ଼ୁ ପଚାରିଲା ତୁମେ କେତେ ଟଙ୍କା ରଖିଥିଲ ?

 

ଚେନୁ ପଚାରିଲା ମା’ ବାଣ ସବୁ ତୁମେ କେଉଁଠି ରଖିଥିଲ ?

 

କୀଟୁ ତା’ କାନରେ ଚୁପ୍‌ଚାପ୍ କହିଲା ସବୁ ବାଣ ଚୋର ନେଇଗଲା ।

 

ଚେନୁ ପଚାରିଲା ‘ଚୋର’ ଦେଖିବାକୁ କିପରି ?

 

କୀଟୁ କହିଲା ସେ ଦେଖିବାକୁ କଳା । ଅନ୍ୟମାନେ ଶୋଇଥିବାବେଳେ ରାତିରେ ଘର ଭାଙ୍ଗି ପଶି ସେ ଚୋରି କରେ ।

 

ଚେନୁ ପଚାରିଲା ଗଲା ରାତିରେ ସେ ଏଠିକୁ ଆସିଥିଲା କି ?

 

କୀଟୁ ମୁଣ୍ଡ ହଲାଇ କହିଲା ହଁ ।

 

ସେ ତାହାହେଲେ ସବୁ ବାଣ ନେଇ ଯାଇଛି କହି ଚେନୁ କାନ୍ଦିବାକୁ ଲାଗିଲା ।

 

ସୀତାମ୍ମା କହିଲେ ତୁ କାନ୍ଦ ନାହିଁ । ଆମେ ଚୋରକୁ ଧରି ମାଡ଼ଦେବା ।

 

କମଳା କହିଲା ବଦମାସ ଚୋର ପିଲାଙ୍କ ବାଣଗୁଡ଼ାବି ନେଇ ଯାଇଛି ।

 

ଦୋରାଇ ସ୍ଵାମୀ ତାଙ୍କ ମନିବ୍ୟାଗ୍ ସବୁଆଡ଼େ ଖୋଜାଖୋଜି କରିସାରି ଘରର ଗୋଟିଏ କୋଣରେ ମୁଣ୍ଡରେ ହାତ ଦେଇ ବସିଥାନ୍ତି ।

 

ସୀତାମ୍ମା ଜ୍ୱାଇଁଙ୍କ ଆଡ଼କୁ ଚାହିଁ କହିଲେ, ଯାହା ଯିବାର ଗଲାଣି ଆଉ ମିଳିବ ନାହିଁ । ତୁମେ ଆସ, ଗାଧୁଆପାଧୁଆ କର ।

 

ଚେଲାମ୍ ଆୟାଙ୍ଗାର କହିଲା, ଦାଦା ଚାଲନ୍ତୁ ଆମେ ଚାଭାଡ଼ିର ଯାଇ ସଙ୍ଗେ ସଙ୍ଗେ ପୁଲିସ୍‌ରେ ସବୁକଥା ଜଣାଇଦେବା । କୃଷ୍ଣା ଆୟାଙ୍ଗାର ଓ ସେ ସଙ୍ଗେ ସଙ୍ଗେ ବାହାରି ଗଲେ ।

 

ସୀତାମ୍ମା ପୁଣି କହିଲେ, ଖଣ୍ଡେ ହେଲେ ରୁପା ବାସନ ସେ ଛାଡ଼ିଦେଇ ଯାଇନାହିଁ । ମୁଁ ଏବେ ଜ୍ଵାଇଁଙ୍କୁ କେଉଁଥିରେ ଖାଇବାକୁ ଦେବି ।

 

ବୀରାନ୍‍ର ପୁଅ ବାଣ ମାରୁଥିଲା । ବସ୍ତିର ଅନ୍ୟାନ୍ୟ ପିଲାମାନେ ତାକୁ ଘେରି ଠିଆ ହୋଇଥାଆନ୍ତି । ଖୁସିରେ ପାଟିକରି ତାଳି ମାରୁଥାଆନ୍ତି ।

 

ସେମାନେ ବାଣ କେଉଁଠୁଁ ପାଇଲେ ?

 

କେଉଁଠାରୁ ବାଣ ଆସିଲା କେହି ଜାଣନ୍ତି ନାହିଁ । ଦୀପାବଳି ଦିନ ବୀରାନ୍ ଚାରି ପ୍ୟାକେଟ୍ ବାଣ ଆଣି ପୁଅକୁ ଡାକି, ନେ’ ବାଣ ନେ’ ଯା ମାରିବୁ, ବୋଲି କହିଥିଲା । ଖୁସିରେ ନାଚି ନାଚି ମା’ ପାଖକୁ ଧାଇଁ ଯାଇ ସେ ବାଣ ବାଣ ବୋଲି ପାଟି କରିଥିଲା ।

 

ଦୀପାବଳି ପରଦିନ ଦୁଇଜଣ ଲୋକ ଆସି ବୀରାନ୍‌କୁ ଧରି ନେଇଥିଲେ । ସେମାନେ ଆଉ ଫେରି ନଥିଲେ । ତା’ର ସ୍ତ୍ରୀ ଓ ପୁଅ ଶିକ୍ଷକଙ୍କ ପାଖକୁ ଯାଇଥିଲେ । ସ୍ତ୍ରୀଲୋକଟି ତାଙ୍କ ପକ୍ଷରୁ ଗୋଟିଏ ଦରଖାସ୍ତ ପଠାଇ ଦେଇ ପାରିବେ କି ନାହିଁ ଜାଣିବାକୁ ଚାହିଁଥିଲେ । ଶିକ୍ଷକ ମହାଲିଙ୍ଗମ୍ କହିଥିଲେ ସେମାନେ ପୁଲିସ୍ ଲୋକ । ତୁମ ସ୍ଵାମୀଙ୍କ ବିରୁଦ୍ଧରେ ଘରଭଙ୍ଗା ଓ ଚୋରି ଅଭିଯୋଗ ହୋଇଛି । ସ୍ତ୍ରୀଲୋକଟି କପାଳରେ ହାତ ପିଟି କହିଲା, ମୋର ସବୁ ସରିଗଲା ।

 

ତାଡ଼ି ଦୋକାନରୁ ସମ୍ବାଦ ପାଇ ପୁଲିସ୍ ମୁଫୁତିରେ ଥିବା ବସ୍ତିକୁଯାଇ ସେଠାରୁ କୁଫାନ୍‌କୁ ନେଇ ଥାନାକୁ ଯାଇଥିଲେ । ତା’ପରେ ବସ୍ତିକୁ ଫେରିଆସି ଅନୁସନ୍ଧାନ ଚଳାଇଥିଲେ । ସେମାନେ ମଇଳା ଗଦା ଭିତରେ ପୋଡ଼ାବାଣ ଖଣ୍ଡେ ପଡ଼ିଥିବାର ଦେଖିଲେ । ବାଣ ସେଠାକୁ କିପରି ଆସିଲା ବୋଲି ଅନ୍ୟମାନଙ୍କୁ ପଚାରିଥିଲେ । ବୀରାନ୍‌ର ସାନ ପୁଅ ବାଣ ମାରିଛି ବୋଲି ଅନ୍ୟମାନେ କହିଲେ । ପୋଡ଼ା ବାଣଗୁଡ଼ିକୁ ଗୋଟାଇ ସଙ୍ଗରେ ନେଇ ସେମାନେ ଚାଲିଗଲେ ।

 

ସେମାନେ ବୀରାନ୍‌କୁ ଚାଭାଡ଼ିର୍‌ ଥାନାକୁ ଡାକି ନେଇ ପଚରାଉଚରା କଲେ । ବୀରାନ୍‌ କହିଲା, ତୁମେ ମୋତେ ମାରଧର କରନାହିଁ ମୁଁ ତୁମକୁ ସବୁକଥା କହିବି । ତା’ ପରଦିନ ଟଲାଇୟୁରର ଭେଙ୍କେଟାନ ଓ ଚେନ୍ନାରାୟନ୍‌ ଦୁଇଜଣ ଜଣାଶୁଣା ଚୋର ଗିରଫ୍ ହୋଇ ଚାଲାଣ ହେଲେ । ସେମାନେ ପଡ଼ୋଶୀ ଗାଁର ବଣିଆ କୁପାନର ଘର ତଲାସ କଲେ ଏବଂ ଏଣୁତେଣୁ ପଚାରିଲେ । ତା’ ପରଦିନ କୁପାନର ଶ୍ଵଶୁର ଘର ତଲାସ ହେଲା । ନୋଟ୍‌ ପାଞ୍ଚଶ ଟଙ୍କାର ଓ ରୁପାବାସନତକ ତା’ ଘରୁ ବାହାରିଲା ।

 

ସାକ୍ଷୀ ଦେବାକୁ ବୀରାନ୍‌ର ପୁଅ ଠିଆ ହୋଇଥିଲା ।

 

“ତୋ ବାପା ତୋତେ ବାଣ ଆଣି ଦେଇଥିଲା ?”

 

ପିଲାଟି ଉତ୍ତର ଦେଇ ହଁ ସାର୍‌–ନାହିଁ ସାର୍‌ ।

 

ଇନ୍‌ସପେକ୍‌ଟର ରୁକ୍ଷଭାବେ କହିଲେ, ଭୟକର ନାହିଁ । ସତ କହ । ପିଲାଟି କହିଲା, ମୁଁ ମୋ ବାପକୁ ବାଣ ମାଗିବାରୁ ସେ ମୋତେ ଗୋଟାଏ ଚାପୁଡ଼ା ମାରିଲା । ମୁଁ ଓଲଟି ତଳେ ପଡ଼ିଗଲି । ମୁଁ ବାଣ ମାରିନାହିଁ । ମୁଁ ନିୟମ କରି କହୁଛି ।

 

କୋର୍ଟ ଘରର ଗୋଟାଏ କୋଣରୁ ଜଣେ ସ୍ତ୍ରୀଲୋକ ପାଟିକରି କହିଲା, ଏହା ହେଉଛି ପ୍ରକୃତ ଘଟଣା । ଅନ୍ୟ ସାକ୍ଷୀମାନେ ସମସ୍ତେ ମିଛ କହିଛନ୍ତି ।

 

ପୁଲିସ୍‌ ଇନ୍‌ସପେକ୍‌ଟର କହିଲେ, “ତାକୁ ଗିରଫ୍ କର ।”

 

ସଙ୍ଗେ ସଙ୍ଗେ ଦୁଇଜଣ ପୁଲିସ୍‌ ଧାଇଁଯାଇ ବୀରାନ୍‌ର ସ୍ତ୍ରୀକୁ ଧରି ନେଲେ । ସେ ସ୍ତ୍ରୀଲୋକ ମାଜିଷ୍ଟ୍ରେଟଙ୍କ ଟେବୁଲ୍‌ ପାଖରେ ପାଟିକଲା ଓ ସେଠାରେ ଠିଆ ହୋଇ ରହିଲା ।

 

ମାଜିଷ୍ଟ୍ରେଟ ତାକୁ ଧମକାଇ ଦେଇ ପଚାରିଲେ ତୋ ପୁଅ ସାକ୍ଷୀଦେବାବେଳେ ତାକୁ ବତାଇ ଦେବାଲାଗି ତୁ କ’ଣ ଏଠାକୁ ଆସିଛୁ । ଏଣିକି ସାବଧାନ ।

 

ବୀରାନ୍‌ ସ୍ତ୍ରୀ ଏକଥା ଶୁଣି ଥରିବାକୁ ଲାଗିଲା, ସତେ ଅବା ପଡ଼ିଯିବ ।

 

ମାଜିଷ୍ଟ୍ରେଟ ଓ ଇନ୍‌ସପେକ୍‌ଟର ଦୁହେଁ ନିର୍ଦ୍ଦେଶ ଦେଲେ ତାକୁ ଏଠାରୁ ନେଇଯାଆ ।

 

ବିଚାର ପୁଣି ଚାଲିଲା । ବାଣ ସମ୍ପର୍କରେ ପିଲାଟି ତିନିପ୍ରକାର ବକ୍ତବ୍ୟ ଦେଲା ।

 

ମାଜିଷ୍ଟ୍ରେଟ କହିଲେ, “ସେତିକି ଥାଉ, ଢେର୍ ହୋଇଗଲା ।”

 

ତା’ପରେ ଇନ୍‌ସପେକ୍‌ଟର କୋର୍ଟଙ୍କୁ ଏକ ଦୀର୍ଘ ବିବୃତି ଶୁଣାଇଲେ ।

 

ସପ୍ତାହକ ପରେ ମାଜିଷ୍ଟ୍ରେଟ ବୀରାନ୍‌କୁ ଓ ଟାଲାଇୟୁର ଆସାମୀ ଦୁହିଁଙ୍କୁ ଖଲାସ କରିଦେଲେ । ବଣିଆ ଦୁହିଁଙ୍କୁ ଦଣ୍ଡବିଧାନ ହେଲା । ପୁଲିସ୍‌ ସମ୍ମୁଖରେ ବୀରାନ୍‌ ଦେଇଥିବା ସାକ୍ଷ୍ୟ ଉପରେ କେବଳ ଭିତ୍ତିକରି ମାଜିଷ୍ଟ୍ରେଟ ତାଙ୍କ ରାୟ ପ୍ରକାଶ କଲେ । ବୀରାନ୍‌ ବିରୁଦ୍ଧରେ ମଧ୍ୟ ଯଥେଷ୍ଟ ସାକ୍ଷ୍ୟ ନଥିଲା । ବସ୍ତିର ମଇଳା ଗଦାରୁ ମିଳିଥିବା ପୋଡ଼ା ବାଣଗୁଡ଼ିକ ଯଦିଓ ସନ୍ଦେହ କରିବାପାଇଁ ଯଥେଷ୍ଟ କାରଣ ତଥାପିବି ସେହି ବାଣଗୁଡ଼ିକ ଯେ ଦୋରାଇ ସ୍ୱାମୀ ଆୟାଙ୍ଗାରଙ୍କ ଘରୁ ଚୋରୀ ଯାଇଥିବା ବାଣ ତା’ର କୌଣସି ନିର୍ଦ୍ଦିଷ୍ଟ ପ୍ରମାଣ ନଥିଲା । ତେଣୁ ମାଜିଷ୍ଟ୍ରେଟ ବୀରାନ୍‌କୁ ଖଲାସ କରି ଦେଇଥିଲେ ।

 

ତା’ ବ୍ୟତୀତ ଅନ୍ୟ କେହି ସେ ବାଣ ପ୍ୟାକେଟ୍‌ ନେଇ ନଥିବ । ସେସବୁ ଗୋଳମାଳର କାରଣ ବୋଲି ଚେନ୍ନାରାୟନ ଭେଙ୍କଟାନ୍‌କୁ କହିଲା ।

 

ଭେଙ୍କଟାନ୍‌ କହିଲା, ମୁଁ ସେତେବେଳେ ତାକୁ କହିଥିଲି, ସେସବୁ ନ ନେଇ ଅନ୍ୟ କିଛି ନେବାକୁ ମାତ୍ର ସେ ମୋ କଥା ଶୁଣିଲା ନାହିଁ । ସେ ଯେତେବେଳେ ବାଣଗୁଡ଼ିକ ଆଣି ଏକାଠି ବାନ୍ଧୁଥିଲା ସେତେବେଳେ ଘରଭିତରୁ କେହି ଜଣେ ପାଟିକଲା ଓ ସଙ୍ଗେ ସଙ୍ଗେ ପଳାଇଲା । ‘ସେଥିପାଇଁ ପରା କହନ୍ତି ଅଜାତିକୁ ବଣିଜ ଅଡ଼ୁଆ ।’

 

ଚେନ୍ନାରାୟାନ୍‌ କହିଲା ତାକୁ ସଙ୍ଗରେ ନେଇ ଆମେ ଭୁଲ୍‌ କଲେ । ଏହି ଚୋରମାନେ ପିଲାଟି କାହିଁକି କାନ୍ଦୁଥିଲା ଓ ବୀରାନ୍‌ ତାକୁ କାହିଁକି ମାରିଲା ସେ ବିଷୟରେ କିଛି ଜାଣନ୍ତି ନାହିଁ ।

 

ବୀରାନ୍‌ ବସ୍ତିକୁ ଫେରି ଆସିଥିଲା । ଜେଲ୍‌ରେ ତାକୁ ନିୟମିତଭାବେ ଖାଇବାକୁ ମିଳୁଥିଲା । କିନ୍ତୁ ତା’ ଘରେ ଖାଇବାକୁ ନଥିଲା । ବୀରାନ୍‌ର ସ୍ତ୍ରୀ ମାଟି ପାତ୍ର ଧରି ଚଷାଘରୁ ପେଜ ମାଗି ଆଣିବାକୁ ଗଲା । ସ୍ୱାମୀ ଫେରି ଆସିଥିବାରୁ ସେ ଏତେ ଖୁସି ହୋଇଗଲା ଯେ, କ୍ଷୁଧା ମଧ୍ୟ ତାକୁ ସେଥିରୁ ବଞ୍ଚିତ କରିପାରି ନଥିଲା ।

 

ତା’ପରେ ବାଣ ପାଇ ବୀରାନ୍‌ର ପୁଅ ଆଉ କେବେ କାନ୍ଦି ନଥିଲା, ଯଦି କେହି ବାଣ ମାରୁଥିବାର ସେ ଦେଖୁଥିଲା ତେବେ ଛାଏଁ ଛାଏଁ ସେ ସେଠାରୁ ଦୌଡ଼ି ପଳାଇ ଆସୁଥିଲା ।

Image

 

ଜଗଦୀଶ ଶାସ୍ତ୍ରୀର ସ୍ଵପ୍ନ

 

ରେଙ୍ଗୁନରେ ଥିବା ଜଗଦୀଶ ଶାସ୍ତ୍ରୀଙ୍କୁ ଯେତେବେଳେ ୫୨ ବର୍ଷ ସେତେବେଳେ ସେ ନିଜର ଜନ୍ମସ୍ଥାନ ତିରୁଭୁଦାଇ ମରୁଦୁରୁ ଫେରିଥିଲେ । ସେ ସୁଦାୟାର ନାମକ ଜଣେ ବାରିଷ୍ଟରର ପୂଜାରୀରୂପେ ପ୍ରଥମେ ରେଙ୍ଗୁନ ଯାଇଥିଲେ । ସେ ଖୁବ୍ ଶୀଘ୍ର ରୋଷେଇଆ କାମ ଛାଡ଼ି ସେଠାରେ ବସବାସ କରୁଥିବା ବ୍ରାହ୍ମଣ ଲୋକମାନଙ୍କର ପୂଜା ଅର୍ଚ୍ଚନା କାମ କରିଥିଲେ । ପୁରୋହିତି କରୁଥିବା ପରିବାରରେ ଜନ୍ମଗ୍ରହଣ କରିଥିବାରୁ ସେ କେତେକ ମନ୍ତ୍ର ବୋଲି ପାରୁଥିଲେ-। ସେ ଯେଉଁ ମନ୍ତ୍ର ଆବୃତ୍ତି କରି ପାରୁ ନଥିଲେ ତାହା ରଖିଥିବା ବହି ଦେଖି ଦେଖି ପଢ଼ି ଉଚ୍ଚାରଣ କରୁଥିଲେ ।

 

ସେ ପୂଜାହାରୀ ଓ ପୁରୋହିତରୂପେ ଯେଉଁ ଟଙ୍କା କମାଉଥିଲେ ତାହା ସୁଧକୁ ଲଗାଇବାଫଳରେ ଖୁବ୍‌ ଶୀଘ୍ର ଧନୀ ହୋଇ ଯାଇଥିଲେ । ଶୁଣାଯାଏ ତାଙ୍କ ପାଖରେ ନଗଦ ଲକ୍ଷେ ଟଙ୍କା ଥିଲା ।

 

ସେ ଯେତେବେଳେ ରେଙ୍ଗୁନରେ ଥିଲେ ସେତେବେଳେ ବିବାହ କରିବା କଥା ଅନେକ ଥର ଚିନ୍ତା କରିଛନ୍ତି । ମାତ୍ର ତାହା ଫଳବତୀ ହୋଇ ପାରି ନଥିଲା । ବର୍ତ୍ତମାନ ତାଙ୍କୁ ବୟସ ହୋଇଗଲା । ସେ ବିବାହ ହେବା କଥା ଆଉ ଭାବିଲେ ନାହିଁ । ସେ ତିରୁଭୂଦାଇ ମରୁଦୁରୁରେ ସାମାନ୍ୟ କିଛି ଜମି କିଣିବେ । ପରଲୋକକୁ ସ୍ଵଚ୍ଛନ୍ଦରେ ଯିବା ଲାଗି ଗୋଟିଏ ପୁଅ କରିବେ ଏବଂ ଜୀବନର ଅବଶିଷ୍ଟ ସମୟ ଶାନ୍ତିରେ ବିତାଇବେ ବୋଲି ସେ ମନେମନେ ସ୍ଥିର କଲେ । ମାତ୍ର ତାଙ୍କ ଫେରିବା ପରେ କୁମ୍ବାକୋନାମଠାରେ ବାରବର୍ଷରେ ଥରେ ପଡ଼ୁଥିବା ସ୍ନାନ ଉତ୍ସବ ସମୟରେ ସେ ଉପସ୍ଥିତ ଥିବାବେଳେ ଏପରି ଏକ ଘଟଣା ଘଟିଲା ଯାହା ତାଙ୍କ ଜୀବନର ଗତିପଥ ବଦଳାଇ ଦେଇଥିଲା ।

 

ସେ କୁମ୍ୱାକୋନାମଠାରେ ଯେଉଁ ଘରେ ରହୁଥିଲେ, ଉତ୍ସବ ଦେଖିବା ଲାଗି ନାଗେଶ୍ଵରୟାର ନାମକ ଜଣେ ଲୋକ ତା’ର ତିନି ଝିଅଙ୍କୁ ସଙ୍ଗରେ ଧରି ଆସି ସେଠାରେବି ରହୁଥିଲା । ସେହିଠାରେ ଜଗଦୀଶ ଜାଣିପାରିଥିଲେ ଯେ ନାଗେଶ୍ଵରୟାର ଜଣେ ହୀରା ବ୍ୟବସାୟୀ ଏବଂ କୌଣସି ଏକ ଜୀବନ ବୀମା କମ୍ପାନୀ ଏଜେଣ୍ଟ । ଉତ୍ତର ଆରକୋଟ ଜିଲ୍ଲାରେ ତାଙ୍କ ଘର । ଦୀର୍ଘ ଦିନ ହେଲା ଆନ୍ଧ୍ରରେ ରହିବା ପରେ ଅଳ୍ପ କିଛିଦିନ ହେଲା ସେ କଲିକତାରେ ଅବସ୍ଥାନ କରିଥିଲେ । ତାଙ୍କର ପ୍ରଥମ ଦୁଇଟି ଝିଅ ବିବାହ କରି ସାରିଛନ୍ତି । କିନ୍ତୁ ତୃତୀୟ ଝିଅଟି ଏପର୍ଯ୍ୟନ୍ତ ବିବାହ ହୋଇନାହିଁ । ତାକୁ ଚଉଦବର୍ଷ ହେବ । ସେ ସୁଶ୍ରୀ ଓ ବୀଣା ବଜାଇବାରେ ତା’ର ଅସମ୍ଭବ ଦକ୍ଷତା ଥିଲା । ଜଗଦୀଶଙ୍କୁ ବୟସ ୫୨ ହେଲେହେଁ ସେ ବେଶ୍ ହୃଷ୍ଟପୁଷ୍ଟ । ନାଗେଶ୍ଵରୟାରଙ୍କ ମତ ଯେ ତାଙ୍କୁ ଦେଖି କେହି କେବେ କହିବ ନାହିଁ ଯେ ସେ ଚାଳିଶ ଟପି ଗଲେଣି ।

 

ଜଗଦୀଶ ଶାସ୍ତ୍ରୀ ସେହିଠାରେ ଜାଣିଲେ ଯେ ନାଗେଶ୍ଵରୟାର ଜୀବନ ବୀମା କମ୍ପାନୀ ଟଙ୍କା ଆତ୍ମସାତ କରି ଦେଇଛନ୍ତି ଏବଂ ସେହି ଟଙ୍କା କିପରି ଭରଣା କରିବେ ସେ କଥା ଭାବିପାରୁ ନଥିଲେ । ତେଣୁ ସେମାନଙ୍କ ମଧ୍ୟରେ ସ୍ଥିର ହେଲା ଯେ ଋଣ ପରିଶୋଧ କରିବାକୁ ଜଗଦୀଶ ନାଗେଶ୍ଵରୟାରକୁ ଛ’ ହଜାର ଟଙ୍କା ଦେବେ ଏବଂ ସଙ୍ଗେ ସଙ୍ଗେ ତିରୁପତିଠାରେ ଚୁପ୍‍ଚାପ୍ ବିବାହ ଅନୁଷ୍ଠିତ ହେବ । ଟଙ୍କା ଦିଆଯାଇଥିଲା ଏବଂ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଜରୁରୀ କାମରେ ନାଗେଶ୍ଵରୟାର ସଙ୍ଗେ ସଙ୍ଗେ ରେଙ୍ଗୁନ ଚାଲି ଯାଇଥିଲେ ।

 

–୨–

 

ଦି’ବର୍ଷ ପୂରିଛି କି ନାହିଁ ଜଗଦୀଶଙ୍କର ଗୋଟିଏ ପୁଅ ହେଲା । ବୟସ୍କମାନଙ୍କର ବିଳମ୍ବରେ ସନ୍ତାନସନ୍ତତି ହେଲେ ସେମାନେ ଯେପରି ପିଲାପିଲିଙ୍କ ଲାଳନପାଳନ କରନ୍ତି ସେ ମଧ୍ୟ ସେହିପରି ଅତି ଯତ୍ନ ସହକାରେ ପୁଅଟିକୁ ବଢ଼ାଇଲେ ।

 

ଆଉ ଦୁଇ ତିନିବର୍ଷ ବିତିଯିବା ପରେ ତାଙ୍କ ସ୍ତ୍ରୀଙ୍କର ଆଚାର ବ୍ୟବହାର ସର୍ବସାଧାରଣରେ ସମାଲୋଚିତ ହେଲା । ଶାସ୍ତ୍ରୀ ଏସବୁ ଶୁଣିଥିଲେ ମଧ୍ୟ କିଛି କରି ପାରି ନଥିଲେ-। ଦିନେ ସେ ଘରକୁ ଫେରି ଦେଖିଲେ ଯେ ତାଙ୍କ ସ୍ତ୍ରୀ ତା’ର ବୀଣା, ଅଳଙ୍କାର, ଟଙ୍କା ବାକ୍‌ସରେ ଥିବା ସମସ୍ତ ଟଙ୍କା ନେଇ କେଉଁଆଡ଼େ ଚାଲି ଯାଇଛି ।

 

ପିଲାଟିକୁ ସେତେବେଳେ ସାତବର୍ଷ ଓ ସେ ସ୍କୁଲ୍‍ରେ ପଢ଼ୁଥାଏ । ପିଲାଟିକୁ ପଢ଼ାଶୁଣା କରାଇବା, କେତେକ ନିର୍ଦ୍ଦିଷ୍ଟ ବନ୍ଧୁଙ୍କ ଘରେ ପୁରୋହିତି କରି ବ୍ୟସ୍ତ ରହିବାଦ୍ଵାରା ସେ ତାଙ୍କ ଦୁଃଖ ପାଶୋରି ଯାଇଥିଲେ ।

 

ରାମଚନ୍ଦ୍ରନ୍‍ ସ୍କୁଲ୍‍ରେ ଭଲ ପଢ଼ାପଢ଼ି କରୁଥିଲା । ତା’ପରେ ପଢ଼ିବାକୁ ସେ ବିଶ୍ଵବିଦ୍ୟାଳୟକୁ ଯାଇଥିଲା । ୧୯ ବର୍ଷ ବୟସରେ ସେ ଡିଗ୍ରୀ ପାଇଥିଲା । ୧୯୩୦ ମସିହାରେ ବାପ ପୁଅ ନିଜ ଦେଶକୁ ଫେରି ଆସିଥିଲେ ।

 

ମାନ୍ଦ୍ରାଜରେ ଜଣେ ଭଲ ଓକିଲ ଥିଲେ । ସେ ଜଗଦୀଶଙ୍କର ସମ୍ପର୍କରେ ଭାଇ ହୁଅନ୍ତି । ସୀତାରାମାୟାର ଏତେ ଭଲ ଓକିଲ ଥିଲେ ଯେ ଆଡ଼୍‍ଭୋକେଟ ଜେନେରାଲ ପଦବୀ ଖାଲି ପଡ଼ିଲେ ସେ ଆଡ଼୍‍ଭୋକେଟ ଜେନେରାଲ ହେବାର ସମ୍ଭାବନା ଥିଲା । ସେ ଆସିଲେ ତାଙ୍କର ଏହି ସମ୍ପର୍କୀୟ ଭାଇଙ୍କ ଘରେ ରହିବେ ଏବଂ ସୀତାରାମାୟାର ସ୍ତ୍ରୀ ତାଙ୍କ ଝିଅ ପାର୍ବତୀକୁ ରାମଚନ୍ଦ୍ରନ୍‍ଙ୍କ ସଙ୍ଗେ ବିବାହ ଦେବାକୁ ଯେ ଇଚ୍ଛା କରିବେ ଏହା ନିହାତି ସ୍ଵାଭାବିକ କଥା ଥିଲା । ତା’ଠାରୁ ଅଧିକ ଯୋଗ୍ୟ ପାତ୍ରଟିଏ ଆମେ କେଉଁଠୁଁ ପାଇବା । ସିଏ ଗ୍ରାଜୁଏଟ୍‌ ହେଇସାରିଛି । ଆଇ.ସି.ଏସ୍. ପରୀକ୍ଷା ଦେବାଲାଗି ଆମେ ତାକୁ ବିଲାତ ପଠାଇ ଦେବା ବୋଲି ସ୍ତ୍ରୀ କହିଲେ । ସୀତାରାମାୟାର ସ୍ତ୍ରୀଙ୍କ କଥାରେ ପୂରାପୂରି ରାଜି ହୋଇଗଲେ । ସେ ଯାହା ହେଉନା କାହିଁକି ଅସୁବିଧା ଭିତରେ ସାରଦା ଆଇନ ପ୍ରତିବନ୍ଧକ ହୋଇ ଠିଆହେଲା, ଝିଅକୁ ଯେହେତୁ ମୋଟେ ଏଗାରବର୍ଷ ହୋଇଥିଲା । ଆଇନ ଅମାନ୍ୟ ନ କରି ସଙ୍ଗେ ସଙ୍ଗେ ବିବାହ କରିବା ସମ୍ଭବପର ହେଲାନାହିଁ । ଆଡ଼୍‍ଭୋକେଟ ଜେନେରାଲ ହେବାର ସମ୍ଭାବନା ଯାହାର ଅଛି ସେ କିପରି ଆଇନ ଅମାନ୍ୟ କରିପାରନ୍ତା ?

 

ବିବାହ କରିଦେଇ ଏପରି ଯୋଗ୍ୟ ଯୁବକକୁ ଜ୍ଵାଇଁ କରିବାର ସମ୍ଭାବନା ହରାଇବାକୁ ସୀତାରାମାୟାରଙ୍କ ସ୍ତ୍ରୀ ଚାହୁଁ ନଥିଲେ । ବର୍ତ୍ତମାନ ବିବାହ କରିବା ସମ୍ଭବ ନହେଲେ ମଧ୍ୟ, ଭବିଷ୍ୟତରେ ବିବାହ ହେବାପାଇଁ ଉଭୟ ପରିବାର ମଧ୍ୟରେ ଚୁକ୍ତି ଲେଖା ହୋଇ ଦସ୍ତଖତ ହୋଇଯିବାକୁ ସ୍ତ୍ରୀ ଲଗାଇଥିଲେ, ତାହାହିଁ ହୋଇଥିଲା । ଚୁକ୍ତି ଅନୁଯାୟୀ ବିଲାତଯାଇ ଆଇ.ସି.ଏସ୍. ପରୀକ୍ଷା ଦେବାପାଇଁ ସମସ୍ତ ଖର୍ଚ୍ଚ ସୀତାରାମାୟାର ବହନ କରିବେ ଓ ତିନିବର୍ଷ ପରେ ସେ ବିଲାତରୁ ଫେରି ବିବାହ କରିବେ ବୋଲି ସ୍ଥିର ହେଲା । ଝିଅ କାଳି ହୋଇଥିବାରୁ ପ୍ରସ୍ତାବ ପ୍ରତି ରାମଚନ୍ଦ୍ରନ୍‌ଙ୍କ ସେତେଟା ଆଗ୍ରହ ନଥିଲା । ତେବେ ବାପାଙ୍କ ଇଚ୍ଛା ପ୍ରତି ସମ୍ମାନ ପ୍ରଦର୍ଶନ ଓ ବିଲାତ ଯିବାର ବ୍ୟଗ୍ରତା ହେତୁ କୌଣସି ପ୍ରତିବାଦ କରି ନଥିଲେ ।

 

–୩–

 

ରାମଚନ୍ଦ୍ରନ୍‌ଙ୍କ ବିଲାତ ଚାଲିଯିବା ପରେ ଜଗଦୀଶ ଶାସ୍ତ୍ରୀ ରେଙ୍ଗୁନ ଫେରିଗଲେ । ମାତ୍ର ସେଠାରେ ତାଙ୍କ ପୁଅ ନଥିବାରୁ ତାଙ୍କୁ ଶାନ୍ତି ମିଳୁ ନଥିଲା । ତାଙ୍କୁ ଛାଡ଼ି ଚାଲି ଯାଇଥିବା ସ୍ତ୍ରୀଙ୍କ ସ୍ମୃତି ମଧ୍ୟ ତାଙ୍କୁ ବେଳେବେଳେ ବ୍ୟଥା ଦେଉଥିଲା । ମାନସିକ ଅସୁସ୍ଥତାର ପ୍ରତିକ୍ରିୟା ଦେହ ଉପରେ ପ୍ରତିଫଳିତ ହୋଇ ତାଙ୍କ ସ୍ଵାସ୍ଥ୍ୟ ନଷ୍ଟ ହୋଇଯାଇଥିଲା । ତାଙ୍କ ହୃତ୍‌ପିଣ୍ଡରେ କିଛି ଗୋଳମାଳ ହୋଇଯାଇଛି ଆଶଙ୍କା କରି ସେ ତାଙ୍କ ଡାକ୍ତରଙ୍କ ସଙ୍ଗେ ପରାମର୍ଶ କଲେ । ତାଙ୍କର ଦେହ କିଛି ଖରାପ ହୋଇନାହିଁ ବୋଲି ଡାକ୍ତର ପ୍ରତିଶ୍ରୁତି ଦେଇଥିଲେ । ମାତ୍ର କିଛିଦିନ ନିଜ ଦେଶକୁ ଚାଲିଯିବାକୁ ମତଦେଲେ । ଏହା ଉତ୍ତମ ପରାମର୍ଶ ମନେକରି ଶେଷରେ ଶାସ୍ତ୍ରୀ ରେଙ୍ଗୁନରୁ ଭାରତକୁ ଫେରି ଆସିଥିଲେ ।

 

ଷ୍ଟିମର୍‍ରେ ଏକ ଅସମ୍ଭବ ଘଟଣା ଘଟି ଯାଇଥିଲା । ଦ୍ଵିତୀୟ ଶ୍ରେଣୀରେ ଜଣେ ମହିଳା ଯାତ୍ରୀ ଯାତ୍ରା କରୁଥିଲେ । ସେ ଅବିକଳ ତାଙ୍କ ସ୍ତ୍ରୀଙ୍କ ପରି ଦେଖାଯାଉଥିଲେ । ଅବଶ୍ୟ ଚେହେରାରେ କେତେକ ବୈଷମ୍ୟ ପରିଲକ୍ଷିତ ହେଉଥିଲା । କିନ୍ତୁ ସେ ସଠିକ୍‍ଭାବେ ଫରକଟା ଧରିପାରୁ ନଥିଲେ । କାରଣ ସ୍ତ୍ରୀ ତାଙ୍କୁ ଛାଡ଼ି ଚାଲିଯିବା ଆସି ପନ୍ଦରବର୍ଷ ହୋଇଗଲାଣି । ମାନ୍ଦ୍ରାଜରେ ଷ୍ଟିମର୍ ପହଞ୍ଚିବା ପୂର୍ବରୁ ସେହି ମହିଳା ଜଣକ ଯେ ତାଙ୍କ ସ୍ତ୍ରୀ ସେ ବିଷୟରେ ସେ ବହୁ ପରିମାଣରେ ନିଶ୍ଚିତ ହୋଇଯାଇଥିଲେ । ବନ୍ଦରରେ ପହଞ୍ଚିବା ପରେ, ସେ ସ୍ତ୍ରୀଲୋକ ତାଙ୍କ ଜିନିଷପତ୍ର ଧରି ଯେତେବେଳେ ଷ୍ଟିମର୍‍ରୁ ଓହ୍ଲାନ୍ତି ସେ ତାଙ୍କ ପାଖକୁ ଯାଇ ତାଙ୍କ ସମ୍ମୁଖରେ ଠିଆ ହେଲେ । ମୁହୂର୍ତ୍ତକ ପାଇଁ ପରସ୍ପର ପରସ୍ପରକୁ ଚାହିଁଲେ । ସ୍ତ୍ରୀଲୋକ ଜଣକ ତାଙ୍କୁ କହିଲେ, ମୁଁ ୬୧୪ ଅଙ୍ଗପା ନାଇକେନ୍‌ଷ୍ଟିଟ୍‌ରେ ରହୁଛି । ତୁମେ ମୋତେ ସେଠାରେ ଦେଖା କରିପାର । ଶାସ୍ତ୍ରୀ ତାଙ୍କ ସ୍ଵର ବାରିପାରି ହସିଲେ ଏବଂ କହିଲେ, ଓଃ ତୁମେ ତାହାହେଲେ ସେହି । ମୋ ଅନୁମାନ ଠିକ୍ । ସେ ମଧ୍ୟ ହସି ହସି କହିଥିଲେ, “ହଁ ମୁଁ ସେହି ଲୋକ ।”

 

–୪–

 

ଶାସ୍ତ୍ରୀ ସମୁଦି ସୀତାରାମାୟାରଙ୍କ ଘରେ ଦୁଇଦିନ ରହିଲେ । ତାଙ୍କୁ ସେଠାରେ ଖୁବ୍ ଭଲଭାବେ ଚର୍ଚ୍ଚା କରାଯାଇଥିଲା । ‘ଦକ୍ଷିଣରେ ଅଛବମାନଙ୍କ ପାଇଁ ଦେବାଳୟଗୁଡ଼ିକ ଖୋଲା ରହିବା ଉଚିତ ବୋଲି ସବୁଠି ଆଲୋଚନା ହେଉଥାଏ । ସୀତାରାମାୟାରଙ୍କ ଘରେ ସମସ୍ତେ କହୁଥାନ୍ତି “ସନାତନ ଧର୍ମ ନଷ୍ଟ ହୋଇଗଲା ।” ଶାସ୍ତ୍ରୀ ମଧ୍ୟ ଅନୁରୂପ ଭାବୁଥାନ୍ତି । ସୀତାରାମାୟାରଙ୍କ ସ୍ତ୍ରୀ କହିଲେ, “ସାରଦା ବିଲ୍‌ ପ୍ରଚଳନ ହେବାବେଳେ ତୁମେ କାହିଁକି ଚୁପ୍‌ ରହିଲ-? ଫଳ ଏଇୟା ହେଲା ।”

ସୀତାରାମାୟାର କହିଲେ, ବାଜେ କଥା କହନାହିଁ । ସାରଦା ବିଲ୍‌ ସଙ୍ଗେ ଏହାର କି ସମ୍ପର୍କ ଅଛି ?

ଶାସ୍ତ୍ରୀ କହିଲେ, ନା ନା ସେ ଠିକ୍‌ କଥା କହିଛନ୍ତି । ସୀତାରାମାୟାରଙ୍କ ପାଖରେ ଥିବା ଜଣେ ଜୁନିଅର ଓକିଲ ନମ୍ରଭାବେ କହିଲେ, ରେଙ୍ଗୁନ ଯିବାଲାଗି ଆପଣ କ’ଣ ସମୁଦ୍ର ପାର ହୋଇ ନାହାନ୍ତି ? ଏସବୁ ମଧ୍ୟ ଅଛବମାନଙ୍କର ମନ୍ଦିରକୁ ଯିବାପାଇଁ ସୁବିଧା କରିଦେଇଛି । ଜଗଦୀଶ ଶାସ୍ତ୍ରୀ ବ୍ୟସ୍ତ ହୋଇ ପଚାରିଲେ, ଏସବୁ କି ଅଯୁକ୍ତିକର କଥା ? ପେଟପାଟଣା ନିମନ୍ତେ ରେଙ୍ଗୁନ ଯିବା ଓ ଅଛବମାନଙ୍କୁ ପବିତ୍ର ମନ୍ଦିର ପ୍ରବେଶର ସୁଯୋଗ ଦେବା କ’ଣ ଏକା କଥା ।

ଜୁନିଅର ଓକିଲ ଜଣକ କହିଲେ, ଶାସ୍ତ୍ରଗୁଡ଼ିକ କେବଳ ଚାରିଗୋଟି ବର୍ଣ୍ଣର କଥା କହିଥାନ୍ତି । ପଞ୍ଚମ ବର୍ଣ୍ଣର ବ୍ୟବସ୍ଥା ନାହିଁ । ସେମାନଙ୍କୁ ଚତୁର୍ଥ ବର୍ଣ୍ଣର ବୋଲି ବିଚାରିଲେ କ୍ଷତି କ’ଣ ହୁଅନ୍ତା ?

 

ଜଗଦୀଶ ଶାସ୍ତ୍ରୀ କହିଲେ, “ଆପଣମାନେ ଆମ ଶାସ୍ତ୍ରର କେବଳ ଅନୁବାଦଗୁଡ଼ିକ ପଢ଼ି ମହାପଣ୍ଡିତଙ୍କ ପରି କଥା କହୁଛନ୍ତି । ଭଗବାନଙ୍କର ଏ ଚତୁଃବର୍ଣ୍ଣ ନିଜସ୍ଵ ସୃଷ୍ଟି । ତା’ପରେ ଆନ୍ତବର୍ଣ୍ଣ ମିଶ୍ରଣ ହେତୁ ବର୍ଣ୍ଣଶଙ୍କରଙ୍କ ସୃଷ୍ଟି ହେଲା । ଏହି ଅବୈଧ ବିବାହରୁ ଚଣ୍ଡାଳମାନଙ୍କର ସୃଷ୍ଟି ।

 

ଜୁନିଅର ଓକିଲ ଜଣଙ୍କ କହିଲେ ବ୍ରହ୍ମାଙ୍କ ଉଦ୍ଦେଶ୍ୟ ପୂରଣ ହେଲାପରି ମନେ ହେଲା ନାହିଁ । ଆପଣ କ’ଣ କହିବାକୁ ଚାହାନ୍ତି ଏହି ସମସ୍ତ ତଥାକଥିତ ଅଛବମାନେ ବିପଥଗାମିନୀ ବ୍ରାହ୍ମଣୀମାନଙ୍କ ସନ୍ତାନ । ଶାସ୍ତ୍ରୀ କହିଲେ, “ଏ ବିଷୟରେ ଅତି ଗଭୀରକୁ ଯିବାରେ କୌଣସି ଯଥାର୍ଥତା ନାହିଁ । ବିଗତ କେତେ ପୁରୁଷ ଧରି ଆମେ ସେମାନଙ୍କୁ ଚଣ୍ଡାଳ ଦୃଷ୍ଟିରେ ଦେଖି ଆସିଛେ-। ତାହାର ଚିହ୍ନଟ ଲାଗି ଆମେ ନିର୍ଦ୍ଦିଷ୍ଟ ପ୍ରମାଣ ଦେଇପାରିବା ନାହିଁ । ଆମ୍ଭେମାନେ ଯେ ବ୍ରାହ୍ମଣ ତା’ର ମଧ୍ୟ ପ୍ରମାଣ ନାହିଁ ।”

 

କୋର୍ଟ ସମୟ ହୋଇଯାଇଥିବାରୁ ସେଠାରେ ଉପସ୍ଥିତ ଥିବା ଲୋକମାନେ ଯିଏ ଯୁଆଡ଼େ ଚାଲିଯାଇଥିଲେ । ଜଗଦୀଶ ଶାସ୍ତ୍ରୀ ୬୧୪ ନମ୍ବର ଅଙ୍ଗପା ନାଇକେନ୍‌ ଷ୍ଟ୍ରିଟ୍‌କୁ ଯାଇଥିଲେ ।

 

–୫–

 

ସେଦିନ ସନ୍ଧ୍ୟାରେ ଜଗଦୀଶ ଶାସ୍ତ୍ରୀ କେନ୍ଦ୍ର ଷ୍ଟେସନ୍‍ରେ ବନାରସ ଯିବାକୁ ଟିକେଟ୍ କାଟୁଥିବାର ଦେଖାଯାଇଥିଲା, ସେଦିନ ସକାଳ ତୁଳନାରେ ସନ୍ଧ୍ୟାରେ ତାଙ୍କର ବୟସ ଦଶବର୍ଷ ବଢ଼ିଯାଇଥିବା ପରି ସେ ଦେଖାଯାଉଥିଲେ ।

 

ଜେଜେ, ଆପଣ କେଉଁ ରାସ୍ତାରେ ଯିବାକୁ ଚାହାନ୍ତି ବୋଲି ଟିକେଟ୍ ଦେଉଥିବା କିରାଣିଟି ତାଙ୍କୁ ପଚାରିଥିଲା ।

 

ଶାସ୍ତ୍ରୀ କହିଲେ, ସେପରି ନିର୍ଦ୍ଦିଷ୍ଟ ରାସ୍ତା ନାହିଁ । ତେବେ ଯେଉଁ ରାସ୍ତା ପାଖ ପଡ଼ିବ ସେହି ରାସ୍ତାରେ ଦିଅନ୍ତୁ । ମୁଁ ଯେତେଶୀଘ୍ର ସମ୍ଭବ ଗଙ୍ଗାରେ ସ୍ନାନ କରି ମୋ ପାପ ଛଡ଼ାଇବି ।

 

୬୧୪ ନମ୍ବର ଅଙ୍ଗପା ନାଇକେନ୍ ଷ୍ଟ୍ରିଟ୍‌ରେ ଥିବା ସ୍ତ୍ରୀଙ୍କ ହେତୁ ଜଗଦୀଶ ଶାସ୍ତ୍ରୀଙ୍କର ଏପରି ଉଦାସୀନଭାବ ସୃଷ୍ଟି ହୋଇଥିଲା । କାରଣ ତାଙ୍କ ଶ୍ଵଶୁର ବ୍ରାହ୍ମଣ କିମ୍ବା ହୀରା ବ୍ୟବସାୟୀ ନଥିଲେ । ତାଙ୍କର ପ୍ରକୃତ ନାମ ଥିଲା ପରିଆରି ନାଇକେନ୍ । ସହକାରୀ ଆକାଉଣ୍ଟାଣ୍ଟ୍ ଜେନେରାଲ ତ୍ୟାଗ ରାଜ ଆୟାର ତାଙ୍କର କଲିକତାରେ ଥିବା ସାଲୁନ୍‌ରେ ତାଙ୍କୁ କାମ କରିବାକୁ ସଙ୍ଗରେ ନେଇ ଯାଇଥିଲେ । ତାଙ୍କର ଏହି ପୁରୁଷାନୁକ୍ରମିକ ବୃତ୍ତିରେ ନିଯୁକ୍ତ ଥିବାବେଳେ, ସେ ଅସହାୟ ବିଧବାକୁ ନିଜର ସ୍ତ୍ରୀଭାବେ ରଖିଥିଲେ ଏବଂ ଜଗଦୀଶ ଶାସ୍ତ୍ରୀଙ୍କ ସ୍ତ୍ରୀ ହେଉଛନ୍ତି ଏହି ଦୁହିଁଙ୍କର କନ୍ୟା । ଝିଅର ବିବାହ ପରେ ସେ ଜାଲିଆତି ମାମଲରେ ଅଭିଯୁକ୍ତ ହୋଇ ସାତବର୍ଷ ଜେଲଦଣ୍ଡ ପାଇଥିଲେ । ବର୍ତ୍ତମାନ ସୁଦ୍ଧା ସେ କଏଦୀଭାବେ ଲାହୋର ଜେଲ୍‌ରେ ଅଛନ୍ତି ।

 

ରେଙ୍ଗୁନରୁ ଜଗଦୀଶ ଶାସ୍ତ୍ରୀଙ୍କ ସ୍ତ୍ରୀ ସ୍ଵାମୀଙ୍କୁ ଛାଡ଼ି ଚାଲିଯାଇ ଏଣେତେଣେ ବୁଲିବୁଲି ଶେଷରେ ଗୋଟିଏ ସିନେମା ଷ୍ଟୁଡ଼ିଓରେ ପହଞ୍ଚିଲେ ଏବଂ ସେଠାରେ ଅନେକ ପଇସା ରୋଜଗାର କରିଥିଲେ । ସେ କହୁଥିଲେ ତାଙ୍କର କୌଣସି ଅଭାବ ନାହିଁ, ବେଶ୍ ଆରାମରେ ଅଛନ୍ତି ଏବଂ ତାଙ୍କଠାରୁ ସେ କୌଣସି ସାହାଯ୍ୟ ଚାହାନ୍ତି ନାହିଁ ।

 

ସେ କହିଲା, ମୁଁ ମୋର ବାପା ତୁମକୁ ଠକିବାଲାଗି ମନ୍ତ୍ରଣା କରିଥିଲୁ । ଏଥିଲାଗି କେବଳ ଭଗବାନ ଆମକୁ କ୍ଷମା ଦେଇପାରିବେ । ଏସବୁ ଜାଣିବା ସତ୍ତ୍ୱେ ଜଗଦୀଶ ଶାସ୍ତ୍ରୀ ପୂର୍ବାପେକ୍ଷା ଆପଣାର ସ୍ତ୍ରୀକୁ ଅଧିକ ପ୍ରଶଂସା କରିଥିଲେ ଓ ତା’ ପ୍ରତି ଅଧିକ ସ୍ନେହ ପ୍ରଦର୍ଶନ କରିଥିଲେ । ସେ ଶିଶୁଟିପରି କାନ୍ଦିଥିଲେ । ସେ କହିଥିଲେ, ଏ ଜାତିପ୍ରଥା କିଏ ସୃଷ୍ଟି କରିଥିଲା ? ଭଗବାନ ଏକଥା କେବେ କରିପାରି ନଥିବେ । ଯାହା ହେବାର ହେଲାଣି, ସବୁ ଭୁଲିଯାଇ ଚାଲ ରେଙ୍ଗୁନରେ ସୁଖରେ ରହିବା । ଏପରି ପ୍ରସ୍ତାବ ସ୍ପୃହଣୀୟ ନୁହେଁ । ମୁଁ ତୁମକୁ ସ୍ପର୍ଶ କରିବାକୁ ମଧ୍ୟ ଯୋଗ୍ୟ ନୁହେଁ । ସାତପୁରୁଷ ପର୍ଯ୍ୟନ୍ତ ମୋର ଏ ପାପ ଯିବ ନାହିଁ । ମତେ ବିବାହ କରି ଯେଉଁ ପାପ ଅର୍ଜିଛ ସେଥିରୁ ମୁକ୍ତି ପାଇବାକୁ ତୁମେ ଗଙ୍ଗାରେ ସ୍ନାନ କରିବ ବୋଲି ଜଗଦୀଶ ଶାସ୍ତ୍ରୀଙ୍କୁ ସ୍ତ୍ରୀ କହିଥିଲେ । ସେ ଘରୁ ଆସିବାବେଳେ ଶାସ୍ତ୍ରୀ ଏକଦମ୍ ଭୟଭୀତ ହୋଇ ପଡ଼ିଥିଲେ । ବିଲାତରେ ପଢ଼ୁଥିବା ତାଙ୍କର ପୁଅ ଅଳ୍ପ କେତେ ମାସ ଭିତରେ ଯିଏ ଦେଶକୁ ବାହୁଡ଼ି ଆସିବାର ଥାଏ ତା’ କଥା ସିଏ ଭାବିଲେ । ତାକୁ ପୁଣି ବିବାହ କରିବାକୁ ପଡ଼ିବ । ଏହି ବଜ୍ଜାତ୍ ସ୍ତ୍ରୀର ସେ ଯେ ପୁଅ ଏକଥା ଯଦି ସମସ୍ତେ ଜାଣନ୍ତି ? ସେ କେଉଁ ଜାତିର ? ପିଲା କେଉଁ ଜାତିର ? ଏକଥା ଜାଣି ସୀତାରାମାୟାର ଓ ତା’ର ସ୍ତ୍ରୀ କ’ଣ କହିବେ ? କ’ଣ ହେବ ଭାବି ତାଙ୍କ ମୁଣ୍ଡ ବୁଲାଇ ଦେଲା । ସେ ଠିକ୍‍ଭାବେ ଚାଲିପାରିଲେ ନାହିଁ । ଅତି କଷ୍ଟରେ ଷ୍ଟେସନ୍‍ରେ ପହଞ୍ଚିଲେ ।

 

ଦ୍ଵିତୀୟ ଦିନ ରାତିରେ ଟ୍ରେନ୍‌ରେ ଯାଉଥିବା ସହଯାତ୍ରୀମାନେ ଏହି ଦୁର୍ବଳ ବୁଢ଼ାପ୍ରତି ଦୟାପରବଶ ହୋଇ ସେ ଯେପରି ଟିକେ ଗୋଡ଼ହାତ ଲମ୍ବାଇ ପାରିବ ସେଥିପାଇଁ ଜାଗା ଛାଡ଼ି ଦେଲେ । ସେ ଅତି କ୍ଳାନ୍ତ ହୋଇ ପଡ଼ିଥିଲେ । ତେଣୁ ଦେଖୁଦେଖୁ ସେ ଗାଢ଼ ନିଦରେ ଶୋଇଗଲେ-1। ଶୋଇବାବେଳେ ସେ ଏକ ଭୟଙ୍କର ସ୍ଵପ୍ନ ଦେଖିଲେ ।

 

ରାମଚନ୍ଦ୍ରନ୍ ବିଲାତରୁ ଫେରି ଆସିଛି । ସେ ଗୋଟିଏ ସୌମ୍ୟଦର୍ଶନ ବ୍ରାହ୍ମଣ ପିଲା ପରି ଦେଖାଯାଉ ନଥିଲା । ସେ ଅଭିଶପ୍ତ ତ୍ରିଶଙ୍କୁ ପରି ବିକଳାଙ୍ଗ ହୋଇ ଘରକୁ ଫେରିଥିଲା । ଠିକ୍ ଗୋଟିଏ ପରିଆ ପିଲାପରି ଦେଖାଯାଉଥିଲା । ସେ ଆଇ.ସି.ଏସ୍. ହେଇପାରି ନଥିଲା । ଗୋଟିଏ କୁଲି ହେଇ ଫେରିଥିଲା । ଏହାସତ୍ତ୍ୱେ ଶାସ୍ତ୍ରୀ କିନ୍ତୁ ତାକୁ ପୂର୍ବାପେକ୍ଷା ଅଧିକ ଭଲ ପାଉଥିଲେ । ଏହାହିଁ ଥିଲା ସ୍ଵପ୍ନର ବୈଚିତ୍ର୍ୟ ।

 

ସୀତାରାମାୟାର ଓ ତାଙ୍କ ସ୍ତ୍ରୀ ତାକୁ ଘରୁ ତଡ଼ି ଦେଉଛନ୍ତି । ମାଳୀ, ଡ୍ରାଇଭର ଏବଂ ମେହେନ୍ତରମାନେ ସମସ୍ତେ ତାକୁ ଗାଳି ଦେଉଛନ୍ତି ଓ ତାକୁ ତଡ଼ୁଛନ୍ତି । ରାସ୍ତାରେ ବହୁ ପରିମାଣରେ ଲୋକମାନେ ଠୁଳ ହୋଇ ଉଠୁଥିଲେ । ଭିଡ଼ ଜମିଯାଇଛି ଏବଂ ବାପ ପୁଅ ସେମାନଙ୍କଠାରୁ କୌଣସିମତେ ଖସିଯାଇ ଆପଣାକୁ ରକ୍ଷା କରିପାରୁଛନ୍ତି ।

 

ପୁନର୍ବାର ମାନ୍ଦ୍ରାଜରେ ଶାସ୍ତ୍ରୀ ତା’ର ପୁଅକୁ ଧରି ବୁଲୁଥିବାର ଦେଖା ଯାଇଥିଲା । ସେମାନେ ଗୋଟିଏ ବସ୍‌ରେ ଚଢ଼ିଥିଲେ । କଣ୍ଡକ୍ଟର୍ ଆସି ପିଲାଟି କେଉଁ ଜାତିର ବୋଲି ପଚାରିଥିଲା । ବେକରେ ମାଳା ପକାଇଥିବା ଜଣେ ବୁଢ଼ା ଲୋକ ପାଟିକରି ଉଠିଲେ, ‘‘ତାକୁ ଗାଡ଼ିରୁ ବାହାର କରିଦିଅ ।” ବସ୍ ମାଲିକ ତାକୁ ଟାଣିଟାଣି ନେଇ ଯାଇଥିଲା ଏବଂ ସେ ଦୁହେଁ ତଳକୁ ଡେଇଁ ପଡ଼ିଥିଲେ । ଏ ଅପମାନରୁ ରକ୍ଷା ପାଇବାଲାଗି ସେମାନେ ଗୋଟିଏ ଗଳି ଭିତରକୁ ଯାଇ ଛପି ଯାଇଥିଲେ ।

 

ଦୃଶ୍ୟର ପରିବର୍ତ୍ତନ ଘଟିଥିଲା । ସେମାନେ ମୈଲାପୁରରେ ସୀତାରାମାୟାରଙ୍କର ଅଫିସ୍‌ରେ ଥିଲେ । ଶାସ୍ତ୍ରୀ ସୀତାରାମାୟାରଙ୍କୁ ନିଜ ପାଖରେ ତାଙ୍କୁ କିରାଣି କରି ରଖିବାକୁ ଅନୁରୋଧ କରିଥିଲେ ।

 

ଏହା କିପରି ସମ୍ଭବ ହେବ ? ମୋ ସ୍ତ୍ରୀ ମନା କରିବେ ବୋଲି ସୀତାରାମାୟାର କହିଲେ-। ଠିକ୍ ସେତିକିବେଳେ ତାଙ୍କ ସ୍ତ୍ରୀ ଘର ଭିତରକୁ ପଶି ଆସିଲେ । ଜଗଦୀଶ ଶାସ୍ତ୍ରୀ ଡରରେ କମ୍ପିବାକୁ ଲାଗିଲେ ।

 

ଚୁକ୍ତିପତ୍ର ଦେଖାଇ ସେ କହିଲେ, କ’ଣ ହେଲା ଜଣେ ଅଛବ ଆମ ଅଫିସ୍‌ରେ କାମ କରିବ ? ବେଶ୍ ଚମତ୍କାର କଥା ତ । ନା ଆମେ ତାକୁ ଚାହୁଁ ନାହୁଁ । ଆମ ଟଙ୍କା ଆମକୁ ଫେରାଇ ଦିଅ । ଏହି କାଗଜରେ ରାମଚନ୍ଦ୍ରନ୍‍ଙ୍କର ବିବାହ ନେଇ ଲେଖାପଢ଼ା ହୋଇଥିଲା । ରାମଚନ୍ଦ୍ରନ୍‍ଙ୍କ ଲାଗି ସୀତାରାମାୟାର ୧୫ ହଜାର ଟଙ୍କା ଖର୍ଚ୍ଚ କରିଥିଲେ । ସଙ୍ଗେ ସଙ୍ଗେ ଟଙ୍କା ଫେରାଇ ଦେବା ଲାଗି ସେ କହିଥିଲେ ।

 

ଅନ୍ୟ ଏକ ଦୃଶ୍ୟ । ହରିଣ ଚମଡ଼ା ଉପରେ ହଳଦିଆ ରଙ୍ଗର ଲୁଗା ପିନ୍ଧି ହାତରେ ତ୍ରିଶୂଳ ଧରି ଜଣେ ମଠ ମହନ୍ତ ବସିଛନ୍ତି । ଶାସ୍ତ୍ରୀ ତାଙ୍କୁ ପଚାରିଲେ, ସାଧୁଜୀ ! ଆପଣ ମୋ ପୁଅକୁ ବ୍ରାହ୍ମଣ କରିଦେଇ ପାରିବେ ? ସ୍ଵାମୀ ସ୍ପଷ୍ଟଭାବେ କହିଲେ, ଅସମ୍ଭବ କଥା । ଚଣ୍ଡାଳ ହୋଇ ଜନ୍ମ ହୋଇଥିବା ଲୋକକୁ ବଦଳାଇବା ସମ୍ଭବ ନୁହେଁ । ତା’ ଶରୀର ଯେତେବେଳେ ଭସ୍ମ ହୋଇଯିବ ସେତିକିବେଳେ ତା’ ଜାତି ନଷ୍ଟ ହେବ । ଏହି ଜନ୍ମରେ ତା’ର ଜାତିର ଯାହା କର୍ତ୍ତବ୍ୟ ସେ ଯଦି ନିଷ୍ଠାର ସହିତ ପାଳନ କରେ ତେବେ ଯାଇଁ ଆର ଜନ୍ମରେ ସେ ଉଚ୍ଚ ଜାତିରେ ଜନ୍ମ ହୋଇପାରିବ । ମାତ୍ର ବ୍ରାହ୍ମଣ ହୋଇ ଜନ୍ମ ହେବା ପୂର୍ବରୁ ତାକୁ ଅନେକବାର ଜନ୍ମ ନେବାକୁ ହେବ ।

 

ଜଗଦୀଶ ଶାସ୍ତ୍ରୀ ରାଗରେ କହିଲେ, ବଜ୍ଜାତ୍ । ତୁ କି ସନ୍ନ୍ୟାସୀ । ବିଶ୍ଵାସଘାତକତା ଅଭିଯୋଗରେ ଅଭିଯୁକ୍ତ ହୋଇ ତୁ ଦଣ୍ଡ ପାଇଛୁ ସେ କଥା କ’ଣ ତୁ ଭୁଲିଗଲୁଣି । ତୁ କ’ଣ ମିଛ ଦରଖାସ୍ତମାନ ପଠାଉ ନଥିଲୁ ? ଭଡ଼ାରେ ନେଇଥିବା ଜିନିଷ କ’ଣ ତୁ ବିକ୍ରି କରି ଦେଇ ନଥିଲୁ ? ଜେଲ୍‌ଦଣ୍ଡ ଯଦିଓ ତୋର ପ୍ରାପ୍ୟ ତୁ ସାମାନ୍ୟ ଜୋରିମାନା ଦେଇ ଖସି ଚାଲିଯାଇ ନାହୁଁ କି ? ଏସବୁ କାମ ଲାଗି ତୋର କ’ଣ କିଛି ପାପ ହୋଇନାହିଁ ?

 

ସାଧୁଙ୍କ ଆଖି ଦୁଇଟି ରାଗରେ ଲାଲ୍ ହୋଇ ଉଠିଲା । ଗୋଟାଏ ବାଡ଼ିଧରି ତାଙ୍କୁ ବାଡ଼ାଇବା ଲାଗି ସେ ଆଗେଇ ଆସିଲେ ଏବଂ ପାଟିକରି କହିଲେ, ‘‘ରେ ଅସ୍ପୃଶ୍ୟ ମୁଁ ତୋତେ ଅଭିଶାପ ଦେଉଛି । ତୁ ମୋର କୁତ୍ସା ପ୍ରକାଶ କରୁଛୁ ଏବଂ ସନ୍ନ୍ୟାସୀକୁ ତୁ ତାଙ୍କର ବିଗତ ଜୀବନର ଏକ ଅଧ୍ୟାୟ ସମ୍ପର୍କରେ ସ୍ମରଣ କରାଇ ଦେଉଛୁ ?” ଭୟରେ ଶାସ୍ତ୍ରୀ ଦୌଡ଼ିଯିବା ହେତୁ ଗଳି କବାଟ ଦେହରେ ତାଙ୍କ ମୁଣ୍ଡ ପିଟି ହୋଇଗଲା । ସିଟ୍‌ରୁ ପଡ଼ିଯିବା ଫଳରେ ତାଙ୍କ ନିଦ ଭାଙ୍ଗିଗଲା ଏବଂ ସ୍ଵପ୍ନ ଦେଖିବା ଶେଷ ହୋଇଗଲା ।

 

–୬–

 

ପରଦନ ରାତିରେ ଶାସ୍ତ୍ରୀ ପୁଅ ସମ୍ପର୍କରେ ଅଧିକ ସ୍ଵପ୍ନ ଦେଖିଲେ । ଆଖି ବନ୍ଦ ହେବା ସଙ୍ଗେ ସଙ୍ଗେ ସେ ସ୍ଵପ୍ନ ଦେଖିଲେ । ପୁଅ ସହ ପୁଣି ସେ ଏଣେତେଣେ ବୁଲୁଛନ୍ତି । ଭୋକ ହେବାରୁ ଉଭୟେ ଗୋଟିଏ ହୋଟେଲକୁ ଗଲେ । ସେମାନଙ୍କ ପାଇଁ ପତ୍ର ପକାଇ ପରୁଶୁଣି ଇଡ଼ଲି ବାଢ଼ିଦେଲେ । ଠିକ୍ ସେମାନେ ଯେତେବେଳେ ଖାଇବାକୁ ଆରମ୍ଭ କରିଛନ୍ତି ପାଖରେ ବସିଥିବା ଲୋକଙ୍କ ଭିତରୁ କେହି ଜଣେ ପଚାରିଲା “ଏ ପିଲାକିଏ ? ଶାସ୍ତ୍ରୀ ଏହାଶୁଣି ଡରିଗଲେ ଓ କିଛି ଉତ୍ତର ଦେଲେ ନାହିଁ । କେହି ଜଣେ କହିଲେ ସେ ଗୋଟାଏ ଚଣ୍ଡାଳ । ତା’ପରେ ସମସ୍ତେ ସମସ୍ଵରରେ ପାଟି କରି ଉଠିଲେ ସେ ଗୋଟିଏ ଅଛବ ପରିଆ । ତାକୁ ଏଠୁ ତଡ଼ । ପରୁଶୁଣି ଏକଥା ଶୁଣି ଇଡ଼ଲି ଉଠାଇ ନେଇ ମଇଳା ଗଦାକୁ ଫିଙ୍ଗିଦେଇ ପିଲାକୁ ଧକ୍କା ମାରି ପଦାକୁ ବାହାର କରିଦେଇଥିଲେ ତା’ ପଛେ ପଛେ ଶାସ୍ତ୍ରୀ ଧାଇଁ ଧାଇଁ ପାଟି କରୁଥାନ୍ତି “ସେ ମୋ ପୁଅ’ ମୋ ପୁଅ ।”

 

କୁମ୍ଭକୋନାମ୍‌ର ରାୟବାହାଦୁର ନରସିଂହ ଚାରିୟାର ଦିଲ୍ଲୀ ବିଧାନସଭାର ଜଣେ ସଦସ୍ୟ । ଶାସ୍ତ୍ରୀ ତାଙ୍କୁ କହିଲେ ଆପଣ ଏଥର ଯେତେବେଳେ ଦିଲ୍ଲୀଯିବେ ମୋ ପୁଅକୁ ସାଙ୍ଗରେ ନେଇ ଯାଆନ୍ତୁ । ସେ ଆପଣଙ୍କର କିରାଣି ହେବ । ସିଏ ବି.ଏ. ପାସ୍ କରିଛି । ମାତ୍ର ମୋ ପାପ ହେତୁ ସେ ହଠାତ୍ ଅଛବ ହୋଇଗଲା ।

 

ନରସିଂହ କହିଲେ ଏହା ସତଯେ ଦିଲ୍ଲୀରେ ଏତେଟା ଜାତିଆଣ ଭାବ ନାହିଁ । ତେବେ ଆମ ନିଜ ଘରେ ଜଣେ ଅଛବ ପିଲାକୁ କିପରି ରଖିବୁ ? ସେ ଶୂଦ୍ର ହୋଇଥିଲେ ଘରେ ରଖିବାରେ କିଛି ଆପତ୍ତି ନଥିଲା । ସେ ତାକୁ ଶୂଦ୍ର କରିଦେଇ ପାରିବେ କି ବୋଲି ଜାଣିବାକୁ ଶାସ୍ତ୍ରୀ ବ୍ୟଗ୍ର ହୋଇ ଉଠିଥିଲେ ।

 

ପୁଅ କହିଲା ମୁଁ କିପରି ଶୂଦ୍ର ହୋଇ ପାରିବି ? ତୁମେ ତ ନିଜେ କହୁଛ ଏକ ଅପବିତ୍ର ଜାତିରେ ମୋର ଜନ୍ମ ।

 

ଶାସ୍ତ୍ରୀ କହିଲେ “ହେଁ ଏଟା ସତକଥା । ସତରେ କେହି କ’ଣ ଏ ଶାସ୍ତ୍ରଗୁଡ଼ିକୁ ଜାଳିପୋଡ଼ି ଧ୍ଵଂସ କରିଦେବ ନାହିଁ ?”

 

ରାମଚନ୍ଦ୍ରନ୍ ତା’ ବାପାକୁ କହିଲା “ଠିକ୍ ଅଛି, ମୁଁ ରେଳବାଇରେ କୁଲିକାମ କରିବି । ଏଥିପାଇଁ କେହି ପ୍ରତିବାଦ କରିବେ ନାହିଁ । ହତାଶ ହୋଇ ଶାସ୍ତ୍ରୀ କହିଲେ ଚେଷ୍ଟା କରି ଦେଖିବା କ’ଣ ହେଉଛି ।

 

ରାମଚନ୍ଦ୍ରନ୍ ହଠାତ୍ ରେଳବାଇରେ କୁଲି ହେଲା । ପ୍ରଥମଥର ଜିନିଷପତ୍ର ବୋହି ସେ ଚାରିଅଣା ପଇସା ପାଇଲା । କିନ୍ତୁ ତା’ ପରଦିନ ସେ ଯେତେବେଳେ ଜଣଙ୍କର ଟ୍ରଙ୍କ୍ ବିଛଣା ନିଜ ମୁଣ୍ଡକୁ ଉଠାଇବାକୁ ଯାଏଁ, ଆଉ ଗୋଟିଏ ପିଲା ସେଠାକୁ ଦୌଡ଼ି ଆସି ପାଟିକଲା ଆଜ୍ଞା ଏ ଗୋଟାଏ ପରିଆ ପିଲା ।

 

ସେ ଟ୍ରଙ୍କ୍ ଓ ବିଛଣା ଜଣେ ବ୍ରାହ୍ମଣ ଅଫିସରଙ୍କର । ସେ ପାଟିକରି ଉଠିଲେ । କହିଲେ କିରେ ତୋର ସାହସତ କିଛି କମ୍ ନୁହେଁ । ମୋ ଜିନିଷ ଛୁଇଁବାକୁ ତୋତେ କିଏ କହିଲା ? ତା’ପରେ ଛତା ବେଣ୍ଟରେ ପଛପଟୁ ଖେଞ୍ଜ ଦେଲେ । ରାମଚନ୍ଦ୍ରନ୍‌ ଟ୍ରଙ୍କ୍‌ ଓ ବିଛଣା ତଳେ ଥୋଇଦେଇ ଦୋଷୀଟି ପରି ଠିଆ ହୋଇ ରହିଲା ।

 

ସେହି ଅଭିଶପ୍ତ ପୁଅଟିକୁ ଧରି ଶାସ୍ତ୍ରୀ ପୁଣି ବାହାରିଲେ । ଶୂନ୍ୟରେ ଚଣ୍ଡାଳ, ଚଣ୍ଡାଳ ଶବ୍ଦ କେଉଁଠୁଁ ଆସି ପ୍ରତିଧ୍ଵନିତ ହେଉଥାଏ । ଗଛପତ୍ର ମଧ୍ୟ ଅନୁରୂପ ଧ୍ଵନି କରୁଥିବା ପରି ମନେ ହେଉଥିଲା । ବୃଦ୍ଧ ଏକାନ୍ତଭାବେ କ୍ଳାନ୍ତ ଶ୍ରାନ୍ତ ହୋଇ ପଡ଼ିଥିଲେ । ତାଙ୍କ ଗୋଡ଼ ବିନ୍ଧିବାକୁ ଆରମ୍ଭ କରିଥିଲା, ଶୋଷରେ ତଣ୍ଟି ଶୁଖି ଯାଇଥିଲା । ନିକଟରେ ସେ କୌଣସି କୂଅ କିମ୍ବା ପୋଖରୀ ଦେଖି ପାରୁ ନଥିଲେ ।

 

ଶାସ୍ତ୍ରୀ କହିଲେ ପୁଅ ମୋତେ ଖୁବ୍ ଶୋଷ । ମୋପାଇଁ ଟିକିଏ ପାଣି ଆଣିଦେ ।

 

ରାମଚନ୍ଦ୍ରନ୍‌ କହିଲା ବାପା ମୁଁ ପାଣି ମାଗିଲେ ମତେ କିଏ ପାଣି ଦେବ ? ‘‘ହଁ ଏଟା ସତକଥା, ଆମକୁ କେହି ଟିକିଏ ପାଣି ଦେବେ ନାହିଁ । ଆମେ ମଧ୍ୟ କେଉଁଠୁଁ ପାଣି ପାଇବା ନାହିଁ । ପାଣି ବିନା ଆମକୁ ମରିବାକୁ ହେବ ।”

 

“ବାପା ଆମେ ଏଠି ମରିବା କାହିଁକି ? ଚାଲ ବିଲାତ ଭୁଲିଯିବା । ବିଲାତରେ ଜାତିଆଣ ଭାବ କିମ୍ବା ଛୁଆଁ ଅଛୁଆଁ ବୋଲି କିଛି ଜିନିଷ ନାହିଁ ।”

 

ଶାସ୍ତ୍ରୀ ପଚାରିଲେ ଆମେ କିପରି ବିଲାତ ଯାଇ ପାରିବା ? ଏପର୍ଯ୍ୟନ୍ତ ଆମେ ବୃନ୍ଦାଚଳମ୍‌ରେ ଅଛେ ।

 

ଚାହାଁ, ଆଗରେ ଗୋଟିଏ କୂଅ ଦିଶୁଛି । ଭିତରକୁ ପାହାଚ ପଡ଼ିଛି । ଚାଲ ସେ କୂଅରେ ପଶି ପାଣି ପିଇବା । ଭୟରେ ଥରି ଥରି ସେମାନେ କୂଅ ଭିତରେ ପଶିଲେ । ସେଠାରେ କେହି ନଥିଲେ । ସେମାନେ ମନଭରି ପାଣି ପିଇଲେ । ସେମାନେ ଯେତେବେଳେ ଉପରକୁ ଉଠନ୍ତି ଜଣେ ବୁଢ଼ୀକୁ ଦେଖିଲେ । ସେମାନଙ୍କୁ ଦେଖି ବୁଢ଼ୀ ପାଟିକଲା “ଧାଇଁ ଆସ, ପରିଆମାନେ ଆସି ଗାଁ କୂଅକୁ ଅପବିତ୍ର କରିଦେଲେ ।”

 

ଦେଖୁଦେଖୁ ସେଠାରେ ବହୁତ ଲୋକ ଜମା ହୋଇଗଲେ । ସେମାନେ ରାଗରେ ଗର୍ଜି ଉଠିଲେ ଏବଂ ପୁଅକୁ ଧକ୍କାବେକା ମାରିଲେ । ସେ ପୁଅକୁ ଟାଣି ନେଇ ଦୂରରେ ଥିବା ଗୋଟିଏ ଦେଉଳ ଆଡ଼କୁ ପଳାଇଲେ । ସେ ପାଟିକରି କହିଲା “ହେ ଭଗବାନ, ତୁମେକେବଳ ଆମକୁ ରକ୍ଷା କରି ପାରିବ । ମାତ୍ର ଦେଉଳ ପାଖେଇ ଆସିବା ପରେ ତା’ ମନରେ ଗୋଟାଏ ସନ୍ଦେହ ଉଙ୍କି ମାରିଲା ଓ ସେ ଥମିଗଲା ।

 

ସେ କହିଲା ‘ହେ ଭଗବାନ, ସମସ୍ତେ କହୁଛନ୍ତି ମୋ ପୁଅ ଗୋଟାଏ ଚଣ୍ଡାଳ । ଶେଷରେ ତୁମ ମନ୍ଦିରରେ ଆମେ ହେଲେ ଟିକିଏ ଆଶ୍ରୟ ପାଉ । ତୁମ ବିନା ଆମକୁ ଆଉ କିଏ ଆଶ୍ରୟ ଦେବ ।’

 

ଭିତରୁ କେହି କହୁଥିବାର ମନେ ହେଲା, ନିର୍ଭୟରେ ତୁମେ ଭିତରକୁ ଆସିପାର । ମୁଁ ସମସ୍ତଙ୍କର ବାପ ମା’, ମୋ ନିକଟରେ କୌଣସି ଭେଦଭାବ ନାହିଁ । ମୋ ଦୃଷ୍ଟିରେ ସମସ୍ତେ ସମାନ-। ଶେଷରେ ଶାସ୍ତ୍ରୀ ଓ ତାଙ୍କ ପୁଅ ମନ୍ଦିର ଭିତରେ ପ୍ରବେଶ କଲେ ।

 

ସେ କହିଲେ ଅବଶେଷରେ ଆମକୁ ଟିକିଏ ଆଶ୍ରୟ ମିଳିଲା । ଏଠାରେ ଭୟର କୌଣସି କାରଣ ନାହିଁ ।

 

ଜଣେ ପୂଜକ ଦୌଡ଼ି ଦୌଡ଼ି ଆସି ପାଟିକରି କହିଲା “ହେ ଭଗବାନ । ଦେଉଳ ଭିତରେ ପୁଣି ଚଣ୍ଡାଳ ପଶିଛି । ଆଉ କେତେକ ଆସି ପହଞ୍ଚିଗଲେ । ଦେଖୁଦେଖୁ ବାପ ପୁଅକୁ ବହୁଲୋକ ଘେରିଗଲେ । ସେମାନେ କହିଲେ “ଏ ପରିଆ ପିଲାରତ କିଛି କମ୍ ସାହସ ନୁହେଁ । ତାକୁ ପିଟ, ବଜା । ଶାସ୍ତ୍ରୀ କହିଲେ ‘‘ସେ ଚଣ୍ଡାଳ ନୁହେଁ । ସେ ମୋ ପୁଅ ।

 

ଠିକ୍ ସେତିକିବେଳେ ଶାସ୍ତ୍ରୀଙ୍କ ସ୍ତ୍ରୀ କେଉଁଠୁଁ ଆସି ସେଠାରେ ପହଞ୍ଚିଲେ ଓ କହିଲେ ସବୁ ମିଛ । ଏ ବୁଢ଼ାକୁ ବିଶ୍ଵାସ କରନାହିଁ । ସେ ମୋ ପୁଅ । ମିଶ୍ରିତ ଔରସରୁ ତା’ର ଜନ୍ମ ଓ ସେ ଚଣ୍ଡାଳ ।

 

ଶାସ୍ତ୍ରୀ କ୍ଷୀଣସ୍ଵରରେ କହିଲେ “କେଡ଼େ ବଜ୍ଜାତ୍ । ଅଜାତିର ଏ ମାଇକିନା । ତା’ପରେ ସେ ଉପସ୍ଥିତ ଜନତାକୁ ଚାହିଁ କାନ୍ଦିଲେ ଓ କହିଲେ ଭଗବାନ ନିଜେ ଆମକୁ ମନ୍ଦିର ପ୍ରବେଶ କରିବାକୁ ଅନୁମତି ଦେଇଛନ୍ତି । ତୁମେମାନେ କ’ଣ ତାଙ୍କ କଥାରେ ଶୁଣି ପାରିଲ ନାହିଁ ।

 

ତାକୁ ପିଟ, ମାରିପକା ଇତ୍ୟାଦି କହି ସେ ରାମଚନ୍ଦ୍ରନ୍‌ ଉପରକୁ ଚଢ଼ିଗଲେ । ହେ, ଭଗବାନ କହି ଶାସ୍ତ୍ରୀ ବସିଗଲେ । ‘‘ସେ ଦେଖିଲେ ଟିକେଟ୍ ସଂଗ୍ରାହକ ତାଙ୍କୁ ଉଠାଇବାକୁ ତାଙ୍କ ପିଠିରେ ମୃଦୁମୃଦୁ ଥାପୁଡ଼ାଉଛି । ଜେଜେ ତୁମେ ଉଠ, ଟିକେଟ୍‌ଟା ଦିଅ । କାହିଁକି କାନ୍ଦୁଛ ?

 

ଯାହାକିଛି ଘଟିଗଲା ସେ ସବୁ ସ୍ଵପ୍ନରେ । ତା’ ସତ୍ତ୍ୱେ ଦୀର୍ଘ ସମୟ ଧରି ସେ ବସି ଥରୁଥିଲେ । ତାଙ୍କର ମନେହେଲା ସତେ ଯେପରି ଟ୍ରେନ୍‌ଟି ପରିଆ ପରିଆ ଶବ୍ଦ କରି କରି ଆଗକୁ ମାଡ଼ି ଚାଲିଛି ।

 

କିଛିଦିନ ପରେ ରାମଚନ୍ଦ୍ରନ୍‍ ବିଲାତରୁ ଫେରି କୁରୁନୁଲ୍‌ରେ ସହକାରୀ କଲେକ୍‌ଟରରୂପେ ନିଯୁକ୍ତି ହେଲେ । ତାଙ୍କର ପିତା ମାତା କିଏ ସେ ସମ୍ପର୍କରେ ରାମଚନ୍ଦ୍ରନ୍ କିମ୍ବା ସୀତାରାମାୟାର କାହାକୁ କିଛି କୁହାଗଲା ନାହିଁ ।

 

ବୁଢ଼ାଙ୍କୁ ଆଉ କେହି ଦେଖିବାକୁ ପାଇଲେ ନାହିଁ । କିଛିଦିନ ପର୍ଯ୍ୟନ୍ତ ବୁଢ଼ାଙ୍କୁ କିଏ କିପରି ମନେ ପକାଇ କେହି କେହି କହିଲେ ଦୁନିଆ ଛାଡ଼ିବାକୁ ତାଙ୍କୁ ହଠାତ୍‌ ନିର୍ଦ୍ଦେଶ ହେଲା । ସେ ସନ୍ନ୍ୟାସ ହେବାଲାଗି ବନାରସ ଚାଲିଗଲେ । ଆଉ କେତେକ କହିଲେ ସେ ନିଜେ ଗଙ୍ଗାରେ ବୁଡ଼ି ମରିଛନ୍ତି ।

 

ସେମାନେ ବୁଢ଼ାଙ୍କୁ କିଛିଦିନ ଅପେକ୍ଷା କଲେ । ମାତ୍ର ସେ ଫେରୁ ନଥିବା ଦେଖି ଶେଷରେ ଚୁକ୍ତି ଅନୁଯାୟୀ ସୀତାରାମାୟାରଙ୍କ ଝିଅ ସଙ୍ଗେ ସହକାରୀ କଲେକ୍‌ଟର ମିଃ ଜେ.ଆର୍. ଚନ୍ଦ୍ରନ୍‌ଙ୍କ ସଙ୍ଗେ ବିଭା ହୋଇଗଲା । ମେଚଲାପୁର୍‌ରେ ଅନ୍ୟାନ୍ୟ ବିବାହ ପରି ଏହି ବିବାହ ମଧ୍ୟ ବେଶ୍ ଜାକଜମକରେ ଅନୁଷ୍ଠିତ ହୋଇଥିଲା ।

Image

 

ମଙ୍ଗଳ ସୂତ୍ର

 

ବାପ ମା’ ତାଙ୍କର ନାମ ଦେଇଥିଲେ ରାମଭଦ୍ରନ । ମାତ୍ର ଉଚ୍ଚଶିକ୍ଷା ପାଇଁ ସେ ବିଲାତ ଯାଇଥିବାବେଳେ ତାଙ୍କର ନାମକୁ ଛୋଟ କରି ଦେବାକୁ ସ୍ଥିର କରି ସେ ଆପଣାର ନାମ କେବଳ ଭଦ୍ରନ୍‌ ରଖିଥିଲେ । ଶିକ୍ଷା ଶେଷ କରିବା ଲାଗି ତାଙ୍କ ବାପା ତାଙ୍କ ନିକଟକୁ ଯଥେଷ୍ଟ ଟଙ୍କା ପଠାଉଥିଲେ । ପଢ଼ାପଢ଼ି ନକରି ଭଦ୍ରନ୍‌ କେବଳ ଟଙ୍କା ଉଡ଼ାଉଥିଲେ । ଫଳରେ ପରୀକ୍ଷାରେ ପାସ୍ କରି ପାରିଲେ ନାହିଁ । ଏଥିରେ ଭଦ୍ରନ୍‌ ଏପରି ଅପମାନିତ ବୋଧକଲେ ଯେ ଆଉ ନିଜ ଦେଶକୁ ନଫେରି ବିଲାତରେ କୌଣସି ଏକ କାରଖାନାରେ ଗୋଟିଏ କାମ ଯୋଗାଡ଼ କରି ସେଠାରେ ରହିଯିବା ଲାଗି ସ୍ଥିର କଲେ ।

 

ରାମଭଦ୍ରନଙ୍କ ବାପା ପଦ୍ମନାଭ ଆୟାଙ୍ଗାର ଜଣେ ପୁରୁଣାକାଳିଆ ରକ୍ଷଣଶୀଳ ବ୍ୟକ୍ତି ଥିଲେ । ପୁଅ ବିଲାତ ଯିବା ପୂର୍ବରୁ ବିବାହ କରି ଯିବାକୁ ସେ ଲଗାଇଥିଲେ । ସେ ନିଜର ଗରିବ ଭଉଣୀର ଝିଅକୁ କନ୍ୟାରୂପେ ବାଛିଥିଲେ । ସେ ସୁନ୍ଦରୀ ଏବଂ ଭଲ ସ୍ଵଭାବର ଗୋଟିଏ ଝିଅ ଥିଲା-। ପୁଅ ନିମନ୍ତେ ସେ ଅତି ଉପଯୁକ୍ତା ପାତ୍ରୀ ଥିଲା । ବିବାହ ଅତି ସୁରୁଖୁରୁରେ ଅନୁଷ୍ଠିତ ହୋଇ ଯାଇଥିଲା ।

 

ବିଲାତରେ ଥିବାବେଳେ ସେ ଗୋଟିଏ ଝିଅର ପ୍ରେମରେ ପଡ଼ିଥିଲେ । ସେ କାମ କରୁଥିବା କାରଖାନାରେ ଏହି ଝିଅଟି କାମ କରୁଥିଲା । ସେ ଭାରତକୁ ଆଉ ଫେରିବେ ନାହିଁ ନିଷ୍ପତ୍ତି କରିବା ପରେ ଭଲ ପାଉଥିବା ସେହି ଝିଅକୁ ବିବାହ କରିବା କଥା ଭାବିଥିଲେ । ବିବାହ ପ୍ରସ୍ତାବ ସେ ଦେଇଥିଲେ ଓ ତାହା ଗୃହୀତ ହୋଇଥିଲା ।

 

ଭଦ୍ରନ୍‌ ଖ୍ରୀଷ୍ଟିଆନ ହୋଇଯାଇଥିଲେ । ଭାରତରେ ଥିବା ତାଙ୍କ ସ୍ତ୍ରୀଙ୍କୁ ଚିଠିଲେଖି ତାଙ୍କ ସହ ହୋଇଥିବା ବିବାହକୁ ଛିନ୍ନ କରିବା ନିମନ୍ତେ ପ୍ରୟୋଜନୀୟ ବ୍ୟବସ୍ଥା କରିଥିଲେ । ତା’ପରେ ସେ ଇଶାବେଲ୍‌ଙ୍କୁ ବିବାହ କରିଥିଲେ ।

 

ଇଶାବେଲ୍ ଗୋଟିଏ ଭଲ ଝିଅ ଥିଲା । ପୃଥିବୀର ପ୍ରତ୍ୟେକ ମହିଳା ହୃଦୟ ଏକପ୍ରକାରର । ଏହା ଉପରେ ଜନ୍ମ କିମ୍ବା ଜାତିର ପ୍ରଭାବ ପଡ଼ି ନଥାଏ । ଇଶାବେଲ୍‌ ସ୍ଵାମୀଙ୍କୁ ଭଲ ପାଉଥିଲା । ଭଦ୍ରନ୍‌ଙ୍କୁ ସେ ଏପରି ପ୍ରଭାବିତ କରିପାରିଥିଲା ଯେ ଦୁର୍ଭାଗ୍ୟ ହେତୁ ମଦ୍ୟପାନ ପ୍ରତି ତାଙ୍କର ଥିବା ଗଭୀର ଦୁର୍ବଳତାରୁ ସେ ନିଜକୁ ମୁକ୍ତ କରି ପାରିଥିଲେ । ଏହା ବିଚିତ୍ର ମନେ ହେଉଥିଲେହେଁ ଇଶାବେଲ୍‌ ଏହାକୁ ସମ୍ଭବ କରିପାରିଥିଲା । ଏହା କରିବା ତାଙ୍କ ପକ୍ଷରେ ସହଜ ନଥିଲା । ମାତ୍ର ସେ ଯାହା କରିବା ଲାଗି ଚାହୁଁଥିଲେ ତାହା କାମରେ କରିବାର ମନୋବଳ ତାଙ୍କର ନଥିଲା । ଭଦ୍ରନ୍‌ ଏଥିପାଇଁ ତାଙ୍କ ନିକଟରେ କୃତଜ୍ଞ ଥିଲେ । ସ୍ତ୍ରୀଙ୍କୁ ଯେ ସେ ଅଧିକ ଭଲ ପାଉଥିଲେ ଏହାମଧ୍ୟ ଥିଲା ତା’ର ଅନ୍ୟତମ କାରଣ ।

 

ଭଦ୍ରନ୍‌ର ବିବାହ ଓ ଧର୍ମାନ୍ତର କଥା ଯେତେବେଳେ ତାଙ୍କର ବାପା ଜାଣିଲେ ସେ ରାଗରେ ପ୍ରଜ୍ଜ୍ୱଳିତ ହୋଇଉଠିଲେ । ସେ ନିଜକୁ ନିଜେ କହିଲେ, “ସେଟା ଆଉ ମୋ ପୁଅ ନୁହେଁ ।”

 

ଭଦ୍ରନ୍‌କୁ ଚାରିବର୍ଷବେଳେ ପଦ୍ମନାଭ ଆୟାଙ୍ଗାର ତାଙ୍କ ସ୍ତ୍ରୀଙ୍କୁ ହରାଇଥିଲେ । ତିନିବର୍ଷ ପରେ ସେ ଦ୍ୱିତୀୟବାର ବିବାହ କରିଥିଲେ । ତାଙ୍କର ବନ୍ଧୁ ରାମକୃଷ୍ଣ ଆୟାର ଭଦ୍ରନ୍‌କୁ ବିଦେଶ ପଠାଇବା ଲାଗି ତାଙ୍କୁ ପ୍ରଭାବିତ କରିଥିଲେ । ପୁଅର ଭବିଷ୍ୟତ ନେଇ ଆୟାଙ୍ଗର ଖୁବ୍ ଉଚ୍ଚ ଆଶା କରିଥିଲେ । ପୁଅର ଶିକ୍ଷାଲାଭ ପାଇଁ ସେ ବହୁଟଙ୍କା ବ୍ୟୟ କରିଥିଲେ । ସବୁ ଦିଗରୁ ପୁଅ ତାକୁ ହତାଶ କରିଛି ଜାଣି ସେ ଯେ ରାଗରେ ପ୍ରଜ୍ଜ୍ୱଳିତ ହୋଇ ଉଠିଥିବେ ଏଥିରେ ଆଶ୍ଚର୍ଯ୍ୟ ହେବାର କୌଣସି କାରଣ ନାହିଁ । ଆୟାଙ୍ଗାରଙ୍କ ରାଗ ଓ ଅସନ୍ତୋଷ ତାଙ୍କ ମନରେ ଦୃଢ଼ୀଭୂତ ହୋଇ ରହିଲା ଏବଂ ପୁଅ ପ୍ରତି ସ୍ଥାୟୀ ଘୃଣାରେ ତାହା ପରିଣତ ହେଲା ।

 

ପଦ୍ମନାଭ ଆୟାଙ୍ଗାରଙ୍କ ଦ୍ୱିତୀୟ ସ୍ତ୍ରୀ ମଧ୍ୟ ରାମଭଦ୍ରନ୍‌କୁ ଖୁବ୍ ଭଲପାଉଥିଲେ । ସେ ତାକୁ ନିଜ ପୁଅ ପରି ମନେ କରୁଥିଲେ ଏବଂ ତା’ ପ୍ରତି ତାଙ୍କର ଗଭୀର ମମତା ଥିଲା । ସେ ତାଙ୍କୁ ସାନ ମା’ ବୋଲି ଡାକୁଥିଲା । ସେ ସମୟରେ ଏହି ଦୁଇଙ୍କର ପରସ୍ପର ପ୍ରତି ସ୍ନେହ ଆୟାଙ୍ଗାରଙ୍କର ଆନନ୍ଦର ଉତ୍ସସ୍ଵରୂପ ଥିଲା । ମାତ୍ର ବର୍ତ୍ତମାନ ତାଙ୍କର ରାଗ ପଞ୍ଚମରେ ପହଞ୍ଚି ତାଙ୍କ ମନରେ ପୁଅ ପ୍ରତି ଥିବା ସମସ୍ତ ସ୍ନେହ ଶ୍ରଦ୍ଧା ଏବେ ଘୃଣାରେ ରୂପାନ୍ତରିତ ହୋଇଛି । କେତେବେଳେ କିପରି ସ୍ତ୍ରୀ ପୁଅ ପ୍ରତି ସ୍ନେହପୂର୍ଣ୍ଣ କଥା କହିଲେ ସ୍ଵାମୀ ରାଗରେ ପାଟି କରି ଉଠୁଥିଲେ । ତାଙ୍କ ଯୁବତୀ ଝିଆରୀର ଦୁଃଖ ତାଙ୍କ କ୍ରୋଧକୁ ଅଧିକ ଘନୀଭୂତ କରୁଥିଲା । ଏହି ସରଳା ବାଳିକାଟିର ଜୀବନ ରାମଭଦ୍ରନ୍ ଯେପରି ନଷ୍ଟ କରିଦେଲା ତାହା ସେ କେବେ କ୍ଷମା କରି ପାରିବେ ନାହିଁ ।

 

ପଦ୍ମନାଭ ଆୟାଙ୍ଗାରଙ୍କ ବନ୍ଧୁ ରାମକୃଷ୍ଣ ଆୟାର ଗୋଟିଏ କଲେଜରେ ପ୍ରଫେସର୍‍ ଥିଲେ । ସେ ତାଙ୍କ ପୁଅ ମୁଥୁକୁ ରାମଭଦ୍ରନ୍ ସହିତ ବିଦେଶକୁ ପଠାଇଥିଲେ । ମୁଥୁ ଆଇ.ସି.ଏସ୍ ପରୀକ୍ଷାରେ ପାସ୍ କରି ବର୍ତ୍ତମାନ ସରକାରୀ କାମ କରୁଛି । ମୁଥୁ ରାମଭଦ୍ରନ୍‌ର ଜଣେ ଭଲ ସାଙ୍ଗ ଥିଲା । ବନ୍ଧୁର ଯାହା ସବୁ ହେଲା ସେଥିରେ ମୁଥୁ ବହୁତ ଦୁଃଖ କରିଥିଲା । ରାମଭଦ୍ରନ୍‍ର ବିଦେଶ ଯିବା ଓ ତା’ ପରେ ପରେ ଆୟାଙ୍ଗାରଙ୍କ ପରିବାରରେ ଯାହା ସବୁ ଘଟିଲା ସେଥିପାଇଁ ପରୋକ୍ଷଭାବେ ମୁଥୁର ବାପା ଦାୟୀ ବୋଲି ତା’ର ମନେ ହେଲା । ଏହା ବ୍ୟତୀତ ରାମଭଦ୍ରନ୍‍କୁ ବିବାହ କରିଥିବା ହତଭାଗିନୀ ଝିଅ ଏବଂ ତା’ର ବିବାହ ଯେପରିଭାବେ ଅସିଦ୍ଧ ହୋଇଗଲା ତାହା ମୁଥୁର ହୃଦୟକୁ ବିଶେଷଭାବେ ବ୍ୟଥିତ କରି ପକାଇଲା ।

 

ମୁଥୁର ବର୍ତ୍ତମାନ ବୟସ ଏକତିରିଶ । ତା’ର ବାପା ଏବେ ସବୁବେଳେ ତା’ ବିବାହ ପ୍ରସଙ୍ଗ ଉଠାନ୍ତି । ମାତ୍ର ପ୍ରତିଥର ମୁଥୁ କଥାଟାକୁ ଗଡ଼ାଇ ଦିଏ । ଦିନେ ସେ ଏକ ସିଦ୍ଧାନ୍ତରେ ପହଞ୍ଚି ତା’ ବାପାଙ୍କୁ ତାହା ଜଣାଇଦେଲା । ମୁଥୁ କଥା ଶୁଣି ରାମ ଆୟାର ଚମକି ପଡ଼ିଲେ । ସେ କହିଲା ବାପା ତୁମେ ଜାଣିଛ ରାମଭଦ୍ରନ୍‌ ପାଇଁ ଯେଉଁ ଝିଅଟିର ଜୀବନ ନଷ୍ଟ ହୋଇଗଲା ମୁଁ ସେହି ଝିଅଟିକୁ ବିବାହ କରିବାକୁ ଠିକ୍ କରିଛି ।

 

କିଛି ସମୟ ଚୁପ୍ ରହିବା ପରେ ସେ ଆତ୍ମସ୍ଥ ହୋଇ କହିଲେ, “ମୁଥୁ ମୋର ଏଥିରେ କୌଣସି ଆପତ୍ତି ନାହିଁ । କିନ୍ତୁ ତୁ କ’ଣ ଭାବୁଛୁ ବନ୍ଧୁ ପଦ୍ମନାଭ ଆୟାଙ୍ଗାର ଓ ତା’ ପରିବାର ଲୋକ ଏହି ପ୍ରସ୍ତାବରେ ରାଜି ହେବେ ?”

 

କିଛିଦିନ ପରେ ଏ ସମ୍ପର୍କରେ ପଦ୍ମନାଭ ଆୟାଙ୍ଗାରଙ୍କୁ ପଚରାଗଲା । ଯାହା ଆଶଙ୍କା କରାଯାଉଥିଲା ସେ ସେହି କଥା କହିଲେ ‘‘ଏ ମୁଁ ଏପରି କଥା କେବେ ଶୁଣିନାହିଁ । ଏହା କେବେ ସମ୍ଭବ ନୁହେଁ ।”

 

ପରେ ସେ ଏହି ପ୍ରସ୍ତାବ ବିଚାରକୁ ନେଲେ । ରାମଭଦ୍ରନ୍‌ ପ୍ରତି ତା’ର ରାଗହେତୁ ସେ ଏହି କଥାରେ ରାଜି ହେଲେ । ସେ ଭାବିଲେ ଅସୁବିଧା କାହିଁକି ହେବ ? ମୋ ପୁଅପାଇଁ ସେ ଯେଉଁ ଅଶାନ୍ତି ଭୋଗୁଛି ସେଥିରୁ ଅନ୍ତତଃ ସେ ରକ୍ଷା ପାଇଯିବ ।

 

ମାସକ ପରେ ପଦ୍ମନାଭ ଆୟାଙ୍ଗାର ତାଙ୍କ ଭଉଣୀ ପାଖକୁ ଯାଇ କହିଲେ “ସୁଖର କଥା ଆପଣା ଛାଏଁ ଗୋଟାଏ ପ୍ରସ୍ତାବ ଆସିଛି । ‘‘ଏ ବିବାହଫଳରେ ଆମ ପରିବାରର କଳଙ୍କ ମୋଚନ ହୋଇଯିବ । ଦିନ ବଦଳି ଗଲାଣି । ରକ୍ଷଣଶୀଳତା ଓ ବିଧିବିଧାନ ଉପରେ ଆଉ ଗୁରୁତ୍ଵ ଦିଆଯାଉନାହିଁ । କମଳାର ସୁଖୀ ଜୀବନଯାପନ କରିବାକୁ ଯେତେବେଳେ ଗୋଟେ ସୁଯୋଗ ଆସିଛି ଆମେ ତାହା ପ୍ରତ୍ୟାଖ୍ୟାନ କରିବା କାହିଁକି ? ତା’ ବ୍ୟତୀତ ମୁଥୁ ଭଲ ଅବସ୍ଥାରେ ଅଛି । ତା’ର ଭବିଷ୍ୟତ ଉଜ୍ଜ୍ୱଳମୟ । ବୟସ ଦୃଷ୍ଟିରୁ ମଧ୍ୟ ପରସ୍ପର ପରସ୍ପରର ଯୋଗ୍ୟ । ମୋ ପୁଅର ଅସଦ୍ଆଚରଣଜନିତ କ୍ଷତିକୁ ମୁଥୁ ଯେ ସଜାଡ଼ି ନେଉଛି ତାହା ତା’ର ଉଦାରତାର ପ୍ରମାଣ ଦେଇଥାଏ । ମୋ ମତ ତୁ ଏ ପ୍ରସ୍ତାବରେ ରାଜି ହୋଇଯାଆ । କମଳାର ମା’ ମଧ୍ୟ ସମ୍ମତି ଦେଲା ।

 

ମୁଥୁ ଖୁସି ଯେ ସମସ୍ତ ଅସୁବିଧା ଦୂର ହୋଇଗଲା । କମଳାକୁ ପଚାରିଲେଣିକି ବୋଲି ସେ ପଦ୍ମନାଭ ଆୟାଙ୍ଗାରଙ୍କୁ ପଚାରିଲା । ଆୟାଙ୍ଗାର କହିଲେ ସେ ନିଶ୍ଚୟ ରାଜି ହେବ । ତା’ପାଇଁ ଆମେମାନେ ଯେତେବେଳେ ସମସ୍ତେ ଏକମତ ହେଲେ ସେ ନାହିଁ କରିବ କାହିଁକି ? ତା’ ବ୍ୟତୀତ ନର୍କଠାରୁ ବଳି ଅଧିକ ଯନ୍ତ୍ରଣାଦାୟକ ଜୀବନରୁ ତୁ ତାକୁ ରକ୍ଷା କରିବାକୁ ପ୍ରସ୍ତାବ ଦେଉଛୁ । ଏଥିପାଇଁ ସେ ଆପଣାକୁ ଭାଗ୍ୟବତୀ ମନେ କରିବା ଉଚିତ ।

 

ମୁଥୁ କହିଲା ତା’ ମତାମତ କ’ଣ ମୁଁ ନିଜେ ତାକୁ ପଚାରିବାକୁ ଭାବୁଛି । କମଳା ଦୃଢ଼ତାର ସହିତ କହିଲା “ନା” ଏହା କେବେ ସମ୍ଭବ ନୁହେଁ । “ମୋ ସ୍ଵାମୀ ବଞ୍ଚି ଥାଉଁଥାଉଁ ମୁଁ ଅନ୍ୟ କାହା ଚିନ୍ତା ସୁଦ୍ଧା କରି ପାରିବି ନାହିଁ । ସେ ହୁଏତ ଅନ୍ୟ କାହାକୁ ବିବାହ କରିପାରିଥାନ୍ତି ମାତ୍ର ସେଥିରେ ମୋର କିଛି ଯାଏଁ ଆସେ ନାହିଁ । ମୋତେ ବିବାହ କରି ସେଦିନ ସେ ଯେଉଁ ମଙ୍ଗଳସୂତ୍ର ପିନ୍ଧାଇ ଦେଇଥିଲେ ତାହା ଏବେ ମଧ୍ୟ ମୁଁ ପିନ୍ଧୁଛି । ମୁଁ ବର୍ତ୍ତମାନ ମଧ୍ୟ ତାଙ୍କର ସ୍ତ୍ରୀ । କୌଣସି କାରଣରୁ ତା’ର ପରିବର୍ତ୍ତନ ସମ୍ଭବ ନୁହେଁ ।

 

ରାମକୃଷ୍ଣ ଆୟାର ଓ ପଦ୍ମନାଭ ଆୟାଙ୍ଗାର କମଳାକୁ ବୁଝାବୁଝି କରି ରାଜି ହେବାକୁ ସମସ୍ତ ପ୍ରକାର ଉଦ୍ୟମ କଲେ । ମାତ୍ର ଫଳ କିଛି ହେଲାନାହିଁ । ମୁଥୁକୁ ହାର ମାନିବାକୁ ପଡ଼ିଲା । ଉଭୟ ପରିବାର ଅତିମାତ୍ରାରେ ହତାଶ ହେଲେ ।

 

ଆୟାଙ୍ଗାର ପରିବାରରେ ତାଙ୍କ ସ୍ତ୍ରୀ ଯାହା କେବଳ ମଝିରେ ମଝିରେ ଭଦ୍ରନ୍‌ ସମ୍ବାଦ ପାଇଥାଆନ୍ତି । ଦିନେ ସାନମାଆ ତାଙ୍କଠାରୁ ଗୋଟିଏ ଦୁଃଖପୂର୍ଣ୍ଣ ଚିଠି ପାଇଲେ । ଭଦ୍ରନ୍‌ ଲେଖିଥିଲା ।

 

‘‘ମୋ ଜୀବନ ନଷ୍ଟ ହୋଇ ଯାଇଛି । ପିଛିଳ ପଥରୁ ଇଶାବେଲ୍‌ ମୋତେ ଉଦ୍ଧାର କରି ମଣିଷ କରି ଗଢ଼ି ତୋଳିଥିଲା । ସେ ଆଉ ନାହିଁ । ଗଲା କାଲି ଡାକ୍ତରଖାନାରେ ତା’ର ଦେହାନ୍ତ ହୋଇଗଲା । ମୁଁ ଆଶଙ୍କା କରୁଛି ଏହା ବାପାଙ୍କର ଅଭିଶାପର ଫଳ । ମୁଁ ଜଣେ ମହାପାପୀ । ପ୍ରଭୁ ନିଜେ ମଧ୍ୟ ମୋତେ ତ୍ୟାଗ କରିଛନ୍ତି । ଦୟାକରି ମୁଥୁର ପ୍ରସ୍ତାବରେ ରାଜି ହେବାଲାଗି କମଳାକୁ ବୁଝାଅ । ତାହାହିଁ ମୋର ଏକାନ୍ତ କାମନା ଓ ପ୍ରାର୍ଥନା ତାକୁ କହିବ ମୁଁ ତାକୁ ହୃଦୟଭରା ଆଶୀର୍ବାଦ କରୁଛି । ସେ ପଦ୍ମନାଭ ଆୟାଙ୍ଗାରଙ୍କୁ ସେ ଚିଠିଟି ଦେଖାଇଲେ । ଗତ କେତେ ବର୍ଷଧରି ଯେଉଁ ହୃଦୟ ପୁଅ ପ୍ରତି ଅତି ନିଷ୍ଠୁର ଥିଲା ତାହା ବିଗଳିତ ହୋଇ ଉଠିଲା । ତାଙ୍କ ରାଗ କମିବା ପରି ଜଣାଗଲା ।

 

ଦିନେ କମଳା ବୁଢ଼ାଙ୍କ ପାଖକୁ ଆସି ଗୋଟାଏ ବିଚିତ୍ର ଅନୁରୋଧ କଲା । ସେ କହିଲା, ମୁଁ ବିଦେଶ ଯିବାକୁ ଚାହୁଁଛି, ଦୟାକରି ମୋତେ ସେଠିକୁ ପଠାଇଦେବାର ବ୍ୟବସ୍ଥା କରନ୍ତୁ ।

 

ପଦ୍ମନାଭ ଆୟାଙ୍ଗାରଙ୍କ ହୃଦୟକୁ ତା’ର କଥା ସ୍ପର୍ଶ କଲା, ସେ କହିଲେ ମା’ତୁ ସେଠିକୁ କାହିଁକି ଯିବାକୁ ଚାହୁଁଛୁ । ତୁ କ’ଣ ଏବେବି ସେ ଛତରାକୁ ଭଲ ପାଉଛୁ ? କମଳା କହିଲା ମାମୁ ମୋତେ ଦୟାକରନ୍ତୁ । ଭଗବାନ ମୋତେ ପ୍ରତିଶ୍ରୁତି ଦେଇଛନ୍ତି, ସେ ନିଶ୍ଚୟ ତାହା ପୂରଣ କରିବେ-। ତାଙ୍କ ପାଖରେ ମୋର ସ୍ଥାନ । ମୁଁ ନିଶ୍ଚୟ ମୋ ନିଜସ୍ଥାନ ଅଧିକାର କରିବି ।

 

ପଦ୍ମନାଭ ଆୟାଙ୍ଗାର ସମ୍ମତି ପ୍ରଦାନ କଲେ ଏବଂ କମଳା ମୁଥୁ ସାଙ୍ଗରେ ବିଲାତ ଯାତ୍ରା କଲେ ।

 

ଭଦ୍ରନ୍ ଓ କମଳାର ମିଳନ ଅତିମାତ୍ରାରେ ମର୍ମସ୍ପର୍ଶୀ ହୋଇଥିଲା । ଭଦ୍ରନ୍ ଦୁଃଖବୋଳା କଣ୍ଠରେ ପଚାରିଲା ‘‘ମୋ ପରି ଏକ ପାପୀ ନିମନ୍ତେ ଏବେ ମଧ୍ୟ ତୁମ ହୃଦୟରେ ସ୍ଥାନ ଅଛି ?”

 

ସେ ତା’ର ପାଦତଳେ ପଡ଼ିଗଲେ । ଆଖିରୁ ତା’ର ଲୁହ ଝରି ଚାଲିଥାଏ । ଭଦ୍ରନ୍ କମଳାକୁ ଧୀରେ ଉଠାଇ ବାହୁ ମଧ୍ୟରେ ଭିଡ଼ି ଧରିଲା ।

 

ତା’ପରେ ସେ କମଳାକୁ ଇଶାବେଲ୍‍ର ଛବି ଦେଖାଇ ଦୀର୍ଘ ସମୟ ଧରି ତା’ କଥା ଶୁଣାଇଲା । “ମୁଁ ଠିକ୍ ନର୍କରେ ବୁଡ଼ିବାବେଳକୁ ସେ ମୋ ନିକଟରେ ଦେବୀରୂପେ ଆବିର୍ଭୂତା ହୋଇ ମୋତେ ସେଥିରୁ ଉଦ୍ଧାର କରିଥିଲା ବୋଲି ଭଦ୍ରନ୍ କହିଲା । ଇଶାବେଲ୍‌ର ଫଟୋଦେଖି କମଳା ତା’ ଆଖି ପୋଛିଲା ।

 

ବାପା ମା’ଙ୍କର ଆଶୀର୍ବାଦ ନେଇ ଠିକ୍‌ ବର୍ଷକ ପରେ ଭଦ୍ରନ୍‌ କମଳାକୁ ଆଉଥରେ ବିବାହକରି ନିଜର ପୈତୃକ ଗୃହକୁ ଫେରି ଆସିଥିଲା ।

 

ରାଜୁଲୁ ଚେଟିୟାର୍‍ଙ୍କର ପରିବର୍ତ୍ତନ

 

ରାଜୁଲୁ ଚେଟିୟାର୍‍ ଉଠିବାମାତ୍ରେ ପାଟିକରି “ଗୋବିନ୍ଦ” ନାମ ଉଚ୍ଚାରଣ କଲେ । କିନ୍ତୁ ପ୍ରକୃତରେ ସେତେବେଳେ ଭଗବାନ ଗୋବିନ୍ଦଙ୍କ କଥା ସେ ଚିନ୍ତା କରୁ ନଥିଲେ । ତାଙ୍କୁ ଆଣ୍ଠୁଗଣ୍ଠି ବାତ ହୋଇଥିଲା । ଗୋଡ଼ ଉପରେ ଗୋଡ଼ ଛନ୍ଦି ଦୀର୍ଘ ସମୟ ଧରି ସେ ତାଙ୍କ ନୋଟ୍ ଗଣି, ବିଡ଼ା ବିଡ଼ା ବାନ୍ଧି ତାଙ୍କ ଲୁହା ଆଲମିରାରେ ସଜାଇ ରଖୁଥିଲେ । ଆଲମିରା ବନ୍ଦ କରି ସେ ଯେତେବେଳେ ଉଠିବାକୁ ଉଦ୍ୟମ କଲେ ସେତେବେଳେ ସେ ତାଙ୍କର ଆଣ୍ଠୁରେ ଅସମ୍ଭବ ଯନ୍ତ୍ରଣା ଅନୁଭବ କଲେ । ତା’ପରେ ଛାଏଁ ଛାଏଁ ଭଗବାନଙ୍କ ନାମ ତାଙ୍କ ପାଟିକୁ ଚାଲି ଆସିଥିଲା ।

 

ଜନ୍ମାଷ୍ଟମୀ ଦିନ ଏହି ଘଟଣା ଘଟିଥିଲା । ରାଜୁଲୁ ଚେଟିୟାର୍‍ ତାଙ୍କ ନାମଧରି ଡାକୁଥିବାର ଗୋବିନ୍ଦ ଶୁଣି ପାରିଥିଲେ ଏବଂ ସଙ୍ଗେ ସଙ୍ଗେ ତାଙ୍କ ସମ୍ମୁଖରେ ଉଭା ହୋଇଥିଲେ ।

 

ରାତି ହୋଇ ଯାଇଥାଏ, ଲୁହା ଆଲମିରା ପାଖରେ ଥିବା ଦୀପରୁଖା ଉପରେ ଗୋଟିଏ ଛୋଟ ଦୀପ ଜଳୁଥାଏ ଏବଂ କୋଠରୀଟିକୁ ତା’ର କ୍ଷୀଣାଲୋକରେ ଆଲୋକିତ କରୁଥାଏ । ରାଜୁଲୁ ଚେଟିୟାର୍‍ ଭିତର ପଟୁ କବାଟ ବନ୍ଦ କରିଦେଇ ଥାଆନ୍ତି । ଟଙ୍କା ଗଣିବାବେଳେ ସାଧାରଣତଃ ସେ ଏହିପରି, କବାଟ ଭିତର ପଟୁ ବନ୍ଦ କରନ୍ତି ।

 

ହଠାତ୍ ତାଙ୍କ ସମ୍ମୁଖରେ କୃଷ୍ଣ ଠିଆ ହୋଇଥିବା ଦେଖି ସେ ସ୍ତମ୍ଭୀଭୂତ ହୋଇଗଲେ । କୃଷ୍ଣ ମଣିଷରୂପେ ଦେଖାଦେଲେ ମାତ୍ର ତାଙ୍କ ଦୁଇ ହାତରେ ଶଙ୍ଖ କିମ୍ବା ଚକ୍ର ନଥିଲା । ସେ ସହାସ୍ୟ ବଦନରେ ସେଠାରେ ଠିଆହୋଇ ରହିଲେ । ଏହା ସତ୍ତ୍ୱେ ମଧ୍ୟ ଚେଟିୟାର୍‍ ତାଙ୍କୁ ଚିହ୍ନିପାରିଲେ ନାହିଁ ବରଂ କୃଷ୍ଣବର୍ଣ୍ଣ ଦେହ ଦେଖି ଭୟଭୀତ ହୋଇ ପଡ଼ିଲେ । ଚୋର ପଶିଲା ଭାବି, ସେ ଭୟରେ ଆତଙ୍କିତ ହୋଇ ଚିତ୍କାର କରି ଉଠିଲେ ।

 

କୃଷ୍ଣ କହିଲେ ରାଜୁଲୁ ଭୟକର ନାହିଁ । ‘‘ତୁ ମୋତେ ଡାକିବାରୁ ମୁଁ ଆସିଲି ।”

 

ଚେଟିୟାର୍‍ ହତବୁଦ୍ଧି ହୋଇ ପଡ଼ିଲେ । ସେ ଯେ ଗୋବିନ୍ଦଙ୍କ ନାମ ଉଚ୍ଚାରଣ କରିଥିଲେ, ସେ କଥା ତାଙ୍କର ମନେ ନଥିଲା । କଳା ଲୋକଟିକୁ ସମ୍ମୁଖରେ ଦେଖି ସେ ଗୋଟିଏ ଚୋର ଏବଂ ତାଙ୍କୁ ମାରି ଧନ ସମ୍ପତ୍ତି ଲୁଟି ନେବାକୁ ଆସିଛି ଏବଂ ସେ ତାଙ୍କୁ ଥଟ୍ଟା କରୁଛି ବୋଲି ତାଙ୍କର ମନେହେଲା । ଭୟରେ ଗୋଟାପଣେ ଥରି ସେ କେବଳ କହିଲେ ତୁମେ କିଏ ଏବଂ ତା’ପରେ ଅଚେତ ହୋଇ ତଳେ ପଡ଼ିଗଲେ ।

 

କିଛି ସମୟ ପରେ ତାଙ୍କର ଚେତା ହେଲା ଏବଂ ସେ ଆଖି ଖୋଲିଲେ । ଗୋବିନ୍ଦ ତାଙ୍କୁ ଭଗବାନଙ୍କ ରୂପରେ ଦର୍ଶନ ଦେଲେ । ତାଙ୍କର ଚାରିଗୋଟି ହାତ ଥିଲା । ସେ ଶଙ୍ଖ ଓ ଚକ୍ର ଧାରଣ କରିଥିଲେ । ତାଙ୍କ ଘର କାନ୍ଥରେ ମରାଯାଇଥିବା ଗୋବିନ୍ଦଙ୍କ ଫଟୋ କଥା ସେ ସ୍ମରଣ କଲେ । ସେ ଅନୁଭବ କଲେ ଯେ ତାଙ୍କ ସମ୍ମୁଖରେ ସ୍ଵୟଂ ମହାବିଷ୍ଣୁ ଉଭା ହୋଇଛନ୍ତି । ସେ ଯେତେବେଳେ ବୁଝିଲେ ବାରମ୍ବାର ସେ ତାଙ୍କ ସମ୍ମୁଖରେ ଲମ୍ବଲମ୍ବ ହୋଇ ପଡ଼ିଗଲେ ।

 

କୃଷ୍ଣ କହିଲେ “ତୋର କ’ଣ ଦରକାର ମୋତେ କହ । ମୁଁ ତାହା ପୂରଣ କରିବି । ମାତ୍ର ଧନ ପ୍ରତି ତୋର ଅତ୍ୟଧିକ ଆସକ୍ତି ତୋତେ ଛାଡ଼ିବାକୁ ପଡ଼ିବ ।” ଚେଟିୟାର୍‍ ଓଲଟି ତାଙ୍କୁ ପଚାରିଲେ “ମୋ ଟଙ୍କାରେ ମୁଁ କ’ଣ କରିବାକୁ ତୁମେ ଚାହଁ ?”

 

ମାତ୍ର କୃଷ୍ଣ କିଛି ଉତ୍ତର ଦେବା ପୂର୍ବରୁ ଚେଟିୟାର୍‍ର ସ୍ତ୍ରୀ ଏବଂ ତାଙ୍କ ଝିଅର ଦଶବର୍ଷ ବୟସ୍କ ପୁଅ (ଚେଟିୟାର୍‍ର ନିଜର ପୁଅ ନଥିଲା) କବାଟ ଖଡ଼ଖଡ଼ କଲେ । ଦୀର୍ଘ ସମୟ ଧରି ଚେଟିୟାର୍‍ କୌଣସି ଉତ୍ତର ନଦେବାରୁ ସେମାନେ ସମସ୍ତେ ଭୟରେ ଆତଙ୍କିତ ହୋଇ ଉଠିଲେ । ସେମାନେ ଖୁବ୍‌ ବଡ଼ପାଟିରେ ତାଙ୍କ ନାଁ ଧରି ଡାକିଲେ ଏବଂ ଅଧିକ ଜୋରରେ କବାଟ ଖଡ଼ଖଡ଼ କରିଥିଲେ ।

 

ଏହି ଗୋଳମାଳିଆ ପରିସ୍ଥିତି ଭିତରେ କୃଷ୍ଣ ଅଦୃଶ୍ୟ ହୋଇଗଲେ । ଚେଟିୟାର୍‍ କବାଟ ଖୋଲି ପଦାକୁ ଆସିଲେ । ତାଙ୍କ ସ୍ତ୍ରୀ, ନାତି, ଚାକରବାକରମାନେ ତାଙ୍କୁ ଘେରିଯାଇ ଅତି ବ୍ୟଗ୍ର ହୋଇ କ’ଣ ହେଲା ବୋଲି ଜାଣିବାକୁ ଚାହିଁଲେ । ନା କିଛି ହୋଇନାହିଁ କହି ସେ ସମସ୍ତଙ୍କୁ ଶାନ୍ତ ହେବାଲାଗି କହିଲେ ।

 

ଚେଟିୟାର୍‍ ରହୁଥିବା ଗଳିରେ ଗୋଟିଏ ମନ୍ଦିର ଥିଲା । ସେହି ମନ୍ଦିରରେ ଜଣେ ଭାଗବତ ବ୍ୟାଖ୍ୟାକାର ପୁରାଣ ବ୍ୟାଖ୍ୟା କରୁଥିଲେ । ରାତିରେ ଖାଇସାରି ଚେଟିୟାର୍‍ ସେଠାକୁ ଯାଇ ଉପସ୍ଥିତ ଜନତା ମଧ୍ୟରେ ବସିଲେ ।

 

ଆଲୋଚନା ପ୍ରସଙ୍ଗରେ ବ୍ୟାଖ୍ୟାକାର କହିଲେ (କହା ଗୋଟିଏ ବଡ଼ଚୋର) । ଯେକୌଣସି ସ୍ଥାନରେ ସେ ପ୍ରବେଶ କରି ପାରନ୍ତି । ଏପରିକି କବାଟ ବନ୍ଦ ହୋଇଥିବା ଘରେ ମଧ୍ୟ ସେ ପ୍ରବେଶ କରି ପାରନ୍ତି । ତାଙ୍କୁ ଗୋବିନ୍ଦ ନାମଧରି ଯଦି କେହି ଡାକୁଥିବାର ସେ ଶୁଣି ପାରନ୍ତି ତେବେ ସଙ୍ଗେ ସଙ୍ଗେ ସେ ପାଖରେ ପହଞ୍ଚି ଯାଆନ୍ତି ଏବଂ ତା’ର କ’ଣ ଦରକାର ବୋଲି ଜାଣିବାକୁ ଚାହାନ୍ତି । ସେ ବିପଦର ବନ୍ଧୁ । ସବୁ ପ୍ରାଣୀଙ୍କ ପ୍ରତି ତାଙ୍କର ଅସୀମ ସ୍ନେହ ।

 

ଚେଟିୟାର୍‍ ଏ ଅର୍ଥ ବେଶ୍‌ ପ୍ରାଞ୍ଜଳଭାବେ ବୁଝି ପାରିଲେ । ଉପସ୍ଥିତ ଜନତା ଏହି ଉକ୍ତିର ପ୍ରଶଂସା କଲେ, ମାତ୍ର ଭଗବତକାର ଯାହା କହିଲେ ସେଥିରେ ନିହିତ ଥିବା ସତ୍ୟ ସେମାନେ ଯଥାର୍ଥଭାବେ ହୃଦ୍‌ବୋଧ କରି ପାରିଲେ ନାହିଁ ।

 

ଠିଆ ହୋଇ, ଯୋଡ଼ହସ୍ତରେ ନମସ୍କାର କରି, ପ୍ରଚାରକକୁ ଚେଟିୟାର୍‍ କହିଲେ “ପ୍ରଭୁ”-! ତାହା ଶୁଣି ଭଗବତକାର ଚମକି ପଡ଼ିଲେ ଏବଂ ଆଶ୍ଚର୍ଯ୍ୟ ହୋଇ ପ୍ରଶ୍ନ କଲେ ତୁମେ କ’ଣ କହୁଛ-?

 

ଉତ୍ତରରେ ଚେଟିୟାର୍‍ କହିଲେ ମୁଁ କାହ୍ନୁକୁ ସ୍ଵଚକ୍ଷୁରେ ଦେଖିଛି । ସମସ୍ତେ ଚେଟିୟାର୍‍ କଥାଶୁଣି ସେ ପରିହାସ କରୁଛି ବୋଲି ଭାବିଲେ । କେତେକ ହସି ଉଠିଲେ ଏବଂ ତାକୁ ବିଦ୍ରୂପ କଲେ । ଉପସ୍ଥିତ ଜନତା ମଧ୍ୟରେ ଘଟଣାର ସତ୍ୟାସତ୍ୟ ନେଇ ପାଟିତୁଣ୍ଡ ହେଲା । ବ୍ୟାଖ୍ୟାକାର ବଡ଼ କଷ୍ଟରେ ଅବସ୍ଥା ଶାନ୍ତକଲେ ଏବଂ ଭାଗବତ ବୁଝାଇବାରେ ଲାଗିଲେ । ଚେଟିୟାର୍‍ ସେଠାରୁ ଉଠି ଘରକୁ ଚାଲିଗଲେ ।

 

ତା’ ପରଦିନ ଚେଟିୟାର୍‍ ତାଙ୍କ ଓକିଲଙ୍କୁ ଡକାଇ ଗୋଟିଏ ଦାନପତ୍ର କରାଇ ଦେଲେ । ସେ ଅନ୍ଧ, ଛୋଟା ଓ ଅନ୍ୟାନ୍ୟ ଅସମର୍ଥ ବ୍ୟକ୍ତିଙ୍କ ନିମନ୍ତେ ଗୋଟିଏ ଘର ନିର୍ମାଣ ଲାଗି କୋଡ଼ିଏ ହଜାର ଟଙ୍କା ଅଲଗା ରଖିଦେଲେ । ଗରିବ ସ୍ତ୍ରୀଲୋକମାନଙ୍କ ନିମନ୍ତେ ଗୋଟିଏ ପ୍ରସୂତି ଭବନ ଲାଗି ସେ ମଧ୍ୟ ପଚାଶ ହଜାର ଟଙ୍କା ଦାନକଲେ ।

 

ଚେଟିୟାର୍‍ଙ୍କର ଏହି ଦାନର ସମ୍ବାଦ ଟାଉନ୍‌ରେ ପ୍ରଚାରିତ ହୋଇଗଲା । ହଠାତ୍‌ ଚେଟିୟାର୍‍ କିପରି ଏତେ ଭଲଲୋକ ହୋଇଗଲା ବୋଲି ସମସ୍ତେ ବିସ୍ମୟ ପ୍ରକାଶ କଲେ ।

 

ଭଗବତକାର ଗର୍ବର ସହିତ ଶିଷ୍ୟମାନଙ୍କୁ ଚୁପ୍‌ ଚୁପ୍‌ କହିଲେ ଦେଖିଲତ ମୋ ପ୍ରଚାରରେ ପ୍ରଭାବ କିପରି ପଡ଼ୁଛି । ସେମାନେ ଗୁରୁଙ୍କୁ ପ୍ରଶଂସା କରି କହିଲେ କୃଷ୍ଣ ଜୟନ୍ତୀ ଦିନ ଆପଣଙ୍କର ଆଲୋଚନା ଶୁଣି ପାଷାଣ୍ଡ ହୃଦୟ ମଧ୍ୟ ବିଗଳିତ ହୋଇ ଥାଆନ୍ତା ।

 

ଏସବୁ ଯେ କୃଷ୍ଣଙ୍କ ମାୟା ତାହା କେହି ଜାଣି ନଥିଲେ । ଚେଟିୟାର୍‍ ମଧ୍ୟ ଏକଥା କାହାକୁ କହି ନଥିଲେ । ସେ କହିଥିଲେବି ତା’ଙ୍କ କଥା କିଏ ବିଶ୍ଵାସ କରି ଥାଆନ୍ତା ?

Image

 

Unknown

ନଡ଼ିଆ ଗଛର ଇଚ୍ଛା

 

(ନଡ଼ିଆ ବଗିଚାର ଗୋଟିଏ ନଡ଼ିଆ ଗଛ । ଜଣେ ବୁଢ଼ାଲୋକ ଯାଉଛି)

 

ଗଛ–ବୁଢ଼ା, ତୁମେ ଏ ଖରାରେ କୁଆଡ଼େ ଯାଉଛ ? ମୋ ଛାଇରେ ଟିକିଏ ବସି ବିଶ୍ରାମ ନିଅ । କିଛି ସମୟ ଆମେ ଦୁଃଖସୁଖ ହେବା । ମୁଁ ବୁଢ଼ା । ତୁମେ ମଧ୍ୟ ବୁଢ଼ା ।

 

(ନଡ଼ିଆ ବଗିଚାର ଛାଇରେ ବୁଢ଼ା ବସିଲା)

 

ବୁଢ଼ାଲୋକ–ହେ ନଡ଼ିଆଗଛମାନେ, ତୁମମାନଙ୍କର ସବୁ ଭଲତ ? ଏହିଠାରେ ପୂର୍ବରୁ ଖୁବ୍ ବଡ଼ବଡ଼ ନଡ଼ିଆ ବଗିଚାମାନ ଥିଲା, ସେ ସବୁ କୁଆଡ଼େ ଗଲା । ନା ମୁଁ ଭୁଲରେ ଅନ୍ୟ ରାସ୍ତାରେ ଚାଲିଆସିଲି ? ଗତ କେତେବର୍ଷ ହେଲା କାଣ୍ଡିରେ ମୁଁ ମୋ ପୁଅ ପାଖରେ ରହୁଛି । ଏଇ କେତେଦିନ ହେଲା ମୁଁ ଏଠିକି ଆସିଛି ।

 

ଗଛ–ତୁମେ ନଡ଼ିଆ ଗଛଗୁଡ଼ିକ କଥା ପଚାରୁଛ ? କ’ଣ କହିବି ? ସେସବୁ କଟା ହୋଇଗଲାଣି । ସେ ସ୍ଥାନରେ ଲୋକମାନେ ଇଟା, ସିମେଣ୍ଟ ମସଲାରେ ଘର ଓ ଗ୍ୟାରେଜ୍‍ମାନ କରିସାରିଲେଣି, ନାଲି ଧୂଳି ରାସ୍ତାଗୁଡ଼ିକ ଉପରେ ଏବେ ଆଲକାତରା ବୋଳା ହୋଇଗଲାଣି ।

 

ବୁଢ଼ାଲୋକ–ମୁଁ ମଇଲାପୁର, ଓ ଟ୍ରିପିଲିକେନ୍‌ ଯାଇଥିଲି । ମନ୍ଦିରକୁ ଘେରି ରହିଥିବା ବିଭିନ୍ନ ରାସ୍ତାର କଡ଼ରେ ଏବେ ଧାଡ଼ି ଧାଡ଼ି ହୋଇ ଦୋକାନ ସବୁ ତୋଳା ହୋଇଗଲାଣି । ଏହି ଦୋକାନଗୁଡ଼ିକ ପଛରେ ମଣିଷମାନେ ରହିଲାପରି ମନେ ହୁଏ ।

ଗଛ–ବୁଢ଼ା, ସେ ଲୋକମାନେ ଘର ମାଲିକ ନୁହଁନ୍ତି, ସେମାନେ ହେଲେ ଭଡ଼ାବାଲା । ହେଇ ଚାହଁ, ଠିକ୍ ଯମରାଜା ପରି ଜଣେ କିପରି ଆସୁଛି । ସେ ନଡ଼ିଆ ବଗିଚା ମାପଚୁପ କରିବାକୁ ଆସୁଛି । ସେ ଆମ ସମସ୍ତଙ୍କୁ କାଟିଦେବ । (ଏତିକିବେଳେ ଗୋଟିଏ କୁଆ ଉଡ଼ିଆସି ଅନ୍ୟ ଗୋଟିଏ ଗଛ ଉପରେ ବସିଲା)

କାଉ–କା’ଆ...କା’ଆ...ବୁଢ଼ାଲୋକଟି ଆଗରେ କ’ଣ ଗୁହାରି କରୁଛୁ ?

ଗଛ–କାଉ ଭାଇ, ନା ସେପରି କିଛି ନାହିଁ । ଆସନ୍ତାକାଲିଠାରୁ ତୁ କେଉଁଠାରେ ରହିବୁ-?

କାଉ–ତୁମ ଉପରେ ରହିବି । ତୁମେ ମୋର ପୁରୁଣା ବନ୍ଧୁ ।

ଗଛ–ସେମାନେ ମୋତେ କାଟିବାକୁ ଯାଉଛନ୍ତି ।

କାଉ–ଏପରି ଯଦି ସେମାନେ ସବୁ ଗଛ କାଟି ପକାଇବେ, ତେବେ ନଡ଼ିଆ କେଉଁଠାରୁ ପାଇବେ ?

ଗଛ–ସେମାନେ ଅନ୍ୟ ସ୍ଥାନରୁ ନଡ଼ିଆ ଆମଦାନୀ କରିବେ । ତା’ ବ୍ୟତୀତ ସେମାନଙ୍କର ନଡ଼ିଆ କି କାମରେ ଆସିବ ?

ବୁଢ଼ାଲୋକ–ସେଦିନ ମଇଲାପୁରରେ ମୁଁ ଦେଖିଛି ମନ୍ଦିର ବେଢ଼ା ଭାଙ୍ଗି ଧାଡ଼ି ଧାଡ଼ି ହୋଇ ଦୋକାନ ତୋଳା ଚାଲିଛି ।

 

କାଉ–ବୁଢ଼ା, ଏପର୍ଯ୍ୟନ୍ତ ମନ୍ଦିରଟିକୁ ନଷ୍ଟ କରି ଦିଆଯାଇ ନାହିଁ । ଦୋକାନଗୁଡ଼ିକ ପଛରେ ମନ୍ଦିର ଲୁଚି ଯାଇଛି । ମନ୍ଦିର ବାହାରପଟ ଦୁଆରଗୁଡ଼ିକରେ ଏବେ ଦୋକାନ ହୋଇଗଲାଣି ।

 

ବୁଢ଼ାଲୋକ–ଏତେ ଦୋକାନ କରିବାର ଉଦ୍ଦେଶ୍ୟ କ’ଣ ?

 

କାଉ–ମନ୍ଦିରପାଇଁ ଏଥିରୁ ରାଜସ୍ଵ ମିଳିବ । ଭକ୍ତି ହ୍ରାସ ପାଉଛି । ଆୟ ବୃଦ୍ଧି ହେଉଛି, ଏହି ମନ୍ଦିର ସଂଲଗ୍ନ ଦୋକାନଗୁଡ଼ିକରେ ବିକ୍ରି ହେଉଥିବା ଜିନିଷଗୁଡ଼ିକର ମୂଲ୍ୟ ବୃଦ୍ଧି ପାଉଛି । ଏପରିକି ନର୍ଦ୍ଦମା କିମ୍ବା ମଇଳା ଖାତମାନଙ୍କରେ ମଧ୍ୟ ଆମମାନଙ୍କ ପାଇଁ କିଛି ମିଳୁନାହିଁ ।

 

ବୁଢ଼ାଲୋକ–ଯଦି ସାରା ଟାଉନ୍‌ଟି ଗୋଟିଏ ବଜାରରେ ପରିଣତ ହୋଇଯାଏ ତେବେ ଜିନିଷପତ୍ର କିଏ କିଣିବ ?

 

କାଉ–ମୋତେ ଏସବୁ କଥା କିଛି ପଚାର ନାହିଁ । ହେଇଟି ମୋ ଭାଇ ଆସୁଛି । ଯାହା ପଚାରିବା କଥା ତାକୁ ପଚାର । ସିଏ ସବୁ କଥା ଜାଣେ । ସେ ଗଡ଼ ଭିତରେ ଥିବା ତେନ୍ତୁଳି ଗଛରେ ଥାଏ ।

 

ଦ୍ଵିତୀୟ କାଉ–ଭାଇ, ଭାଇ, ଶୁଣ ଗୋଟାଏ ତାଜା ଖବର ।

 

ପ୍ରଥମ କାଉ–କି ଖବର ? ଭଲ ଖବର ନା ମନ୍ଦ ଖବର ?

 

ଦ୍ଵିତୀୟ କାଉ–ଖୁବ୍ ମନ୍ଦ ଖବର । ଆଜି ସକାଳ ଦଶଟାବେଳେ କାଠ ଡିପୋର ସଇତାନମାନେ ଆମେ ରହୁଥିବା ତେନ୍ତୁଳି ଗଛଟିକୁ କାଟି ପକାଇଲେ ଏବଂ ତାକୁ ଚିରି ଟ୍ରକ୍‍ରେ ବୋହିନେଲେ ।

 

ପ୍ରଥମ କାଉ–ମୁଁ ପରା ଆଜି ସକାଳେ ଗଛଟା ଠିଆ ହୋଇ ରହିଥିବା ଦେଖିଛି ।

 

ଦ୍ଵିତୀୟ କାଉ–ତୁମେ ଠିକ୍ ଦେଖିଛ । କିନ୍ତୁ ସବୁ କାମ ସଅଳ ସଅଳ ହୋଇଗଲା । ମୋର ମନେ ହେଉଛି ବର୍ତ୍ତମାନ ଜାଳେଣି କାଠ ବିକ୍ରିରୁ ବେଶ୍ ପଇସା ମିଳୁଛି । ବର୍ତ୍ତମାନ ଜାଳେଣି କାଠ–ବ୍ୟବସାୟୀମାନେ କେବଳ ବଡ଼ବଡ଼ ଘରମାନ କରୁଛନ୍ତି ।

 

ପ୍ରଥମ କାଉ–ସେମାନେ ଯଦି ଏପରି ସବୁ ଗଛ କାଟି ଚିରି ପକାଇବେ ତେବେ ପୁଣି ତେନ୍ତୁଳି ପାଇବେ କେଉଁଠୁଁ ?

 

ଦ୍ୱିତୀୟ କାଉ–କିଏ ଜାଣେ ? ନୂଆ ତେନ୍ତୁଳି ଗଛଗୁଡ଼ିକ ବଡ଼ ହୋଇ ଫଳ ଫଳିବାକୁତ ଅନେକ ବର୍ଷ ଲାଗିବ । ଛେଳିମାନେତ ମୂଳରୁ ଖାଇଯିବେ । ଏସବୁ ଗଛଗୁଡ଼ିକ ବଢ଼ି ପାରିବତ !

 

ବୁଢ଼ାଲୋକ–ମୋତେ ଏ ଜାଗା ଆଉ ଭଲ ଲାଗୁନାହିଁ । ମୁଁ ‘କାଣ୍ଡି’କୁ ଚାଲିଯିବି ।

 

ଦ୍ଵିତୀୟ କାଉ–ସେଠାରେବି ସେମାନେ ତୁମକୁ ରଖିଦେବେ ନାହିଁ ।

 

ବୁଢ଼ାଲୋକ–ମୁଁ ତେବେ କ’ଣ କରିବି ? କେଉଁଠିକି ଯିବି ? ସେଠିତ ମୋ ପୁଅ ଅଛି ।

 

ପ୍ରଥମ କାଉ–ବୁଢ଼ା, ତୁମେ କାନ୍ଦ ନାହିଁ, ବାପ ପୁଅ ମଧ୍ୟରେ ସମ୍ପର୍କ କ’ଣ ? ଆମମାନଙ୍କଠାରୁ କିଛି ଶିଖ । ମୋ ବାପ ମା’ କେଉଁଠାରେ ଅଛନ୍ତି କହତ !

 

ଗଛ–ତୁ ଗୋଟିଏ ପକ୍ଷୀ, ଯେଉଁଠିକି ଇଚ୍ଛା ତୁ ସେଠିକୁ ଉଡ଼ିଯାଇପାରିବୁ । କିନ୍ତୁ ଆମେ ଅସହାୟ ଗଛମାନେ କ’ଣ କରିପାରିବୁ ? ଯେଉଁ ଲୋକମାନେ ଆମକୁ ହାଣିବାକୁ ଆସୁଛନ୍ତି ସେମାନଙ୍କୁ ଆମେ ବାଧା ଦେଇ ପାରିବୁ ନାହିଁ । ଅନ୍ୟ କେଉଁଠାକୁ ପଳାଇଯାଇ ଆପଣାକୁ ରକ୍ଷା କରିବା ମଧ୍ୟ ଆମ ପକ୍ଷରେ ସମ୍ଭବ ନୁହେଁ । ହଣା ହୋଇ ତଳେ ପଡ଼ି ଶୁଖିବା ଆମ ଭାଗ୍ୟରେ ଅଛି-। ବେଳେବେଳେ ଏହି କାଠ ହଣାଳିମାନଙ୍କ ଉପରେ ପଡ଼ି ସେମାନଙ୍କୁ ଛତୁ କରିଦେବାକୁ ମନେ ହୁଏ । କିନ୍ତୁ ତାହା ସମ୍ଭବ ହୋଇ ନଥାଏ, କାରଣ ଏ ବଦମାସମାନେ ଆମକୁ ଖୁବ୍ ଜୋରରେ ଦୌଡ଼ିରେ ବାନ୍ଧି ଦେଇଥାଆନ୍ତି ।

 

ପ୍ରଥମ କାଉ–ହେ ଗଛ ! ତୁମେ ଆଉ କାନ୍ଦ ନାହିଁ । ଆର ଜନ୍ମରେ ହୁଏତ ତୁମେ ମଣିଷ ହୋଇ ଜନ୍ମ ହେବ ।

 

ଗଛ–ନା ନା ମୁଁ ଏପରି ପାପୀ ଜନ୍ମ ନେବାକୁ ଚାହେଁ ନାହିଁ ।

 

ଦ୍ୱିତୀୟ କାଉ–ତୁମେ ତେବେ ଆମପରି ଗୋଟିଏ ପକ୍ଷୀ ହୋଇ ଜନ୍ମ ହେବାକୁ ଚାହୁଁଛ-?

 

ଗଛ–ହଁ ମଣିଷ ଅପେକ୍ଷା ପକ୍ଷୀ ଜନ୍ମ ନିଶ୍ଚିନ୍ତଭାବେ ଢେର୍‍ଭଲ ।

Image

 

ସଂଘର୍ଷ

 

ରାମାନୁଜ ଆୟାଙ୍ଗାର ଜଣେ ଥେଙ୍ଗେଲାଇ ବୈଷ୍ଣବ ଥିଲେ । କିନ୍ତୁ ତାଙ୍କ ସ୍ତ୍ରୀ ଭଦ୍‌ଗଳାଇ ସମ୍ପ୍ରଦାୟର । ଆଗବେଳେ ବୈଷ୍ଣବ ପରିବାର ମଧ୍ୟରେ ଏପରି ବିବାହ ବେଶ୍‌ ପ୍ରଚଳିତ ଥିଲା । କନ୍ୟା ଥରେ ତା’ ସ୍ଵାମୀ ଘରକୁ ଯିବାପରେ ସେଠାରେ ବେଶ୍ ଖାପ ଖୁଆଇ ନେଉଥିଲା । ଚଳାଚଳିରେ କୌଣସି ଅସୁବିଧା ହେଉ ନଥିଲା । ପରେ କିନ୍ତୁ ଏସବୁ ବନ୍ଦ ହୋଇଗଲା । ଏହାର କାରଣ କ’ଣ କହିବା କଷ୍ଟ । ବୈଷ୍ଣବ ସମ୍ପ୍ରଦାୟ ଏବଂ ସ୍ମାର୍ତ୍ତମାନଙ୍କ ମଧ୍ୟରେ ଆଜିକାଲି ବିବାହ ହେଉଛି । କିନ୍ତୁ ଥେଙ୍ଗେଲାଇ ଭଦ୍‌ଗଳାଇମାନଙ୍କ ମଧ୍ୟରେ ମୋଟେ ବିବାହ ହେଉନାହିଁ, ସେମାନେ ପରସ୍ପରଠାରୁ ଦୂରେଇ ରହୁଛନ୍ତି । ଶ୍ରୀ ରାମାନୁଜ କେବଳ ଏହାର କାରଣ କହିପାରିବେ ।

 

ରଙ୍ଗରାମାନୁଜ ଆୟାଙ୍ଗାରଙ୍କ ଶତାଭିଷେକ ଉତ୍ସବର ମହାନ୍‌ ପ୍ରସ୍ତୁତି ପାଖେଇ ଆସିଲା-। ଆଜି ମାସରେ ଉତ୍ତରାଷାଢ଼ାନକ୍ଷତ୍ରର ପୂର୍ଣ୍ଣମୀ ତିଥିରେ ଏହି ଉତ୍ସବ ଅନୁଷ୍ଠିତ ହୁଏ । ତାଙ୍କର ତିନି ପୁଅ ସେମାନଙ୍କର ବୃଦ୍ଧ ପିତା ମାତା ନବବିବାହିତ ଦମ୍ପତିଙ୍କ ପରି କିପରି ବସିବେ ସେ ଦୃଶ୍ୟ ଉପଭୋଗ କରିବା ଲାଗି ବ୍ୟଗ୍ରତାରସହ ଅପେକ୍ଷା କରିଥାଆନ୍ତି । ହଜାର ହଜାର ନିମନ୍ତ୍ରଣ ପତ୍ର ବଣ୍ଟନ କରାଗଲା । ଏହି ପୁଣ୍ୟ ଉତ୍ସବର ଆଠଦିନ ପୂର୍ବରୁ ଘଟିଥିବା ଗୋଟିଏ ଘଟଣାର ବର୍ଣ୍ଣନା ମୁଁ ଏଠାରେ କରୁଛି ।

 

ସ୍ତ୍ରୀଙ୍କୁ ସମ୍ବୋଧନ କରି ଆୟାଙ୍ଗାର କହିଲେ ଆମେଲୁ, ତୁମେ ଜାଣିଲଣିନା କେସ୍‍ରେ ରାୟ ବାହାରିଗଲା ?

 

ସ୍ଵାମୀ କ’ଣ କହୁଛନ୍ତି ସ୍ତ୍ରୀ କିଛି ବୁଝି ପାରିଲେ ନାହିଁ । ସେ ଉଦ୍‌ବେଗ ପ୍ରକାଶ କରି ପଚାରିଲେ–କେଉଁ କେସ୍ ? ଘଟଣା କ’ଣ ? ମୁଁ ଭାବୁଛି ସେପରି କିଛି ଅଘଟଣ ଘଟିନାହିଁ ।

 

ରାମାନୁଜ ଆୟାଙ୍ଗାର କହିଲେ, “କୌଣସି ଦୁଃସମ୍ବାଦ ନୁହେଁ । ସବୁ ସୁସମ୍ବାଦ ।” ତୁମ ଗାଁର ମନ୍ଦିର ସଂକ୍ରାନ୍ତିୟ କେସ୍ କଥା ମୁଁ କହୁଛି । ହାଇକୋର୍ଟ ଥେଙ୍ଗେଲାଇମାନଙ୍କ ସପକ୍ଷରେ ରାୟ ଦେଇଛନ୍ତି । ‘‘ସତରେ ?” ଆମ ପୁଅ କାହାପକ୍ଷରୁ ଲଢ଼ୁଥିଲା । ଅଲାମେଲୁ ଅମ୍ମାଲ ଜାଣିବାକୁ ଚାହିଁଲା ।

 

ବୁଢ଼ା କହିଲେ–‘କାହିଁକି ? ସେ ଆମ ଥେଙ୍ଗେଲାଇମାନଙ୍କ ପକ୍ଷରୁହିଁ ଲଢ଼ୁଥିଲା ।”

 

ସାମାନ୍ୟ ଦୁଃଖିତ ହୋଇ ଅଲାମେଲୁ ଅମ୍ମାଲ କହିଲେ ତାହାହେଲେ ଭଦ୍‌ଗଳାଇମାନଙ୍କର ମନ୍ଦିର ଉପରେ ସତ୍ତ୍ଵ ରହିବ ନାହିଁ ଏଇୟାତ ?

 

ରଙ୍ଗରାମାନୁଜ କହିଲେ–ମନ୍ଦିର ବନ୍ଦ ହେବନାହିଁ । ମନ୍ଦିର ସେହିପରି ରହିବ । ମାତ୍ର ଏହାପରେ ଭଦ୍‌ଗଳାଇମାନେ ସେଠାରେ ଚଳପ୍ରଚଳ କରିପାରିବେ ନାହିଁ ।

 

‘‘ଆମ ନିଜ ଲୋକମାନଙ୍କର ମନ୍ଦିର ଉପରେ ଆଉ କୌଣସି ଅଧିକାର ରହିବ ନାହିଁ ବୋଲି ରାୟରେ କୁହାଯାଇଛି କି ? ଆୟାଙ୍ଗାର ପରିହାସ କରି ସ୍ତ୍ରୀଙ୍କୁ କହିଲେ କେସ୍ ଫଳାଫଳରେ ତୁମେ ଦୁଃଖ କଲାପରି ମନେ ହେଉଛି । ଆମ ପୁଅ ମକଦ୍ଦମାରେ ଜିତିଛି ଶୁଣି ତୁମେ ଖୁସି ନ ହୋଇ ତୁମ ନିଜ ଲୋକ ଓ ତୁମ ସମ୍ପ୍ରଦାୟ ଲୋକେ ଏଣିକି ମନ୍ଦିର ଉପରେ ପୂର୍ବପରି ଅଗ୍ରାଧିକାର ଲାଭ କରିପାରିବେ ନାହିଁ ଶୁଣି ତୁମେ ଅଧିକ ଦୁଃଖିତ ହେଲାପରି ମୋତେ ଲାଗୁଛି ।

 

ଅଲାମେଲୁ କହିଲା ତୁମ ପୁଅ ମକଦ୍ଦମାରେ ଜିତିଛି ସେଥିପାଇଁ ତୁମେ ଗର୍ବ କରୁଛ । କିନ୍ତୁ ମୋ ବାପ ଭାଇମାନେ ଏହାଦ୍ଵାରା ଅପମାନିତ ହେଲେ ମୁଁ ଦୁଃଖ ନକରି ଆଉ କ’ଣ କରନ୍ତି ?

 

ଠିକ୍ ସେତିକିବେଳେ ସେଠାରେ ସେମାନଙ୍କର ଓକିଲ ପୁଅ ଓ ଇଞ୍ଜିନିୟର୍ ପୁଅ ଦୁହେଁ ଆସି ପହଞ୍ଚିଲେ ।

 

ଓକିଲ ଅନନ୍ତଚାରୀ କହିଲେ ଅପିଲ୍ କେସ୍‍ର ରାୟ ପ୍ରକାଶ ପାଇଗଲା ।

 

ବାପା କହିଲେ ହଁ ତାମିଲ କାଗଜରୁ ସେ ସମ୍ବାଦ ପଢ଼ିଲି । ଜିତାପଟ “ଆମର” । ବୁଢୀକୁ ଚିଡ଼ାଉଥିବା ଦଳରେ ମିଶି ଅନନ୍ତଚାରୀ କହିଲା–ମା’ର କିନ୍ତୁ ହାର ହେଲା । ଏକଥା ଶୁଣି ବୁଢ଼ୀ ଆଉ ସମ୍ଭାଳି ପାରିଲା ନାହିଁ । ସେ କାନ୍ଦି ଉଠିଲା ।

 

ଦ୍ଵିତୀୟ ପୁଅ ଗୋବିନ୍ଦ ରାଜନ୍‌ ମା’ଙ୍କୁ ସାନ୍ତ୍ୱନା ଦେଇ କହିଲା ମା’ ତୁ ଅଯଥା କାନ୍ଦୁଛୁ କାହିଁକି ? ଏ ବାଜେ ମକଦ୍ଦମାରେ କିଏ ଜିତିଲା କିଏ ହାରିଲା ସେଥିରେ ଆମର ଯାଏଁ କେତେ ଆସେ କେତେ ?

 

ଅନନ୍ତଚାରୀ କହିଲା ଏ ବାଜେ ମକଦ୍ଦମାରେ କିନ୍ତୁ ମୁଁ ହଜାରେ ପାଞ୍ଚ ଶହ ଟଙ୍କା ପାଇଲି । ମା’କୁ ଖୁସି କରାଇବାକୁ ସେ କହିଲା–ଏସବୁ ଟଙ୍କା ଶତାଭିଷେକ ଉତ୍ସବରେ ଖର୍ଚ୍ଚ ହେବ-

 

ଗୋବିନ୍ଦ ରାଜନ୍ କହିଲା ଏ ପାଗଳାମି ମକଦ୍ଦମା ପରି ଶତାଭିଷେକ ଉତ୍ସବରେ ବ୍ୟୟ କରିବା ଅର୍ଥ ନିର୍ବୋଧତା । ସେ ଅତିମାତ୍ରାରେ ସଂସ୍କାରବାଦୀ ଥିଲା ।

 

ଅଲାମେଲୁ ଲୁହ ଚାପି ସାମାନ୍ୟ ହସି କହିଲା ଏହା ବଦ୍ ଖର୍ଚ୍ଚ ବୋଲି ତୁ କାହିଁକି କହୁଛୁ-? ଏହି ଶତାଭିଷେକ ହେଉ ବୋଲି ତୁ କ’ଣ ଚାହୁଁନାହୁଁ । ‘‘ଖର୍ଚ୍ଚକୁ ମୁଁ ବିରୋଧ କରୁନାହିଁ-। କିନ୍ତୁ ଅଯଥା ଏ ଥାଟ କାହିଁକି ? ଆମର ଖୁସିବାସିକୁ ଅନ୍ୟଙ୍କୁ ଦେଖାଇବା ନିମନ୍ତେ ଆମେ ଆମର ଟଙ୍କାକୁ ଏପରି ନଷ୍ଟ କରିବା ଉଚିତକି ? ବରଂ ଆମେ ଏ ହଜାରେ ଟଙ୍କା କୌଣସି ଦାତବ୍ୟ କାର୍ଯ୍ୟରେ ବ୍ୟୟ କରିବା ଉଚିତ ।”

 

ରଙ୍ଗରାମାନୁଜ ଆୟାଙ୍ଗାର ଟିହାଇବା ଲାଗି କହିଲେ, ଯେଉଁ ଭଦ୍‍ଗଳାଇମାନେ ବର୍ତ୍ତମାନ ମନ୍ଦିର କାମରୁ ବଞ୍ଚିତ ହେବେ ସେମାନଙ୍କ ସାହାଯ୍ୟ ନିମନ୍ତେ ହଜାରେ ଟଙ୍କା ଦେଲେ କ’ଣ ଭଲ ହୁଅନ୍ତା ନାହିଁ ? ଓକିଲ ପୁଅ କହିଲା ନା କିଛି ଖରାପ କଥା ନୁହେଁ । ବେଶ୍‌ ଚମତ୍କାର ପ୍ରସ୍ତାବ ଅଲାମେଲୁ ଆମ୍ମାଲ ବିରକ୍ତ ହୋଇ କହିଲା, ତମର ଏ ଦାନ ନେବାକୁ ସେମାନଙ୍କର ଗରଜ ପଡ଼ିଛି ।

 

ରଙ୍ଗରାମାନୁଜ ଆୟାଙ୍ଗାର କହିଲେ “ଏହି ଭଦ୍‌ଗଳାଇମାନେ ସାଧାରଣତଃ ଭାରି ଉଦ୍ଧତ । ସେମାନେ ବେଦାନ୍ତ ଦେସିକାରଙ୍କଠାରୁ ଏହି ଗୁଣଟି ଆଣିଛନ୍ତି । ଏ କଥା ଶୁଣି ଅଲାମେଲୁ ଆମ୍ମାଲ ରାଗି କହିଲେ ଥେଙ୍ଗେଲାଇମାନେ ସତେ ଯେମିତି ମାଛିକୁ ମ ବୋଲି କହନ୍ତି ନାହିଁ ।

 

ପାରିବାରିକ ଏହି ଛୋଟ ଝଡ଼ ସତ୍ତ୍ଵେ ତା’ପର ସପ୍ତାହରେ ଶତାଭିଷେକ ଉତ୍ସବ ବେଶ୍ ଜାକଜମକରେ ଅନୁଷ୍ଠିତ ହେଲା । ସ୍ଥାନୀୟ ସମସ୍ତ ବିଶିଷ୍ଟ ବ୍ୟକ୍ତିମାନେ ସପରିବାର ଏହି ବୃଦ୍ଧ ଦମ୍ପତିଙ୍କୁ ସମ୍ମାନ ପ୍ରଦର୍ଶନ କରିବା ଲାଗି ଉତ୍ସବରେ ଯୋଗ ଦେଇଥିଲେ । ସମସ୍ତେ ଅନନ୍ତଚାରୀଙ୍କୁ ମନ୍ଦିର ମକଦ୍ଦମାରେ ଚମତ୍କାର ଜବାବ ସୁଆଲ କରିଥିବାରୁ ଅଭିନନ୍ଦନ ଜଣାଇଥିଲେ ।

 

ଅନ୍ୟ କେତେକ ପ୍ରକୃତ ନ୍ୟାୟ ସାବ୍ୟସ୍ତ ହୋଇଗଲା ବୋଲି ମତ ପ୍ରଦାନ କରିଥିଲେ । କୋଠରୀର ଗୋଟିଏ କୋଣରୁ ମୃଦୁ ପ୍ରତିବାଦ ଶୁଣାଯାଉଥିଲା ।

 

ଇଏ କ’ଣ ଯଥାର୍ଥ ନ୍ୟାୟ ? ଇଏ ସବୁ ପ୍ରତାରଣା । ନିର୍ବୋଧ ! ବିଚାରକମାନେ ଚିରାଚରିତ ପଦ୍ଧତିରୁ କ’ଣ ବୁଝନ୍ତି ? କେତେକ ଭଦ୍‌ଗଳାଇ ବୈଦିକ ସେମାନଙ୍କ ମଧ୍ୟରେ ଫୁସୁଫାସ ହେଲେ–“ବୈଷ୍ଣବମାନଙ୍କ ମଧ୍ୟରେ କଳି ଲଗାଇ ଦେବା ହେଉଛି ‘ଏଇ ସ୍ମାର୍ତ୍ତ କର୍ମଚାରୀଙ୍କ ମତଲବ ।”

 

ମହିଳାମାନଙ୍କ ମଧ୍ୟରେ କେହି କେହି କୁହାକୁହି ହେବାର ଶୁଣାଯାଉଥିଲା । “ବୁଢ଼ୀକୁ ଚାହଁ ଛୋଟ ଝିଅଟିଏ ପରି ସେ କେଡ଼େ ସୁନ୍ଦର ଦେଖା ଯାଉଛି ? ଆଉ କେତେକେ କହୁଥିଲେ ସେ କେଡ଼େ ଭାଗ୍ୟବତୀ । ଆମ କପାଳରେ କ’ଣ ଏକଥା ଘଟିବ ? ପରିକଳ୍ପନାନୁଯାୟୀ ଉତ୍ସବ ଏକ ହଜାର ଟଙ୍କା ବ୍ୟୟରେ ଖୁବ୍‌ ଜାକଜମକରେ ପାଳିତ ହେଲା ।

 

ଅଲାମେଲୁ ଆମ୍ମାଲ କିନ୍ତୁ ମନ୍ଦିର କଥା ମନରୁ ପୋଛି ଦେଇ ପାରିଲେ ନାହିଁ ।

 

ଉତ୍ସବର ତିନିଦିନ ପରେ ସେ ତାଙ୍କ ସ୍ୱାମୀଙ୍କୁ ପଚାରିଲେ ଭଦ୍‌ଗଳାଇ ଓ ଥେଙ୍ଗେଲାଇଙ୍କ ଭିତରେ ଥିବା କଳି କ’ଣ କେବେ ଶେଷ ହେବ ?

 

ସ୍ମାର୍ତ୍ତମାନଙ୍କର ଦୁଷ୍ଟବୁଦ୍ଧି ଏହି ସମସ୍ତ କଳହର କାରଣ । ମାତ୍ର ଏଥିପାଇଁ ଆମେ ପରସ୍ପର ସଙ୍ଗେ କଳି କରିବା ଉଚିତ ନୁହେଁ ବୋଲି ଉତ୍ତରରେ ବୁଢ଼ା କହିଲେ । ସେମାନଙ୍କର ଗୋଟିଏ ପୁଅ ଇଂରାଜୀରେ ଅନ୍ୟ ଜଣକୁ କହିଲା–‘ଦେଖୁଛତ ଏହି ବୁଢ଼ାବୁଢ଼ା ଲୋକମାନେ ଆସନ୍ନ ସାମାଜିକ ପରିବର୍ତ୍ତନ ସମ୍ପର୍କରେ କିପରି କିଛି ଜାଣନ୍ତି ନାହିଁ ।’

 

ବୁଢ଼ା ଇଂରାଜୀ ଜାଣି ନଥିଲେ ମଧ୍ୟ ପୁଅ କ’ଣ କହୁଛି ସେ ତାହା ବେଶ୍ ଅନୁମାନ କରିପାରିଥିଲେ । ବୁଢ଼ା କହିଲେ ତୁ ଯାହା କହୁଛୁ ମୁଁ ବୁଝୁଛି କିନ୍ତୁ ମନେରଖ ଯେଉଁ ସବୁ ସଂସ୍କାର କଥା ଚିନ୍ତା କରୁଛୁ ତାହା ଆମ ଦେଶକୁ ନଷ୍ଟଭ୍ରଷ୍ଟ କରିଦେବ । ପୁଅମାନେ ମୁରୁକି ହସ ଦେଲେ । ଜଣଙ୍କର ଦୁଇଟି ବୟସ୍କା ଝିଅ ଅଛନ୍ତି । ଅନ୍ୟ ଜଣେ ପୁଅର ମଧ୍ୟ ଗୋଟିଏ ବିବାହଯୋଗ୍ୟା ଝିଅ ଅଛନ୍ତି । ସେମାନଙ୍କର ସମ୍ମୁଖରେ କୌଣସି ପାରମ୍ପରିକ ପ୍ରତିବନ୍ଧକ ଠିଆ ହେଉ ବୋଲି ସେମାନେ ଚାହୁଁ ନଥିଲେ । ସେମାନଙ୍କର ସ୍ଵାଧୀନତା ଏହି ପାରମ୍ପରିକ ରକ୍ଷଣଶୀଳତା ମଧ୍ୟରେ ସୀମିତ ହେବାକୁ ପୁଅମାନେ ଯେ ଚାହୁଁ ନଥିଲେ ଏ କଥା ବୁଢ଼ା ବୁଝିପାରୁ ନଥିଲେ ।

Image

 

ନାଟେସା ଆୟାରଙ୍କ ଦୋଷ

 

ଦୁଧ ବିକାଳି ବରଦରାଜ କୋନନ୍ ଅଧିକ ଦାମରେ ଯେଉଁ ବିଦେଶୀ ଗାଈଟି କିଣିଥିଲା, ତାହା ହଠାତ୍ ରୋଗା ହୋଇଗଲା । ଫଳରେ ସେ ଦୁଃଖରେ ମ୍ରିୟମାଣ ହୋଇ ପଡ଼ିଲା । ତା’ର ଲଫଙ୍ଗା ପୁଅ ତା’ର ସମସ୍ତ ପଇସାପତ୍ର ଉଡ଼ାଇ ଦେଉଥିଲା । ଏଥର ସେ ତା’ ସୁଧ ବାବଦ ଟଙ୍କାରୁ ପନ୍ଦର ଟଙ୍କା ଛାଡ଼ି ଦେବାକୁ ଅନୁରୋଧ କରିଥିଲା ଏବଂ ପରେ ସୁବିଧା କରି ସେ ବକୟା ପରିଶୋଧ କରିଦେବ ବୋଲି ପ୍ରତିଜ୍ଞା କରିଥିଲା, ତେଣୁ ପନ୍ଦର ଟଙ୍କା ଛାଡ଼ିକରି ମୁଁ ତାକୁ ଗୋଟିଏ ରସିଦ କାଟି ଦେଇଥିଲି ।

 

“ଟଙ୍କା ଛାଡ଼ କରି ଦେବାକୁ ତୁମକୁ କିଏ କ୍ଷମତା ଦେଲା ? ଏ ଟଙ୍କା କ’ଣ ତୁମ ଟଙ୍କା ? ତୁମେ ଟଙ୍କା ଛାଡ଼ିଦେଲ କିପରି ? ତୁମର ଟିକିଏ ବୋଲି ବୁଦ୍ଧି ନାହିଁ ।” ପଞ୍ଚାକ୍ଷର ଆୟାର ଏହିପରି ତାଙ୍କ ବୁଢ଼ା କିରାଣି ନାଟେସା ଆୟାରଙ୍କୁ ଗାଳିଦେଲା । ନାଟେସା ଆୟାର ପଞ୍ଚାକ୍ଷର ଆୟାରଙ୍କର ଦୂର ସମ୍ପର୍କୀୟ । ସେ ମାସକୁ ୩୫ଟଙ୍କା ଦରମା ପାଇ ପଞ୍ଚାକ୍ଷରଙ୍କର ଟଙ୍କା ଲଗାଣ କାରବାର ବୁଝାସୁଝା କରୁଥିଲା । ପୁରୁଣା କିରାଣି କହିଲେ ମୁଁ ମାନୁଛି ମୁଁ ଭୁଲ କରିଛି । ଗରିବ ଲୋକଟା ପ୍ରତି ଦୟାପରବଶ ହୋଇ ମୁଁ ଏପରି କରି ପକାଇଛି ମୋତେ ଏଥର କ୍ଷମା କର । ମୁଁ ଆଉ କେବେ ଏପରି କରିବି ନାହିଁ ।

 

“କ୍ଷମା’ କି ନିର୍ବୋଧ ତୁମେ, କ’ଣ କହିଲ କ୍ଷମା କରିବି ? ମୋଟେ ନୁହେଁ ।” ଏହି ଟଙ୍କା ତୁମ ଦରମାରୁ କଟା ହେବ । ଏତିକି କହି ପଞ୍ଚାକ୍ଷର ଆୟାର ତାଙ୍କ କୋଟ୍ ପିନ୍ଧିଲେ ଓ ତା’ଉପରେ ଚାଦର ପକାଇଲେ । ପୁରୁଷ ୱାକମ ଅଦ୍ଵୈତସଭା ଆନୁକୂଲ୍ୟରେ ଆୟୋଜିତ ସଭାରେ ‘ମାୟା’ ଉପରେ ଭାଷଣ ଦେବା ଲାଗି ସେଦିନ ସନ୍ଧ୍ୟାରେ ସେ ନିମନ୍ତ୍ରିତ ହୋଇଥିଲେ । ସେ ଘରୁ ବାହାରି ସେଠାକୁ ଯିବା ନିମନ୍ତେ ସିଧା ଯାଇ ଗାଡ଼ିରେ ବସିଲେ ।

 

ତା’ ପରଦିନ ପନ୍ଦର ଟଙ୍କା କମ୍‌ରେ ନାଟେସା ଆୟାର ତାଙ୍କ ଦରମା ପାଇଲେ । ନାଟେସା ଆୟାର ଆପଣାର ଭୁଲ୍‌ ସ୍ଵୀକାର କରି କ୍ଷମା ଚାହିଁଥିଲେ ମଧ୍ୟ ପଞ୍ଚାକ୍ଷର ତାଙ୍କୁ କ୍ଷମା କଲେନାହିଁ । ପଞ୍ଚାକ୍ଷରଙ୍କ ସ୍ତ୍ରୀ ମଧ୍ୟ ସ୍ଵାମୀଙ୍କ ନିକଟରେ ତାଙ୍କ ପକ୍ଷରୁ ଯୁକ୍ତିକଲେ । କିନ୍ତୁ ଫଳ କିଛି ହେଲାନାହିଁ । ସ୍ଵାମୀଙ୍କଠୁ ଗାଳିଖାଇ ସେ ଚୁପ୍ ହେଲେ ।

 

ତା’ ପରଦିନ ନାଟେସା ଆୟାର ତାଙ୍କ ମୁନିବଙ୍କ ନିକଟକୁ ଯାଇ କହିଲେ ମୁଁ ଗତ ପଇଁତ୍ରିଶବର୍ଷ ଧରି ଆପଣଙ୍କ ବାପାଙ୍କର ସେବାକରି ଆସିଲି । ଗତ ପାଞ୍ଚବର୍ଷ ହେଲା ମଧ୍ୟ ନିଷ୍ଠାର ସହିତ ତୁମ କାମ କରି ଆସୁଛି । ମୋର ଏହି ବୁଢ଼ା ବୟସରେ ମୁଁ ଶକ୍ତିମତେ କାମ କରୁଛି । ମୁଁ ଏହି ଥରକ ମାତ୍ର ଭୁଲ୍‌ କରିଛି, କିନ୍ତୁ ତୁମେ ମୋତେ କ୍ଷମା କଲ ନାହିଁ । ମୁଁ ତୁମ ପାଖରେ ଆଉ କାମ ନକରିବାକୁ ସ୍ଥିର କରିଛି । ଟ୍ରିପିଲ୍‌କେନ୍‌ ସମବାୟ ଷ୍ଟୋର୍‌ରେ ମୁଁ ଗୋଟିଏ ଭଲ କିରାଣି କାମ ପାଇଛି । ମୁଁ ସେଠାରେ ଚାକିରି କରିବି । ଦୟାକରି ମୋତେ ଗୋଟିଏ ଭଲ ସାର୍ଟିଫିକେଟ୍ ଦିଅନ୍ତୁ । ପଞ୍ଚାକ୍ଷର କହିଲେ, ମୁଁ ସେପରି ସାର୍ଟିଫିକେଟ୍ ଦେଇ ପାରିବି ନାହିଁ । ତୁମେ ଏଠାରୁ ଚାଲିଯାଅ ।

 

ବୁଢ଼ା ଲୋକଟି ଚାଲି ନଯାଇ ସେହିପରି ଠିଆ ହୋଇଥିବା ଦେଖି ସେ ପୁଣି କହିଲେ ତୁମେ ଦୁଧ ବିକାଳିକୁ ଦେଇଥିବା ରସିଦଟି ଫେରାଇ ଆଣ । ତୁମେ ଯଦି ସେ ରସିଦ ଫେରାଇ ଆଣିବ ତେବେ ପୂର୍ବପରି ତୁମେ ପୁଣି ଚାକିରିରେ ରହିବ । “ତାହା ସମ୍ଭବ ନୁହେଁ । ତାକୁ ରସିଦଟି ଫେରାଇ ଦେବାକୁ ମୁଁ କିପରି କହିବି । ଏହାଦ୍ଵାରା ତୁମ ପରିବାରର ଦୁର୍ନାମ ହେବ ।” ମୁଁ ତାହା କେବେ କରି ପାରିବି ନାହିଁ ବୋଲି ବୁଢ଼ା ଲୋକଟି କହିଲା ।

 

ପଞ୍ଚାକ୍ଷର ଆୟାର ତାହାଣୁଣି କହିଲେ ଏମିତି କଥା ଯଦି, ତେବେ ତୁମେ ଏଠୁ ଚାଲିଯାଇପାର ।

 

ଠିକ୍ ସେହି ସମୟରେ ପଞ୍ଚାକ୍ଷର ଆୟାରଙ୍କ ପାଖକୁ ଆସୁଥିବା ବିଦ୍ଵାନ ଭେଙ୍କଟେଶ୍ ଶାସ୍ତ୍ରୀ ସେ ଘର ମଧ୍ୟରେ ପ୍ରବେଶ କଲେ ।

 

ଚାଲି ଯାଉଥିବା ନାଟେସା ଆୟାରଙ୍କୁ ପଞ୍ଚାକ୍ଷର ଆୟାର ଡାକି କହିଲେ ଶୁଣ, ତୁମେ ଯଦି ସେହି ରସିଦ ଫେରାଇ ଆଣି ପାରିବ ତେବେ ତୁମେ ଏଠାରେ ଚାକିରିରେ ରହିବ, ନଚେତ୍ ଏଥିପାଇଁ ତୁମେ ଏଠାକୁ ଆଉ ଆସିବା ପ୍ରୟୋଜନ ନାହିଁ । ତୁମେ ସମବାୟ ଷ୍ଟୋର୍‌ରେ କାମ କରିପାର । ମୁଁ କିନ୍ତୁ ତୁମକୁ କୌଣସି ପ୍ରଶଂସାପତ୍ର ଦେଇ ପାରିବି ନାହିଁ । ସାବଧାନ ଗ୍ରାହକମାନଙ୍କ ପ୍ରତି ଅତ୍ୟଧିକ ସହାନୁଭୂତି ପ୍ରଦର୍ଶନ କରି ତମେ ଯେମିତି ଆଉ ଷ୍ଟୋର୍‌ର କ୍ଷତି ନକର ।

 

ଦମ୍ଭର ସହିତ ନାଟେସା କହିଲେ ମହାଶୟ ମୁଁ ଗୋଟାଏ ଭୁଲ୍‌ କରି ଦେଇଛି ସତ, ମାତ୍ର ଏଥିପାଇଁ ତୁମେ ଏପରି ବିଦ୍ରୂପ କରିବା ଉଚିତ ନୁହେଁ । ତୁମବାପା ମୋତେ ତାଙ୍କ ନିଜ ଭାଇ ପରି ଦେଖୁଥିଲେ । ସମୟ ବଦଳି ଯାଇଛି । ଭଗବାନ ସମସ୍ତଙ୍କର ମଙ୍ଗଳ କରନ୍ତୁ ଏତିକି କହି ନାଟେସା ଆୟାର ସେ ସ୍ଥାନ ଛାଡ଼ି ଚାଲିଗଲେ ।

 

ଭେଙ୍କଟେଶ୍ ଶାସ୍ତ୍ରୀ କହିଲେ ଆଗାମୀ ରବିବାର ଦିନ ଇଷୋପନିଷଦ ଉପରେ ଆଲୋଚନା ହେବ । ଏହି ଉତ୍ସବରେ ପୌରହିତ୍ୟ କରିବା ଲାଗି ଆପଣ ସଦୟ ସ୍ଵୀକୃତି ପ୍ରଦାନ କରିବେ । ମୁଁ ଏହାକୁ ଏକ ମହାନ୍‌ ସୁଯୋଗ ବୋଲି ବିଚାରିବି ।”

 

ପଞ୍ଚାକ୍ଷର ଆୟାର କହିଲେ ଅନେକ ଆଜି ଶଙ୍କରଙ୍କର ବାଣୀକୁ ଆପଣା ଦୃଷ୍ଟିରୁ ବୁଝାନ୍ତି-। ସେମାନେ ସର୍ବଦା ସାମ୍ୟ ଓ ସହନଶୀଳତା ଉପରେ କହୁଛନ୍ତି । ଅବଶେଷରେ ଗାନ୍ଧୀଙ୍କର ଆଜିକାଲିକା ବୋକା ଶିଷ୍ୟମାନଙ୍କ ପରି ତୁମେ ମଧ୍ୟ ପ୍ରଚାର ଚଳାଇଛ । ସମସ୍ତେ ଏକ-। ଏପରି ସ୍ଥଳେ ତୁମମାନଙ୍କ ଆୟୋଜିତ ଆଲୋଚନା ଉତ୍ସବରେ ମୁଁ କିପରି ପୌରହିତ୍ୟ କରି ପାରିବି-?

 

ଆରେ ନା, ନା ମୁଁ କେବଳ ଅଦ୍ଵୈତବାଦ ଉପରେ, କହିବି ବୋଲି ବିନମ୍ର କଣ୍ଠରେ ଶାସ୍ତ୍ରୀ ଉତ୍ତର ଦେଲେ ।

 

ପଞ୍ଚାକ୍ଷର ପୁଣି କହିଲେ ଗତଥର ବୈଦ୍ୟନାଥ ଦିକ୍ଷିତାର ତୁମର ସଭାରେ କହିଲେ ମାତ୍ର କ’ଣ କହିଲେ କିଛି ବୁଝା ଗଲାନାହିଁ । ଶାସ୍ତ୍ରରେ ତାଙ୍କର ପାଣ୍ଡିତ୍ୟ ଅଛି । ମାତ୍ର “ଯସ୍ତୁ ସର୍ବାଣି ଭୂତାନି ଆତ୍ମନେବାନୁ ପଷ୍ୟତି ସର୍ବ ଭୂତେଷୂଚ ଆତ୍ମାନମ୍” ଅର୍ଥ ବୁଝାଇବାକୁ ଯାଇ ସେ ଗୁଡ଼ାଏ ବାଜେ କଥା କହିଲେ । ତା’ ଭିତରେ ଦୟା, ସହାନୁଭୂତି ଇତ୍ୟାଦି ପୂରାଇ ଦେଲେ । ଏ ସମସ୍ତ ବ୍ରହ୍ମ ବୋଲି କହି ଅଦ୍ଵୈତବାଦର ଗୋଟାଏ ଦୈତବାଦ ବାଖ୍ୟା ପ୍ରଦାନ କଲେ । ମୁଁ ତାଙ୍କ ସଙ୍ଗେ କେବେ ଏକମତ ହୋଇ ପାରି ନଥିଲି ।

 

ଶାସ୍ତ୍ରୀ କହିଲେ “ମୋରବି ଅବିକଳ ସେହି ମତ । ଅବଶେଷରେ ଯଦି ସବୁ ବ୍ରହ୍ମ, ତେବେ କିଏ କାହା ପ୍ରତି ସଦୟ ହେବ ? କିଏ କାହାକୁ ଦୟା କରିବ ? ଯେ ସବତ୍ର ଐକ୍ୟ ଦର୍ଶନ କରେ ତା’ ନିମନ୍ତେ ମାୟା କିମ୍ବା ଶୋଚନାର କାରଣ ନାହିଁ ।”

 

ଅବଶେଷରେ ପଞ୍ଚାକ୍ଷର ଆୟାର ଉତ୍ସବରେ ପୌରହିତ୍ୟ କରିବେ ବୋଲି ସମ୍ମତି ପ୍ରଦାନ କଲେ ।

 

ଆଲୋଚନା ପରେ ଏବଂ ସଭାପତିଙ୍କ ବକ୍ତବ୍ୟ ପରେ, ସମସ୍ତଙ୍କ ଅନୁରୋଧ କ୍ରମେ ନାଟେସା ଆୟାର ବକ୍ତାମାନଙ୍କୁ ଧନ୍ୟବାଦ ଦେବାଲାଗି ଠିଆ ହେଲେ ।

 

ନାଟେସା ଆୟାର କହିବାକୁ ଯାଇ ଅନ୍ୟାନ୍ୟ କଥା ଭିତରେ କହିଲେ ଆଦି ଶଙ୍କରଙ୍କର ଯଶ ସର୍ବତ୍ର ପ୍ରସାର ହେବା ଉଚିତ । ଅନେକ ପ୍ରଚାରକ ଏହାକୁ ଜୀବନର ବ୍ରତ ବୋଲି ଧରି ନେଇଛନ୍ତି । ଏହା ଯଥାର୍ଥରେ ପ୍ରଶଂସନୀୟ ଉଦ୍ୟମ । ଶୁଷ୍କ ବେଦାନ୍ତରେ କିଛି ନାହିଁ । ଦୟା, ସମବେଦନା, ଅନ୍ୟକୁ ସାହାଯ୍ୟ କରିବା, ଅସହାୟ ପ୍ରତି ସଦୟ ହେବା, ଏଗୁଡ଼ିକ ଆଜି ଦୁନିଆରେ ବିକଶିତ ହେବା ଉଚିତ । ସେ ଯେତେବେଳେ ଶୁଷ୍କ ବେଦାନ୍ତ କଥା କହିଲେ ହଲ୍‌ରେ ଗୋଟିଏ କୋଣରେ ହସର ଧ୍ଵନି ଶୁଣାଗଲା । ପଞ୍ଚାକ୍ଷର ଆୟାରଙ୍କ ମୁହଁ ଲାଲ ହୋଇ ଉଠିଲା । ସେ ମନେ କଲେ ସତେ ଯେପରି ଏ ହସ ତାଙ୍କପାଇଁ ଉଦ୍ଦିଷ୍ଟ । ସମବାୟ ଷ୍ଟୋର୍ ମାନେଜର ରାମଲିଙ୍ଗମ୍ ପଞ୍ଚାକ୍ଷର ଆୟାରଙ୍କର ଜଣେ ବନ୍ଧୁଥିଲେ । ତା’ ପରଦିନ ସେ ନାଟେସା ଆୟାରଙ୍କୁ ଡାକି କହିଲେ ତୁମକୁ ଚାକିରିରୁ ଛଟେଇ କରି ଦିଆଯାଇଛି । ମୁଁ ଏଥିପାଇଁ ଭାରି ଦୁଃଖିତ ।

 

ଅତି ଦୁଃଖରେ ବୁଢ଼ା ଜାଣିବାକୁ ଚାହିଁଲେ ସେ କି ଅପରାଧ କରିଛନ୍ତି ? “ଡାଇରେକ୍ଟର୍‍ମାନେ କାମରେ ବୁଢ଼ାଲୋକଙ୍କୁ ରଖିବା ଲାଗି ଚାହାନ୍ତି ନାହିଁ । ଏ କାମଲାଗି ଜଣେ ଯୁବକ ଲୋକଙ୍କୁ ଖୋଜିବା ଲାଗି ମୋତେ କହିଛନ୍ତି ।” ନାଟେସା ଆୟାର ପଚାରିଲେ ‘‘ଏ ନିଷ୍ପତ୍ତି କ’ଣ ଚୂଡ଼ାନ୍ତ ?’’ “ହଁ” ପଞ୍ଚାକ୍ଷର ଆୟାର ତୁମ ଉପରେ କ୍ଷୁବ୍ଧ । କୌଣସି ସଭାରେ କହିବାବେଳେ ତୁମେ ପଞ୍ଚାକ୍ଷରଙ୍କୁ ଅପମାନିତ କରିଥିବା ପରି ମନେହେଲା । ବୁଢ଼ା ‘‘ହେ ଭଗବାନ” କହି ଆପଣା ଘରକୁ ଚାଲିଗଲେ ।

 

ଦୁଧ ବିକାଳି ବରଦରାଜ କୋନାନ୍ ପନ୍ଦର ଟଙ୍କା ଧରି ନାଟେସାଆୟାରଙ୍କ ଘରକୁ ଗଲା-। ସେ କହିଲା ହଜୁର, ମୋ ଲାଗି ଆପଣ ଅଯଥା ହଇରାଣ ହେଲେ । ସେ ପାପ ମୋ ମୁଣ୍ଡରେ ନଯାଉ । ଆପଣ ଏ ପନ୍ଦର ଟଙ୍କା ନେଇ ଆପଣଙ୍କ ମୁନିବକୁ ଦେଇ ଆସନ୍ତୁ ।”

 

ଏ କଥା ଶୁଣି ବୁଢ଼ା କହିଲେ “ତୁ ନିଜେଯାଇ ତାଙ୍କୁ ଏ ଟଙ୍କା ଦେଇଦେ । ଶଙ୍କରଙ୍କର ଆରାଧ୍ୟ ପ୍ରଭୁ ଗୋବିନ୍ଦ ତୁମର ତଥା ତୁମ ପରିବାରର ସହାୟକ ହେବେ । ତୁମର ଆଉ କୌଣସି ଦୁଃଖ ରହିବ ନାହିଁ ।

Image

 

ମୁଁ ଟଙ୍କା ନେବି

 

ଅପନ୍ନା ଆୟାଙ୍ଗାର ସାନଭାଇ ସେଲ୍‍ବାକୁ କହିଲା ବର୍ତ୍ତମାନ ଭିନ୍ନେ ହେବା କଥା ତୁ ଭାବନାହିଁ । ଆମେ ଆଉ କିଛିଦିନ ଏକାଠି ରହିବା ।

 

ସେଲ୍‍ବା ନାରାୟଣନ୍ ଏକଥା ଶୁଣି କହିଲା ନା ଭାଇ, ଏକାଠି ରହିବାକୁ ଆଉ ମୁଁ ଚାହୁଁ ନାହିଁ । ଏକାନ୍ନବର୍ତ୍ତୀ ପରିବାରରେ ରହିବାଟା ପୁରୁଣାକାଳିଆ ହୋଇଗଲାଣି । ମୁଁ ଅଲଗା ରହିବାକୁ ଚାହୁଁଛି । ଆମର ଦୁଇଟି ଘର ଅଛି । ତୁମେ ଏଠି ରହ । ମାଡ଼୍ରାସରେ ଯେଉଁ ସାନ ଘରଟି ଅଛି ମୁଁ ସେ ଘର ନେଇ ରହିବି ।

 

ମାଡ଼୍ରାସ ମୋତେ ଭଲ ଲାଗେ । ଗାଁରେ ମୋତେ ମୋଟେ ଭଲ ଲାଗେ ନାହିଁ ।

 

ସେମାନଙ୍କର ଭଉଣୀ କମଳା କହିଲା ସେଲ୍‍ବାନ୍‌ର ଯେମିତି ଇଚ୍ଛା ହେଉଛି ସେ ସେମିତି କରୁ । ଆଜିକାଲିକା ଟୋକାମାନେତ ଏମିତି ହେଉଛନ୍ତି । ତିନିଭାଇ ଭଉଣୀଙ୍କ ଭିତରେ ସେ ସମସ୍ତଙ୍କଠାରୁ ବଡ଼ । ସେ ଅଳ୍ପ ବୟସରେ ବିଧବା ହୋଇ ଆସି ବାପଘରେ ରହି ଘରର ଦେଖାଶୁଣା କରେ ।

 

ଶେଷରେ ଘର ଭିନ୍ନେ ହେବ ବୋଲି ସ୍ଥିର ହେଲା । ଗାଁ ସ୍କୁଲ୍ ମାଷ୍ଟର ରାମସ୍ଵାମୀ ଆୟାଙ୍ଗାର ଏବଂ କବିରାଜ ଶଙ୍କର ଶାସ୍ତ୍ରୀ ମଧ୍ୟସ୍ଥତା କଲେ ।

 

ମୋର ଜମିବାଡ଼ିରୁ କିଛି ଭାଗ ଦରକାର ନାହିଁ । ଚାଷୀମାନଙ୍କୁ ଯେଉଁ ପାଞ୍ଚ ହଜାର ଟଙ୍କା ଋଣ ଦେଇଛ ମୋତେ ସେତିକି ଦେଇ ଦିଅ ଓ ତୁମେ ସବୁ ଜମି ରଖ । ତୁମେ ଚାଷବାସ କରିବାକୁ ଭଲପାଅ । ଚାଷପାଇଁ ମୁଁ ଉପଯୁକ୍ତ ନୁହେଁ । ଟଙ୍କାନେଇ ମୁଁ ବ୍ୟବସାୟ କରିବାକୁ ଚାହେଁ ବୋଲି ସାନଭାଇ କହିଲା ।

 

ଅପନ୍ନା ଆୟାଙ୍ଗାର ଭାଇକୁ ବୁଝାଇ କହିଲା, ‘‘ତୁ ଅଧା ଜମିନେ । ବର୍ଷକୁ ତୋପାଇଁ ଅଧାଟଙ୍କା ରହିବ । ତୁ ସବୁ ଟଙ୍କା ନେଇ ମାଡ଼୍ରାସ ଗଲେ ଟଙ୍କା ଉଡ଼ାଇ ଦେବୁ । ଚାଷୀମାନେ ଭଲଲୋକ । ସେମାନେ ବରାବର ସୁଧ ଦେବେ । ତୁ ସବୁଟଙ୍କା ନେଇ କ’ଣ ବା କରିବୁ ? ସମସ୍ତେ ଜାଣନ୍ତି ବ୍ୟବସାୟ ଅତି ଦାୟିତ୍ଵପୂର୍ଣ୍ଣ କାମ । ଭଦ୍ରଲୋକମାନେ ମଧ୍ୟ ସେଲବା ନାରାୟଣନ୍‍ଙ୍କୁ ବୁଝାଇବାକୁ ଚେଷ୍ଟାକଲେ । ମାତ୍ର ସେ କାହାକଥା ଶୁଣିଲା ନାହିଁ । ସେ ଜମି ନ ନେଇ କେବଳ ଟଙ୍କା ନେବାକୁ ଜିଦ୍ ଧରି ବସିଲା ।

 

ଏତେ ଅଳ୍ପ ସମ୍ପତ୍ତିକୁ ଭାଗ ଭାଗ କରି ମୁଁ କେତେ ପାଇବି ? ଅଧା ସମ୍ପତ୍ତି ନେଇ ମୁଁ କ’ଣ କରିବି ? ମୁଁ ଜମିରୁ କୌଣସି ଭାଗ ନେବି ନାହିଁ ବୋଲି ସେ କହିବାକୁ ଲାଗିଲା ।

 

ଅପନ୍ନା ଆୟାଙ୍ଗାର ପୁଣି କହିଲା । ଆଚ୍ଛା ମୁଁ ସବୁ ଜମି ଚାଷ କରିବି । ଯାହା ଆୟ ହେବ ସେଥିରୁ ତୋତେ ଅଧା ଦେବି । ତୁ ଗାଁରେ ରହ । କିନ୍ତୁ ସେ ଭାଇ କଥାକୁ ମୋଟେ କର୍ଣ୍ଣପାତ କଲାନାହିଁ । ବରଂ ଏହା ପଛରେ ଭାଇର କିଛି ମତଲବ ଅଛି ବୋଲି ସନ୍ଦେହ କଲା । ସାନଭାଇ କଥାନୁସାରେ ଭିନ୍ନେ ହୋଇଗଲା । ସେଲ୍‌ବା ନାରାୟଣନ୍ ତା’ ଭାଗ ସମସ୍ତ ଟଙ୍କା ନେଇ ମାଡ଼୍ରାସ ଯାଇ ସେଠାରେ ଗୋଟିଏ ବହି ଦୋକାନ ଖୋଲିଲା । ସେଠାରେ କିଛିଦିନ ବ୍ୟବସାୟ ବେଶ୍ ଭଲ ଚାଲିଲା ।

 

ଅପନ୍ନା ଆୟାଙ୍ଗାର ମନକୁମନ ସାନ୍ତ୍ୱନା ଦେଇ କହିଲା ‘‘ସେ ଯଦି ତା’ର ବ୍ୟବସାୟରେ ଭଲକଲା ତେବେ ଭଲ କଥା ।”

 

ହଠାତ୍ ଦିନେ ସାନଭାଇ ଅଚାନକ ଆସି ଗାଁରେ ପହଞ୍ଚିଲା । ବଡ଼ ଭାଇକୁ କହିଲା ଭାଇ ତୁମେତ ଜଣେ ଜ୍ୟୋତିଷ, କହିଲ ଏବର୍ଷ ମୋର ବ୍ୟବସାୟ କିପରି ହେବ ? ଭଲ ହେବ ନା ଖରାପ ହେବ ।

 

“ତୋର ତ ଜ୍ୟୋତିଷ ବିଦ୍ୟା ଉପରେ ଆସ୍ଥା ନାହିଁ । ତୁ ଏ ପ୍ରଶ୍ନ କାହିଁକି ପଚାରୁଛୁ ?”

 

ସେଲ୍‌ବା ନାରାୟଣନ୍ କହିଲା ଭାଇ ମୁଁ ଏଥର ଗୋଟେ ନୂଆ ବ୍ୟବସାୟ କରିବାକୁ ଚାହୁଁଛି । ବହି ଦୋକାନରୁ ବିଶେଷ ଲାଭ ହେଉ ନାହିଁ । ଯାହା ମିଳୁଛି ସେଥିରେ କୌଣସିମତେ ଚଳିଯିବା କଥା । ଆଜିକାଲି ଲୋକମାନେ ବହୁତ ରୋଜଗାର କରୁଛନ୍ତି । ବଡ଼ ଧରଣର କିଛି କଲେ ଥରକେ ଦଶ କୋଡ଼ିଏ ହଜାର ମିଳିଯିବ । ମୋ ଜାତକ ଦେଖି ଟିକିଏ କୁହନା ମୋର ଏପରି କିଛି ପାଇବାର ଆଶା ଅଛି କି ନାହିଁ ।

 

ଅପନ୍ନା ଆୟାଙ୍ଗାର ଏହା ଶୁଣି କହିଲେ ସେଲ୍‌ବାନ୍, ମୁଁ କେବଳ ବିବାହପାଇଁ ଜାତକ ଗଣନା କରିବା, ଭଲ କାମପାଇଁ ଶୁଭମୁହୂର୍ଭ ସ୍ଥିର ଜ୍ୟୋତିଷ ବିଦ୍ୟା ଜାଣେ କରିବା ପରି । ତୁ ମୋତେ ଯେଉଁକଥା ପଚାରୁଛୁ ସେପରି ଗଣାଗଣି ମତେ ଆସେ ନାହିଁ । ତା’ ବ୍ୟତୀତ ଭବିଷ୍ୟତ ପାଇଁ ଜଣେ ଜ୍ୟୋତିଷ ଉପରେ ନିର୍ଭର କରିବା ଠିକ୍ ନୁହେଁ । ଭବିଷ୍ୟତ ପାଇଁ, ଜଣେ ବିଧିବଦ୍ଧ ଯୋଜନା କରିବା ଉଚିତ । କାହା ଭବିଷ୍ୟତ କ’ଣ ହେବ ତାହା ଭଗବାନଙ୍କ ହାତର କଥା । ଭବିଷ୍ୟତ ଜାଣିବାପାଇଁ ଚେଷ୍ଟା କରିବା ଉଚିତ ନୁହେଁ ବୋଲି ଶାସ୍ତ୍ରରେ ବ୍ୟବସ୍ଥା ରହିଛି ।

 

ତୁମେ ଯଦି କିଛି ନ କହିବ ତେବେ ଅନ୍ୟ କାହାକୁ ମୁଁ ପଚାରିବି କହି ସେଲ୍‌ବାନ୍ ସେଠାରୁ ଚାଲିଗଲା ।

 

ଭଉଣୀକୁ ଡାକି ଅପନ୍ନା ଆୟାଙ୍ଗାର କହିଲା ଏହା କିଛି ଶୁଭ ଲକ୍ଷଣ ନୁହେଁ ।

 

ଭଉଣୀ କହିଲା ଆମେ ଆଉ କ’ଣ କରି ପାରିବା ? ଭଗବାନ ଯାହା କରିବେ ।

 

ମ୍ୟାଲାପୋରରେ ଜଣେ ଜ୍ୟୋତିଷ ଥିଲେ । ସେଠାରେ ଥିବା ବଡ଼ବଡ଼ ଲୋକମାନଙ୍କ ସହିତ ତାଙ୍କର ବନ୍ଧୁତ୍ଵ ଥିଲା । ଅନେକ ତାଙ୍କ ସଙ୍ଗେ ବ୍ୟକ୍ତିଗତଭାବେ ପରାମର୍ଶ କରନ୍ତି । ତାଙ୍କର ଜଣେ ବନ୍ଧୁ ଭେଙ୍ଗୁ ଆୟାର ସେଲ୍‌ବା ନାରାୟଣନ୍‌ଙ୍କୁ ଜ୍ୟୋତିଷଙ୍କ ନିକଟକୁ ନେଇଯାଇଥିଲା ।

 

ଜ୍ୟୋତିଷ ଜଣଙ୍କ ସେଲ୍‌ବାନ୍ ନାରାୟଣନ୍‍ଙ୍କର ନାମ ଓ ରାଶି କ’ଣ ବୋଲି ପଚାରିଥିଲେ ।

 

ତା’ପରେ ଜ୍ୟୋତିଷ ଗୁଡ଼ାଏ ତାଳପତ୍ର ନେଇ ସେଥିରୁ ଗୋଟାଏ ଉଠାଇବା ଲାଗି ତାକୁ କହିଥିଲେ । ତା’ପରେ ସେ ଉଠାଇଥିବା ପତ୍ରଟି ପାଟିକରି ପଢ଼ିଥିଲେ “ତୁମକୁ ଅଣତିରିଶବର୍ଷ ବେଳେ ତୁମେ ଅନେକ ଧନସମ୍ପତ୍ତି ଲାଭ କରିବ । ତୁମେ ଭାଇଙ୍କ କଥା ନଶୁଣି ମାଡ଼୍ରାସ ଚାଲି ଆସିଛ ଏବଂ ଏଠାରେ ଗୋଟିଏ ବହି ଦୋକାନ ଦେଇଛ । ଏହା ବ୍ୟତୀତ ଜ୍ୟୋତିଷ ମଧ୍ୟ ଆଉ କେତେକ କଥା କହିଲେ ।

 

ଜ୍ୟୋତିଷ ତା’ ଜୀବନରେ ଘଟି ଯାଇଥିବା ଘଟଣାଗୁଡ଼ିକୁ ଏପରି ନିର୍ଭୁଲଭାବେ କହି ଯାଉଥିବା ଶୁଣି ସେ ତାଙ୍କ ଉପରେ ଅନେକ ବିଶ୍ଵାସ କଲା । ସେ ଜ୍ୟୋତିଷଙ୍କୁ ପାଞ୍ଚ ଟଙ୍କା ଯାଚିଲା-। ମାତ୍ର ସେ ଟଙ୍କା ନେଲେ ନାହିଁ ।

 

ଭେଙ୍ଗୁ ଆୟାର କହିଲା ସେ କାହାଠାରୁ ଟଙ୍କା ନିଅନ୍ତି ନାହିଁ । ସେ ଭାରି ସଚ୍ଚୋଟ ଲୋକ । ଏକଥା ଶୁଣି ସେଲ୍‌ବା ନାରାୟଣନ୍ ଅନେକ ଖୁସି ହେଲା ।

 

ଭେଙ୍ଗୁ ଆୟାର କହିଲା, ଆଗକୁ ତ ତୁମର ଭଲ ସମୟ ପଡ଼ିବ । କିନ୍ତୁ ତୁମେ କି ବ୍ୟବସାୟ କରିବ ପ୍ରଥମେ ଠିକ୍ କର ।

 

ସେ ଜ୍ୟୋତିଷର ପ୍ରଶଂସା କରି ଅନେକ କଥା କହିଲା । ଏ ସବୁ ଶୁଣି ଜ୍ୟୋତିଷ କଥା ଉପରେ ସେ ଅଧିକ ବିଶ୍ଵାସ କଲା ।

 

ଏ ଘଟଣା ଘଟିବାର ତୃତୀୟ ଦିନ ଚିତୋର ଭେଙ୍କଟ ପତି ରେଡ଼ିୟାର ସେହି ଜ୍ୟୋତିଷ ଘରକୁ ଯାଇଥିଲା ।

 

ଜ୍ୟୋତିଷ ତାଙ୍କୁ ବସିବାକୁ ଇଙ୍ଗିତ ଦେଇ କହିଲେ ଯୋଜନାନୁସାରେ ସବୁ କାମ ହେଇଯାଇଛି । ମୁଁ ମୋ କାମ ସାରି ଦେଇଛି । ଏଣିକି ତୁମେ ତୁମ କାମ କର । ଏପଟ ସେପଟକୁ ଚାହିଁ, ପାଖରେ କେହି ନାହିଁ ନିଶ୍ଚିତ ହେବାପରେ ଜ୍ୟୋତିଷଙ୍କ ହାତରେ ସେ ଗୋଟିଏ ଶହେ ଟଙ୍କିଆ ନୋଟ୍ ଗୁଞ୍ଜିଦେଲା । ଜ୍ୟୋତିଷ ଗୋଟିଏ ବାକ୍‌ସରେ ଟଙ୍କାକୁ ରଖିଦେଲେ । ତା’ପରେ ରେଡ଼ିୟାରକୁ ବିଦାୟ ଦେଲେ ।

 

ତା’ପରେ ରେଡ଼ିୟାର ସେଲ୍‌ବାନ୍‍ଙ୍କୁ ଭେଟି ନୂତନ ‘‘ଚିତୋର ମାଙ୍ଗାନିଜ୍ ରପ୍ତାନି “କମ୍ପାନୀର” ଉଜ୍ଜ୍ୱଳ ଭବିଷ୍ୟତ ସମ୍ପର୍କରେ ଅନେକ କଥା ଶୁଣାଇଲା ।

 

ରେଡ଼ିୟାର କହିଲା ଏ କମ୍ପାନୀ ମୋଟେ ଆଠ ଦିନ ହେଲା ଚାଲୁ ହୋଇଛି । ବଡ଼ବଡ଼ ବ୍ୟବସାୟୀମାନେ ପ୍ରାୟ ସମସ୍ତ ଅଂଶ କିଣି ନେଲେଣି । ଆଉ ମୋଟେ ପାଞ୍ଚଟା ସେୟାର ଅଛି । ସେ ସବୁ ମୁଁ ତୁମପାଇଁ ରଖିଛି ।

 

ସେଲ୍‌ବା ନାରାୟଣନ୍ କହିଲା ମୁଁ ଜଣେ ଛୋଟ ବ୍ୟବସାୟୀ ଏତେ ବଡ଼ ବ୍ୟବସାୟରେ ମୁଁ କ’ଣ କରିବି ?

 

ରେଡ଼ିୟାର କହିଲା ତୁମେ ଏପରି ସୁବର୍ଣ୍ଣ ସୁଯୋଗ ହରାଇବା ଉଚିତ ନୁହେଁ । ତିରୁପତି ସ୍ୱାମୀନାଥନ୍ ଶର୍ମା ତୁମ କଥା ମୋତେ କହିଛନ୍ତି । ସେ ତୁମକୁ ପୂରାଟଙ୍କା ଦେଇ ତୁମର ବହି ଦୋକାନ କିଣି ନେବେ । ତୁମେ ଯଦି ସେ ପୂରାଟଙ୍କା ଏଥିରେ ଖଟାଇବ ତେବେ ଆସନ୍ତା ମାସରେ ତୁମଠୁ ସେୟାର କିଣିବା ଲାଗି ଅନେକ ଲୋକ ପ୍ରତିଦ୍ଵନ୍ଦ୍ୱିତା କରିବେ । ତୁମେ ଯେତିକିରେ ସେୟାର କିଣିବ ତା’ର ଦେଢ଼ା ମୂଲ୍ୟ ଦେଇ ସେମାନେ ତୁମଠାରୁ ସେୟାର କିଣିବେ । ଯେଉଁଠି ଶତକଡ଼ା ୩୫ ଭାଗ ଲାଭାଂଶ ମିଳିବ ସେପରି ସ୍ଥଳେ କିଏବା ସେୟାର ନ କିଣିବ ?

 

କଫି ପିଇ ସେମାନେ ଦୀର୍ଘ ସମୟ ଧରି ଆଲୋଚନା କଲେ । ଆଗାମୀ କାଲି ପୁଣି ଆଲୋଚନା କରିବାକୁ ଠିକ୍‌ କରି ରେଡ଼ିୟାର ସେଠାରୁ ବିଦାୟ ନେଇ ଚାଲିଗଲା । ଅଳ୍ପରେ କହିଲେ ସେଲ୍‌ବା ନାରାୟଣନ୍ ଆଠ ହଜାର ଟଙ୍କାରେ ତା’ର ପୂରା ବହି ଦୋକାନଟି ବିକିଦେଲା ଓ ଭାବିଲା ଜ୍ୟୋତିଷ କଥା ଏବେ ସତ ହେଲା । ନୂଆ କମ୍ପାନୀରେ ସେ ତା’ର ସମସ୍ତ ଟଙ୍କା ଖଟାଇ ପାରିଥିବାରୁ ବହୁତ ଖୁସିହେଲା ।

 

ବିଶ୍ଵନାଥ ଆୟାର ନାମକ ଜଣେ ଦଲାଲ ଆସି ସେଲ୍‌ବାନ୍‍କୁ ପଚାରିଲା ‘‘ତୁମେ ତୁମର ସେୟାର ମୋତେ ବିକ୍ରି କରିବକି ? ୧୫ ଟଙ୍କା କିସ୍ତିରେ ମୁଁ ପରିଶୋଧ କରିବି ।”

 

ସେଲ୍‌ବାନ୍ ନାରାୟଣନ୍ ଭେଙ୍କଟପତି ରେଡ଼ିୟାରଙ୍କ ସଙ୍ଗେ ଆଲୋଚନା କରିବା ପରେ ତାଙ୍କୁ ଜଣାଇବ ବୋଲି କହିଲା ।

 

ତା’ ପରଦିନ ଆପଣା ଛାଏଁ ରେଡ଼ିୟାର ଆସି ସେଠାରେ ପହଞ୍ଚିଲା ଓ ତାକୁ କହିଲା ତୁମେ ତୁମର ସେୟାରଗୁଡ଼ିକୁ ବିକ୍ରି କରନାହିଁ । ଆଉ କିଛିଦିନ ଯାଉ ମୁଁ ତୁମର ଦଶ ଟଙ୍କିଆ ସେୟାରଗୁଡ଼ିକୁ କୋଡ଼ିଏ ଟଙ୍କାରେ ବିକ୍ରି କରାଇଦେବି । ଏ ଦଲାଲ ଗୋଟାଏ ନିହାତି ଠକଲୋକ । ସେ ତୁମଠାରୁ ସେୟାର କିଣିନେଇ ତାକୁ ବିକି ପ୍ରଚୁର ଲାଭ କରିବାକୁ ଚାହୁଁଛି । ଏମିତି ତରତର ହୋଇ ସେ ସବୁ ବିକ୍ରି କରି ଦିଅନାହିଁ ।

 

ସେଲ୍‌ବାନ୍ ନାରାୟଣନ୍‍ର ଲୋଭ ବଢ଼ିବାକୁ ଲାଗିଲା । ସେ ତା’ ସେୟାରଗୁଡ଼ିକ ବିକିବ ନାହିଁ ବୋଲି ବିଶ୍ଵନାଥ ଆୟାରକୁ କହିଲା । ଦଲାଲ ଜଣକ ସେ ସବୁ କିଣି ନପାରି ଅତିମାତ୍ରାରେ ଦୁଃଖିତ ହେବାର ଛଳନା କରି ତା’ ପାଖରୁ ଚାଲି ଯାଇଥିଲା ।

 

ଏହି ଘଟଣାର ଠିକ୍‌ ଦୁଇମାସ ପରେ ଦିନେ ସେଲ୍‌ବାନ୍ ନାରାୟଣନ୍ ଖବରକାଗଜ ପଢ଼ୁଥିଲା । ସେଥିରେ ଗୋଟିଏ ସମ୍ବାଦ ଥିଲା । ସେଥିରୁ ଜାଣିଲା ଯେ ଚିତୋର ମାଙ୍ଗାନିଜ୍ ରପ୍ତାନି କମ୍ପାନୀ ତା’ର ସମସ୍ତ ସମ୍ପତ୍ତି ହରାଇଛି ଏବଂ କମ୍ପାନୀଟି ବନ୍ଦ ହୋଇ ଯାଇଛି । ଏକଥା ପଢ଼ି ତା’ ମୁହଁ ଶୁଖିଗଲା, ହାତଥରି ଉଠିଲା ଏବଂ ସେ ଅଚେତ ହୋଇ ପଡ଼ିଲା । ଚେତା ଫେରିବା ପରେ ସେ ଉଠି ସିଧା ଜ୍ୟୋତିଷ ପାଖକୁ ଚାଲିଥିଲା । ମାତ୍ର ଯେଉଁ ଘରେ ଜ୍ୟୋତିଷ ରହୁଥିଲା ସେଠାରେ ଅନ୍ୟମାନେ ଥିଲେ । ଜ୍ୟୋତିଷର କୌଣସି ସନ୍ଧାନ ମିଳିଲା ନାହିଁ ।

 

ସେ ଦିନ ସକାଳେ ସାନଭାଇ ଆସି ଗାଁରେ ପହଞ୍ଚିଲା । ଅପନ୍ନା ଆୟାଙ୍ଗାର ସାନଭାଇକୁ ବୁଝାଇ କହିଲା ଯାହାତ ହେବାର ହେଲାଣି । ବ୍ୟସ୍ତ ହୁଅନାହିଁ । ଏଣିକି ତୁ ଏଇଠି ରହ-। ଆମେ କୌଣସିମତେ ଚଳିଯିବା ।

 

କମଳାମ୍ମାଲ କହିଲା ଏ ସବୁ ଭଗବାନଙ୍କ ଇଚ୍ଛା । ତୁ ଗାଁକୁ ଫେରି ଆସିଛୁ । ଆମେ ସମସ୍ତେ ଭାରି ଖୁସି ।

 

କାନ୍ଦୁଥିବା ସାନ ଭାଇକୁ ସାନ୍ତ୍ୱନା ଦେଇ ଅପନ୍ନ ଆୟାଙ୍ଗାର କହିଲା ତୁ ବ୍ୟସ୍ତ ହୁଅ ନାହିଁ-। ଭଗବାନଙ୍କ ଆଶୀର୍ବାଦରୁ ସବୁ ଠିକ୍‍ଠାକ୍ ହୋଇଯିବ ।

 

ସେଲ୍‌ବାନ୍ ଆୟାର କହିଲା ଜ୍ୟୋତିଷ ମୋତେ ଠକିଦେଲା, ଅନ୍ୟ ସମସ୍ତେ ମୋତେ ଚିତାକାଟି ଚାଲିଗଲେ ।

 

କମଳାମ୍ମାଲ କହିଲା ତୋତେ ମାଡ଼୍ରାସ ନଯିବାକୁ ମୁଁ କହିଥିଲି । ତୁ ଶୁଣିଲୁ ନାହିଁ । ଅପନ୍ନା ଆୟାଙ୍ଗାର କହିଲା ଛାଡ଼ ଗଲାକଥା ଗଲାଣି । ସେ କଥା ଭାବି ଆଉ ଲାଭ ନାହିଁ । କାଲି ପଙ୍ଗଲ । କ’ଣ ସବୁ କରିବ ଠିକ୍‌ଠାକ୍ କର ।

Image

 

ଅଦ୍ଵୈତବାଦ ଉପରେ ଗବେଷଣା

 

ରାମଚନ୍ଦ୍ର ଶର୍ମା ଦକ୍ଷିଣମୂର୍ତ୍ତ ଶାସ୍ତ୍ରୀଙ୍କ ପୁଅ । ସେ ସଂସ୍କୃତରେ ପଣ୍ଡିତ ଥିଲେ । ତାଙ୍କର ସାହିତ୍ୟ ବ୍ୟାକରଣ ଏବଂ ଶାସ୍ତ୍ର ଉପରେ ଗଭୀର ଜ୍ଞାନ ଥିଲା । ବନାରସରେ ଜଣେ ବିଦ୍ଵାନ ଅଦ୍ଵୈତବାଦୀ ପଣ୍ଡିତଙ୍କ ପାଖରେ ଦୀର୍ଘ ପାଞ୍ଚବର୍ଷ ରହିବା ପରେ ସେ ତାଙ୍କ ଗାଁକୁ ଫେରି ଆସିଥିଲେ । ତାଙ୍କ ବାପା ବୁଢ଼ା ହୋଇଯିବା ହେତୁ ପରିବାରର ଭରଣପୋଷଣ ଭାର ଏବେ ତାଙ୍କ ଉପରେ ପଡ଼ିଛି ।

 

ଦାରିଦ୍ର୍ୟ ମଧ୍ୟରେ ଏ ପରିବାରକୁ ସଂଗ୍ରାମ କରିବାକୁ ପଡ଼ିଥିଲା । ତାଙ୍କ ବାପାଙ୍କ ମୃତ୍ୟୁ ପରେ ରାମଚନ୍ଦ୍ର ଶର୍ମା ତାଙ୍କ ମା’ଙ୍କୁ ସଙ୍ଗରେ ନେଇ କାଞ୍ଚିଭରମ ଚାଲିଗଲେ । ସେଠାରେ ସେ କୌଣସିମତେ ଚଳି ଯାଉଥିଲେ । ତାଙ୍କ ମା’ ମରିଗଲା ପରେ ଶର୍ମା କାଞ୍ଚିଜ୍ଞାନଦା ସନ୍ନ୍ୟାସୀ ମଠରେ ଯୋଗ ଦେଲେ । ସେ ମଠର ମହନ୍ତଙ୍କର ସେ ଅତି ପ୍ରିୟ ଥିଲେ । ଶାସ୍ତ୍ରରେ ତାଙ୍କର ପାଣ୍ଡିତ୍ୟ ହେତୁ ସେ ତାଙ୍କୁ ବିଶେଷ ସମ୍ମାନ କରୁଥିଲେ ।

 

ମଠରେ ପାଞ୍ଚ ଜଣ ଶିଷ୍ୟ ଥିଲେ । ଖୁବ୍ ଶୀଘ୍ର ଏବଂ ଅତି ସହଜରେ ଶର୍ମା ତାଙ୍କର ପ୍ରଧାନ ଶିଷ୍ୟ ହୋଇ ପାରିଥିଲେ ।

 

ଶିଷ୍ୟମାନଙ୍କ ମଧ୍ୟରେ ଭେଙ୍କଟେଶ୍‍ ଶାସ୍ତ୍ରୀ ଅନ୍ୟତମ । ସେ ଖୁବ୍ ବିଦ୍ଵାନ ନଥିଲେ ମଧ୍ୟ ତାଙ୍କ ଆଚାର ବ୍ୟବହାର ଓ ଭକ୍ତିପାଇଁ ତାଙ୍କୁ ସମସ୍ତେ ଭଲ ପାଉଥିଲେ । ସେ ରାମଚନ୍ଦ୍ର ଶର୍ମାଙ୍କୁ ବହୁତ ସମ୍ମାନ ଦେଖାଉଥିଲେ । ଏବଂ ନିଜେ ପଢ଼ି ନଥିବା ଶାସ୍ତ୍ର ତାଙ୍କଠାରୁ ଅଧ୍ୟୟନ କରୁଥିଲେ । ଅନ୍ୟମାନେ ତାଙ୍କୁ ଗୁରୁ ପରି ଦେଖୁଥିବାରୁ ତାଙ୍କ ମନରେ ଅହଂକାର ଭାବ ଜାତ ହୋଇଥିଲା ।

 

ପ୍ରଥମେ ସେ ତାହା ନିଜେ ମଧ୍ୟ ଜାଣି ପାରି ନଥିଲେ । କିନ୍ତୁ ପରେ ସେ ଓ ଅନ୍ୟମାନେ ଏହା ଭଲଭାବେ ଜାଣିପାରିଥିଲେ । ତାଙ୍କର ଏ ଅହଂଭାବ ଦେଖି କେହି କିଛି ମନେ କରି ନଥିଲେ-। ପାଣ୍ଡିତ୍ୟ ସହିତ ଅହଂଭାବ ରହିବହିଁ ରହିବ । ସେ’ତ ସହଜେ ବିଭିନ୍ନ ଶାସ୍ତ୍ରରେ ପଣ୍ଡିତ ଥିଲେ-। ଏଟା ତାଙ୍କର ଭୁଲ ନୁହେଁ ବୋଲି ଜ୍ଞାନାନନ୍ଦ ସ୍ଵାମୀ ତାଙ୍କର ଶିଷ୍ୟମାନଙ୍କୁ ବୁଝାଇ ଦେଇଥିଲେ-

 

ଦିନେ ରାମଚନ୍ଦ୍ର ଶର୍ମା ଭେଙ୍କଟେଶ୍ ଶାସ୍ତ୍ରୀଙ୍କ ବୁଢ଼ୀମା ସଙ୍ଗେ କଥା ହେଉଥିଲେ ।

 

ଗୋମତୀ ଅମ୍ମଲ କହିଲେ ତୁମେ ମୋ ପୁଅକୁ ଅନେକ ଶାସ୍ତ୍ର ପଢ଼ାଇ ଦେଲ । ଭଗବାନ ତୁମର ମଙ୍ଗଳ କରନ୍ତୁ ।

 

ଶର୍ମା କହିଲେ ତୁମର ପୁଅ ନିଶ୍ଚିତଭାବେ ଜଣେ ବିଦ୍ୱାନ ଲୋକ । କିନ୍ତୁ ସେ ଅଦ୍ଵୈତବାଦ କ’ଣ ତାହା ବୁଝିପାରୁ ନାହାନ୍ତି । ସେ ସବୁର ବ୍ୟାଖ୍ୟା ଯେତେବେଳେ ବୁଝାଯାଏ ସେତେବେଳେ ସେ ସମସ୍ତ ପ୍ରକାର ଆପତ୍ତି ଉଠାନ୍ତି । ମୁଁ ଗୋଟାଏ ପ୍ରକାରର, ତୁମେ ଗୋଟିଏ ପ୍ରକାରର, ସେ ଗୋଟାଏ ପ୍ରକାରର ବୋଲି ମାୟା ଜଣକୁ ଭ୍ରାନ୍ତ ଧାରଣା ଦେଇଥାଏ । ତା’ର ଉର୍ଦ୍ଧ୍ୱକୁ ସେ ଯାଇ ପାରେନାହିଁ, ସେ ଦ୍ଵୈତବାଦୀ କ’ଣ ହୋଇ ରହିଯିବ ବୋଲି ମୋର ଆଶଙ୍କା ହୁଏ ।

 

ଗୋମତୀ ଅମ୍ମଲ ଦ୍ଵୈତବାଦ କ’ଣ ବୋଲି ଜାଣିବାକୁ ଚାହିଁଲେ । “ଏହା ଧର୍ମ ସମ୍ବନ୍ଧୀୟ ଏକ ଭ୍ରାନ୍ତ ମତବାଦ । ସାଧୁମାନେ ଏହି ମତ ପୋଷଣ କରିଥାଆନ୍ତି ।

 

ଗୋମତୀ ଅମ୍ମଲ ବ୍ୟସ୍ତ ହୋଇ କହିଲେ ‘ହେ ଭଗବାନ’ । ଅଜ୍ଞତା ହେତୁ ତାଙ୍କ ପୁଅ ଖରାପ ହେଇଯିବ ବୋଲି ସେ ଆଶଙ୍କା ପ୍ରକାଶ କଲେ ।

 

ମଠ ପାଖକୁ ଲାଗି ରାଜାପାଲାୟମ ବୋଲି ଜଣେ ଧନୀଲୋକ ରହୁଥିଲେ । ତାଙ୍କର ତିନିଗୋଟି କୁକୁର । ଗାଈ ମଇଁଷି ଓ ଅନେକଗୁଡ଼ିଏ କୁକୁଡ଼ା ଥିଲେ । ତାଙ୍କ ଘରେ ସବୁବେଳେ ଧୁମ୍‍ଧାମ୍ ହସଖୁସି ଚାଲିଥାଏ ।

 

ରାତିଅଧରେ ଯେତେବେଳେ ରାଜାପାଲାୟମଙ୍କ ଘରେ କୁକୁର ଭୁକିଲା ସେତେବେଳକୁ ମଠରେ ସମସ୍ତେ ଗଭୀର ନିଦରେ ଶୋଇ ପଡ଼ିଥିଲେ । କୁକୁର ଭୁକିବା ହେତୁ ଭେଙ୍କେଟଶ ଶାସ୍ତ୍ରୀଙ୍କ ନିଦ ଭାଙ୍ଗିଗଲା । ରାତିରେ କୁକୁରଟା ଏପରି ଭୁକୁଥିବା ଶୁଣି ସେ ବ୍ୟସ୍ତ ହୋଇ ଉଠିଲେ । ସେ ରାମଚନ୍ଦ୍ର ଶର୍ମାଙ୍କୁ ନିଦରୁ ଉଠାଇଲେ ।

 

ଶାସ୍ତ୍ରୀ କହିଲେ ଏ କୁକୁରଟା ମଣିଷ ପରି ବିକଳ ହୋଇ କାନ୍ଦୁଛି । ମୁଁ ଏହା ସହି ପାରୁନାହିଁ ।

 

ଶର୍ମା କହିଲେ ଓଃ ଆପଣ ଭୟ କରୁଛନ୍ତି କାହିଁକି ? ଚନ୍ଦ୍ରକୁ ଦେଖି କୁକୁରଟା ଏମିତି ଭୁକୁଛି । କୁକୁରମାନେ ଏମିତି ଭୁକନ୍ତି ସେ କଥା କ’ଣ ଜାଣି ନାହାନ୍ତି ? ଯାଆନ୍ତୁ ଚୁପ୍‍ଚାପ୍ ଶୋଇ ପଡ଼ନ୍ତୁ ।

 

ଶାସ୍ତ୍ରୀ କହିଲେ ଆକାଶରେ ଚନ୍ଦ୍ର ନାହିଁ ? ଆଜି ଅମାବାସ୍ୟା ପରେ ଦ୍ଵିତୀୟା । ବାହାରକୁ ଚାହାଁନ୍ତୁ । ଚାରିଆଡ଼େ ଗାଢ଼ ଅନ୍ଧକାର । ଏହା ସତ୍ତ୍ଵେବି ଦେଖନ୍ତୁ କୁକୁରଟା କିପରି ଭୁକୁଛି-। ମୋର ମନେ ହେଉଛି କୁକୁରଟା ଖୁବ୍ କଷ୍ଟ ପାଉଛି । ମୁଁ ଯାଇ ଦେଖିବିକି ତା’ର କ’ଣ ହେଇଛି-?

 

ଶର୍ମା କହିଲେ ତୁମେ ନିର୍ବୋଧ । କୁକୁରର କ’ଣ ହେଲା ନହେଲା ସେଥିରେ ଆମର କ’ଣ ଯାଏଁ ଆସେ ? ତୁମେ ଯାଅ ଶୋଇବ । ତୁମକୁ ଯଦି ନିଦ ନହେଉଛି ନାହିଁ ତୁମେ ଅନ୍ୟମାନଙ୍କୁ ଅଯଥା ଶୁଆଇ ଦେଉନାହଁ କାହିଁକି ?

 

ରାମଚନ୍ଦ୍ର ଶର୍ମା ଶୋଇବାକୁ ଗଲେ । ରାତିସାରା କୁକୁର ବୋବାଇ ଚାଲିଥାଏ । ତା’ପରେ ଭେଙ୍କଟଶ ଏତେ ଟିକିଏ ହେଲେବି ଆଉ ଶୋଇ ପାରି ନାହାନ୍ତି । ସେ ବିମର୍ଷ ହୋଇ ଉଠିଲେ । କୁକୁରଟିର ଯନ୍ତ୍ରଣା ତାଙ୍କ ଉପରେ କାହିଁକି ରେଖାପାତ କରୁଛି ବୋଲି ସେ ନିଜକୁ ପଚାରିଲେ । ସେ ଗୋଟିଏ ସ୍ଵତନ୍ତ୍ର ପ୍ରାଣୀ; ମୁଁ ଗୋଟିଏ ସ୍ଵତନ୍ତ୍ର ପ୍ରାଣୀ । କୁକୁର ଭୁକିବା ହେତୁ ମୁଁ କାହିଁକି କଷ୍ଟ ପାଉଛି । ଏହା କ’ଣ ମୋର ଅଜ୍ଞାନତା ? ତା’ର କଷ୍ଟ କାହିଁକି ମୋ କଷ୍ଟର କାରଣ ହେଉଛି ?

 

ତା’ ପରଦିନ ଅପରାହ୍ନ–ବିଶ୍ରାମ ସମୟରେ ସେ ଯାଇ ଜ୍ଞାନାନନ୍ଦ ସ୍ଵାମୀଙ୍କ ସମ୍ମୁଖରେ ଅତି ବିନୟଭାବେ ଠିଆ ହୋଇ ରହିଲେ ।

 

ସନ୍ନ୍ୟାସୀ ପଚାରିଲେ ଭେଙ୍କଟେଶ୍‍ ଶାସ୍ତ୍ରୀ, ଖବର କ’ଣ ? ତମର ସବୁ ଭଲତ ?

 

ସେ କହିଲେ ମୋର ସବୁ ଭଲ । କିନ୍ତୁ ଆମ ପଡ଼ୋଶୀ ରାଜୁ ଘରେ ଗଲା ରାତିଯାକ ଗୋଟାଏ କୁକୁର ଭୁକି ଚାଲିଛି । ମୁଁ ଟିକିଏ ହେଲେ ଶୋଇ ପାରିନାହିଁ । ତା’ର କଷ୍ଟ ମୋତେ ବ୍ୟଥିତ କରିଛି । ଏହା କ’ଣ ମୋର ଅଜ୍ଞାନତା ? “ଏହା ଅଜ୍ଞାନତା ନୁହେଁ ଜ୍ଞାନ” ।

 

ଭେଙ୍କଟେଶ୍‍ ଶାସ୍ତ୍ରୀ ପୁଣି ପଚାରିଲେ ଗୋଟିଏ ପ୍ରାଣୀ ଦୁଃଖ ଭୋଗିଲେ ଅନ୍ୟ ପ୍ରାଣୀକୁ ଦୁଃଖ ଲାଗେ । ଏହାର କାରଣ କ’ଣ ?

 

ସନ୍ନ୍ୟାସୀ ପଚାରିଲେ ସବୁ ଜୀବନ କ’ଣ ଏକ ନୁହେଁ ? ଗୋଟିଏ ଦେହ ଅନ୍ୟ ଦେହଠୁ ଭିନ୍ନ ହେଲେହେଁ ସୁଖ, ଦୁଃଖ କିନ୍ତୁ ସମପରିମାଣରେ ସମସ୍ତଙ୍କୁ ପ୍ରଭାବିତ କରିଥାଏ । ଏହି କାରଣରୁ ଅନ୍ୟ ପ୍ରତି ଯେଉଁ ମନୋଭାବ ପ୍ରକାଶ କରାଯାଏ ତାକୁ ସମବେଦନା କୁହାଯାଏ । ସବୁ ଜୀବନ ଯେ ଏକ ଏହାହିଁ ହେଉଛି ତା’ର ପ୍ରତ୍ୟକ୍ଷ ପ୍ରମାଣ । ତାହାହିଁ ହେଉଛି ଅଦ୍ଵୈତବାଦର ମୂଳତତ୍ତ୍ୱ ।

 

ତା’ପର ଦିନ ଭେଙ୍କଟେଶ୍‍ ଶାସ୍ତ୍ରୀ ସନ୍ନ୍ୟାସୀଙ୍କ ପାଖକୁ ଯାଇ ନମ୍ରତାର ସହିତ କହିଲେ–‘ମହାଶୟ ଗତକାଲି ମୋତେ ଯାହା କହିଥିଲେ ଆଜି ଆଉ ଟିକିଏ ବୁଝାଇ ଦିଅନ୍ତୁ ।’

 

“ତୁମେ ସହାନୁଭୂତିର ଶକ୍ତି ଓ ଅଦ୍ୱୈତବାଦର ସତ୍ୟତା ମଧ୍ୟରେ କି ସମ୍ପର୍କ ରହିଛି ଜାଣିବାକୁ ଚାହୁଁଛକି ?”

 

ହଁ ମୁଁ ସେହି ବିଷୟ ଜାଣିବାକୁ ଚାହୁଁଛି । ହୃଦୟରେ ଏହି ସହାନୁଭୂତି କାହିଁକି ଗଭୀର ରେଖାପାତ କରେ ନାହିଁ ? ଏହି ଭାବ କାହିଁକି କେତେକଙ୍କୁ ସାମାନ୍ୟ ଓ ଆଉ କେତେକଙ୍କୁ ଅଧିକ ପରିମାଣରେ ପ୍ରଭାବିତ କରିଥାଏ ? କେତେକ କଠିନ ହୃଦୟ ବ୍ୟକ୍ତି ମଧ୍ୟ ଅଛନ୍ତି । ଅଦ୍ୱୈତବାଦ ଯଦି ଏକ ଚିରନ୍ତନ ସତ୍ୟ ତେବେ ତାହା ସମସ୍ତଙ୍କଠାରେ ସମାନ ପରିମାଣରେ ଦେଖାଯାଏ ନାହିଁ କାହିଁକି ? ପାଲାର ନଦୀ ପରି ଏହିଭାବ ସେମାନଙ୍କ ହୃଦୟରେ ଶୁଖି ଯାଇଛି କାହିଁକି ବୋଲି ଭେଙ୍କଟେଶ୍‍ ଶାସ୍ତ୍ରୀ ଜାଣିବାକୁ ଚାହିଁଲେ ।

 

ତୁମେ, ମୁଁ, ସେ ମଧ୍ୟରେ ଆମେ ଯେ ପାର୍ଥକ୍ୟ ଦେଖୁଛେ, ମିଛକୁ ସତରୂପେ ଗ୍ରହଣ କରି ନେଉଛେ, ସେ ସବୁ ମାୟାର ପ୍ରଭାବ ।

 

ପର ଉଠିବା ପରେ ପକ୍ଷୀ ଯେ ଉଡ଼ିବାକୁ ଚେଷ୍ଟା କରୁଛି ତା’ର କାରଣ ହେଉଛି ଏହା ତା’ର ପ୍ରବୃତ୍ତି । ଧୀରେ ଧୀରେ ସେ ଉଡ଼ିବାର କୌଶଳକୁ ଆୟତ୍ତ କରି ନେଉଛି । ଠିକ୍ ସେହିପରି ଅଦ୍ୱୈତବାଦ ମଣିଷ ଭିତରେ ଧୀରେ ଧୀରେ କାମ କରିଚାଲେ । ତାହାହିଁ ସମବେଦନା । ଅନ୍ୟର ଦୁଃଖ ଆମ ଆଖିରେ ଲୁହ ଆଣିଦିଏ । ଆମେମାନେ ଚେଷ୍ଟା କରି ଏସବୁ ପ୍ରତି ଉଦାସୀନ ରହିଯାଉ, ତା’ପରେ ଏହା ନିଃଶେଷ ହୋଇଯାଏ ।

 

ମାୟା ସତ୍ୟକୁ ଲୁକ୍କାୟିତ ରଖେ ଠିକ୍ ଯେମିତି ପଞ୍ଜରା ଭିତରେ ଆବଦ୍ଧ ପକ୍ଷୀ ଉଡ଼ିପାରେ ନାହିଁ ।

 

ଯଦି ସମବେଦନା ଭାବ ବୃଦ୍ଧି ପାଏ ତେବେ ତାହା ଅଦ୍ୱୈତବାଦ ଜ୍ଞାନକୁ ବିକଶିତ କରିବ କି ବୋଲି ଭେଙ୍କଟେଶ୍‍ ଶାସ୍ତ୍ରୀ ଜାଣିବାକୁ ଚାହିଁଲେ । “ହଁ ଋଷିମାନେ ଉପନିଷଦରେ ସେହି କଥା କହିଛନ୍ତି । ତମେ କ’ଣ ଏକଥା ଜାଣିନାହଁ ? ତୁମେ ନିଜ ଜୀବନକୁ ଯେପରି ଦେଖ ସେହିପରି ଅନ୍ୟ ଜୀବନକୁ ଦେଖିବାକୁ ଚେଷ୍ଟାକର । ତେବେ ଯାଇ ତୁମେ ହୃଦ୍‍ବୋଧ କରି ପାରିବ ଯେ ସେମାନଙ୍କର ସୁଖ ଦୁଃଖ ତୁମର ସୁଖ ଦୁଃଖ ବୋଲି । ତୁମ ଜୀବନ ଅନ୍ୟମାନଙ୍କ ଦେହ ଭିତରେବି ରହିଛି । ଯଦି ତୁମେ ଏପରି ଭାବିବାକୁ ଶିକ୍ଷା କରିପାରିବ ତେବେ ତୁମେ କାହାକୁ ଭୟ କିମ୍ବା ଈର୍ଷା କରିବ ନାହିଁ ।”

 

ଏଇ ସବୁ ଋଷିବାକ୍ୟ ତୁମେ କ’ଣ ପଢ଼ିନାହଁ ?

 

ହଁ ହଁ ଏପରି କଥା ଜାଣିଛି । କିନ୍ତୁ ତାହା ଅଦ୍ୱୈତବାଦ ବୋଲି କୁହା ଯାଇନାହିଁ । ଶାସ୍ତ୍ରୀ କହିଲେ ।

 

ସନ୍ନ୍ୟାସୀ କହିଲେ ପରବର୍ତ୍ତୀ ଅଂଶଟି ପାଠକର ।

 

ଭେଙ୍କଟେଶ୍‍ ଶାସ୍ତ୍ରୀ ଗୁରୁଙ୍କୁ ଭୂମିଷ୍ଠ ଦଣ୍ଡବତ କରି ବିଦାୟ ନେଲେ । ସେ ବାରମ୍ବାର ଉପନିଷଦର ଦୁଇଟିଯାକ ଅଂଶ ପଢ଼ିବାକୁ ଲାଗିଲେ । “ଯେ ନିଜକୁ ଅନ୍ୟମାନଙ୍କ ଦେହ ଭିତରେ ଦେଖିପାରେ ଏବଂ ଅନ୍ୟମାନଙ୍କୁ ଆପଣା ଦେହ ଭିତରେ ଦେଖିପାରେ ତା’ପାଇଁ ମାୟା କ’ଣ ? ଦୁଃଖ, କ’ଣ ? ସମସ୍ତେ ସମାନ ବୋଲି ସେ ଅନୁଭବ କରିପାରେ । ଋଷିଙ୍କର ଏହି ଉକ୍ତି ସେ ବାରମ୍ବାର ଭାବିବାକୁ ଲାଗିଲେ । ସବୁଦିନ ପରି ତା’ ପରଦିନ ‘ଗୀତା’ ଶିକ୍ଷାପାଇଁ ସେ ଯାଇ ରାମଚନ୍ଦ୍ର ଶର୍ମାଙ୍କ ଆଗରେ ବସିଲେ । ଶର୍ମା କର୍ମଯୋଗ, ଧ୍ୟାନଯୋଗ ଓ ଭକ୍ତିଯୋଗ ମଧ୍ୟରେ ପାର୍ଥକ୍ୟ କ’ଣ ତାହା ବିଶେଷଭାବେ ବୁଝାଇଲେ ।

 

ଭେଙ୍କଟେଶ୍ ପଚାରିଲେ ଏହିଯୋଗ ପରି ସମବେଦନା ପାଇଁ ଅଭ୍ୟାସ କରିବା କ’ଣ ଯୋଗ ନୁହେଁ କି ? ଅନ୍ୟର ଦୁଃଖ ଦେଖି ସମବେଦନା ଜାତ ହୋଇଥାଏ । ସ୍ଵତଃ ଏହା ମଣିଷ ହୃଦୟରେ ଜାତ ହୋଇଥାଏ । ବାଧା ନଦେଇ ଆମେ ଯଦି ଏହାକୁ ବିକାଶ କରିବା ତେବେ କ’ଣ ତାକୁ ଅଦ୍ୱୈତବାଦ କୁହାଯାଇପାରିବ ନାହିଁ ?

 

“ବଡ଼ ବିଚିତ୍ର ! ତୁମେ ଗୋଟାଏ ନୂତନ ତତ୍ତ୍ଵ ଆରମ୍ଭ କଲଣି । ଧ୍ୟାନଯୋଗ ହେଉଛି ସର୍ବଶ୍ରେଷ୍ଠ । ସ୍ଵତନ୍ତ୍ରଭାବେ ‘ସମବେଦନା’ ଯୋଗ କଥା ଏପର୍ଯ୍ୟନ୍ତ କେହି କେବେ କହି ନାହାନ୍ତି । ହୁଏତ ଏହା କର୍ମଯୋଗର ଅଂଶ ବିଶେଷ ହୋଇପାରେ । ‘ସମବେଦନା’ ଯୋଗ (ଅନୁଷ୍ଟଦା ଯୋଗ) କହିଲେ ତୁମେ ଯେଉଁ କଥାକୁ ବୁଝୁଛ ?

 

ଧ୍ୟାନ, ବେଦ ଅଧ୍ୟୟନ, ଶାସ୍ତ୍ର ଅଧ୍ୟୟନ, ଏସବୁ ମନରୁ ରାଜସିକ ଗୁଣଗୁଡ଼ିକୁ ଦୂର କରି ମନକୁ ଶୁଦ୍ଧପୂତ କରିଥାଏ । ଏହା କ’ଣ ଠିକ୍ ନୁହେଁ ? ସେ ଲକ୍ଷ ପୂରଣପାଇଁ ଜୀବପ୍ରତି ଦୟା କାହିଁକି ଅନ୍ୟ ଏକ ପନ୍ଥା ନହେବ ? ଆମେ ଯଦି ସମବେଦନା ପ୍ରଦର୍ଶନ କରିବାକୁ ଅଭ୍ୟାସ କରିବା ତେବେ ସାରା ବିଶ୍ଵଜୀବନ ଯେ ଏକ ତାହା ଅନୁଭବ କରି ପାରିବା । କୁକୁରଟି ଏପର୍ଯ୍ୟନ୍ତ ପାଟି କରୁଛି । ଏହା ମୋ ହୃଦୟକୁ ଦୁଃଖାଭିଭୂତ କରୁଛି । ଛାଏଁ ଛାଏଁ ମୋ ଆଖିରୁ ଲୁହ ଝରି ପଡ଼ୁଛି । କୌଣସି ପୁସ୍ତକ ପାଠ ନ କରି, ଏ ଅଭ୍ୟାସ ବନ୍ଦ ନକରି ପ୍ରକୃତି ହାତରେ ସବୁ ଛାଡ଼ିଦେଇ, ମୁଁ ଧୀରେଧୀରେ ଯଦି ସମବେଦନା ପ୍ରଦର୍ଶନ କରିବାକୁ ଚେଷ୍ଟାକରେ ତେବେ ମୁଁ କ’ଣ ଅଦ୍ଵୈତବାଦୀଙ୍କ ପରି ଅନୁଭବ କରିବି ନାହିଁ କି ? କୁକୁର ଦେହରେ ଥିବା ଜୀବନ ଏବଂ ମୋ ଦେହରେ ଥିବା ଜୀବନ ଏକ ପରି ମନେହେବ । ଭେଙ୍କଟେଶ୍ ଶାସ୍ତ୍ରୀ ଏହିପରି ସନ୍ଦିଗ୍‌ଧ ମନରେ ଆଗେଇବାକୁ ଲାଗିଲେ । ରାମଚନ୍ଦ୍ର ଶର୍ମା ପରିହାସ କରି କହିଲେ ତୁମେ ଆଲୋଚନା କରିବାକୁ ଆରମ୍ଭ କରି ଦେଲଣି । ତାହାହେଲେ ତୁମେ କହୁଛ ଅଦ୍ଵୈତ ଅର୍ଥ କୁକୁର ଆଉ ଆମେ ସମାନ, ଏକ ?

 

ରାମଚନ୍ଦ୍ର ବ୍ରହ୍ମସୂତ୍ର ଅଧ୍ୟୟନ କରିଥିଲେ ସେ ହସିବାକୁ ଲାଗିଲେ, କିନ୍ତୁ ଭେଙ୍କଟେଶ୍ ଶାସ୍ତ୍ରୀ ହସିଲେ ନାହିଁ ।

 

ତା’ ପରଦିନ କୁକୁର ପାଟି, ପାଖ ଘରୁ ଆଉ ଶୁଣାଗଲା ନାହିଁ । ଶାସ୍ତ୍ରୀ ଯାଇ ପଚାରି ବୁଝିଲେ ଯେ କୁକୁରଟିକୁ ଚିକିତ୍ସା ଲାଗି ପଶୁ ଡାକ୍ତରଖାନାକୁ ନିଆଯାଇଛି ? ଏ କଥା ଜାଣି ସେ ଖୁସି ହେଲେ ।

 

କେବଳ ପୁସ୍ତକ ଅଧ୍ୟୟନଦ୍ଵାରା ଅଦ୍ଵୈତବାଦ କ’ଣ ତାହା ବୁଝି ହେବ ନାହିଁ ବୋଲି ଭେଙ୍କଟେଶ୍ ଶାସ୍ତ୍ରୀ ଗୋଟାଏ ନିଷ୍ପତ୍ତିରେ ଆସି ପହଞ୍ଚିଥିଲେ । ସନ୍ନ୍ୟାସୀ ମଧ୍ୟ ସେଥିରେ ଏକମତ ହେଲେ ।

 

ରାମଚନ୍ଦ୍ର ଶର୍ମା ଶଙ୍କର ଭାଷ୍ୟ ଉପରେ ଏକ ନୂତନ ଟୀକା ଲେଖି ତା’ର ନାମ ‘ଅଭିନବ ପ୍ରବୋଧ ଚନ୍ଦ୍ରୋଦୟମ’ ରଖିଲେ । ସେ ସେହି ଟୀକାକୁ ସନ୍ନ୍ୟାସୀକୁ ଦେଖାଇଲେ ।

 

ସନ୍ନ୍ୟାସୀ କହିଲେ ଏହି ପୁସ୍ତକଟି ମଠର ସୁନାମ କରିବ । କୌଣସି ଧନୀ ବ୍ୟକ୍ତିଙ୍କ ସାହାଯ୍ୟରେ ସେ ବହିଟି ଛପାଇ ଦେବେ ବୋଲି ସ୍ଥିର କଲେ ।

 

ଏହାର କେତେ ମାସ ପରେ ସନ୍ନ୍ୟାସୀ ମଠ ଛାଡ଼ି ଏଣେତେଣେ ବୁଲୁଥିବା ସନ୍ନ୍ୟାସୀମାନଙ୍କ ପରି ବୁଲିବା ଲାଗି ସ୍ଥିର କଲେ । ସେ ଯିବା ପୂର୍ବରୁ ମଠର ମୁଖ୍ୟଭାବେ ଜଣଙ୍କୁ ନିଯୁକ୍ତ କରିବା ଲାଗି ଭାବିଲେ । ମଠ ମୁଖ୍ୟଭାବେ ସେ କେଉଁ ଶିଷ୍ୟଙ୍କୁ ବାଛିବେ, ତାହା ଜାଣିବା ଲାଗି ସବୁ ଶିଷ୍ୟମାନେ ବ୍ୟଗ୍ରହୋଇ ଚାହିଁ ରହିଲେ ।
 

ଜ୍ଞାନାନନ୍ଦ ଦିନେ ସକାଳୁ ଉଠି ତାଙ୍କ ଶିଷ୍ୟମାନଙ୍କୁ କହିଲେ ମୁଁ ଦେବ ନିର୍ଦ୍ଦେଶ ପାଇଛି । ମଠର ମୁଖ୍ୟଭାବେ ଭେଙ୍କଟେଶ୍‌ ଶାସ୍ତ୍ରୀଙ୍କୁ ଅଧିଷ୍ଠିତ କରିବା ଲାଗି ପ୍ରସ୍ତୁତ ହେବାକୁ ହେବ । ସେ ମଧ୍ୟ ଦୀର୍ଘଦିନ ହେଲା ସନ୍ନ୍ୟାସୀରୂପେ ଦୀକ୍ଷିତ ହେବାକୁ ଚାହୁଁଥିଲେ । ସେ ଟିକିନିଖିଭାବେ ସମସ୍ତ ବିଧିବିଧାନ ପାଳିତ ହେବାକୁ ଚାହୁଁଥିଲେ । ସେ ଅତି ଉତ୍ତମ ପ୍ରକୃତିର, ତାଙ୍କ ପ୍ରତି ଭଗବାନଙ୍କର ଆଶୀର୍ବାଦ ଅଛି ।

 

ଏହି ପ୍ରସ୍ତାବରେ ଜଣକୁ ବାଦ୍ ଦେଲେ ଅନ୍ୟ ସମସ୍ତେ ଖୁସି ହେଲେ । ରାମଚନ୍ଦ୍ର ଶର୍ମା ଶଙ୍କିତ ହୋଇ ଉଠିଥିଲେ । ସେ ଏଥିରେ ସ୍ୱୀକୃତି ଦେଇ ନଥିଲେ । ‘‘ମୁଁ ସର୍ବଶାସ୍ତ୍ର ଅଧ୍ୟୟନ କରିଛି, ମୁଁ ସମସ୍ତ ନୀତି ନିୟମ ଓ ସେସବୁ କିପରି କାର୍ଯ୍ୟକାରୀ କରିବାକୁ ହୁଏ ତାହା ଜାଣେ ।”

 

ମୁଁ ‘ଅଭିନବ ପ୍ରବୋଧ ଚନ୍ଦ୍ରୋଦୟମ’ ପୁସ୍ତକ ରଚନା କରିଅଛି । ଏ ସବୁ ସତ୍ତ୍ୱେ ମୋତେ ମଠମୁଖ୍ୟ ନକରି ଏହି ଗଜମୂର୍ଖକୁ ବଛାଗଲା ବୋଲି ରାଗରେ ସେ ମନକୁ ମନ କହିବାକୁ ଲାଗିଲେ ।

 

ଦଶଦିନ ପରେ ସେ ମଠ ଛାଡ଼ି ଚାଲିଯିବା ଲାଗି ସଂକଳ୍ପ କଲେ । ତାଳପତ୍ର ପାଣ୍ଡୁଲିପିକୁ ଧରି ସେ ସନ୍ନ୍ୟାସୀଙ୍କ ପାଖକୁ ଯାଇ “ମୁଁ ଶୃଙ୍ଗେରି ଯାତ୍ରା କରୁଛି” ବୋଲି କହି ମଠରୁ ଚାଲି ଯାଇଥିଲେ ।

Image

 

ବିଚାରପତି ଜୟରମନଙ୍କର ପ୍ରାୟଶ୍ଚିତ୍ତ

 

ଆସାମୀ ବୀରାନ୍‌ର ବୟସ ଏକୋଇଶି । ସେମାନେ ତା’ର ଜାତି, ତା’ ବାପର ନାମ ଲେଖି ତା’ର ଜମାନବନ୍ଦି ଲିପିବଦ୍ଧ କଲେ । ସାକ୍ଷ୍ୟଗ୍ରହଣ ପରେ ବିଚାରପତି ଜୟରାମ ଆୟାର କହିଲେ, ସାକ୍ଷୀମାନେ କ’ଣ କହିଲେ ଶୁଣିଲ ତ ! ବର୍ତ୍ତମାନ ତୁମର ଯଦି କିଛି କହିବାର ଅଛି କହିପାର ।

 

“ମୁଁ ଦୋଷ ମାନୁଛି । ସାକ୍ଷୀମାନେ ଯାହା କହିଲେ ସବୁ ସତ” ବୋଲି ସେ ଉତ୍ତରରେ କହିଲେ ।

 

ଦୋଷ ମାନିଯିବାକୁ ବୀରାନ୍‍କୁ ପୁଲିସ୍‌ କହିଥିଲେ । ଦୋଷ ମାନିଗଲେ ତାକୁ ଲଘୁଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ସେମାନେ କହିଥିଲେ । ପୂର୍ବରୁ ଗୋଟିଏ ଛୋଟ ଚୋରି ନିମନ୍ତେ ବୀରାନ୍‍କୁ ଏକମାସ ଜେଲ୍ ହୋଇଥିଲା । ପୁଲିସ୍ ଅଫିସର ସାକ୍ଷ୍ୟ ଦେବାବେଳେ ଏହା ଦର୍ଶାଇଥିଲେ । ପୂର୍ବରୁ ଜେଲ୍ ହୋଇଥିବା ସ୍ୱୀକାର କରୁଛୁ କି ବୋଲି ବିଚାରପତି ତାକୁ ପଚାରିଥିଲ-

 

ବୀରାନ୍ ଏହା ସତ ବୋଲି ସ୍ୱୀକାର କରିଥିଲେ । “ହଁ ମୁଁ ଭୁଲରେ ସେ ଚୋରି କରି ଦେଇଥିଲି । ଚୋରି କଲେ ଫଳାଫଳ କ’ଣ ହୁଏ ମୁଁ ଜାଣି ନଥିଲି ।”

 

ବିଚାରପତି ଶୁଣାଇଦେଲେ ଏହି ଅଭିଯୋଗରେ ମୁଁ ତୁମକୁ ଚାରିବର୍ଷ ସଶ୍ରମ କାରାଦଣ୍ଡ ଆଦେଶ କଲି ।

 

ବୀରାନ୍ ଏପର୍ଯ୍ୟନ୍ତ ସାହସର ସହିତ ବିଚାରର ସମ୍ମୁଖୀନ ହୋଇଥିଲା । କିନ୍ତୁ ଏହି ନିର୍ମମ ଦଣ୍ଡାଦେଶ ଶୁଣି ଅଚେତ ହୋଇ ପଡ଼ିବା ପରି ବସିପଡ଼ିଲା । କନେଷ୍ଟବଳମାନେ ତାକୁ ଗାଳି କରି ଠିଆ କରାଇ କୋର୍ଟ ଭିତରୁ ନେଇଗଲେ ।

 

ବୀରାନ୍‌ର କେସ୍ ବିଚାରବେଳେ କୋର୍ଟରେ ବିଚାରପତିଙ୍କ ସ୍ତ୍ରୀ କନକ ଅମ୍ମଲ ଓ ତାଙ୍କର ଦୁଇଜଣ ବନ୍ଧୁ ଉପସ୍ଥିତ ଥିଲେ । ବିଚାରପତି ଘରକୁ ଫେରିବା ପରେ ସ୍ତ୍ରୀ ତାଙ୍କୁ କହିଲେ କେଡ଼େ ଛୋଟପିଲାଟାକୁ କି କଠିନ ଦଣ୍ଡ ଦେଲ ?

 

ବିଚାରପତି ସ୍ତ୍ରୀଙ୍କୁ ବୁଝାଇ କହିଲେ ପୁରୁଣା ଦାଗୀକୁ କଠିନ ଦଣ୍ଡ ଦେବା ହେଉଛି ନିୟମ ।

 

କନକ ଅମ୍ମଲ ସ୍ଵାମୀଙ୍କୁ ସ୍ମରଣ କରାଇଦେଲେ, ତୁମେ ମଧ୍ୟ ପିଲାବେଳେ ଚୋରି କରିଥିଲ ବୋଲି ମତେ ଥରେ କହୁଥିଲ । ସେ ଦୁହେଁଯାକ ଅଳ୍ପ ବୟସର । ଜୟରାମ ଆୟାରଙ୍କୁ ପଇଁତ୍ରିଶ ଓ ତାଙ୍କୁ ତିରିଶବର୍ଷ । ତେଣୁ ନିଃସଙ୍କୋଚରେ ସେ ତାଙ୍କୁ ଏହା କହିପାରିଥିଲେ ।

 

ସେଦିନ ଅନେକ ରାତି ପର୍ଯ୍ୟନ୍ତ ଜୟରାମ ଆୟାର ଶୋଇପାରିଲେ ନାହିଁ । ତାଙ୍କୁ ଛାଇନିଦ ହୋଇଯିବାମାତ୍ରେ ସେ ଗୋଟିଏ ଖରାପ ସ୍ୱପ୍ନ ଦେଖିଲେ । ସେ ସ୍ୱପ୍ନରେ ଦେଖିଲେ ଯେ ରାମସ୍ଵାମୀ ଆୟାର ଓ ବିଶାଳାକ୍ଷୀ ଅମ୍ମଲ ତାଙ୍କ ବିରୁଦ୍ଧରେ ସାକ୍ଷୀ ଦେଉଛନ୍ତି ଓ ସେ ଆସାମୀଙ୍କ ପାଇଁ ଥିବା କାଠଗଡ଼ା ଭିତରେ ଠିଆ ହୋଇଛନ୍ତି । ହାତରେ ତାଙ୍କର ହାତକଡ଼ି ଲାଗିଛି । କନେଷ୍ଟବଳ ତାଙ୍କୁ ଟାଣିଟାଣି ନେଉଛି । କନକ ଅମ୍ମଲ ତାଙ୍କ ପଛରେ କାନ୍ଦି କାନ୍ଦି ଚାଲିଛନ୍ତି । ସ୍ୱାମୀଙ୍କୁ ମୁକ୍ତି ଦେବାଲାଗି ସେ ଅନୁନୟ କରୁଛନ୍ତି । ନିଦରୁ ଉଠି ଆଶ୍ଵସ୍ତ ହେଲେ କାରଣ ଏସବୁ ସତରେ ଘଟିନାହିଁ । ସେ ସ୍ୱପ୍ନ ଦେଖୁଥିଲେ ।

 

ତା’ ପରଦିନ ମୁଣ୍ଡବ୍ୟଥା ହେଉଛି କହି ସେ କୋର୍ଟକୁ ଗଲେ ନାହିଁ । ବ୍ୟକ୍ତିଗତ ଜରୁରୀ କାରଣରୁ ଛୁଟିପାଇଁ ଦରଖାସ୍ତ ଦେଇ ସେ ତିରୁପତି ଗଲେ । ସେଠାରେ ଜଙ୍ଗଲ ଭିତରେ ଗୋଟିଏ ଛୋଟ କୁଡ଼ିଆରେ ଜଣେ ସାଧୁ ରହୁଥିଲେ । ଜୟରାମ ତାଙ୍କୁ ଭାରି ଭକ୍ତି କରୁଥିଲେ । ଜୟରାମ ତାଙ୍କରି ପାଖକୁ ଗଲେ ।

 

ସାଧୁ ପଚାରିଲେ, ‘‘ସବୁ କୁଶଳ ତ ?”

 

ଉତ୍ତରରେ ଜୟରାମ କହିଲେ, ଦେହ ଭଲ ଥିଲେହେଁ ମାନସିକ ଅସୁସ୍ଥତା ଭୋଗୁଛି । ମୁଁ ଇସ୍ତଫା ଦେଇ ଋଷିକେଶ ଯିବାଲାଗି ସ୍ଥିର କରିଛି । ଏହିକଥା ଆପଣଙ୍କୁ କହିବାଲାଗି ଆସିଛି । ସାଧୁ ପଚାରିଲେ ଏତେ କମ୍ ବୟସରୁ ତୁମର ଏ ବୈରାଗ୍ୟର କାରଣ କ’ଣ ? ଏହା ବୈରାଗ୍ୟପାଇଁ ନୁହେଁ । ମୋର ମନେ ହେଉଛି ବିଚାରପତି ହେବା ଲାଗି ମୁଁ ଯୋଗ୍ୟ ନୁହେଁ । କିଛିଦିନ ଋଷିକେଶରେ ରହି କେବଳ ଭଗବାନଙ୍କ କଥା ଚିନ୍ତା କରିବା ଚାହୁଁଛି, ଉତ୍ତର କଲେ ଜୟରାମ ଆୟାର । ସାଧୁ ବୁଝିଲେ ଜୟରାମ ହାଲ୍‍କାଭାବେ କଥାଟା କହୁନାହାଁନ୍ତି । କୌଣସି କାରଣରୁ ତାଙ୍କ ମନ ଖୁବ୍ ଅସ୍ଥିର ଅଛି । ଘଟଣାଟା କ’ଣ ଖୋଲାଖୋଲି କହିଲେ ମୁଁ ମୋ ମତାମତ ଦେବି । ହଠାତ୍ ଇସ୍ତଫା ଦେବାଲାଗି ତୁମେ ସିଦ୍ଧାନ୍ତ କାହିଁକି କଲ ମୁଁ ଅନୁମାନ କରିପାରୁ ନାହିଁ ।

 

ଜୟରାମ ଆୟାର ସରକାରଙ୍କୁ ଲେଖିଥିବା ଚିଠିଟିକୁ ବଢ଼ାଇ ଦେଇ ସାଧୁଙ୍କୁ କହିଲେ ଆପଣ ଏହିଟି ପଢ଼ିଲେ ମୋର ଇସ୍ତଫାର କାରଣ ଜାଣି ପାରିବେ । ଏହା ଇସ୍ତଫାର କପି ।

 

ଚିଠିରେ ସେ ଲେଖିଥିଲେ, ‘‘ସରକାରଙ୍କ ନିକଟରେ ମୁଁ ସତ୍ୟପ୍ରକାଶ କରିବାକୁ ବାଧ୍ୟ । ପରୀକ୍ଷାରେ ସଫଳତା ଲାଭକରି ବିଚାରପତିଭାବେ ମୁଁ ନିଯୁକ୍ତି ପାଇଥିଲି । ହଠାତ୍ ମୁଁ ଏହି କାମଲାଗି ଅଯୋଗ୍ୟ ବୋଲି ମୋର ମନେ ହେଲା ଓ ମୁଁ ମାନସିକ ଯନ୍ତ୍ରଣା ଅନୁଭବ କରୁଛି । ମୋର ଇସ୍ତଫା ଦେଇଦେବା ଉଚିତ କାରଣ ମୁଁ ଭାବୁଛି ମୁଁ ନିଷ୍ଠାର ସହିତ ମୋର କାର୍ଯ୍ୟ ଆଉ ସମ୍ପାଦନା କରିପାରିବି ନାହିଁ । ତେଣୁ ମୁଁ ଇସ୍ତଫା ଦେଉଛି । ଏହା ଗ୍ରହଣ କରିବାକୁ ନିବେଦନ ।”

 

ସାଧୁ କହିଲେ ପତ୍ରଟିର କଥାବସ୍ତୁ ସ୍ପଷ୍ଟ ହୋଇନାହିଁ । ତୁମେ କିପରି ଅଯୋଗ୍ୟ ହେଲ ତାହାର ସୂଚନା, ପତ୍ରରୁ ମିଳୁନାହିଁ ।

 

ଜୟରାମ କହିଲେ ଜାଣିଶୁଣି ଏକଥା ମୁଁ ସରକାରଙ୍କୁ ଲେଖିନାହିଁ । ଏକଥା ମୁଁ ଆପଣଙ୍କୁ କହିପାରେ, ଭଗବାନଙ୍କ ନିକଟରେ ପ୍ରକାଶ କରିପାରେ ।

 

ଏକ ଦରିଦ୍ର ପରିବାରରେ ଜୟରାମ ଆୟାରଙ୍କର ଜନ୍ମ । ଦରିଦ୍ର ହେତୁ ସେ ଅତି କଷ୍ଟରେ ତାଙ୍କ ସ୍କୁଲ୍ ପାଠ ଶେଷ କରିଥିଲେ । ମାୟାବରମରେ ତାଙ୍କ ବାପାଙ୍କର ବନ୍ଧୁ ଶିରାସଦାର ରାମସ୍ଵାମୀ ଆୟାରଙ୍କ ଘରେ ପୁଅ ରହି ପଢ଼ିବାର ବନ୍ଦୋବସ୍ତ କରି ଦେଇଥିଲେ । ସେଠାରେ ସେ ଦିନକୁ ଦୁଇବକ୍ତ ଖାଇବାକୁ ପାଉଥିଲେ । ମାତ୍ର ସ୍କୁଲ୍‍ରେ ଖେଳ ଛୁଟିରେ ତାଙ୍କୁ ଭାରି ଭୋକ ହେଉଥିଲା । ତାଙ୍କ ସାଙ୍ଗମାନେ ଫଳମୂଳ ଓ ଅନ୍ୟାନ୍ୟ ଖାଇବା ଜିନିଷ ଯେତେବେଳେ ଆଣି ଖାଉଥିଲେ ସେ ହିଂସ୍ରଭାବେ ତାଙ୍କୁ ଚାହିଁ ରହୁଥିଲେ । କିଛି ଜିନିଷ କିଣି ଖାଇବାକୁ ତାଙ୍କ ନିକଟରେ ପଇସା ନଥାଏ ।

 

ଦିନେ ରବିବାରରେ ରାମସ୍ୱାମୀ ଆୟାରଙ୍କ ଜ୍ଵାଇଁ ବୀର ରାଘବ ଆୟାର ମାଡ଼୍ରାସରୁ ଆସି ଶ୍ଵଶୁରଙ୍କ ଘରେ ପହଞ୍ଚିଲେ । ଜ୍ୱାଇଁ ତାଙ୍କ କୋଟ୍ ହାଙ୍ଗରରେ ଝୁଲାଇ ଦେଇ ଗାଧୁଆଘରକୁ ଗଲେ । ସେହି ଘରେ ଏକା ଜୟରାମ ଗୋଟିଏ ବହି ଧରି ବସି ପଢ଼ୁଥିଲେ । ହଠାତ୍ ତାଙ୍କ ମନକୁ ଗୋଟିଏ ଦୁଷ୍ଟବୁଦ୍ଧି ଆସିଲା । ସେ କୋଟ୍ ପକେଟରେ ହାତ ପୂରାଇ ଦୁଇଟି ଦଶଟଙ୍କିଆ ନୋଟ୍‌ଥିବା ଦେଖିଥିଲେ । ସେଥିରୁ ଗୋଟିଏ ନୋଟ୍ ନେଇ ବହି ରଖିଦେଇ ସେ ପଦାକୁ ଚାଲିଯାଇଥିଲେ ।

 

ବୀର ରାଘବ ଆୟାର ଶ୍ଵଶୁରଙ୍କୁ ପଚାରିଲେ ଘରେ କିଏ ଚାକର ଅଛି ? ସେ ଚୋରି କରେ କି ?

 

‘‘କାହିଁକି ? କ’ଣ ହେଲା କି ?” ରାମସ୍ଵାମୀ ଆୟାର ଜାଣିବାକୁ ଚାହିଁଲେ । ସେ କହିଲେ ବାପା ମୋ କୋଟ୍ ପକେଟରେ କୋଡ଼ିଏ ଟଙ୍କା ଥିଲା । ଗାଧୋଇ କଫି ପିଇସାରି ଆସି ଦେଖିଲି ସେଥିରୁ ଦଶଟଙ୍କିଆ ନୋଟ୍‌ଟିଏ କିଏ ନେଇଯାଇଛି ।

 

ରାମସ୍ୱାମୀ ଆୟାର ଜ୍ଵାଇଁଙ୍କଠାରୁ ଜାଣିବାକୁ ଚାହିଁଲେ ସେ ଠିକ୍ କହୁଛନ୍ତି ତ, ତାଙ୍କ ପାଖରେ ଦୁଇଟି ଦଶଟଙ୍କିଆ ନୋଟ୍ ଥିଲା !

 

‘‘ହଁ ମୋ ପକେଟରେ ଦୁଇଟି ଦଶଟଙ୍କିଆ ନୋଟ୍ ଥିଲା । ସେଥିରେ ସନ୍ଦେହ ନାହିଁ । ଏବେ ଖଣ୍ଡିଏ ନୋଟ୍ ଅଛି । ଆଉ ଖଣ୍ଡିଏ କିଏ ନେଇଯାଇଛି ।”

ଶ୍ଵଶୁର କହିଲେ ପଦାୟାତ ରଙ୍ଗନ କବାଟ ପାଖରେ ବସିଥିଲା । ଏଠିତ ଆଉ କେହି ନଥିଲେ । ସେ ହୁଏତ ଘରେ ପଶି ଟଙ୍କା ନେଇଯାଇଛି ।

ରାମସ୍ଵାମୀ ଆୟାରଙ୍କ ସ୍ତ୍ରୀ ବିଶାଳାକ୍ଷୀ ଅମ୍ମଲ କହିଲେ ସେ ନେଇଥିଲେ ସବୁ ଟଙ୍କା ନେଇଯାଇଥାଆନ୍ତା । ଅଧା ଟଙ୍କା ନେଲା କାହିଁକି ? କୌଣସି ଛୋଟପିଲା ନିଶ୍ଚୟ ଏହା କରିଛି ।

“ତେବେ ଛୋଟପିଲାଟି କିଏ ? ଜୟରମନ୍ କ’ଣ ନେଇଥିବ ? ତୁମେ ସନ୍ଦେହ କରୁଛ-?”

ନା ନା ସେକଥା ହୋଇ ନ ପାରେ ।

ରାମ ଶାସ୍ତ୍ରୀର ପୁଅ କେବେ ଚୋରି କରି ନ ପାରେ–ରାମସ୍ଵାମୀ ଆୟାର କହିଲେ । କିଛି ସମୟ ପରେ ରାମସ୍ଵାମୀ କହିଲେ ଆମ ଝାଡ଼ୁବାଲି କାଳିଆ ଦାଲା ଏହି ଟଙ୍କା ନେଇଛି ।

ବିଶାଳାକ୍ଷୀ ଅମ୍ମଲ କହିଲେ ଅଯଥାରେ ତାକୁ ସନ୍ଦେହ କରନାହିଁ । କାଳିଆ ଦାଲା କେବେ ଚୋରି କରି ନ ପାରେ । ଗତ ଦଶବର୍ଷ ହେଲା ସେ ଆମର କାମ କରୁଛି । ଝାଡ଼ୁ ଦେବାକୁ ସେ ସବୁ ଘରେ ପଶେ । ସବୁଠାରେ ଜିନିଷପତ୍ର ଅଛି । ଭୁଲରେ ଦିନେ ସେ କେବେ କିଛି ଛୁଇଁ ନାହିଁ ।

ରାମସ୍ଵାମୀ ଅମ୍ମଲ କହିଲେ ଜୟରମନ୍‌କୁ ଡାକ ।

ବିଶାଳାକ୍ଷୀ ଅମ୍ମଲ କହିଲେ ସେ ନାହିଁ । ବୋଧହୁଏ କୁଆଡ଼େ ଯାଇଛି । ସେ ଖାଇବାକୁ ଆସିବ । ଆସିଲେ ତାକୁ ପଚାରିବା ।

‘‘ନା ତାକୁ ପଚାରନ୍ତୁ ନାହିଁ ।” ଜ୍ୱାଇଁ କହିଲେ ଏତେ ଅଳ୍ପ ଟଙ୍କାପାଇଁ ରାମଶାସ୍ତ୍ରୀଙ୍କ ସହ ମତାନ୍ତର ସୃଷ୍ଟି କରିବା ଠିକ୍ ହେବ ନାହିଁ । ଏହାସତ୍ତ୍ୱେ ବିଶାଳାକ୍ଷୀ ଅମ୍ମଲ ଜୟରମନ୍‍କୁ ଏକୁଟିଆ ଡାକି ଚୋରି କଥା ପଚାରିଲେ । ସେ କାନ୍ଦି କାନ୍ଦି କହିଲା, ନା ମୁଁ କିଛି ଜାଣିନାହିଁ । ମୁଁ ଚୋରି କରି ନାହିଁ । ପିଲାଟି ନିର୍ଦ୍ଦୋଷ ବୋଲି ରାମସ୍ଵାମୀ ଆୟାରଙ୍କର ବିଶ୍ଵାସ ହେଲା । ପଦାୟତ ରଙ୍ଗନ ଏବଂ ଝାଡ଼ୁବାଲି କାଳିଆ ଦାଲାଙ୍କ ମଧ୍ୟରୁ କେହି ଜଣେ ନିଶ୍ଚୟ ଟଙ୍କା ନେଇଛି ବୋଲି ରାମସ୍ଵାମୀ ସନ୍ଦେହ କଲେ । ମାତ୍ର ଜୟରମନ୍ ଟଙ୍କା ଚୋରି କରିଛି ବୋଲି ବିଶାଳାକ୍ଷୀ ଏକପ୍ରକାର ନିଶ୍ଚିତ ହୋଇ ଯାଇଥିଲେ ।

ବିଶାଳାକ୍ଷୀ ଦେଖିଲେ ଯେ ଜୟରମନ୍ ଆଜି ଏଣୁତେଣୁ ଛୋଟ ଛୋଟ ଜିନିଷ ସବୁ ଆଣିଛି । ସେ ଗୋଟିଏ ନୂଆ ଛୁରି, ଗୋଟାଏ ଶସ୍ତା ଫାଉଣ୍ଟେନ୍ ପେନ୍ ମଧ୍ୟ କିଣିଛି । ଏସବୁ ଜିନିଷର କେତେ ଦାମ୍ ପଡ଼ିଲା ? ଏସବୁ କେବେ କିଣିଲୁ ? ତୋ ବାପା ତା’ ଲାଗି ଟଙ୍କା ପଠାଇଥିଲେ କି ? କୌଣସି ଗୋଟିଏ ପ୍ରଶ୍ନର ଉତ୍ତର ସେ ଠିକ୍‌ଭାବେ ଦେଇପାରି ନଥିଲା ।

ବାଳକଟି ଦେଖିଲା ଯେ ଘରେ ତାକୁ ସମସ୍ତେ ସନ୍ଦେହ କରୁଛନ୍ତି । ସେ ତା’ର ବାପାଙ୍କୁ ଗୋଟିଏ ଚିଠି ଲେଖିଲା ଯେ ତା’ ପ୍ରତି ଭଲ ବ୍ୟବହାର କରାଯାଉ ନାହିଁ । ଘରୁ କେହି ଜଣେ ଟଙ୍କା ଚୋରି କଲା । ମାତ୍ର ତାକୁ ସନ୍ଦେହ କରାଯାଉଛି ।

 

ଏକଥା ଶୁଣି ତା’ ବାପା କ୍ଷୁବ୍ଧ ହୋଇ ଉଠିଲେ । ତାକୁ ରାମସ୍ଵାମୀ ଆୟାରଙ୍କ ଘରୁ ନେଇ ହୋଟେଲରେ ଗୋଟିଏ ଛୋଟ ବଖରା ଭଡ଼ା ନେଇ ସେଠାରେ ପୁଅକୁ ରଖାଇ ଦେଲେ ।

 

ସ୍ଵାମୀଜୀ କିଶୋର ଜୀବନର ଏହି ଘଟଣା ବର୍ଣ୍ଣନା କରି ଜୟରମନ୍‌ କହିଲେ; ଏହି ଘଟଣା ପରେ ମୁଁ ଆଉ କୌଣସି ପାପ କରିନାହିଁ । କୌଣସିମତେ ବହୁ କଷ୍ଟରେ ମୋ ବାପା ମା’ ମୋତେ ପାଠ ପଢ଼ାଇଥିଲେ । ମୁଁ ଜୀବନରେ ପ୍ରତିଷ୍ଠା ଲାଭ କଲି । ଯେଉଁ ଜୀବନ ପାପପୂର୍ଣ୍ଣ ହୋଇଥାଆନ୍ତା ଭଗବାନ ମୋତେ ସେଥିରୁ ରକ୍ଷା କରିଛନ୍ତି । ମୁଁ ନିଜେ ଜଣେ ଚୋର ହୋଇ ଏବେ ଚୋରି ଅପରାଧରେ ଅନ୍ୟମାନଙ୍କୁ କିପରି ଦଣ୍ଡବିଧାନ କରିବି ?

 

ବିଚାରପାଇଁ ଚୋରି ଅପରାଧରେ ଗତ କାଲି ଗୋଟିଏ ବାଳକକୁ ମୋ ପାଖକୁ ପଠା ହୋଇଥିଲା । ମୁଁ ତାକୁ ଚାରିବର୍ଷ ଜେଲ୍‌ ଦଣ୍ଡ ଦେଲି । ମାତ୍ର ଏ ଦଣ୍ଡ ଦେଇ ଠିକ୍‌ କରିଛି ବୋଲି ମୁଁ ନିଶ୍ଚିତ ହୋଇପାରିଲି ନାହିଁ । ମୋର ଇସ୍ତଫା ଦେଇଦେବା ଠିକ୍ ହେବ ବୋଲି ମୁଁ ବିଚାରିଲି । ମୋ ଅପରାଧ ଲାଗି ଭଗବାନ ମୋତେ କ୍ଷମା ଦେବେ ନାହିଁ । ଜୟରମନ୍‌ ଆୟାର ସାଧୁଜୀଙ୍କୁ ବିକଳରେ ଚାହିଁ କହିଲେ ଏବେ ମୁଁ କ’ଣ କରିବି ।

 

ସାଧୁଜୀ କହିଲେ ଦୂର ଅତୀତର କୌଣସି ଅପରାଧ ଲାଗି ଏବେ ଶୋଚନା କରିବା ଠିକ୍‌ ନୁହେଁ । ତୁମେ ଯାଇ ତୁମ କାମରେ ଯୋଗଦେବା ହେଉଛି ବର୍ତ୍ତମାନ ତୁମର ଏକମାତ୍ର କର୍ତ୍ତବ୍ୟ ।

 

ଜୟରମନ୍ ଆୟାର କହିଲେ ଏହା ଆଉ ସମ୍ଭବ ନୁହେଁ । ମୁଁ ଇସ୍ତଫା ପତ୍ର ଡାକରେ ପଠାଇ ଦେଇ ସାରିଛି ।

 

ସରକାର ତାଙ୍କ ଇସ୍ତଫା ଗ୍ରହଣ କରି ନଥିଲେ । କର୍ତ୍ତୃପକ୍ଷ ଭାବିଲେ ଭିତରେ କିଛି ରହସ୍ୟ ଅଛି । ପ୍ରକୃତ ଘଟଣା ବୁଝିବା ନିମନ୍ତେ ସେମାନେ ଜଣେ ପୁଲିସ ଅଫିସରଙ୍କୁ ପଠାଇଲେ ।

 

ଜୟରମନ୍ ଆୟାରଙ୍କର ନିଜ ଟାଉନ୍‌ରେ ବେଶ୍ ସୁନାମ ଥିଲା । କୌଣସି ଲୋକ ତାଙ୍କ ବିରୁଦ୍ଧରେ କେବେ କୌଣସି ଅଭିଯୋଗ କରୁ ନଥିଲେ । ସବୁପ୍ରକାର ଅନୁସନ୍ଧାନ ସାରିବା ପରେ ପୁଲିସ ଅଫିସର ଆସି ତାଙ୍କୁ ଇସ୍ତଫା ଦେବାର କାରଣ କ’ଣ ପ୍ରକାଶ କରିବା ନିମନ୍ତେ ଅନୁରୋଧ କରିଥିଲେ । ଜୟରମନ୍ ତାଙ୍କୁ ସତକଥାଟି କହିଥିଲେ । ତା’ପରେ ସେ ଅଫିସର ସରକାରଙ୍କୁ ତାଙ୍କର ରିପୋର୍ଟ ଦେଇଥିଲେ । ସରକାର ତାଙ୍କୁ ବିଚାର ବିଭାଗରୁ ପ୍ରଶାସନ ବିଭାଗକୁ ବଦଳି କରିଦେଇ ଚାକିରିରେ ରହିବା ଲାଗି ପ୍ରବର୍ତ୍ତାଇ ଥିଲେ ।

 

ଅବସର ନେବା ପର୍ଯ୍ୟନ୍ତ ସେ ଯେତେଦିନ ଯାଏଁ ବିଚାରପତିରୂପେ ଥିଲେ, ପ୍ରତି ମାସରେ ସ୍ଥାନୀୟ ଜେଲ୍‌ରେ ଚୋରି ଅପରାଧରେ ଦଣ୍ଡ ଭୋଗୁଥିବା କଏଦୀମାନଙ୍କର ସେବା ଶୁଶ୍ରୂଷା ଲାଗି ପଚାଶ ଟଙ୍କା ପଠାଉଥିଲେ ।

Image

 

ମୁଟାନ୍ଦି ପୂଜାରୀ

 

ମୁଁ ବର୍ତ୍ତମାନ ଯାହା କହୁଛି, କିଛି ନୂଆ କଥା ନୁହେଁ । ପରିବାରରେ ଏପରି ଘଟଣା ଘଟିଥାଏ । ଅଷ୍ଟ୍ରେଲିଆରେ ପ୍ରକାଶିତ ଏକ କ୍ଷୁଦ୍ର ଗଳ୍ପ ବହି ପାଠ କରିସାରିବା ପରେ ମୋର ମନକୁ ଏହିପରି ଏକ କଥା ଆସିଲା ।

 

କଣ୍ଡାସାମୀ ଚେଟିୟାର୍‍ ନାମକ ଜଣେ ବଡ଼ ଜମିଦାର ଥିଲେ । ସେ ଅତି ଚତୁର ଲୋକ-। ଆପଣାର ଅଧ୍ୟବସାୟ ଓ ମିତବ୍ୟୟିତା ହେତୁ ତାଙ୍କ ପୈତୃକ ସମ୍ପତ୍ତି ବ୍ୟତୀତ ସେ ବହୁପରିମାଣର ଧନସମ୍ପତ୍ତି କରିପାରିଥିଲେ । ତାଙ୍କ ସମୟରେ ସେ ସବୁଠୁ ବଡ଼ ଜମିଦାର ଥିଲେ-। ଲୋକମାନେ ତାଙ୍କୁ ରାଜା କଣ୍ଡାସାମୀ ଚେଟିୟାର୍‍ ବୋଲି ସମ୍ବୋଧନ କରୁଥିଲେ । ସେ ନିଜର ଏକମାତ୍ର ପୁଅ ଶଙ୍କରନ୍‌କୁ ଉଚ୍ଚ ଶିକ୍ଷା ଦେବାଲାଗି ବିଲାତ ପଠାଇଥିଲେ । ଯୁବକ ଶଙ୍କର ସେଠାରେ ଆଇ.ସି.ଏସ୍. ପରୀକ୍ଷାରେ ପାସ୍ କରି ଦେଶକୁ ଫେରିବା ପରେ ସିଭିଲ ସର୍ଭିସରେ ନିଯୁକ୍ତି ପାଇଥିଲେ ।

 

କଣ୍ଡାସାମୀ ଚେଟିୟାର୍‍ଙ୍କ ଘରେ ମୁଟାନ୍ଦି ନାମରେ ଗୋଟିଏ ପୂଜାରୀ ଅନେକ ଦିନ ଧରି ରହିଥିଲା । ସେ ଭାରି ସାଚ୍ଚୋଟ ଲୋକ ଥିଲା । କେଉଁ କାମଟା ତା’ର, କେଉଁଟା ତା’ର କରିବାର ନୁହେଁ ଏପରି ବାଛବିଚାର ନ କରି ସେ ପ୍ରାୟ ସବୁ କାମ ଆପଣାଛାଏଁ କରିଯାଉଥିଲା । ଘରର ଚାକର ବୋଲି ତାକୁ କେହି ଭାବୁ ନଥିଲେ । କକା ପରି ତାକୁ ସମସ୍ତେ ସମ୍ମାନ କରୁଥିଲେ । ସେତେବେଳେ ଚାକର ପୂଜାରୀଙ୍କୁ ଖୁବ୍ କମ୍ ଦରମା ଦିଆଯାଉଥିଲା । ମୁଟାନ୍ଦି ମାସକୁ ଯେଉଁ ପଚିଶ ଟଙ୍କା ଦରମା ପାଉଥିଲା ତାହା ଖର୍ଚ୍ଚ ନ ହୋଇ ସେହିପରି ରହୁଥିଲା । କଣ୍ଡାସାମୀ ଚେଟିୟାର୍‍ ମଲାବେଳକୁ ମୁଟାନ୍ଦିର ସୁଧ ଟଙ୍କାକୁ ବାଦଦେଲେ ମୂଳରେ ସେ ଦଶ ହଜାର ଟଙ୍କା ଗଚ୍ଛିତ କରି ରଖିଥିଲା । ସେ ଅବିବାହିତ ହୋଇଥିବାରୁ ତା’ର ସେପରି ଖର୍ଚ୍ଚବାର୍ଚ୍ଚ ବିଶେଷ କିଛି ନଥିଲା । ଖାଇବା ପିଇବା ଲୁଗାପଟା ଓ ଅନ୍ୟାନ୍ୟ ଖର୍ଚ୍ଚ ଜମିଦାରଙ୍କ ଘରୁ ମିଳିଯାଉଥିବାରୁ ଗତ ତିରିଶବର୍ଷ ଚାକିରି କାଳରେ ତା’ର ଏତେଗୁଡ଼ିଏ ଟଙ୍କା ରହିଯାଇଥିଲା ।

 

ଜମିଦାରଙ୍କ ମୃତ୍ୟୁ ପରେ ମାନେଜର ମୁଟାନ୍ଦିଙ୍କୁ ଟଙ୍କା ଦେଇ ତାକୁ ସ୍ଵଚ୍ଛନ୍ଦରେ ବ୍ୟବସାୟରେ ଲଗାଇବାକୁ ପରାମର୍ଶ ଦେଇଥିଲେ । ମୁଟାନ୍ଦି ଏହି ଟଙ୍କାକୁ ନିଜ ଗାଁରେ ବ୍ୟବସାୟରେ ଲଗାଇଥିଲା ।

 

ଶଙ୍କରନ୍ ଚେଟିୟାର୍‍ ବର୍ତ୍ତମାନ ଜମିଦାରଙ୍କ ଘରର ମାଲିକ । ସେ ଏପର୍ଯ୍ୟନ୍ତ ଅବିବାହିତ । ଡିଣ୍ଡିଗୁଲ୍‌ରେ ସେ ସବ୍–କଲେକ୍‍ଟରରୂପେ ନିଯୁକ୍ତି ପାଇଛନ୍ତି । ପରେ ସେ ତିରୁଚି ବଦଳି ହୋଇଥିଲେ । ସେଠାରେ ନାଇଡ଼ୁ ଜାତିର ଗୋଟିଏ ଝିଅ ସଙ୍ଗେ ତାଙ୍କର ଚିହ୍ନା ପରିଚୟ ହୋଇଥିଲା । ସେମାନଙ୍କ ମଧ୍ୟରେ ଆନ୍ତରିକତା ବୃଦ୍ଧି ପାଇଥିଲା ଓ ଶେଷରେ ସେ ଦୁହେଁ ବିବାହ କରିଥିଲେ ।

 

ସେତେବେଳେ ମୁଟାନ୍ଦି ଶଙ୍କରନ୍‌ଙ୍କ ପାଖରେ ରହି କାମ କରୁଥିଲା । ସେ ବୁଢ଼ା ହୋଇଯାଇଥିଲେହେଁ ବେଶ୍ ସୁସ୍ଥ ସବଳ ଥିଲା ଓ ଘରର ସବୁକାମ ଦେଖାଶୁଣା କରୁଥିଲା । ଶଙ୍କରନ୍ ଚେଟିୟାର୍‍ ଦିନେ ତାକୁ ଡାକି କହିଲେ ଏଣିକି ତୁମେ ମାସକୁ ଚାଳିଶ ଟଙ୍କା ଦରମା ପାଇବ । ଏହା ଶୁଣି ବିଶ୍ଵସ୍ତ ବୁଢ଼ା ଲୋକଟି କହିଲା ମୋର ଏତେଗୁଡ଼ାଏ ଟଙ୍କା କ’ଣ ହେବ ? ତୁମ ବାପା ମୋତେ ଯେତିକି ଦରମା ଦେଉଥିଲେ ସେହି ଢେର୍ ।

 

ମାତ୍ର କଲେକ୍‍ଟର କହିଲେ, “ନା, ନା ମଟ୍ଟୁ କକା ସେ କଥା ହେବନାହିଁ ତୁମକୁ ଚାଳିଶ ଟଙ୍କା ନେବାକୁ ପଡ଼ିବ ।” ଏହି ଟଙ୍କା ନେବା ଲାଗି ସେ ତାକୁ ରାଜି କରାଇଲେ ।

 

ମାତ୍ର ଏ ବ୍ୟବସ୍ଥା ଶଙ୍କରନ୍‌ଙ୍କର ସ୍ତ୍ରୀ ରାଧାମଣି ଅମ୍ମାଲଙ୍କ ମନକୁ ଗଲାନାହିଁ । ଅଧିକ ଟଙ୍କା ନେବାକୁ ତୁମେ ତାଙ୍କୁ କାହିଁକି ବାଧ୍ୟ କରୁଛ ? ପଚିଶ ଟଙ୍କାରୁ ତିରିଶ ଟଙ୍କାକୁ ତାଙ୍କ ଦରମା ବଢ଼ାଇ ଦେଲେ କ’ଣ ହୁଅନ୍ତା ନାହିଁ ବୋଲି ସେ ସ୍ୱାମୀଙ୍କୁ ପଚାରିଲେ । ମାତ୍ର ସ୍ତ୍ରୀଙ୍କର ଏକଥାକୁ ସେ କର୍ଣ୍ଣପାତ କଲେ ନାହିଁ ।

 

ସ୍ତ୍ରୀ ଯେତେବେଳେ ଦେଖିଲେ ଯେ ତାଙ୍କ କଥା ସ୍ଵାମୀ ଶୁଣୁ ନାହାନ୍ତି ସେ କହିଲେ ବେଶ୍ ଠିକ୍ ଅଛି । ତୁମକୁ ଯେମିତି ଭଲ ଲାଗୁଛି କର । ମୋର କିଛି କହିବାର ନାହିଁ । ମାତ୍ର ତୁମର ସେ ପୂଜାରୀକୁ ଅନ୍ତତଃ ଭଦ୍ରଭାବେ ବ୍ୟବହାର କରିବାକୁ କହ । ପୂଜାରୀ ତୁମକୁ ତୁମ ନାମ ଧରି ଡାକିବ, ସତେ ଯେମିତି ତୁମେ ତା’ର ପୁଅ । ଏଟା ଭଲକଥା ନୁହେଁ, ତୁମକୁ ଏଣିକି ମହାରାଜା ବୋଲି ଡାକିବାକୁ ତମେ ତାକୁ କୁହ । ତୁମେ ମଧ୍ୟ ତାକୁ ‘କକା’ ‘କକା’ ଡାକିବା ଠିକ୍ ହେଉନାହିଁ । ଚାକରବାକର ଯେତିକିର ଲୋକ ସେମାନଙ୍କୁ ସେତିକିରେ ରଖିବା ଉଚିତ ।

 

ଚେଟିୟାର୍‍ ପ୍ରଥମେ ନିଜର ସ୍ତ୍ରୀକୁ ବୁଝାଇବାକୁ ଚେଷ୍ଟାକଲେ । କହିଲେ ପିଲାଟି ଦିନୁ ସେ ମୋତେ କାଖେଇ କୋଳେଇ ବଢ଼ାଇଛି, କାନ୍ଧରେ ବସାଇ ସ୍କୁଲ୍ ନେଇଛି । ଆପଣାର ପୁଅ ପରି ସେ ମୋତେ ଖେଳାବୁଲା କରାଇଛି । ବହୁତ ଦିନ ଧରି ସେ ଆମ ନିଜର ଲୋକ ପରି ଆମ ସଙ୍ଗରେ ରହି ଆସିଛି । ତାକୁ ଆମେ ଏମିତି ଜଣେ ମାମୁଲି ଚାକର ହିସାବରେ ଦେଖିବା ଠିକ୍ ହେବନାହିଁ ।

 

ସେ ଯାହାହେଉ ରାଧାମଣି ଅମ୍ମଲ ସ୍ୱାମୀଙ୍କ କଥାରେ ରାଜି ହେଲେ ନାହିଁ । ବରଂ ରୁକ୍ଷଭାବେ କହିଲେ–ଏ ସବୁ ଠିକ୍ ହେଉନାହିଁ । ମାସକୁ ସାତଶହ ଟଙ୍କା ଦରମା ପାଉଥିବା କଲେକ୍‍ଟରକୁ ପୂଜାରୀ ନାଁ ଧରି ଡାକିବ ନା ? ନା ମୋଟେ ହେଇ ପାରିବ ନାହିଁ । ଏଣିକି ସେ ତୁମକୁ ଏପରି ନଡ଼ାକିବା ଲାଗି ତୁମେ ତାକୁ କହିଦିଅ ।

 

ଶଙ୍କରନ୍ ଚେଟିୟାର୍‍ କହିଲେ ମୋ ନାଁ ଧରି ଡାକି ସେ ଏପରି କିଛି ଭୁଲ୍ କରୁଛି ବୋଲି ମୁଁ ଭାବି ପାରୁନାହିଁ । ଯାହାହେଲେବି ତା’ ଆଖିରେ ମୁଁ ଶଙ୍କର ହୋଇ ରହିଛି ।

 

ସ୍ତ୍ରୀ କହିଲେ । କ’ଣ ହେଲା ସେଇଠୁ ? ସେ ଜୋରଦେଇ କହିଲେ ଏଣିକି ତାକୁ ଅନ୍ୟାନ୍ୟ ଚାକରମାନଙ୍କ ସଙ୍ଗେ ରହିବାକୁ ହେବ । ଶେଷରେ ସ୍ତ୍ରୀଙ୍କର ଏହି କଥାରେ ସ୍ଵାମୀ ରାଜି ହେଲେ ।

 

ଶଙ୍କରନ୍ ଚେଟିୟାର୍‍ ବୁଢ଼ାକୁ ଡାକି ବୁଝାଇ ସୁଝାଇ କହିଲେ କକା ଦେଖ ଏ ଗୋଟାଏ ନୂଆଜାଗା, ବଡ଼ ସହର । ଆମକୁ କେତେକ କଥା ମାନି ଚଳିବାକୁ ହେବ । ଏଣିକି ତୁମେ ମୋତେ ମହାରାଜା ବୋଲି ଡାକ । ମା’ଙ୍କ ପ୍ରତି ଭଲ ବ୍ୟବହାର କରିବ । ଆମମାନଙ୍କୁ ଆଉ ନାଁ ଧରି ଡାକିବ ନାହିଁ ।

 

କିଛିଦିନ ମୁଟାନ୍ଦି ଏସବୁ ଚୁପ୍‌ଚାପ୍ ସହିଗଲା । ମାତ୍ର କାଳକ୍ରମେ ଅବସ୍ଥା ଅସହ୍ୟ ହୋଇ ଉଠିଲା । ରାଧାମଣି ଅମ୍ମଲ ତାକୁ ଘୃଣାକଲେ । ସମସ୍ତଙ୍କ ଆଗରେ ତାକୁ ଶୁଭିଲା ପରି ଶୁଣାଇ ଶୁଣାଇ ସେ କହିଥିଲେ “ବଜ୍ଜାତ୍ ବୁଢ଼ା ।” ତା’ ବିରୁଦ୍ଧରେ ସେ ସ୍ଵାମୀଙ୍କୁ ଅଭିଯୋଗ କରି କହୁଥିଲେ ସେ ଆଜିକାଲି ଅଳସୁଆ ହେଇଗଲାଣି, କିଛି କାମ କରୁନାହିଁ । ତାକୁ ବିଦା କରିଦେଇ ତା’ ବଦଳରେ ଆଉ ଗୋଟିଏ ଯୁବକ ଲୋକକୁ ଆଣି ରଖିବା ଉଚିତ ।

 

ଗୋଟିଏ ଚାକର ଲାଗି ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଆଉ କେତେ ଦିନ ଟଣାଟଣି ହୁଅନ୍ତା ? ଶେଷରେ ଶଙ୍କରନ୍ ଚେଟିୟାର୍‍ ସ୍ତ୍ରୀଙ୍କର ପ୍ରସ୍ତାବରେ ରାଜି ହେଲେ ।

 

ଦିନେ ମୁଟାନ୍ଦିଙ୍କୁ ଡାକି ସେ କହିଲେ, ମୁଟୁ କକା, ମୁଁ ଭାବୁଛି ଏଣିକି ତୁମେ ଅବସର ନେବା ଉଚିତ । ଯାଇ ନିଜ ଗାଁରେ ରୁହ । ତୁମେ ଖୁବ୍ ବୁଢ଼ା ହୋଇଗଲଣି । ଅନେକ ଦିନତ କାମ କଲ । ଆଉ କେତେ ଦିନ ଏମିତି କାମ କରୁଥିବ ? ବୁଢ଼ା ହାତରେ ଦୁଇ ଶହ ଟଙ୍କା ଗୁଞ୍ଜିଦେଇ ସେ କହିଲେ ଏଟଙ୍କା ରଖ ।

 

“ଶଙ୍କର–ନା ନା ମହାରାଜା, ମୋତେ କାହିଁକି ବାହାର କରି ଦେଉଛ ?” ମୁଁ ଚାଲିଗଲେ ତୁମର ଯତ୍ନ କିଏ ନେବ ? କହି ସେ କାନ୍ଦି ପକାଇଲା । ଶଙ୍କର ଚେଟିୟାର୍‍ ସେଠୁ ଚାଲିଗଲେ କାରଣ ତାଙ୍କ ସ୍ତ୍ରୀ ସେଠାକୁ ଆସି ପାଟିତୁଣ୍ଡ କରି ନବରଙ୍ଗ କରିବାର ସମ୍ଭାବନା ଥିଲା ।

 

ନୋଟ୍‍କୁ ଚାହିଁ ମୁଟାନ୍ଦି ସେହିପରି ନିଶ୍ଚଳଭାବେ ଠିଆ ହୋଇ ରହିଥାଏ । ଠିକ୍ ସେତିକିବେଳେ ରାଧାମଣି ଅମ୍ମଲ ସେ ଘର ଭିତରକୁ ପଶି ଆସିଲେ । ତାଙ୍କୁ ଦେଖି ମୁଟାନ୍ଦି କହିଲା ମୁଁ ତୁମ ଘର ଛାଡ଼ି ଗାଁକୁ ଯାଉଛି । ମହାରାଜା ମୋତେ ଏ ଟଙ୍କା ବକ୍ସିସ୍ ଦେଇଛନ୍ତି । ମାତ୍ର ମୋର ଟଙ୍କା ଦରକାର ନାହିଁ । ଭଗବାନ ମୋତେ ବହୁତ ଦେଇଛନ୍ତି, କହି ସେ ତାଙ୍କ ହାତକୁ ସେ ଟଙ୍କାତକ ବଢ଼ାଇ ଦେଲା ।

 

ସେ ଟଙ୍କା ଦେଖି ସ୍ତ୍ରୀ ରାଗରେ ଗର୍ଜି ଉଠିଲେ । ଇଂରାଜୀରେ ସ୍ଵାମୀଙ୍କୁ କହିଲେ “ତୁମେ ବୁଢ଼ାକୁ ଏ ଦୁଇଶହ ଟଙ୍କା ଦେଇଛ ନୁହେଁ ? ତୁମେ ତାହାହେଲେ ତୁମର ସମସ୍ତ ଟଙ୍କା ଏହିପରି ଉଡ଼ାଉଛ ?

 

ଶଙ୍କରନ୍ ରାଗି ଉଠିଲେ ଆଉ ପାଟିକରି କହିଲେ ଏଥିପାଇଁ ତୁମେ ମୁଣ୍ଡ ଘୂରାଅ ନାହିଁ ।

 

ଠିକ୍ ଅଛି, ଆଉ ମୁଁ କିଛି କହିବି ନାହିଁ । ଏ ଘରେ ମୁଁ କେହି ନୁହେଁ । ତୁମେ ତ ଚାହିଁଛ ବୁଢ଼ାକୁ ଘରେ ରଖିବାକୁ ରଖ । ଯିବାବେଳେବି ସେ ଆମ ଦୁହିଁଙ୍କ ମଧ୍ୟରେ କଳି ଲଗାଇ ଦେଇ ଯାଉଛି । ଏତିକି କହି ସେ ଗୋଟିଏ ଚୌକିରେ ବସିଗଲେ ଓ ନିଜ ମୁହଁକୁ ରୁମାଲରେ ଢାଙ୍କି ଦେଲେ ।

ସ୍ତ୍ରୀଙ୍କର କାନ୍ଦଦେଖି ଶଙ୍କରନ୍ ଶାନ୍ତ ପଡ଼ିଲେ ଏବଂ ସ୍ତ୍ରୀଙ୍କୁ ବୁଝାସୁଝା କରିଦେଲେ । ସେତେବେଳେ ରାଧାମଣି ଅମ୍ମଲ ଆସନ୍ନପ୍ରସବା, ଆଠମାସ ହେଲାଣି ।

 

ଏହା ଭିତରେ ବର୍ଷଟିଏ କଟିଯାଇଥାଏ । ଶଙ୍କରନ୍ ଚେଟିୟାର୍‍ ମଦୁରାଇ ବଦଳି ହୋଇ ଯାଇ ଥାଆନ୍ତି । ସେଠାରେ ସେମାନଙ୍କର ଗୋଟିଏ ପୁଅ ହୋଇଥାଏ । ସେମାନେ ପୁଅଟିର ପ୍ରଥମ ଜନ୍ମଦିନ ପାଳୁ ଥାଆନ୍ତି ।

 

ହଠାତ୍ ହସି ହସି ମୁଟାନ୍ଦି ସେଠାରେ ଆସି ପହଞ୍ଚିଲା । ସେ କହିଲା ତୁମେ ମୋତେ ଯଦିଓ ନିମନ୍ତ୍ରଣ କରିନାହଁ ମନକୁ ମନ ମୁଁ ପୁଅକୁ ଦେଖିବାକୁ ଆସିଛି । ଇଏ ଅବିକଳ କଣ୍ଡାସ୍ୱାମୀ ରାଜାଙ୍କ ପରି ଦିଶୁଛି । ଗଠନ ଅବିକଳ ତାଙ୍କରି ପରି । ଭଗବାନ କରନ୍ତୁ ସେ ଶହେବର୍ଷ ବଞ୍ଚୁ ଓ ତା’ ଜେଜେଙ୍କ ପରି ସୁନାମ ଅର୍ଜନ କରୁ । ସେ ପୁଅଟିକୁ ନିଜ କୋଳକୁ ନେଇ ତା’ ଦି’ ହାତରେ ଦୁଇଟି ଖଡ଼ୁ ପିନ୍ଧାଇ ଦେଲା ।

 

ଦୁଇଟି ଚୌକି ମଝିରେ ଥିବା ସ୍ଥାନରେ ତଳେ ବସି ସେ କହିଲା “କୁନି ପୁଅକୁ ମୋର ଏ ଉପହାର ।”

 

କିଛି ସମୟ ପରେ ନବାତ ଓ ପାନ ସୁପାରି ଖାଇ ବସ୍ ଫେଲ୍ ହୋଇଯିବ ବୋଲି କହି ତରତର ହୋଇ ସେ ତା’ର ପୁରୁଣା ମାଲିକ ମାଲିକାଣୀଙ୍କଠାରୁ ବିଦାୟ ନେଇ ଚାଲିଗଲା ।

 

ରାଧାମଣି ଅମ୍ମଲ କହିଲା “ଯାହା କୁହନା କାହିଁକି ବୁଢ଼ାଟି ବେଶ୍ ଭଲଲୋକ । ଶଙ୍କରନ୍ ଚେଟିୟାର୍‍ କହିଲେ ଆଜିକାଲି ତୁମେ ଯେମିତି ବଜ୍ଜାତ୍‌ଙ୍କୁ ଦେଖୁଛ, ସେ ସେପରି ଲୋକ ମୋଟେ ନୁହେଁ । ନିଶ୍ଚିତଭାବେ ଭଲଲୋକଟିଏ, ତୁମେ ମୋ ସାଙ୍ଗରେ ଏକମତ ହେବ ।

 

ସ୍ତ୍ରୀ କହିଲେ ସେ ଏଠି ଖାଇକରି ଯିବାକୁ ତାକୁ କହିଲ ନାହିଁ । କିଛି ନଖାଇ ନପିଇ ସେ ଚାଲିଗଲା । ମୁଁ ତାକୁ କହିବାକୁ ଭୁଲିଗଲି ।

 

ଶଙ୍କର ଚେଟିୟାର୍‍ କିଛି ନକହି ଚୁପ୍‌ଚାପ୍ ଅତୀତ କଥା ସବୁ ମନେ ପକାଉଥିଲେ ।

Image

 

ଫାଉଡ଼ା–ଧରା ଶିଷ୍ୟ

 

ମଧୁସୂଦନ ଚେଟିୟାର୍‍ ଜଣେ ଧନୀଲୋକ । ସେ ଭାରି ରକ୍ଷଣଶୀଳ ଏବଂ ପାରମ୍ପରିକ ରୀତିରେ ଜୀବନଯାପନ କରୁଥିଲେ । ରେଳଷ୍ଟେସନ୍‍ଠାରୁ ଦଶମାଇଲ ଦୂରରେ ତାଙ୍କ ଗାଁ ମୁଙ୍ଗୁଲି ପେଟ୍ ଅବସ୍ଥିତ ।

 

ମୁଙ୍ଗୁଲିପେଟ୍‌ଠାରୁ ତିନିମାଇଲ ଦୂରରେ ଶ୍ରୀନିବାସପୁରମ୍ ନାମକ ଗୋଟିଏ ବ୍ରାହ୍ମଣ ଶାସନ ଥିଲା । ସେ ଗାଁର ସମସ୍ତ ଚାଷୀ ଲୋକେ ଭାରି ଗରିବ ଥିଲେ । ପ୍ରତ୍ୟେକ ଏତେ ପରିମାଣରେ ଋଣ କରିଥିଲେ ଯେ ଶେଷରେ ବାଧ୍ୟ ହୋଇ ଋଣ ପରିଶୋଧ କରିବା ଲାଗି ସେମାନଙ୍କୁ ସେମାନଙ୍କର ଜମିଗୁଡ଼ିକ ମଧୁସୂଦନ ଚେଟିୟାର୍‍ଙ୍କୁ ବିକିବାକୁ ପଡ଼ୁଥିଲା । ବସ୍ତୁତଃ ମଧୁସୂଦନ ସେ ଗାଁର ସମସ୍ତ ଜମିର ମାଲିକ ହୋଇ ଯାଇଥିଲେ । ଏଥିଲାଗି ମଧୁସୂଦନଙ୍କୁ ଶେଷରେ ବାର ହଜାର ଟଙ୍କା ଦେବାକୁ ପଡ଼ିଥିଲା । ମାତ୍ର ସେ ମୋଟରେ ଚବିଶ ହଜାର ଟଙ୍କା ଋଣ ଦେଇଥିଲେ ।

 

ଚେଟିୟାର୍‍ ଜମି କିଣିବାର ଦ୍ୱିତୀୟ ବର୍ଷରେ ଗୋଟିଏ ନୂଆ ଆଇନ ପ୍ରଣୟନ ହେଲା । ଏହି ଆଇନାନୁସାରେ ଚେଟିୟାର୍‍ଙ୍କ ଗାଁକୁ ସରକାର ବାଜ୍ୟାପ୍ତ କରିଦେଲେ । ଚାଷୀମାନେ ଜମିର ପ୍ରକୃତ ମାଲିକ ବୋଲି ଘୋଷଣା କରାଗଲା । କ୍ଷତିପୂରଣସ୍ଵରୂପ ଚେଟିୟାର୍‍ଙ୍କୁ ଦୁଇ ହଜାର ପାଞ୍ଚଶହ ଟଙ୍କା ମିଳିବ ବୋଲି ଆଦେଶ ହେଲା ।

 

ରାଗରେ ଗର୍ଜିଉଠି ଚେଟିୟାର୍‍ ତହସିଲଦାରଙ୍କୁ କହିଲେ କ’ଣ ହେଲା ଏତେ ଜମିଲାଗି କ୍ଷତିପୂରଣ ମୋଟେ ଦୁଇ ହଜାର ପାଞ୍ଚଶହ ଟଙ୍କା ? ପ୍ରଥମେ ସେ ଟଙ୍କା ମୋଟେ ନେବେ ନାହିଁ ବୋଲି କହିଲେ । ତା’ପରେ ତହସିଲଦାର ତାଙ୍କୁ ଯେତେବେଳେ ବୁଝାଇ ଦେଲେ ଯେ ଏହି ଟଙ୍କା ଗ୍ରହଣ ନକରିବା ଅର୍ଥ ସରକାରଙ୍କୁ ଅବମାନନା କରିବା ସେତେବେଳେ ସେ ଯାଇଁ ଟଙ୍କା ନେଲେ ।

 

ଗାଁଠାରୁ ଅଳ୍ପ ଦୂରରେ ଗୋଟିଏ ପୋଖରୀ ଥିଲା । ପୋଖରୀଟି ଗାଁବାଲାଙ୍କର । ତା’ ପାଖରେ ଜଣେ ସନ୍ନ୍ୟାସୀ ରହୁଥିଲେ । ତାଙ୍କର ମୃତ୍ୟୁ ହୋଇଗଲା । ମଧୁସୂଦନ ଚେଟିୟାର୍‍ ସନ୍ନ୍ୟାସୀଙ୍କ ସମ୍ମାନାର୍ଥେ ସରକାରଙ୍କଠାରୁ ପାଇଥିବା କ୍ଷତିପୂରଣ ଟଙ୍କାକୁ ସେଠାରେ ଗୋଟିଏ ସମାଧି ନିର୍ମାଣ ଲାଗି ବ୍ୟୟ କରିଦେଲେ । ସେ ସମାଧି ପାଖାପାଖି ସେ ପନ୍ଦର ହଜାର ଟଙ୍କା ବ୍ୟୟରେ ଗୋଟିଏ ମନ୍ଦିର ମଧ୍ୟ ନିର୍ମାଣ କରି ଦେଇଥିଲେ ।

 

ମୂଲିଆମାନେ ସେହି ମନ୍ଦିର ନିର୍ମାଣ ନିମନ୍ତେ ମାଟି ଖୋଳୁଥିବାବେଳେ ମାଟିତଳେ ଗୋଟିଏ ଅଳିଆଗଦା ପାଇଲେ । ଏହି ଅଳିଆଗଦାରେ ଅନେକ ପାଉଁଶ । ଏଠାରୁ ଏଣୁତେଣୁ ବାଜେ ଜିନିଷ ଏବଂ ସୁନା ରୁପାର କେତେକ ଅଳଙ୍କାର ବାହାରିଥିଲା । ଏହିସବୁ ସୁନାରୁପା ଓ ଅନ୍ୟାନ୍ୟ ଯେଉଁ ଜିନିଷ ମିଳିଲା ସେ ସବୁକୁ ସରକାରଙ୍କୁ ଜିମା ଦେଇ ଦେବାକୁ ଚେଟିୟାର୍‌ ସ୍ଥିରକଲେ । ସେ ଏକଥା ସରକାରୀ ଲୋକଙ୍କୁ ଜଣାଇ ଦେଲେ । ସେମାନଙ୍କୁ ସେ ସ୍ଥାନ ଦେଖାଇ ଆଉ କ’ଣ ସବୁ ଜିନିଷ ଥାଇପାରେ ଖୋଜାଖୋଜି କରି ଯାହାକିଛି ଧନ ସମ୍ପତ୍ତି ମିଳିବ ତାହା ନେଇଯିବା ଲାଗି କହିଲେ । ଆଇନାନୁଯାୟୀ ସେ ଯାହା କଲେ ତାହାହିଁ ଜଣେ କରିବା ଉଚିତ । ସେଠାରୁ ଯେଉଁ ସବୁ ଜିନିଷ ବାହାରିଲା ତାହା ବିକି ସରକାର ଏକ ହଜାର ପାଞ୍ଚଶହ ଟଙ୍କା ପାଇଲେ ।

 

ଏହି ବିଚିତ୍ର ମଇଳା ଗଦା ବିଷୟରେ ଅନେକ ଲୋକ ଅନେକ ପ୍ରକାରର କଥା କହନ୍ତି । ମାତ୍ର ଗାଁର ଲୋକମାନଙ୍କଠାରୁ ମୁଁ ଯାହା ଶୁଣିଛି ତାହା କହୁଛି ।

 

ପୋଖରୀ ପାଖରେ ରହୁଥିବା ସନ୍ନ୍ୟାସୀ ଜଣଙ୍କ କଥାକଥାକେ ନାରାୟଣ ନାମ ଉଚ୍ଚାରଣ କରୁଥିଲେ । ସେଥିଲାଗି ସମସ୍ତେ ତାଙ୍କୁ ନାରାୟଣ ସନ୍ନ୍ୟାସୀ ବୋଲି ସମ୍ବୋଧନ କରୁଥିଲେ । ସନ୍ନ୍ୟାସୀ ହେବା ପୂର୍ବରୁ ଦକ୍ଷିଣରେ ଥିବା ଦକ୍ଷିଣ କୋଟାଇ ନାମକ ସ୍ଥାନର ସେ ବାସିନ୍ଦା ଥିଲେ । ସେବା ଯତ୍ନ କରିବାଲାଗି ତାଙ୍କର ଜଣେ ଶିଷ୍ୟ ଥିଲା । ସ୍ଥାନୀୟ ଲୋକେ ତାଙ୍କୁ ଫାଉଡ଼ାଧରା ଶିଷ୍ୟ ବୋଲି କହୁଥିଲେ । କାରଣ ସେ ସନ୍ନ୍ୟାସୀ ଯେତେବେଳେ ଭିକ୍ଷା କରିବାକୁ ପଦାକୁ ଯାଉଥିଲେ ସେ ତାଙ୍କ ଆଗେ ଫାଉଡ଼ାଧରି ଚାଲୁଥିଲେ । ସନ୍ନ୍ୟାସୀଙ୍କ ଯିବା ରାସ୍ତାରେ ଯଦି ସେ କିଛି ଅଳିଆ ପଡ଼ିଥିବାର ଦେଖୁଥିଲା ତେବେ ସଙ୍ଗେ ସଙ୍ଗେ ତାହା ଫାଉଡ଼ାରେ ସଫା କରି ଦେଉଥିଲା । ସେହି ଶିଷ୍ୟ ଜଣଙ୍କ ସନ୍ନ୍ୟାସୀଙ୍କୁ ଛାଡ଼ି ଦେଲେ ଗାଁର ଆଉ କୌଣସି ଲୋକଙ୍କ ସଙ୍ଗେ କଥା ହେଉ ନଥିଲା । ପ୍ରଥମେ ପ୍ରଥମେ ଲୋକେ ତାଙ୍କୁ ବୋକା ବୋଲି ବିଚାରୁଥିଲେ । କିନ୍ତୁ ପରେ ଯେତେବେଳେ ଦେଖିଲେ ଯେ ସେ କେବଳ ଗୁରୁଙ୍କ ସଙ୍ଗେ କଥାବାର୍ତ୍ତା କରୁଛି ସେତେବେଳେ ଗ୍ରାମବାସୀମାନେ ଏହି ବ୍ରହ୍ମଚାରୀ ମଉନବ୍ରତ ସଂକଳ୍ପ କରିଛି ବୋଲି ସିଦ୍ଧାନ୍ତରେ ଉପନୀତ ହେଲେ-

 

ଦିନେ ନାରାୟଣ ନାରାୟଣ ଉଚ୍ଚାରଣ କରି ସନ୍ନ୍ୟାସୀ ଭିକ୍ଷା କରିବାଲାଗି ବାହାରି ଗଲେ । ତାଙ୍କ ପାଟି ଶୁଣି ଗ୍ରାମର ବଦାନ୍ୟ ଗୃହସ୍ଥମାନେ ଭିକ୍ଷା ଧରି ତାଙ୍କୁ ଦେବାଲାଗି ଠିଆ ହୋଇ ରହିଲେ । ବିଲ ଭିତର ଦେଇ ଯାଉଥିବାବେଳେ ହଠାତ୍ ଆଗରେ ଖଣ୍ଡିଆ ଦୌଡ଼ି ପରି କୌଣସି ଜିନିଷ ପଡ଼ିଥିବା ଦେଖି ଶିଷ୍ୟ ତାହା ଫାଉଡ଼ାରେ ଉଠାଇ ଦୂରକୁ ଫିଙ୍ଗିଦେଲାବେଳେ ସେ ତା’ର ଫଣା ଉଠାଇ ଶିଷ୍ୟ ଆଡ଼କୁ ଚାହିଁ ଫଁ ଫଁ କରି ଉଠିଲା । ସେତେବେଳେ ଗୁରୁ ‘ନାରାୟଣ’ଙ୍କ ନାମ ଉଚ୍ଚାରଣ କରିଥିଲେ । ସାପଟି ତାଙ୍କ ଆଡ଼କୁ ଚାହିଁ ଫଣା ତଳକୁ କରି ନିକଟରେ ଥିବା ଗୋଟିଏ ଗାତରେ ପଶି ଯାଇଥିଲା । ତା’ପରେ ଗୁରୁ ଶିଷ୍ୟଙ୍କ ମୁଣ୍ଡ ଉପରେ ହାତ ରଖି ଆଉଥରେ ନାରାୟଣ ନାମ ଉଚ୍ଚାରଣ କରି ଯଥାପୂର୍ବ ଗନ୍ତବ୍ୟ ପଥରେ ଚାଲିଥିଲେ ।

 

କୋୟମ୍ବାଟୋରରେ ମିଲ୍ ମାଲିକ କୁପୁସ୍ଵାମୀ ନାଇଡ଼ୁ ଏକଥା ଶୁଣି କହିଲେ ତୁମେ ଯାହା କହୁଛ ସେଥିରୁ ବୁଝାଯିବ ଯେ ବାଳକଟି ଜଣେ ବଡ଼ ଯୋଗୀ । ମୁଁ ଏକଥା ମୋଟେ ବିଶ୍ଵାସ କରି ପାରିବି ନାହିଁ । ମୁଁ ଏପରି ଅନେକ ଠକଙ୍କୁ ଦେଖିଛି । ଭାଇ ତୁମେ ବିଶ୍ଵାସ କରିବ ନାହିଁ ମାତ୍ର ସତ କଥା–

 

ସେ ଗୁରୁଶିଷ୍ୟ ନିର୍ଲିପ୍ତ ସନ୍ନ୍ୟାସୀ ଥିଲେ । ଆମେ ଯାହାଙ୍କୁ ଫାଉଡ଼ାଧରା ଶିଷ୍ୟ କହୁ ସେ ଜଣେ ଅତି ସଚ୍ଚୋଟ ବ୍ୟକ୍ତି । ଐଶ୍ୱରିକ ଶକ୍ତି ବଳରେ ସେ ଅନେକ ରୋଗ ଆରୋଗ୍ୟ କରିଛି-। ଏଥିଲାଗି ସେ କେବେ କାହାଠାରୁ ଗୋଟିଏ ବୋଲି ପଇସା ନେଉ ନଥିଲା ! ନାଇଡ଼ୁଙ୍କର ବନ୍ଧୁ ହନୁମନ୍ତ ରାୟଙ୍କ ପୁଅ ଏକଥା କହିଲେ । ତାକୁ ଭଲ ନଲାଗିବାରୁ ସେ ସ୍କୁଲ୍ ଯିବା ବନ୍ଦ କରି ଦେଇଥିଲେ ।

 

କୁପୁସ୍ୱାମୀ ନାଇଡ଼ୁ କହିଲେ ‘‘ଚାଲ ଟିକିଏ ମଜା କରିବା ।”

 

ବାସୁଦେବ ମୂର୍ତ୍ତି ପଚାରିଲେ କ'ଣ କରିବା ? ଉଭୟେ ଗୋପନରେ ମନ୍ତ୍ରଣା କଲେ ।

 

ତା’ ପରଦିନ ସବୁଦିନ ପରି ନାରାୟଣ ସ୍ଵାମୀ ଭିକ୍ଷା କରିବାକୁ ବାହାରିଲେ । ଶିଷ୍ୟ ଗୁରୁଙ୍କ ଆଗେଆଗେ ଚାଲିଥାଆନ୍ତି । ସମ୍ମୁଖରେ ତାଙ୍କର ଗୋଟାଏ ମଉଳା ଫୁଲ ଓ ଗୋଟାଏ ସୁନା ମୁଦି ପଡ଼ିଥିଲା । ଶିଷ୍ୟ ତାକୁ ଫାଉଡ଼ାରେ ଉଠାଇ ଗୁରୁଙ୍କୁ ଦେଖାଇଲେ ।

 

ସନ୍ନ୍ୟାସୀ ତାହା ଦେଖି କହିଲେ ଏ ସୁନା ମୋତେ କାହିଁକି ଦେଖାଇଲ । ଏହା ବିଷାକ୍ତ ନାଗ ଅପେକ୍ଷା ଅଧିକ ଭୟଙ୍କର । ଗୁରୁଙ୍କ ନିର୍ଦ୍ଦେଶରେ ଶିଷ୍ୟ ସେ ମୁଦିକୁ ଗୋଟାଏ କୋଣକୁ ଫିଙ୍ଗିଦେଲେ । ଏବଂ ପୂର୍ବ ପରି ଗୁରୁ ଶିଷ୍ୟ ପୁଣି ଚାଲିଲେ । ବିସ୍ମିତ ହୋଇ ବାସୁଦେବ ମୂର୍ତ୍ତି କହିଲେ ଦେଖିଲତ କ’ଣ ହେଲା ?

 

“ହଁ ଦେଖିଲି । ଏପରି ସଚୋଟ ଲୋକ ଦୁନିଆରେ କ୍ଵଚିତ । ସେହିମାନଙ୍କ ପାଇଁ ଏ ଦୁନିଆ ଚାଲିଛି, ବୋଲି ବିନମ୍ର କଣ୍ଠରେ କୁପୁସ୍ୱାମୀ ନାଇଡ଼ୁ କହିଲେ । ଗୁରୁଙ୍କ ଗୋଡ଼ ତଳେ ପଡ଼ି ତାଙ୍କୁ ଏପରି ପରୀକ୍ଷା କରିଥିବାରୁ ସେ ତାଙ୍କର ଭୁଲ ସ୍ଵୀକାର କଲେ ଏବଂ ନିଜ ଘରକୁ ଫେରିଗଲେ ।

 

ସେହି ଦିନୁ ସନ୍ନ୍ୟାସୀ ନାରାୟଣ ନାମ ଉଚ୍ଚାରଣ କରି ଆସୁଥିବାର ଶୁଣିଲେ ସତେ ଯେପରି ମହାବିଷ୍ଣୁ ନିଜେ ଓହ୍ଲାଇ ଆସୁଛନ୍ତି ବୋଲି ତାଙ୍କର ମନେ ହେଉଥିଲା । ସେ ଯେପରି ନାରାୟଣ ନାମ ଉଚ୍ଚାରଣ କରନ୍ତି ତାହା ଶୁଣିଲେ ମନେ ହେବ ସତେ ଯେପରି ନିକଟରେ ଠିଆ ହୋଇଥିବା ସେ ତାଙ୍କର କୌଣସି ସାଙ୍ଗକୁ କିମ୍ବା ନିଜ ମା'କୁ ଡାକୁଛନ୍ତି । କୁପୁସ୍ୱାମୀ ନାଇଡ଼ୁଙ୍କର ଏହି କଥା ଶୁଣି ବାସୁଦେବ କହିଲେ ତମେ ଆମେ ଓ ସେ ଭଗବାନଙ୍କ ନାମ ଉଚ୍ଚାରଣ କରିବା ଭିତରେ ଏହି ହେଉଛି ପାର୍ଥକ୍ୟ, ଆମେ ହାଇ ମାରିବାବେଳେ ଅଭ୍ୟାସବଶତଃ ‘ଗୋବିନ୍ଦ’ କିମ୍ବା ‘ରମ' ନାମ ଉଚ୍ଚାରଣ କରୁଛେ, ମାତ୍ର ସନ୍ନ୍ୟାସୀ ସତେ ଯେପରି ‘ସେ’ ନିଜ ନିକଟରେ ଠିଆ ହୋଇଛନ୍ତି ସେହିପରି ଡାକୁଛନ୍ତି ।

 

ଭିକ୍ଷାସ୍ଵରୂପ ଯେଉଁ ଚାଉଳ ମିଳେ ତାହା ବ୍ରହ୍ମଚାରୀ ରାନ୍ଧି–ସେଥିରେ ସାମାନ୍ୟ ଲୁଣ ଦେଇ ଗୁରୁଙ୍କୁ ପରସି ଥାଆନ୍ତି । ସନ୍ନ୍ୟାସୀଙ୍କ ଆଶ୍ରମ ନିକଟରେ ସର୍ବଦା ଗୋଟିଏ କୁକୁର ବୁଲୁଥିବାର ଦେଖାଯାଏ । ନିର୍ଦ୍ଦିଷ୍ଟ ସମୟରେ ସନ୍ନ୍ୟାସୀ ଡାକନ୍ତି ନାରାୟଣ । ଡାକ ଶୁଣି କୁକୁରଟି ଦୌଡ଼ି ଆସି ରଖାଯାଇଥିବା ତା’ ଭାଗ ଭାତ ଖାଇ ଦିଏ । ବ୍ରହ୍ମଚାରୀ ପଚାରନ୍ତି ପେଟ ପୂରିଲା ? କୁକୁରଟି ଲାଞ୍ଜ ହଲାଏ । ଶିଷ୍ୟର ଗୋଡ଼କୁ ଚାଟି ପକାଏ । ସତେ ଯେପରି ସେ କହୁଛି ଯେ ସେ ଖୁସି ଆଉ ଖାଇବ ନାହିଁ । ତା’ପରେ କୁକୁରଟି ଅନ୍ୟ ଆଡ଼େ ଦୌଡ଼ି ପଳାଏ । କୁକୁର ଖାଇବା ପରେ ଯାହା ବଳେ ତାହା ଗୁରୁ ଶିଷ୍ୟ ଖାଆନ୍ତି ।

 

ପ୍ରଥମେ ଏସବୁ କେତେକ ବ୍ରାହ୍ମଣ ବିସ୍ମୟର ସହିତ ନିରୀକ୍ଷଣ କରୁଥିଲେ । କୁକୁରଟି ଖାଇ ସାରିବା ପରେ ଯାହା ବଳୁଥିଲା ତାହା ସନ୍ନ୍ୟାସୀ ଖାଉଥିବା କଥାଟାକୁ ସେମାନେ ପସନ୍ଦ କରୁ ନଥିଲେ । ମାତ୍ର ସେମାନେ ସନ୍ନ୍ୟାସୀଙ୍କ ସହିତ ଏ ବିଷୟରେ ଖୋଲାଖୋଲି କଥା ହେବାକୁ ସାହସ କରୁ ନଥିଲେ । ସେମାନଙ୍କର ମନୋଭାବ ଜାଣିପାରିଲା ପରି ଦିନେ ସନ୍ନ୍ୟାସୀ ସେମାନଙ୍କୁ କହିଲେ ‘‘ଦୁନିଆର ସାଧାରଣ ନିୟମାନୁସାରେ ସନ୍ନ୍ୟାସୀ ଆପଣାକୁ ନିୟନ୍ତ୍ରଣ କରିବା ଲାଗି ବାଧ୍ୟ ନୁହେଁ । ସେ ସବୁ ଜିନିଷରେ ଭଗବାନଙ୍କର ଅସ୍ତିତ୍ଵ ଦେଖେ । ଏହି କୁକୁର ଦେହରେ ମଧ୍ୟ ଭଗବାନ ଅଛନ୍ତି । ତାଙ୍କୁ ଖାଇବାକୁ ଦେବା ଅର୍ଥ ଭଗବାନଙ୍କୁ ପୂଜା କରିବା ।

 

ବ୍ରାହ୍ମଣମାନେ ସନ୍ନ୍ୟାସୀଙ୍କର ଏ ଉତ୍ତରରେ ସନ୍ତୁଷ୍ଟ ହୋଇଥିଲେ ଓ ଆଉ କୌଣସି ପ୍ରତିବାଦ କରି ନଥିଲେ ।

 

ନିକଟବର୍ତ୍ତୀ ଗାଁମାନଙ୍କର ଚାଷୀମାନେ ଫାଉଡ଼ାଧରା ଶିଷ୍ୟଙ୍କ ପ୍ରତି ବିଶେଷ ଆକୃଷ୍ଟ ହୋଇ ପଡ଼ିଥିଲେ । ସେମାନଙ୍କର ପିଲାପିଲିଙ୍କ ଦେହ ଖରାପ ହେଲେ ସେମାନେ ତାଙ୍କ ନିକଟକୁ ପିଲାଙ୍କୁ ନେଇ ଯାଉଥିଲେ । ସେ ଗଭୀର ସହାନୁଭୂତିର ସହିତ ନାରାୟଣ ନାମୋଚାରଣ କରି ଅତି ଆଦରରେ ପ୍ରତିଟି ପିଲାକୁ ସ୍ପର୍ଶ କରୁଥିଲେ । ସେମାନେ ସନ୍ନ୍ୟାସୀଙ୍କ ନିମନ୍ତେ କିଛି ପଇସା କିମ୍ବା ସୁନା ଶ୍ରଦ୍ଧାରେ ଦେଇ କହୁଥିଲେ ଏସବୁ ନରଖିବାଟା ଠିକ୍ ହେଉନାହିଁ । ସନ୍ନ୍ୟାସୀ ଏହି ସୁନାକୁ ମଇଳା ଗାତକୁ ଫିଙ୍ଗିଦେବାକୁ ଶିଷ୍ୟକୁ କହୁଥିଲେ । ଗୁରୁଙ୍କ ନିର୍ଦ୍ଦେଶାନୁସାରେ ଶିଷ୍ୟ ମିଳୁଥିବା ସୁନା ଓ ପଇସାକୁ ମଇଳା ଗାତକୁ ଫିଙ୍ଗିଦେଉଥିଲେ ।

 

ସମୟ ବିତି ଯିବା ସଙ୍ଗେ ସଙ୍ଗେ ସେହି ଗାତରେ ଅନେକ ଜିନିଷ ପଡ଼ି ଜମା ହୋଇଗଲା । ଏହି ଧନର ସନ୍ଧାନ ମଧୁସୂଦନ ଚେଟିୟାର୍‍ ପାଇଥିଲେ ।

 

ଦିନେ ପୂର୍ଣ୍ଣିମା ରାତିରେ ଏହି ସନ୍ନ୍ୟାସୀଙ୍କର ଦେହାନ୍ତ ହୋଇଗଲା । ଭକ୍ତିରେ ଗ୍ରାମବାସୀମାନେ ଏକାଠି ମିଳିତ ହୋଇ ସନ୍ନ୍ୟାସୀଙ୍କ ଶେଷକ୍ରିୟା ସମାପନ କଲେ ଏବଂ ତାଙ୍କ ସ୍ମୃତିରକ୍ଷା ନିମନ୍ତେ ସେହି ସ୍ଥାନରେ ଗୋଟିଏ ସମାଧି ନିର୍ମାଣ କରି ଦେଇଥିଲେ ।

 

ତା’ପରେ ସେ ଶିଷ୍ୟ ଆଉ କୁକୁରଟି କେଉଁଆଡ଼େ ଚାଲି ଯାଇଥିଲେ ନିକଟବର୍ତ୍ତୀ ଗାଁମାନଙ୍କରେ ମଧ୍ୟ ସେମାନଙ୍କୁ ଦେଖିବାକୁ ମିଳିଥିଲା । ଅନେକ କହିଲେ ଉତ୍ତରରେ ବନାରସକୁ ସେ ଶିଷ୍ୟ ଚାଲି ଯାଇଛନ୍ତି । କୁକୁରଟି ମଧ୍ୟ ତାଙ୍କ ସଙ୍ଗରେ ଯାଇଛି । ଆଉ କେତେକ କହୁଥିଲେ, ନା ନା ସେ ଏପରି ସାଧାରଣ ମଣିଷ ନୁହନ୍ତି । ସେ କୁକୁରଟି ମଧ୍ୟ ସାଧାରଣ କୁକୁର ନୁହେଁ । ସେ ମୂର୍ତ୍ତିମନ୍ତ ଧର୍ମ । ସନ୍ନ୍ୟାସୀ ଦୁନିଆ ଛାଡ଼ି ଚାଲିଯିବା ପରେ ସେ ମଧ୍ୟ ଅଦୃଶ୍ୟ ହୋଇଗଲା । ଆଉ ରହନ୍ତା କାହିଁକି ?

 

ସତ୍ୟାସତ୍ୟ ଯାହା ହେଉନା କାହିଁକି ମଧୁସୂଦନ ଚେଟିୟାର୍‍ ନିର୍ମାଣ କରିଥିବା ମନ୍ଦିରର ଗୋଟିଏ ସ୍ତମ୍ଭରେ କୁକୁର ଛବି ଅଙ୍କାଯାଇଥିବାର ଦେଖାଯାଏ । ସେ କୁକୁର ମୂର୍ତ୍ତିକୁ ଧର୍ମରୂପୀ ଭଗବାନ ମନେକରି ଲୋକେ ଏବେ ପୂଜା ଅର୍ଚ୍ଚନା କରୁଛନ୍ତି ।

Image

 

ମନ୍ତ୍ରୀ ସୀତାରାମାୟାରଙ୍କର ସନ୍ନ୍ୟାସ ଗ୍ରହଣ

 

ଆଗାମୀ କାଲି ଆମ ଏଠାକୁ କ୍ରିଷ୍ଣଦାସ ଆସୁଛନ୍ତି । ଏହି ସମ୍ବାଦ ଶୁଣି ପାଲିକୋଣ୍ଡାନ ଗାଁର ପିଲାମାନେ ଓ ସେମାନଙ୍କର ମା’ମାନେ ବହୁତ ଖୁସି । ତାଙ୍କୁ କିପରି ସମ୍ବର୍ଦ୍ଧନା ଦିଆଯିବ ସେଥିଲାଗି ସମସ୍ତେ ପ୍ରସ୍ତୁତ ହେଉଥିଲେ ।

 

ଏହି ପ୍ରସ୍ତୁତି ସେପରି କିଛି ଉଲ୍ଲେଖଯୋଗ୍ୟ ନୁହେଁ । ସେ ଯେତେବେଳେ ଆସି ଗାଁରେ ପହଞ୍ଚନ୍ତି ବସିବା ଲାଗି ତାଙ୍କୁ ଗୋଟିଏ କାଠର ପିଢ଼ା ଦିଆଯାଏ । କୁମ୍ଭାର ଘରୁ ନୂଆ ହାଣ୍ଡି ଅଣାଯାଉଥିଲା । ତାଙ୍କୁ ଖାଇବାକୁ ଥାଳିଏ ଭାତ ଓ ଗୋଟିଏ ପାତ୍ରରେ ଦହି ବାଢ଼ି ଦିଆଯାଉଥିଲା । ଏ ହେଲା ତାଙ୍କ ଆହାର । ଦିନରେ ସେ ବକ୍ତଟିଏ ଖାଉଥିଲେ ।

 

ସକାଳ ନଅଟାବେଳକୁ ସେ ପାଲିକୋଣ୍ଡାନ୍ ଆସିଥିଲେ । ଆସିଲାବେଳେ ରାସ୍ତାରେ ଗୋଟିଏ ପୋଖରୀରେ, ସେ ଗାଧୋଇସାରି ତାଙ୍କ ପ୍ରାର୍ଥନା ସାରିଦେଇଥିଲେ । ଖୁବ୍ ବଡ଼ପାଟିରେ ‘ଗୋପାଳ’ ‘ଗୋପାଳ’ ଉଚ୍ଚାରଣ କରି ସେ ଗ୍ରାମ ମଧ୍ୟକୁ ପ୍ରବେଶ କରିଥିଲେ । ଗାଁ ଲୋକେ ତାଙ୍କ ଚାରିପଟେ ଘେରି ଯାଇଥିଲେ । ସେ ପିଲାମାନଙ୍କୁ ଆଲିଙ୍ଗନ କରି ଆଶୀର୍ବାଦ କରିଥିଲେ ଓ ଠାକୁରଙ୍କୁ ଦଣ୍ଡବତ ହୋଇ ପ୍ରାର୍ଥନା କରିବାକୁ କହିଥିଲେ ।

 

ତାଙ୍କରି କଥା ଅନୁସାରେ ସମସ୍ତେ ‘ଗୋପାଳ’ ‘ଗୋପାଳ’ କହି ଭୂଇଁରେ ଲମ୍ବ ଲମ୍ବ ହୋଇ ଶୋଇଥିଲେ । ହାତଯୋଡ଼ି ଗ୍ରାମବାସୀମାନେ ତାଙ୍କ ସମ୍ମୁଖରେ ଠିଆହୋଇଥିଲେ । ମାଟି ଥାଳିରେ ଥିବା ଭାତରେ ସେ ଦହି ଢାଳି ଦେଉଥିଲେ । ତା’ପରେ ଦହିଗୋଳା ଭିତରେ ଛୋଟ ଛୋଟ ଗୁଣ୍ଡା କରି ସେ ପିଲାମାନଙ୍କୁ ବାଣ୍ଟି ଦେଉଥିଲେ । ପିଲାମାନେ କହୁଥିଲେ ସେତିକି ସେତିକି-। ଏଥର ଆପଣ ଖାଆନ୍ତୁ । ସେ ଖାଇସାରି କିଛି ସମୟ ଗୋଟିଏ ଗଛତଳେ ବସନ୍ତି-। ତା’ପରେ ସେ ତାଙ୍କ କମଣ୍ଡଳୁ ଧରି ଯିବାଲାଗି ବାହାରନ୍ତି । ଗାଁର ପୁରୁଷ, ସ୍ତ୍ରୀ, ପିଲା ସମସ୍ତେ ତାଙ୍କ ସମ୍ମୁଖରେ ଲମ୍ବ ଲମ୍ବ ହୋଇପଡ଼ି ତାଙ୍କର ଆଶୀର୍ବାଦ ଭିକ୍ଷା କରୁଥିଲେ ଏବଂ ତାଙ୍କୁ କିଛି ଦୂର ବଳେଇ ଦେଇ ଆସୁଥିଲେ ।

 

ସନ୍ନ୍ୟାସୀ ହେବା ପୂର୍ବରୁ କ୍ରିଷ୍ଣଦାସ, ସୀତାରାମାୟାର ନାମରେ ପରିଚିତ ଥିଲେ । ସେ ରଙ୍ଗପୁରମ୍‍ର ଜଣେ ପ୍ରତିଷ୍ଠିତ ଓକିଲ ଥିଲେ । କିନ୍ତୁ ତିରିଶବର୍ଷ ବୟସରେ ସେ ଆଇନ ବ୍ୟବସାୟ ଛାଡ଼ି ଦେଶର ମୁକ୍ତି ଆନ୍ଦୋଳନରେ ଯୋଗଦେଇ କାରାବରଣ କରିଥିଲେ ।

 

ତାଙ୍କର ବାପା ସେତେବେଳକୁ ବୁଢ଼ାହୋଇ ଯାଇଥିଲେ । ସେ ବରାବର ଅସୁସ୍ଥ ରହୁଥିଲେ । ତାଙ୍କର ସ୍ୱାସ୍ଥ୍ୟ ଭାଙ୍ଗିଯାଇଥିଲା । ଅଳ୍ପ ଦରମାରେ ସ୍ଥାନୀୟ କଚିରିରେ ତାଙ୍କ ସାନଭାଇ ଗୋଟିଏ କିରାଣି ଚାକିରି କରୁଥିଲେ ।

 

ସାନଭାଇ ନାରାୟଣ ଦିନେ ତାଙ୍କ ବାପାଙ୍କୁ ବଡ଼ଭାଇ ତାଙ୍କ ବ୍ୟବସାୟ ଛାଡ଼ି ସ୍ଵରାଜ୍ୟ ଆନ୍ଦୋଳନରେ ଯୋଗ ଦେବାକୁ କିପରି ଠିକ୍ କରିଛନ୍ତି ସେ କଥା କହିଲେ । ଏକଥା ଶୁଣି ମିଛ କଥାଗୁଡ଼ାଏ କହି ମୋତେ ଚିଡ଼ାନା କହୁଛି ବୋଲି ବାପା ବିରକ୍ତ ହୋଇ କହିଥିଲେ ।

 

‘‘ନା ବାପା, ମିଛନୁହେଁ । ଯାହା କହୁଛି ସତ ବୋଲି ନାରାୟଣ କହିଲା ।’’

 

ସୀତାରାମାୟାର ଯେତେବେଳେ ତାଙ୍କ ମନକଥା ସ୍ତ୍ରୀଙ୍କୁ କହିଲେ ସେ କାନ୍ଦିବାକୁ ଲାଗିଲେ । ସ୍ତ୍ରୀଙ୍କୁ ସାନ୍ତ୍ଵନା ଦେଇ ସେ କହିଲେ ‘‘ଜଣେ ଦେଶର ସମ୍ମାନପାଇଁ କାମ କରିବା ଉଚିତ-। ତୁମେ ଏସବୁ କଥା ବୁଝିପାରିବ ନାହିଁ । ସେ ଯାହା ହେଉ ତୁମେ ବ୍ୟସ୍ତ ହୁଅ ନାହିଁ । ଶଙ୍କରଲିଙ୍ଗମ୍ ଚେଟିୟାର୍‍ ଆମ ଘରର ସୁବିଧ ଅସୁବିଧା ସବୁ ଦେଖିବେ ।

 

ସୀତାରାମାୟାର ଘର ଛାଡ଼ି ଉତ୍ତରକୁ ଯାଇ ଦେଶର ମୁକ୍ତି ଆନ୍ଦୋଳନରେ ଝାସ ଦେଇଥିଲେ । ଅନ୍ୟାନ୍ୟ ସତ୍ୟାଗ୍ରହୀମାନଙ୍କ ସହିତ ସେ ଗିରଫ୍ ହୋଇଥିଲେ ଏବଂ ତାଙ୍କର ବିଚାର ଚାଲିଥିଲା ।

 

ଦେଶଦ୍ରୋହ ଆନ୍ଦୋଳନ ଅଭିଯୋଗରେ ସୀତାରାମାୟାରଙ୍କୁ ମାଜିଷ୍ଟ୍ରେଟ ଚାରିବର୍ଷ ସଶ୍ରମ କାରାଦଣ୍ଡ ଦେଇଥିଲେ । ତାଙ୍କୁ ଦଣ୍ଡ ଭୋଗିବାକୁ ନାଗପୁର ଜେଲକୁ ପଠାଇ ଦିଆଯାଇଥିଲା ।

 

ଜେଲ ଜୀବନର ତୃତୀୟ ବର୍ଷରେ ସେ ତାଙ୍କ ଭାଇଙ୍କଠାରୁ ଗୋଟିଏ ଟେଲିଗ୍ରାମ୍ ପାଇଥିଲେ । ସେଥିରେ ବରାବର ଅସୁସ୍ଥ ରହି ଅନେକ ଦିନ କଷ୍ଟ ଭୋଗିବା ପରେ ବାପାଙ୍କର ମୃତ୍ୟୁ ହୋଇ ଯାଇଥିବା କଥା ସେ ବଡ଼ ଭାଇଙ୍କୁ ଜଣାଇଥିଲେ । ଟେଲିଗ୍ରାମ୍ ମିଳିବାର ଦୀର୍ଘ ତିନି ଦିନ ପରେ ଜେଲର୍ ସୀତାରାମାୟାରଙ୍କୁ ତାହା ଦେଖାଇଥିଲେ । ବିବ୍ରତ ନହୋଇ ଜେଲର୍‍ଙ୍କ ଜରିଆରେ ସେ ଭାଇଙ୍କୁ ତାଙ୍କର ଖଣ୍ଡିଏ ପତ୍ର ଲେଖିଥିଲେ । ସେଥିରେ ବାପାଙ୍କର ଶ୍ରାଦ୍ଧକ୍ରିୟା ସମାପନ କରିବା ନିମନ୍ତେ ସେ ସାନଭଇକୁ ପରାମର୍ଶ ଦେଇଥିଲେ ।

 

ଏହାର ଗୋଟିଏ ବର୍ଷ ପରେ ତାଙ୍କର ସ୍ତ୍ରୀଙ୍କର ସ୍ୱାସ୍ଥ୍ୟ ମଧ୍ୟ ଖରାପ ହେବାକୁ ଆରମ୍ଭ କଲା । ସେ ବଞ୍ଚିବେ କି ନାହିଁ ତା’ର କିଛି ଠିକ୍‍ଠିକଣା ନାହିଁ ବୋଲି ମିଳିଥିବା ଚିଠିରୁ ଜଣାଯାଇଥିଲା । ଏହି ଚିଠିଟି ମଧ୍ୟ ଦୀର୍ଘ ଆଠ ଦିନ ପରେ ସୀତାରାମାୟାରଙ୍କ ହାତକୁ ଆସିଥିଲା । ଚିଠିଟି ପଢ଼ି ସେ ଜେଲର୍‍ଙ୍କୁ କେବଳ କହିଥିଲେ ଭଗବାନଙ୍କ ଇଚ୍ଛା ପୂର୍ଣ୍ଣ ହେବ । ଜେଲର୍ ଜଣେ ଭଲଲୋକ ଓ ନୂଆ ହୋଇ ଦାୟିତ୍ଵ ଗ୍ରହଣ କରିଥିଲେ । ସେ ସୀତାରାମାୟାରଙ୍କ ପ୍ରତି ଅତି ଭଲ ବ୍ୟବହାର କରୁଥିଲେ । ତାଙ୍କୁ “ପାରୋଲ”ରେ ଜେଲରୁ ଛାଡ଼ି ଦେବାକୁ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଲେଖିବାକୁ ସେ କହିଥିଲେ ।

 

ମାତ୍ର ସୀତାରାମାୟାର ଜେଲର୍‍ଙ୍କୁ ଏପରି ନ ଲେଖିବାକୁ ବରଂ କହିଥିଲେ । "ଭଗବାନଙ୍କର ଯାହା ଇଚ୍ଛା ତାହାହିଁ ହେବ । ମୁଁ ବା ଯାଇ ଅଧିକ କ’ଣ କରିବି ? ମୃତ ବ୍ୟକ୍ତିତ ଆଉ ଜୀବନ ପାଇ ଫେରି ପାରିବ ନାହିଁ ।” ଦେଶପ୍ରେମୀମାନେ ସେତେବେଳେ ଏହିପରି ଆଚରଣ କରୁଥିଲେ । ସେମାନେ ବିଦେଶୀ ଶାସନ ନିକଟରୁ କୌଣସି ପ୍ରକାର ସୁବିଧା ସୁଯୋଗ ଚାହୁଁ ନଥିଲେ ।

 

୧୯୩୭ ମସିହାରେ ଯେତେବେଳେ ମାନ୍ଦ୍ରାଜରେ ସ୍ଵଦେଶୀ ସରକାର କ୍ଷମତାକୁ ଆସିଲେ ସେତେବେଳେ ସୀତାରାମାୟାରଙ୍କ ବୟସ ପଚାଶବର୍ଷ ହୋଇଥିଲା । ସେ ଶିକ୍ଷା ମନ୍ତ୍ରୀଭାବେ ମାନ୍ଦ୍ରାଜ ମନ୍ତ୍ରିମଣ୍ଡଳରେ ଯୋଗ ଦେଇଥିଲେ । ଅନ୍ୟ ମନ୍ତ୍ରୀମାନଙ୍କ ପରି ସେ ବେଶ୍ ସୁଖ୍ୟାତି ଅର୍ଜନ କରିଥିଲେ । ଦିନେ ଶଙ୍କରଲିଙ୍ଗମ୍ ଚେଟିୟାର୍‍ କହିଥିଲେ ‘‘ଆଜି ଯଦି ତୁମ ବାପା ବଞ୍ଚି ଥାଆନ୍ତେ ତେବେ ସେ କେତେ ଖୁସି ହେଉ ନଥାନ୍ତେ ।” “ଏକଥା ଶୁଣି ସୀତାରାମାୟାରଙ୍କ ଆଖି ଛଳଛଳ ହୋଇ ଉଠିଲା । ତାଙ୍କ ସ୍ତ୍ରୀଙ୍କର କଥା ମଧ୍ୟ ତାଙ୍କର ମନେ ପଡ଼ିଲା । ସେ ବ୍ୟସ୍ତ ହୋଇ ଉଠିଲେ ଏବଂ ମନକୁ ମନ କହିଲେ ଚେଟିୟାର୍‍ ସତ କହୁଛନ୍ତି ।”

 

ଚେଟିୟାର୍‍ଙ୍କ କଥା ତାଙ୍କର ମନରୁ ଗଲାନାହିଁ । ସେ ଦିନ ରାତିରେ ସେ ସ୍ଵପ୍ନ ଦେଖିଲେ । ତାଙ୍କର ବାପା ବଞ୍ଚିଛନ୍ତି ଓ ତାଙ୍କ ସଙ୍ଗରେ କଥା ହେଉଛନ୍ତି ।

 

“ଏ ପୁଅ, ସୀତାରାମ ସେ ଦିନ ରାତିରେ ମୋତେ ମୋ ଭାଗ୍ୟ ହାତରେ ଛାଡ଼ିଦେଇ ତୁ ଚାଲିଗଲୁ । ମୋର ଦେଖାଶୁଣା କିଏ କରିବ ? ତୁ ଫେରି ଆସ ।”

 

ସେ ଶୁଣି ପାରିଲେ ସତେ ଅବା ତାଙ୍କର ସ୍ତ୍ରୀ କହୁଛନ୍ତି “ମୁଁ କେତେ ଭୋଗିଲି । ତମେ କ’ଣ କିଛି ଜାଣିଲ ?”

 

“ପ୍ରିୟତମା ! ମୁଁ ଭାବିଥିଲି ତୁମେ ମରି ଯାଇଛ । ମାତ୍ର ଦେଖୁଛି ତୁମେବି ବଞ୍ଚି ରହିଛ ! ମୁଁ ମିଛଟାରେ ଏତେ ଶୋଚନା କରିଥିଲି” ଉତ୍ତରରେ ସୀତାରାମାୟାର କହିଲେ ।

 

ବିହ୍ଵଳ ଭାବରେ ସ୍ତ୍ରୀ କହିଥିଲେ ‘‘ସେମାନେ ମୋ ପେଟ ଚିରି ସେଥିରୁ କଂସାଏ ହେବ ପାଣି ପରି କ’ଣ କାଢ଼ିଥିଲେ । ସେତେବେଳେ ଜେଲରେ ତୁମେ ବେଶ୍ ଖୁସିରେ ଥିଲ ।”

 

ଭର୍ତ୍ସନା କରି ବାପା ତାଙ୍କର ତାଙ୍କୁ କହିଲେ “ତୁ ଭାବ ନାହିଁ ଯେ ଏଗୁଡ଼ା ସବୁ ସ୍ୱପ୍ନ । ତୁ ଗୋଟାଏ ପିତୃହତ୍ୟାକାରୀ । ବାପାକୁ ତୋର ତା’ ଭାଗ୍ୟ ଭୋଗିବା ଲାଗି ଛାଡ଼ିଦେଇ ଚାଲିଗଲୁ । ଏଥିପାଇଁ ତୋତେ ନର୍କ ଭୋଗିବାକୁ ହେବ ।”

 

ଭୟରେ, ସୀତାରାମାୟାର ଥରି ଉଠିଲେ । କହିଲେ ହେ, ରାମଚନ୍ଦ୍ର ବର୍ତ୍ତମାନ ମୁଁ କ'ଣ କରିବି ? ତୁମେ ମଧ୍ୟ ତୁମ ବାପାଙ୍କୁ ଛାଡ଼ି କ'ଣ ବନବାସ କରିବାକୁ ଯାଇ ନଥିଲ ?

 

ନିକଟରେ ଠିଆ ହୋଇଥିବା ହନୁମାନ ଖୁବ୍ ପାଟିକରି ହସି ଉଠିଲେ ।

 

ସୀତାରାମାୟାର ଖୁବ୍ ଉଚ୍ଚସ୍ୱରରେ କାନ୍ଦି କାନ୍ଦି କହିଲେ ମୁଁ ମହାପାପ କରିଛି । ମୁଁ ଏହାର ପ୍ରାୟଶ୍ଚିତ୍ତ କରିବାକୁ ଅକ୍ଷମ ହୋଇ ପଡ଼ିଛି । ହେ' ପ୍ରଭୁ ତୁମେ କେବଳ ମୋର ଆଶ୍ରୟ ସ୍ଥଳ, ମୁଁ କର୍ତ୍ତବ୍ୟ ସଚେତନ ନଥିଲି । ମୁଁ ଧର୍ମକୁ ଅବମାନନା କରିଛି । ବାପା ଅଭିଯୋଗ କରି ପୁଣି କହିଲେ “ତୋ ଶିକ୍ଷାପାଇଁ ମୁଁ ପଇସେ ଅଧଲେ ସଂଚୟ କରି ତତେ ଦେଇଛି । ପାପ ପ୍ରତି ଭ୍ରୂକ୍ଷେପ ନକରି ତୋପାଇଁ ଅନେକ ପ୍ରକାରର ଅନ୍ୟାୟ କରିଛି । ମାନ୍ଦ୍ରାଜରେ ରହି ତୁ ପଢ଼ିବାପାଇଁ ତୋ ଲାଗି ମୁଁ ଟଙ୍କା ପଠାଇଛି ।”

 

ସେତିକି ନୁହେଁ ସେ ପୁଣି କହିଲେ “ମୋ ଗୋଡ଼ ଦୁଇଟି ପଚି ଯେତେବେଳେ ଦୂଷିତ ହୋଇଗଲା, ସେତେବେଳେ ବିଛଣାରେ ପଡ଼ି ଖୁବ୍ ଯନ୍ତ୍ରଣା ଭୋଗୁଥିଲି । ସେତେବେଳେ ତୁ ତୋର ତଥାକଥିତ ଦେଶପ୍ରେମର ଗର୍ବରେ ଉନ୍ମତ୍ତ ହୋଇ କାହା ପ୍ରତି ଦୃଷ୍ଟିଦେଲୁ ନାହିଁ । ଏହା କରି ତୁ ତୋର ବାପା ପ୍ରତି ଯେଉଁ ବିଶ୍ୱାସଘାତକତା କଲୁ ତା’ର କି ପ୍ରାୟଶ୍ଚିତ୍ତ କରି ପାରିବୁ ?”

 

ସ୍ତ୍ରୀ ବିନୟ ହୋଇ କହିଲା “ବାପା ତୁମେ ଏପରି ଅଭିଶାପ ଦିଅନାହିଁ ଅନ୍ୟମାନେ ଯାହା କରିଛନ୍ତି ତୁମ ପୁଅବି ଠିକ୍ ସେଇୟା କରିଛନ୍ତି ।”

 

ହଠାତ୍ ତାଙ୍କର ସ୍ତ୍ରୀ ଦେବୀ ରୂପରେ ରୂପାନ୍ତରିତ ହୋଇ ଉଠିଥିଲେ । ସେ ଭକ୍ତିପୂର୍ଣ୍ଣ କଣ୍ଠରେ “ଗୋବିନ୍ଦ”ଙ୍କୁ ଡାକିଥିଲେ ଏବଂ କୃଷ୍ଣ ଆବିର୍ଭୂତ ହୋଇଥିଲେ ।

 

କୃଷ୍ଣ କହିଥିଲେ–ଦୁଃଖ କରନାହିଁ ସମସ୍ତ ପାପରୁ ମୁଁ ତୋତେ ରକ୍ଷା କରିବି, ମୋ ରଥ ଭିତରକୁ ଆସ ।

 

ନିଦ ଭାଙ୍ଗି ଯାଇଥିଲା । ସୀତାରାମାୟାରଙ୍କ ଆଖିରୁ ଲୁହ ବୋହି ଯାଉଥିଲା ।

 

ତା’ ପରଦିନ ସେ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇ ସହର ଛାଡ଼ି ଚାଲି ଯାଇଥିଲେ । ସେହିଦିନୁ ମନ୍ତ୍ରୀ ସୀତାରାମାୟାର କୃଷ୍ଣଦାସ ହେଲେ । ସେ ଦିନକୁ ଗୋଟିଏ ଗାଁ ଯାଉଥିଲେ । ମାଗିକରି ଦିନରେ ବକ୍ତେ ଖାଉଥିଲେ । ଅବିଶିଷ୍ଟ ଜୀବନ ସେ ଏହିପରି କଟାଇ ଦେଇଥିଲେ । ଦୁଇବର୍ଷ ପରେ ଗୋକୁଳାଷ୍ଟମୀ ଦିନ ତାଙ୍କର ଦେହାନ୍ତ ହୋଇଯାଇଥିଲା ।

Image

 

ନାଲି ସ୍ଵାମୀୟାର

 

ମାନ୍ଦ୍ରାଜରେ ହାତଟଣା ରିକ୍ସା ଚାଳନାକୁ ବାରଣ କରାଯାଇ ଆଇନ ପ୍ରଚଳନ ହେବା ପରେ ପରେ ମାନ୍ଦ୍ରାଜରେ ରାସ୍ତାମାନଙ୍କରେ ଆଉ ରିକ୍ସା ଦେଖାଗଲା ନାହିଁ । ରିକ୍ସା ବଦଳରେ ମଟର ରିକ୍ସା ଦେଖାଗଲା ।

 

ଜଣେ ବୁଢ଼ା ଅଭିଯୋଗ କରି କହିଲା, ଏହି ମଟର ରିକ୍ସାଗୁଡ଼ିକ ଅସମ୍ଭବ ଧରଣର ଆୱାଜ୍ କରୁଛନ୍ତି । ପୁରୁଣାକାଳିଆ ରିକ୍ସାଗୁଡ଼ିକ ବେଶ୍ ଭଲଥିଲା ।

 

କ୍ଳବ୍ ସେକ୍ରେଟାରୀ ରାମନାଥନ୍ ଚେଟିୟାର୍‍ ବ୍ୟଙ୍ଗକରି କହିଲେ ଏହାବଡ଼ ବିଚିତ୍ର କଥା-। ବଳଦଙ୍କ ପରି ମଣିଷ ଗୋଟାଏ ଗାଡ଼ି ଟାଣିବ, ଏହା କ'ଣ ମଣିଷ ଜାତି ଓ ତା’ର ସଭ୍ୟତାକୁ ଅପମାନ ନୁହେଁ ।

 

ବୁଢ଼ାଲୋକଟି କହିଲା–

 

–ମୁଁ ସ୍ଵୀକାର କରୁଛି ଏହି ଅମାନୁଷିକତା, ମାତ୍ର ସ୍ଵାମୀୟାର ନାଲି କ’ଣ କହିଥିଲେ ତୁମେ ଶୁଣିଛଟି ?

 

ବୁଢ଼ା ଲୋକଟି କହିଲା–ସେ ସବୁ ପୁରୁଣା କଥା ହୋଇଗଲାଣି । ସେତେବେଳେ ନୂଆକରି ହାତଟଣା ରିକ୍ସା ଚଳୁଥିଲା ।

 

ରିକ୍ସାବାଲା ନାଲିର ଅନେକ ସାଙ୍ଗଥିଲେ । ସେମାନେ ରୀତିମତ ଚୋରା ମଦ ପିଉଥିଲେ । ମଦ ପିଇବାକୁ ସେମାନେ ତାକୁ ବେଳେବେଳେ ମତାଉଥିଲେ । ମାତ୍ର ଏପରି ଖରାପ କାମ ସେ କରିବ ନାହିଁ ବୋଲି ରୋକ୍‌ଠୋକ୍‌ ସେମାନଙ୍କୁ ଶୁଣାଇ ଦେଉଥିଲା ।

 

‘ସେ ସାଧୁ ହୋଇଗଲାଣି’ ଓ ଅନ୍ୟାନ୍ୟ କେତେକ କଥା କହି ଅନ୍ୟମାନେ ତାକୁ ବିଦ୍ରୂପ କରୁଥିଲେ । ମାତ୍ର ନାଲି ନିଜ କଥାରେ ଦୃଢ଼ଥିଲା ।

 

ରିକ୍ସା ଷ୍ଟାଣ୍ଡ ନିକଟରେ ଗୋଟିଏ ପୁରୁଣା ନିମଗଛ ଥିଲା । ଏହାର ଗଣ୍ଡିଗୁଡ଼ିକ ଗଣ୍ଠିହୋଇ ଯାଇଥିଲା । ହନୁମାନଙ୍କ ଭକ୍ତ ବରଦା ଏ ସବୁରେ ରଙ୍ଗବୋଳି ତା’ ଉପରେ ହନୁମାନଙ୍କର ଚିତ୍ର ଅଙ୍କନ କରୁଥିଲା । ସବୁଆଡ଼େ ହନୁମାନଙ୍କର ଚିତ୍ର ଆଙ୍କିବା ତା’ର ଏକ ଅଭ୍ୟାସରେ ପରିଣତ ହୋଇ ପଡ଼ିଥିଲା ।

 

ଏହିପରି ଏକଲକ୍ଷ ଛବି ଆଙ୍କି ସାରିବା ପରେ କୁମ୍ଭାକୋନାମ୍‌ଠାରେ ସେ ସ୍ଥାୟୀଭାବେ ରହିଥିଲା । ସେଠାରେ ସେ ହନୁମାନଙ୍କ ମନ୍ଦିର ସ୍ଥାପନ କରିଥିଲା ।

 

ନାଲି ପ୍ରତିଦିନ ସକାଳୁ ରିକ୍ସା ଟାଣିବାକୁ ଯିବା ପୂର୍ବରୁ ନିମମୂଳରେ ଥିବା ହନୁମାନଙ୍କର ପୂଜା କରୁଥିଲା । ତା’ ଦେଖାଦେଖି ଅନ୍ୟ ରିକ୍ସାବାଲାମାନେ ମଧ୍ୟ ପୂଜା କରୁଥିଲେ । ମାତ୍ର ନାଲିର ପୂଜା ଆରାଧନାରେ ବିଶେଷତ୍ଵ ଥିଲା । ଗୋଟାଏ ମିନିଟ୍‌ ଧରି ସେ ଆଖିବୁଜି ଠିଆ ହେଉଥିଲା, ସତେ ଯେପରି ସେ ସମାଧିସ୍ଥ । ତା’ର ଏହି ଭକ୍ତିପାଇଁ ସ୍ଵାମୀୟାର ନାଲିରୂପେ ସମସ୍ତଙ୍କ ନିକଟରେ ପରିଚିତ ଥିଲା ।

 

ସ୍ଵାମୀୟାର ନାଲି ଦିନକୁ ତିନିଟଙ୍କା ରୋଜଗାର କରୁଥିଲା ! ଭଡ଼ା ବାବଦକୁ ରିକ୍ସା ମାଲିକକୁ ସେ ପ୍ରତିଦିନ ପଚାଶ ପଇସା ଦେଉଥିଲା । ବାକି ଯେଉଁ ଦୁଇ ଟଙ୍କା ପଚାଶ ପଇସା ବଳେ ପ୍ରତିଦିନ ସନ୍ଧ୍ୟାରେ ସେ ତା’ର ମା’କୁ ଦେଇଦିଏ । ସେ ଯେ ଏପରି କରିପାରୁଥିଲା ତା’ର କାରଣ ହେଲା ସେ ବିଡ଼ିଟାଣୁ ନଥିଲା କିମ୍ବା ନିଜପାଇଁ କୌଣସି ଖର୍ଚ୍ଚ କରୁ ନଥିଲା । ସେମାନେ ଗୋଟିଏ ଛୋଟ ଖୋଲା ଚାଳିଆ ଘରେ ରହୁଥିଲେ । ସେଥିଲାଗି ତାକୁ ମାସକୁ ଚାରିଟଙ୍କା ଭଡ଼ା ଦେବାକୁ ପଡ଼ୁଥିଲା ତେବେ ନାଲି ଯେତିକି ରୋଜଗାର କରୁଥିଲା ସେଥିରେ ମା’ ପୁଅ ବେଶ୍ ଭଲରେ ଚଳି ଯାଉଥିଲେ ।

 

ବେଳେବେଳେ ତା’ର ମା’ ବ୍ୟସ୍ତ ହୋଇ କହୁଥିଲେ ପୂର୍ବଜନ୍ମରେ ତୁ କି ପାପ କରିଥିଲୁ ଯେ ମୋ ପୁଅ ହୋଇ ଜନ୍ମହେଲୁ । ପାଠ ନପଢ଼ି, ଚାକିରି ନକରି ବଞ୍ଚିବାପାଇଁ ବଳଦଙ୍କ ପରି ତୁ ରିକ୍ସା ଟାଣୁଛୁ । ମା’ କଥାଶୁଣି ନାଲି କହେ ଆମର ଆଉ କି ଅଭାବ ରହିଲା କି ? ରିକ୍ସା ଟାଣିବାରେ ଅପମାନ କ’ଣ ? ଯେଉଁମାନେ ଚାଲିପାରୁ ନାହାଁନ୍ତି ସେମାନଙ୍କୁ ରିକ୍ସାରେ ବସାଇ ବସାଇ ବୋହି ନେବାରେ ଭୁଲଟା କେଉଁଠି ? ମୁଁ ଭାବୁଛି ଏଟା ବେଶ୍ ସମ୍ମାନଜନକ ବ୍ୟବସାୟ । ମା’ ତୁ ଦୁଃଖ କରନାହିଁ, ଭଗବାନ ଆମକୁ ବେଶ୍ ଭଲରେ ରଖିଛନ୍ତି ।

 

ନାଲିର ଏପରି ଭଲ କଥାରେ ବୁଢ଼ୀ ଆଶ୍ୱସ୍ତ ହେଉଥିଲା । ଦୁହେଁ ବେଶ୍ ସୁଖରେ ରହୁଥିଲେ ।

 

ଦିନେ ରିକ୍ସା ମାଲିକକୁ ରିକ୍ସା ଭଡ଼ା ଦେଇ ଫେରୁଛି ନାଲି ଦେଖିଲା ରାସ୍ତା ଛକରେ ଜଣେ ସ୍ତ୍ରୀଲୋକ ଠିଆ ହୋଇଛି । ସେ ପାଖକୁ ଯାଇ ତାକୁ ତା’ର କି ଅସୁବିଧା ହୋଇଛି ବୋଲି ଜାଣିବାକୁ ଚାହିଁଲା । ତା’ କଥା ଶୁଣି ସ୍ତ୍ରୀଲୋକଟି କହିଲା ମୋତେ ଡାକ୍ତରଖାନାକୁ ନିଶ୍ଚୟ ଯିବାକୁ ହେବ । ମାତ୍ର ମୋ ପାଖରେ ପଇସାଟିଏବି ନାହିଁ କ’ଣ କରିବି ମୁଁ କିଛି ଭାବି ପାରୁନାହିଁ । ନାଲି ତାକୁ ରିକ୍ସାରେ ବସାଇ ପ୍ରସୂତି ଭବନକୁ ନେଇଗଲା । ସ୍ତ୍ରୀଲୋକଟି ଡାକ୍ତରଖାନାରେ ପହଞ୍ଚି କୃତକୃତ୍ୟ ହୋଇ ନାଲିକୁ କହିଲା ତୁମେ କେଡ଼େ ଭଲଲୋକ । ତୁମେ ଯେଉଁ ଉପକାର କଲ ମୁଁ କ'ଣ ତାହା ଶୁଝି ପାରିବି ? ଏକଥା କହିବାବେଳେ ସ୍ତ୍ରୀଲୋକଟିର ଆଖି ଅଶ୍ରୁଳ ହୋଇ ଉଠିଥିଲା । ତୁମକୁ ମୁଁ ଭଲରେ ଭଲରେ ଆଣି ଡାକ୍ତରଖାନାରେ ପହଞ୍ଚାଇ ଦେଇ ପାରିଛି ସେହି ଯଥେଷ୍ଟ । ମୁଁ ମୋର ପାଉଣା ପାଇଗଲାପରି ଅନୁଭବ କରୁଛି । ଭଗବାନ କରନ୍ତୁ ଭଲରେ ଭଲରେ ତୁମର ପିଲାଟିଏ ହୋଇଯାଉ କହି ନାଲି ସେଠାରୁ ଚାଲି ଆସିଥିଲା ।

 

“ତୁମେ ସ୍ଵୟଂ ଭଗବାନ ମୁର୍ଗା ବୋଲି କହି ସ୍ତ୍ରୀଲୋକଟି ଡାକ୍ତରଖାନା ଭିତରକୁ ପଶିଥିଲା ।’’

 

ସେହିଦିନୁ ନାଲି ଶପଥ କରିଥିଲା ଯେ ତା’ର ତିନିଟଙ୍କା ରୋଜଗାର ହୋଇଗଲା ପରେ ସେ ଗୋଟିଏ ରୋଗୀକୁ ବିନା ଭଡ଼ାରେ ଡାକ୍ତରଖାନା ନେଇଯିବ । ଏହି ଶପଥରେ ସେ ଅଟଳ ରହିଥିଲା ।

 

ଅନ୍ୟ ରିକ୍ସାବାଲାମାନେ ତା’ ବିରୁଦ୍ଧରେ ଚିଡ଼ିଚିଡ଼ି ହୋଇ ଅଭିଯୋଗ କରି କହୁଥିଲେ ଦେଖ ଏ ଗୋଟାଏ ବଡ଼ ସ୍ୱାମୀୟାର ବନି ଯାଇଛି । ରୋଗୀମାନଙ୍କଠାରୁ ଆମେ ଅଧିକ ଭଡ଼ା ନେଇପାରନ୍ତେ ମାତ୍ର ଏ ସେମାନଙ୍କୁ ମାଗଣାରେ ନେବା ଆଣିବା କରି ଆମ ବ୍ୟବସାୟ ମାଟି କରୁଛି । ୟାକୁ କ’ଣ ଆଉ କୁହାଯାଇପାରେ ଆମେ ଭାବି ପାରୁ ନାହୁଁ ।

 

ମଦ ପିଇଥିବା ରିକ୍ସାବାଲାଟି ତା’ (ସ୍ଵାମୀୟାର) ବାଟଦେଇ ଯିବାକୁ ମନା କଲା । ଆମେ ଯଦି ତାକୁ କିଛି କହିବା ଭଗବାନ ଆମଉପରେ ଦାଉ ସାଧିବେ କହି ବୁଢ଼ା ରିକ୍ସାବାଲାଟି ହନୁମାନଙ୍କୁ ମୁଣ୍ଡିଆ ମାରିଲା । ସାମାନ୍ୟ ଯୁକ୍ତିତର୍କ ପରେ ବୁଢ଼ା ରିକ୍ସାବାଲା ଯାହା କହୁଛି ତାହା ଠିକ୍ ବୋଲି ସମସ୍ତେ ମାନି ନେଲେ ।

 

ନାଲି ସ୍ଵାମୀୟାର କଥା ସାରା ସହରରେ ପ୍ରଚାରିତ ହୋଇଗଲା ଦିନକର ରୋଜଗାର ତିନିଟଙ୍କା ହୋଇଗଲା ପରେ ମାଗଣାରେ କେଉଁ ରିକ୍ସାବାଲା ରୋଗୀମାନଙ୍କୁ ରିକ୍ସାରେ ନେଉଛି ତାକୁ ଦେଖିବାକୁ ସାହେବମାନେବି ଆସିଲେ । ଅନେକ ସମୟରେ ସେମାନେ ଖୁସିରେ ପାଞ୍ଚଟଙ୍କିଆ ନୋଟ୍ ଖଣ୍ଡେ ଦେଇ ନାଲିକୁ କୁହନ୍ତି ତୁ ଜଣେ ଭାରି ଭଲଲୋକ । ନେ, ଏ ଟଙ୍କା ନେ ତୁ ଖର୍ଚ୍ଚ କରିବୁ ।

 

“ଏ କଥା ଶୁଣି ନାଲି କହେ” ମୋର ଏ ଟଙ୍କା ଲୋଡ଼ା ନାହିଁ । ମୋତେ ଯଦି ଟଙ୍କା ଦେବାକୁ ଚାହାନ୍ତି ତେବେ ମୋ ରିକ୍ସାରେ ବସନ୍ତୁ । ମୁଁ କାହାଠୁ ଦାନ ଗ୍ରହଣ କରିବାକୁ ଚାହେଁ ନାହିଁ-

 

ନାଲି ମା’ ମଧ୍ୟ ପୁଅପାଇଁ ଗର୍ବ କରୁଥିଲା । ବେଳେବେଳେ ଖୁସି ହୋଇ ସେ କହୁଥିଲା ନାଲି, ତୁ ସ୍ଵୟଂ ଭଗବାନଙ୍କ ପ୍ରତିମୂର୍ତ୍ତି । ଆମେ ସମସ୍ତେ କ’ଣ ସେଇୟା ନୁହେଁ କି । ନାଲିକୁ ଆଲିଙ୍ଗନ କରି ତା’ କପାଳରେ ଚୁମାଦେଇ ସେ କହେ ଆରେ ପୁଅ ଏ ଶାସ୍ତ୍ରକଥା ତୁ କେଉଁଠୁଁ ଶିଖିଲୁ ।

 

ଯେତେବେଳେ ନୂଆ ଆଇନ ଲାଗୁ ହେଲା, ମାନ୍ଦ୍ରାଜ ସହରରେ ଆଉ ହାତଟଣା ରିକ୍ସା ଦେଖିବାକୁ ମିଳିଲା ନାହିଁ । ଲୋକେ ସବୁ ପଚରାପଚାରି ହେଲେ ନାଲି ସ୍ଵାମୀୟାର କୁଆଡ଼େ ଗଲା-? ସଠିକ୍‍ଭାବେ ତା’ ସମ୍ବାଦ କେହି ରଖି ନଥିଲେ । ପୋଲୁରରେ ତା’ କକା କରିଥିବା ଫାର୍ମରେ ସେ କାମ କରୁଛି ବୋଲି କେହି କେହି କହିଥିଲେ । ମାତ୍ର ସେ କେଉଁଠି ରହୁଛି ଠିକଣାଭାବେ କେହି କହି ପାରୁ ନଥିଲେ । ରାମନାଥନ୍‌ ଚେଟିୟାର୍‍ କହିଲେ ମୁଁ ତୁମର କଥା ବିଶ୍ଵାସ କରୁ ନାହିଁ-। ଆପଣ ଯଦି ମୋ କଥା ବିଶ୍ଵାସ ନକରନ୍ତି ତେବେ ମୋର ପ୍ରତିବାଦ କରିବାର କିଛି ନାହିଁ-। ମୁଁ ଯେତିକି ଜାଣେ କେବଳ ସେତିକି କହିଲି । ରାମନାଥନ୍ ଚେଟିୟାର୍‍ କହିଲେ ମହାଶୟ ମୋ ଉପରେ ରାଗନ୍ତୁ ନାହିଁ । ନାଲିପରି କୌଣସି ରିକ୍ସାବାଲା କେବେ ଆଚରଣ କରିବ ନାହିଁ-। ଏହା ମଣିଷ ପ୍ରକୃତି ବିରୁଦ୍ଧ କଥା । ତେଣୁ ଏପରି ଉଦାରତାର କାହାଣୀ ମୁଁ ବିଶ୍ଵାସ କରିବାକୁ କୁଣ୍ଠାବୋଧ କରୁଛି । ବୁଢ଼ା ଲୋକଟି କହିଲା ରାମନାଥନ୍‌ ଚେଟିୟାର୍ ମହାଶୟ, ମୋର ଆଶଙ୍କା ଆପଣ ଭୁଲ୍‌ କରୁଛନ୍ତି । ଆମ ଦେଶରେ ଯେ ଭଲଲୋକ ନାହାଁନ୍ତି ଏକଥା ଆପଣ କିପରି କହିବେ ? ସାଧାରଣ ଲୋକମାନଙ୍କ ଭିତରେ ଯେ ଅନେକ ଭଲଲୋକ ଅଛନ୍ତି ଏକଥା କେବେ ଅସ୍ଵୀକାର କରି ହେବନାହିଁ ।

Image

 

Unknown

ସଂଶୋଧିତ ଉତ୍ତରାକାଣ୍ଡ

ଦୃଶ୍ୟ–ଏକ

 

(ଲଙ୍କା ଦୁର୍ଗର ଠିକ୍ ପଛରେ ରାମଙ୍କ କ୍ୟାମ୍ପ୍‌ । ଅଗ୍ନିଶିଖା ମଧ୍ୟରୁ ଅଗ୍ନି ଦେବତା ସୀତା ଦେବୀଙ୍କୁ ଆଣି ରାମକୁ ପ୍ରଦାନ କଲେ ।)

 

ରାମ–ମୁଁ ଜାଣିଥିଲି ଅଗ୍ନିରେ ବିଶୋଧିତ ହୋଇଥିବା ଶୁଦ୍ଧ ସୁବର୍ଣ୍ଣ ପରି ତୁମେ ନିର୍ବିଘ୍ନରେ ବାହାରି ଆସିବ । ହେ ପ୍ରିୟେ ମୁଁ ତୁମକୁ ସ୍ୱାଗତ କରୁଛି ।

 

ସୀତା–ହେ ‘ପ୍ରଭୁ’ ପରୀକ୍ଷା ନିମନ୍ତେ ମୁଁ ଅଗ୍ନି ମଧ୍ୟକୁ ପ୍ରବେଶ କରିନାହିଁ ଏବଂ ପରୀକ୍ଷାରେ ସଫଳ ହୋଇ ଏଠାକୁ ଫେରି ଆସିନାହିଁ । ମୁଁ ଅଗ୍ନିରେ ଆପଣାକୁ ଆହୁତି ଦେଇ ମୋ ସ୍ଥିରୀକୃତ ହୋଇଥିବା ସ୍ଥାନକୁ ଯିବାକୁ ଇଚ୍ଛା କରିଥିଲି । ସେଥିପାଇଁ ମୁଁ ଅଗ୍ନିରେ ଝାସ ଦେଇଥିଲି । ମୁଁ ଜାଣେନାହିଁ ଅଗ୍ନି ପୁଣି ମୋତେ ଏଠାକୁ କାହିଁକି ଫେରାଇ ଆଣିଲେ, ମୋର ଅବଶିଷ୍ଟ ଜୀବନ ଏହି ପୃଥିବୀରେ ମହାନ୍ ମୁନି ଋଷିମାନଙ୍କ ଗହଣରେ ଅତିବାହିତ କରିବାକୁ ଅନୁମତି ଦିଅନ୍ତୁ ।

 

ରାମ–କିନ୍ତୁ ତୁମର ବିଚ୍ଛେଦ ମୁଁ କିପରି ସହି ପାରିବି ? ତୁମେ ଯେଉଁ ବର ମାଗୁଛ ମୁଁ ତାହା କିପରି ଦେଇ ପାରିବି ? ମୁଁ ଯାହା କରିଛି ମୋତେ କ୍ଷମା କର ଏବଂ ମୋ ସଙ୍ଗେ ଅଯୋଧ୍ୟାକୁ ଚାଲ ।

 

ସୀତା–ସେ କଥା ହୋଇ ପାରିବ ନାହିଁ । ତୁମ ସଙ୍ଗେ ରହିବାର ଦିନ ମୋର ଶେଷ ହୋଇ ଯାଇଛି । ଯୁଦ୍ଧ ଶେଷ ହେବାପରେ ତୁମକୁ ସାକ୍ଷାତ କରିବା ଲାଗି ତୁମେ ମୋତେ ଡକାଇଲ ଏବଂ ଜଣେ ସାଧାରଣ ମଣିଷ ପରି ବ୍ୟବହାର କଲ । ତା’ପରେ ତୁମ ସହିତ ରହିବା ମୋ ପକ୍ଷରେ ସମ୍ଭବ ନୁହେଁ ।

 

ରାମ–ଲୋକମାନଙ୍କର ସନ୍ତୋଷ ନିମନ୍ତେ ମୁଁ ଏପରି କରିଥିଲି । ଜଣେ ନାରୀ ପ୍ରତି ଆସକ୍ତି ନିମନ୍ତେ ରାଜା ନ କରିବା କାମ କରିଥିଲେ, ଏପରି ଅପପ୍ରଚାର ହେଉ ବୋଲି ମୁଁ ଚାହୁଁ ନଥିଲି । ଏ ପୃଥିବୀରେ ସାଧାରଣ ମଣିଷ କେଉଁ ଧର୍ମପଥ ବରଣ କରିବା ଉଚିତ ତାହା କ’ଣ ମୁଁ ମୋ ଜୀବନରେ ପରୀକ୍ଷା କରି ଦେଖାଇ ଦେଇ ନଥାନ୍ତି ?

 

ସୀତା–ସେ ସବୁ ଠିକ୍ ଅଛି । ତୁମେ ଯଥାର୍ଥ କାମ କରି ରାବଣକୁ ମାରିବା ପରେ ତୁମର ଅବତାରର ପରିସମାପ୍ତି ଘଟିଛି । ଠିକ୍‌ ଯେପରି ମିଥିଳାରୁ ଫେରୁଥିବାବେଳେ ପର୍ଶୁରାମଙ୍କ ତୁମ ସଙ୍ଗେ ଭେଟ ହେବାପରେ ବିଷ୍ଣୁ ଅଂଶ ତାଙ୍କଠାରୁ ଲୋପ ପାଇ ଯାଇଥିଲା । ବର୍ତ୍ତମାନ ତୁମେ ଜଣେ ସାଧାରଣ ମଣିଷ । ନରପତି, ତୁମର ଅବତାର ଶେଷ ହୋଇଛି । କିନ୍ତୁ ମୋର କୌଣସି ପରିବର୍ତ୍ତନ ହୋଇନାହିଁ ।

 

ମୁଁ କିଏ ମୁଁ ଜାଣେ । ଦେବତାମାନଙ୍କ ରାଜ୍ୟରୁ ଫେରି ଆସିବା ପରେ ମୁଁ ଆଉ ତୁମର ହୋଇନାହିଁ । ଯେଉଁ ପ୍ରଭୁଙ୍କର ଆଦିଅନ୍ତ କିଛି ନାହିଁ ତାଙ୍କ ସଙ୍ଗେ ମିଶିଯିବା ପୂର୍ବରୁ କିଛିଦିନ ନିମନ୍ତେ ଏ ପୃଥିବୀରେ କଟାଇବା ଲାଗି ମୁଁ ଫେରି ଆସିଛି । ମୋର ଆଉ ଅଧିକ କିଛି କରିବାର ନାହିଁ ।

 

ରାମ–ପ୍ରିୟତମେ; ତୁମେ ଏହା ସତରେ କହୁଛ ନା ମୋତେ ପରୀକ୍ଷା କରିବା ଲାଗି ପରିହାସ କରୁଛ ମୁଁ ବୁଝି ପାରୁନାହିଁ ।

 

ସୀତା–ହେ ପରମ ପୂଜ୍ୟ, ତୁମ ଲୀଳା ଶେଷ ହୋଇଛି । ଏଣିକି ତୁମକୁ ଏ ପୃଥିବୀରେ ଅଯୋଧ୍ୟାର ନରପତିରୂପେ କେବଳ ଜୀବନଯାପନ କରିବାକୁ ପଡ଼ିବ । ତୁମର ଦେବତ୍ଵର ଅବସାନ ଘଟିଛି, ମାତ୍ର ମୋର ଦେବତ୍ୱ ଯେପରି ଥିଲା ସେହିପରି ରହିଛି । ତୁମ ସାଙ୍ଗେ ଏଣିକି ରହିବା ମୋ ପକ୍ଷରେ ଆଉ ସମ୍ଭବ ନୁହେଁ । ପବିତ୍ର ଆତ୍ମା ହନୁମାନ ହୁଅନ୍ତୁ କିମ୍ବା ଲକ୍ଷ୍ମଣ ହୁଅନ୍ତୁ କେହି ଜଣେ ମୋତେ ନେଇ ବାଲ୍ମୀକି ଆଶ୍ରମରେ ଛାଡ଼ି ଦେଇ ଆସନ୍ତୁ । ସେଠାରେ ଅତୀତ କଥା ସ୍ମରଣ କରି କରି ମୁଁ ସମୟ କଟାଇବି । ମୋର ଏକ ମୂର୍ତ୍ତି ଗଠନ କରି ରଖନ୍ତୁ ଏବଂ ମୂର୍ତ୍ତିଟି ପ୍ରତି ସମସ୍ତ ସ୍ନେହ ମମତା ଢାଳି ଦିଅନ୍ତୁ । ତୁମେ ସେ ମୂର୍ତ୍ତିକୁ କୋମଳ, କିମ୍ବା ରୁକ୍ଷ କଥା କୁହ କିମ୍ବା ବିରକ୍ତି ହୁଅ ସେ ମୂର୍ତ୍ତି ନିରବରେ ସବୁ ବରଦାସ୍ତ କରିବ । କୌଣସି ଦୁର୍ବୃତ୍ତ ଏହି ମୂର୍ତ୍ତିଟିକୁ ତୁମଠାରୁ ଚୋରାଇ ନେବ ନାହିଁ ।

 

ରାମ–(ଦେବତାମାନଙ୍କ ଉଦ୍ଦେଶ୍ୟରେ ସମ୍ମାନ ପ୍ରଦର୍ଶନ କରି) ହେ ଦେବଗଣ । ଏହା କ’ଣ ମୋର ଭାଗ୍ୟ ! ମୋ ଜୀବନରେ ପୁଣି ଏହିପରି ଘଟଣାସବୁ ଘଟିବ ?

 

ସୀତା–ତୁମେ ମୋତେ ବିଦାୟ ଦିଅ । ପୁଣି ଆମର ମିଳନ ହେବ, ସେହିଠାରେ ଯେଉଁଠାରେ ଆଲୋକ କୁହୁଡ଼ିଦ୍ଵାରା ଆବୃତ୍ତ ନୁହେଁ । ଚତୁର୍ଦ୍ଦିଗରେ କେବକ ଆଲୋକ, ଅନ୍ଧକାରର ସତ୍ତା ନାହିଁ । ସବୁ ଶୁଭ ଅଶୁଭର ସାମାନ୍ୟ ସୂଚନା ମଧ୍ୟ ନାହିଁ ।

 

–ଦୃଶ୍ୟ ଦୁଇ–

(ବାଲ୍ମୀକି ମୁନିଙ୍କ ଆଶ୍ରମ)

 

ସୀତା–ହେ ମହାମୁନି । ଏହି ସେହି ପିଲାମାନେ ?

 

ବାଲ୍ମୀକି–ହଁ ସୀତା, ଏହି ସାଧୁ ବାଳକ ଦୁଇଟି ତୁମଦ୍ଵାରା ଲାଳିତପାଳିତ ହୋଇ ଦୁନିଆରେ ତୁମର ପୁତ୍ରସନ୍ତାନରୂପେ ପରିଚିତ ହେବେ ।

 

ସୀତା–ଆହା ବାଳକ ଦୁଇଟି କେତେ ନିର୍ମାୟା ଦେଖା ଯାଉଛନ୍ତି । ସେମାନଙ୍କର ଦର୍ଶନରେ ମୋର ହୃଦୟ ବାତ୍ସଲ୍ୟ ମମତାରେ ବିଗଳିତ ହୋଇ ଉଠୁଛି । ଆପଣ ସେମାନଙ୍କୁ ଶିଖାଇଥିବା ପବିତ୍ର କାହାଣୀ ଏହି ପିଲାମାନେ ଲଳିତ କଣ୍ଠରେ ଗାନ କରନ୍ତୁ ।

 

(ସୀତା ଲବ କୁଶଙ୍କୁ ଆଲିଙ୍ଗନ କରି ସେମାନଙ୍କର ଲଲାଟରେ ଚୁମ୍ବନ କଲେ ।)

 

ବାଲ୍ମୀକି–ଏହି ପିଲା ଦୁଇଟି ତୁମରି କାହାଣୀ ଗାଇ ଶୁଣାଇବେ । ଏବଂ ନରନାରୀ ତାହା ଶୁଣି ପବିତ୍ର ହେବେ । ସାରା ଭାରତରେ ବୁଲି ବୁଲି ସେମାନେ ତୁମର ଏହି ଯଶ ଗାଥା ଶୁଣାଇବେ ବୋଲି ମୁଁ ସେମାନଙ୍କୁ ଶିକ୍ଷା ଦେବି ।

 

ସୀତା–ମୁଁ ସେମାନଙ୍କୁ ଆଶୀର୍ବାଦ କରୁଛି । ହଁ ନିଃସନ୍ଦେହରେ ସେମାନେ ଏହା କରିବେ-। ବାକି ଯାହା ରହିଗଲା, ସେଟା ହେଲା ମୋ ଜୀବନ କାହାଣୀ ।

 

ବାଲ୍ମୀକି–ସୀତା ତୁମେ ଯେତେ ସବୁ କଷ୍ଟର ସମ୍ମୁଖୀନ ହୋଇଛ ତାହା ସେମାନେ ଗାନ କରି ଶୁଣାଇବେ । ତୁମର କାହାଣୀ ଶୁଣି ଖରାପ ଲୋକ ତା’ର ଅଭ୍ୟାସ ତ୍ୟାଗ କରିବ ଏବଂ ସତ୍‍ପଥର ପଥିକ ହେବ । ସେମାନଙ୍କର ହୃଦୟ ବିଗଳିତ ହୋଇ ଉଠିବ । ଗୁଣୀ ଲୋକମାନେ ଏହା ଶୁଣି ଅସୁମାରି ଆନନ୍ଦ ଲାଭ କରିବେ । ଏହି ମୁହୂର୍ତ୍ତରୁ ତୁମେ ସେମାନଙ୍କୁ ତୁମର ସନ୍ତାନ ବୋଲି ମଣ । ସେମାନେ ମଧ୍ୟ ତୁମରି ସନ୍ତାନ ବୋଲି ସାରା ଦୁନିଆ ଜାଣିବ ।

 

ସୀତା–ସେମାନଙ୍କର ଗାନ ଅଯୋଧ୍ୟାର ରାଜା ରାମଚନ୍ଦ୍ର ଏବଂ ତାଙ୍କର ପ୍ରଜାବର୍ଗଙ୍କର ହୃଦୟ ବିଗଳିତ କରୁ ।

 

–ତୃତୀୟ ଦୃଶ୍ୟ–

(ବାଲ୍ମୀକି ମୁନିଙ୍କ ଆଶ୍ରମ)

 

ବାଲ୍ମୀକି–ସୀତା ତୁମେ ଏବେ ସନ୍ତୁଷ୍ଟତ ?

 

ସୀତା–ମୁଁ ବହୁତ ଆନନ୍ଦିତ, ହେ ପବିତ୍ରାତ୍ମା ! ପିଲା ଦୁଇଟି ଚମତ୍କାର ଗାଇଛନ୍ତି । (ଲବ କୁଶଙ୍କୁ ସିଏ ପାଖକୁ ଟାଣି ଆଣି ସ୍ନେହ କଲେ) ହେ ମା’ ବସୁଧା, ଏଠି ମୋର ଆଉ କିଛି କରିବାର ପ୍ରୟୋଜନ ନାହିଁ । ମୋତେ ତୁ ତୋର କୋଳକୁ ନେଇଯାଆ ।

 

(ସୀତା ମାଟି ଭିତରେ ଅଦୃଶ୍ୟ ହୋଇଗଲେ ।)

 

ବାଲ୍ମୀକି–ହେ ମା’ ତୁମେ ଅଦୃଶ୍ୟ ହୋଇଗଲ ? ହେ ମୋର ପ୍ରିୟ ଋଷି ବୃନ୍ଦ । ମୋର ମନ ଯନ୍ତ୍ରଣାରେ ଜର୍ଜରିତ ।

 

ଋଷିମାନେ–ହେ ମହାତ୍ମା ଦୁଃଖିତ ହୁଅନ୍ତୁ ନାହିଁ ।

 

ବାଲ୍ମୀକି–ମୁଁ ଦୁଃଖ କରୁନାହିଁ ମାତ୍ର ଏହି ଚିନ୍ତା ମୋର ଅସହ୍ୟ ହୋଇ ଉଠୁଛି । ମୋର ମନଦୁଃଖରେ ଭାଙ୍ଗିପଡ଼ୁଛି । ଶିକାରୀ ତା’ର ତୀରରେ ପୁରୁଷ ପକ୍ଷୀକୁ ହତ୍ୟା କରିବା ଦୃଶ୍ୟ ଅପେକ୍ଷା ମୋତେ ଏଘଟଣା ଆହୁରି ଅଧିକ ବ୍ୟଥା ଦେଉଛି ।

 

–ଦୃଶ୍ୟ ଚାରି–

(ଅଯୋଧ୍ୟାର ରାଜପ୍ରାସାଦ)

 

ରାମ–ଏ ପିଲା ଦୁଇଟି କିଏ । ଅବିକଳ ଗନ୍ଧର୍ବଙ୍କ ପରି ଅତି ଚମତ୍କାର ଗାଉଛନ୍ତି ।

 

ବଶିଷ୍ଠ–ସେମାନେ ଋଷି ବାଲ୍ମୀକିଙ୍କ ଆଶ୍ରମରୁ ଆସିଛନ୍ତି । ହେ’ ରାଜନ୍ ସେମାନେ ତୁମର ଓ ସୀତାଙ୍କର ପବିତ୍ର ଜୀବନ କାହାଣୀ ଗାଇ ଶୁଣାଇବେ ।

 

ରାମ–ମୋ କଥା, ଆମ ଦୁହିଁଙ୍କ କଥା ? ମୁଁ କେଡ଼େ ନିର୍ବୋଧ । ମୁଁ ତାଙ୍କୁ (ସୀତା) ହରାଇଛି ।

 

ବଶିଷ୍ଠ–କାନ୍ଦନ୍ତୁ ନାହିଁ । ଆପଣଙ୍କୁ ଆହୁରି ଦୀର୍ଘ ଦିନ ଧରି ବଞ୍ଚି ରହିବାକୁ ହେବ । ସୀତାଙ୍କର ଏହି ସୁବର୍ଣ୍ଣ ପ୍ରତିମା ତୁମକୁ ଦୁନିଆର ସମସ୍ତ ଦୁଃଖ ଭୁଲି ଯିବାକୁ ସାହାଯ୍ୟ କରିବ । ରାମାୟଣ ଶୁଣିବା ଲାଗି ଦର୍ଶକମାନେ ଅପେକ୍ଷା କରି ଚାହିଁ ରହିଛନ୍ତି । ସେମାନଙ୍କୁ ଏଠାକୁ ଆସିବା ଲାଗି କହିବି କି ?

 

–ଦୃଶ୍ୟ ପାଞ୍ଚ–

(ଅଯୋଧ୍ୟାର ରାଜପ୍ରାସାଦ)

 

ଲବ ଏବଂ କୁଶ–ରାମଙ୍କ କାହାଣୀ ଗାନ କଲେ....

 

‘‘ଆରମ୍ଭରୁ ଏସବୁ......”

 

(ରାମ, ଭରତ ଓ ଅନ୍ୟାନ୍ୟ ରାଜପରିବାର ବ୍ୟକ୍ତିଗଣ ଏବଂ ଉପସ୍ଥିତ ଭଦ୍ରମଣ୍ଡଳୀ ସ୍ତମ୍ଭୀଭୂତ ହୋଇ ରାମାୟଣ ଶୁଣିଲେ ।)

 

–ଦୃଶ୍ୟ ଛ’–

(କିଷ୍କିନ୍ଧ୍ୟା)

 

ତାରା–ରୁମା, ମୋ ବିଚାରରେ ସୀତାଙ୍କର ମୋଟେ ଭୁଲ ନାହିଁ । ସେ ଯାହା କରିଛନ୍ତି ଠିକ୍ କରିଛନ୍ତି ।

ରୁମା–ତାଙ୍କ ସଙ୍ଗରେ ରହିବା ଲାଗି ସ୍ତ୍ରୀକୁ ତାଙ୍କର ସ୍ଵାମୀ ଯେତେବେଳେ ଚାହୁଁଥିଲେ ସେତେବେଳେ ତାଙ୍କର ସ୍ଵର୍ଣ୍ଣପ୍ରତିମା ଗଢ଼ି ସୁଖରେ ରହିବାକୁ କହିବାଟା ସ୍ତ୍ରୀ ପକ୍ଷରେ କେତେ ଦୂର ଠିକ୍ ?

ତାରା–ସୀତାଙ୍କ ସ୍ୱାମୀ ଯାଇ ବୈକୁଣ୍ଠରେ । ରାମଚନ୍ଦ୍ର ଆଉ ତାଙ୍କର ପତି ଦେବତା ନୁହନ୍ତି । ରାବଣର ମୃତ୍ୟୁ ସଙ୍ଗେ ସଙ୍ଗେ ତାଙ୍କର ସ୍ୱର୍ଗୀୟ ଅବତାରର ଶେଷ ହୋଇଛି । ନାରାୟଣଙ୍କ ଅବତାର ଗ୍ରହଣ ରାକ୍ଷସର ମୃତ୍ୟୁରେ ଶେଷ ହୋଇ ଯାଇଛି । ରାମ ରାବଣକୁ ମାରିବାକୁ ଯେତେବେଳେ ଶର ସନ୍ଧାନ କଲେ ସେଇ ଶର ସହିତ ତାଙ୍କର ବିଷ୍ଣୁ ଅଂଶ ମଧ୍ୟ ଚାଲି ଯାଇଥିଲା ।

ରୁମା–ମୁଁ ଏସବୁ କିଛି ବୁଝି ପାରୁନାହିଁ ।

ତାରା–ରୁମା ତୁ ଏସବୁ କିଛି ବୁଝି ପାରିବୁ ନାହିଁ । ମାତ୍ର ଅଯଥା ସୀତାଙ୍କୁ ଦୋଷଦେ ନାହିଁ । ସେ ଯାଆଁଳା ଭାଇ ଯେତେବେଳେ ରାମାୟଣ ଗାଉଛନ୍ତି ତାହା କେଡ଼େ ଶ୍ରୁତିମଧୁର ହେଉଛି-। ସେମାନଙ୍କ ଗୀତ ଶୁଣି ମୁଁ ମଧ୍ୟ ମୋର ସ୍ଵାମୀ ବାଳୀଙ୍କ କଥା ଭୁଲି ଯାଉଛି ।

ରୁମା–ତୁମର ଚିନ୍ତାଧାରା ଉନ୍ନତତର । ତୁମେ ଋଷିମାନଙ୍କ ଅପେକ୍ଷା ଅଧିକ ସମ୍ମାନାସ୍ପଦ ।

ତାରା–ଚାଟୁ କଥା କହି ମୋତେ ବିଚଳିତ କର ନାହିଁ । ମୋତେ ନିଶ୍ଚୟ ମୋର କୁଡ଼ିଆକୁ ଫେରି ଯିବାକୁ ପଡ଼ିବ । ତୁମେ ରୁହ ମୁଁ ଯାଏଁ । ସେଠାରେ ଜାମ୍ବବାନ ମୋତେ ଅପେକ୍ଷା କରିଥିବ । ସେ ମୋତେ ନାରାୟଣ, ତାଙ୍କର ଲୀଳା ଏବଂ ଗୋପାଳ ବାଳକଙ୍କ କଥା ଶୁଣାଇବ । ସେହି ଗୋପାଳ ବାଳକ, ରାମଚନ୍ଦ୍ରଙ୍କ ଅପେକ୍ଷା ଅଧିକ ବିଚିତ୍ର ଲୀଳା ପ୍ରଦର୍ଶନ କରିବେ । ଏ ଦୁନିଆରେ ମଣିଷମାନେ କିପରି ଜୀବନଯାପନ କରିବେ, କାମନାର ଉର୍ଦ୍ଧ୍ଵରେ ରହି ଆପଣାର କର୍ତ୍ତବ୍ୟ ପାଳନ କରି ଯିବେ ତାହା ଶିକ୍ଷା ଦେବେ ।

 

ବୁନ୍ଦାଏ ବିଷ

 

ତ୍ରିପ୍ଳିକ୍ରେନ୍‌ରେ ନାରାୟଣ ବାଜପେୟାର ନାମକ ଜଣେ ଖୁବ୍ ବଡ଼ ଶାସ୍ତ୍ରୀୟ ପଣ୍ଡିତ ଥିଲେ । ବେଦ, ବେଦାନ୍ତ, ବିଭିନ୍ନ ଶାସ୍ତ୍ର ଏବଂ ପୁରାଣ ଉପରେ ତାଙ୍କର ଅସମ୍ଭବ ଦଖଲ ଥିଲା । ତାଙ୍କର ଶିଷ୍ୟତ୍ଵ ଶେଷ ହେବାପରେ ସେ ଏକନିଷ୍ଠଭାବେ ଭାଗବତ ଆଲୋଚନା କରିଥିଲେ । ଭଗବାନଙ୍କ ଉପରେ ଆସ୍ଥା ରଖିବା ଏବଂ ଈଶ୍ଵରପରାୟଣ ହେବାକୁ ସେ ଲୋକଙ୍କୁ ବୁଝାଉଥିଲେ । ସେ ଯେତେବେଳେ ତାଙ୍କ ପ୍ରବଚନ ଶୁଣାନ୍ତି ତାହା ଶୁଣିବା ନିମନ୍ତେ ବହୁ ଲୋକ ଏକତ୍ରିତ ହେଉଥିଲେ ।

 

ଲକ୍ଷ୍ମଣ ଶାସ୍ତ୍ରୀ ନାମକ ତାଙ୍କର ଜଣେ ପ୍ରିୟ ଶିଷ୍ୟ ଥିଲେ । ବୟସରେ ସାନ ହୋଇଥିଲେହେଁ ପୁରାଣ ଉପରେ ତାଙ୍କର ଅଗାଧ ପାଣ୍ଡିତ୍ୟ ନମ୍ରତାର ପ୍ରତୀକ ଥିଲେ । ସେ ନିଷ୍ଠାର ସହିତ ଗୁରୁଙ୍କର ସେବା କରୁଥିଲେ ।

 

ଦୀର୍ଘ ଦଶବର୍ଷ ଗୁରୁଙ୍କ ସଙ୍ଗେ ଅତିବାହିତ କରିବା ପରେ ଲକ୍ଷ୍ମଣ ଶାସ୍ତ୍ରୀ ନିଜେ ପ୍ରବଚନ ଦେବାକୁ ଆରମ୍ଭ କଲେ । ଦୁଇତିନି ବର୍ଷ ମଧ୍ୟରେ ସେ ତାଙ୍କର ଗୁରୁଙ୍କ ପରି ସୁପରିଚିତ ହୋଇଗଲେ । ସେ ଯେତେବେଳେ ରାମାୟଣ ବୁଝାନ୍ତି ତାହା ଶୁଣିବା ଲାଗି ଅସମ୍ଭବ ଭିଡ଼ ହେଉଥିଲା । ସେ ଏପରିଭାବେ ରାମାୟଣ କଥା ବୁଝାଉଥିଲେ ଯେ ଲୋକେ ତାହା ଶୁଣି କାନ୍ଦି ପକାଉଥିଲେ ।

 

ଦୂର ଦୂରାନ୍ତରରେ ମଧ୍ୟ ଲକ୍ଷ୍ମଣ ଶାସ୍ତ୍ରୀଙ୍କର ସୁନାମ ବ୍ୟାପିଗଲା । ଭକ୍ତମାନେ ତାଙ୍କୁ ଘରକୁ ନିମନ୍ତ୍ରଣ କଲେ ଓ ବିଭିନ୍ନ ପ୍ରକାର ଉପହାର ପ୍ରଦାନ କରି ତାଙ୍କୁ ସମ୍ମାନିତ କଲେ । ତାଙ୍କର ଶିଷ୍ୟ ଏପରି ପ୍ରତିଷ୍ଠା ଲାଭ କରିଥିବାରୁ ବାଜପେୟାର ମଧ୍ୟ ଖୁବ୍ ଖୁସି ହୋଇଥିଲେ ।

 

ସେ ଲକ୍ଷ୍ମଣଙ୍କୁ କହୁଥିଲେ, “ତୁ ଭଗବାନଙ୍କ କୃପା ଲାଭ କରିପାରିଛୁ ।” ଉତ୍ତରରେ ଗୁରୁଙ୍କୁ ଲକ୍ଷ୍ମଣ କହୁଥିଲେ, “ଏହା ଆପଣଙ୍କ ଆଶୀର୍ବାଦର ଫଳ ।”

 

ଚୈତ୍ର ମାସ ଚନ୍ଦ୍ରପକ୍ଷ । ମୁଥିଆଲୁପେଟରେ ଲକ୍ଷ୍ମଣ ଶାସ୍ତ୍ରୀ ସୁନ୍ଦରାକାଣ୍ଡ ଉପରେ ଆଲୋଚନା କରୁଥିଲେ । ସେଠାରେ ଆଲୋଚନା ଶୁଣି ଦର୍ଶକମଣ୍ଡଳୀ ତାଙ୍କର ଭୂୟସୀ ପ୍ରଶଂସା କରିଥିଲେ । ତାହା ଶୁଣି ଜଣେ ଓକିଲ ପ୍ରଶଂସାକରି ତାଙ୍କ ଉପରେ ସମ୍ବାଦପତ୍ରରେ ଗୋଟିଏ ପ୍ରବନ୍ଧ ଲେଖିଥିଲେ । ଏହିଲେଖା ପ୍ରକାଶ ପାଇଥିବା ଇଂରେଜୀ କାଗଜଟି ସେ ନିଜେ ନାରାୟଣ ବାଜପେୟାରଙ୍କ ନିକଟକୁ ନେଇ ତାଙ୍କୁ ତାହା ଅନୁବାଦ କରି ଶୁଣାଇ ଦେଇଥିଲେ ।

 

ଏହାଶୁଣି ବାଜପେୟାରଙ୍କ ହୃଦୟରେ ଈର୍ଷା ଜାତ ହେଲା । ତାଙ୍କର କି ଗଭୀର ପାଣ୍ଡିତ୍ୟ, ତାଙ୍କ ତୁଳନାରେ ତାଙ୍କର ଶିଷ୍ୟଙ୍କର ଶିକ୍ଷା କି ସାମାନ୍ୟ । କାହିଁ ତାଙ୍କ ସମ୍ପର୍କରେ ପ୍ରଶଂସା କରି ଏପର୍ଯ୍ୟନ୍ତ ତ କେହି କିଛି ଲେଖିଲେ ନାହିଁ । କେତେକ ବୈଦିକ ପଣ୍ଡିତ ତାଙ୍କର ପ୍ରଶଂସା କରିଛନ୍ତି ସତ କିନ୍ତୁ ସମ୍ବାଦପତ୍ରରେ କେହି କିଛି ଲେଖି ନାହାନ୍ତି । ଯାହାକିଛି ଇଂରାଜୀରେ ପ୍ରକାଶ ପାଇଛି ତାହା କେବଳ ଶିଷ୍ୟଙ୍କର ରାମାୟଣ ପ୍ରବଚନ ଦେବାର ପ୍ରଶଂସା କରି ପ୍ରକାଶ ପାଇଛି ।

 

ବାଜପେୟାରଙ୍କର ମନ ଚିନ୍ତାରେ ଭାରାକ୍ରାନ୍ତ ହୋଇ ଉଠିଲା । ଓକିଲଙ୍କ କଥା ତାଙ୍କୁ ତିକ୍ତପରି ମନେ ହେଲା ।

ସେହି ଦିନଠୁ ବାଜପେୟାର ନିଶ୍ଚିନ୍ତରେ ଶୋଇପାରିଲେ ନାହିଁ । ସେ ଶୋଇବାବେଳେ ଲକ୍ଷ୍ମଣ ଶାସ୍ତ୍ରୀ ଓ ତାଙ୍କ ଉପରେ ଲିଖିତ ପ୍ରବନ୍ଧ ତାଙ୍କୁ ବିବ୍ରତ କରିଥାଏ । ଏପରିକି ସେ ତାଙ୍କର ଶିଷ୍ୟଙ୍କ ସଙ୍ଗରେ ପୂର୍ବପରି ଭଲରେ କଥାବାର୍ତ୍ତା କଲେନାହିଁ । କିଛିଦିନ ପରେ ସେ ଶିଷ୍ୟଙ୍କ ସହିତ କଥାବାର୍ତ୍ତା ହେବା ପୂରାପୂରି ବନ୍ଦ କରିଦେଲେ ।

ଦୂର ଦୂରାନ୍ତରରେ ଯେଉଁମାନେ ଏହି ପ୍ରବନ୍ଧ ପାଠ କଲେ ସେମାନେ ଶାସ୍ତ୍ର ଆଲୋଚନା ନିମନ୍ତେ ଲକ୍ଷ୍ମଣଙ୍କୁ ନିମନ୍ତ୍ରଣ କଲେ । ଦିନୁଦିନ ଲକ୍ଷ୍ମଣଙ୍କର ଉତ୍ସାହ ମଧ୍ୟ ବୃଦ୍ଧି ପାଇବାକୁ ଲାଗିଲା । ଅଧିକ ପ୍ରାଞ୍ଜଳଭାବେ ସେ ବୁଝାଇବାକୁ ଲାଗିଲେ । ଅବିରାମଭାବେ ବିଭିନ୍ନ ସ୍ଥାନକୁ ଯାଇ ସେ ଲୋକଙ୍କୁ ପୁରାଣ କଥା ଶୁଣାଉଥିଲେ ।

ବର୍ଷା ଋତୁରେ ତାଙ୍କ କଣ୍ଠ ଧରିଲା ଏବଂ ସେ କାଶରେ ଆକ୍ରାନ୍ତ ହେଲେ । ଦିନ ଗଡ଼ିଯିବା ସଙ୍ଗେ ସଙ୍ଗେ ତାଙ୍କ ରୋଗ ବୃଦ୍ଧି ପାଇବାକୁ ଲାଗିଲା । କୌଣସି ପ୍ରକାର ଔଷଧ ତାଙ୍କୁ ଆରୋଗ୍ୟ କରିପାରିଲା ନାହିଁ । ସେ ବାଧ୍ୟହୋଇ ଧର୍ମାଲୋଚନା କରିବାରୁ ନିବୃତ ହେଲେ ।

“ଗୁରୁପ୍ରତି ଅବମାନନା ଏବଂ ଅହଂକାର” ଏହି ରୋଗର ହେତୁ ବୋଲି ବାଜପେୟାର ନିଜକୁ କହି ଆତ୍ମସନ୍ତୋଷ ଲାଭ କଲେ, ଖୋଲାଖୋଲିଭାବେ ମଧ୍ୟ ଏକଥା ସେ କେତେ ଜଣଙ୍କ ନିକଟରେ କହିଲେ । ଏ ଦୁର୍ନାମ ନିକଟବର୍ତ୍ତୀ ଅଞ୍ଚଳରେ ପ୍ରଚାରିତ ହୋଇଗଲା ।

ଦିନେ ଆଲୋଚନା ମଝିରେ ଲକ୍ଷ୍ମଣ ଶାସ୍ତ୍ରୀଙ୍କର ନାମ ଖୋଲାଖୋଲି ପ୍ରକାଶ ନ କରି ବାଜପେୟାର ଟିପ୍ପଣୀ ଦେଲେ । ଅନେକ ଲୋକ ଅଛନ୍ତି ଯେଉଁମାନଙ୍କ ଶିକ୍ଷାଦୀକ୍ଷା ପ୍ରକୃତରେ ଯେତିକି ନାହିଁ ତା’ଠୁ ଅଧିକ ଜାଣନ୍ତି ବୋଲି ଦେଖାଇ ହୁଅନ୍ତି ଏବଂ ସେମାନଙ୍କର ସପକ୍ଷରେ ସମ୍ବାଦପତ୍ରରେ ଲେଖାଲେଖି ପ୍ରକାଶ କରିପାରନ୍ତି । ଏହାଶୁଣି ଉପସ୍ଥିତ ଶ୍ରୋତାମଣ୍ଡଳୀ ହସି ଉଠିଲେ ଏବଂ ବାଜପେୟାର ଏହା ଦେଖି ବେଶ୍ ଉପଭୋଗ କଲେ । ମାତ୍ର ପରେ ସେମାନେ ଆପଣା ଭୁଲ ବୁଝିପାରି ଦୁଃଖ କରିଥିଲେ । ଲକ୍ଷ୍ମଣ ଶାସ୍ତ୍ରୀ ଯାହାଙ୍କର ଟିକିଏ ହେଲେ ଅହଂକାର ନଥିଲା, ତାଙ୍କୁ ଯେ ଏପରି କୁହାଗଲା ବୁଝିପାରି ସମସ୍ତେ ଦୁଃଖ କଲେ । ସେହିଦିନୁ ବାଜପେୟାରଙ୍କୁ ଯେଉଁମାନେ ଶୁଣିବାକୁ ଆସୁଥିଲେ ସେମାନଙ୍କର ସଂଖ୍ୟା ଧୀରେ ଧୀରେ କମିବାକୁ ଲାଗିଲା । ଅବସ୍ଥା ଏପରି ହେଲା ଯେ ରାତିରେ ବାଜପେୟାର ସାମାନ୍ୟ ଟିକିଏ ମଧ୍ୟ ଶୋଇପାରିଲେ ନାହିଁ । ସେ ଶେଯରେ ପଡ଼ି କେବଳ ଛଟପଟ ହେଲେ । ସେ ଅଧିକ ରୁକ୍ଷ ଓ ଚିଡ଼ିଚିଡ଼ା ପ୍ରକୃତିର ହୋଇଗଲେ ।

ଦିନେ ରାତିରେ ତାଙ୍କୁ ସାମାନ୍ୟ ଟିକିଏ ନିଦ ହୋଇଯାଇଛି, ଅଞ୍ଜନେୟ ବାଜପେୟାରଙ୍କ ସମ୍ମୁଖରେ ଉଭାହେଲେ । ବାୟୁଙ୍କ ସନ୍ତାନ ହନୁମାନ ତାଙ୍କୁ ଭର୍ତ୍ସନା କରି କହିଲେ କୁତ୍ସିତ ବ୍ରାହ୍ମଣ ଆପଣାର ଶିଷ୍ୟ ପ୍ରତି ଏପରି ହିଂସା କରିବାଟା ତୁମର କେତେଦୂର ଯଥାର୍ଥ ! ସହରର ସବୁଲୋକ ତୁମ ବିରୁଦ୍ଧରେ ଏହିକଥା କହୁଛନ୍ତି ।

ବାଜପେୟାର ପ୍ରତିବାଦ କରି କହିଲେ, ଯଦି ସେମାନେ କହୁଥାଆନ୍ତି ଯେ ମୁଁ ତାକୁ ହିଂସା କରୁଛି ତେବେ ସେମାନେ ମିଛ କହୁଛନ୍ତି ।

ସେମାନେ ମିଛ କହୁ ନାହାନ୍ତି । ମୋତେ ଠକିବାକୁ ଚେଷ୍ଟାକର ନାହିଁ ବୋଲି ହନୁମାନ ବାଜପେୟାର ଛାତିରେ ଗୋଟାଏ ବିଧା ବସାଇଲେ । ବାଜପେୟାର କାନ୍ଦି ଉଠିଲେ ଓ ଭୟରେ ଥରିଥରି ଉଠିପଡ଼ିଲେ ।

 

ବାଜପେୟାରଙ୍କ ସ୍ୱାସ୍ଥ୍ୟ ଖରାପ ହେବାକୁ ଲାଗିଲା । ନିଦ୍ରିତାବସ୍ଥାରେ ସେ ଚାଲିବାକୁ ଆରମ୍ଭ କଲେ । ତାଙ୍କର ଏ ଅଭ୍ୟାସ ବୃଦ୍ଧି ପାଉଥିବା ଦେଖି ସ୍ତ୍ରୀଙ୍କର ଉତ୍କଣ୍ଠା ମଧ୍ୟ ବୃଦ୍ଧିପାଇଲା । ସେ ଆତଙ୍କିତ ହୋଇ ଉଠିଲେ । ବିଭିନ୍ନ ଦେଉଳକୁ ଯାଇ ସେ ପୂଜାପାଠ କଲେ । ସେ ତିରୁପତି ଯାଇ ଠାକୁର ଭେଙ୍କେଟେଶ୍ଵରଙ୍କୁ ତାଙ୍କ ମୋଟା ସୁନାକାଚଗୁଡ଼ିକ ଯାଚିଲେ । କାହାକୁ ନ ଜଣାଇ ସେ ଆୟାମପୁଳି କାଳୀମନ୍ଦିରରେ ଗୋଟିଏ କୁକୁଡ଼ା ବଳି ଦେଲେ ।

 

ଦିନେ ରାତିରେ ବାଜପେୟାର ଚିତ୍କାର କରି କହିଲେ ଦେଖ ସୁଦର୍ଶନଚକ୍ର ମୋତେ ଗୋଡ଼ାଉଛି । ମୁଁ କ’ଣ କରିବି ? ସ୍ଵାମୀ ତାଙ୍କର ପାଗଳ ହୋଇଗଲେ କହି ବାହୁନି ବାହୁନି ସ୍ତ୍ରୀ କାନ୍ଦିଲେ । ସେହିଦିନୁ ନିଦ୍ରିତ ଅବସ୍ଥାରେ ତାଙ୍କର ବୁଲାଚଲା କରିବା ଏବଂ ଘରୁ ଏଣେତେଣେ ପଳାଇବାଟା ନିତିଦିନ ଘଟଣାରେ ପରିଣତ ହେଲା ।

 

ଦିନେ ଅପରାହ୍ନରେ ବାଜପେୟାର କିଛି ସମୟପାଇଁ ଶୋଇ ପଡ଼ିଥିଲେ । ସ୍ଵାମୀଙ୍କୁ ଶୋଇପଡ଼ିଥିବାର ଦେଖି ସ୍ତ୍ରୀ ଆଶ୍ଵସ୍ତ ହେଲେ । ସେ ପ୍ରାର୍ଥନା କରି କହିଲେ, ହେ ଭଗବାନ ! ତୁମେ ତାହାହେଲେ ତାଙ୍କୁ ଆରୋଗ୍ୟ କଲ । ମାତ୍ର ତାଙ୍କର ଏହି ମନୋଭାବ ବେଶୀ ସମୟ ରହିଲା ନାହିଁ-। ବାଜପେୟାର ହଠାତ୍ ନିଦରୁ ଉଠି ଘରଛାଡ଼ି ଦୌଡ଼ି ପଳାଇବାକୁ ଲାଗିଲେ । ସ୍ତ୍ରୀ କିଛିଦୂର ତାଙ୍କ ପଛେ ପଛେ ଦୌଡ଼ିଲେ ମାତ୍ର ଆଉ ଅଧିକ ଦୂର ଯାଇପାରିଲେ ନାହିଁ । ତାଙ୍କ ଲଜ୍ଜା ହେତୁ ସେ ଅଧିକ ଦୂର ଯାଇ ନ ପାରି ଘରକୁ ଫେରିଥିଲେ l

 

ବାଜପେୟାର ସିଧା ଲକ୍ଷ୍ମଣ ଶାସ୍ତ୍ରୀଙ୍କ ଘରକୁ ଦୌଡ଼ିକରି ଯାଇଥିଲେ । ଶିଷ୍ୟଙ୍କ ପାଦତଳେ ପଡ଼ି ଗୁରୁ ଅତି ଦୟନୀୟଭାବେ କହିଲେ ତୁ କେବଳ ମୋତେ ରକ୍ଷା କରିପାରିବୁ । ଏ ଦୁର୍ବାସାଙ୍କୁ ତୁ ଶାନ୍ତ କରିପାରିବୁ । ଗୁରୁ ପାଦତଳେ ପଡ଼ୁଥିବା ଦେଖି ଶିଷ୍ୟ ଖୁବ୍ ଦୁଃଖ କଲେ । ତାଙ୍କ ଦେହ ମଧ୍ୟ ଭଲ ନଥିଲା । ସେ ଛାତିରେ ଗୋଟାଏ ତକିଆ ଦେଇ ବସିଥିଲେ । ଶ୍ଵାସ ହେତୁ ଶୋଇବା ତାଙ୍କ ପକ୍ଷରେ ସମ୍ଭବ ନଥିଲା । ଗୁରୁଙ୍କୁ ଦେଖି ସେ ତାଙ୍କ ଅସୁସ୍ଥତା କଥା ଭୁଲିଗଲେ । ଗୁରୁଙ୍କୁ ତଳୁ ଉଠାଇ କହିଲେ, ଆପଣ ଏସବୁ କ’ଣ କରୁଛନ୍ତି ? ଆପଣଙ୍କଠାରୁ ମୁଁ ବୟସରେ ସାନ-। ଆପଣ ମୋ ପାଦ ଛୁଅନ୍ତୁ ନାହିଁ, ମୋ ଗୋଡ଼ତଳେ ପଡ଼ନ୍ତୁ ନାହିଁ । ନିଦ୍ରିତାବସ୍ଥାରେ ଯେଉଁ ବାଜପେୟାର ଦୌଡ଼ି ଆସିଥିଲେ ସେ ସଚେତ ହୋଇ ଉଠିଲେ ଓ ଚାରିଆଡ଼କୁ ବିକଳରେ ଚାହିଁଲେ-। ସେ ଲକ୍ଷ୍ମଣଙ୍କୁ ଚାହିଁ ପ୍ରଶ୍ନ କଲେ ମୁଁ କେଉଁଠାରେ ? ଏଠାକୁ କିପରି ଆସିଲି । ବଡ଼ ତାଜୁବ କଥା-। ବିସ୍ମିତ ହୋଇ ସବୁଆଡ଼କୁ ଚାହିଁ ବାଜପେୟାର ନିଜ ଘରଆଡ଼କୁ ଚାଲିଲେ ।

 

ଅଳ୍ପ କିଛିଦିନ ପରେ ପୁଣି ସେହିକଥା ଘଟିଲା । ନିଦ୍ରିତ ଅବସ୍ଥାରେ ସେ ଯାଇ ଲକ୍ଷ୍ମଣ ଶାସ୍ତ୍ରୀଙ୍କ ପାଦତଳେ ପଡ଼ି କହିଲେ, “ମୋତେ ରକ୍ଷାକର, ରକ୍ଷାକର ବିଷ୍ଣୁଚକ୍ର ମୋତେ ଗୋଡ଼ାଇଛି-।”

 

ରାମନାମ ଉଚ୍ଚାରଣ କରି ଲକ୍ଷ୍ମଣ ଶାସ୍ତ୍ରୀ ଗୁରୁଙ୍କ ମୁଣ୍ଡରେ ପାଣି ଛିଞ୍ଚିଲେ । କେତେ ସେକେଣ୍ଡ ପରେ ବାଜପେୟାର ସଚେତ ହୋଇ ଉଠିଲେ ଏବଂ କାନ୍ଦି କାନ୍ଦି କହିଲେ, ଲକ୍ଷ୍ମଣ ମୁଁ ତୋତେ ହେୟ ମନେକରି ପାପ କରିଛି । ଏହାର ମୁଁ କି ପ୍ରାୟଶ୍ଚିତ୍ତ କରିବି । ମୋତେ ବାଟ ବତାଇବାକୁ ପଡ଼ିବ ।

 

ସବୁ ଭୁଲିଯାଆନ୍ତୁ । ଆପଣ ମୋର ନମସ୍ୟ, ଆପଣ ମୋର କୌଣସି କ୍ଷତି କରି ନାହାନ୍ତି । ସେହି ଅଞ୍ଜନେୟ ଆମ ଉଭୟଙ୍କୁ ରକ୍ଷା କରିବେ । ପନ୍ଦର ମିନିଟ୍ ଧରି ‘ରାମ’ ନାମ ଜପ କରିବା ପରେ ଗୁରୁଙ୍କୁ ନେଇ ତାଙ୍କ ଘରେ ଛାଡ଼ିଦେଲେ, ଏବଂ ଗୁରୁପତ୍ନୀଙ୍କୁ ପ୍ରଣାମ କରି ଫେରିଆସିଲେ ।

 

ନାରାୟଣ ବାଜପେୟାରଙ୍କ ରୋଗ ନ କମି ଦିନୁ ଦିନୁ ଖରାପଆଡ଼କୁ ଗତିକଲା । ଶୁଣାଯାଏ ଯେ ଦିନେ ସେ ଘରଛାଡ଼ି ପ୍ରୟାଗ ପଳାଇଲେ ।

 

କିଛିଦିନ ପରେ ଖବର ମିଳିଲା ଯେ ପ୍ରୟାଗରେ ଅଞ୍ଜନେୟଙ୍କ ମନ୍ଦିରରେ ସେ ପ୍ରତିଦିନ ପୂଜାପାଠ କରୁଛନ୍ତି ଓ ଜଣେ ସନ୍ନ୍ୟାସୀଙ୍କର ସେବକ ଭାବରେ ତାଙ୍କ କାମ କରୁଛନ୍ତି । ତାଙ୍କ ରୋଷାଇ କରୁଛନ୍ତି ।

 

ବର୍ଷକ ପରେ ସିଏ ତାଙ୍କ ସ୍ତ୍ରୀଙ୍କୁ ଗୋଟିଏ ଚିଠି ଲେଖିଥିଲେ । ସେଥିରେ ହନୁମାନଙ୍କ ଆଶୀର୍ବାଦରୁ ତାଙ୍କ ସ୍ଵାସ୍ଥ୍ୟରେ ଉନ୍ନତି ହୋଇଛି । ରାତିରେ ଭଲରେ ଶୋଉଛନ୍ତି ବୋଲି ଲେଖିଥିଲେ-। ଅବଶିଷ୍ଟ ଜୀବନ ସେ ପ୍ରୟାଗରେ କାଟିବା କଥା ମଧ୍ୟ ଚିଠିରେ ଲେଖିଥିଲେ । ଗୁରୁପତ୍ନୀ ଲକ୍ଷ୍ମଣ ଶାସ୍ତ୍ରୀଙ୍କୁ ଏ ଚିଠିଟି ଦେଖାଇ ଅତି ଦୁଃଖରେ କାନ୍ଦିଥିଲେ ।

 

ପ୍ରୟାଗରେ ନାରାୟଣ ବାଜପେୟାର ତାଙ୍କ ଗୁରୁଙ୍କର ଦୀର୍ଘ ଦଶବର୍ଷ ଧରି ରୋଷବାସ କରି ସେବା କଲେ । ତା’ର ଠିକ୍ ଦୁଇବର୍ଷ ପରେ ତାଙ୍କର ମୃତ୍ୟୁ ହୋଇଗଲା ।

 

ପ୍ରୟାଗରେ ବୃନ୍ଦାବନ ବୋଲି ଗୋଟିଏ ସ୍ଥାନ ଅଛି । ନାରାୟଣ ବାଜପେୟାର ସେଠାରେ ଅବସ୍ଥାନ କରୁଥିଲେ । ଶ୍ରୀଧର ସନ୍ନ୍ୟାସଙ୍କ ବୃନ୍ଦାବନଠାରୁ ପୂର୍ବକୁ ଦଶଫୁଟ୍ ଦୂରରେ ଏହି ସ୍ଥାନ ଦ୍ରାବିଡ଼ ଦେଶ ବୃନ୍ଦାବନ ନାମରେ ପରିଚିତ ।

 

ଗତବର୍ଷ ଲକ୍ଷ୍ମଣ ଶାସ୍ତ୍ରୀ ଉତ୍ତର ଭାରତ ତୀର୍ଥ ଭ୍ରମଣରେ ଯାଇଥିବାବେଳେ ପ୍ରୟାଗଠାରେ ସେ କିଛିଦିନ ରହିଥିଲେ ଏବଂ ଗୁରୁଙ୍କ ବୃନ୍ଦାବନରେ ତିନିଦିନ ପର୍ଯ୍ୟନ୍ତ ପୂଜା କରିଥିଲେ । ସେଇଦିନୁ ତାଙ୍କ ସ୍ଵାସ୍ଥ୍ୟ ମଧ୍ୟ ଭଲ ହୋଇ ଯାଇଥିଲା । ଶେଷବେଳକୁ ଆଲ୍‌ହାବାଦରୁ ଯେଉଁ ହୋମିଓପାଥି ଡାକ୍ତରମାନେ ତାଙ୍କୁ ଚିକିତ୍ସା କରୁଥିଲେ ସେମାନଙ୍କ ଚିକିତ୍ସାହେତୁ ସେ ଭଲ ହୋଇଗଲେ ବୋଲି କହୁଥିବାବେଳେ ଲକ୍ଷ୍ମଣ ଶାସ୍ତ୍ରୀ ଆପଣାର ଗୁରୁଙ୍କ ଆଶୀର୍ବାଦରୁ ଭଲ ହୋଇ ପାରିଲେ ବୋଲି ବିଶ୍ଵାସ କରୁଥିଲେ । ତା’ପରେ ଲକ୍ଷ୍ମଣ ଶାସ୍ତ୍ରୀ ବେଶ୍‌ ସୁସ୍ଥସବଳ ହୋଇ ଉଠିଥିଲେ ଏବଂ ରାମାୟଣ ଉପରେ ବିଭିନ୍ନ ଆସରରେ ବକ୍ତୃତା ଦେଉଥିଲେ ।

Image

 

ବାଳୀ ବଧ

–ପ୍ରଥମ ଦୃଶ୍ୟ–

 

(କିଷ୍କିନ୍ଧ୍ୟା ସମ୍ମୁଖସ୍ଥ ଜଙ୍ଗଲର ଗଛତଳେ ରାମ ଲକ୍ଷ୍ମଣ ଦଣ୍ଡାୟମାନ । ଅନତିଦୂରରେ ବାଳୀ ଏବଂ ସୁଗ୍ରୀବ ଦ୍ଵନ୍ଦ୍ୱଯୁଦ୍ଧ କରି ଚାଲିଛନ୍ତି ।)

 

ରାମ–ଲକ୍ଷ୍ମଣ, ବର୍ତ୍ତମାନ ଆମେ କର୍ତ୍ତବ୍ୟ ସଙ୍କଟର ସମ୍ମୁଖୀନ । ଅଗ୍ନିକୁ ସାକ୍ଷୀ ରଖି ଆମେ ସୁଗ୍ରୀବ ସହିତ ମିତ୍ରତା ସ୍ଥାପନ କରିଅଛେ । ତାଙ୍କୁ ରକ୍ଷା କରିବା ଆମର କର୍ତ୍ତବ୍ୟ । ପ୍ରତିଶ୍ରୁତି ଅବଶ୍ୟ ରକ୍ଷା କରାଯିବା ଉଚିତ । ଦେଖ ବାରମ୍ବାର ସେ ଆମକୁ କିପରି ଚାହୁଁଛନ୍ତି । ଅସ୍ତ୍ର ସ୍ପର୍ଶ କରିବାକୁ ହାତ ଯାଉନାହିଁ । ବାଳୀକୁ ହତ୍ୟା କରିବାକୁ ମନ ବଳୁ ନାହିଁ । ବରଂ ମୁହାଁମୁହିଁ ତା’ ସଙ୍ଗେ ଯୁଦ୍ଧ କରିବାକୁ ମୁଁ ଅଧିକ ପସନ୍ଦ କରୁଛି ।

 

ଲକ୍ଷ୍ମଣ–ବାଳୀର ଆଘାତରେ ସୁଗ୍ରୀବର ଯଦି ମୃତ୍ୟୁ ହେବ ତେବେ ଆମର ସମସ୍ତ ଯୋଜନା ବ୍ୟର୍ଥ ହୋଇଯିବ । ପ୍ରତିଶ୍ରୁତି ଅନୁଯାୟୀ ତୁମର କ’ଣ କାମ କରିବା ଉଚିତ ନୁହେଁ । ଆମ ଉପରେ ବିଶ୍ଵାସ ରଖି ସୁଗ୍ରୀବ ବାଳୀକୁ ଯୁଦ୍ଧପାଇଁ ଆହ୍ୱାନ ଦେଲା । ଯଦି ବାଳୀଦ୍ଵାରା ସେ ବଧ ହୁଏ ତେବେ ସେଥିପାଇଁ ଆମେ ଦାୟୀ ହେବା ।

 

ରାମ–ତୁମେ ଯାହା କହୁଛ ସତ । ଏକାନ୍ତ ସତ । ସମସ୍ତ ପାପକୁ ମୁଣ୍ଡରେ ବହନ କରିବା ମୋର ଏକାନ୍ତ କର୍ତ୍ତବ୍ୟ ପରି ମୋର ମନେ ହେଉଛି ।

 

ଲକ୍ଷ୍ମଣ–ଭାଇ ଦେଖ, ଦେଖ, ସୁଗ୍ରୀବ କିପରି ପଳାଉଛି ଏବଂ ବାଳୀ ତା’ ପଶ୍ଚାତ୍‌ରେ ଅନୁଧାବନ କରୁଛି ।

 

ରାମ–ବାଳୀ ଅତି ମହାନ୍, ଦେଖ ଜୀବନ ଧରି ସୁଗ୍ରୀବକୁ ପଳାଇ ଆସିବା ନିମନ୍ତେ ସୁଯୋଗଦେଇ ସେ କିପରି ଯୁଦ୍ଧରୁ ନିବୃତ୍ତ ରହିଛି । ଦୁହେଁ ଏକାପରି ଦିଶୁଛନ୍ତି । ମୁଁ ମୋର ଶର ସନ୍ଧାନ କଲେ ମଧ୍ୟ ତାହା ସୁଗ୍ରୀବକୁ ଆଘାତ ନ କରି ବାଳୀକୁ ଯେ ଆଘାତ କରିବ ଏ ବିଷୟରେ ମୁଁ ନିଶ୍ଚିତ ହୋଇପାରୁ ନାହିଁ ।

 

–ଦ୍ୱିତୀୟ ଦୃଶ୍ୟ–

 

(ଋଷ୍ୟମୁଖ ବନ । ସୁଗ୍ରୀବ ଦୌଡ଼ି ଦୌଡ଼ି ଆସି ଉପସ୍ଥିତ ହେଲା । ତା’ପରେ ସେଠାରେ ରାମ ଆଉ ଲକ୍ଷ୍ମଣ ଆସି ପହଞ୍ଚିଲେ । ମାତ୍ର ସୁଗ୍ରୀବ ସେମାନଙ୍କ ସଙ୍ଗେ କଥା କହିଲେ ନାହିଁ । ସେ ଖୁବ୍ ରାଗି ଯାଇଥିଲା ଓ ମୁହଁକୁ ତଳକୁ କରି ରହିଲା ।)

 

ସୁଗ୍ରୀବ–ସେତେବେଳେ ମଧ୍ୟ ତୁମେ ଯଦି ତୁମ ମନକଥା ଖୋଲାଖୋଲି ପ୍ରକାଶ କରିଥାଆନ୍ତ ତେବେ ସବୁଦିନ ପରି ମାତ୍ରଙ୍ଗ ଆଶ୍ରମରେ ମୁଁ ନିଜକୁ ଗୋପନ ରଖିଥାଆନ୍ତି ।

 

ଲକ୍ଷ୍ମଣ–ଭାଇ ତୁମେ ରାଗନାହିଁ ।

 

ସୁଗ୍ରୀବ–ଭାଇ ବୋଲି ସମ୍ବୋଧନ କରୁଛ ସତ । ମାତ୍ର ତୁମେ ଦୁଇଟା ଠକ । ତୁମେ ଦୁହେଁ ମୋତେ ପ୍ରତାରଣା କରିଛ ।

 

ଲକ୍ଷ୍ମଣ–ହେ ମହାତ୍ମା ତୁମେ କ୍ଷୁବ୍ଧ ହୁଅନାହିଁ । ଆମେ ସନ୍ଦିଗ୍‌ଧମନା ହୋଇ ଉଠିଲୁ । କର୍ତ୍ତବ୍ୟ ସଙ୍କଟର ସମ୍ମୁଖୀନ ହେଲୁ । ତୁମେ ଦୁହେଁ, ଯେତେବେଳେ ମଲ୍ଲଯୁଦ୍ଧ କରୁଥିଲ କିଏ ସୁଗ୍ରୀବ କିଏ ବାଳୀ ଚିହ୍ନିବା କଷ୍ଟକର ହୋଇପଡ଼ିଲା । ରାମଚନ୍ଦ୍ର ତୁମକୁ ଚିହ୍ନିପାରିଲେ ନାହିଁ । କାରଣ ସେ ଏପରି ମ୍ରିୟମାଣ ହୋଇପଡ଼ିଥିଲେ ଯେ ତାଙ୍କର ଚକ୍ଷୁଦ୍ଵୟ ଅଶ୍ରୁଆଚ୍ଛନ୍ନ ହୋଇ ପଡ଼ିଥିଲା । ତେଣୁ ଶର ସନ୍ଧାନପାଇଁ ସେ ସମର୍ଥ ହୋଇପାରି ନଥିଲେ । ସେ ଶର ଚଳାଇଥିଲେ ହୁଏତ ତାଙ୍କରି ଶରାଘାତ ତୁମର ମୃତ୍ୟୁର କାରଣ ହୋଇଥାଆନ୍ତା । ଏହାଫଳରେ ଆମର କି ଗଭୀର କ୍ଷତି ହୋଇଥାଆନ୍ତା ? ଆମେ କି ଜଘନ୍ୟ ପାପ କରି ନଥାନ୍ତୁ ?

 

ସୁଗ୍ରୀବ–ହଁ ସମସ୍ତେ କହୁଛନ୍ତି ଆମେ ଦୁହେଁ ଏକାପରି ଦେଖାଯାଉ । ତୁମେ ଯାହା କହୁଛ ହୁଏତ ସତ ।

 

ରାମ–ଲକ୍ଷ୍ମଣ, ମୁଁ ଏକ ନିଷ୍ପତ୍ତିରେ ଉପନୀତ ହୋଇପାରିଛି । ପାପ ହେଉ, ପୁଣ୍ୟ ହେଉ ମୁଁ ମୋର ପ୍ରତିଶ୍ରୁତି ପାଳନ କରିବି । ଲତା ପୁଷ୍ପର ଗୋଟିଏ ହାର କରି ଜଙ୍ଗଲ ରାଜା ସୁଗ୍ରୀବଙ୍କ ଗଳାରେ ପିନ୍ଧାଇ ଦିଅ । ଆମେ ପୁନର୍ବାର କିଷ୍କିନ୍ଧ୍ୟା ଯାତ୍ରା କରିବା ।

 

ସୁଗ୍ରୀବ–ଏଥର ତୁମ ଉପରେ ମୁଁ ଭରସା କରିପାରିବି ତ ? ଦେଖ ଏଥର ତୁମେ ତୁମ କଥା ନ ରଖିଲେ ବାଳୀ ମୋତେ ନିଶ୍ଚୟ ଶେଷ କରିଦେବ ।

 

ରାମ–ସୁଗ୍ରୀବ, ତୁମେ ଆମକୁ ବିଶ୍ଵାସ କର । ମୁଁ ଲକ୍ଷ୍ମଣ ଓ ସୀତାଙ୍କୁ ରାଣଦେଇ କହୁଛି, ତୁମେ ଦେଖିବ ବାଳୀ ମରି ମାଟିରେ ପଡ଼ିବ ।

 

–ତୃତୀୟ ଦୃଶ୍ୟ–

 

(ସୁଗ୍ରୀବଙ୍କ ଗର୍ଜନ ପୁନର୍ବାର ଶୁଣାଗଲା । କିଷ୍କିନ୍ଧ୍ୟା ନଅରର ନାରୀ ମହଲ ।)

 

ବାଳୀ–ଏ କ’ଣ ? ସୁଗ୍ରୀବ ପୁଣି ଆସିଲାଣି । ଗର୍ଜନ କରୁଛି । ତା’ ଦିନକାଳ ସରିଆସିଲା ଜାଣ । ଏ ସମ୍ପର୍କରେ ଆଉ ଅଧିକ ଚିନ୍ତା କରିବା ଉଚିତ ନୁହେଁ । ମୁଁ ଯିବି ଏବଂ ଏଥର ତାକୁ ଶେଷ କରିଦେବି ।

 

ତାରା–ସ୍ଵାମୀ, ତୁମେ ଯାଅ ନାହିଁ । ଅନ୍ତତଃ ଆଜି ଯାଅ ନାହିଁ । କାଲି ଯିବ । ସେ ଗର୍ଜନ କଲେ ଆମର ତ କୌଣସି କ୍ଷତି ହେଉନାହିଁ । ସେ ଗର୍ଜନତର୍ଜନ କରି ବାହୁଡ଼ି ଯାଉ ।

 

ବାଳୀ–ମୁଁ ଏହା ବରଦାସ୍ତ କରିପାରିବି ନାହିଁ । ସେ ସେଠାରେ ଠିଆ ହୋଇ ମୋତେ ଯୁଦ୍ଧର ଆହ୍ଵାନ ଦେଉଛି । ଏ ପରିସ୍ଥିତିରେ ଭୀରୁପରି ମୁଁ ଏଠାରେ କିପରି ରହିପାରିବି ?

 

ତାରା–ହେ ପ୍ରାଣେଶ୍ଵର ! ମୋ କଥା ଶୁଣ । ଥରେ ତୁମଦ୍ଵାରା ପରାଜିତ ହୋଇ ପୁଣି ସେ ଯୁଦ୍ଧ କରିବାକୁ ଆସିଛି । ତୁମ ଶକ୍ତି ସମ୍ପର୍କରେ ସମ୍ପୂର୍ଣ୍ଣ ସଚେତନ ଥାଇ ପୁଣି କାହିଁକି ଆସିଲା-? ଏପରି ଗର୍ଜନ କରି ସେ ତା’ର ମୃତ୍ୟୁକୁ କାହିଁକି ବରଣ କରି ଆଣୁଛି ? ଟିକିଏ ଚିନ୍ତା କର ତା’ର ଗର୍ଜନତର୍ଜନ ଓ ଆଚରଣରୁ ଜଣାଯାଉଛି ଯେ ସେ ନୂତନଭାବେ ଶକ୍ତି ସଂଗ୍ରହ କରିଛି । କେହି ନା କେହି ତାକୁ ସାହାଯ୍ୟ କରୁଛି । ଏ ସମ୍ପର୍କରେ ଭଲଭାବେ ଚିନ୍ତା କରି ଦେଖ । ଆଜିପାଇଁ ତୁମେ ନିରବ ରୁହ । ଯାହାକିଛି କରିବା କଥା ଆଗାମୀ କାଲି କରିବା ।

 

ବାଳୀ–ନା ନା, ତାରା ଏହା ହୋଇ ନ ପାରେ । ତାକୁ ମୁଁ ଏଥର କୌଣସି କାରଣରୁ ଛାଡ଼ିଦେଇ ପାରିବି ନାହିଁ ।

 

(ଯିବାନିମନ୍ତେ ଠିଆ ହୁଅନ୍ତେ ତାରା ତାଙ୍କୁ ମନା କରନ୍ତି ।)

 

ତାରା–ଅଙ୍ଗଦର ହିତପାଇଁ ଅନ୍ତତଃ ଏଥିରୁ ନିବୃତ୍ତ ହୁଅନ୍ତୁ । ତୁମ ଭାଇ ରାମ ଲକ୍ଷ୍ମଣଙ୍କ ବଳରେ ବଳିଆର ହୋଇ ତୁମକୁ ଯୁଦ୍ଧ ନିମନ୍ତେ ଯେ ଆହ୍ଵାନ ଦେଉଛନ୍ତି ଏଥିରେ ମୋର ଟିକିଏ ସନ୍ଦେହ ନାହିଁ । ସୁଗ୍ରୀବକୁ ସମସ୍ତ ପ୍ରକାର ସାହାଯ୍ୟ କରିବାକୁ ସେମାନେ ପ୍ରତିଶ୍ରୁତି ଦେଇଛନ୍ତି ।

 

ବାଳୀ–ଅଯୋଧ୍ୟାର ରାମଚନ୍ଦ୍ର ତେବେ ଏଠାକୁ ଆସିଛନ୍ତି ? ତୁମେ କିପରି ଜାଣିଲ ?

 

ତାରା–ଗୁପ୍ତଚରମାନେ ଅଙ୍ଗଦକୁ ଏକଥା ଜଣାଇଛନ୍ତି । ଅଙ୍ଗଦ ଏକଥା ତୁମକୁ ଜଣାଇନାହିଁ । ଏ ନେଇ ମୋର ଘୋର ସନ୍ଦେହ । ତୁମେ ବର୍ତ୍ତମାନ ଯାଅ ନାହିଁ ।

 

ବାଳୀ–(ମୁରୁକି ହସି) ଯଦିବା ରାମ ଆସିଥାନ୍ତି ତେବେ କ’ଣ ସେ ସୁଗ୍ରୀବଙ୍କ ସହିତ ମିତ୍ରତା ସ୍ଥାପନ କରିଛନ୍ତି ? ଯଦିବା ଅଯୋଧ୍ୟାରୁ ରାଜକୁମାର ଆସିଥାନ୍ତି ସେ ମୋ ସଙ୍ଗେ ମିତ୍ରତା ନ କରି ସୁଗ୍ରୀବ ଯିଏ କି ତା’ର ରାଜ୍ୟ ହରାଇ ବସିଛି ତା’ ସଙ୍ଗେ ମିତ୍ରତା କରିବେ ବୋଲି ତୁମେ କିପରି ଭାବୁଛ ? ତୁମେ ଯାହା କହୁଛ ସେଥିରେ ମୋର ବିଶ୍ୱାସ ହେଉନାହିଁ । ତୁମର ଆଶଙ୍କା ଭିତ୍ତିହୀନ, ତାକୁ ଶେଷ କରିସାରିବା ପରେ ଯାଇ ମୁଁ ଶୋଇପାରିବି ।

 

ତାରା–ନା ପ୍ରିୟତମ ! ମୋ କଥା ମାନ, ଆଜି ଯାଅ ନାହିଁ । କାଲି ପର୍ଯ୍ୟନ୍ତ ଅପେକ୍ଷା କର । ମୋତେ କାହିଁକି କିଛି ଅଶୁଭ ଘଟିଲା ପରି ଲାଗୁଛି । ଅନାଗତ ଆତଙ୍କ ମୋତେ ବିବ୍ରତ କରି ପକାଉଛି । ଏହା ନିଶ୍ଚିତ ଯେ ରାମ, ଲକ୍ଷ୍ମଣ, ସୁଗ୍ରୀବ ସହିତ ଚୁକ୍ତିବଦ୍ଧ ହୋଇଛନ୍ତି ।

 

ବାଳୀ–ଧର୍ମ ବିରୁଦ୍ଧାଚରଣ କଲାପରି କୌଣସି କାମ ରାମଚନ୍ଦ୍ର କରି ନ ପାରନ୍ତି । ରାମ ଲକ୍ଷ୍ମଣଙ୍କର ଏଠାରେ କରିବାର କ’ଣ ଅଛି ? ଆମ ଭାଇ ଭାଇ ବିବାଦରେ ସେମାନେ ପଶିବେ ନାହିଁ ।

 

(ସୁଗ୍ରୀବ ଗର୍ଜନ କଲା ।)

 

ମୋତେ ତୁମେ ଆଉ ଅଟକାଅ ନାହିଁ । ମୋର ମଙ୍ଗଳ ମନାସ ଏବଂ ମୋତେ ଯିବାକୁ ଦିଅ ।

 

(ତାରା ବାଳୀଙ୍କୁ ପ୍ରଦକ୍ଷିଣ କରି ଭଗବାନଙ୍କୁ ପ୍ରାର୍ଥନା କଲେ ଏବଂ ଭିତରକୁ ଗଲେ ।)

 

–ଚତୁର୍ଥ ଦୃଶ୍ୟ–

 

ବାଳୀ–ସୁଗ୍ରୀବ ତୋର ଯଦି ଜୀବନ ପ୍ରତି ମମତା ଅଛି ତେବେ ତୁ ଏ ସ୍ଥାନ ଛାଡ଼ି ପଳାଇ ଯା । ଅଯଥା ମୃତ୍ୟୁକୁ ଡାକି ଆଣନାହିଁ ।

 

(ସୁଗ୍ରୀବ ଗର୍ଜନ କରି ବାଳୀ ଉପରକୁ ଲମ୍ଫ ପ୍ରଦାନ କଲା । ସେମାନେ ଯୁଦ୍ଧ କଲେ ।)

 

ଲକ୍ଷ୍ମଣ–ଭାଇ ତୁମେ ଆଉ ବିଳମ୍ବ କରିବା ଅନୁଚିତ ।

 

(ରାମ ଧନୁରେ ଗୁଣ ଦେଲେ, ଶର ସଂଯୋଗ କଲେ, ଲକ୍ଷ୍ୟ ସ୍ଥିର କଲେ ଏବଂ ଭାବିଲେ ।)

 

ରାମ–ହେ ତୀର ! ଏକାଥରକେ ମୋର ଧର୍ମ ଓ ବାଳୀକୁ ବଧ କରିବ, ଏବେ ଯା’ ।

 

(ରାମ ଶରଭେଦ କଲେ ଏବଂ ତାହା ବାଳୀର ଦେହରେ ପ୍ରବେଶ କଲା ।)

 

ବାଳୀ–ଆଃ...ମୋ ଦେହରେ କ’ଣ ବାଜିଲା ?

 

(ଚତୁର୍ଦ୍ଦିଗକୁ ଚାହିଁ ସେ ଭୂଇଁ ଉପରେ ଭରାଦେଇ ପଡ଼ିଗଲେ । ରାମ ଲକ୍ଷ୍ମଣ ତା’ ନିକଟକୁ ଆସିଲେ । ବାଳୀର ଚକ୍ଷୁଦ୍ଵୟ ଅଶ୍ରୁରେ ଭରିଗଲା । ସେ ଧୀର କଣ୍ଠରେ କହିଲା ।)

 

ବାଳୀ–ରାମ ତୁମେ ଏ କ’ଣ କଲ ? ତୁମେ କ’ଣ ଆପଣାକୁ ଜଣେ ଯୋଦ୍ଧା ବୋଲି କହୁଛ ? ମୁଁ ତୁମର କି କ୍ଷତି କରିଥିଲି ? ଗଛ ପଛରେ ଲୁଚି ରହି ତୁମେ ମୋତେ ମାରିଲ କାହିଁକି ? ତୁମ ସ୍ତ୍ରୀକୁ ଫେରି ପାଇବାର କ’ଣ ଏଇଟା ବାଟ ? ତୁମର ମହତ୍‍ପଣିଆକୁ ମୁଁ କିପରି ତାରିଫ କରିବି ? ତୁମର ସମସ୍ତ ସୁନାମ କେବଳ ନାମକୁ ମାତ୍ର ! ତୁମେ ଜଣେ ଠକ; ନିପଟ ପ୍ରତାରକ । ତୁମେ ଯଦି ମୁହାଁମୁହିଁ ମୋ ସଙ୍ଗେ ଯୁଦ୍ଧ କରିଥାନ୍ତ ତେବେ ବର୍ତ୍ତମାନ ମୁଁ ଯେପରି ମରି ତଳେ ପଡ଼ିଛି ତୁମେ ସେହିପରି ପଡ଼ିଥାଆନ୍ତ । ଆଃ ! ତୁମେ କି ଜଘନ୍ୟ ପାପ କଲ ? ଜନ୍ମ ହେଲେ ମୃତ୍ୟୁ ସୁନିଶ୍ଚିତ । ମାତ୍ର ତୁମେ ଅନ୍ୟାୟଭାବେ ମୋତେ ହତ୍ୟା କଲ । ତୁମେ ମୋତେ ହତ୍ୟା କରି ଯେଉଁ ପାପ କଲ ତା’ର ପ୍ରାୟଶ୍ଚିତ୍ତ ନାହିଁ, ତୁମେ ସେଠାରେ ଗୋପନରେ ଠିଆ ହୋଇ ରହିଥିଲ । ତାରାର ଆଶଙ୍କା ସତ ହେଲା । ମୁଁ ତାକୁ ସାନ୍ତ୍ୱନା ଦେଇ ତୁମେ ଜଣେ ମହାନ୍ ବ୍ୟକ୍ତି ବୋଲି କହିଥିଲି । ମାତ୍ର ତାହା ଠିକ୍ ନୁହେଁ ବୋଲି ପ୍ରମାଣିତ ହେଲା । ସୁଗ୍ରୀବ ସିଂହାସନ ପ୍ରାପ୍ତି ଆଶାରେ ତୁ ଏପରି ଅନ୍ୟାୟ କରିପାରିଲୁ ? ଠିକ୍‌ଅଛି ତୁ ରାଜ୍ୟ ଭୋଗ କର ।

 

(ବାଳୀ ଆଖି ବନ୍ଦ କଲା । ଟିକିଏ ପରେ ପୁଣି ଆଖିଖୋଲି ନିରବରେ ରାମଙ୍କୁ ଚାହିଁ ରହିଲା ।)

 

–ପଞ୍ଚମ ଦୃଶ୍ୟ–

 

(ଆକାଶ ମାର୍ଗରେ ଏକ ଦୃଶ୍ୟ.....ପରମେଶ୍ଵର ଏବଂ ପାର୍ବତୀ)

 

ପରମେଶ୍ଵର–ପ୍ରିୟତମା, ତୁମ ଆଖିରେ ଏ ଲୁହ କାହିଁକି ?

 

ପାର୍ବତୀ–ଏ ଦୃଶ୍ୟ ହୃଦୟବିଦାରକ । କର୍ତ୍ତବ୍ୟ ସଙ୍କଟର ସମ୍ମୁଖୀନ ହୋଇ ରାମଚନ୍ଦ୍ର ମ୍ରିୟମାଣ । ସ୍ତ୍ରୀ ହରାଇବା ଦୁଃଖ ସହିତ ଧର୍ମପ୍ରତି ଅନୁଗତ ନ ରହିପାରିବା ଦୁଃଖରେ ଏବେ ସେ ଭାରାକ୍ରାନ୍ତ । ବୀର ବାଳୀ ମୃତ୍ୟୁଶଯ୍ୟାରେ ଆପଣାର କ୍ରୋଧକୁ ଚାପି ରଖିଛନ୍ତି । ଦୁଃଖର କଥା, କ୍ରୋଧାନ୍ଵିତ ହୋଇ ସେ ମୃତ୍ୟୁ ବରଣ କରିବାକୁ ଯାଉଛନ୍ତି ।

 

ପରମେଶ୍ଵର–ପ୍ରିୟତମା ତୁମେ ଦେଖ, ତୁମର ଜୀବନ ସଞ୍ଚାରକାରୀ ଅଶ୍ରୁବିନ୍ଦୁ ପଡ଼ିବାମାତ୍ରେ ସେ କିପରି ଧୀର ଶାନ୍ତ ହୋଇ ଉଠୁଛନ୍ତି । ଦେଖ ତାଙ୍କର ମୁଖମଣ୍ଡଳ କିପରି ଉଜ୍ଜ୍ୱଳ ଦିଶୁଛି । ସମସ୍ତ କ୍ରୋଧ ଓ ଘୃଣା ଅପସରି ଯାଉଛି ।

 

(ମାଟି ଉପରେ ପଡ଼ି ବାଳୀ ରାମକୁ ଚାହିଁ ରହିଛି ।)

 

ବାଳୀ–ରାମ ମୋ ପ୍ରତି ତୁମେ କାହିଁକି ଏପରି ଆଚରଣ କଲ, ମୁଁ ବୁଝିପାରୁ ନାହିଁ । ନିଶ୍ଚିତଭାବେ ତୁମ ମତିଭ୍ରମ ହୋଇଛି । ତୁମେ ଲୁକ୍କାୟିତଭାବେ ରହି ମୋତେ ହତ୍ୟା କଲ । ମାତ୍ର ତୁମେ ଯେ ଭୁଲ୍ କରିଛ ଏକଥା ବୁଝିବା ପରେ ତୁମେ କ’ଣ ମୋତେ ବଞ୍ଚାଇପାରିବ । ନା ତୁମେ ପାରିବ ନାହିଁ । ତାରା ଓ ମୋର ପୁଅ ଅଙ୍ଗଦର ଯେପରି କୌଣସି କ୍ଷତି ନହୁଏ ସେତିକି ଅନ୍ତତଃ ତୁମେ ଦେଖିବ । ଭାଇ ସଙ୍ଗେ କଳି ନ କରିବାକୁ ତାରା ମୋତେ ଅନେକଥର ପରାମର୍ଶ ଦେଇଛି । ମାତ୍ର ମୁଁ ତା’ କଥା ଶୁଣି ନାହିଁ । ମୁଁ ସତରେ ଅତି ନିର୍ବୋଧ । ଘୃଣାଭାବ ମୋର ତ ସର୍ବନାଶ କଲା । ସତରେ ଏହା ମୋର ଭୁଲ୍ । ଏଥିପାଇଁ ତାରା ଦାୟୀ ନୁହେଁ । ତୁମ ଦାୟିତ୍ଵରେ ତାରା ଓ ଅଙ୍ଗଦକୁ ଦେଇ ମୁଁ ଚାଲିଲି । ତୁମର ଯଦି ସାମାନ୍ୟ କରୁଣା ଥାଏ ତେବେ ମୋର ଏ କଥା ସ୍ମରଣ ରଖିବ ।

(ତାରା କରୁଣଭାବେ କାନ୍ଦି କାନ୍ଦି ଆସି ବାଳୀ ଉପରେ ପଡ଼ିଗଲା ।)

ତାରା–ହେ ବୀର ପୁଙ୍ଗବ । ତୁମେ ଜୀବନରେ କେତେ କେତେ ଯୋଦ୍ଧାଙ୍କୁ ଭୂପତିତ ନ କରିଛ ମାତ୍ର ଆଜି ତୁମେ ମରି ପଡ଼ିଛ । ମୋତେ ଏପରି ଅସହାୟ କରି ଚାଲିଯିବ ମୁଁ ଜାଣି ନଥିଲି-

(ଅଙ୍ଗଦ ଦୌଡ଼ି ଆସି ପହଞ୍ଚିଲା । ସୁଗ୍ରୀବ ମଧ୍ୟ କାନ୍ଦୁଥିଲା ।)

ତାରା–ହେ’ରାମ, ତୁମେ ଜାଣ ଧର୍ମ କ’ଣ ! ମୋତେ ହତ୍ୟା କରିବାରେ ପାପ ନାହିଁ । ମୁଁ ଚାହେଁ ସ୍ଵର୍ଗରେ ସ୍ଵାମୀଙ୍କ ସହିତ ମୋର ମିଳନ ହେଉ । ତୁମେ ଜାଣ କେବଳ ସାହସୀ ବ୍ୟକ୍ତିଗଣ ସ୍ୱର୍ଗ ଗମନ କରନ୍ତି । ମୋ ପ୍ରତି ସେତିକି ଦୟାକର । ତୁମର କୌଣସି ପାପ ହେବ ନାହିଁ-

ବାଳୀ–ତାରା ତୁମେ ସେପରି କଥା କୁହନାହିଁ । ତୁମର କାମ ହେଲା ଧୈର୍ଯ୍ୟର ସହିତ ବଞ୍ଚିରହି ଅଙ୍ଗଦର ଯତ୍ନନେବା । (ଦୂରରେ ହନୁମାନ ଠିଆ ହୋଇଥିବା ଦେଖି) ଅଞ୍ଜନେୟ ପାଖକୁ ଆସ । ମୁଁ ଦୁର୍ବଳ ହୋଇପଡ଼ୁଛି । କଥା କହିବାକୁ ମୁଁ ଅକ୍ଷମ । ଏହି ଶର ମୋତେ ଅସମ୍ଭବ ଯନ୍ତ୍ରଣା ଦେଉଛି । ଏହାକୁ ଶୀଘ୍ର ମୋ ଦେହରୁ କାଢ଼ିଦିଅ । ମୋତେ ଶୀଘ୍ର ମରିବାକୁ ଦିଅ । ସୁଗ୍ରୀବ ମୋର ଭାଇ, ଆମ ଦୁହିଁଙ୍କୁ ସୁଖରେ ରହିବାକୁ ଦିଆଗଲା ନାହିଁ । ତୋ ଅପେକ୍ଷା ମୋର ଅଧିକ ଭୁଲ୍ । ତାରା ଉପରେ ରାଗ ରଖିବୁ ନାହିଁ । ଅଙ୍ଗଦର ଯତ୍ନନେବୁ । ତୁ ତା’ର ବାପ ବୋଲି ମନେ କରିବୁ । ତାରାର ପରାମର୍ଶ ମାନିବୁ ଏବଂ ସୁଖରେ ରହିବୁ । ସେ ଭଦ୍ର ଓ ବୁଦ୍ଧିମତୀ । ତା’ ଉପଦେଶ ଗ୍ରହଣ କରିବୁ । ଇନ୍ଦ୍ର ମୋତେ ଯେଉଁ ଫୁଲ ହାର ପ୍ରଦାନ କରିଥିଲେ ତାହା ତୁ ନେ । ବିନା ପ୍ରତିବନ୍ଧକରେ ତୁ ସମସ୍ତ ପ୍ରକାର ଆନନ୍ଦ ଉପଭୋଗ କରିବୁ । ମୋର ଜୀବନ ଶେଷ ହୋଇଗଲା । ତୋର ମଙ୍ଗଳ ହେଉ । ରାମଙ୍କ ପ୍ରତି ତୁ ତୋର କର୍ତ୍ତବ୍ୟ କର ।

ହନୁମାନ–ନୀଳ ତାଙ୍କ ଦେହରୁ ତୀର କାଢ଼ିଆଣ ।

(ସାବଧାନତାର ସହିତ ନୀଳ ତୀର କାଢ଼ିଆଣିଲା । ପାହାଡ଼ରୁ ଜଳସ୍ରୋତ ମାଡ଼ିଆସିବା ପରି ବାଳୀ ଦେହରୁ ରକ୍ତ ଝରି ଆସିଲା ଏବଂ ତା’ର ମୃତ୍ୟୁ ହେଲା ।)

ତାରା–ହାୟ ମୋର ସ୍ଵାମୀଙ୍କ ପ୍ରାଣବାୟୁ ଉଡ଼ିଗଲା । ହେ ଅଙ୍ଗଦ, ମୋ ରଙ୍କନିଧି ତୁ ମୋ ପାଖକୁ ଆସ । ଶେଷଥର ପାଇଁ ତୋ ବାପାଙ୍କୁ ଚାହଁ । ଏବଂ ତାଙ୍କ ପାଦ ଛୁଇଁ ନମସ୍କାର କର-। ହେ ରାମଚନ୍ଦ୍ର ତୁମେ ନିଶ୍ଚୟ ତୁମ ସ୍ତ୍ରୀଙ୍କୁ ଫେରିପାଇବ । ମାତ୍ର ସୀତାଙ୍କୁ ପାଇ ମଧ୍ୟ ତୁମେ ଏ ଯେଉଁ ପାପ କଲ ସେଥିପାଇଁ ତାଙ୍କୁ ହରାଇବ ବୋଲି ମୋର କିପରି କାହିଁକି ମନେ ହେଉଛି-। ତେବେ ତୁମର ମଙ୍ଗଳ ହେଉ ।

ସୁଗ୍ରୀବ–ମୁଁ ଲୋଭସମ୍ବରଣ କରିପାରିଲି ନାହିଁ । ମୋତେ ଏହା ନିଷ୍ଠୁରମନା କଲା । ପାପ କରିବାଲାଗି ମୁଁ ଆଗ୍ରହୀ ହେଲି ଏବଂ ମୋପାଇଁ ମୋ ଧର୍ମାତ୍ମା ଭାଇଙ୍କର ମୃତ୍ୟୁ ହେଲା । ରାମ ତୁମେ କୁହ ମୁଁ ବର୍ତ୍ତମାନ କ’ଣ କରିବି ? (କ୍ରନ୍ଦନ)

 

ରାମ–ହେ ଲକ୍ଷ୍ମଣ ! ଏପର୍ଯ୍ୟନ୍ତ ଅନ୍ୟମାନଙ୍କର ପାପପାଇଁ ତୁ ଓ ମୁଁ ଭୋଗୁଥିଲେ । ବର୍ତ୍ତମାନ ଆପଣା ପାପପାଇଁ ଭୋଗୁଛେ, ଏହା ସହିବା କଷ୍ଟକର ।

 

ଲକ୍ଷ୍ମଣ–ଭାଇ ! ଭାଗ୍ୟର ଲିଖନ କିଏ ଆନ କରିବ ? ବର୍ତ୍ତମାନ ମୁଁ ମଧ୍ୟ ସବୁ ବୁଝୁଛି । ଭାଗ୍ୟର ଲିଖନ ହେତୁହିଁ ଜନନୀ ଜାନକୀ ମତେ ତାଙ୍କ ନିକଟରୁ ତଡ଼ିଦେଲେ ।

 

(ଆକାଶମାର୍ଗରେ ପରମେଶ୍ଵର ଏବଂ ପାର୍ବତୀ ବିଦ୍ୟମାନ ।)

 

ପରମେଶ୍ଵର–ଉମା, ତୁମେ ଦେଖିପାରୁଛ ତ ଦେବତାମାନଙ୍କର ଦେବତା କିପରି ମଣିଷ ଜୀବନ ସହିତ ନିରବରେ ଖେଳନା ସହିତ ଖେଳିଲାପରି ଖେଳୁଛନ୍ତି ।

 

ପାର୍ବତୀ–ତାରାର ଏ ଦୁଃଖ ମୋ ପକ୍ଷରେ ଅସହ୍ୟ ।

 

ପରମେଶ୍ଵର–ଏଣିକି ସେ ଏକ ଉନ୍ମତ୍ତ ଜୀବନଯାପନ କରିବ ଏବଂ ତା’ର ବିଚାର ବୁଦ୍ଧି ଅତି ଉଚ୍ଚସ୍ତରକୁ ସ୍ପର୍ଶ କରିବ । ହେ ପ୍ରିୟେ (ପାର୍ବତୀ) ତୁମ ମୁଖ ଦର୍ଶନ କରି ସମସ୍ତେ ଶାନ୍ତିଲାଭ କରିବେ । ମୁଁ ସମସ୍ତ ମାୟାର ବିନାଶ କରିବି । ତୁମେ ତାରାକୁ ଆଶୀର୍ବାଦ କର । ଏ ପୃଥିବୀରେ ତା’ର ଯଶ ଚିତ୍ତ ସ୍ମରଣୀୟ ହୋଇ ରହିବ । ରାବଣ ପାପର ବିନାଶର ଏହା ପୂର୍ବ ସଂକେତ । ତା’ର ତପସ୍ୟା ଫଳ ଶେଷ ହୋଇଯାଇଛି । ତା’ର ମୃତ୍ୟୁ ଆସନ୍ନ । ସେ ମଧ୍ୟ ସ୍ଵର୍ଗଲାଭ କରିବ ଏବଂ ଶାନ୍ତିରେ ରହିବ ।

Image

 

ପାପମୋଚନ

 

ମାନ୍ଦ୍ରାଜ ହାଇକୋର୍ଟରେ ରାମକୃଷ୍ଣ ଆୟାର ଖୁବ୍ ଉଚ୍ଚ ପଦବୀରେ ଅଧିଷ୍ଠିତ ହୋଇଥିଲେ । ବ୍ୟକ୍ତିଗତ ଜୀବନରେ ତଥା ସାଧାରଣ ସେବକ ହିସାବରେ ସେ ଅତିମାତ୍ରାରେ ସାଧୁ ଥିଲେ । ମାଇଲାପୋରର ରାମକ୍ରୀଷ୍ଣ ଆୟାରଙ୍କୁ ସମସ୍ତେ ଆଦର୍ଶ ପୁରୁଷରୂପେ ସମ୍ମାନ କରୁଥିଲେ । ଓକିଲ, ମହକିଲ, କର୍ମଚାରୀ ଓ ତାଙ୍କର ସାଙ୍ଗସାଥୀମାନେ ତାଙ୍କ ଭଲପଣିଆ, ଦକ୍ଷତା, କର୍ମନିଷ୍ଠତା, ବୁଦ୍ଧିମତା ତଥା ଅନ୍ୟପ୍ରତି ସହାନୁଭୂତିଶୀଳତାର ଉଚ୍ଚ ପ୍ରଶଂସା କରୁଥିଲେ ।

 

ରାମକ୍ରୀଷ୍ଣଙ୍କ ସ୍ତ୍ରୀ ସ୍ଵାମୀଙ୍କ ଲାଖି ଉପଯୁକ୍ତ ଥିଲେ । କହିବା ବାହୁଲ୍ୟ ଯେ ତାଙ୍କ ପିଲାମାନେ ମଧ୍ୟ ବାପା ମା’ଙ୍କ ପରି ସାଧୁ ପ୍ରକୃତିର ଥିଲେ । ପ୍ରଥମ ପିଲାଟି କ୍ଲାସ୍‍ରେ ଫାଷ୍ଟ୍‌ ହେଉଥିଲା । ଅନ୍ୟମାନେ ଛୋଟ ଛୋଟ, ସ୍କୁଲ୍‍ବି ଯାଇ ନଥିଲେ ।

 

ଦିନେ ଗୋଟିଏ ବ୍ରାହ୍ମଣ ପିଲା ରାମକ୍ରୀଷ୍ଣ ଆୟାରଙ୍କ ପାଖକୁ ଆସି କହିଲେ ମୁଁ ଆଉ ଭୋକରେ ରହି ପାରିବି ନାହିଁ, ମୁଁ ଗୋଟିଏ ଗରିବ ପିଲା । ମୋର ବାପା ନାହାଁନ୍ତି । ତାଜୋଁରର କୁମାଥିଧାଡ଼ଲରେ ମୋ ମା’ ଦ୍ଵାର ଦ୍ଵାର ବୁଲି ଭିକମାଗି ପେଟ ପୋଷେ, ମୁଁ କାମ କରିବାକୁ ଏଠାକୁ ଆସିଲି କିନ୍ତୁ କାମଟିଏ ପାଉନାହିଁ । ମୋତେ ଆପଣ ରଖନ୍ତୁ । ମୁଁ ଆପଣଙ୍କ ଘରେ ରୋଷାଇ କରିବି । ମୁଁ କେବଳ ଖାଇପି ରହିବି । ମୋର ଦରମା ଦରକାର ନାହିଁ । ପିଲାଟି ପ୍ରତି ରାମକ୍ରୀଷ୍ଣ ଆୟାରଙ୍କ ଦୟା ହେଲା । ତା’ ସମ୍ପର୍କରେ ଜାଣିବାକୁ ସେ କେତେକ କଥା ତାକୁ ପଚରାଉଚରା କଲେ । ସ୍ତ୍ରୀଙ୍କୁ ଡାକି ସେ କହିଲେ ଏଇ ପିଲାଟି ଆମଘରେ ରହୁ । ରୋଷେଇ କାମରେ ପୂଜାରୀକୁ ସାହାଯ୍ୟ କରିବ । ସାରଦାମ୍ବାଲ କହିଲେ ନା ତାକୁ ରଖିବା ଦରକାର ନାହିଁ । କିଛି ପଇସା ଦେଇ ତାକୁ ବିଦା କରିଦିଅ ।

 

ଏହା ଶୁଣି ରାମକ୍ରୀଷ୍ଣ ଆୟାର କହିଲେ ଏପରି ପିଲାମାନଙ୍କୁ ପଇସାପତ୍ର ଦେଇ ନଷ୍ଟ କରିଦେବା ଠିକ୍ ନୁହେଁ । ପଇସାପତ୍ର ଦେବା ଅପେକ୍ଷା ବରଂ ସେମାନଙ୍କୁ କାମ କରାଇ ଖାଇବା ପିଇବାକୁ ଦେବା ଉଚିତ । ଆମେ ତାକୁ ରଖିବା । କିଛିଦିନ ଦେଖାଯାଉ ସେ କିପରି କାମ ଦାମ କରୁଛି ।

 

ଘରେ ପିଲାଟି ଦୁଇଦିନ କାମ କଲା । ତୃତୀୟ ଦିନ ତା’ର ଆଉ ଦେଖା ନାହିଁ । ଦେଖାଗଲା ରୋଷେଇଘର ଆଲମିରାରେ ଦୁଇଟା ରୁପା ଗ୍ଲାସ୍ ଓ ଗୋଟିଏ କପ୍ ନାହିଁ । ସାରାଦାମ୍ବାଲ କହିଲେ ମୁଁ ମନା କରୁଥିଲି । ଏବେ ପୁଲିସରେ ଜଣାଅ ହୁଏତ ସେମାନେ ତାକୁ ଚିହ୍ନଟ କରି ବାହାର କରିବାରେ ସକ୍ଷମ ହେବେ । ରାମକ୍ରୀଷ୍ଣ ଆୟାର କହିଲେ । ଛାଡ଼, ଗଲାକଥା ଗଲାଣି । ପୁଲିସରେ ଏକଥା ଜଣାଇବା ଦରକାର ନାହିଁ । ତାଙ୍କ ସ୍ତ୍ରୀ କହିଲେ ଏ ଧରଣର ଚୋରକୁ ଏମିତି ଛାଡ଼ିଦେବା ଉଚିତ ନୁହେଁ । ଏପରି ବଦମାସ ପିଲାଙ୍କୁ ଉପଯୁକ୍ତ ଶାସ୍ତି ଦିଆଯିବା ଉଚିତ । ମାତ୍ର ସ୍ତ୍ରୀଙ୍କ କଥାରେ ଆୟାର ଏକମତ ହେଲେ ନାହିଁ । ସ୍ତ୍ରୀ ଯେତେ ଲଗାଇଲେବି ସେ ପୁଲିସରେ ଏକଥା ଜଣାଇଲେ ନାହିଁ । ସାରଦାମ୍ବାଲ କହିଲେ ସତରେ କିଛି ନଜାଣିଲା ପରି ପିଲାଟି ବେଶ୍ ସୁଧାର ଦିଶୁଥିଲା । ସେ ସତରେ ଭାରି ଭଲ ପିଲାଟିଏ । ଏଇ ସାମାନ୍ୟ ଚୋରି କରି ଦେଲା ବୋଲି ତାକୁ ଖରାପ କହିବା ଠିକ୍ ନୁହେଁ । ସାରଦାମ୍ବାଲ କହିଲେ ଖାସା କଥାତ ତୁମେ କହୁଛ । ମୋର ମନେ ହେଉଛି ଚୋରମାନଙ୍କୁ ତୁମେ ଦଣ୍ଡ ନଦେଇ ଛାଡ଼ିଦେବ । କ’ଣ ଇଏ ସ୍ଵର୍ଣ୍ଣ ଯୁଗ ହୋଇଗଲାକି ?

 

ନା’ ସେ କଥା ନୁହେଁ ସାରଦା ! ଭିନ୍ନ ଦୃଷ୍ଟିରୁ ଏହାର ବିଚାର କରାଯିବା ଉଚିତ । ମୁଁ ବି ଦିନେ ଚୋରି କରିଥିଲି, ତୁମେ କ’ଣ ଏକଥା ଜାଣ ? ଏକଥା ଶୁଣି ସାରଦାମ୍ବାଲ ଆଶ୍ଚର୍ଯ୍ୟ ହୋଇଗଲେ । ସେ ଆଶଙ୍କା କଲେ ହୁଏତ ତାଙ୍କର ସ୍ୱାମୀ ଅଫିସ୍ ପଇସା ଆତ୍ମସାତ୍‌ କରିଥିଲେ । ସ୍ତ୍ରୀ କହିଲେ । ତୁମେ କ’ଣ କହୁଛ ? ସତରେ ତୁମେ ଚୋରି କରିଥିଲ ? କ’ଣ ଚୋରି କରିଥିଲ କହିବଟି । ‘‘ପୁଅପିଲାମାନଙ୍କ କଥା ତୁମେ ସ୍ତ୍ରୀଲୋକମାନେ ଜାଣି ପାରିବ ନାହିଁ । ମୋ ବାପା ଗରିବ ଥିଲେ । କୁମ୍ଭାକୋନାମରେ ପାଠ ପଢ଼ିବାକୁ ମୋ ବାପା ମୋତେ ପଠାଇଥିଲେ । ଜଣେ ଧନୀ ଲୋକଙ୍କ ଘରେ ମୋର ଖାଇବା ଓ ରହିବାର ବ୍ୟବସ୍ଥା କରି ଦେଇଥିଲେ । ସେ ଭଦ୍ରଲୋକ ଖୁବ୍ ଭଲ ଥିଲେ । ଥରେ ମୁଁ ଆଉ ସମ୍ଭାଳି ପାରିଲି ନାହିଁ । ଅଫିସ୍ ଘରେ ଝୁଲୁଥିବା ତାଙ୍କ କୋଟ୍ ପକେଟରୁ ମୁଁ କିଛି ପଇସା ଚୋରାଇ ନେଇଥିଲି । ଦୁର୍ଭାଗ୍ୟକୁ ଚୋରିପାଇଁ ମୋତେ ସନ୍ଦେହ ନ କରି ତାଙ୍କ ଘରେ ଥିବା ଚାକର ପିଲାଟିକୁ ସନ୍ଦେହ କରି ଖୁବ୍ ମାଡ଼ ଦେବାପରେ ତାକୁ ଚାକିରିରୁ ବିଦା କରିଦେଲେ ।

 

ଜଳଖିଆ ଛୁଟିବେଳେ ମୋତେ ଭାରି ଭେକ ହୁଏ । ଫଳ ଓ ଅନ୍ୟାନ୍ୟ ଜିନିଷ କିଣି ଖାଇବାକୁ ମୁଁ ପଇସା ଚୋରି କରିଥାଏ । ସେହିଥର ମୁଁ ଭୟକରି ଗଲି ଓ ତା’ପରେ ଆଉ କେବେ ଚୋରି କରି ନାହିଁ । ଏ ପାପପାଇଁ ମୁଁ ବହୁ ଅନୁତାପ କରିଛି । ମୁଁ ଚୋରି କରି ନାହିଁ । ମୋତେ ମାରନ୍ତୁ ନାହିଁ ବୋଲି ପିଲାଟି କରୁଣଭାବେ କିପରି କହୁଥିଲା ସେ କଥା ଏବେବି ମୁଁ ଶୁଣି ପାରୁଛି ବୋଲି ରାମକ୍ରୀଷ୍ପ ଆୟାର ବର୍ଣ୍ଣନା କଲେ ।

 

ସାରଦାମ୍ବାଲ ଧୀରଭାବେ କହିଲେ ସୀତା ଦେବୀ ଯାହା କହିଛନ୍ତି ଏ ଦୁନିଆରେ ପ୍ରତ୍ୟେକ କିଛି ନା କିଛି ଦୋଷରେ ଦୋଷୀ । ତାହା ଅକ୍ଷରେ ଅକ୍ଷରେ ସତ ।

 

ଦେବୀଙ୍କ ଆଶୀର୍ବାଦ ବିନା କେହି ଭଲ ହୋଇ ପାରିବ ନାହିଁ ବୋଲି ଆୟାର କହିଲେ ।

 

ସାରଦାମ୍ବାଲ ପ୍ରାର୍ଥନା କରି କହିଲେ ଭଗବାନ ଆମ ପିଲାମାନଙ୍କୁ ଭଲ ସଚୋଟ ମଣିଷ କରି ଗଢ଼ନ୍ତୁ । ରାମକ୍ରୀଷ୍ଣ ଆୟାର କହିଲେ ନିଶ୍ଚୟ ଭଗବାନ ଆମ ପିଲାମାନଙ୍କୁ ଆଶୀର୍ବାଦ କରିବେ । ମୋର ସେହି ପାପମୋଚନ ନିମନ୍ତେ ମୁଁ ଗତ ତିରିଶବର୍ଷ ଧରି ପ୍ରାର୍ଥନା କରି ଆସୁଛି । ସେ ଆଜି ମୋ ପ୍ରାର୍ଥନା ଶୁଣିଲେ ।

Image

 

କ୍ଷୀର ସାଗର

 

ନାରଦ–ମହାଭାଗ, ଆପଣ କ’ଣ ଆଖି ଖୋଲି ଚାହିଁବେ ନାହିଁ ?

 

ନାରାୟଣ–ଖବର କ’ଣ ? ପୃଥିବୀରୁ ଏଠାକୁ ଏତେଦୂର ସନ୍ନ୍ୟାସୀଙ୍କର ଆସିବାର ଅଭିପ୍ରାୟ କ’ଣ ? ଆପଣଙ୍କ ଆଖିରେ ଏ ଅଶ୍ରୁ କାହିଁକି ?

 

ନାରଦ–ମହାଭାଗ; ମୁଁ ଆଉ ଅଧିକ ଦୁଃଖ ସହିବା ଅବସ୍ଥାରେ ନାହିଁ । ତୁମେ ଗଭୀର ନିଦ୍ରାମଗ୍ନ, ଏଣେ ପୃଥିବୀ ଧ୍ଵଂସ ହେବାକୁ ବସିଲାଣି ।

 

ନାରାୟଣ–ଏହାକିଛି ନୂଆ ନୁହେଁ । ଏଥିପାଇଁ ଆପଣ ଏତେ ବିବ୍ରତ କାହିଁକି ?

 

ନାରଦ–ଆପଣ କିପରି ଏହା କହିପାରୁଛନ୍ତି ? ଧର୍ମର ପତନ ଆସନ୍ନ । ଲୋଭ ଏବଂ ଅନ୍ୟାୟ ବୃଦ୍ଧି ପାଉଛି । ଆପଣଙ୍କୁ ସମସ୍ତେ ଭୁଲିଗଲେଣି । ‘କ୍ଷୀର ସାଗର’ ନାମ ଶୁଣି ସେମାନେ ହସୁଛନ୍ତି । ମୋ କଥାରେ ସେମାନଙ୍କର ଆଉ ଆସ୍ଥା ଆସୁନାହିଁ । ମୋର ବିନମ୍ର ନିବେଦନ ଆପଣ ଶଯ୍ୟା ତ୍ୟାଗ କରନ୍ତୁ ଏବଂ ସେମାନଙ୍କୁ ଦର୍ଶନ ଦିଅନ୍ତୁ ।

 

ନାରାୟଣ–ଆପଣଙ୍କ କଥା ମୋତେ ବିସ୍ମିତ କରୁଛି । ଆପଣ ଜାଣନ୍ତି ମୁଁ ଯଦି ଉଠିବି ତେବେ ସମସ୍ତ ଲୀଳା ଧ୍ଵଂସ ପାଇଯିବ । ମଣିଷମାନେ ମୋତେ ଯଦି ଭୁଲିଯିବେ ତେବେ କ’ଣ ମୁଁ ମୋର ସ୍ଥିତି ହରାଇବି ? ମଣିଷମାନେ ଯଦି ଧର୍ମାଚରଣ କରନ୍ତି ତେବେ ତାହା ଯଥେଷ୍ଟ ହେବ । ଆପଣ ସେମାନକୁ ଧର୍ମଶିକ୍ଷା ଦିଅନ୍ତୁ ।

 

ନାରଦ–ମୁଁ ସେମାନଙ୍କୁ ଧର୍ମ ଶିକ୍ଷା ଦେଉଛି । ଅନେକ ଏବେ ମଧ୍ୟ ଧର୍ମମାନି ଚଳୁଛନ୍ତି । ମାତ୍ର ଯଦି ଲୋକମାନେ ଆପଣଙ୍କୁ ସ୍ମରଣ ନ ରଖନ୍ତି ତେବେ ଆଉ କି ଧର୍ମ ବାକି ରହିଲା ? ପାରଦ ଛାଡ଼ି ଯାଇଥିବା ଦର୍ପଣର ପ୍ରୟୋଜନ କ’ଣ ? ତାହା କୌଣସି କାମକୁ ଆସେ ନାହିଁ । ଭଗବାନଙ୍କୁ ବାଦ୍‌ଦେଇ ଧର୍ମର ସ୍ଥିତି ଆଉ କେଉଁଠି ?

 

ନାରାୟଣ–ଗୌତମ ବୁଦ୍ଧଙ୍କୁ ଏଠାକୁ ଡକାଅ । ଏ ସମ୍ପର୍କରେ ତାକୁ ପଚାରିବ ?

 

ନାରଦ–ଏସବୁ ତାଙ୍କରି କାମ । ଆପଣଙ୍କ ଅସ୍ତିତ୍ଵ ସମ୍ପର୍କରେ, କିଛି କହିବା ବା ଚିନ୍ତା କରିବା ଦରକାର ନାହିଁ ବୋଲି ସେ ଲୋକମାନଙ୍କୁ ଶିକ୍ଷା ଦେଇଛନ୍ତି । ସେ ଲୋକମାନଙ୍କୁ ଖରାପ କରି ଦେଇଛନ୍ତି ।

 

ନାରାୟଣ–ସେତ ଅନେକ ଦିନର ତଳର କଥା । ସେ ଯାହା ଶିକ୍ଷାଦେଲେ ସେଥିପ୍ରତି ଗୁରୁତ୍ଵ ନ ଦେଇ ଲୋକମାନେ ତର୍କ ବିତର୍କ ଓ ଆଲୋଚନା ନେଇ ବ୍ୟସ୍ତ । ମୁଁ ଯେ ଅଛି ସେମାନେ କ’ଣ ତାହା ଦେଖି ପାରୁନାହାନ୍ତି ?

 

ନାରଦ–ସେମାନେ ସେମାନଙ୍କର ମନ ମାନିବା ପର୍ଯ୍ୟନ୍ତ ଯୁକ୍ତି କରୁଛନ୍ତି । ଗଛରୁ ମଞ୍ଜି ନା ମଞ୍ଜିରୁ ଗଛ ସମ୍ପର୍କୀୟ ତର୍କନେଇ ସେମାନେ ବ୍ୟସ୍ତ । ମାତ୍ର ସେମାନେ ଆପଣଙ୍କୁ ସମ୍ପୂର୍ଣ୍ଣ ଭୁଲି ଗଲେଣି ।

 

ନାରାୟଣ–ଆପଣଙ୍କ ପରି ଜଣେ ଜଣେ ମହାତ୍ମା ସେଠାରେ ଅଛନ୍ତି । ଦର୍ପଣରେ ପୁଣି ପାରଦ ବୋଳିବା ନିମନ୍ତେ ଆପଣ ସେମାନଙ୍କୁ କୁହନ୍ତୁନା ।

 

ନାରଦ–ମୋ କଥା କିଏ ଶୁଣିବ ? ମୋ ବୀଣା ତା’ର ସୁର ହରାଇଲାଣି ।

 

ନାରାୟଣ–ସେ କଥା କୁହନ୍ତୁ ନାହିଁ । ବୀଣାରେ, ପୁଣି ସୁର ଦିଅନ୍ତୁ ।

 

ନାରଦ–(ବୀଣା ବାଦନ କଲେ) ମୁଁ କେଡ଼େ ଖୁସି ମୁଁ ଆପଣଙ୍କ ପାଖରେ ଥିବାବେଳେ ଅନାୟାସରେ ସ୍ଵର ଝରି ଆସୁଛି । ଏହାହିଁ ଆପଣଙ୍କର ପ୍ରଭାବର ଫଳ । ମାତ୍ର ମୁଁ ଯେମିତି ପୃଥିବୀକୁ ଯାଉଛି ପୁଣି ଯେଉଁ କଥାକୁ ସେହି କଥା ।

 

ନାରାୟଣ–ନା ନା ସେମାନଙ୍କୁ ନାଚଗୀତ ମଧ୍ୟରେ ଶିକ୍ଷା ଦିଅନ୍ତୁ । ସେମାନଙ୍କୁ ସେମାନଙ୍କର ବାସନା ସୀମିତ କରିବାକୁ ପରାମର୍ଶ ଦିଅନ୍ତୁ । ତାହାହେଲେ ପରଦା ଉଠିଯିବ ଏବଂ ଲୋକମାନେ ମୋର ସତ୍ତା ଅନୁଭବ କରିବେ ।

 

ନାରଦ–ହେ ପ୍ରଭୁ ! ସେମାନେ କିଛି ବୁଝିବେ ନାହିଁ । ସେମାନଙ୍କର ମୁଣ୍ଡ ଖରାପ ହୋଇ ଗଲାଣି । ଆପଣ ଯଦି ଆଉଥରେ ଆପଣଙ୍କର ଶକ୍ତିର ପରାକାଷ୍ଠା ପ୍ରଦର୍ଶନ କରନ୍ତି ତେବେ ଯାଇ ସବୁ ଠିକ୍‌ଠାକ୍ ହୋଇପାରିବ ।

ନାରାୟଣ–ତେବେ କୁରୁକ୍ଷେତ୍ରରେ ଯାହା ହୋଇଥିଲା ତାହା ପୁନରାବୃତ୍ତି ଘଟୁ ବୋଲି କ’ଣ ଆପଣ ଚାହୁଁଛନ୍ତି ?

ନାରଦ–ନାରାୟଣ ମୋର ସେହିପରି ମନେ ହେଉଛି (ଏକ ବିସ୍ଫୋରଣର ଧ୍ୱନି) ଏକ ଶବ୍ଦ ଶୁଭୁଛି ? ଏଥିରେ ମୁଁ ଆତଙ୍କିତ ।

ନାରାୟଣ–ସ୍ମିତ ହସି ପ୍ରଶ୍ନକଲେ ଆପଣ ମଧ୍ୟ ଭୟଭୀତ ? ଏହାହିଁ କୁରୁକ୍ଷେତ୍ରର ଆରମ୍ଭ । କ’ଣ ଏ କଥା ଜାଣନ୍ତି ନାହିଁ ? ମୁଁ ଯଦି ଶଯ୍ୟା ଛାଡ଼ି ଉଠେ ଏହିପରି କିଛି ଘଟିବ । ଏ କଥା କ’ଣ ଅନୁମାନ କରି ପାରୁନାହାନ୍ତି ?

ନାରଦ–ଉଠିବା ପ୍ରୟୋଜନ ନାହିଁ । ଆପଣ ବରଂ ବିଶ୍ରାମ କରନ୍ତୁ । ମୁଁ ଗୀତ ଗାଇ ପରୀକ୍ଷା କରି ଦେଖିବି ଫଳାଫଳ କ’ଣ ହେଉଛି ।

ନାରାୟଣ–ସାରା ପୃଥିବୀ ମୋତେ ଭୁଲିଗଲାଣି ବୋଲି ଆପଣ କହୁଛନ୍ତି । ‘ଭାରତ’ ସମ୍ପର୍କରେ ମଧ୍ୟ ଏହା କ’ଣ ପ୍ରଜୁଯ୍ୟ ?

ନାରଦ–କ’ଣ କହିବି ଲଜ୍ଜାର କଥା । ସେଠାରେ ମଧ୍ୟ ଅବସ୍ଥା ଅନୁରୂପ ।

ନାରାୟଣ–ମୁଁ ମୋହନ ଦାସକୁ ଭାରତକୁ ପଠାଇଥିଲି । ସେ କ’ଣ ସେଠାରେ କିଛି କଲା ନାହିଁ ?

ନାରଦ–ସେ ଅନେକ କିଛି କରିଛି । ମାତ୍ର ସେ ସେଠାରୁ ଯେମିତି ପିଠି ବୁଲାଇଛି ଯାହାଥିଲା ପୁଣି ସେୟା ଚାଲିଲା । ଲୋକମାନେ ତାଙ୍କୁ ମଧ୍ୟ ଭୁଲିଗଲେଣି । ଟଙ୍କାପାଇଁ ସେମାନେ ପାଗଳ ।

 

ନାରାୟଣ–ମାତ୍ର ଗତ କାଲି ସେ ସେମାନଙ୍କୁ ସବୁକଥା ବୁଝାଇଥିଲା । ସେମାନେ କ’ଣ ଏତେ ଶୀଘ୍ର ସବୁ ଭୁଲିଗଲେ ।

 

ନାରଦ–ମହାଭାଗ, ସେମାନେ ସବୁ କିଛି ଭୁଲିଗଲେ ।

 

ନାରାୟଣ–କଷ୍ଟ ଭୋଗ କଲେ କେବଳ ସେମାନେ ଯାହା ଶିକ୍ଷା ଲାଭ କରି ପାରିବେ । ନୁହେଁ ?

 

ନାରଦ–ଅନ୍ୟ ପନ୍ଥା ଆଉ କ’ଣ ଅଛି ? ଏ ସରଳ ଲୋକମାନେ କ’ଣ କଷ୍ଟ ସହି ପାରିବେ ?

 

ନାରାୟଣ–କଷ୍ଟ ସହି ପାରିବାର ଶକ୍ତି ମୁଁ ସେମାନଙ୍କୁ ପ୍ରଦାନ କରିବି । ଆପଣ ଏକଥା ଜାଣନ୍ତି । ଏହାହିଁ ମୋର ଲୀଳା, ମୁଁ ଯଦି ସେମାନଙ୍କୁ କଷ୍ଟ ସହିବାର ଶକ୍ତି ନ ଦିଏ ତେବେ ମୋ ଦେବୀ ମୋତେ ଶାନ୍ତି ଦେବ ନାହିଁ ।

 

ନାରଦ–ଏହା ଆପଣଙ୍କର ଲୀଳା । ମାତ୍ର ସାଧାରଣ ଲୋକ ନିମନ୍ତେ ଏହା ଜୀବନସଂଗ୍ରାମ ।

 

ନାରାୟଣ–ଜୀବନସଂଗ୍ରାମ ? କେଉଁ ଜୀବନରେ ? ମୁଁ କ’ଣ ସେହି ଜୀବନ ନୁହେଁ ? ଆପଣ ତାଙ୍କୁ ନିରୀକ୍ଷଣ କରନ୍ତୁ, ତାଙ୍କୁ ଟିକିଏ କୁହନ୍ତୁ ତାଙ୍କ ମନ ମେଘାଚ୍ଛନ ପରି ମନେ ହୁଏ ।

 

ନାରଦ–ଦେବ । ମୁଁ ଆପଣଙ୍କ ନିକଟରେ ନତମସ୍ତକ ହେଉଛି । ଆପଣଙ୍କର ଦର୍ଶନ ମୋତେ ସଂଶୟ ମୁକ୍ତ କରିଛି ।

Image

 

ପୂଜାଘରର ଛବି

 

ପଟ୍ଟାଭିରମନ୍ ଶିକ୍ଷା ଶେଷ କରି ଜଣେ ଦ୍ଵିତୀୟ ଶ୍ରେଣୀ କିରାଣିଭାବେ ସରକାରୀ ଚାକିରିରେ ଯୋଗ ଦେଇ ଏକ ସୁଖୀ ଗୃହସ୍ଥ ଜୀବନଯାପନ କରୁଥିଲେ । ତାଙ୍କ ପରିବାର କହିଲେ ସେ, ତାଙ୍କ ସ୍ତ୍ରୀ ଏବଂ ତାଙ୍କ ମା'ଙ୍କୁ ବୁଝାଉଥିଲା । ପନ୍ଦରବର୍ଷ ବୟସରେ ସେ ତାଙ୍କ ବାପାଙ୍କୁ ହରାଇଥିଲେ । ଉତ୍ତର ଭାରତରେ ତାଙ୍କ ଭାଇ ଚାକିରି କରୁଥିଲେ । ସେ ତାଙ୍କ ପରିବାର ସହ ସେଠାରେ ରହୁଥିଲେ । ଭାଇ ସମସ୍ତ ଖର୍ଚ୍ଚ ବହନ କରି ପଟ୍ଟାଭିରମନ୍‍ଙ୍କୁ ପାଠ ପଢ଼ାଇଥିଲେ । ଯେଉଁଦିନ ତାଙ୍କ ପାଠ ପଢ଼ା ଶେଷ ହୋଇ ଯାଇଥିଲା ଭାଇ ତାଙ୍କୁ କହିଥିଲେ ଏଣିକି ତୁ ତୋ କଥା ନିଜେ ବୁଝିବୁ । ତା’ପରେ ସେ ତାକୁ ନିଜ ଘରକୁ ପଠାଇ ଦେଇଥିଲେ । ମା’ଙ୍କ ଇଚ୍ଛା ବଡ଼ପୁଅ ପାଖରେ ରହିବାକୁ ମାତ୍ର ଘରଠାରୁ ଏତେଦୂରରେ ରହିବାକୁ ସେ ଚାହିଁଲେ ନାହିଁ । ସେ ଆସି ମାଡ଼୍ରାସରେ ପଟ୍ଟାଭିରମନ୍ ସାଙ୍ଗେ ରହିଲେ ।

 

ପଟ୍ଟାଭିରମନ୍ ଗୋଟିଏ ପିଲାର ବାପା ହେଲେ । ତାଙ୍କର ପରିବାରର ଆନନ୍ଦ ଦ୍ୱିଗୁଣିତ ହୋଇ ଉଠିଲା । ବୁଢ଼ୀମାଙ୍କର ମନେହେଲା ସତେ ଯେପରି ତାଙ୍କର ଜୀବନରେ ସେ ପୂର୍ଣ୍ଣତା ଲାଭ କରିଛନ୍ତି । ତାଙ୍କ ଆନନ୍ଦ କହିଲେ ନ ସରେ । ନାତି ହେବାପରେ ବୋହୂ ପ୍ରତି ତାଙ୍କର ସ୍ନେହ ଆହୁରି ବୃଦ୍ଧି ପାଇଲା । କୃତଜ୍ଞତାର ନିଦର୍ଶନସ୍ୱରୂପ ବୋହୂ ମଧ୍ୟ ଶାଶୁଙ୍କର ଅଧିକ ଆଦର ଯତ୍ନ କଲା । ସେହି କାରଣରୁ ପଟ୍ଟାଭିରମନ୍ ଅଧିକ ଆନନ୍ଦ ଅନୁଭବ କଲେ ।

 

ଏହି ସୁଖ ସମୃଦ୍ଧି ମଧ୍ୟରେ କିନ୍ତୁ ଘର ଖର୍ଚ୍ଚ ବଢ଼ିବାକୁ ଲାଗିଲା । ଦୁଧ କିଣା, ଅନ୍ୟାନ୍ୟ ଘର କାମ ଲାଗି ପଟ୍ଟାଭିରମନ୍‍ଙ୍କୁ ବାଧ୍ୟ ହୋଇ ଖର୍ଚ୍ଚ କରିବାକୁ ପଡ଼ୁଥିଲା । ତାଙ୍କର ଦରମା ସବୁ ଖର୍ଚ୍ଚ ତୁଲାଇବା ପାଇଁ ଯଥେଷ୍ଟ ନଥିଲା । ନିକଟ ଭବିଷ୍ୟତରେ ତାଙ୍କର ଦରମା ବୃଦ୍ଧିର ସମ୍ଭାବନା ମଧ୍ୟ ନଥିଲା ।

 

ଏଥିପାଇଁ ସେ ବିଶେଷ ଚିନ୍ତିତ ହୋଇ ପଡ଼ିଥିଲେ । ପୂର୍ବପରି ସେ ସ୍ତ୍ରୀଙ୍କ ସଙ୍ଗେ ହସଖୁସି ଓ ଆଳାପ ଆଲୋଚନା କରୁ ନଥିଲେ । ଏହା ଦେଖି ପାର୍ବତୀ ଭାବିଲେ ସ୍ଵାମୀ ତାଙ୍କ ପ୍ରତି ଉଦାସୀନ ହୋଇ ପଡ଼ୁଛନ୍ତି । ମନର ଭାବକୁ ସେ ପ୍ରକାଶ କଲେ ନାହିଁ । ମନେମନେ କହିଲେ ମୁଁ ତାହାହେଲେ କ’ଣ ଗୋଟିଏ ପିଲା ଜନ୍ମ କରି ବୁଢ଼ୀ ହୋଇଗଲି । ତେବେ ସେ ଗୋଟିଏ ସୁନ୍ଦରୀ ସ୍ତ୍ରୀ ଚାହାନ୍ତି । ସ୍ୱାମୀଙ୍କର ଉଦାସୀନତା ଭୁଲିଯିବା ଲାଗି ସେ ଶିଶୁଟି ପ୍ରତି ତାଙ୍କର ସମସ୍ତ ସ୍ନେହ ମମତା ଢାଳି ଦେଇ ଆପଣାକୁ ଆପେ ସାନ୍ତ୍ୱନା ଦେବାକୁ ଚେଷ୍ଟା କରୁଥିଲେ ?

 

ପାରିବାରିକ ଖର୍ଚ୍ଚ କେତେ ହେଉଛି ଓ ସ୍ୱାମୀ ତାଙ୍କର କେତେ ଦରମା ପାଉଛନ୍ତି ସେ ସମ୍ପର୍କରେ ପାର୍ବତୀ ସଚେତନ ନଥିଲେ । ସେ ସ୍କୁଲ୍ ମାଡ଼ି ନଥିଲେ । ସେ ଏକ ପୁରୁଣାକାଳିଆ ପରିବାରର ଝିଅ ଥିଲେ । ସେ ଦେଖିବାକୁ ଖୁବ୍ ସୁନ୍ଦରୀ ଏବଂ ଆଚରଣ ତାଙ୍କର ଅତିମାତ୍ରାରେ ଭଦ୍ରୋଚିତ ଥିଲା । ମାତ୍ର ତାଙ୍କର ଶିକ୍ଷା ପ୍ରତି ଏକାନ୍ତ ଅବହେଳା କରାଯାଇଥିଲା ।

 

ଦ୍ଵିତୀୟ ପିଲା ଜନ୍ମ ହେହାର ସମୟ ହୋଇଗଲା । ପାର୍ବତୀର ସ୍ଵାସ୍ଥ୍ୟ ଖରାପ ଆଡ଼କୁ ଗତି କଲା । ଅର୍ଥାଭାବ ହେତୁ ଜଣେ ବିଶେଷଜ୍ଞ ଡାକ୍ତରଙ୍କ ସହିତ ପରାମର୍ଶ କରିବା ସମ୍ଭବ ହେଲା ନାହିଁ । ଯାହା ହେବାର ହେବ ସବୁ ଭଗବାନଙ୍କର ହାତର କଥା । ମଣିଷ କ’ଣ କରିପାରେ ? ସେହିପରି ମନକୁ ମନ ସାନ୍ତ୍ୱନା ଦେଇ ପଟ୍ଟାଭିରମନ ସ୍ତ୍ରୀଙ୍କର ଚିକିତ୍ସାର କୌଣସି ବ୍ୟବସ୍ଥା କରି ନଥିଲେ । ବୋହୂର ଦେଖାଶୁଣା ନିମନ୍ତେ ବୁଢ଼ୀମାର ମୋଟେ ଅବସର ନଥିଲା । ନାତିର ଦେଖାଶୁଣା କରିବାରେ ବୁଢ଼ୀର ସବୁ ସମୟ ବିତୁଥିଲା ।

 

ଦ୍ୱିତୀୟ ପ୍ରସବ କଷ୍ଟରେ ହୋଇଥିଲା । ଜନ୍ମ ହେବାର ତିନି ଦିନ ପରେ ପିଲାଟି ମରି ଯାଇଥିଲା । ଆଉ ପାର୍ବତୀ ବଡ଼ ଧରଣର ଏକ ଜ୍ଵରରେ ଆକ୍ରାନ୍ତ ହୋଇ ପଡ଼ିଥିଲେ । ଦୀର୍ଘ କୋଡ଼ିଏ ଦିନ ଜ୍ଵର ଭୋଗିବା ପରେ ଠିକ୍ ଏକୋଇଶ ଦିନରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ପଟ୍ଟାଭିରମନଙ୍କ ଜୀବନ ଛାରଖାର ହୋଇଯାଇଥିଲା । ମା’ ଓ ଭାଇକୁ ସାନ୍ତ୍ୱନା ଦେବା ନିମନ୍ତେ ବଡ଼ଭାଇ ଆସି ସେମାନଙ୍କ ପାଖରେ ମାସେ କାଳ ରହିଲେ । ମା’ ଚାପରେ ବଡ଼ ଭଇ ସାନ ଭାଇକୁ ଆଉଥରେ ବିବାହ କରାଇବା ଲାଗି ଚିନ୍ତା କଲେ । ବିବାହ ବୟସ ଅତିକ୍ରମ କରିଯାଇଥିବା ସୀତାଲକ୍ଷ୍ମୀ ନାମରେ ତାଙ୍କର ସ୍ତ୍ରୀଙ୍କର ଗୋଟିଏ ଭଉଣୀ ଥିଲା । ଏପର୍ଯ୍ୟନ୍ତ ତାଙ୍କ ନିମନ୍ତେ ଉପଯୁକ୍ତ ପାତ୍ର ମିଳି ନଥିଲେ । ପଟ୍ଟାଭିରମନଙ୍କ ପାଇଁ ଏ ଯଥାଯୋଗ୍ୟ ପାତ୍ରୀ ହେବେ ବୋଲି ତାଙ୍କର ସ୍ତ୍ରୀ କହିଲେ ।

 

ବେଶ୍ କିଛିଦିନ ପରେ ନିରାଡ଼ମ୍ବର ଭାବରେ ତିରୁପତିଠାରେ ଦ୍ଵିତୀୟ ବିବାହ ସମାପନ ହେଲା । ସେତେବେଳକୁ ପାର୍ବତୀର ପୁଅ ଗୋପାଳକୁ ତିନିବର୍ଷ । ସୀତାଲକ୍ଷ୍ମୀ ବେଶ୍ ଚାଲାକ ଚତୁର ଥିଲା । ସେ ନୂଆଘରେ ପହଞ୍ଚି ତା’ର ସ୍ଵାମୀ ତାଙ୍କର ପ୍ରଥମ ସ୍ତ୍ରୀଙ୍କ ସହିତ ବେଶ୍ ଖୁସିବାସିରେ ଥିଲେ ବୋଲି ଅନୁମାନ କରି ପାରିଲା । ସାବତ ମା’ଠାରୁ ତାକୁ ଯେ ଆହୁରି ଅଧିକ ହେବାକୁ ପଡ଼ିବ ସେ ସେ କଥା ବୁଝିଥିଲେ । ସେ ଅତି ସାବଧାନ ହୋଇ ଚଳୁଥିଲା । ସ୍ଵାମୀ ଓ ଶାଶୁଙ୍କୁ ସେ ସମାନଭାବେ ଦେଖୁଥିଲା । କୌଣସି କାରଣରୁ ସେମାନଙ୍କ ମନରେ ଯେପରି ଆଘାତ ନ ଲାଗେ ସେଥିପାଇଁ ସର୍ବଦା ସତର୍କ ରହୁଥିଲା ।

 

ସେତ ଶିକ୍ଷିତା ଥିଲା । ତା’ ବ୍ୟତୀତ ତା’ର ସ୍ଥାନ କାଳ ବିଚାର ବୁଦ୍ଧି ଅତି ପ୍ରଖର ଥିଲା ।

 

ଦିନେ ପଟ୍ଟାଭିରମନକୁ ତା’ର ମା’ କହିଲେ, ତୁ ବେଶ୍ ଗୁଣର ସ୍ତ୍ରୀଟିଏ ପାଇଛୁ । ଗତକଥା ଆଉ ଭାବ ନାହିଁ । ମା’ଛେଉଣ୍ଡ ପିଲାଟାକୁ ସେ ତା’ ନିଜ ମା’ଠାରୁ ଅଧିକ ଯତ୍ନ କରୁଛି । ତୁ ସତରେ ଭାରି ଭାଗ୍ୟବାନ । ମା’ କଥାରେ ପୁଅ ସମ୍ମତି ଜଣାଇଥିଲେ ।

 

ମାତ୍ର ତାଙ୍କ ଘରଖର୍ଚ୍ଚ ଯେପରି ବଢ଼ି ବଢ଼ି ଚାଲିଥିଲା, ସେ ନେଇ ସେ ବିଶେଷ ବିବ୍ରତ ହୋଇ ପଡ଼ିଥିଲେ । ଏହି ଚିନ୍ତା ତାଙ୍କୁ ଏପରି ଘାରିଥିଲା ଯେ ତାହା ତାଙ୍କ ମୁହଁରୁ ଜଣା ପଡ଼ୁଥିଲା । ପୁଅ ଅତିମାତ୍ରାରେ ପ୍ରଥମ ସ୍ତ୍ରୀ କଥା ଭାବୁଛି ବୋଲି ମା’ ମନେମନେ ଭାବୁଥିଲେ ଓ ପୁଅର ମନ ବଦଳାଇବାକୁ ସେ ତା’ ସଙ୍ଗେ ବେଦ ବେଦାନ୍ତ ଆଲୋଚନା କରୁଥିଲେ । ସେ ପୁଅକୁ ବୁଝାଉଥିଲେ, କୌଣସି ସ୍ତ୍ରୀ କେବେ ଅନ୍ୟ ସ୍ତ୍ରୀପରି ହୋଇ ନ ପାରେ । ସେମାନଙ୍କ ମଧ୍ୟରେ ଫରକ ନିଶ୍ଚୟ ରହିବ । ତୋତେ ଯେଉଁ ସ୍ତ୍ରୀ ମିଳିଛି ତାକୁ ନେଇ ତୋତେ ସୁଖରେ ରହିବାକୁ ପଡ଼ିବ-

 

ପଟ୍ଟାଭିରମଣ ବିରକ୍ତ ହୋଇ କାହିଁକି ଗୋଟାଏ ଏମିତି ବାଜେ କଥା କହୁଛୁ କହି ତାଙ୍କ ପାଖରୁ ଅନ୍ୟଆଡ଼େ ଚାଲିଯାଏ ।

 

ପଟ୍ଟାଭିରମଣଙ୍କର ଜଣେ ଅତି ଅନ୍ତରଙ୍ଗ ବନ୍ଧୁ ଥିଲା । ତାଙ୍କ ନାଁ ମାସିଲାମନି ମୁଦାଲିଅର । ହୃଦ୍‌ଯନ୍ତ୍ରକ୍ରିୟା ବନ୍ଦ ହୋଇଯିବା ହେତୁ ହଠାତ୍ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏଥିରେ ତାଙ୍କ ସ୍ତ୍ରୀ ଓ ବୃଦ୍ଧମାତା ଅତିମାତ୍ରାରେ ଶୋକାଭିଭୂତ ହୋଇ ପଡ଼ିଥିଲେ । ପଟ୍ଟାଭିରମଣ ସେମାନଙ୍କର ଦୁଃଖରେ ସମଭାଗୀ ହୋଇଥିଲେ ।

 

“ଭାଗ୍ୟର ଗତି ଅତି ବିଚିତ୍ର ?” ମାସିଲାମନି ମୁଦାଲିଅର ଯେଉଁ ପଦବୀରେ ଥିଲେ ସେହି ପଦକୁ ପଟ୍ଟାଭିରମଣ ଉନ୍ନୀତ ହେଲେ । ଏହାଦ୍ଵାରା ତାଙ୍କର ଦରମା ତିରିଶ ଟଙ୍କା ବଢ଼ିଗଲା-। ବର୍ଦ୍ଧିତ ହାରରେ ଦରମା ମିଳିବା ପରି ପଦାଧିକାରୀ ହେଲେ । ବନ୍ଧୁଙ୍କୁ ଦୁଃଖର ସହ ସ୍ମରଣ କରି ପଟ୍ଟାଭିରମଣ କହେ ଆହା କି ବିଚିତ୍ର ଏ ଦୁନିଆ । ଜଣଙ୍କର ଯାହା ଦୁଃଖ ଅନ୍ୟ ଜଣଙ୍କର ତାହା ସୁଖର କାରଣ ହୋଇଥାଏ । ଏ ସବୁ ସତ୍ତ୍ୱେବି ସେ ଭଗବାନଙ୍କ ନିକଟରେ କୃତଜ୍ଞତା ଜଣାଇଲେ କାରଣ ଏଣିକି ଘର ଖର୍ଚ୍ଚ ନେଇ ତାଙ୍କୁ ଆଉ ବିଶେଷ ଚିନ୍ତା କରିବାକୁ ପଡ଼ିବ ନାହିଁ ।

 

ସବୁ କାମଦାମ ସାରି ହାତରେ ଉପନ୍ୟାସ ଖଣ୍ଡେ ଧରି ସୀତାଲକ୍ଷ୍ମୀକୁ ପଢ଼ୁଥିବା ଦେଖି ପଟ୍ଟାଭିରମଣର ମା’ ସୀତାଲକ୍ଷ୍ମୀକୁ ଚାହିଁ ବିରକ୍ତ ହୋଇ କହିଲେ ଗୋପାଳନ ଭୋକରେ ଆଉଟୁପାଉଟୁ ହୋଇ ଖାଇବାକୁ କାନ୍ଦୁଛି ତୁ ଏଠି ଆରାମରେ ବସି ବହିପଢ଼ୁଛୁ । ନୁହେଁ ?

 

ଏକଥା ଶୁଣି ସୀତାଲକ୍ଷ୍ମୀ ବହି ରଖିଦେଲା ଓ ଗୋପାଳନକୁ ଧରି ପୂଜାଘରକୁ ଲାଗିଥିବା ରୋଷଘରକୁ ନେଇଗଲା । ପୂଜାଘର କାନ୍ଥରେ ଶ୍ରୀରାମଚନ୍ଦ୍ରଙ୍କର ଗୋଟିଏ ଛବି ଝୁଲୁଥାଏ । ସେହିବାଟରେ ଯିବାବେଳେ ଗୋପାଳ କହିଲା ଏଟା ମା’ର ଛବି । ଏମିତି କହିବାକୁ ତା’ ବୁଢ଼ୀମା ତାକୁ ଶିଖାଇଥିଲେ ।

 

ପିଲାକୁ ରୋଷଘରକୁ ନେବାବେଳେ ସୀତାଲକ୍ଷ୍ମୀ କହିଲା, ହଁ ତୁ ଠିକ୍ କହୁଛୁ ?

 

ଗୋପାଳ ତାକୁ ପୁଣି ପଚାରିଲା ତୁ କ’ଣ ମୋ ମା’ ନୁହେଁ ?

 

ସୀତାଲକ୍ଷ୍ମୀ କହିଲା ହଁ ନିଶ୍ଚୟ ମୁଁ ତୋର ମା’ ।

 

ଗୋପାଳନ ପୁଣି ପଚାରିଲା–ତାହାହେଲେ ସେ ମା’ କିଏ ?

 

ତୁ କ’ଣ ଏକଥା ଜାଣିନାହୁଁ । ସେପରା ମୋ ନିଜ ଭଉଣୀ । ମୋ ପାଖରେ ତୋତେ ଛାଡ଼ିଦେଇ ସେ ଭଗବାନଙ୍କ ନିକଟକୁ ଚାଲିଯାଇଚି ।

 

ସେ କାହିଁକି ଚାଲିଗଲା ?

 

ଭଗବାନ ତାକୁ ଡାକିବାରୁ ସିଏ ଗଲା । ଭଗବାନଙ୍କର କଥା କିଏ ଅମାନ୍ୟ କରିପାରେ-? ଆ ଖାଇବୁ ଆ, କହି ସୀତାଲକ୍ଷ୍ମୀ ଖାଇବାପ୍ରତି ଗୋପାଳନର ଦୃଷ୍ଟି ଆକର୍ଷଣ କରନ୍ତି-

 

ସୀତାଲକ୍ଷ୍ମୀ ଆସନ୍ନପ୍ରସବା । ବହୁ ଅନ୍ତଃସାର ଶୂନ୍ୟ ଆତଙ୍କରେ ସେ ଆତଙ୍କିତା । ସେ ଆପଣା ସ୍ଵାମୀର ପ୍ରେମରୁ ବଞ୍ଚିତ ବୋଲି ମନେମନେ ସନ୍ଦେହ କରି ଅସ୍ଥିର ହୋଇ ଉଠିଲେ । ଦର୍ପଣ ସମ୍ମୁଖରେ ଠିଆହୋଇ ସେ ନିଜକୁ ପ୍ରଥମ ସ୍ତ୍ରୀ ପାର୍ବତୀ ସହିତ ତୁଳନା କରିବାକୁ ଲାଗିଲା । ଉତ୍କଣ୍ଠା ଓ ଦୁଃଖ ଆପଣାର ଚେହେରାକୁ କିପରି ଗ୍ରାସ କରିଛି ତାହା ସେ ଦେଖିପାରିଲା । ଏହା ତାହାର ସ୍ଵାଭାବିକ ଚେହେରା ଭାବି ସେ ପାର୍ବତୀର ଶାନ୍ତ ସୁନ୍ଦର ମୁଖମଣ୍ଡଳ ଦେଖି ଈର୍ଷାନ୍ୱିତ ହୋଇ ଉଠିଲା । ପଟ୍ଟାଭିରମଣ ଏପର୍ଯ୍ୟନ୍ତ ତା’ର ମୃତ ସ୍ତ୍ରୀକୁ ଭୁଲିପାରି ନାହାନ୍ତି । ପୂଜାଘରେ ସେ ପାର୍ବତୀର ଛବି ଟାଙ୍ଗି ରଖି ତା’ ସ୍ମୃତି ପ୍ରତି ସମ୍ମାନ ପ୍ରଦର୍ଶନ କରୁଛନ୍ତି । ମୋ ପ୍ରତି ତାଙ୍କର ସାମାନ୍ୟ ମମତା ନାହିଁ । ସତରେ ମୁଁ କେଡ଼େ ହତଭାଗିନୀ । ସବୁବେଳେ ଏଇଚିନ୍ତା ତାକୁ ଘାରୁଥିଲା ।

 

ସୀତାଲକ୍ଷ୍ମୀର ପ୍ରସବ ଦିନ ପାଖେଇ ଆସୁଥିବା ଦେଖି ମା’ ପଟ୍ଟାଭିରମଣକୁ ସତର୍କ କରାଇଦେଇ କହିଲେ ତୋ ସ୍ତ୍ରୀର ବୟସ ଅଳ୍ପ । ତୁ ତା’ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କର । ପାର୍ବତୀର ଯାହାହେଲା ସେଥିରୁ ତୋର ଶିଖିବାର ଅଛି । ତୁ ଉଦାସୀନ ହୋଇ ରହିଯିବାଟା ଉଚିତ ହେବ ନାହିଁ ।

 

ପିଲା ଜନ୍ମ ହେବା ନିମନ୍ତେ ପଟ୍ଟାଭିରମଣ ଡାକ୍ତରଖାନାରେ ସବୁ ବ୍ୟବସ୍ଥା କରି ସାରିଥିଲା । “ତୁ ମୋଟେ ବ୍ୟସ୍ତ ହୁଅନାହିଁ । ମୁଁ ତା’ପାଇଁ ଡାକ୍ତରଖାନାରେ ସବୁ ବ୍ୟବସ୍ଥା କରିଛି ବୋଲି ପଟ୍ଟାଭିରମଣ ମା’କୁ କହିଲେ ।”

 

ଆଠଦିନ ପରେ ସୀତାଲକ୍ଷ୍ମୀର ଗୋଟିଏ ସୁନ୍ଦରୀ ଝିଅ ଜନ୍ମ ହେଲା । ବୁଢ଼ୀମା ନାତିକୁ ଚାପିଧରି ତା’ଗାଲରେ ଚୁମା ଦେଇ ଖୁସିରେ ପାଟିକରି କହିଲା, “ତୋର ଏବେ ଗୋଟିଏ ଭଉଣୀ ହେଲା ।”

 

କୌତୂହଳ ହୋଇ ଗୋପାଳନ ଖୁସିରେ ନାଚି ଉଠି କହିଲା, “ମୁଁ ଟିକିଏ ଦେଖିବି । ତାକୁ ମୋତେ ଦେଖା ।”

 

‘ଆଜି ନୁହେଁ, ଦୁଇଦିନ ପରେ ତୁ ତାକୁ ଦେଖିବୁ ।’

 

ବୁଢ଼ୀମା ତା’ କଥାରଖି ତୃତୀୟ ଦିନ ଗୋପାଳନକୁ ଡାକ୍ତରଖାନା ନେଇ ଯାଇଥିଲା । ପିଲାଟିକୁ ବିସ୍ମିତ ହୋଇ ଚାହିଁ ଗୋପାଳନ କହିଲା କେଡ଼େ ବଢ଼ିଆ ପିଲାଟାଏ ହୋଇଛି । ମୁଁ ତାକୁ ଟିକେ ଚୁମା ଦେବି ?

 

ଡାକ୍ତରଖାନାରୁ ଘରକୁ ଫେରିବାର ଦିନକ ପରେ ସୀତାଲକ୍ଷ୍ମୀ ଦର୍ପଣକୁ ଚାହିଁଲା । ସେ ବେଶ୍ ସତେଜ ଦିଶୁଥିଲା ।

 

ମନକୁ ମନ ସେ କହିଲେ ମୁଁ ମଧ୍ୟ ଦେଖିବାକୁ ବେଶ୍ ସୁନ୍ଦରୀ । ସାରା ଦୁନିଆ ତାକୁ ଅଧିକ ସୁନ୍ଦର ଓ ସତେଜ ମନେ ହେଉଥିଲା । ବେଶ୍ ସୁନ୍ଦର ପିଲାଟାଏ ତା’ର ଜନ୍ମ ହୋଇଛି । ତା’ ବ୍ୟତୀତ ସ୍ତ୍ରୀ ଯେଉଁଦିନ ଡାକ୍ତରଖାନାରୁ ଘରକୁ ଫେରିଲା ସେଦିନ ପଟ୍ଟାଭିରମଣ ତତ୍ତ୍ଵାବଧାରକରୂପେ ପ୍ରମୋସନ୍ ପାଇଥିବା ଶୁଭ ସମ୍ବାଦ ମଧ୍ୟ ପାଇଥିଲା ।

 

ବୁଢ଼ୀମା କହିଲା ନୂଆପିଲାଟି ତୋର ସୌଭାଗ୍ୟ ଆଣି ଦେଇଛି । ସେ ଯଥାର୍ଥରେ ଭାଗ୍ୟଲକ୍ଷ୍ମୀ । ତୁ ତା’ ନାଁ ଭାଗ୍ୟଲକ୍ଷ୍ମୀ ରଖ ।

 

ପଟ୍ଟାଭିରମଣ ପରିହାସ କରି କହିଲା ହଁ ମା’ ତା’ ନାଁ ଭାଗ୍ୟଲକ୍ଷ୍ମୀ ଦେବା ମୋର ଟିକିଏ ହେଲେ ଆପତ୍ତି ନାହିଁ । ମାତ୍ର ଅଫିସ୍‍ରେ ମୋର ଭଲ କାମ ଲାଗି ମୋତେ ପ୍ରମୋସନ୍ ମିଳିଲା ଏ କଥା ତୁ କ’ଣ ବିଶ୍ଵାସ କରୁନାହୁଁ ? ସେ ନିଜର ସ୍ତ୍ରୀଙ୍କ ଆଡ଼କୁ ଚାହିଁ ମୁରୁକି ହସିଲା । ଶାଶୁଙ୍କ କଥା ଶୁଣି ବୋହୂର ମୁଖମଣ୍ଡଳ ମଧ୍ୟ ଉଜ୍ଜ୍ୱଳ ହୋଇ ଉଠିଲା । ଶାଶୁଙ୍କ କଥାରେ ସେ ସମ୍ମତି ଜଣାଇଥିଲା-

 

ତା’ ପରଦିନ ସୀତାଲକ୍ଷ୍ମୀ ନବଜାତକ ସହ ଫଟୋ ଉଠାଇବା ନିମନ୍ତେ ପଟ୍ଟାଭିରମଣ ବ୍ୟବସ୍ଥା କରିଥିଲେ । ସେ, ତାଙ୍କର ମା’ ଓ ଗୋପାଳ ମଧ୍ୟ ସ୍ଵତନ୍ତ୍ରଭାବେ ଫଟୋ ଉଠାଇଥିଲେ । ଦୁଇ ସ୍ତ୍ରୀଙ୍କର ଫଟୋ ଘର କାନ୍ଥରେ ଝୁଲିଲା । ପୂର୍ବପରି ପୂଜାଘର କାନ୍ଥରେ ପାର୍ବତୀର ଫଟୋ ରହିଲା । ପ୍ରତିଦିନ ସୀତାଲକ୍ଷ୍ମୀ ପାର୍ବତୀର ଫଟୋ ଉପରେ ଗୋଟିଏ ଫୁଲମାଳ ଦେଇ ପ୍ରଣତି ଜଣାଏ ଏବଂ ଗୋପାଳନକୁ କହେ ତୋର ମା’ଙ୍କୁ ନମସ୍କାରକର ।

 

ଦିନେ ବୁଢ଼ୀମା ପଛ ଦିନର କଥା ମନେ ପକାଇ ପାର୍ବତୀ ଗୁଣର ଅନେକ ତାରିଫ କଲେ । ଏହା ଶୁଣି ସୀତାଲକ୍ଷ୍ମୀ ମୋଟେ କ୍ଷୁବ୍ଧ ହେଲା ନାହିଁ । କାରଣ ତା’ର ସମସ୍ତ ପ୍ରକାର ଭୟ ଓ ଈର୍ଷା ଉଭେଇଯାଇଥିଲା । ସେ ଦୁଇଟିଯାକ ପିଲାକୁ କୋଳରେ ଧରି ଖେଳାଉଥିଲା ।

 

ପଟ୍ଟାଭିରମଣ କହିଲା ମା’ ଯିଏ ମରିଯାଇଛି ତା’ର ପ୍ରଶଂସା କରି ଲାଭ ନାହିଁ । ଏହାଦ୍ଵାରା ଯିଏ ବଞ୍ଚି ରହିଛି ତା’ର ହିଂସା ହୁଏ । ବନବାସ କରି ଯିବାବେଳେ ରାମ ସୀତାଙ୍କୁ କିପରି ଉପଦେଶ ଦେଇଥିଲେ ତୁ କ’ଣ ଜାଣିନାହୁଁ ବୋଲି ପଟ୍ଟାଭିରମଣ ତା’ ମା’କୁ ପଚାରିଲେ ।

 

ସୀତାଲକ୍ଷ୍ମୀ ପଚାରିଲେ–‘କି ଉପଦେଶ ସେ ଦେଇଥିଲେ ?’

 

ଭରତ ସାମନାରେ ମୋର ପ୍ରଶଂସା କରିବ ନାହିଁ । ଯେଉଁମାନେ ଉନ୍ନତ ଅବସ୍ଥାରେ ଥାଆନ୍ତି ସେମାନେ ଅନ୍ୟର ପ୍ରଶଂସା ସହି ପାରନ୍ତି ନାହିଁ । ରାମ ସୀତାଙ୍କୁ ଠିକ୍ ଏହି କଥା କହିଥିଲେ ବୋଲି ରାମାୟଣରେ ବାଲ୍ମୀକି ଲେଖିଛନ୍ତି, ଉତ୍ତରରେ ପଟ୍ଟାଭିରମଣ କହିଲେ ।

 

ସୀତାଲକ୍ଷ୍ମୀ ମୁରୁକି ହସି କହିଲେ ତୁମେ ମୋତେ ଯାହା କହିଲ ତାହା ଯେପରି ଭୁଲ ରାମ ଭରତଙ୍କ ସମ୍ପର୍କରେ ଯାହା କହିଥିଲେ ତାହା ମଧ୍ୟ ସେହିପରି ଭୁଲ ।

 

ଏହାଶୁଣି ପଟ୍ଟାଭିରମଣର ମା’ କହିଲେ ନାହିଁ ମୋର ଏ ବୋହୂ ଭାରି ଭଲ, ଆରବୋହୂବି ଖୁବ୍ ଭଲଥିଲା । ଏଠାରେ ହିଂସାରାଗ କଥା କୋଉଠୁ ଆସୁଛି ?

 

ମାତ୍ର ମା’ଙ୍କ କଥାରେ ପଟ୍ଟାଭିରମଣ ଏକମତ ହେଲେ ନାହିଁ । ସେ ମୁଣ୍ଡ ହଲାଇଲେ । ଗମ୍ଭୀର ହୋଇ କହିଲେ ସେ ଯାହାହେଉ ପ୍ରତିକ୍ଷେତ୍ରରେ ସାବଧାନ ହେବା ବିଜ୍ଞତାର ପରିଚାୟକ ।

Image

 

ଗଛର ନିବେଦନ

 

କର୍ଣ୍ଣେଲ ରାୟ ଜନ୍‌ସନ୍ ଆଇ.ଏମ୍.ଏସ୍‌.ର ଜଣେ ସଦସ୍ୟ ଥିଲେ । ଭାରତୀୟ ମେଡ଼ିକାଲ ସର୍ଭିସ୍ ସଂକ୍ଷିପ୍ତରେ ଆଇ.ଏମ୍.ଏସ୍. ରୂପେ ଜଣା । ବ୍ରିଟିଶ ସମୟରେ ଆର୍ମିରେ ପ୍ରଥମେ ମେଡ଼ିକାଲ ଆର୍ମ ସୃଷ୍ଟି ହୋଇଥିଲା । କିନ୍ତୁ ପରେ ଏହା ଜିଲ୍ଲା ମେଡ଼ିକାଲ ଓ ସାନିଟାରି ଅଫିସରରୂପେ ସାରା ଭାରତରେ ଚଳି ଆସିଛି । ସେହି କର୍ମଚାରୀମାନଙ୍କ ମଧ୍ୟରୁ ଅନେକ ଅତି ଦକ୍ଷ ଏବଂ ଆପଣା ବୃତ୍ତି ପ୍ରତି ବିଶେଷଭାବେ ଆନୁଗତ୍ୟ ପ୍ରକାଶ କରୁଥିଲେ ।

 

କେତେକ କେବଳ ଆପଣାର ପଦବୀ ନିମନ୍ତେ ଗର୍ବ କରୁଥିଲେ । ମୁଁ ସାଲେମ୍‍ରେ ଥିବା ସମୟରେ ରାୟ ଜନ୍‍ସନ୍ ଜିଲ୍ଲା ମେଡ଼ିକାଲ ଅଫିସରରୂପେ ନିଯୁକ୍ତି ପାଇଥିଲେ । ସେ ଖୁବ୍ ମେଳାପି ଲୋକଥିଲେ । କିନ୍ତୁ ଡାକ୍ତର ହିସାବରେ ତାଙ୍କର ସେପରି ନାଁ ନଥିଲା ।

 

‘ଆଜି ସନ୍ଧ୍ୟାରେ ତାଙ୍କ ବନ୍ଧୁଗଛମାନଙ୍କୁ ଭେଟି ଫେରି ଆସିବାରେ ସେ ବିଳମ୍ବ କରି ଦେଲେଣି । ଶ୍ରୀମତୀ ଜନ୍‌ସନ୍ କହିଲେ ମୁଁ ନିଶ୍ଚିନ୍ତ ଯେକୌଣସି କାରଣରୁ ସେ ଅଟକି ଯାଇଛନ୍ତି । ଆପଣ ତାଙ୍କୁ ଅପେକ୍ଷା କରିବେ ନା ଚାଲିଯିବେ ? ସେ ଆସିଲେ ମୁଁ ତାଙ୍କୁ କହିଦେବି ନିର୍ଦ୍ଦିଷ୍ଟ ସମୟରେ ଆପଣ ଏଠାରେ ପହଞ୍ଚିଥିଲେ କିନ୍ତୁ ଅନ୍ୟ କାମ ଥିବାହେତୁ ଅପେକ୍ଷା କରି ପାରିଲେ ନାହିଁ । ମୁଁ କହିଲି ଧନ୍ୟବାଦ । ତାଙ୍କୁ ଆଉ ଅପେକ୍ଷା କରି ହେବ ନାହିଁ । କହିଦେବେ । ତାଙ୍କର ପ୍ରମୋସନ୍ ସମ୍ବାଦ ଶୁଣି କେବଳ ଆପଣ ଦୁହିଁଙ୍କୁ ଅଭିନନ୍ଦନ ଜଣାଇବାକୁ ଆସିଥିଲି । ସେ ପ୍ରମୋସନ୍ ପାଇଛନ୍ତି ଶୁଣି ମୁଁ ବହୁତ ଖୁସି । ହଁ ଏ ସଦ୍ଦିଚ୍ଛାପାଇଁ ଆପଣଙ୍କୁ ଧନ୍ୟବାଦ, ଏହା ଗତାନୁଗତିକ କଥା ।

 

ସମୟ ହେଲେ ଛାଏଁ ଛାଏଁ ଲେଫ୍‌ଟନାଣ୍ଟ୍ କର୍ଣ୍ଣେଲ କର୍ଣ୍ଣେଲ ହୁଅନ୍ତି । ଏଥିରେ ବିଶେଷତ୍ଵ କିଛି ନାହିଁ ।

 

ସାନ୍ଧ୍ୟ ଭ୍ରମଣରେ ଯିବାବେଳେ ରାସ୍ତା କଡ଼ର ଗଛମାନଙ୍କ ସଙ୍ଗେ ଆଳାପ କରିବା ଥିଲା ଡାକ୍ତରଙ୍କର ଅଭ୍ୟାସ । ବେଳେବେଳେ ସେ ଗଛମାନଙ୍କ ଉପରେ ଆଉଜି ପଡ଼ନ୍ତି । ଗଛକୁ ଚୁମ୍ବନ କରନ୍ତି ଏବଂ ଫୁସ୍‍ଫୁସ୍ କରି ସେମାନଙ୍କ ସଙ୍ଗେ କଥା ହୁଅନ୍ତି । ଏହା ଅଦ୍ଭୁତ ଲାଗୁଥିଲେହେଁ ଦର୍ଶକମାନେ ବେଶ୍ ଉପଭୋଗ କରୁଥିଲେ । ଗଛମାନଙ୍କୁ ସେ ଯେ ଏପରି ପ୍ରେମ କରୁଛନ୍ତି ଏବଂ ସେ କଥା ଅନ୍ୟମାନେ ଯେ ଦେଖୁଛନ୍ତି ତାହା ତାଙ୍କୁ କେହି ଜଣାଇ ଦେବାକୁ ଚାହୁଁ ନଥିଲେ । ସାମାନ୍ୟ ଦୂରରେ ଠିଆ ହୋଇ ଯଦି କେହି ଏ ଦୃଶ୍ୟ ନିରୀକ୍ଷଣ କରୁଥାଆନ୍ତି ତେବେ ବିଭ୍ରାନ୍ତିକର ଦୁନିଆରେ ଏହା କେତେ ସୁଖକର ଅନୁଭୂତି ତାହା ସହଜରେ ଉପଲବ୍ଧି କରି ହେବ ହୁଏତ । ପରେ ଜାଣିଲି ସେ ଦିନ ସନ୍ଧ୍ୟାଟି କର୍ଣ୍ଣେଲ ଜନ୍‌ସନ୍‌ଙ୍କ ନିମନ୍ତେ ଏକାନ୍ତ ଦୁଃଖଦାୟକ ଥିଲା । କାରଣ ତାଙ୍କ ପ୍ରିୟ ଗଛମାନଙ୍କ ମଧ୍ୟରୁ ଗୋଟିଏ କଟା ହୋଇ ଖଣ୍ଡିଆଖାବରା ହୋଇଥିବା ଅସୁର ପରି ମାଟି ଉପରେ ପୂରାପୂରି ପଡ଼ି ରହିଥିଲା । ତା’ ପରଦିନ ଡାକ୍ତରଙ୍କ ସଙ୍ଗେ ଯେତେବେଳେ ମୋର ଦେଖାହେଲା ସେ ମୋତେ କହିଲେ ସେମାନେ ମୋର ସୁନ୍ଦରୀ ଡେଙ୍ଗା ଝିଅଟିକୁ ହତ୍ୟା କରିଛନ୍ତି ।

 

ଦୁର୍ଭାଗ୍ୟକୁ ନୂଆ ଜିଲ୍ଲା ବୋର୍ଡ଼ ଅଫିସ୍ ପାଖକୁ ଲାଗି ଏହି ଗଛଟି ଥିଲା । ଗଛର ଚେର ଏହି ପକ୍କାଘରର ମୂଳଦୁଆ ଫଟାଇ ଦେଇପାରେ ବୋଲି ଇଞ୍ଜିନିୟର୍‍ମାନେ ଆଶଙ୍କା ପ୍ରକାଶ କରିଥିଲେ ।

 

ସେମାନେ କହୁଥିଲେ ବୋର୍ଡ଼ ଅଫିସ୍ ଘରର ଖୁବ୍ ପାଖରେ ଗଛଟି ରହିଛି । ଗଛର ଏତେ ପାଖକୁ ଲାଗି କୋଠା ତିଆରି କରିବାକୁ ସେମାନଙ୍କୁ କିଏ କହୁଥିଲା ? ଆଖି ଛଳଛଳ କରି ଜନ୍‌ସନ୍ କହିଲେ ଗତ ଚାଳିଶବର୍ଷ ଧରି ଏ ଗଛ ଏହିଠି ରହିଛି, କିନ୍ତୁ ଏ କୋଠା ଗଲା ବର୍ଷେ ହେଲା ତିଆର ହୋଇଛି । ଶ୍ରୀମତୀ କର୍ଣ୍ଣେଲ କହିଲେ ଏହି ଗଛ କଟାକୁ କେନ୍ଦ୍ରକରି କର୍ଣ୍ଣେଲ ଝଡ଼ ସୃଷ୍ଟି କରିବାକୁ ଚାହାଁନ୍ତି । କିନ୍ତୁ ବର୍ତ୍ତମାନ ଏହା କରି ଲାଭ କ’ଣ ହେବ ?

 

ଗଛ ତ କଟା ସରିଲାଣି । ରାୟଙ୍କ ଦୃଷ୍ଟିରୁ ସମସ୍ୟାର କେହି ବିଚାର କରିବେ ନାହିଁ ।

 

ମୁଁ କହିଲି “ହଁ ଠିକ୍ କଥା” ।

 

କିନ୍ତୁ ଏ କଥା ନିଶ୍ଚିନ୍ତ ଯେ, କୌଣସି ଭୁଲ କାମ ହୋଇଛି, ଅନୁଭବ କରି ମଧ୍ୟ ତୁମେ ପ୍ରତିବାଦ ନ କରିବା ଅର୍ଥ ଅନ୍ୟାୟକୁ ପ୍ରଶ୍ରୟ ଦେବା । ନିର୍ଭୀକଭାବେ ଜଣେ ଅନ୍ୟାୟର ପ୍ରତିବାଦ କରିବା ହେଉଛି ସଭ୍ୟତା ଓ ମାନବିକତାର ଆହ୍ଵାନ ।

 

ସମସ୍ୟାଟି ଅତି ସୂକ୍ଷ୍ମ ଥିଲା । ରାୟ ଜନ୍‌ସନ୍ ସମସ୍ୟାଟିର ବୈଷୟିକ ଦୃଷ୍ଟିରୁ ବିଚାର ହେଉ ବୋଲି ଦୃଢ଼ଭାବେ ଅନୁଭବ କରୁଥିଲେ ଏବଂ ସେ ଉଚିତ କଥାହିଁ କହୁଥିଲେ । ତାହାହିଁ ଥିଲା ସବୁ ଗୋଳମାଳର କାରଣ ।

 

ସେ ସମୟରେ କର୍ଣ୍ଣେଲଙ୍କ ପରି ଖୁବ୍ କମ୍ ପଦସ୍ଥ ଅଫିସର ଥିଲେ । କର୍ଣ୍ଣେଲଙ୍କର ଗୋଟିଏ ବୋଲି ପୁଅ ଥିଲା । ବର୍ମା ଯୁଦ୍ଧବେଳେ ସେ ଜାପାନୀମାନଙ୍କ ବିରୁଦ୍ଧରେ ଯୁଦ୍ଧ କରି ପ୍ରାଣ ହରାଇଥିଲା । ଏହା ଅନେକ ଦିନର ତଳର କଥା । ଏହି ଆଇ.ଏମ୍.ଏସ୍. କର୍ଣ୍ଣେଲଙ୍କର ପ୍ରତିକ୍ରିୟା ମୋ ଉପରେ ଗଭୀର ରେଖାପାତ କରିଥିଲା । ପ୍ରତ୍ୟେକ ହିନ୍ଦୁ ଏକଥା ଅତି ସହଜରେ ହୃଦ୍‌ବୋଧ କରି ପାରିବେ । କାରଣ ପ୍ରତିଟି ଗଛର ମଣିଷଙ୍କ ପରି ଯେ ଜୀବନ ଅଛି ଏବଂ ଆତ୍ମା ରହିଛି ତାହା ବିଶ୍ଵାସ କରିବାକୁ ସେମାନଙ୍କୁ ଶିକ୍ଷା ଦିଆଯାଇଥାଏ । ତା’ ପରଦିନ ବିଳମ୍ବରେ ସନ୍ଧ୍ୟା କ୍ଳବ୍‍ରୁ ସେହି ରାସ୍ତା ଦେଇ ମୁଁ ଫେରିଲି । ମୁଁ ଦେଖିଲି ଗୋଟାଏ ବିରାଟ ଓସ୍ତ ଗଛ କଟା ହୋଇ ପଡ଼ିଛି । ମୁଁ ସେ ଗଛର ଗୋଟିଏ ଡାଳ ଉପରେ ବସି ଚିନ୍ତା କଲି । ଗଛର ପ୍ରତ୍ୟେକ ଡାଳ, ଫୁଲ ପତ୍ରର କ’ଣ ଜୀବନ ଅଛି । ସେମାନଙ୍କର ସ୍ୱତନ୍ତ୍ର ଆତ୍ମା ରହିଛି । ନା ଏଠି ପଡ଼ିଥିବା ଗଛଟି ଗୋଟିଏ ପରିବାର ନା ତା’ଠାରୁ କିଛି ଅଧିକ । ପୂରା ଗଛଟି ଗୋଟିଏ ବଡ଼ ସହର ପରି କାୟା ବିସ୍ତାର କରି ରହିଥିଲା । ଏହିପରି ନିର୍ବୋଧ ଚିନ୍ତାରେ ମଗ୍ନ ଥିବାବେଳେ ମୁଁ ଶୁଣିଲି କିମ୍ବା ଶୁଣିଲା ପରି ମୋର ମନେ ହେଲା ସତେ ଅବା ବଂଶୀରେ ଗୋଟିଏ କୋମଳ ସ୍ଵର ବାଜୁଛି । ଯେତେବେଳେ କଥାଟା କ’ଣ ଚିନ୍ତାକଲି ବଂଶୀ ଧ୍ଵନି ଶାନ୍ତ ହୋଇଗଲା ମାତ୍ର ପୁଣି ଯେତେବେଳେ ଗଛକୁ ଚାହିଁଲି ଓ କର୍ଣ୍ଣେଲଙ୍କ କଥା ମନେ ପକାଇଲି ସେହି ପ୍ରତିଧ୍ଵନି ଶୁଣିବାକୁ ପାଇଲି । ଏହା ଏକାନ୍ତଭାବେ ଏକ ବିୟୋଗାତ୍ମକ ସଙ୍ଗୀତ ଥିଲା, ତାହା ମୁଁ ଭାଷାରେ ବୁଝାଇ କହି ପାରିବି ନାହିଁ । ଗଛର ଆତ୍ମା ଯେ ସେଦିନ ସଙ୍ଗୀତ ଗାନ କରୁଥିଲା ଏଥିରେ ମୋର ସାମାନ୍ୟ ସନ୍ଦେହ ରହିଲା ନାହିଁ । ସେଦିନ ରାତିରେ ମୁଁ ଗୋଟାଏ ବଡ଼ ବିଚିତ୍ର ସ୍ଵପ୍ନ ଦେଖିଲି । ସବୁ ସ୍ଵପ୍ନ ଅବଶ୍ୟ ବିଚିତ୍ର, ମାତ୍ର ମୋ ସ୍ଵପ୍ନ ଅତିମାତ୍ରାରେ ବିସ୍ମୟକର ଥିଲା-। ଗଛ କହିଲା ତୁମେ ଭାବ ନାହିଁ ତୁମେ ସ୍ୱପ୍ନ ଦେଖୁଛ । ତୁମେ ଅବଶ୍ୟ ମୋତେ ଦେଖି ପାରୁନାହଁ-। ମାତ୍ର ମୁଁ ଏଇଠି ଅଛି । ସତରେ ତୁମେ କ’ଣ ମୋତେ ସ୍ପଷ୍ଟ ଭାବରେ ଶୁଣିପାରୁ ନାହଁ-?

 

ମୁଁ କହିଲି ତୁମର କ’ଣ କହିବାର ଅଛି କୁହ ! ମୁଁ ଶୁଣୁଛି ଏଠି ମୋତେ ହାଣି ମାରି ଦିଆଗଲା । ମୁଁ ଚାହେଁ ଆପଣ ମୋ ପକ୍ଷରୁ ଲଢ଼ନ୍ତୁ । ମୋ ଡାକ୍ତର ଭାଇ ମୋପାଇଁ କିଛି କରି ପାରିବେ ନାହିଁ କାରଣ ସେ ଜଣେ ସରକାରୀ କର୍ମଚାରୀ । କିନ୍ତୁ ଆପଣ ସ୍ଵାଧୀନ, ଆଇନଜୀବୀ । କୁଲିମାନେ ମୋତେ ହାଣିବାକୁ ପ୍ରଥମେ ରାଜି ହେଉ ନଥିଲେ । ମାତ୍ର ତିନିଗୁଣା ମଜୁରୀ ଦେଇ ମୋତେ ହାଣିବା ଲାଗି ସେମାନଙ୍କୁ ପଟାପଟି କରାଗଲା । ଶେଷରେ ସେହି ଭଲଲୋକମାନେ ରୁପା ଟଙ୍କାରେ ପ୍ରଲୋଭିତ ହୋଇଗଲେ ।

 

ମୁଁ ପଚାରିଲି ମୁଁ ତୁମ ଲାଗି କ’ଣ କରି ପାରିବି ? ବିଚାରପତି ତୁମ କେସ୍ ବିଚାରକୁ ନେବେ ନାହିଁ । କାରଣ ତୁମ କଥା ବିଚାରକୁ ନେଲେ ତାଙ୍କୁ ସମସ୍ତେ ବୋକା ବୋଲି ବିଚାରିବେ । କାରଣ ସ୍ୱପ୍ନରେ କେବଳ ଏପରି ଅବାନ୍ତର କଥା ସମ୍ଭବ ହୋଇଥାଏ ।

 

ଗଛର ଆତ୍ମା ଓଲଟି କହିଲା ନିର୍ବୋଧ, ଜଣେ ବିଚାରପତି ଅଛନ୍ତି ଯିଏ ସମସ୍ତଙ୍କ କଥା ବିଚାର କରନ୍ତି । ଏଥିରେ କ’ଣ ତୁମର ବିଶ୍ଵାସ ନାହିଁ । ତୁମେ କ’ଣ ନାସ୍ତିକ ?

 

ମୁଁ ନିଶ୍ଚୟ ସମ୍ବାଦପତ୍ରରେ ଏ ସମ୍ପର୍କରେ ଲେଖିବି ବୋଲି ପ୍ରତିଶ୍ରୁତି ଦେଲି ।

 

ଦୟାକରି ମୋ କଥା ଲେଖନ୍ତୁ । ମୁଁ ଦିନେ ଗୋଟିଏ ଛୋଟ ଅଶ୍ଵତ୍‍ଥ ଚାରା ଥିଲି । ସୁବାୟାର ସେତେବେଳେ ହଜୁରଙ୍କ ଶିରସ୍ତାଦାର ଥିଲେ । ସେ ଦେଖିବାକୁ ସୁସ୍ଥ ସବଳ ଥିଲେ । ସେ ମୁଣ୍ଡରେ ତାଙ୍କର ସୁନା ଲେସ୍‍ଦିଆ ଲାଲ ପଗଡ଼ି ପିନ୍ଧୁଥିଲେ । ତାଙ୍କ ସ୍ତ୍ରୀ ବରାବର ଆସି ମୋ ଦେହରେ କୁଙ୍କୁମ ଓ ଚନ୍ଦନ ବୋଳୁଥିଲେ । ତାଙ୍କ ପୁଅ ଯେପରି ଶୀଘ୍ର ଆରୋଗ୍ୟ ହେବ ସେଥିପାଇଁ ପ୍ରାର୍ଥନା କରୁଥିଲେ । ତାଙ୍କୁ ଗୋଟାଏ ପ୍ରକାରର ଖରାପ ଜର ହେଉଥିଲା । ସେ ସପ୍ତାହ ସପ୍ତାହ ଧରି ପଡ଼ି ରହୁଥିଲା । ମଝିରେ ମଝିରେ ଅଚେତ ହୋଇ ଯାଉଥିଲା । ପରେ କିନ୍ତୁ ପୁଅ ଭଲ ହୋଇ ଯାଇଥିଲା । ସୁବାୟାର ନିଜେ ଆସି ଦରିଦ୍ର ଭୋଜନ ଦେଇଥିଲେ । ମୋତେ କେନ୍ଦ୍ର କରି ବସି ସମସ୍ତେ ଖୁସିବାସି ହୋଇ ଖାଇଥିଲେ । ଏସବୁ ବହୁତ ଦିନ ତଳର କଥା । ମାତ୍ର ଶେଷରେ ମୋତେ ହଣା ଖାଇବାକୁ ପଡ଼ିଲା । ସତରେ ମୋପାଇଁ କିଛି କରିବ ନାହିଁ ?

 

ମୁଁ ନିଦରୁ ଉଠିଲି । ପୁରୁଣା ଗଛଗୁଡ଼ିକୁ ନ କାଟିବା ସପକ୍ଷରେ ଏକ ଦୃଢ଼ ପତ୍ର ସମ୍ବାଦପତ୍ରକୁ ଲେଖିବାକୁ ମୁଁ ମନେମନେ ଠିକ୍ କଲି ।

 

‘ମାଡ଼୍ରାସ ମେଲ’ ଦୈନିକ କାଗଜରେ ମୋର ଏ ଚିଠିଟି ପ୍ରକାଶ ପାଇଲା । ବାର୍‌ର୍ ଓକିଲମାନେ ଚିଠିଟି ପଢ଼ି ବେଶ୍ ଉପଭୋଗ କଲେ । ଜଣେ ଖୋଲାଖୋଲିଭାବେ ରାଗି ଉଠି ପଚାରିଲେ ଆମେମାନେ ଯେତେବେଳେ ‘ହୋମ୍ ରୁଲ୍’ ପାଇଁ ଆନ୍ଦୋଳନ କରୁଛୁ ସେତେବେଳେ ଆପଣ ଗଛ କଟା ନ ଯିବାପାଇଁ ଯୁକ୍ତି କରି ଲେଖୁଛନ୍ତି । ଏଟା କ’ଣ ପିଲାଳିଆମି ହୋଇ ଯାଉନାହିଁ-। ଆପଣ କ’ଣ ସ୍ଥାନ କାଳ ପାତ୍ର ବିଚାର ହରାଇ ବସିଲେଣି ନା କ’ଣ ? ପରିସ୍ଥିତିର ଗୁରୁତ୍ଵ କମାଇ ଦେବା ନିମନ୍ତେ ମୁଁ ମୋର ଦୋଷ ସ୍ୱୀକାର କଲି । ମୁଁ ମୋ ସ୍ୱପ୍ନ ଦେଖିବା କଥା ସେମାନଙ୍କୁ କହି ନଥିଲି, କାରଣ ମୁଁ ବେଶ୍ ଜାଣିଥିଲି ଯେ ମୋ କଥା ଶୁଣି ସେମାନେ ହସିବେ ଓ ମୋର ହଜମ ହେଉ ନାହିଁ ବୋଲି କହି ପରିହାସ କରିବେ । ଲାଲାଲଜପତ ରାୟଙ୍କୁ ନିର୍ବାସନ ହୋଇଛି-। ମାଣ୍ଡାଲେ କିମ୍ବା ଅନ୍ୟ କେଉଁଠିକୁ ନିର୍ବାସନ ହେଲା ଅବଶ୍ୟ ସଠିକ୍‍ଭାବେ ଜଣା ପଡ଼ି ନାହିଁ-। ଏନେଇ ସମସ୍ତେ ଚିନ୍ତିତ ଥିବାବେଳେ ତୁମେ ରାସ୍ତାକଡ଼ର ଗଛ କାଟିବା ନେଇ ବ୍ୟସ୍ତହୋଇ ପତ୍ରପତ୍ରିକାରେ ଲେଖୁଛ ବୋଲି ବାର୍‍ର୍ ସଭାପତି ମୋତେ ବିରକ୍ତ ହୋଇ କହିଲେ ଏବଂ ମୋ ପାଖରୁ ଉଠି ଅନ୍ୟତ୍ର ଚାଲିଗଲେ ।

 

ଏସବୁ ବହୁତ ଦିନ ତଳର କଥା । ସେତେବେଳେ ମୁଁ ପ୍ରତ୍ୟେକ ସାଧାରଣ କାର୍ଯ୍ୟରେ ଅଂଶଗ୍ରହଣ କରୁଥିଲି । ମୁଁ ଯେ ଅଶ୍ୱତ୍‍ଥ ଗଛ କଟା ସମ୍ପର୍କରେ ଲେଖିଥିଲି ସେଥିନିମନ୍ତେ କେବେ ଶୋଚନା କରି ନାହିଁ ।

Image

 

ଟୋପି ଓ ଶାଢ଼ି

 

ସେ ତାଙ୍କର ସ୍ତ୍ରୀକୁ ଡାକି କହିଲେ ବୁଝିଲ । ଠିକ୍ ପାଞ୍ଚଟାରେ ବନ୍ଧୁ ମିଳନ । ଆମକୁ ପଚାଶ ମାଇଲ ଯିବାକୁ ପଡ଼ିବ । ଦୁଇଟା ପୂର୍ବରୁ ଯିବା ନିମନ୍ତେ ତୁମେ ପ୍ରସ୍ତୁତ ହୋଇଯିବ ।

 

ଯୁବ ସହକାରୀ କଲେକ୍‍ଟର ମିଃ କୌଶିକ, ଆଇ.ସି.ଏସ୍. ପାର୍ବତୀପୁର ଅଞ୍ଚଳ ଦାୟିତ୍ଵରେ ଥାଆନ୍ତି । କଲେକ୍‍ଟର ମିଃ ମୋବରଲେ ସନ୍ଧ୍ୟାରେ ଏହି ବନ୍ଧୁ ମିଳନର ଆୟୋଜନ କରିଥିଲେ । ଏଥିରେ ଯୋଗ ଦେବାକୁ ଶ୍ରୀ ଓ ଶ୍ରୀମତୀ କୌଶିକ ନିମନ୍ତ୍ରିତ ହୋଇଥିଲେ ।

 

କୌଶିକ କୌଳିକ ଦୃଷ୍ଟିକୋଣରୁ ହିନ୍ଦୁମାନଙ୍କର ଥିବା ଅନେକ ଅନ୍ଧବିଶ୍ୱାସରେ ଗୁରୁତ୍ଵ ଦେଇ ନଥାନ୍ତି । ମାତ୍ର ତାଙ୍କର ବିଧବା ମା’ ରକ୍ଷଣଶୀଳା ଥିଲେ ଏବଂ ସ୍ଵାମୀଙ୍କୁ ପ୍ରତି ବର୍ଷ ଠିକ୍‍ଭାବେ ଶ୍ରାଦ୍ଧ ଦିଆଯିବା ଉପରେ ବିଶେଷ ଗୁରୁତ୍ଵ ଦେଉଥିଲେ । ଶ୍ରାଦ୍ଧପାଇଁ ଯେଉଁ ହୋମ ହେବ ସେଠି କୌଶିକ ବସିବେ ନାହିଁ । ତାଙ୍କ ପକ୍ଷରୁ ଜଣେ ବ୍ରାହ୍ମଣ ଶ୍ରାଦ୍ଧର ସମସ୍ତ କାମ ତୁଲାଇବେ । ଏ କଥା ଶୁଣି ପାର୍ବତୀପୁରର ବ୍ରାହ୍ମଣମାନେ ଖୁବ୍ ଅଧିକ ପଇସା ଦାବି କଲେ । ପାର୍ବତୀପୁର ଆସିବା ପୂର୍ବରୁ କୌଶିକ ଯେଉଁଠି ଥିଲେ ସେଠାରେ ଅଳ୍ପ ଖର୍ଚ୍ଚରେ ସବୁ କାମ ହୋଇ ଯାଉଥିଲା । ପାର୍ବତୀପୁର ରକ୍ଷଣଶୀଳ ବ୍ୟକ୍ତିମାନଙ୍କର ଏକ କେନ୍ଦ୍ରସ୍ଥାନ ଥିଲା । ଏବଂ ଜାତି କଟକଣା ଭାଙ୍ଗୁଥିବା ଲୋକମାନଙ୍କଠାରୁ ଏଠି ବ୍ରାହ୍ମଣମାନେ ଯେକୌଣସି କାମ ଲାଗି ଅଧିକ ପାଉଣା ଅସୁଲ କରୁଥିଲେ । ଅଧିକ ଖର୍ଚ୍ଚ କରିବାକୁ କୌଶିକ କୁଣ୍ଠିତ ନଥିଲେ କିନ୍ତୁ କଲେକ୍‍ଟର ପ୍ରଥମଥର ଲାଗି ତାଙ୍କ ଘରକୁ ବନ୍ଧୁ ମିଳନରେ ଯୋଗ ଦେବା ନିମନ୍ତେ ଯେଉଁ ଦିନ ସେମାନଙ୍କୁ ନିମନ୍ତ୍ରଣ କରିଛନ୍ତି ସେହି ଦିନ ବାପାଙ୍କ ଶ୍ରାଦ୍ଧ ପଡ଼ୁଥିବାରୁ ସେ ବ୍ୟସ୍ତ ହେଉଥିଲେ । ତେଣୁ ସେ ପୁରୋହିତକୁ ଡାକି ସତର୍କ କରାଇ ଦେଇ କହିଲେ ଶୁଣ, ଦ୍ଵିପ୍ରହରେ ମୋର କଲେକ୍‍ଟରଙ୍କ ପାଖରେ ଜରୁରୀ କାମ ଅଛି, ମୋତେ ଯିବାକୁ ହେବ । ତୁମେ ସଅଳ ସବୁ କାମ ଶେଷ କର । ପାଉଣା ନେଇ ବ୍ରାହ୍ମଣମାନଙ୍କ ସର୍ତ୍ତରେ ସେ ରାଜି ହୋଇଗଲା ପରେ ସେମାନେ ସବ୍‍କଲେକ୍‍ଟରଙ୍କର ସବୁ କଥାରେ ରାଜି ହୋଇଗଲେ । ସେମାନେ ଏକାନ୍ତ ପ୍ରୟୋଜନୀୟ ବିଧିବିଧାନ ବ୍ୟତୀତ ଅନ୍ୟ ସବୁ କାମକୁ ବାଦ ଦେଇ ମେଲ୍‍ଟ୍ରେନ୍ ଧାଇଁଲା ପରି କାମ ଶେଷ କରିବାକୁ ପ୍ରତିଶ୍ରୁତି ଦେଲେ ।

 

ଦିନ ଦି’ଟା ! ତରତରିଆ ହୋଇ ଯେପରି ସ୍ୱାମୀଙ୍କ ଶ୍ରାଦ୍ଧ ପାଳନ କରାଗଲା ସେଥିରେ ବୁଢ଼ୀ କୌଣସିମତେ ଆଶ୍ଵସ୍ତ ହେଲେ । କାରଣ ସେ ପୁଅକୁ ଖୁବ୍ ଭଲ ପାଉଥିଲେ ଏବଂ ବୋହୂର ପ୍ରତି କଥାରେ ମୁଣ୍ଡ ଟୁଙ୍ଗାରୁଥିଲେ । ବୋହୂର ମୁଣ୍ଡ ବାନ୍ଧି ଦେବାବେଳେ ବୁଢ଼ୀ କହିଲେ ଗୋପାଳକୃଷ୍ଣ ମୁଁ ମଲା ପରେ ମୋତେ ଶ୍ରାଦ୍ଧ ଦେବାକୁବି ଭୁଲିଯିବ ।

 

ଗୋପାଳକୃଷ୍ଣ ଆୟାର କୌଶିକଙ୍କ ପ୍ରକୃତ ନାଁ । ମାତ୍ର ଅକ୍‌ସଫୋର୍ଡ଼ରେ ଥିବାବେଳେ ସେ ତାଙ୍କ ନାଁଟା ଅଯଥା ଦୀର୍ଘ ହୋଇ ଯାଇଛି ବୋଲି ଭାବି ଇଂରାଜୀ ଫେସନରେ ଆପଣାର ଗୋତ୍ର ‘‘କୌଶିକ” ନାମରେ ନିଜର ନାଁକୁ ବଦଳାଇ ନେଇଥିଲେ । ସେହି ଦିନୁ ସେ କୌଶିକ ନାମରେ ପରିଚିତ ।

 

ବୁଢ଼ୀ ବୋହୂର କପାଳରେ ସିନ୍ଦୂର ବିନ୍ଦୁ ଓ ଖୋସାରେ ଫୁଲମାଳ ଝୁଲାଇ ସଜାଇ ଦେଲେ ଏବଂ ବାରମ୍ଵାର ବୋହୂ ମୁହଁକୁ ଚାହିଁଲେ, ସେ ଆଶ୍ଵସ୍ତ ହେଲେ ଯେ ବୋହୂକୁ ବେଶ୍ ମାନୁଛି । ସବୁ ଠିକ୍ ଥିବା ଦେଖି ସେ କହିଲେ ତୁ ଏଥର ଯାଆ । ପ୍ରସାଧନ କକ୍ଷରୁ କୌଶିକ ପାଟି କରି ପଚାରିଲେ ଡାର୍ଲିଂ ତୁମେ ପ୍ରସ୍ତୁତ ହେଲତ । ସେ ସାଧାରଣତଃ ଡାର୍ଲିଂ କିମ୍ବା ଡିଅରି ବୋଲି ସ୍ତ୍ରୀଙ୍କୁ ସମ୍ବୋଧନ କରିଥାଆନ୍ତି ।

 

ହଁ ଯାଉଛି କହି ଶ୍ରୀମତୀ କୌଶିକ ବେଶପଟା ହୋଇ ହସି ହସି ସ୍ଵାମୀ ଥିବା ବଖରାରେ ପ୍ରବେଶ କଲେ । ସେ ତାଙ୍କର ସବୁଠୁ ସୁନ୍ଦର ବାଙ୍ଗାଲୋର ଶାଢ଼ିଟି ପିନ୍ଧିଥିଲେ । ତାଙ୍କ ସୁନାରଙ୍ଗ ଦେହକୁ ନାଲି ସିଲ୍କ ଶାଢ଼ି ବେଶ୍ ମାନୁଥିଲା ।

 

“ତୁମେ ବେଶ୍ ସୁନ୍ଦର ଦିଶୁଛ” ସ୍ୱାମୀଙ୍କ ମୁହଁରୁ ଶୁଣି ସେ ଉଲ୍ଲସିତ ହୋଇ ଉଠିଲେ ଓ ଅଧିକ ସୁନ୍ଦର ଦେଖାଗଲେ । ପୋର୍ଟିକୋ ତଳେ ମଟର ସାଇକେଲ ପ୍ରସ୍ତୁତ ହୋଇ ରହିଥିଲା । ସେଥିରେ ଲାଗିଥିବା ସାଇଡ଼ କାର୍‍ରେ ସେ ସ୍ତ୍ରୀଙ୍କୁ ବସିବାକୁ କହିଲେ । କୌଶିକ ସ୍ତ୍ରୀଙ୍କୁ କହିଲେ ଗୁଜୁରାଟି ଫେସନରେ ଓଢ଼ଣା ଦିଅ । ଫଳରେ ମୁଣ୍ଡରେ ଧୂଳି ଲାଗିବ ନାହିଁ । ସେ ଠିକ୍‍ଭାବେ ନିଜର ଟୋପି ପିନ୍ଧି ନେଲେ । ବାହାରକୁ ଯିବାବେଳେ ସେ ସର୍ବଦା ଟୋପି ବ୍ୟବହାର କରିଥାଆନ୍ତି-

 

ତା’ପରେ ମଟର ସାଇକେଲ ଛାଡ଼ିଲେ ।

 

ପାର୍ବତୀପୁର ମଙ୍ଗାପଟମ୍ ରାସ୍ତାରେ ଏହି ଦମ୍ପତିଙ୍କ ମଟର ସାଇକେଲ୍ ଫଟ–ଫଟ–ଫଅଟ ଶବ୍ଦ କରି ଆଗକୁ ଛୁଟି ଚାଲିଲା । ଏହା ଲୋକାଲ୍ ବୋର୍ଡ଼ର ଏକ ଅବହେଳିତ ରାସ୍ତା । ଏଥିରେ ଶଗଡ଼ଗୁଳା ଚିହ୍ନ ଓ ଖାଲଖମାଣି ଅନେକ । ଏହା ଏକ ଅନଗ୍ରସର ତାଲୁକ । ଏହି ରାସ୍ତାରେ ମଟର ସାଇକେଲ୍ କ୍ଵଚିତ ଯାଏଁ । ତୁମେ ଅଧ ମାଇଲିଏ ଯାଇଥିବ ସମ୍ମୁଖରେ ଦେଖିବ ବଳଦଗାଡ଼ି । କେଉଁଆଡ଼କୁ ଗାଡ଼ି ପାଖେଇବ ଠିକ୍ ନ କରିପାରି ପଞ୍ଝେ ରାସ୍ତାର ଏପଟକୁ ହେଲେ ଅନ୍ୟମାନେ ଆରପଟକୁ ଗଲେଣି । ଆଉ କେତେକ କ’ଣ କରିବେ ଠିକ୍ କରି ନ ପାରି ରାସ୍ତାର ମଝିରେ ଠିଆ ହୋଇ ରହନ୍ତି । ଆଉ କେତେକ ସ୍ତ୍ରୀ ଓ ପୁରୁଷ ଲୋକ ରାସ୍ତାରେ ଠିଆ ହୋଇ ବିଚିତ୍ର ମୁଖଭଙ୍ଗି କରି ସହକାରୀ କଲେକ୍‍ଟର ଓ ତାଙ୍କ ସ୍ତ୍ରୀଙ୍କୁ ଏକ ଧ୍ୟାନରେ ଚାହିଁରହନ୍ତି । ସତେ ଯେମିତି ସେମାନେ ନୂଆ କରି ବିଚିତ୍ର ଜନ୍ତୁ ଦୁଇଟିକୁ ଦେଖୁଛନ୍ତି । ଅବଶେଷରେ ଯାତ୍ରା ଶେଷ ହେଲା । କଲେକ୍‍ଟର ବଙ୍ଗଳାରେ ପହଞ୍ଚିଲାବେଳକୁ ସେମାନେ ହାଲିଆ ହୋଇ ପଡ଼ିଥିଲେ । ମାତ୍ର ଶ୍ରୀମତୀ ମୋବର୍‌ଲେ ଅତିମାତ୍ରାରେ ଭଦ୍ରଥିଲେ । ସମସ୍ତଙ୍କ ପ୍ରତି ସେ ଖୁବ୍ ଭଲ ବ୍ୟବହାର କରୁଥିଲେ । ବିଶେଷତଃ ଭାରତୀୟମାନଙ୍କ ସାଙ୍ଗରେ ମିଶିବାକୁ ସେ ବିଶେଷ ଆଗ୍ରହ ପ୍ରକାଶ କରୁଥିଲେ ।

 

ଶ୍ରୀମତୀ ମୋବର୍‌ଲେ ଶ୍ରୀମତୀ କୌଶିକଙ୍କୁ ପ୍ରଶଂସା କରି କହିଲେ, ତୁମର ଏ ସିଲ୍କ ଶାଢ଼ି, ତୁମର ଏ ଫୁଲ କେତେ ସୁନ୍ଦର । ତୁମେ କେତେ ସୁନ୍ଦର ଦିଶୁଛ ସତେ ? ଆହା ତୁମର ଏ କଳା ବାଳ କେତେ ଚମତ୍କାର । ମୋର ବାଳ ହେଲେ ତୁମପରି ହୋଇଥାଆନ୍ତା । “ଆମ ଗାଉନ୍ ଅପେକ୍ଷା ତୁମର ଶାଢ଼ିଗୁଡ଼ିକ ଦେଖିବାକୁ ଅଧିକ ସୁନ୍ଦର ନିଶ୍ଚୟ ।” ଅନ୍ୟ ଯେଉଁମାନେ ସେଠାରେ ଥିଲେ ସମସ୍ତେ ବେଶ୍ ଖୁସି ଥିଲେ ।

 

ଏହା ବେଶ୍ ଏକ ଉପଭୋଗ୍ୟ ବନ୍ଧୁମିଳନ ଥିଲା । ଏଥିରେ ଗପ ଶୁଣାଇବାର କାର୍ଯ୍ୟକ୍ରମ ରଖାଯାଇଥିଲା । ପ୍ରତ୍ୟେକଙ୍କୁ ଗୋଟିଏ ଗୋଟିଏ ମଜାଗପ କହିବାକୁ ପଡ଼ୁଥିଲା ଏବଂ ଗପଟି ହାସ୍ୟୋଦ୍ଦୀପକ ହେଉ ନ ହେଉ ସମସ୍ତଙ୍କୁ ଖୁବ୍ ମନଖୋଲି ହସିବାକୁ ହେଉଥିଲା । ସେଠାରେ ଜଣେ ଯୁବ ସହକାରୀ କଲେକ୍‍ଟର ଥିଲେ । ସେ ବେଶ୍ ଚାଲାକ ଅଫିସର ଏବଂ ମେଳାପି ପ୍ରକୃତିର ଥିଲେ ।

 

ସେ ଖୁବ୍ ଭଲ ଗପ କହି ପାରୁଥିଲେ । ଶ୍ରୀମତୀ ମୋବରଲେ ଶକେତ୍‌ ରାମଙ୍କୁ ଚାହିଁ କହିଲେ ବର୍ତ୍ତମାନ ଆପଣଙ୍କୁ ଗୋଟିଏ ବଢ଼ିଆ ଗପ କହିବାକୁ ପଡ଼ିବ । ଭ୍ରୂଲତା ନଚାଇ ଶକେତ୍ ରାମ କହିଲେ ହଁ ଭଲଗପ ଅଛି ଯେ ଏଠି ସମସ୍ତଙ୍କ ଉପସ୍ଥିତିରେ ତାହା କହି ହେବ ନାହିଁ । ଆପଣାର ଗପ ନିମନ୍ତେ ଯେଉଁ କୌଶିକଙ୍କୁ ସମସ୍ତେ ଉଚ୍ଛ୍ଵସିତ ପ୍ରଶଂସା କରିଥିଲେ ଯେ ଶକେତ୍ ରାମଙ୍କୁ କହିଲେ ନା ନା ଆପଣଙ୍କୁ ସେ କଥା ନିଶ୍ଚୟ କହିବାକୁ ହେବ । ‘‘ନିୟମ କରି କୁହନ୍ତୁ ଏ ଗପ ନିମନ୍ତେ ଭବିଷ୍ୟତରେ ମୋତେ ଭୁଲ ବୁଝିବେ ନାହିଁତ ? ବର୍ତ୍ତମାନ ଏଠାରେ ସେ ଗପ କହିବାକୁ ମୁଁ ଠିକ୍‌ ଭାବୁନାହିଁ । ଅନ୍ୟ କେବେ ଆପଣଙ୍କୁ ମୁଁ କହିବି ।”

 

ସମସ୍ତେ ପାଟି କରି ଉଠିଲେ, ‘‘ନା ନା ସେ କଥା ହେବ ନାହିଁ । ତୁମକୁ ବର୍ତ୍ତମାନ ସେହି ଗପଟି କହିବାକୁ ପଡ଼ିବ ।” ଶକେତ୍ ରାମ କହିଲେ ଆଚ୍ଛା ତାହାହେଲେ ମୁଁ କହୁଛି ଶୁଣନ୍ତୁ । ଏହା ଏକ ସତ ଘଟଣା ବିଶେଷତଃ ଆଜି ଘଟିଛି ।

 

ସମସ୍ତେ ଏକ ସ୍ଵରରେ ପାଟି କରି ଉଠିଲେ “ଆଜିର ଘଟଣା କୁହନ୍ତୁ କୁହନ୍ତୁ” ଶ୍ରୀମତୀ କୌଶିକଙ୍କୁ ଚାହିଁ ଶକେତ୍ ରାମ ପଚାରିଲେ ‘‘ଆପଣ ଆଉ ଚା’ ପିଇବେ କି ?” ଧନ୍ୟବାଦ । ମୋର ଆଉ ଚା’ ଦରକାର ନାହିଁ । ଆପଣ ଗପ କହନ୍ତୁ । ‘‘ପାର୍ବତୀପୁର ରାସ୍ତାରେ ମୁଁ ଆଜି ଝଟକାରେ ଆସୁଥିଲି । ଆପଣମାନେ ଜାଣନ୍ତି ଏହି ରାସ୍ତା ବିମାଭରମରୁ ଆସି ପାପନାଶମ୍‍ଠାରେ ମିଶିଛି । ସେହିଠାରେ କିଛି ସମୟପାଇଁ ମୁଁ ଅଟକି ଥିଲି । ଯେଉଁଠାରେ କିଛି ପ୍ରଜା ଜମା ହୋଇଥିବେ ସେଠାରେ କଲେକ୍‍ଟର ରହିବାକୁ ବାଧ୍ୟ । କାରଣ କଲେକ୍‍ଟରଙ୍କୁ ସେମାନଙ୍କ ଭଲମନ୍ଦ ବୁଝିବାକୁ ପଡ଼ିଥାଏ ଆପଣମାନେ ଜାଣନ୍ତି ଅବଶ୍ୟ କୌଣସି ଆଇ.ସି.ଏସ୍. ଏପରି ରହିବାକୁ ବାଧ୍ୟ ନୁହନ୍ତି । କୌଶିକଙ୍କୁ ଚାହିଁ ମି ମୋବରଲେ ହସି ହସି କହିଲେ “ବୁଝିଲ ତୁମକୁ କୁହାଯାଉଛି ।”

 

ଶକେତ୍ ରାମ କହିଲେ “ମୋ କଥା ସରି ନାହିଁ, ଶୁଣନ୍ତୁ, ଲୋକମାନଙ୍କୁ ଦେଖି ମୁଁ ସେଠାରେ କିଛି ସମୟ ଅଟକି ଗଲି । ଅନୁମାନ କରି କହନ୍ତୁତ ସେମାନେ ମୋତେ କ’ଣ କହିଥିବେ-।”

 

ଏପରି ଗପରେ କିଛି ହେଲେ ମଜା ନାହିଁ ବୋଲି ଯେଉଁମାନେ ଭାବୁଥିଲେ ସେମାନେବି କହିଲେ ‘‘କୁହ କୁହ । ତା’ପରେ କ’ଣ ହେଲା ?” ମୁଁ ସେମାନଙ୍କୁ ପଚାରିଲି ଏଠି ବର୍ଷା ହୋଇଥିଲାକି ? ଏକ ସ୍ଵରରେ ସମସ୍ତେ କହିଲେ ନା ବର୍ଷା ହୋଇନାହିଁ । ତା’ପରେ ଚାଷୀମାନେ ଯେମିତି ଚାହାଁନ୍ତି ସେମାନେ ମୋତେ ସେହିପରି ଚାହିଁ ରହିଲେ । ସେମାନଙ୍କ ଭିତରୁ ଜଣେ ବୁଢ଼ା ମୋ ପାଖକୁ ଲାଗି ଆସିଲା ଏବଂ ଭାରୀ ଗମ୍ଭୀର ହୋଇ ମୋତେ ପଚାରିଲା ବାବୁ, ବ୍ରାହ୍ମଣ ଝିଅବି ଏତେ ଖରାପ ହେଲେଣି ଯେ ଗୋରା ଲୋକଙ୍କ ସଙ୍ଗେ ଲୁଚିପଳାଉଛନ୍ତି । ଏଥିରେ ଭଗବାନ କି ବର୍ଷା କରାଇବେ । ମୁଁ ଆଶ୍ଚର୍ଯ୍ୟ ହୋଇ ପଚାରିଲି ଘଟଣା କ’ଣ ? ଯେଉଁ ଗୁଜବ କାଗଜପତ୍ରରେ ପ୍ରକାଶ ପାଇନାହିଁ ସେପରି ଏକ ଗୁଜବ ଏହି ଅବହେଳିତ ଅଞ୍ଚଳରେ କିପରି ପ୍ରଚାରିତ ହୋଇଛି, ବଡ଼ ବିଚିତ୍ର କଥା । ବୁଢ଼ାଟି କହିଲା, ମୁଁ ଏ କଥା ନିଜ ଆଖିରେ ଦେଖିଛି । ଆମ ବ୍ରାହ୍ମଣମାନଙ୍କୁ ଥଟ୍ଟା କରୁଛି ବୋଲି ଭାବି ମୁଁ ପଚାରିଲି କ’ଣ ବୁଢ଼ା ସତରେ ତୁମେ ଏହା ଆଖିରେ ଦେଖିଛ ?

 

ହଁ ଦେଖିଛି, ନିଜ ଆଖିରେ ଆଜି ଦେଖିଛି ଆଜ୍ଞା, ମାତ୍ର ଅଧ ଘଣ୍ଟାଏ ଆଗରୁ । ପ୍ରଥମେ ଏହା ଦେଖି ମୁଁ ମୋ ନିଜ ଆଖିକୁ ବିଶ୍ଵାସ କରି ପାରିଲି ନାହିଁ । ରବର ତିଆରି ଗୋଟିଏ ପ୍ରକାର ମ୍ୟାଜିକ୍ ଗାଡ଼ି ଫଟ୍ ଫଟ୍ ଶବ୍ଦ କରି ଧୂଆଁ ଛାଡ଼ି ଜୋରରେ ଧାଇଁଛି । ସେହି ବଜ୍ଜାତ ଗୋରା ଲୋକଟି ଟୋପି ପିନ୍ଧି ଗାଡ଼ି ଚଳାଉଛି ଏବଂ ସେଥିରେ ଲାଗିଥିବା ନୀଳରଙ୍ଗ କ୍ୟାରିୟର୍‍ରେ ମୁଣ୍ଡରେ ଫୁଲ ଲଗାଇ ସୁନ୍ଦର ଶାଢ଼ିଟିଏ ପିନ୍ଧି ସୁନ୍ଦରୀ ବ୍ରାହ୍ମଣ ଝିଅଟିଏ ବସିଥିଲା । ତାକୁ ଗୋଟିଏ କରଣ ଟୋକା ଧରି ପଳାଉଥିଲା କିନ୍ତୁ ଝିଅଟିର ତିଳେହେଲେ ଦୁଃଖ ନଥିଲା । ସେ ଖୁବ୍ ଖୁସି ଥିଲା ପରି ମନେ ହେଉଥିଲା । ଆମକୁ ଦେଖି ମଧ୍ୟ ସେମାନେ ସାମନ୍ୟ ଲଜ୍ଜିତ ହୋଇ ନଥିଲେ । କିଛି ଲୁଚାଛପା କଥା ନୁହେଁ । ସବୁ ଖୋଲା, ଅତି ନିର୍ଲଜ୍ଜ କଥା, ଏଥିରେ ଭଗବାନ ବର୍ଷା ନ କରିବାରେ ଆଶ୍ଚର୍ଯ୍ୟ ହେବାର କ’ଣ ଅଛି ।”

 

ସହକାରୀ କଲେକ୍‍ଟର କୌଶିକଙ୍କୁ ଶକେତ୍ ରାମ ପଚାରିଲେ ତୁମ କ୍ୟାରିୟର୍‍ର ରଙ୍ଗ କ’ଣ ନୀଳ ?

 

ଲାଜରେ ଲାଲ ହୋଇ କୌଶିକ ହଁ କହିଥିଲେ ।

 

ହସ ଚାପି ନପାରି ଶ୍ରୀମତୀ ମୋବରଲେ ପଚାରିଥିଲେ କୌଶିକ ତୁମେବି ଟୋପି ପିନ୍ଧିଥିଲ ? ବିଚାରୀ ଶ୍ରୀମତୀ କୌଶିକ ଏପରି ବିବ୍ରତ ହୋଇ ପଡ଼ିଥିଲା ଯେ ଦୁଧ ପାତ୍ରଟିକୁ ଓଲଟାଇ ପକାଇଥିଲା । ଶକେତ୍ ରାମ ସେଇଠି ଘଟଣାର ମୀମାଂସା କରିବାକୁ ଚାହୁଁଥିଲେ । କଥାଟା ଏକାନ୍ତଭାବେ ସତ । ଏଟା କିଛି ନୂତନ ଆବିଷ୍କାର ନୁହେଁ । ଗୋଟାଏ ଟୋପି ତ୍ରୁଟି ବିଚ୍ୟୁତିର କାରଣ ହୋଇପାରେ ଏହା କେବେ କୁହାଯାଇ ନପାରେ । ଶୁଣାଯାଏ ତା’ପରଠାରୁ ମିଃ କୌଶିକ ବାହାରକୁ ନିଜ ସ୍ତ୍ରୀକୁ ସଙ୍ଗରେ ନେଇ କୁଆଡ଼େ ଗଲେ କେବେ ଟୋପି ପିନ୍ଧୁ ନଥିଲେ । କିନ୍ତୁ ସେହି ଦିନୁ ଶକେତ୍ ରାମ ଓ କୌଶିକଙ୍କ ମଧ୍ୟରେ ଆନ୍ତରିକତା ଅନେକ ପରିମାଣରେ କମି ଯାଇଥିଲା ।

 

ହଳେ ଚପଲ

 

‘ମାନିୟାନୁର’ ଆମମାନଙ୍କଦ୍ଵାରା ଦୁର୍ଭିକ୍ଷ ସାହାଯ୍ୟ ପ୍ରାପ୍ତ ଗାଁ ଭିତରୁ ଅନ୍ୟତମ । ଗାଁର ହରିଜନ ସାହିର ମୋଚିମାନେ ପେଟପୂରା ମୁଠାଏ ଖାଇବାକୁ ପାଉ ନଥିଲେ । ଏହି ଗାଁରେ ସାତ ଦିନରେ ଥରେ ଗୋଟିଏ ହାଟ ବସେ । ଆଖପାଖ ଅଞ୍ଚଳରୁ ଲୋକମାନେ କାରବାର କରିବାକୁ ବହୁତ ସଂଖ୍ୟାରେ ଏ ହାଟକୁ ଆସି ଥାଆନ୍ତି । କର୍ତ୍ତୃପକ୍ଷ ଆଇନାନୁସାରେ ଏଠାରେ ଗୋଟିଏ ମଦ ଓ ଗୋଟିଏ ତାଡ଼ି ଦୋକାନ ସ୍ଥାପନ କରିଥିଲେ । ଉଭୟ ଦୋକାନ ଦୁଇଟିରୁ ବେଶ୍ ଲାଭ ହେଉଥିଲା ।

 

ଆମ ଦୁର୍ଭିକ୍ଷ ସାହାଯ୍ୟ କାର୍ଯ୍ୟ ଆରମ୍ଭ ହେବା ପର୍ଯ୍ୟନ୍ତ ତାଡ଼ି ଦୋକାନଟି ହରିଜନ ବସ୍ତିର ପାଖାପାଖି ଥିଲା । ଆମମାନଙ୍କର ଉଦ୍ୟମ ହେତୁ ହରିଜନମାନେ ମୋଟେ ମଦ ନ ଖାଇବା ଲାଗି ଶପଥ କରିଥିଲେ । ମୋଟାମୋଟି ସେମାନେ ସେମାନଙ୍କର ଶପଥ ରକ୍ଷା କରିଥିଲେ ।

 

ଦିନେ ମୁନିୟାନ୍ ନିଜ ଗାଁର ଦଳେ ମୋଚିଙ୍କୁ ମେଳାଇ ମୁଁ ରହୁଥିବା କୁଡ଼ିଆ ପାଖକୁ ଆସିଲା । ପ୍ରତି ଗୁରୁବାର ଦିନ ସେମାନେ ଆଶ୍ରମକୁ ଆସି ଅଧାଦାମ ଦେଇ ଧାନ କିଣି ନେଇ ଥାଆନ୍ତି ।

 

“କ’ଣ ହେଇଛି ?” ମୁଁ ପ୍ରଶ୍ନକଲି ।

 

“ସେପରି କିଛି ନୁହେଁ, ତେବେ ସେମାନେ ତାଡ଼ି ପିଇଛନ୍ତି । ଏ ସମ୍ପର୍କରେ ଆପଣ ଅନୁସନ୍ଧାନ କରିବା ଲାଗି କହିବାକୁ ଆମେମାନେ ଆସିଛୁ ।”

 

ମୁଁ ସେତେବେଳେ ବିଭିନ୍ନ ଅନୁଷ୍ଠାନକୁ ଚିଠି ଓ ସ୍ମରଣ ପତ୍ର ଲେଖିବାରେ ବ୍ୟସ୍ତ ଥିଲି ।

 

ମୁଁ ବିରକ୍ତ ହୋଇ କହିଲି ତୁମେମାନେ ଯଦି ତାଡ଼ି କିଣି ପିଇ ପାରୁଛ, ତାହାହେଲେ ବଜାରରୁ ଉଚିତ ମୂଲ୍ୟରେ ଧାନ କିଣି ନ ପାରିବ କାହିଁକି ? ଆମେ ତୁମକୁ ଆଉ କୌଣସି ସାହାଯ୍ୟ ଦେବୁ ନାହିଁ । ତୁମମାନଙ୍କର ଯଦି ଇଚ୍ଛା ହେଉଛି ତୁମେ ଏଣିକି ତାଡ଼ି ପିଇପାର । ଆମେ ମନା କରିବୁ ‘ନାହିଁ’ ।

 

ଯେଉଁମାନେ ନିଶା ପାନ ନକରିବେ କେବଳ ସେହିମାନଙ୍କର ମଙ୍ଗଳ ହେବ ଏଥିରେ ଅନ୍ୟ କାହାରି କୌଣସି ଲାଭ ନାହିଁ ଏହି କଥା ମୁଁ ସେମାନଙ୍କୁ ବୁଝାଇ ଦେବାକୁ ଚିନ୍ତା କରୁଥିଲି ।

 

କେଉଁମାନେ ପିଇଛନ୍ତି ବୋଲି ମୁଁ ଜାଣିବାକୁ ଚାହିଁଲି ।

 

ମୁନିୟାନ୍ କହିଲା ‘ଦି’ ଜଣ’ ।

 

ସେମାନେ ଏଠିକି ଆସିଛନ୍ତି ?

 

“କିଏ ସେମାନେ” ?

 

‘‘ସେମାନଙ୍କ ଭିତରୁ ଜଣେ ଆସିଛି । ଆର ଜଣକ ଆସି ନାହିଁ । ତା’ ସ୍ତ୍ରୀ ଆସିଛି । ତାଙ୍କ ଭାଗ ଧାନ ସେ ନେବେ ।”

 

ସେମାନେ ଭୁଲ ସ୍ୱୀକାର କରିଛନ୍ତି କି ନାହିଁ ମୁଁ ଜାଣିବାକୁ ଚାହିଁଲି ।

 

ମୁନିୟାନ୍ କହିଲା ‘‘ଗଲାକାଲି ରାତିରେ ତାଡ଼ି ପିଇ ସେ ଘରକୁ ଫେରି ତା’ ସ୍ତ୍ରୀ ସଙ୍ଗେ କଳିଗୋଳ କରିଥିଲା । ଏ କଥା ଗାଁରେ ସମସ୍ତେ ଜାଣନ୍ତି । ସେମାନଙ୍କୁ ନିଶ୍ଚୟ ଦୋଷ ସ୍ଵୀକାର କରିବାକୁ ହେବ ।”

 

ତାଡ଼ି ପିଇଥିବା ଲୋକଟିକୁ ଚାହିଁ ମୁଁ ପଚାରିଲି ଏ ଅଭିଯୋଗ କେତେଦୂର ଠିକ୍ ? କ’ଣ କହୁଛ ?

 

ଲୋକଟି କହିଲା ‘ସବୁ ମିଛ’ ।

 

‘‘ଗଲା ରାତିରେ ମୁଁ ମୋ ସ୍ତ୍ରୀ ସଙ୍ଗେ କଳି କରୁଥିବା କଥା ସତ । ନିଜ ସ୍ତ୍ରୀ ସଙ୍ଗେ କଳିଗୋଳ ହେବାରେ ଆଶ୍ଚର୍ଯ୍ୟ କ’ଣ ଅଛି ? ବିବାହିତ ଜୀବନରେ ଏପରି କ’ଣ ଘଟେ ନାହିଁ ?”

 

ମୁଁ ଖୋଲାଖୋଲିଭାବେ ତା’ଠୁ ଜାଣିବାକୁ ଚାହୁଁଥିଲି ସେ ତାଡ଼ି ପିଇଥିଲାକି ନାହିଁ ? ନା ସମସ୍ତେ ମିଛରେ ତା’ ନାଁରେ କହୁଛନ୍ତି । ତୁମମାନଙ୍କ ଭିତରୁ ଜଣେ କେହି ତାଡ଼ି କିଣି ପିଇଲେ ଆମେ ଗାଁକୁ ଦେଉଥିବା ସାହାଯ୍ୟ ପୂରାପୂରି ବନ୍ଦ କରିଦେବୁ ବୋଲି ରୋକ୍‌ଠୋକ୍‌ଭାବେ ମୁଁ ସେମାନଙ୍କୁ ଶୁଣାଇ ଦେଲି ।

 

ଆଜ୍ଞା ସବୁ ମିଛ ବୋଲି ଲୋକଟି କହିଲା ।

 

ଅନ୍ୟମାନଙ୍କୁ ଚାହିଁ ମୁଁ ପଚାରିଲି ଏବେ ତୁମେମାନେ କ’ଣ କହୁଛ ?

 

ସେମାନେ ସମସ୍ତେ କହିଲେ ସ୍ଵାମୀ ସ୍ତ୍ରୀ କଳି ହେବାଟା ସତ । ମାତ୍ର ସେ ତାଡ଼ି ପିଇଥିଲା କି ନାହିଁ ସେମାନେ କହି ପାରିବେ ନାହିଁ ।

 

ତା’ପରେ ତାଡ଼ି ପିଇଥିବା ଲୋକଟିକୁ ପଚାରିଲି ତେବେ ମୁନିୟାନ୍ ତୁମ ନାମରେ ଏପରି ଅଭିଯୋଗ କରୁଛି କାହିଁକି ?

 

‘ତୋର କ’ଣ କ୍ଷତି କରିବାକୁ ସେ ଚାହୁଁଛି’ ?

 

“ହଁ ମୋ ଉପରେ ତା’ର ରାଗ ଅଛି, କାରଣ ମୂଲରେ କାମ କରିବାକୁ ଯେଉଁମାନେ ଅନ୍ୟଆଡ଼େ ଯାଇଛନ୍ତି, ଗାଁରେ ନାହାନ୍ତି ସେମାନଙ୍କ କାର୍ଡ଼ ଦେଖାଇ ରିଲିଫ୍ ଧାନ ନିଆଯାଉଥିବା କଥା ମୁଁ କହି ଦେଇଥିଲି’ ।

 

ଉତ୍ତରରେ ଲୋକଟି କହିଲା ।

 

ମୁନିୟାନ୍‍କୁ ମୁଁ ପଚାରିଲି ଏକଥା ସତ ?

 

ମୁନିୟାନ୍ କହିଲା ‘‘ଦୟାକରି ବୁଢ଼ାକୁ ପଚାରନ୍ତୁ । ତା’ ପୁଅ ପିଇଥିଲା ନା ନାହିଁ ? ଏ ବୁଢ଼ା ଯିଏ ତାଡ଼ି ପିଇଛି ତା’ର ବାପ । ସେ ମୋ ବାପର ଭାଇ, ଆମ ଦିହିଁଙ୍କରବି ସେ ବାପ । ତାକୁ ପଚାରନ୍ତୁ ସେ କ’ଣ କହୁଛି ? ସିଏ ଯାହା କହିବ ସେଇଟା ଠିକ୍ କଥା, ମୁଁ କିଛି କହୁନାହିଁ ।’’

 

ମୁଁ ପଚାରିଲି ବୁଢ଼ା, ତୁମେ କ’ଣ କହୁଛ ? ତୁମ ପୁଅ କ’ଣ ପିଇଥିଲା ?

 

‘ଗଲା ରାତିରେ ସେ ପାଟିତୁଣ୍ଡ କରୁଥିବା କଥା ସତ ।’

 

ମୁଁ ନିର୍ଦ୍ଦିଷ୍ଟଭାବେ ଜାଣିବାକୁ ଚାହୁଁଥିଲି ସେ ତାଡ଼ି ପିଇଥିଲା କି ନାହିଁ ।

 

‘‘ନା ସେ ପିଇ ନଥିଲା । ସେ କେବଳ କଳି କରୁଥିଲା, ପାଟି କରୁଥିଲା ।”

 

ମୁନିୟାନ୍ ମଝିରୁ ଉଠିପଡ଼ି କହିଲା ‘‘ସିଏ ଯାହା କହୁଛି ନିୟମ କରି କହୁ ।”

 

‘ବୁଢ଼ା ନିୟମ କରି ଯାହା କହିବ ତୁମେମାନେ ସମସ୍ତେ ସେଥିରେ ରାଜିତ ?’

 

ମୁଁ ଜାଣିବାକୁ ଚାହିଁଲି ।

 

ସମସ୍ତେ ସମ୍ମତି ଜଣାଇଲେ ।

 

କେଉଁଠାରେ କି ପ୍ରକାର ଶପଥ ନେବାକୁ ବୁଢ଼ାକୁ ମୁଁ କହିବି ମନେମନେ ସେହିକଥା ଭାବୁଥିଲି । ଏପରି ଶପଥ ନେବାରେ ଯେ କିଛି ଲାଭ ହେବ ସେ ନେଇ ମୋ ମନରେ ସନ୍ଦେହ ହୋଇଥିଲା । ବୁଢ଼ା ଲୋକଟି ତା’ ପୁଅ ପକ୍ଷନେଇ କହିସାରିଥିଲା । କୌଣସିମତେ ପ୍ରୟୋଜନୀୟ କାର୍ଯ୍ୟ ଶେଷ କରିବାକୁ ମୁଁ ମନେମନେ ସ୍ଥିର କଲି । ଏପରି ଶପଥ ପାଠର ମୂଲ୍ୟ କେତେ କମ୍‌ କଚିରିରେ ଦୀର୍ଘ ଅଠରବର୍ଷ ଧରି ଓକିଲାତି କରି ମୁଁ ବେଶ୍ ଜାଣେ ।

 

ସେମାନଙ୍କର ଆଚରଣ ଓ ଉଭୟ ପକ୍ଷର କଥାବାର୍ତ୍ତା ଶୁଣି ମୁଁ ଅନୁମାନ କଲି ନିୟମ ଲଙ୍ଘନ କରି ତାଡ଼ି ପିଇବା ଅଭିଯୋଗ ମିଛ । ଅନୁପସ୍ଥିତ ଥିବା ଲୋକଙ୍କ କାର୍ଡ଼ ଦେଖାଇ ଗାଁ ଲୋକେ ଧାନ ନେଉଥିବା କଥା ପ୍ରକାଶ କରି ଦେଇଥିବା ହେତୁ ବିରକ୍ତିରେ ଯୁବକ ଲୋକଟିର ନାଁରେ ଏମାନେ ଲଗାଇ କହୁଛନ୍ତି । ହୁଏତ ଏକଥା ସତ ।

 

ଠିକ୍ ଏହିପରି ଚିନ୍ତା କଲାବେଳେ ମୁଁ ଦେଖିଲି ମୋ ଚପଲ ତଳେ ଥୁଆ ହୋଇଛି । ମୁଁ ବୁଢ଼ାକୁ ଡାକି ପଚାରିଲି ତୁମେ ଯେତେ ମୋଚି ଅଛ ସମସ୍ତେ ଏଇ ଚମଡ଼ା କାମ କରି ପେଟ ପୋଷ-। ନୁହେଁ ? ବୁଢ଼ା ହଁ ମାରିଲା ।

 

ମୁଁ ମୋ ଚପଲ ହଳକୁ ଦେଖାଇ କହିଲି ଏହି ଚମଡ଼ା ତୁମ ପେଟକୁ ଦାନା ଦେଉଛି । ତୁମେ ଦି’ ହାତରେ ଚପଲ ଉଠାଇ ଧର ।

 

ବୁଢ଼ା ଚପଲ ଦୁଇଟି ଉପରକୁ ଉଠାଇ ଧରିଲା ।

 

ମୁଁ ଯାହା କହୁଛି କହ । ମୁଁ କହିଲି “ମୋତେ ଯେଉଁ ଚମଡ଼ା ଦାନାପାଣି ଦେଉଛି ତାହା ଧରି ମୁଁ ଭଗବାନଙ୍କ ନିକଟରେ ନିୟମ କରି କହୁଛି ।”

 

ସେ ମୋ ସଙ୍ଗେ ସ୍ଵର ମିଳାଇ ଶପଥ ପାଠକଲା ।

 

ତା’ପରେ ମୁଁ ପଚାରିଲି ତୁମ ପୁଅ ପିଇଥିଲା ?

 

ଡିମାଡ଼ିମା ଆଖିରେ ବୁଢ଼ା ମୋତେ ଚାହିଁ ଦୋଷ ସ୍ଵୀକାର କଲା ।

 

‘ତା’ ପୁଅ ପିଇଥିଲା ।’

 

ମୁଁ ଦୀର୍ଘ ନିଃଶ୍ଵାସ ଛାଡ଼ିଲି । ବେଳେବେଳେ ଏପରି ବିଚିତ୍ର ଘଟଣା ଘଟେ ।

 

ଏହି ଦୃଷ୍ଟାନ୍ତଟି ମୋତେ ଭାବବିହ୍ଵଳ କରି ପକାଇଲା ।

 

ତା’ପରେ ଅଭିଯୁକ୍ତକାରୀ ଯୁବକକୁ ମୁଁ କହିଲି ତୁମେବି ନିୟମ କରି କହ । ମୁଁ ଭାବୁଥିଲି ସେ ଯେ ନାହିଁ କରିଥିଲା, ହୁଏତ ସେହି ନାହିଁହିଁ କରିବ । ସେ ଚପଲ ଦୁଇଟି ଧରି କହିଲା ‘ହଁ ମୁଁ ପିଇଥିଲି’ । ଏତିକିରେ ଏକ ଅଭୁଲା ଅନୁଭୂତିର ପରିପୂର୍ଣ୍ଣତା ଘଟିଲା ।

 

ଆମେ ତାକୁ ଚାରିଅଣା ଜୋରିମାନା କଲୁ । ସଙ୍ଗେ ସଙ୍ଗେ ଜୋରିମାନା ଅସୁଲ ହୋଇ ସାହାଯ୍ୟ ପାଣ୍ଠିକୁ ଦିଆଗଲା । ଜଣ ଜଣ କରି ସମସ୍ତଙ୍କୁ ଚପଲ ଛୁଇଁ ଭବିଷ୍ୟତରେ ଆଉ କେବେ ମଦ ନ ପିଇବା ନିମନ୍ତେ ନିୟମ କରିବାକୁ ମୁଁ କହିଲି । ଜଣ ଜଣ କରି ସମସ୍ତେ ନିୟମ କଲାପରେ ମୁଁ ସେମାନଙ୍କୁ ସେଠାରୁ ବିଦା କରି ଦେଇଥିଲି । ମୋର ସେହି ପୁରୁଣା ଚପଲ ହଳକ ସେଠାରେ ପଡ଼ି ରହିଛି । ଗରିବ ଲୋକମାନେ ସେ ଚପଲକୁ ପବିତ୍ର କରି ଯାଇଛନ୍ତି । ସତେ ଯେପରି ନିରବରେ ସେମାନେ କହୁଛନ୍ତି “ବିଶ୍ଵାସ ହରାଇ ବସିବା ଭୁଲ କଥା । ସତ୍ୟ ଓ ସମ୍ମାନର କେବେ ମୃତ୍ୟୁ ହୋଇପାରେନା ।” ଦେଶୀ ଚପଲଗୁଡ଼ିକ ପାଦରେ ପିନ୍ଧା ଯିବାର ଆବଶ୍ୟକତା କେବଳ ମେଣ୍ଟାଏ ନାହିଁ, ଗରିବ ମୋଚିମାନଙ୍କ ପାଇଁ ଏ ଚପଲଗୁଡ଼ିକ ବିଶ୍ଵାସ ଓ ଦାନାପାଣିର ପ୍ରତୀକସ୍ୱରୂପ । ସେମାନଙ୍କର ଏହି ବିଶ୍ଵାସ ଓ ଆସ୍ଥା ପ୍ରତି ଅବହେଳା ପ୍ରଦର୍ଶନ କରାଯିବା କଦାପି ଉଚିତ ନୁହେଁ ।

Image